spot_img
Home Blog Page 55

ସର୍ବନିମ୍ନ ଦରମା ୩ ଲକ୍ଷ ୪୫ ହଜାର: ବିଜେପି ବିଧାୟକଙ୍କ ଛାଡୁନି ଲୋଭ, ପ୍ରଶ୍ନ ଉଠାଇଲା ବିଜେଡି

ସର୍ବନିମ୍ନ ଦରମା ୩ ଲକ୍ଷ ୪୫ ହଜାର । ବିଜେପି ବିଧାୟକଙ୍କ ଛାଡୁନି ଲୋଭ । ବର୍ଦ୍ଧିତ ଦରମା ସପକ୍ଷରେ ଯୁକ୍ତି ବାଢିଲେ ଆସ୍କା ଜନପ୍ରତିନିଧି ସରୋଜ ପାଢୀ । ପ୍ରଶ୍ନ, ଲୋକ ଦେଖାଣିଆ ଥିଲା କି ପୁନର୍ବିଚାର ପ୍ରସ୍ତାବ ? ବିଜେଡି କହିଲା, ନିଷ୍ପତ୍ତି ନେଇପାରୁନାହିଁ ବିଜେପି । ଡିସେମ୍ବର ୯ ତାରିଖ । ବିଧାନସଭାରେ ପାରିତ ହୋଇଥିଲା ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଧେୟକ । ବିଧାୟକଙ୍କ ଦରମା ଏକାଥରକେ ବିଜେପି ସରକାର ୩ଗୁଣା କରିବା ପରେ ପୂରା ଓଡିଶାରେ ଜନଆକ୍ରୋଶ ଦେଖାଦେଇଥିଲା। ଜନଆକ୍ରୋଶକୁ ଦେଖି ବିଜେପି ମୁଙ୍ଗୁଆଳ ଦଳୀୟ ବିଧାୟକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ବୈଠକ କରି ଦରମା ବୃଦ୍ଧିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବା ପରେ ବି ବିଜେପି ବିଧାୟକଙ୍କ ବର୍ଦ୍ଧିତ ଦରମା ବୃଦ୍ଧି ଲୋଭ ଛାଡୁନାହିଁ ।

ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଦରମାକୁ ନେଇ ବହୁତ ତୁମ୍ବିତୋଫାନ ହେଲା। ଭୁବନେଶ୍ୱର ଘରେ ନଥାଇ ବିଜୁଳି ବିଲ୍ ୧୫ ହଜାର ଟଙ୍କା ଆସିଛି। ଯଦି ଥାଆନ୍ତି କେତେ ଟଙ୍କା ଆସିଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି । ମୋର ଦରମା କେତେ ? ମୁଁ ଗାଡି EMI କେତେ ଦେବି ? ଏପରି ଡ୍ରାଇଭର ଦରମା ସହ ଅନ୍ୟ ଖର୍ଚ୍ଚର ଲମ୍ବା ତାଲିକା ଗଣମାଧ୍ୟମ ଆଗରେ ବଖାଣିଥିଲେ ସରୋଜ । ମୁଁ କଣ ୠଣ କରି ଆଣି ଦେବି ବୋଲି ସରୋଜ ପ୍ରଶ୍ନ କରିଛନ୍ତି । ଦରମା ବୃଦ୍ଧି ହଣ୍ଡ୍ରେଡ ପର୍ସେଣ୍ଟ ଠିକ୍ ଥିଲା ବୋଲି ସେ କହିଛନ୍ତି । ବିଜେପି ବିଧାୟକ ଉମା ଚରଣ ମଲ୍ଲିକ କହିଛନ୍ତି, ଦରମା ବୃଦ୍ଧି ହେବାର ଆବଶ୍ୟକ ବୋଲି ଯୁକ୍ତି ବାଢିଛନ୍ତି ।

