spot_img
Home Blog Page 52

ବାଟ ହୁଡ଼ିଛି ବିକାଶ ; ବିକାଶଠୁ ବହୁ ଦୂରରେ ୫ ଶହରୁ ଉର୍ଦ୍ଧ୍ଵ ଲୋକେ

ନନ୍ଦିଘୋଷ ବ୍ୟୁରୋ : ବିକାଶଠୁ ବହୁଦୂରରେ କାଙ୍କଣ ଉତ୍ତରପଡ଼ା ଗ୍ରାମବାସୀ । ମୌଳିକ ସୁବିଧା ସୁଯୋଗ ପାଇଁ କରୁଛନ୍ତି ଅହରହ ସଂଗ୍ରାମ । ଦେଶ ସ୍ଵାଧୀନତାକୁ ୭୮ ବର୍ଷ ବିତିଥିଲେ ସୁଦ୍ଧା ଏଯାଏଁ ଏରସମା ବ୍ଲକର କାଙ୍କଣ ଉତ୍ତରପଡା ଗାଁରେ ପହଞ୍ଚିନି ବିକାଶ । ନା ଗାଁକୁ ଅଛି ପକ୍କା ରାସ୍ତା ନା ଲୋକଙ୍କୁ ମିଳୁଛି ପାନୀୟ ଜଳ ସୁବିଧା । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି ହେଲେ ଫଳ ଶୂନ ।

ବାଟ ହୁଡ଼ିଛି ବିକାଶ । ଏଠି ପଡ଼ିନି ବିକାଶର ପାଦ । ବିକାଶଠୁ ବହୁ ଦୂରରେ ୫ ଶହରୁ ଉର୍ଦ୍ଧ୍ଵ ଲୋକେ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଆମ୍ବିକି ପଞ୍ଚାୟତର କାଙ୍କଣ ଉତ୍ତରପଡ଼ା ଗାଁରେ ଏଯାଏଁ ପହଞ୍ଚିନି ମୌଳିକ ସୁବିଧା ସୁଯୋଗ । ଗାଁକୁ ନା ଅଛି ପକ୍କା ରାସ୍ତା ନା ଲୋକଙ୍କୁ ମିଳୁଛି ପାନୀୟ ଜଳ ସୁବିଧା । କାଙ୍କଣ ଉତ୍ତରପଡ଼ା ଗାଁକୁ ରାସ୍ତା ଖଣ୍ଡେ ନଥିବାରୁ ବର୍ଷା ଦିନେ ଲୋକମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି । ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରେନାହିଁ । ଛାତ୍ରଛାତ୍ରୀ ମାନେ ସ୍କୁଲ ଓ କଲେଜ ଯିବାକୁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

କାଙ୍କଣ ଉତ୍ତରପଡ଼ା ଗାଁରେ ପାଣି ପାଇଁ ପାଇପଲାଇନ ପଡ଼ିଛି । କିନ୍ତୁ ଏଯାଏଁ ପାଣି ଆସୁନାହିଁ । ଗାଁରେ ଯେଉଁ ଏକମାତ୍ର ନଳକୂପ ବସିଛି ସେଥିରୁ ଲୁଣିଆ ପାଣି ବାହାରୁଛି । ଯାହା ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବାରୁ ଗ୍ରାମବାସୀ କୂଅ ପାଣି ଉପରେ ନିର୍ଭର କରୁଛନ୍ତି । ଗ୍ରାମବାସୀ ସମସ୍ୟା ସଂପର୍କରେ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି ହେଲେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

 

ବଣ୍ଡାଘାଟିରେ ଆବାସ ଦୁର୍ନୀତି ; ଆଦିମ ଜନଜାତିଙ୍କ ଘର କରିଦେବା ଆଳରେ ଟଙ୍କା ଲୁଟି ଫେରାର ଠିକାଦାର

