spot_img
Home Blog Page 5523

ଭାରତକୁ ସାହାଯ୍ୟ ନାଁରେ କୋଟି କୋଟି ଟଙ୍କା ସଂଗ୍ରହ କଲା ପାକିସ୍ତାନୀ NGO, ଆତଙ୍କବାଦୀଙ୍କୁ ଫଣ୍ଡିଂ ଆଶଙ୍କା

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ କାଳରେ ଭାରତକୁ ସାହାଯ୍ୟ ନାଁରେ ପାକିସ୍ତାନୀ ସଂଗଠନ କୋଟି କୋଟି ସଂଗ୍ରହ କରିଛି । ଆଉ ଏବେ ଉକ୍ତ ଅର୍ଥ ରାଶିକୁ ଆତଙ୍କବାଦ ସଂଗଠନରେ ଖର୍ଚ୍ଚ କରିବାକୁ ଯାଉଛି । ଏମିତି ଦାବି ଏକ ରିପୋର୍ଟରେ କରାଯାଇଛି ।

ରିପୋର୍ଟ ଅନୁସାରେ, ପାକିସ୍ତାନର ସରକାରୀ ଚାରୋଟି ସଂସ୍ଥା କରୋନା ସଂକଟ ବେଳେ ଭାରତକୁ ସାହାଯ୍ୟ ନାଁରେ କୋଟି କୋଟି ଟଙ୍କା ସଂଗ୍ରହ କରିଛି । ଏହି ସଂଗଠନ ହେଲ୍ପ ଇଣ୍ଡିଆ ବ୍ରିଦ୍ ନାମକ ଅଭିଯାନ କରିଥିଲା । ଯେଉଁଥିରେ ଭାରତକୁ ଅକ୍ସିଜେନ୍, ଭେଣ୍ଟିଲେଟର ଓ ଭ୍ୟାକ୍ସିନ୍ ସମେତ ଅନ୍ୟ ମେଡିକାଲ ଉପକରଣ ଯୋଗାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅପିଲ୍ କରାଯାଇଥିଲା । ଭାରତରେ କରୋନାର କରାଳ ରୂପକୁ ଦେଖି ଲୋକ ମଧ୍ୟ ସହଯୋଗ କରିଥିଲେ ।

ଏବେ ଦିସ୍ ଇନଫୋର ରିପୋର୍ଟରେ ଏହାକୁ ଏକ ବଡ଼ ଘୋଟାଲା କୁହାଯାଇଛି । ଅର୍ଥ ରାଶି ସଂଗ୍ରହ କରିଥିବା ସଂଗଠନ ସହ ପାକିସ୍ତାନୀ ସେନାର ଭଲ ସମ୍ପର୍କ ଥିବା ରିପୋର୍ଟରେ ଦର୍ଶାଯାଇଛି । ଏତିକି ନୁହେଁ ଏହି ସଂଗଠନର ଅଫିସ୍ ପାକିସ୍ତାନରେ ରହିଛି । କୁହାଯାଇଛି ଏହି ଅର୍ଥରେ ଭାରତରେ ଆତଙ୍କବାଦୀ ଗତିବିଧିକୁ ପୋତ୍ସାହିତ କରିପାରେ ସଂଗଠନ ।

ରିପୋର୍ଟରେ ଦାବି କରାଯାଇଛି, ଅର୍ଥ ସଂଗହରେ ଇମାନା ଅର୍ଥାତ୍ ଇସଲାମିକ୍ ମେଡିକାଲ୍ ଆସୋସିଏସନ୍ ଅଫ୍ ନର୍ଥ ଆମେରିକା ମଧ୍ୟ ସାମିଲ୍ ଅଛି । ୨୦୨୧ ଏପ୍ରିଲ୍ ୨୭ ସୁଦ୍ଧା ସୋସିଆଲ୍ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ #HelpIndiabreathe ନାଁରେ କ୍ୟାମ୍ପେନ୍ କରାଯାଇଥିଲା । ଏଥିରେ ୧.୮ କୋଟି ଡଲାର ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଥିଲା ।

