ସେପ୍ଟେମ୍ବର ମାସରେ ମୋଟ ୧୫ ଦିନ ବ୍ୟାଙ୍କ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ତରଫରୁ ଏନେଇ ଛୁଟି ଲିଷ୍ଟ ଜାରି କରାଯାଇଛି । ଏଥିରେ ସାପ୍ତାହିକୀ ଛୁଟି ସହିତ ପର୍ବପର୍ବାଣି ଛୁଟି ମଧ୍ୟ ସାମିଲ ରହିଛି । ମାତ୍ର ଏହି ଛୁଟି ପ୍ରତି ରାଜ୍ୟରେ ସ୍ଥାନୀୟ ପର୍ବ ଓ କ୍ଷେତ୍ରୀୟ ଆୟୋଜନ ଆଧାରରେ ହେବ । ଆଗକୁ ଏତେଦିନ ବ୍ୟାଙ୍କ ଛୁଟି ରହୁଥିବାରୁ ଆପଣମାନେ ନିଜ ନିଜର ଜରୁରୀ କାର୍ଯ୍ୟ ଏବେଠାରୁ ସାରି ଦିଅନ୍ତୁ । ଆରବିଆଇ ନିୟମ ମୁତାବକ, ସବୁ ବ୍ୟାଙ୍କରେ ଛୁଟି ଏକ ସମୟରେ ହେବ ନାହିଁ । ପ୍ରତି ରାଜ୍ୟର ସ୍ଥାନୀୟ ପର୍ବ ଓ କ୍ଷେତ୍ରୀୟ ଆୟୋଜନ ଆଧାରରେ ଛୁଟି ସ୍ଥିର ହୋଇଥାଏ । ଏହାର ଅର୍ଥ ହେଉଛି, ଯେଉଁ ବ୍ୟାଙ୍କ ଗୋଟିଏ ରାଜ୍ୟରେ ଖୋଲା ରହିବ, ତାହା ଅନ୍ୟ ରାଜ୍ୟରେ ବନ୍ଦ ରହିପାରେ । ତେଣୁ ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ଲିଷ୍ଟ ଚେକ୍ କରିବା ଆବଶ୍ୟକ । ସେପ୍ଟେମ୍ବର ୭, ୧୩, ୧୪, ୨୧ରେ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ୩୦ ତାରିଖରେ ଦୁର୍ଗାପୂଜା ଓ ମହାଅଷ୍ଟମୀ କାରଣରୁ ଓଡ଼ିଶା ସମେତ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
ଜାପାନର ୧୬ଟି ରଜ୍ୟର ରାଜ୍ୟପାଳଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଏହିସବୁ ପ୍ରସଙ୍ଗରେ ହୋଇଥିଲା ଆଲୋଚନା…
ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଜାପାନର ୧୬ ଟି ରାଜ୍ୟର ରାଜ୍ୟପାଳମାନଙ୍କୁ ଭେଟି ଭାରତ-ଜାପାନ ସହଭାଗୀତା ଏବଂ ବିକାଶ ବିଷୟରେ ଆଲୋଚନା କରିଛନ୍ତି। ସେ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ସମୟରେ ଆରମ୍ଭ ହୋଇଥିବା ରାଜ୍ୟ-ପ୍ରାଧାନ୍ୟ ସହଭାଗୀତା ପଦକ୍ଷେପ ଅଧୀନରେ ଆସୁଥିବା ଦୁଇ ଦେଶ ମଧ୍ୟରେ ରାଜ୍ୟସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଛନ୍ତି। ଏହା ସହିତ ସେ ଏହି ଦୁଇ ଦେଶ ଭିତରେ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଲକ୍ଷ ରଖିଛନ୍ତି । ଦୁଇ ଦେଶର ପ୍ରଯୁକ୍ତିବିଦ୍ୟା, ନିବେଶ, ଦକ୍ଷତା ବିକାଶ, AI ଷ୍ଟାର୍ଟଅପ୍ ଏବଂ ମଧ୍ୟମ ଉଦ୍ୟୋଗ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।