ବିଜେପି ବିଧାୟକଙ୍କ ବର୍ଦ୍ଧିତ ଦରମା ବୃଦ୍ଧିର ଦୋମୁହାଁ ନୀତିକୁ କଡା ସମାଲୋଚନା କରିଛି ବିଜେଡି । ବିଜେଡି କହିଛି, ରାଜ୍ୟରେ ଏକ ନନ-ସିରିୟସ ସରକାର । ରଙ୍ଗ ମାରି ବୋର୍ଡ ଲଗାଇବାରେ ପାରଙ୍ଗମ ଏ ସରକାର । ଯାହା ସରକାର ନିଷ୍ପତ୍ତି ନେଉଛନ୍ତି ଭାବିଚିନ୍ତି ନେବା କଥା। ଏ ସରକାର ଗୋଟିଏ ଆଦେଶ ଦେଇ ଦୁଇ ଦିନ ପରେ ତାକୁ ଫେରାଇ ନେଉଛନ୍ତି । ଭବିଷ୍ୟତ ପ୍ରତି ଚିନ୍ତା ନାହିଁ। ଦୂରଦୃଷ୍ଟି ସମ୍ପନ୍ନ ସରକାର ନୁହେଁ। ବିଧାୟକ ଦରମା ଅତ୍ୟଧିକ ବୃଦ୍ଧି ହେବା ବିଜେପି ସରକାରର ଆଉ ଗୋଟିଏ ତ୍ରୁଟି ବୋଲି ବିଜେଡି ଅଭିଯୋଗ କରିଛି ।

ବିଧାୟକଙ୍କ ଦରମା ଏକାଥରକେ ବିଜେପି ସରକାର ୩ ଗୁଣା ବୃଦ୍ଧି କରିବା ଓ ଏହାକୁ ପଛୁଆ ଭାବେ ଲାଗୁ କରିବା ନେଇ ଦେଶରେ ଚର୍ଚ୍ଚାକୁ ଆସିଥିଲା ଓଡିଶା । ସାରା ଓଡିଶାରେ ପ୍ରତିବାଦ ହେବା ପରେ ବିଜେପି ବର୍ଦ୍ଧିତ ଦରମାର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବାର ମାସକ ଭିତରେ ବିଜେପି ବିଧାୟକଙ୍କ ଦରମା ବୃଦ୍ଧି ସପକ୍ଷରେ ଯୁକ୍ତି ବାଢିବା ଆଭିମୁଖ୍ଯକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି ।

ବିଜେଡିରୁ ନିଲମ୍ବିତ ହେଲେ ୨ ବିଧାୟକ: ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଡ଼ ଆକ୍ସନ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଡ଼ ଆକ୍ସନ। ଦଳ ବିରୋଧୀ କାର୍ଯ୍ୟ ନେଇ ଆଜି ୨ ଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ନବୀନ। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନିଲମ୍ବନ କରିଛନ୍ତି ସୁପ୍ରିମୋ। ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ବିଧାୟକ ଦଳ ବୈଠକରେ ଲଗାତାର ଅନୁପସ୍ଥିତ ରହିଥିଲେ। ଏହା ସହିତ ଦଳ ବିରୋଧୀ ମନ୍ତବ୍ୟ ଦେବାକୁ ବି ପଛାଉ ନଥିଲେ। ଖୋଦ୍ ସଭାପତି ନବୀନ ପଟ୍ଟନାୟକ ଏନଇ ସନାତନଙ୍କୁ ତାଗିଦ କରିବା ସତ୍ତ୍ବେ ତାଙ୍କର ଆଚରଣରେ ସୁଧାର ଆସି ନଥିଲା। ଏହାକୁ ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି ସୁପ୍ରିମୋ।

ସେହିପରି ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇ ପାଟକୁରା ଟିକେଟ ପାଇଥିଲେ ଅରବିନ୍ଦ ମହାପାତ୍ର। ପ୍ରଥମ ଥର ଲାଗି ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଅରବିନ୍ଦ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ। ବିଜେଡି ବିଧାୟକ ଥାଇ ଦଳର ଶୃଙ୍ଖଳା ଗଣ୍ଡି ଭିତରେ ନରହିବାରୁ ଅରବିନ୍ଦଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ନବୀନ। କ୍ଷମତାରେ ଥିବାବେଳେ ଦଳୀୟ ଶୃଙ୍ଖଳା ଭଙ୍ଗ ନେଇ ଅନେକ ବିଧାୟକ, ମନ୍ତ୍ରୀ ଓ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ନବୀନ ପଟ୍ଟନାୟକ। ଆଜି ବି ବିରୋଧୀ ଦଳ ନେତା ଥାଇ ନିଜ ଦଳର ଶୃଙ୍ଖଳା ଭଙ୍ଗ ନେଇ ସାମାନ୍ୟତମ ବରଦାସ୍ତ କରିନାହାନ୍ତି ନବୀନ।