୨୦୧୪ରୁ କୋଇଲା ରୟାଲଟିରେ ହେଉନି ସଂଶୋଧନ,୧୩ ହଜାର କୋଟିର ରାଜସ୍ୱ ହରାଇଲାଣି ରାଜ୍ୟ

ଭୁବନେଶ୍ୱର: ଦାବି କରୁଛି ଓଡ଼ିଶା, ଶୁଣୁନି କେନ୍ଦ୍ର। ୭ବର୍ଷ ହେଲା କୋଇଲା ରୟାଲିଟି ସଂଶୋଧନ କରୁନାହିଁ କେନ୍ଦ୍ର। ନିୟମ ଅନୁସାରେ ପ୍ରତି ୩ବର୍ଷରେ ଥରେ କୋଇଲା ରୟାଲଟି ସଂଶୋଧନ ହେବା କଥା। ହେଲେ ହେଉନଥିବାରୁ ଓଡ଼ିଶା ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛି। ରାଜ୍ୟରେ ବିକାଶରେ ବାଧା ସୃଷ୍ଟି ହେଉଛି। ଏ ନେଇ ବାରମ୍ବାର ସଂସଦ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏହାକୁ ଅଣଦେଖା କରିଚାଲିଛନ୍ତି କେନ୍ଦ୍ର ସରକାର।

ଦେଶରେ ଉତ୍ତୋଳିତ ହେଉଥିବା ମୋଟ କୋଇଲାରେ ଓଡ଼ିଶାର ରହିଛି ସିଂହ ଭାଗ। ଖଣି ଉତ୍ତୋଳନ ପାଇଁ ପରିବେଶ ପ୍ରଦୂଷଣ, ଲୋକମାନେ ବିସ୍ଥାପିତ ହେଉଛନ୍ତି। ହେଲେ ରୟାଲିଟି ସଂଶୋଧନ କିନ୍ତୁ ହୋଇପାରୁନାହିଁ। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ତୁରନ୍ତ କେନ୍ଦ୍ର ସରକାର କୋଇଲା ରୟାଲିଟି ସଂଶୋଧନ କରିବା ସହ ସ୍ୱଚ୍ଛ ଇନ୍ଧନ ସେସ୍ ଖର୍ଚ୍ଚ କରିବା ପାଇଁ ଅନୁମତି ଦେବାକୁ ଦାବି କରିଛି ବିଜେଡି।

ଏପଟେ କଂଗ୍ରେସ କହିଛି ତୁରନ୍ତ କୋଇଲା ରୟାଲିଟି ସଂଶୋଧନ କରି ୧୪ରୁ ୧୮ପ୍ରତିଶତ ରୟାଲିଟି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାର ତୁରନ୍ତ ମାନିନେବା ଉଚିତ । କୋଇଲା ରୟାଲିଟି ସଂଶୋଧନ ନହେବା ଫଳରେ ଏ ବାବଦରେ ରାଜ୍ୟ ୧୩ହଜାର କୋଟିରୁ ଅଧିକ ଟଙ୍କା ରାଜସ୍ବ ହରାଇଲାଣି  । ସେହିପରି ଡିଷ୍ଟ୍ରିକ୍ରିଟ ମିନେରାଲ ଫଣ୍ଡକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ସେପଟେ କୋଇଲା ରୟାଲିଟି ସଂଶୋଧନ ସପକ୍ଷରେ ନାହିଁ ରାଜ୍ୟ ବିଜେପି । ବିଜେପିର ଯୁକ୍ତି ହେଉଛି କୋଇଲା ନିଲାମ ଦ୍ବାରା ଅଧିକ ରାଜସ୍ବ ପାଉଛି ରାଜ୍ୟ । ତେଣୁ ରୟାଲିଟି ବୃଦ୍ଧି କାହିଁକି ଉଠୁଛି ବୋଲି ବିଜେପି ପାଲଟା ପ୍ରଶ୍ନ କରିଛି …..