ନନ୍ଦିଘୋଷ ବ୍ୟୁରୋ : ବଣ୍ଡାଘାଟିରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ଆଦିମ ଜନଜାତିଙ୍କ ଘର କରିଦେବା ଆଳରେ ଟଙ୍କା ଲୁଟି ଫେରାର ଠିକାଦାର । ମାଲକାନଗିରି ଜିଲ୍ଲା ମୁଦୁଲିପଡା ପଞ୍ଚାୟତ ତୁସେଇପଡା ଗାଁର ୨୨ଟି ହିତାଧିକାରୀଙ୍କ ଘର ଅଧପନ୍ତରିଆ ଭାବେ ପଡ଼ିରହିଛି । ଏହାରି ଭିତରେ ଖଇରପୁଟ ବିଡିଓଙ୍କ ଅନ୍ୟତ୍ର ବଦଳି ଦୁର୍ନୀତିକୁ ଖୋରାକ ଯୋଗାଉଛି । ପ୍ରଶାସନ ଶୀଘ୍ର ଘଟଣାର ତଦନ୍ତ କରିବା ସହ ଦୁର୍ନୀତିଖୋର ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ବଣ୍ଡାଘାଟିରେ ଆବାସ ଦୁର୍ନୀତି । ଅଧପନ୍ତରିଆ ଘର କରି ହିତାଧିକାରୀଙ୍କୁ ଲୁଟି ଫେରାର ଠିକାଦାର । ଅଧିକାରୀଙ୍କ ସାଲିସରେ ମାଲେମାଲ ଠିକା ସଂସ୍ଥା । ଘର ପାଇଁ ଚିନ୍ତାରେ ଆଦିମ ଜନଜାତି । ମାଲକାନଗିରି ଜିଲ୍ଲା ଖଇରପୁର ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ଘର ନିର୍ମାଣରେ କୋଟିକୋଟି ଟଙ୍କାର ଘୋଟାଲା ହୋଇଛି । ମୁଦୁଲିପଡା ପଞ୍ଚାୟତ ତୁସେଇପଡା ଗାଁର ୨୨ଟି ଘରକୁ କରିଦେବା ନାଁରେ ଅର୍ଥ ହଡ଼ପ କରିନେଇଛି ଠିକାଦାର । ଦୁର୍ନୀତି ସମ୍ବନ୍ଧରେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ତରବରିଆ ଭାବେ ଖଇରପୁଟ ବିଡିଓଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଯେଉଁଥିରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି ।

ଖାଲି ତୁସେଇପଡା ଗାଁ ନୁହେଁ ବଣ୍ଡାଘାଟିର ଅଧିକାଂଶ ଗାଁରେ ଆବାସ ଯୋଜନା ବାଟବଣା ହେଉଛି । ଅଧିକାରୀ ଘର ଯାଞ୍ଚ ନକରି ଅର୍ଥ ଛାଡ଼ିବା କାରଣରୁ ନୀରିହ ହିତାଧିକାରୀ ଆବାସ ଗୃହରୁ ବଞ୍ଚିତ ରହୁଛନ୍ତି । ଠିକାଦାର ଓ ଅଧିକାରୀଙ୍କ ସଲାସୁତରାରେ ଅର୍ଥ ହଡ଼ପ ହେଉଥିବା ଅଭିଯୋଗ ହୋଇଛି । ଖୋଦ ଜିଲ୍ଲା ଆଦିବାସୀ ସମାଜ ମହାସଂଘର କର୍ମକର୍ତ୍ତା ତୁସେଇପଡା ଗାଁରେ ବୁଲି ନିମ୍ନମାନର ଆବାସ କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଅନ୍ୟପଟେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ । କେବେ ହେବ ଘର ଦୁର୍ନୀତିର ତଦନ୍ତ ? କେବେ ବଣ୍ଡା ହିତାଧିକାରୀଙ୍କ ମୁଣ୍ଡକୁ ମିଳୁଛି ଛାତ ? ଦୁର୍ନୀତିରେ ସାମିଲ ଥିବା ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କେବେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ?