ସ୍ବାଭାବିକ ହେଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ବାଟି ବାଟି ସମ୍ପତ୍ତି, ହଜାର ହଜାର ସେବାୟତ । ତଥାପି ମକର ସଂକ୍ରାନ୍ତିରେ ଖାଡ଼ା ଉପାସ ରହିଲେ ବାବା ଲିଙ୍ଗରାଜ । କ୍ଷୀର ଆଉଟାକୁ ନୀତି ନେଇ ବଡୁ ଓ ବ୍ରାହ୍ମଣ ନିଯୋଗ ବିବାଦ । ପାଳନ ହେଲାନି ମକର ଯାତ୍ରା । ପରସ୍ପରକୁ ଦୋଷ ଦେଲେ ଦୁଇ ନିଯୋଗ । ଯଦିଓ ନୀତି ସ୍ବାଭାବିକ ହୋଇଛି ତଥାପି ପ୍ରଶାସନ ଚାହିଁଥିଲେ ପ୍ରଭୁ ଲିଙ୍ଗରାଜ ଓପାସ ରହି ନଥାନ୍ତେ ବୋଲି ଅଭିଯୋଗ କରିଛନ୍ତି ବଡୁ ନିଯୋଗ ସେବାୟତ। ମଙ୍ଗଳବାର ଦିନ ଥିବା କ୍ଷୀର ଆଉଟା ନୀତି ସମୟରେ ବିଭ୍ରାଟ ଉପୁଜିପାରେ ବୋଲି ଦୋବୋତ୍ତର ବିଭାଗ, ଆଇନ ବିଭାଗ ଓ ମନ୍ଦିର ପ୍ରଶାସନକୁ ବଡୁ ନିଯୋଗ ଅବଗତ କରାଇଥିଲେ । ଆଲୋଚନା କରାଯାଇଥିଲେ ସମାଧାନ ହୋଇପାରିଥାନ୍ତା । ଅନେକ ବର୍ଷରୁ ଏହି ନୀତି ବଡୁ ସେବାୟତ କରି ଆସୁଛନ୍ତି । ଲିଙ୍ଗରାଜ ମନ୍ଦିରର ରେକର୍ଡରେ ବି ଏହି ବିଷୟରେ ଲେଖାଯାଇଛି । ତେବେ ଜିଲ୍ଲାପାଳ ଚୁପ ରହିବାରୁ ଆଜି ଏପରି ସ୍ଥିତି ଉପୁଜିଲା ବୋଲି ନିଯୋଗ ଅଭିଯୋଗ କରିଛି ।

ସେପଟେ ନୀତି ବିଭ୍ରାଟ ପାଇଁ ଦେବୋତ୍ତର ବିଭାଗକୁ ଦୋଷ ଦେଇଛି ବ୍ରାହ୍ମଣ ନିଯୋଗ । ଗତ ୨୪ ବର୍ଷ ଯାଏଁ କ୍ଷୀର ଆଉଟା ନୀତି ବ୍ରାହ୍ମଣ ନିଯୋଗ କରି ଆସୁଛି । ୨୦୨୫ରେ ଏହାକୁ ବଡୁ ନିଯୋଗ ବିରୋଧ କଲା । ଯାହାର ପ୍ରଭାବ ୨୦୨୬ ରେ ପଡିଲା ବୋଲି କହିଛି ବ୍ରାହ୍ମଣ ନିଯୋଗ । ସମାଧାନ ବଦଳରେ ହାଇକୋର୍ଟ ଯାଏଁ କଥା ଯାଉଛି । କିଛି ସମାଧାନ ନକରି କେବଳ ସେବାୟତଙ୍କ ମୁଣ୍ଡରେ ପ୍ରଶାସନ ଦୋଷ ଦେଉଛି ବୋଲି ନିଯୋଗ ଅଭିଯୋଗ କରିଛି । ବାରମ୍ବାର ବିବାଦ ଯୋଗୁଁ ଅନେକ ସମୟରେ ଉପାସରେ ରହୁଛନ୍ତି ବାବା । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ସରକାର ତୁରନ୍ତ ଲିଙ୍ଗରାଜ ଆଇନ ଆଣିବାକୁ ଦାବି ଜୋର ଧରିଛି ।

ଚାଷୀଙ୍କ ସରକାର କହୁଥିବା ରାଜ୍ୟରେ ଚାଷୀଙ୍କୁ ଅଣଦେଖା

ଚାଷୀଙ୍କ ସରକାର କହୁଥିବା ରାଜ୍ୟରେ ଚାଷୀଙ୍କୁ ଅଣଦେଖା । ସାର, ପାଣି ଓ ମଣ୍ଡି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଅନ୍ନଦାତା । କୋରାପୁଟ ଜିଲ୍ଲା ଜୟପୁର କୋଲାବ ଜଳସେଚନ ବିଭାଗର ଅଧିନରେ ରହିଥିବା ପଦ୍ମପୁର ଡିଷ୍ଟ୍ରିବ୍ୟୁଟରରେ ପାଣି ପାଉ ନାହାନ୍ତି ଚାଷୀ । ବ୍ୟାପକ ସ୍ଥାନରେ କେନାଲ ଭାଙ୍ଗି ଲିକେଜ୍ ହେବାରୁ ତଳ ମୁଣ୍ଡରେ ମିଳୁନି ପାଣି । ତେଣୁ ଚଳିତ ବର୍ଷ ରବିଧାନ ଚାଷ ପାଇଁ ପାଣି ବନ୍ଦ କରାଯାଇ କେନାଲର ଉପଯୁକ୍ତ ମରାମତି କରିବାକୁ ପଦ୍ମପୁର ଡିଷ୍ଟ୍ରିବ୍ୟୁଟର ଟାଙ୍ଗୁଆ, ଡଙ୍ଗରଛିଞ୍ଚି ଏବଂ ବାଲିଆ ଗ୍ରାମପଞ୍ଚାୟତର ଚାଷୀ ମୁଖ୍ୟଯନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

ସରକାରୀ ସ୍ଥରରେ ଜଳସେଚନ ବିଭାଗ ପ୍ରତ୍ୟେକ ୩ ବର୍ଷରେ କେନାଲରେ ପାଣି ଯୋଗାଣ ବନ୍ଦ କରାଯାଇ କେନାଲ ମରାମତି କରିବା ନେଇ ନିୟମ ରହିଛି । କିନ୍ତୁ ଗତ ୨୩ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ହେଲା ମରାମତି କରାଯାଇ ନାହିଁ । ଫଳରେ କେନାଲ ଭାଙ୍ଗି ନଷ୍ଟହେବାରେ ଲାଗିଛି । ଅନ୍ୟ ପକ୍ଷରେ କୋଲାବ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ କହିଛନ୍ତି, ପାଣି ଛଡାଯିବ କି ନାହିଁ ଏହାର ଜିଲ୍ଲା ପ୍ରଶାସନ ସମାଧାନ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଦୀର୍ଘବର୍ଷ ହେଲା କେନାଲକୁ ମରାମତି ନକରି ଚାଷୀଙ୍କୁ ଅସୁବିଧାରେ ପକାଉଛି କୋଲାବ ଜଳସେଚନ ବିଭାଗ । ଅଭିଯୋଗ ପରେ କାଁ ଭାଁ ମରାମତି କରି ଛାଡ଼ି ଦିଆଯାଉଥିବା ଅଭିଯୋଗ ହୋଇଛି ।

ମନ ଭାଙ୍ଗୁଛି ମାଟ୍ରିମୋନି: ମିଛ ପ୍ରୋଫାଇଲ ଜରିଆରେ ଠକୁଛନ୍ତି ଟଙ୍କା, ରଖୁଛନ୍ତି ଶାରୀରିକ ସମ୍ପର୍କ

ଅନଲାଇନରେ ରସିକ ନାଗରଙ୍କ ବଢୁଛି ରାସଲୀଳା । ଜୀବନସାଥି ଖୋଜିବା ଆଳରେ ଜୀବନ ସହ ଖେଳ । ଦାଣ୍ଡର ଭିକାରୀ ବି ନିଜକୁ କହୁଛି କୋଟିପତି । ଗିରଫ ପରେ ଖୋଲୁଛି ରୋମିଓଙ୍କ ଗୁମର । କେତେବେଳେ ଡକ୍ଟର ରଞ୍ଜୀବ ପ୍ରଧାନ ତ ଆଉ କେତେବେଳେ ଡକ୍ଟର ପ୍ରକାଶ ପ୍ରଧାନ । ଭିନ୍ନ ଭିନ୍ନ ପରିଚୟ ଦେଇ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଠକୁଥିଲା ଠକ ରଞ୍ଜୀବ ପ୍ରଧାନ । ୨୦୨୧ ମସିହାରେ ମାଟ୍ରିମୋନି ସାଇଟରେ ନିଜକୁ ଡାକ୍ତର ପରିଚୟ ଦେଇ ନିଜ ସାନଭାଇ ବ୍ୟାଙ୍କ ମ୍ୟାନେଜର ଥିବା କହିଥିଲା ଏହି ଠକ। ଏପରିକି ଭାଇ ପାଇଁ ବାହାଘର ଠିକ କରିବା ଆଳରେ ଟଙ୍କା ଲୁଟିବା ଆରମ୍ଭ କରିଥିଲା । ପେଟ୍ରୋଲ ପମ୍ପ ନିଲାମ, କୋଭିଡ ସମୟରେ ବିଭିନ୍ନ ପଲିସି କରିବା ଆଳରେ ଠକି ନେଇଯାଇଥିଲା ଏହି ଠକ ଜଣକ । କିନ୍ତୁ ଟଙ୍କା ନେବା ପରେ ବିବାହ ତାରିଖ ଘୁଞ୍ଚାଇ ଚାଲିଥିଲା । ଏ ନେଇ ଯାଞ୍ଚ ପରେ ବ୍ୟକ୍ତି ଜଣଙ୍କ କୌଣସି ଡାକ୍ତର ନଥିବା ଓ ତାଙ୍କ ଭାଇ ମଧ୍ୟ କୌଣସି ବ୍ୟାଙ୍କରେ କାମ କରୁନଥିବା ଜାଣିବାକୁ ମିଳିଥିଲା । ପାହାଳ ଥାନାରେ ଅଭିଯୋଗ ପରେ କରିତକର୍ମା ଜଣଙ୍କୁ କୋର୍ଟଚାଲାଣ କରିଛି ପୋଲିସ ।

ଗତବର୍ଷ ଫେବୃଆରୀ ୫ ତାରିଖରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଦିପ୍ତିରାଜ ପଟ୍ଟନାୟକଙ୍କୁ ଗିରଫ କରିଥିଲା । ଠିକ ସମାନ ଢଙ୍ଗରେ ଦୁବାଇରେ ରହି ଡିଭର୍ସି ଓ ଚାକିରିଆ ଯୁବତୀଙ୍କୁ ଫସାଇବା ଅଭିଯୋଗରେ ଯାଜପୁର ଜିଲ୍ଲା ବିଂଝାରପୁର ର ସତ୍ୟଜିତ ସାମଲକୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ । ପୂର୍ବରୁ ନିଜକୁ ଯୁବତୀ କହି ସୋସିଆଲ ମିଡିଆରେ ଫଟୋ ଛାଡି ଏକାଧିକ ଯୁବକଙ୍କୁ ଲକ୍ଷାଧିକ ଟଙ୍କା ଚୂନ ଲଗାଇବା ଅଭିଯୋଗରେ ପୁରୀ ସଦର ଥାନା ଭାତକୁଡିର ନୃସିଂହ ବିଶ୍ୱାଳଙ୍କୁ ଗିରଫ କରିଥିଲା ଭୁବନେଶ୍ୱର ସାଇବର ଥାନା । ମାଟ୍ରିମୋନିଆଲ ସାଇଟ ବ୍ୟବହାର କରୁଥିବା ବେଳେ ଫେକ ୱେବସାଇଟ୍ ରୁ ଦୂରେଇ ରୁହନ୍ତୁ । ଅନଲାଇନରେ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ଅଫଲାଇନରେ ପ୍ରାର୍ଥୀର ନାଁ, ଗାଁ, ଠିକଣା, ରୋଜଗାର ଆଦି ଯାଞ୍ଚ କରିଦେବାର ଆବଶ୍ୟକତା ଥିବା କହିଛନ୍ତି ପୋଲିସ କମିଶନର। କେବଳ ପୋଲିସ କିମ୍ବା ମାଟ୍ରିମୋନି ସାଇଟକୁ ଦାୟୀ ନକରି ନିଜେ ଏ ଦିଗରେ ସଚେତନ ହେବାର ସମୟ ଆସିଛି । ନଚେତ ଆପଣଙ୍କ ସହ ମଧ୍ୟ ଘଟିପାରେ ଏଭଳି ଘଟଣା ।

ଶିଶୁପୁତ୍ରକୁ ଫେରାଇ ଦେବା ପାଇଁ କାନ୍ଦି କାନ୍ଦି ଗୁହାରି କରିବା ସହ ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତ୍ତି

ପୁତ୍ର ପ୍ରେମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଧିଆ ପଡ଼ିଲେ ମାଆ ଯଶୋଦା । ଜିଲ୍ଲାପାଳଙ୍କ ଅଫିସରେ କାନ୍ଦି କାନ୍ଦି ଗଡିବା ସହ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଲାଳିତ ପିତା ଓ ମାତା । ଦମ୍ପତିଙ୍କୁ ବୁଝାଇବାକୁ ଯାଇ ନାକେଦମ ପୋଲିସ ପ୍ରଶାସନ । ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସରୁ ଆସିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଂହ ପଞ୍ଚାୟତ ବାଛୁରୀବାଙ୍କ ଗାଁର ମୁଷା ନାଏକ ଛେଳି ଚରାଇବାକୁ ଡିସେମ୍ବର ୯ ତାରିଖରେ ବେଡାପଡା ଗାଁ ଜଙ୍ଗଲକୁ ଯାଇଥିଲେ । ସେଠାରୁ ମୁର୍ମୁଷୁ ଅବସ୍ଥାରେ ଏକ ଜନ୍ମିତ ଶିଶୁପୁତ୍ରକୁ ପଡିଥିବା ଦେଖି ତାକୁ ଘରକୁ ଆଣିଥିଲେ । ମୁଷା ନାଏକ ଓ ବାସନ୍ତୀ ନାଏକଙ୍କ ୩୦ ବର୍ଷ ହେବ ବାହାଘର ହୋଇଥିଲେ ସୁଦ୍ଧା ତାଙ୍କର କେହି ପିଲା ଛୁଆ ନଥିବାରୁ ସେ ଜନ୍ମିତ ଶିଶୁଟିକୁ ଲାଲନ ପାଳନ କରି ରଖିଥିଲେ । ଖବର ପାଇ ଗାଁକୁ ଯାଇ ଶିଶୁଟିକୁ ଉଦ୍ଧାର କରିଛି ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ବିଭାଗ । ଏନେଇ ମୋଟଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛି ଶିଶୁ ମଙ୍ଗଳ କମିଟି । କିନ୍ତୁ ଲାଳିତ ପିତା ମାତା ଶିଶୁଟିକୁ ପାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଧିଆ ପଡିଛନ୍ତି । ଗୋଟିଏ କଥା ଆମ ଛୁଆକୁ ଫେରାଇ ଦିଅ । ନହେଲେ ଆତ୍ମହତ୍ୟା କରିବୁ । ଏଠି ପ୍ରଶ୍ନ ଉଠୁଛି- ଯଦି ସେ ମାଆଟି ସେଦିନ ନବଜାତ ଶିଶୁକୁ ଜଙ୍ଗଲରୁ ଉଦ୍ଧାର କରି ନଥାନ୍ତା ତାହାଲେ କଣ ଶିଶୁଟି ବଞ୍ଚି ପାରିଥାନ୍ତା ?