ସ୍ବଚ୍ଛ ଇନ୍ଧନ ସେସ୍‌ ଲାଗୁ ହେବା ଦିନଠାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଆଦାୟ କଲେଣି । ହେଲେ ଏଥିରୁ ଓଡିଶାକୁ କିଛି ବି ଫାଇଦା ମିଳିପାରୁନାହିଁ  ।

କୋଭିଡ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ମିଳୁ ଆଡମିଶନ, ଦେଶରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ ପାଇଁ ବିଜେଡିର ଦାବି

ଭୁବନେଶ୍ୱର: ଦ୍ୱିତୀୟ ଲହାରୀରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି। ସେମାନଙ୍କୁ ଦେଖିବାକୁ କେହି ନାହାନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମାଗଣା ଶିକ୍ଷା ବ୍ୟବସ୍ଥା କରିବା ସହ ବିଜୁ ଶିଶୁ ସୁରକ୍ଷା ଓ ଗ୍ରୀନ ପ୍ୟାସେଜ ଯୋଜନାରେ ଉଚ୍ଚଶିକ୍ଷା ସମେତ ବୈଷୟିକ ଶିକ୍ଷାର ବ୍ୟବସ୍ଥା କରିଛନ୍ତି। ତେବେ କେନ୍ଦ୍ର ସରକାର ଏହି ଅନାଥମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ରଖିଛି ବିଜେଡି।

କେବଳ ଓଡ଼ିଶା ନୁହେଁ, ଦେଶର କୌଣସି ବି ସ୍ଥାନରେ ଯଦି ଅନାଥ ଶିଶୁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବାକୁ ଚାହୁଁଛନ୍ତି ତୁରନ୍ତ ସୁଯୋଗ ଦେବାକୁ ଚିଠି ଲେଖିଛନ୍ତି ସାଂସଦ ଅମର ପଟ୍ଟନାୟକ। ତଥ୍ୟ ଓ ତାଲିକାକୁ ଅପେକ୍ଷା ନ କରି ୱାକ-ଇନ ମାଧ୍ୟମରେ ଆଡମିଶନ ଦିଆଯିବା ଉପରେ ଦଳ ପକ୍ଷରୁ ଦାବି କରିଛନ୍ତି। ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ଭାବିବାକୁ ପତ୍ରରେ ଉଲ୍ଲେଖ ରହିଛି।

କେନ୍ଦ୍ରୀୟ ବିଦ୍ୟାଳୟରେ ସୁଲଭ ଦରରେ ଉତ୍ତମ ଶିକ୍ଷା ମିଳିଥାଏ। ଯେଉଁଥିପାଇଁ ଏହା ଅଭିବାବକଙ୍କ ପ୍ରଥମ ପସନ୍ଦ। ଆଡମିଶନ ପାଇଁ ଅନେକ ସର୍ତ୍ତାବଳୀ ଓ କୋଟା ବ୍ୟବସ୍ଥା ଥାଏ। ତେବେ ନବୀନ ପଟ୍ଟନାୟକ ରାଜନୀତିଠାରୁ ଦୂରରେ ରହି ସାରା ଦେଶର ଚିନ୍ତା କରିଛନ୍ତି। ଯାହାକୁ ବିରୋଧୀ ଓ ଶିକ୍ଷାବିତ ପ୍ରଶଂସା କରିଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ଅନାଥ ପିଲାଙ୍କ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରବେଶ ପାଇଁ ବିଜେଡିକୁ ସମର୍ଥନ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସମେତ ନବୋଦୟ ବିଦ୍ୟାଳୟରେ ନାମଲେଖା ଉପରେ ଜୋର ଦେଇଛନ୍ତି ଶିକ୍ଷାବିତ।