ଅଶ୍ଳୀଳ ନୃତ୍ୟ ମାମଲାରେ ନିଶା ମହାରଣାଙ୍କୁ ଜାମିନ ; ବଲାଙ୍ଗୀର SDJM କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି

ନନ୍ଦିଘୋଷ ବ୍ୟୁରୋ : ଅଶ୍ଳୀଳ ନୃତ୍ୟ ମାମଲାରେ ନିଶା ମହାରଣାଙ୍କୁ ଜାମିନ। ବଲାଙ୍ଗୀର SDJM କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଆଜି କୋର୍ଟରେ ହାଜର ହୋଇଥିଲା ନିଶା ମହାରଣା। ଜାନୁୟାରୀ 12 ତାରିଖରେ ବଲାଙ୍ଗୀର ଚନ୍ଦନଭାଟି ଗାଁରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବାର ଅଭିଯୋଗ ହୋଇଥିଲା। ୧୪ ତାରିଖରେ ନିଶା ମହାରଣା ଓ ଆୟୋଜକ କମିଟି ନାଁରେ ମାମଲା ରୁଜୁ କରିଥିଲା ବଲାଙ୍ଗୀର ସଦର ଥାନା ପୋଲିସ। ପରେ ଅୟୋଜକ କମିଟି ସଭାପତି ଓ ସମ୍ପାଦକକୁ ପୋଲିସ ଗିରଫ କରିଥିଲା। ଗିରଫଦାରୀ ଭୟରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିଶା I ହାଇକୋର୍ଟ ସର୍ତ୍ତ ମୂଳକ ଆଗୁଆ ଜାମିନ ପ୍ରଦାନ କରିବା ବଲାଙ୍ଗୀର କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ I ତେଣୁ ବଲାଙ୍ଗୀର କୋର୍ଟରେ ହାଜର ହୋଇଥିଲେ ନିଶା ମହାରଣା I

ବଢିଲା ଆୟୁଷ ଡାକ୍ତରମାନଙ୍କ ଦରମା ; ବରିଷ୍ଠତା ଭିତ୍ତିରେ ମାସକୁ ୨୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ : ବଢିଲା ଜାତୀୟ ସ୍ବାସ୍ଥ୍ୟ ମିଶନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମା । ବରିଷ୍ଠତା ଭିତ୍ତିରେ ମାସକୁ ୨୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆୟୁଷ ଡାକ୍ତର ମାନଙ୍କ ସର୍ବନିମ୍ନ ଦରମା ୫୬ ହଜାର ୯୪୮ ଟଙ୍କା ହେବାବେଳେ ସର୍ବାଧିକ ଦରମା ୯୧ ହଜାର ୪୬୭ ଟଙ୍କା ହୋଇଛି । ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ ଡାକ୍ତରମାନଙ୍କ ଅବଦାନ ପ୍ରତି ଗୁରୁତ୍ବଦେଇ ତଥା ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୫ ବର୍ଷରୁ କମ ସମୟ ଅବଧି ପାଇଁ ସେବାରତ ଆୟୁଷ ଡାକ୍ତର ମାନଙ୍କ ଦରମା ମାସକୁ ୨୦ ହଜାର ଟଙ୍କା ବୃଦ୍ଧି ପାଇଛି। ଏହାଦ୍ବାରା ସେମାନଙ୍କର ସର୍ବନିମ୍ନ ଦରମା ୫୬ହଜାର ୯୪୮ ଟଙ୍କା ହୋଇଛି । ସେହିପରି ୫ରୁ ୧୦ ବର୍ଷ  ମଧ୍ୟରେ ସେବା କରିଥିବା ଡାକ୍ତରମାନଙ୍କ ଦରମା ମାସକୁ ୨୫ ହଜାର ଟଙ୍କା ବୃଦ୍ଧିପାଇ ୭୪ହଜାର ୪୬୭ ଟଙ୍କା ହୋଇଛି । ୧୦ରୁ ୧୫ ବର୍ଷ ସେବା ପାଇଁ ୩୦ ହଜାର ଟଙ୍କା ବୃଦ୍ଧିପାଇ ୮୦ ହଜାର ୬୭ ହୋଇଥିବ ବେଳେ, ୧୫ ବର୍ଷରୁ ଉର୍ଦ୍ଧ୍ବସେବା ପାଇଁ ଆୟୁଷ ଡାକ୍ତରମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ପାଇ ୯୧ ହଜାର ୪୬୭ ଟଙ୍କାରେ ହୋଇଛି । ରାଜ୍ୟରେ ବର୍ତ୍ତମାନ ୨ ହଜାର ୯୧୨ ଜଣ ଆୟୁଷ ଡାକ୍ତର ନିୟୋଜିତ ଅଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାର ବର୍ଷକୁ ପ୍ରାୟ ୧ କୋଟି ଟଙ୍କା ଅଧିକ ବ୍ୟୟ କରିବେ । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟରେ ଆୟୁଷ ସ୍ବାସ୍ଥ୍ୟସେବାରେ ଅଧିକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି।