ପ୍ରଧାନମନ୍ତ୍ରୀ ଭାରତୀୟ ରାଜ୍ୟ ଏବଂ ଜାପାନୀ ପ୍ରଦେଶଗୁଡ଼ିକ କିପରି ସେମାନଙ୍କର ପାରସ୍ପରିକ ଶକ୍ତିକୁ ଉପଯୋଗ କରିପାରିବେ ଏବଂ ସହଭାଗୀ ବିକାଶ ଏବଂ ସମୃଦ୍ଧି ପାଇଁ କାର୍ଯ୍ୟ କରିପାରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ X ଆକାଉଣ୍ଟରେ ପୋଷ୍ଟ କରାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓରେ ୧୬ ଟି ଜାପାନୀ ପ୍ରଦେଶର ରାଜ୍ୟପାଳଙ୍କୁ ଭେଟିଛନ୍ତି, ଯାହା ଭାରତ-ଜାପାନ ସମ୍ପର୍କକୁ ବୃଦ୍ଧି ପାଉଥିବା ନୂତନ ଗତି ପ୍ରଦାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ଭାରତର ରାଜ୍ୟ ଏବଂ ଜାପାନର ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଭାରତ–ଜାପାନ ସହଭାଗୀତାର ସମ୍ଭାବନା :
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ଯେ ଶତାବ୍ଦୀ ପୁରୁଣା ସଭ୍ୟତା ଉପରେ ଆଧାରିତ ଭାରତ-ଜାପାନ ସମ୍ପର୍କ ନିରନ୍ତର ମଜବୁତ ହେଉଛି। ସେ କହିଛନ୍ତି ଯେ ଏବେ ଟୋକିଓ ଏବଂ ନୂଆଦିଲ୍ଲୀ ମଧ୍ୟରେ ପାରମ୍ପରିକ କେନ୍ଦ୍ରିକ ସମ୍ପର୍କରୁ ଆଗକୁ ବଢ଼ି ରାଜ୍ୟ-ପ୍ରଦେଶ ସ୍ତରରେ ସହଯୋଗକୁ ଏକ ନୂତନ ଦିଗ ଦେବାର ସମୟ ଆସିଛି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି ଯେ ରାଜ୍ୟ-ପ୍ରଦେଶ ସହଭାଗୀତା ପଦକ୍ଷେପ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ, ଦକ୍ଷତା ବିକାଶ, ସୁରକ୍ଷା ଏବଂ ସାଂସ୍କୃତିକ ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବ।
ଅଲ୍ଲୁ ଅର୍ଜୁନଙ୍କ ଦାଦୀ ଆରପାରିକୁ ଚାଲିଗଲେ
ସାଉଥ୍ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ପାଇଁ ଆସିଛି ଏକ ଦୁଃଖ ଖବର । ଅଭିନେତାଙ୍କ ଦାଦୀ ଅଲ୍ଲୁ କନକାରତ୍ନମଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ଅଲ୍ଲୁ ଅର୍ଜୁନଙ୍କ ଦାଦୀ ଦୀର୍ଘଦିନ ଧରି ବୟସଜନିତ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ । ତାଙ୍କର ବିୟୋଗରେ ସାରା ପରିବାରରେ ଦୁଃଖର ଲହରୀ ଖେଳିଯାଇଛି । ଗତକାଲି ରାତି ପାଖାପାଖି ୧.୪୫ ସମୟରେ ଅଭିନେତାଙ୍କ ଦାଦୀ ଇହଧାମ ସମ୍ବରଣ କରିଥିଲେ । ଏହି ଖବର ଶୁଣିବା ପରେ ଅଲ୍ଲୁଙ୍କ ଅଗଣିତ ଫ୍ୟାନ୍ସଙ୍କ ଝଟକା ଲାଗିଛି । ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ବଡ଼ ବଡ଼ କଳାକାରମାନେ ଅଭିନେତାଙ୍କ ଘରେ ପହଞ୍ଚି ଦାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି କୋକାପେଟରେ ଅଲ୍ଲୁ ଅର୍ଜୁନଙ୍କ ଦାଦୀଙ୍କ ଅନ୍ତିମ ସଂସ୍କାର କରାଯିବ ।
ସୁବର୍ଣ୍ଣରେଖାରେ ବନ୍ୟା ଗଲା କିନ୍ତୁ ଆଜି ବି ଦୁର୍ଦ୍ଦଶା ଭୋଗୁଛନ୍ତି ତଳିଆ ଅଞ୍ଚଳ ବାସିନ୍ଦା
ସୁବର୍ଣ୍ଣରେଖାରେ ବନ୍ୟା ଗଲା କିନ୍ତୁ ଆଜିବି ଦୁର୍ଦ୍ଦଶା ଭୋଗୁଛନ୍ତି ତଳିଆ ଅଞ୍ଚଳ ବାସିନ୍ଦା। ସୁବର୍ଣ୍ଣରେଖା ନଦୀକୁ ପାଣି ନିଷ୍କାସନର ଡ୍ରେନ୍ ବ୍ୟବସ୍ଥା ନ ଥିବାରୁ ଆଜି ବି ପାଣି ଘେରରେ ରହିଛି ଭୋଗରାଇର ଚକ ପାରୁଳିଆ ଗାଁ। ରାସ୍ତା ଉପରେ ପାଣି ଜମିରହିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜିକି ୬ ଦିନ ହେବ ପାଣି ଘେରରେ ଥିବା ବେଳେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ନା ଅଛି ଡଙ୍ଗା ର ବ୍ୟବସ୍ଥା ନା ମିଳିଛି କି ସୁଖିଲା ଖାଦ୍ୟ । ଚଳିତ ଥର ବନ୍ୟାରେ କେହି ସରକାରୀ ଅଧିକାରୀ ତାଙ୍କ ପାଖରେ ପହଞ୍ଚି ନାହାନ୍ତି କି କିଛି ସାହାଯ୍ୟ ମିଳିନାହିଁ। ଅନ୍ୟ ପରେ ଧାର ଉଧାର କରି ଚାଷ କରିଥିବା ଜମିରେ ପାଣି ଜମି ରହିବାରୁ ଚାଷ ସଂପୁର୍ଣ୍ଣ ପଚି ସଡି ଯାଇଛି। ସେଥିପାଇଁ ଚିନ୍ତାରେ ଚାଷୀକୂଳ।
୩୧ରୁ ପୁଣି ବଢିବ ବର୍ଷା: ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ପାଇଁ ୨୦ ଜିଲ୍ଲାକୁ ବିଜୁଳି ଘଡଘଡି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଅଂଚଳରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି। ତେବେ ୩୧ ତାରିଖରୁ ବଢିବ ବର୍ଷାର ପରିମାଣ। ଏକ ତାରିଖରୁ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡିଶା ଉପକୁଳରେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ନେଇ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ସାରା ଓଡ଼ିଶାରେ ହଳୁକାରୁ ମଧ୍ୟମ ଧରଣର ବର୍ଷା ସହ କୋରାପୁଟ ମାଲକାନଗିରି ରାୟଗଡା କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୩ ତାରିଖ ଯାଏ ଏହାର ପ୍ରଭାବ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀରରେ ସର୍ବାଧିକ ୩୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ। ଗଞ୍ଜାମ କବିସୂର୍ଯ୍ୟନଗର ବ୍ଲକ ତଥା ଆସ୍କା ନିର୍ବାଚନ ମଣ୍ଡଳୀର ୧୨ ଟି ପଂଚାୟତକୁ ନେଇ ବୈଠକ। ଯମୁନା ଶିଦ୍ଧେଶ୍ୱର ପୀଠରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ସାଂଗଠନିକ ବୈଠକରେ ଗଞ୍ଜାମ ବିଜେଡି ଜୋନ ସଭାପତି ନଚିକେତା ସ୍ୱାଇଁଙ୍କ ନେତୃତ୍ୱରେ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନିର୍ଦେଶ କ୍ରମେ ୧୨ ଟି ପଂଚାୟତର ବିଜେଡି ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ଦଳକୁ କିଭଳି ଭାବେ ଗ୍ରାସ ରୁଟରେ ସୁଦୃଢ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା l କବିସୂର୍ଯ୍ୟନଗର ବ୍ଲକର ସମସ୍ତ ପଂଚାୟତରେ ଦୀର୍ଘ ଦେଢ଼ବର୍ଷ ହେବ ବିକାଶ ମୂଳକ କାର୍ଯ୍ୟ ଠପ ହୋଇଛି। ଯାହାକୁ ନେଇ ତାତିଛନ୍ତି ଲୋକେ। ଅନ୍ୟପଟେ ବୈଠକରେ କବିସୂର୍ଯ୍ୟନଗର ବ୍ଲକ ବିଜେଡ଼ି ସଭାପତି ଭାବେ ସୁରଥ ଚନ୍ଦ୍ର ପ୍ରଧାନଙ୍କୁ ଦଳ ପକ୍ଷରୁ ସଭାପତି କରିବାକୁ ସର୍ବ ସମ୍ମତି ହୋଇଛି। କାର୍ଯ୍ୟକ୍ରମରେ ବିଜେଡିର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
ଭୁଶୁଡୁଛି ମାଓ ଦୁର୍ଗ: ପୋଲିସ-ମାଓବାଦୀ ଗୁଳିବିନିମୟ
ଭୁଶୁଡୁଛି ମାଓ ଦୁର୍ଗ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଅବୁଝମାଡ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ । କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ମିଳିଛି । ଅପରେସନ ବେଳେ ଘଟଣା ସ୍ଥଳରୁ ଶତାଧିକ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । LMG , AK-47 ରାଇଫଲ୍, INSAS, SLR, ଷ୍ଟେନ୍ ଗନ୍ ସହିତ BGL ସେଲ୍, ଡେଟୋନେଟର, କାର୍ଡେକ୍ସ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ୩୦୦ ରୁ ଅଧିକ ସାମଗ୍ରୀ ଜବତ ହୋଇଛି । ଏଥିସହ DRG, STF ଏବଂ ITBP ଯବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି । ଅବୁଝମାଡ ଜଙ୍ଗଲରେ ପ୍ରବଳ ବର୍ଷା ସତ୍ତ୍ୱେ, ସୁରକ୍ଷା ବାହିନୀ ଲଗାତାର ୫ ଦିନ ଧରି ଅପରେସନ୍ ଚଳାଇଥିଲେ ।।ଜଙ୍ଗଲରେ ମାଓବାଦୀଙ୍କ କୁତୁଲ ଏରିଆ କମିଟି ସୁରକ୍ଷାକର୍ମୀ ଦେଖି ଆଖିବୁଜା ଗୁଳି ଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ । ଘଟଣାରେ କିଛି ମାଓବାଦୀ ପ୍ରାଣ ହରାଇଥିବା ଆଶଙ୍କା କରୁଛି ପୋଲିସ ।ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଅପଲୋଡ୍
ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଅପଲୋଡ୍। ସିକିମ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆଇଡିରୁ ଏହି ଫଟୋ ଅପଲୋଡ୍ ହୋଇଛି। ଶ୍ରୀମନ୍ଦିର ପରିସର ମା’ ବିମଳା ମନ୍ଦିର ନିକଟର କିଛି ଫଟୋ ଅପଲୋଡ ହୋଇଛି। ତେବେ କିପରି ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ସାଇଟକୁ ଫଟୋ ଅପଲୋଡ ହେଲା ଏହାକୁ ନେଇ ନିନ୍ଦା କରିଛି ଆମ ଆଦମୀ ପାର୍ଟି। ସିକିମ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ। ତାଙ୍କ ସହ ଜିଲ୍ଲାପାଳ,ଏସପି, ପରିଚାଳନା କମିଟି ସଦସ୍ୟଙ୍କ ସହ ବିଜେପିର ଦଳୀୟ କର୍ମୀ ଓ ସୁରକ୍ଷା ବାହିନୀ ଉପସ୍ଥିତ ଥିଲେ । ତେବେ ଏତେ ସୁରକ୍ଷା ଥାଇ ମଧ୍ୟ ଏ ଫୋଟୋ ଉଠିଲା କିପରି ଓ ଖୋଦ ମୁଖ୍ୟମନ୍ତ୍ରୀଙ୍କ idରେ ଉପଲୋଡ ହେଲା କିପରି ଏହାକୁ ନେଇ ପ୍ରଶ୍ନ ଉଠାଇଛି ଆମ ଆଦମୀ ପାର୍ଟି।ପରିଚାଳନା କମିଟି ସଦସ୍ୟ ଥାଇ ମଧ୍ୟ ତାଙ୍କ ସହ ଥାଇ ଏହା କିପରି ହେଲା? ଲଗାତାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସ୍କୁଟର ଡିକିରେ ଢ଼ମଣା ସାପ: ଦେଢ଼ ଫୁଟର ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ
ସ୍କୁଟର ଡିକିରେ ଢ଼ମଣା ସାପ। ଦେଢ଼ ଫୁଟର ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ସୁଜିତ୍ ଗିରି ନିଜର ସ୍କୁଟର ଧରି ରାଜମହଲ ଛକକୁ ମେଡିସିନ ଆଣିବା ପାଇଁ ଯାଇଥିଲେ। ମେଡିସିନ ରଖିବା ପାଇଁ ସ୍କୁଟର ଡିକି ଖୋଲିବା ମାତ୍ରେ ଏକ ସାପ ତା ଭିତରେ ଦେଖିଥିଲେ। ଭୟରେ ତାଙ୍କ ହାତରୁ ସିଟ ଖସି ପଡିଲା।ବିକଳରେ ସିଟକୁ ଲକ୍ କରି ଦେଇ ସ୍ନେକ୍ ହେଲ୍ପ ଲାଇନକୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ। ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଘଟଣାସ୍ଥଳରେ ପହଞ୍ଚି, ସିଟକୁ ଟେକିବା ବେଳକୁ ସାପଟି ଚାପି ହୋଇ ରହିଥିବା ଦେଖିବାକୁ ପାଇଥିଲେ। ସୁଜିତ ଲକ୍ କରି ଦେବା ଫଳରେ ସାପଟି ଆଉ କୁଆଡେ ଯିବାର ସୁଯୋଗ ହିଁ ନଥିଲା। ପ୍ରାୟ ଦେଢ଼ ଫୁଟ ଲମ୍ବର ଢମଣା ସାପ ଛୁଆକୁ ଆଶିଷ ଉଦ୍ଧାର କରିଥିଲେ। ସାପଟିର ଲାଞ୍ଜ ପଟକୁ ସିଟ ଚାପି ହୋଇଥିବାରୁ ସାପଟିର ବିଶେଷ କିଛି କ୍ଷତି ହୋଇ ନଥିଲା।ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।
ଭସାଣିରେ କଟକଣାକୁ ବେଖାତିର ! କଟକଣା ସତ୍ତ୍ଵେ ଶୁଭିଲା ଡିଜେର ବିକଟାଳ ଶବ୍ଦ
କଟକଣା ସତ୍ଵେ ଶୁଭିଲା ଡିଜେର ବିକଟାଳ ଶବ୍ଦ। ଡିଜେରୁ ବର୍ତ୍ତିଲାନି ବାଲେଶ୍ୱର ମେଡିକାଲ। ଗତକାଲି ରାତିରେ ବାଲେଶ୍ୱର ସହରରେ ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣି ଚାଲିଥିବା ବେଳେ ବାଲେଶ୍ୱର ମେଡିକାଲର ଦ୍ୱିତୀୟ ଫାଟକ ନିକଟରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଡିଜେର ବିକଟାଳ ଶବ୍ଦର କମ୍ପି ଉଠିଥିଲା ମେଡିକାଲ ପରିସର।ଫଳରେ ଅତିଷ୍ଠ ହୋଇ ରୋଗୀ ଓ ସମ୍ପର୍କୀୟ ବାହାରକୁ ବାହାରି ଆସିଥିଲେ। ମେଡିକାଲ ପରିସର ଓ ଏହାର ସମ୍ମୁଖ ରାସ୍ତା ସାଇଲେଣ୍ଟ ଜୋନ ହୋଇଥିବାବେଳେ ପୋଲିସ ପ୍ରଶାସନ ଏପରି କାର୍ଯ୍ୟକୁ କାହିଁକି ବନ୍ଦ କଲାନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ଠାକୁର ବିସର୍ଜନ ସମୟରେ ପ୍ରଚଣ୍ଡ ଡ଼ିଜେ ଶବ୍ଦରେ ସହର ଥରହର ହେବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନର ଏନେଇ ପୂର୍ବ ନିଷ୍ପତ୍ତି ଅନୁସାରେ ମୂର୍ତ୍ତିର ଉଚ୍ଚତା, ରାତି ୧୦ ସୁଦ୍ଧା ଭସାଣ ଶେଷ କରିବାକୁ ଆଲୋଚନା ଦିଗହରା ହୋଇପଡିଛି। ବରିଷ୍ଠ ପୋଲିସ ଅଧିକାରୀ ଶବ୍ଦ ପ୍ରଦୂଷଣ ନେଇ ନୀରବ କାହିଁକି ? ନାଚଗୀତକୁ କେହି ବିରୋଧ କରୁନାହାନ୍ତି କିନ୍ତୁ ଉଚ୍ଚ ଶବ୍ଦରେ ଡିଜେ ବଜାଇବାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି। ବିଶେଷକରି ହୃଦରୋଗୀ, ଶିଶୁ, ପ୍ରସୂତି ଏବଂ ବୟସ୍କଙ୍କ କ୍ଷେତ୍ରରେ ଉଚ୍ଚ ଶବ୍ଦ ଅତ୍ୟନ୍ତ ବିପଦ ସାଜିପାରେ ବୋଲି ମତପ୍ରକାଶ ପାଇଛି।