ଦେଶ ଯାହା କରିବାକୁ ଚିନ୍ତାରେ କରେ, ନବୀନ ପଟ୍ଟନାୟକ ତାହା ପୂର୍ବରୁ କରି ସାରିଥାନ୍ତି। ନବୀନ କୋଭିଡ ଅନାଥଙ୍କ ଚିହ୍ନଟ, ପେନସନ ସମେତ ଶିକ୍ଷାଗତ ଭବିଷ୍ୟତର ଦାୟିତ୍ୱ ନେଇଥିବାରୁ, ସାରା ଦେଶ ଓଡ଼ିଶାକୁ ରୋଲମଡେଲ ଭାବେ ନେଉଛି।

କରୋନାର ଦ୍ୱିତୀୟ ଲହରରେ ଯାଇଛି ୭୩୦ ଡାକ୍ତରଙ୍କ ଜୀବନ, ଓଡ଼ିଶାରୁ ୩୧ କୋଭିଡ୍ ଯୋଦ୍ଧା ମୃତ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଖାଲି ଲୋକଙ୍କ ଜୀବନ ନେଉଛି ତା’ ନୁହେଁ ଏଥିରେ କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଛନ୍ତି । ଭାରତୀୟ ମେଡିକାଲ ଆସୋସିଏସନର ତଥ୍ୟ ଅନୁସାରେ, କରୋନାର ଦ୍ୱିତୀୟ ଲହରରେ ୭୩୦ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସବୁଠୁ ଅଧିକ ଡାକ୍ତର ବିହାରରେ ଜୀବନ ହାରିଛନ୍ତି ।

ବିହାରରେ ସର୍ବାଧିକ ୧୧୫ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା ବେଳେ ଦିଲ୍ଲୀରେ ୧୦୯ ଜଣ ଡାକ୍ତର ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି । ସେହିଭଳି ଉତ୍ତରପ୍ରଦେଶରେ ୭୯, ଆନ୍ଧ୍ରପ୍ରଦେଶରେ ୩୮, ତେଲଙ୍ଗାନାରେ ୩୭, ଓଡ଼ିଶାରୁ ୩୧, ମହାରାଷ୍ଟ୍ରରେ ୨୩ ଓ ମଧ୍ୟପ୍ରଦେଶରେ ୧୬ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

କରୋନାର ଦ୍ୱିତୀୟ ଲହରରେ ଡାକ୍ତରଙ୍କ ମୃତ୍ୟୁକି ନେଇ ରାହୁଲ ଗାନ୍ଧୀ ସମ୍ବେଦନା ବ୍ୟକ୍ତ କରିଛନ୍ତି । ଡାକ୍ତରଙ୍କୁ ସହିଦ ବିବେଚନା କରି ରାହୁଲ୍ କହିଛନ୍ତି, ଡାକ୍ତର ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ହାରି ଯାଇ ନାହାଁନ୍ତି । ମୁଁ ମୃତ ଡାକ୍ତରଙ୍କ ଶୋକ ସନ୍ତପ୍ତ ପରିବାର ସହ ରହିଛି ।