ନରୱାଣେଙ୍କ ବହିକୁ ନେଇ ଥମୁନି ଝଡ଼ ; ଆଜି ପୁଣି ରାହୁଲଙ୍କ ବଡ଼ ଦାବି

ନୂଆଦିଲ୍ଲୀ : ଜେନେରାଲ ଏମ ଏମ ନରୱାଣେଙ୍କ ପୁସ୍ତକ ଫୋର ଷ୍ଟାର୍ସ ଅଫ ଡେଷ୍ଟିନି ଏବେ ଆମାଜନରେ ଉପଲବ୍ଧ । ଏପରି ବଡ଼ ଦାବି କରି ପୁଣି ରାଜନୈତିକ କରିଡରରେ ହଲଚଲ ସୃଷ୍ଟି କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, ପୂର୍ବତନ ସେନାମୁଖ୍ୟ ଏମ ଏମ ନରୱାଣେ ମିଛ କହୁଛନ୍ତି ନହେଲେ ପୁସ୍ତକ ପ୍ରକାଶ କରିଥିବା ପେଙ୍ଗୁଇନ ସଂସ୍ଥା । କିନ୍ତୁ ସେ ଆର୍ମି ଚିଫଙ୍କୁ ଭରସା କରନ୍ତି ବୋଲି କହିଛନ୍ତି । ନରୱାଣେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି କି ତାଙ୍କ ପୁସ୍ତକ ଏବେ ବଜାରରେ ଉପଲବ୍ଧ । ଦିଆଯାଇଥିବା ଲିଙ୍କଙ୍କୁ ଫଲୋ କରି ବହି କିଣି ମଜା ଉଠାନ୍ତୁ ।

ଏହାକୁ ଆଧାର କରି ରାହୁଲ କହିଛନ୍ତି କି, ନରୱାଣେ ନହେଲେ ପ୍ରକାଶକ ସଂସ୍ଥା ପେଙ୍ଗୁଇନ ଜଣେ କେହି ମିଛ କହୁଛନ୍ତି । ଏ ସଂପର୍କରେ ଉଭୟେ ସ୍ପଷ୍ଟୀକରଣ ଦେବା ଉଚିତ ବୋଲି କହିଛନ୍ତି ରାହୁଲ । ସେପଟେ ଦିଲ୍ଲୀ ପୋଲିସ ପୁସ୍ତକର ବିକ୍ରି ନେଇ ଯାଞ୍ଚ କରିବାକୁ ମାମଲା ରୁଜୁ କରିଛି । ଅନ୍ୟପଟେ ରାହୁଲଙ୍କୁ ଝଟକା ଦେଇ ପେଙ୍ଗୁଇନ ସଂସ୍ଥା ବଜାରରେ ବହି ଉପଲବ୍ଧ ନୁହେଁ ବୋଲି ସଫେଇ ଦେଇଛି ।

ଲୋକସଭା ବାଚସ୍ପତିଙ୍କ ବିରୋଧରେ କଂଗ୍ରେସର ଯୁଦ୍ଧଂଦେହୀ ଡାକରା

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତିଙ୍କ ବିରୋଧରେ କଂଗ୍ରେସର ଯୁଦ୍ଧଂଦେହୀ ଡାକରା । ଲୋକସଭା ବାଚସ୍ପତିଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ ।ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ । ଲୋକସଭାର ମହାସଚିବଙ୍କୁ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଲା କଂଗ୍ରେସ ।ବାଚସ୍ପତିଙ୍କ ବିରୋଧରେ କଂଗ୍ରେସ ଆଣିଛି ପକ୍ଷପାତିତା ଅଭିଯୋଗ । ବାଚସ୍ପତି ପକ୍ଷପାତିତା କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଆସୁଛି ।

ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସ୍ବାସ୍ଥ୍ୟ ଖରାପ ; ଏମକେସିଜି ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ବିକ୍ରମଙ୍କ ପେଟରେ ଗଲ୍ ବ୍ଲାଡର ଷ୍ଟୋନ ଓ ପାଇଲସର ଚିକିତ୍ସା ପାଇଁ ଏମକେସିଜିରେ ପହଞ୍ଚିଛନ୍ତି ବିକ୍ରମ । କୋର୍ଟର ଅନୁମତି ପରେ ଆଜି ଏମକେସିଜି ମେଡିକାଲରେ ସେ ଭର୍ତ୍ତି ହୋଇଛନ୍ତି । ବିକ୍ରମଙ୍କୁ ମେଡ଼ିସିନ କିମ୍ବା ସର୍ଜରୀ ବିଭାଗର ୱାର୍ଡରେ ଭର୍ତ୍ତି କରାଯିବ । ବିଜେଡ଼ି ନେତା ମଦନ ଦଳେଇ ମଧ୍ୟ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି

ମଦନଙ୍କ ଗୋଡ଼ରେ ପୂର୍ବରୁ ହୋଇଥିବା ଅସ୍ତ୍ରୋପଚାରରେ ସମସ୍ୟା ଯୋଗୁ ତାଙ୍କୁ ଏମକେସିଜି ଅଣାଯାଇଛି । ଏମକେସିଜି ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ମଦନଙ୍କୁ ଭର୍ତ୍ତି କରାଗଲା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଅଛନ୍ତି ବିକ୍ରମ ପଣ୍ଡା ଓ ମଦନ ଦଳେଇ ।

ଫେବୃଆରୀ ୧୨ ତାରିଖରେ ଭାରତ ବନ୍ଦ ; ବିଭିନ୍ନ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରା

ଭୁବନେଶ୍ବର: ଫେବୃଆରୀ ୧୨ ତାରିଖରେ ବିଭିନ୍ନ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରା। କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ଆସନ୍ତା ଏହି ବନ୍ଦ ଡାକରା ଦିଆଯାଇଛି । ଏଥିରେ ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏପିଏଫ୍ ଓ ସ୍ଵାଧୀନ ଫଡେରେସନ୍ ଆହ୍ବାନରେ ଅଖଚକ ବନ୍ଦ କରାଯିବ । ଶ୍ରମିକ ଓ କୃଷକ ସ୍ବାର୍ଥ ବିରୋଧୀ ନୀତିରେ ପରିବର୍ତ୍ତନ ଆଣିବାକୁ ବାମ ଦଳ ଦାବି କରିଛନ୍ତି l ବନ୍ଦକୁ ସମର୍ଥନ କରି ୪ ଟି ବାମଦଳ ସାମ୍ବାଦିକ ସମ୍ମିଳନୀ କରି ବନ୍ଦକୁ ସଫଳ କରିବା ପାଇଁ ଓଡିଶା ବାସିଙ୍କୁ ଅନୁରୋଧ କରିଛନ୍ତି l

କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ୍ ବାତିଲ୍ ଓ ଅନ୍ୟାନ୍ୟ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ବାମଦଳ ଗୁଡିକ ଅଭିଯୋଗ କରିଛନ୍ତି କେନ୍ଦ୍ର ସରକାର ଲଗାତାର ଭାବେ ଦେଶର ଶ୍ରମଜୀବୀ ଜନଗଣକୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଶ୍ରମିକ, କୃଷକ, କୃଷି ଶ୍ରମିକ, ମହିଳା, ଯୁବ ଛାତ୍ରଙ୍କ ଅଧିକାର ଉପରେ ବିଜେପି ଆକ୍ରମଣ କରି ଚାଲିଛି । ସମସ୍ତ ଆନ୍ଦୋଳନକୁ ଭୃକ୍ଷେପ ନକରି ୪୪ଟି ଶ୍ରମ ଆଇନକୁ ଭାଙ୍ଗି ଚାରୋଟି ଶ୍ରମ କୋଡ୍କୁ କାର୍ଯ୍ୟକାରୀ କରିଛନ୍ତି ସରକାର । ଏହା ବିରୋଧରେ ବନ୍ଧ ଡାକରା ଦିଆ ଯାଇଛି l ସକାଳ ୬ ରୁ ସନ୍ଧ୍ୟା ୬ ଯାଏ ୧୨ ଘଣ୍ଟିଆ ବନ୍ଧ ଡାକରା ଦିଆଯାଇଛି l ବନ୍ଧକୁ ସଫଳ କରିବା ପାଇଁ ବାମଦଳ ପକ୍ଷରୁ ଏକ ଅଟୋ ଶୋଭାଯାତ୍ରା କରାଯାଇଛି l

ମଦ ପିଇବା ପୂର୍ବରୁ କାହିଁକି ‘‘ଚିଅର୍ସ ’’ କୁହାଯାଏ ? କ’ଣ ରହିଛି ଏହା ପଛର କାରଣ ?