କଣ୍ଟାମାଳରେ ଜମୁଛି ମକର ମେଳା: ନାମ ସଂକୀର୍ତ୍ତନରେ କମ୍ପୁଛି ପରିବେଶ

ନାମ ସଂକୀର୍ତ୍ତନରେ କମ୍ପୁଛି ପରିବେଶ । ଲାଗିଛି ଦୋକାନ ବଜାର । ଲୋକାରଣ୍ୟ ପରିବେଶ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଲସାଗୋରାରେ ଜମୁଛି ମକର ମେଳା । ବୁଧବାରଠୁ ସ୍ଥାନୀୟ ଶିବ ମନ୍ଦିରରେ ପୂଜାପାଠ ସହ ୨୪ ଘଣ୍ଟିଆ ନାମ ଯଜ୍ଞ ଚାଲିଛି । ମକର ମେଳାରେ ମୀନା ବଜାର ସହ ଅନ୍ୟାନ୍ୟ ଦୋକାନ ପସରା ମେଲାଇଥିବାବେଳେ ଦୋକନରେ ଲୋକଙ୍କ ଭିଡ଼ ଲାଗୁଛି । ଲୋକେ ଯାତ୍ରା ଦେଖିବା ସହ ମକର ହାଟରୁ ଘରକରଣା ସାମଗ୍ରୀ ସୁଲଭ ଦରରେ କିଣି ନେଉଛନ୍ତି । ମକର ଯାତ୍ରା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସେପଟେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମାରେ ହରିହର ମିଳନ ସହ ଆରମ୍ଭ ହୋଇଛି ମକର ମେଳା । ମକର ମେଳା ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଲାଗୁଛି । ମୀନା ବଜାର, ଭୂତକୋଠି ଓ ଜଳ ପରୀ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଲୋକେ । ମେଳାଟି ୮ ଦିନ ଧରି ଚାଲିବ । ମକର ମେଳା ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡିଶାର ବିଭିନ୍ନ ଅଞ୍ଚଳ ।

ପୁରୀ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଷ୍ଟାଫ ମରୁଡି଼: କିରାଣୀ ସମ୍ଭାଳୁଛନ୍ତି ଭାର

ପୁରୀ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଷ୍ଟାଫ ମରୁଡି଼ । ଖାଲି ପଡିଛି ଅନେକ ପଦପଦବୀ । ଜଣେ ଅଧିକାରୀ ଓ ଜଣେ କିରାଣୀଙ୍କୁ ନେଇ ଚାଲୁଛି କାର୍ଯ୍ୟାଳୟ । ହୀନସ୍ତା ଭୋଗୁଛନ୍ତି ଚାଷୀ । ସବୁ ଜାଣି ଚୁପ ବସିଛି ପ୍ରଶାସନ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ଚାଷୀଙ୍କ ଉନ୍ନତି ନିମନ୍ତେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା । ହେଲେ ଏଠାରେ ଆବଶ୍ୟକ ସଂଖ୍ୟକ ଅଧିକାରୀ ନାହାନ୍ତି । ଦାଇତ୍ୱରେ ଥିବା ଅଧିକାରୀ ମାନେ ଅନେକ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି । କିରାଣୀଙ୍କ ଉପରେ ସମସ୍ତ ଦାୟିତ୍ଵ ନ୍ୟସ୍ତ କରାଯାଇଛି । ଫଳରେ ଅନେକ ଚାଷୀ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି ।

ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବଶ୍ୟକୀୟ ଷ୍ଟାଫ ନଥିବାରୁ ଅଫିସ ଖାଁ ଖାଁ ରହୁଛି । ଷ୍ଟାଫଙ୍କ ପାଇଁ ନିର୍ମିତ କ୍ବାର୍ଟର ଗୁଡିକ ବ୍ୟବହାର ନହେବାରୁ ଭୂତକୋଠି ପାଲଟିଗଲାଣି । ମରାମତି ନହେଲେ ତାହା କେବେ ଭୁଶୁଡି ପଡିବ ତାହା କହିବା ମୁସ୍କିଲ । ସେପଟେ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କୃଷି କ୍ଷେତ୍ର ଅଧିକାରୀଙ୍କ ଦେଖା ନମିଳିବାରୁ ପିଏମ କିଷାନ, ସିଏମ କିଷାନ, ଡିଜିଟାଲାଇଜେସନ, ଚାଷୀ ପଞ୍ଜୀକରଣ ଆଦି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଅନ୍ୟପଟେ ଜିଲ୍ଲା କୃଷି ଅଧିକାରୀଙ୍କ କହିବା କଥା ହେଲା, ୪ଟି ବ୍ଲକରେ ୨୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଛୁ । କର୍ମଚାରୀଙ୍କ ଅଭାବ ସତ୍ତ୍ୱେ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଜାରି ରହିଛି ।

ରାଜନୀତିର ପଶାପାଶିଲେ ବ୍ରିଜ: ସରକାରଙ୍କ ଅବହେଳାରୁ ଅଧାରେ ଅଟକିଛି କଳମଗଡ଼ିଆ ସେତୁ କାମ

ଅଧାଗଢ଼ା ଅବସ୍ଥାରେ କଳମଗଡ଼ିଆ ସେତୁ । ନୂଆ ସରକାରରେ ଆଗେଇ ପାରୁନି କାମ । ହୋଇପାରୁନି ଆପ୍ରୋଚ ରୋଡ । ଖୁଣ୍ଟା ବରଗଛ ପରି କଣ୍ଟିଆଚିରା ନାଳ ଉପରେ ଠିଆ ହୋଇଛି ବ୍ରିଜ । ବହୁ ପ୍ରତୀକ୍ଷିତ ବ୍ରିଜକୁ ଚାତକ ପରି ଅନାଇ ବସିଛନ୍ତି ଗ୍ରାମବାସୀ । ପୂର୍ବ ସରକାରଙ୍କ ସମୟରୁ ବାଲେଶ୍ଵର ରେମୁଣା ବ୍ଲକ ତାଳପଦା ପଞ୍ଚାୟତର କଣ୍ଟିଆଚିରା ନାଳ ଉପରେ ସେତୁ ନିର୍ମାଣ ଚାଲିଛି । ୨୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ ବରାଦରେ ଚାଲିଥିବା ବ୍ରିଜ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ ବ୍ରିଜକୁ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

କଳମଗଡ଼ିଆ ସେତୁ କାର୍ଯ୍ୟକାରୀ ହେଲେ ରେମୁଣା ବ୍ଲକ ଅଧୀନ ଇଂଚୁଡ଼ି, ଶ୍ରୀଜଙ୍ଗ ଓ ତାଳପଦା ପଞ୍ଚାୟତର କୋଡ଼ିଏ ହଜାର ଲୋକେ ଉପକୃତ ହେବେ। ବାହାନଗା, ଗୋପାଳପୁର ରାସ୍ତାର ଦୂରତା ୧୦ ରୁ ୧୫ କିଲୋମିଟର କମିଯିବ । ତାଳପଦାର ବିସ୍ତୀର୍ଣ୍ଣ ସମତଳ ବେଳାଭୂମି, ଜାମୁକା ମୁହାଣ ପରି ତିନୋଟି ପର୍ଯ୍ୟଟନସ୍ଥଳୀ ଓ ଲବଣ ସତ୍ୟାଗ୍ରହର ମହାପୁରୁଷ ସ୍ମୃତି ସ୍ମାରକୀକୁ ଯିବା ଆସିବା ସୁଗମ ହେବ । ଖାଲି ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହ ମତ୍ସ୍ୟଜୀବୀ ମାନେ ବେଶ ଉପକୃତ ହେବେ । ଅନ୍ୟପଟେ ବ୍ରିଜ ସଂପର୍କରେ ସରକାରଙ୍କୁ ଅବଗତ କରାଯାଇଥିବା କହିଛନ୍ତି ଅଧିକାରୀ । କଳମଗଡ଼ିଆ ସେତୁକୁ କେବେ ସଂଯୋଗୀକରଣ ରାସ୍ତା ନିର୍ମାଣ ହେବ ? କେବେ ୩ ଗୋଟି ପଞ୍ଚାୟତବାସୀ ସୁବିଧାରେ ଯାଆସ କରିବେ ? ତାକୁ ଅପେକ୍ଷା ।

କଟକରେ ପୁଣି ମାଞ୍ଜା ସୂତାରେ କଟିଲା ଜଣେ ବ୍ୟକ୍ତିଙ୍କ ନାକ

ମାଞ୍ଜା ସୂତାକୁ ନେଇ କୋକୁଆ ଭୟ। କଟକରେ ପୁଣି ମାଞ୍ଜା ସୂତାରେ କଟିଲା ଜଣେ ବ୍ୟକ୍ତିଙ୍କ ନାକ। ଖାନନଗର ମଲା ଚଣ୍ଡିଆ ଛକରେ ମାଞ୍ଜା ସୂତାରେ ଜଣେ ବ୍ୟକ୍ତିଙ୍କ ନାକ କଟିଛି। ଘଟଣାସ୍ଥଳରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରିଛି। ଆଜି ଗୋଟିଏ ଦିନରେ ଏହାକୁ ମିଶାଇ ଦୁଇଟି ଅଘଟଣ ଘଟିଲାଣି।