ଜୁଲାଇ ୨୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଡ଼ ହୋଇ ଛିଡ଼ା ହୋଇଛି କରୋନା। କରୋନା କାରଣରୁ ବନ୍ଦ ରହିଛି ଶ୍ରୀମନ୍ଦିର। ଶ୍ରୀମନ୍ଦିର ବନ୍ଦ କାରଣରୁ ଖାଁ ଖାଁ ବଡ଼ଦାଣ୍ଡ। ଭକ୍ତ ମାନେ ଚାହିଁ ରହିଛନ୍ତି କେବେ ଖୋଲିବ ମନ୍ଦିର ଆଉ ଆଖିରେ ଆଖି ମିଶାଇ ମନଭରି ଟିକେ କାଳିଆକୁ ଦେଖିବେ। ତେବେ ଜୁଲାଇ ୨୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ନୀଳାଦ୍ରି ବିଜେ ନୀତି ପରେ କୋଭିଡ ସ୍ଥିତି ଦେଖି ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଏନେଇ ବସିଥିବା ବୈଠକରେ ସେବାୟତଙ୍କ ସହ ବ୍ୟାପକ ଆଲୋଚନା ପରେ ଜୁଲାଇ ୨୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ କରାଯାଇଛି। ଆଗରୁ ଲକଡାଉନ୍‌ ପାଇଁ ୧୭ ଜୁନ୍‌ ପର୍ଯ୍ୟନ୍ତ କଟକଣା ରହିଥିଲାୟ।

ଗଛରୁ ପଣସକୁ ଚୋରୀ କରିନେବା ଅଭିଯୋଗରେ ବୃଦ୍ଧଙ୍କୁ ହତ୍ୟା

ସାଲେପୁର: ପଣସ କଟାକୁ ନେଇ ବୃଦ୍ଧଙ୍କୁ ହତ୍ୟା। ୭୦ ବର୍ଷିୟ କରିମ ବକ୍ସଙ୍କୁ ହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁରରେ। ପିକୋଲ ପଞ୍ଚାୟତର ମୋଦିପଡ଼ା ଗାଁର କରିମ ବକ୍ସ ଓ ପଡୋଶୀ ସଫେଉଲା ରହେମାନଙ୍କ ମଧ୍ୟରେ ଜମିବାଡ଼କୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା।

ଗତକାଲି ରାତିରେ କରିମ ବକ୍ସଙ୍କ ବାଡ଼ିରୁ ପଣିସ ଚୋରି ହୋଇଥିଲା। ଏନେଇ ପଡୋଶୀ ସଫେଉଲ ରହେମାନଙ୍କୁ କରିମ ପଚାରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ ସଫେଉଲ। ଗୁରୁତର ଅବସ୍ଥାରେ କରିମଙ୍କୁ ସାଲେପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଖବର ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

ଶ୍ରୀମନ୍ଦିରର ଆଠଟି ଦ୍ଵାର ମଧ୍ୟରୁ ପ୍ରଥମେ ପରୀକ୍ଷାମୂଳକ ଭାବେ ଜୟବିଜୟ ଓ ଭୋଗମଣ୍ଡପ ଦ୍ୱାର ହେବ ରୂପା ଛାଉଁଣୀ

ପୁରୀ: ଶ୍ରୀମନ୍ଦିରର ଆଠଟି ଦ୍ଵାରର ହେବ ରୂପା ଛାଉଁଣୀ। ପ୍ରଥମେ ଜୟବିଜୟ ଓ ଭୋଗମଣ୍ଡପ ଘରର ଦ୍ୱାର ପରୀକ୍ଷାମୂଳକ ଭାବେ ନିର୍ମାଣ କରାଯାଇ ରୂପାଛାଉଣୀ କରାଯିବ। ଏହାର ଡିଜାଇନ ଆପାତତଃ ଚୁଡାନ୍ତ ହୋଇଥିବା ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସୂଚନା ଦିଆଯାଇଛି। ପ୍ରାୟ ୧୫ ଜଣ କାରିଗରଙ୍କ ଦ୍ଵାରା ଏହି କାର୍ଯ୍ୟ ନିଳାଦ୍ରୀ ଭକ୍ତ ନିବାସରେ ଆରମ୍ଭ ହୋଇଛି। ଆବଶ୍ୟକ ବର୍ମାଟିକ୍ କାଠ ପହଞ୍ଚି ଥିବା ବେଳେ କବାଟ ଓ ରୂପା ଛାଉଣୀ ନିର୍ମାଣର ତତ୍ୱବଧାନ ପାଇଁ ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଦୁଇଟି ଟିମ ଗଠିତ ହୋଇଛି।