ନନ୍ଦିଘୋଷ ବ୍ୟୁରୋ: ଯେପରି ଲୋକମାନେ ଫୋନରେ କଥା ହେବା ପୂର୍ବରୁ ହେଲୋ କୁହନ୍ତି ସେହିପରି ମଦ୍ୟପାନ କରିବା ପୂର୍ବରୁ ଚିଅର୍ସ କୁହାଯାଏ । କିନ୍ତୁ କାହିଁକି ? ଗ୍ଲାସ କ୍ଲିଙ୍କ କରିବା ସମୟରେ ଏହି ଶବ୍ଦ କାହିଁକି କୁହାଯାଏ? ମଦ୍ୟପାନ ପାର୍ଟିରେ ଚିଅର୍ସ ଶବ୍ଦ କାହିଁକି ବ୍ୟବହାର କରାଯାଏ ? ଆସନ୍ତୁ ଜାଣିବା …

ଚିଅର୍ସ ଶବ୍ଦଟି ପୁରୁଣା ଫରାସୀ ଶବ୍ଦ “ଚିଏରେ” ରୁ ଆସିଛି, ଯାହାର ଅର୍ଥ ମୁହଁ କିମ୍ବା ମୁଣ୍ଡ। ୧୮ଶ ଶତାବ୍ଦୀରେ ଏହି ଶବ୍ଦଟି ଖୁସି ପ୍ରକାଶ କରିବା କିମ୍ବା କାହାକୁ ପ୍ରେରଣା ଦେବା ପାଇଁ ବ୍ୟବହୃତ ହେଉଥିଲା । ଧୀରେ ଧୀରେ ଏହି ଶବ୍ଦଟି ମଦ୍ୟପାନ ସହିତ ଜଡିତ ହୋଇଗଲା ଏବଂ ଆଜି ମଦ୍ୟପାନ କରିବା ପୂର୍ବରୁ “ଚିଅର୍ସ” କୁହାଯାଏ ।

ମଦ୍ୟପାନ ଏବଂ ଚିଅର୍ସ ଶବ୍ଦ ମଧ୍ୟରେ ସମ୍ପର୍କ?

ଏହି ଶବ୍ଦ ପଛରେ ବିଭିନ୍ନ ତତ୍ତ୍ୱ ଅଛି। ଗୋଟିଏ ତତ୍ତ୍ୱ କହୁଛି ଯେ ପ୍ରାଚୀନ କାଳରେ ଲୋକମାନେ ବିଷରୁ ନିଜକୁ ରକ୍ଷା କରିବା ପାଇଁ କାଚକୁ ଏକାଠି ପିଟି ପିଟି ଉଚ୍ଚସ୍ୱରରେ ଜୟଧ୍ୱନି କରୁଥିଲେ। ସେହି ସମୟରେ ମଦ୍ୟପାନ କରି କାହାକୁ ବିଷ ଦେବା ହତ୍ୟାର ଏକ ସାଧାରଣ ପଦ୍ଧତି ଥିଲା। ତେଣୁ ଏହା ବିଶ୍ୱାସ କରାଯାଉଥିଲା ଯେ ଯଦି ଗ୍ଲାସଗୁଡ଼ିକୁ ପୂର୍ଣ୍ଣ କରି ଦ୍ରୁତ ଗତିରେ ପିଟି ପିଟି କରାଯାଏ ତେବେ ପ୍ରତ୍ୟେକ ଗ୍ଲାସରୁ ଅଳ୍ପ ତରଳ ପଦାର୍ଥ ଅନ୍ୟ ଗ୍ଲାସରେ ପ୍ରବାହିତ ହେବ ଯାହା ନିଶ୍ଚିତ କରେ ଯେ ଗ୍ଲାସରେ ବିଷ ଥିଲେ ମଧ୍ୟ ମୃତ୍ୟୁର ଆଶଙ୍କା ହ୍ରାସ ପାଇବ।

