ନନ୍ଦିଘୋଷ ବ୍ୟୁରୋ : ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଆହୁରି ହେବ ଘନୀଭୂତ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି l ଯାହା ୨୪ ଘଣ୍ଟା ମଧ୍ଯରେ ଆହୁରି ଘନୀଭୂତ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ଯରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଓଡିଶା ମଧ୍ଯ ଦେଇ ଗତି କରିବା ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ପର୍ଯ୍ଯନ୍ତ ବର୍ଷା ଲାଗି ରହିବ । ଭୀଷଣ ବର୍ଷା ନେଇ ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ାକୁ ରେଡ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ ସହିତ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ସମୁଦ୍ର ଅଶାନ୍ତ ଥିବାରୁ ଆଜି ପର୍ଯ୍ୟନ୍ତ ମତ୍ସ୍ୟଜିବୀ ମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
ଶିଶୁ ବାଟିକାରେ ପ୍ରାକ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦାବିରେ ରାଜରାସ୍ତାରେ ଆଶାୟୀ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ପରେ ଏହାକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ବିନା ଆଲୋଚନାରେ ସରକାର ମନଇଚ୍ଛା ଶିକ୍ଷା ନୀତି ଲାଗୁ କଲେ । ସେପଟେ ଶିଶୁ ବାଟିକାରେ ପ୍ରାକ ପ୍ରାଥମିକ ଶିକ୍ଷକ ନିଯୁକ୍ତି ନ କରିବାକୁ ନେଇ ରାସ୍ତାକୁ ଓଲ୍ହାଇଛନ୍ତି ପ୍ରାକ ପ୍ରାଥମିକ ଆଶାୟୀ ଶିକ୍ଷକ ସଂଘ । ଜାତୀୟ ଶିକ୍ଷା ନୀତି ଲାଗୁ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ ଓ ଗଣ ସଙ୍ଗଠନକୁ ଗୋଟିଏ ବ୍ୟାନରରେ ଏକାଠି କରିବାକୁ ଶିକ୍ଷକ, ଶିକ୍ଷାବିତଙ୍କ ନିଷ୍ପତ୍ତି ।
ଜାତୀୟ ଶିକ୍ଷା ନୀତିକୁ ଆଧାର କରି ସରକାର ମନଇଚ୍ଛା ରାଜ୍ୟରେ ଶିଶୁ ବାଟିକା ଖୋଲିଲେ । ପଢ଼ାଇବା ପାଇଁ ହଜାର ହଜାର ପ୍ରଶିକ୍ଷିତ ପ୍ରାକ ପ୍ରାଥମିକ ଶିକ୍ଷକ ରହିଥିବା ବେଳେ ସେମାନଙ୍କୁ ନିଯୁକ୍ତି ଦେଲେ ନାହିଁ । ସରକାରଙ୍କ ନିକଟରେ ବାରମ୍ବାର ଦାବି କରିବା ପରେ ମଧ୍ୟ ସରକାର ନ ଶୁଣିବାରୁ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରାକ ପ୍ରାଥମିକ ଶିକ୍ଷକ ଆଶାୟୀ । ପ୍ରତିବାଦରେ ଜୋରଦାର ବିକ୍ଷୋଭ କରାଯାଇଛି । ଖୋଦ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି ପିଏମଜିରେ ଧାରଣା ଦେଇଛି ପ୍ରାକ ପ୍ରାଥମିକ ଆଶାୟୀ ଶିକ୍ଷକ ସଂଘ । ରାଜ୍ୟରେ ହଜାର ହଜାର ସ୍ୱତନ୍ତ୍ର ଡିଇସିଇ ତାଲିମପ୍ରାପ୍ତ ଶିକ୍ଷକ ଥିବାବେଳେ ସରକାର ଶିଶୁ ବାଟିକା ପାଇଁ ଶିଶୁ ସେବିକା ନିଯୁକ୍ତି ଦେବାକୁ ବିରୋଧ କରିଛି ସଂଘ ।
ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ହେବାରୁ ବଞ୍ଚାଇବାକୁ ଆହ୍ୱାନ ଦିଆଯାଇଛି । ରାଜ୍ୟରେ ଜାତୀୟ ଶିକ୍ଷା ନୀତିକୁ ମନଇଚ୍ଛା ଲାଗୁ କରିବା, ଶିଶୁ ବାଟିକରେ ଶିକ୍ଷକ ନିଯୁକ୍ତି ନ ଦେବା ଓ ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧୀୟ ସମସ୍ୟାକୁ ନେଇ ଆସନ୍ତା ୫ ତାରିଖରେ ଏକାଠି ହେବେ ରାଜ୍ୟର ଶିକ୍ଷକ ସମାଜ, ବୁଦ୍ଧିଜୀବୀ, ରାଜନେତା ଓ ଗଣ ସଂଗଠନ । ନିଖିଲ ଉତ୍କଳ ଶିକ୍ଷକ ମହାସଙ୍ଘ ବ୍ୟାନରରେ ସମସ୍ତେ ଏକାଠି ହେବେ । ଆସନ୍ତା ନଭେମ୍ବର ୭ରେ ରାଜ୍ୟରେ ଜୋରଦାର ଆନ୍ଦୋଳନ କରିବା ପାଇଁ ମଧ୍ୟ ଯୋଜନା ହୋଇଛି ।
ୟୁକେରେ ଛେଣ୍ଡିପଦା ଲେମ୍ବୁର ଡିମାଣ୍ଡ, ଆରମ୍ଭ ହେଲା ରପ୍ତାନୀ
ନନ୍ଦିଘୋଷ ବ୍ୟୁରୋ: ବିଦେଶ ଗଲା ଓଡ଼ିଶା ଲେମ୍ବୁ । ଦିନେ ପଚି ସଢ଼ି ନଷ୍ଟ ହେଉଥିଲା, କେହି ଦେଖୁ ନଥିଲେ କି ପଚାରୁ ନଥିଲେ । କିନ୍ତୁ ଏବେ ଯୁକ୍ତରାଜ୍ୟରେ ଏହି ଲେମ୍ବୁର ଡିମାଣ୍ଡ ବହୁତ । ପ୍ରଥମ ଥର ପାଇଁ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର କିଛି ଚାଷୀଙ୍କ ଲେମ୍ବୁକୁ ବିଦେଶ ପଠାଯାଇଛି । ଅନୁଗୁଳ ଜିଲ୍ଲା ପ୍ରଶାସନ ଓରମାସ ସହଯୋଗରେ ଚାଷୀଙ୍କଠାରୁ ଲେମ୍ବୁ ସଂଗ୍ରହ କରି ବିଦେଶକୁ ପଠାଯାଇଛି । ନିଜ ଅମଳ ଲେମ୍ବୁ ବିଦେଶ ରପ୍ତାନୀ ହେବାକୁ ନେଇ ଚାଷୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ବିଳିଛି ।
ବଦଳିଲା ଛେଣ୍ଡିପଦା ବ୍ଳକ ଉଗୀ ଗାଁର ଲେମ୍ବୁଚାଷୀଙ୍କ ଭାଗ୍ୟ । ଗାଁରେ ପ୍ରାୟ ୬୦୦ ପରିବାର ବସବାସ କରୁଥିବା ବେଳେ ୪୦୦ରୁ ଅଧିକ ପରିବାର ଲେମ୍ବୁ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି l କିଛିବର୍ଷ ହେବ ଲେମ୍ବୁର ଅଭାବୀ ବିକ୍ରି ଦେଖିବାକୁ ମିଳିଥିଲା l ବଜାର ସୁବିଧା ନଥିବାରୁ ଚାଷୀମାନେ ଏ ହାଟ ସେ ହାଟକୁ ଯାଇ କମ ମୂଲ୍ୟରେ ଲେମ୍ବୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଥିଲେ l ଛେଣ୍ଡିପଦାରେ କାମ କରୁଥିବା କ୍ରପିଫାଏ ଫାର୍ମ ପ୍ରଡୁସର କମ୍ପାନୀ ଲିମିଟେଡ ସହାୟତାରେ ଓଗୀ ଗାଁର ପ୍ରାୟ ୪୦ରୁ ଅଧିକ ଚାଷୀଙ୍କଠାରୁ ୬୪ ହଜାର ଲେମ୍ବୁ କିଣାଯାଇ ଜଗନ୍ନାଥ ଗ୍ରୀନ ଆଗ୍ରୋ ସହାୟତାରେ ଯୁକ୍ତରାଜ୍ୟକୁ ପଠାଯାଉଛି l
ପ୍ରଥମ ପର୍ଯ୍ୟାୟରେ ୨୬ ହଜାର ଲେମ୍ବୁ ପଠାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୩୪ ହଜାର ଲେମ୍ବୁ ବିଦେଶ ପଠାଯାଇଛି । ତେବେ ଓଗୀ ଅଞ୍ଚଳର ଲେମ୍ବୁ ବିଦେଶକୁ ରପ୍ତାନୀ ହେଉଥିବାରୁ ଚାଷୀ ବେଶ୍ ଖୁସି ଅଛନ୍ତି । ଭଲ ଦୁଇ ପଇସା ଲାଭବାନ ହେବେ ବୋଲି ଆଶାବାଦୀ ଅଛନ୍ତି । ପ୍ରତ୍ୟେକ ସପ୍ତାହରେ ଏହିପରି ଭାବରେ ଦୁଇଥର ଲେମ୍ବୁ ରପ୍ତାନୀ କରାଗଲେ ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି l ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଅନ୍ୟ ସମସ୍ତ ପନିପରିବା ଚାଷକୁ ବିଦେଶକୁ ରପ୍ତାନୀ କରାଯିବ । ଚାଷୀଙ୍କୁ ଆହୁରି ରୋଜଗାରକ୍ଷମ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