ମୂଳ ଦ୍ୱାରର ଡିଜାଇନ୍ ଅକ୍ଷୁର୍ଣ୍ଣ ରହିବା ସହ ଉତ୍କଳୀୟ କଳାସ୍ଥାପତ୍ୟର ଡିଜାଇନ୍ ମଧ୍ୟ ସ୍ଥାନ ପାଇବ। ଏଏସଆଇ ଠାରୁ ଅନୁମତି ଅଣାଯିବା ପରେ ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ ମତ ଦେଇଛନ୍ତି। ରୂପା ଛାଉଣି ପାଇଁ ଦୁଇ ଟନ ରୁପାର ଆବଶ୍ୟକ ରହିଛି। ମୁମ୍ବାଇର ଜଣେ ଦାତା ସମସ୍ତ ରୂପା ଦାନସୂତ୍ରରେ ଦେବାକୁ ରାଜି ହୋଇଛନ୍ତି। ପରୀକ୍ଷାମୂଳକ ଭାବେ ତିନିଦ୍ୱାର ରୂପା ଛାଉଣୀ ସରିବା ପରେ କଳାହାଟ ଓ ଅନ୍ୟ ୪ ପାର୍ଶ୍ଵଦେବାଦେବୀ ମନ୍ଦିରର ରୁପା ଛାଉଣୀ ହେବ ବୋଲି କହିଛନ୍ତି  ମୁଖ୍ୟ ପ୍ରଶାସକ।

ଏନକାଉଣ୍ଟରରେ ୬ ନକ୍ସଲ ନିହତ, ଏକେ ରାଇଫଲ୍ ସହ ଅନେକ ଅସ୍ତ୍ରଶସ୍ତ୍ର ଜବତ

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ମାମ୍ପା ପୋଲିସ ଥାନା ଥେଗଲମେଟା ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିବା ବେଳେ ୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ବୁଧବାର ଭୋର୍ ସମୟରେ ଏହି ଗୁଳି ବିନିମୟ ହୋଇଛି ।

6 Naxals Killed In Encounter Andhra Pradesh

ଏବେବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ୬ ଜଣ ସିପିଆଇ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିବା ବେଳେ ସେଥିରେ ଜଣେ ମହିଳା ମାଓ କ୍ୟାର୍ଡର ରହିଛନ୍ତି । ଏଥିସହ ଗୋଟିଏ ଏକେ ରାଇଫଲ୍, ଗୋଟିଏ ଏସଏଲଆର୍, ଗୋଟିଏ କାର୍ବାଇନ୍ ଓ ୩ଟି ରାଇଫଲ୍ ସହ ଗୁଳିଗୋଳା ମିଳିଛି ।

ଗୁଳିବିନିମୟରେ ସିପିଆଇ ମାଓବାଦୀର ଡିସିଏମ୍ ସ୍ତରର ୨ କ୍ୟାଡର ସାନ୍ଦେ ଗଙ୍ଗୈୟା ଓ ଉର୍ଫ ଡକ୍ଟର ଅଶୋକ ଓ ରଣଧିରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ମୃତ ମାଓବାଦୀଙ୍କ ପରିଚୟ ମିଳିନାହିଁ ।

ଟ୍ୱିଟରରେ କାହିଁକି କମୁଛି ଲୋକଙ୍କ ଫଲୋଅର୍ସ ?

ନୂଆଦିଲ୍ଲୀ: ଟ୍ୱିଟର ବିରୋଧରେ ଲୋକଙ୍କ ଅଭିଯୋଗ । କମୁଛି ଫଲୋଅର୍ସ ସଂଖ୍ୟା । ଏହାକୁ ନେଇ କିଛି ଲୋକ ଅଭିଯୋଗ କରିଛନ୍ତି କି ଟ୍ୱିଟର ଜାଣିଶୁଣି ଏଭଳି କରୁଛି । ତେବେ ଏମିତି କାହିଁକି ହେଉଛି ସେନେଇ ଟ୍ୱିଟର ସୂଚନା ଦେଇଛି ।

ବଲିଉଡ୍ ଅଭିନେତା ଅନୁପମ ଖେର୍ ଏବଂ ଅନ୍ୟ ଜଣେ ସାମ୍ବାଦିକ ମଧ୍ୟ ଅଭିଯୋଗ କରିଥିଲେ କି ସେମାନଙ୍କର ଶତାଧିକ ଫଲୋଅର୍ସ ଗୋଟିଏ ଦିନରେ କମି ଯାଇଛନ୍ତି । ତେବେ ଟ୍ୱିଟରର କହିବା କଥା ହେଉଛି, ଫଲୋଅର୍ସ କମିବାର କାରଣ ହେଉଛି ସ୍ପାମ୍ ପ୍ରୋଫାଇଲ୍ । ଟ୍ୱିଟର ସମୟ ସମୟରେ ସ୍ପାମ୍ ପ୍ରୋଫାଇଲକୁ ହଟାଇ ଥାଏ ।

https://twitter.com/TwitterSupport/status/1404592716068134913

ଏହାକୁ ନେଇ ଟ୍ୱିଟର ଏକ ଟ୍ୱିଟ୍ ମଧ୍ୟ କରିଛି । ପୋଷ୍ଟରେ କମ୍ପାନୀ କହିଛି, ଆମେ ନିୟମିତ ସ୍ପାମ୍ ପ୍ରୋଫାଇଲକୁ ହଟାଇବା ସହ ଆକାଉଣ୍ଟକୁ ସୁରକ୍ଷିତ ରଖିବା ଲାଗି କାର୍ଯ୍ୟ କରୁଛୁ । କମ୍ପାନୀ ଅଧିକାଂଶ ସମୟରେ ଆକାଉଣ୍ଟ ପାସୱାର୍ଡ ଓ ଫୋନ୍ ନମ୍ବର ଭେରିଫାଏ କରିବାକୁ ମଧ୍ୟ କହିଥାଏ ।

ଆକାଉଣ୍ଟ ଟ୍ରୋଲ୍ ଭଳି କାର୍ଯ୍ୟ କଲେ କମ୍ପାନୀ ତାହାକୁ ଚେକ୍ କରେ । ଟ୍ୟାମ୍ପରିଂ ମେଲ୍ ଆଇଡିରେ ଆକାଉଣ୍ଟ ହୋଇଛି କି ଏହା ମଧ୍ୟ ଯାଞ୍ଚ କରେ କମ୍ପାନୀ । ୟୁଜରଙ୍କୁ ଭେରିଫାଏ ପାଇଁ ଟ୍ୱିଟର କହେ, ଭେରିଫାଏ ନକଲେ ଆକାଉଣ୍ଟକୁ ବ୍ଲକ୍ କରି ଦିଏ । ଏହି ଲକ୍ ପ୍ରୋଫାଇଲ୍ ଫଲୋଅର୍ସ କାଉଣ୍ଟ ଲିଷ୍ଟରେ ଆସେ ନାହିଁ ।

ଏକମୋ ସପୋର୍ଟ ଦିଆଗଲେ ଶହେରୁ ୪୦ ପ୍ରତିଶତ ରୋଗୀ ସୁସ୍ଥ ହେବାର ସମ୍ଭାବନା

ଭୁବନେଶ୍ୱର: ସଂକ୍ରମଣ କମିଛି କିନ୍ତୁ କମିନି ବିପଦ। କରୋନାରୁ ସୁସ୍ଥ ହେବା ପରେ ବି ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି କରୋନା ଆକ୍ରାନ୍ତ। ହେଲେ ପୋଷ୍ଟ କୋଭିଡ୍ ଜଟିଳତା ଓ ଦୀର୍ଘମିଆଦି କୋଭିଡକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନାରୁ ସୁସ୍ଥ ହେବାର ୩ମାସ ବା ୧୨ ସପ୍ତାହ ପର୍ଯ୍ୟନ୍ତ ଶରୀରରେ କିଛି ସମସ୍ୟା ଦେଖାଦେଲେ ଏହାକୁ ଦୀର୍ଘ ମିଆଦି କୋଭିଡ୍ ବା ଲଙ୍ଗ କୋଭିଡ୍ କୁହାଯାଏ। କରୋନାରୁ ସୁସ୍ଥ ହେବା ପରେ କେତେଜଣ ରୋଗୀଙ୍କର କାଶ ହେବା, ଧଇଁସଇଁ ହୋଇଯିବା, ଛାତି କଷ୍ଟ ହେବା ସହ ଅକ୍ସିଜେନ ସାଚୁରେସନ କମିଯାଇଥାଏ। ଅନେକ ରୋଗୀଙ୍କ କ୍ଷେତ୍ରରେ ମୁଣ୍ଡ ବିନ୍ଧା ହେବା, ଚିଡ଼ଚିଡ଼ା ଲାଗିବା, ମାନସିକ ଅବସାଦରେ ରହିବା, କଥା ଭୁଲିଯିବା ଆଦି ସମସ୍ୟା ଦେଖାଯାଇଥାଏ। ଏହିସବୁ ଲକ୍ଷଣକୁ ଦୀଘମିଆଦି କୋଭିଡରେ ଗଣାଯାଇଥାଏ।

ଏ ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। କିଛିଦିନର ଚିକତ୍ସା ପରେ ଏହି ସବୁ ଲକ୍ଷଣ ଆପେ ଦୂରେଇ ଯିବ। ବୟସ୍କ ଲୋକ, ମହିଳା କିମ୍ବା ଅତି ଗୁରୁତର ରୋଗରେ ଆକ୍ରାନ୍ତ ଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଲଙ୍ଗ କୋଭିଡ୍ ସମସ୍ୟା ଦେଖାଯାଉଛି। ଶିଶୁଙ୍କ କ୍ଷେତ୍ରରେ ଏହି ଲଙ୍ଗ କୋଭିଡ୍ ସମସ୍ୟା ଏତେଟା ଦେଖାଯାଇ ନଥାଏ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ପ୍ରଫେସର ଜୟନ୍ତ କୁମାର ପଣ୍ଡା। ସେହିପରି ECMO ଚିକିତ୍ସାକୁ ନେଇ ସୂଚନା ଦେଇଛନ୍ତି ସମ୍ କୋଭିଡ୍ ହସ୍ପିଟାଲ ମୁଖ୍ୟ ପ୍ରଫେସର ବାନାମ୍ବର ରାୟ। ସେ କହିଛନ୍ତି, ଲଙ୍ଗସ୍ ଖରାପ ଥିଲେ ECMO ମେସିନ ସାହାଯ୍ୟରେ ରକ୍ତ ପରିଷ୍କାର କରାଯାଇ ଶରୀରର ବିଭନ୍ନ ଅଙ୍ଗକୁ ପଠାଯାଇଥାଏ। ସ୍ୱାଇନ ଫ୍ଲୁ ବେଳେ ମଧ୍ୟ ଅନେକ ରୋଗୀଙ୍କୁ ଏକମୋ ଚିକିତ୍ସା ଦିଆଯାଇଥିଲା। ଲଙ୍ଗସ ଟ୍ରାନ୍ସପ୍ଲାଣ୍ଟ ବେଳେ ବି ଏକମୋ ଚିକିତ୍ସା କରାଯାଇଥାଏ। ଏକମୋ ସପୋର୍ଟ ଦିଆଗଲେ ଶହେରୁ ୪୦ ପ୍ରତିଶତ ରୋଗୀ ସୁସ୍ଥ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।