ମନ୍ଦ ଆତ୍ମା ​​ସହିତ ସମ୍ପର୍କ

ମଧ୍ୟଯୁଗରେ ଲୋକମାନେ ଭୂତ ପ୍ରେତଙ୍କୁ ଦୂରେଇବା ପାଇଁ ଜାଣିଶୁଣି ନିଜ ନିଜ ଗ୍ଲାସକୁ ଜୋରରେ ପିଟନ୍ତି ଯାହାଦ୍ବାରା ମଦ ତଳେ ପଡିଥାଏ । ଲୋକମାନେ ବିଶ୍ବାସ କରନ୍ତି ଯେ ତଳେ ପଡ଼ିଥିବା ମଦ ପିଇ ଭୂତ ମାନେ ପଳାନ୍ତି ଏବଂ ପିଉଥିବା ବ୍ୟକ୍ତିଙ୍କୁ କୌଣସି କ୍ଷତି ପହଞ୍ଚାଇ ନଥାନ୍ତି ।

ଦିବ୍ୟଶକ୍ତି ସହିତ ସମ୍ପର୍କ

“ଚିଅର୍ସ” କହିବାର କାର୍ଯ୍ୟକୁ ମଧ୍ୟ ଦିବ୍ୟଶକ୍ତି ସହିତ ଯୋଡାଯାଇଛି। ଆନ୍ତର୍ଜାତୀୟ ଆଲକୋହଲ ଏବଂ ସଂସ୍କୃତି ହ୍ୟାଣ୍ଡବୁକ୍ ଅନୁଯାୟୀ, ଏହି ପ୍ରଥା ସମ୍ଭବତଃ ଦେବତାଙ୍କ ଉଦ୍ଦେଶ୍ୟରେ ବଳିଦାନରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ବଳିଦାନ ପୂର୍ବରୁ ରକ୍ତ କିମ୍ବା ମଦ୍ୟପାନ କରାଯାଉଥିଲା। ଏହି ମଦ୍ୟପାନ କିମ୍ବା ରକ୍ତ ବଦଳରେ, ଲୋକମାନେ ଦେବତାଙ୍କ ନିକଟରେ ସେମାନଙ୍କର ଇଚ୍ଛା ପ୍ରକାଶ କରୁଥିଲେ। ଏହା ଦେବତାମାନଙ୍କୁ ମଦ କିମ୍ବା ରକ୍ତ ଅର୍ପଣ କରିବା ସମୟରେ “ଚିଅର୍ସ” ପ୍ରଦାନ କରିବାର ପରମ୍ପରାକୁ ଜନ୍ମ ଦେଇଥିଲା।

 

ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡର ପ୍ରସ୍ତୁତ ; ନୋଡାଲ ସେଣ୍ଟର ପଠାଯିବ ପ୍ରଶ୍ନପତ୍ର

ଭୁବନେଶ୍ବର : ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ବୋର୍ଡ ଅଫିସରୁ ନୋଡାଲ ସେଣ୍ଟର ପଠାଯିବ ପ୍ରଶ୍ନପତ୍ର । ଆସନ୍ତା ୧୯ ତାରିଖରେ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ହଜାର ୮୨ଟି ପରୀକ୍ଷା ସେଣ୍ଟର କରାଯାଇଛି । ୩୨୨ଟି ନୋଡାଲ ସେଣ୍ଟର ହୋଇଛି । ନୋଡାଲ ସେଣ୍ଟର ଗୁଡିକ ସିସିଟିଭି ନଜରରେ ରହିବ । ପରୀକ୍ଷା କେନ୍ଦ୍ର ଗୁଡିକ ମଧ୍ୟ ସିସିଟିଭି ନଜରରେ ରହିବ। ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାକୁ ପ୍ରଶ୍ନପତ୍ର ଯାଇଛି । ୧୭ ତାରିଖ ସୁଦ୍ଧା ସବୁ ନୋଡାଲ ସେଣ୍ଟରରେ ସମସ୍ତ ପ୍ରଶ୍ନ ପତ୍ର ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ ।