ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରସୁଲପୁର ବ୍ଲକ ଅଧିନରେ ଥିବା ୯ଟି ପଞ୍ଚାୟତକୁ ନେଇ ବିଜୁ ଜନତା ଦଳର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜେଡିର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଧାନ କିଣାରେ ଅବହେଳା, ଧର୍ମଶାଳାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଡବଲ ଇଞ୍ଜିନ ସରକାରଙ୍କ ବିଫଳତାକୁ ନେଇ ବିଜେପି ସରକାର ଉପରେ ବର୍ଷିଥିଲେ ବିଜେଡି ନେତା । ଏହା ସହିତ ୨୦୨୪ ସାଧାରଣ ନିର୍ବାଚନ ପରଠାରୁ ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। ବାଲି ଓ କଳା ପଥର ଭଳି ଲଘୁଖଣିଜ ଦ୍ରବ୍ୟ ଖୋଲାଖୋଲି ଲୁଟ୍ ହେଉଥିଲେ ବି ସାଧାରଣ ଲୋକ ଭୟରେ ମୁହଁ ଖୋଲିପାରୁ ନାହାନ୍ତି । ତେଣୁ ଏବେ ଠାରୁ ବିଜେପି ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ପ୍ରଣବ କର୍ମୀ ଓ ସଂଗଠକ ମାନଙ୍କୁ ପରାମର୍ଶ ଦେଇଛନ୍ତି ।
ବିନା ପ୍ରଦୂଷଣ ପ୍ରମାଣପତ୍ରରେ ପରିବହନ ବିଭାଗରେ ଚାଲୁଛି ମାଳ ମାଳ ଗାଡ଼ି: ଉତ୍ତର ରଖିଲେ ପରିବହନ ମନ୍ତ୍ରୀ
ବିନା ପ୍ରଦୂଷଣ ପ୍ରମାଣ ପତ୍ରରେ ଖୋଦ ସରକାରଙ୍କ ପରିବହନ ବିଭାଗରେ ଚାଲୁଛି ମାଳ ମାଳ ଗାଡ଼ି। ଆଜି ବିଧାନସଭାର ଏକ ଅଣତାରା ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ଖୋକୋଦ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଖୋଦ ସରକାରଙ୍କ ନିଜସ୍ବ ଓ ଭଡ଼ାରେ ପରିବହନ ବିଭାଗରେ ଚାଲୁଛି ୨୪୨ଟି ଗାଡ଼ି। ଏସବୁ ଗାଡ଼ିର ପ୍ରଦୂଷଣ ପ୍ରମାଣ ପତ୍ର ବା PUCC ଗତ ଡିସେମ୍ବର ୨୨ ତାରିଖରୁ ସରିଗଲାଣି। ସେପଟେ ରାଜ୍ଯରେ ଗଡ଼ୁଥିବା ସ୍କୁଲ ଅଧିକାଂଶ ସ୍କୁଲ ବସ ଗୁଡ଼ିକର ଫିଟନେସ ସରିଗଲାଣି। ତଥାପି ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ବିନା ଫିଟନେସ ପ୍ରମାଣ ପତ୍ରରେ ଗାଡ଼ି ଚଳାଉଛନ୍ତି। ଏବେ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ଯେଉଁ ଗାଡ଼ିର ଫିଟନେସ ନାହିଁ ତା ଉପରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ସ୍କୁଲ ବସର ଫିଟନେସ ଓ PUCC ଆବଶ୍ୟକ । ଏସବୁର ଯାଞ୍ଚ ହେବ । କିଛି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି । ବାରମ୍ବାର ଅମାନିଆ ହେଲେ ସେହି ଗାଡିଗୁଡିକର RC ବାତିଲ ହେବ ବୋଲି ମନ୍ତ୍ରୀ ସଚେତନ କରାଇଦେଇଛନ୍ତି । ତେବେ ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି ବୋଲି ଡେଡଲାଇନ ଦିଆଯାଉନି ବୋଲି ମନ୍ତ୍ରୀ କଟାକ୍ଷ କରିଛନ୍ତି ।
ରାଜ୍ୟରେ ମାଳ ମାଳ ସୁନା ଖଣି, ଗୃହରେ ଏକଥା କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା
ରାଜ୍ୟରେ ମାଳ ମାଳ ସୁନା ଖଣି । ଗୃହରେ ଏକଥା କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବିଧାୟକ ବିଜୟ ଦଳବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ସେ କହିଛନ୍ତି, ରାଜ୍ୟରେ ଦେବଗଡ ଜିଲ୍ଲାର ଆଡାସ-ରାମପାଲି ଅଞ୍ଚଳ, କେଉଁଝର ଜିଲ୍ଲାର ଗୋପୁର-ଜଳଡ଼ିହି ଅଞ୍ଚଳ ଓ ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଅଞ୍ଚଳରେ ସୁନାପଥର ଥିବା ସନ୍ଧାନ ମିଳିଛି । ଏଠାରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି । ଏହାବାଦ ଓଡିଶା ଖଣି ନିଗମ ଦ୍ବାରା ବିଭିନ୍ନ ପର୍ଯ୍ୟାୟରେ ପ୍ରାରମ୍ଭିକ ଅନୁସନ୍ଧାନ ପରେ ବିଭିନ୍ନ ସ୍ଥାନ ଗୁଡିକରେ ସୁନା ଥିବା ଅନୁମାନ କରାଯାଉଛି । ସେଗୁଡିକ ହେଲା କେନ୍ଦୁଝର ଜିଲ୍ଲାର ଗାଜିପୁର, ସଲେଇକଣା, ଡିମିରିମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମରେଡ଼ିହି ଓ ସୁଲେଇପାଟ ବା ଧୂସୁରା ପାହାଡ ଏବଂ ବାଦାମ ପାହାଡ ଅଞ୍ଚଳରେ ସୁନା ଥିବା ଅନୁମାନ କରାଯାଉଛି । ସେହିପରି ସୁନ୍ଦରଗଡ ଜିଲ୍ଲାର ଦିଗଝରଣ, ମାଲଡ଼ିହି, ଘୋଗର ଓ ଗିରିଙ୍ଗିକେଳା, କୋରାପୁଟ ଜିଲ୍ଲାର ରୋଙ୍ଗପନ୍ତ, ଗାରିଆ ଓ ଦଶମନ୍ତପୁର, ମାଲକାନଗିରି ଜିଲ୍ଲାର ସୁନାପଦର, କ୍ୟାଙ୍ଗ ଓ ଗୋବିନ୍ଦପଲ୍ଲୀ, ଅନୁଗୁଳ ଜିଲ୍ଲାର ମାଙ୍କଡଚୁଆଁ, ଟିକିର, ସୋମାକୋଇ, ବୌଦ୍ଧ ଜିଲ୍ଲାର କୁଦଗାଁ, ଜହ୍ନପଙ୍କ ଓ ରାମଗଡ ଅଞ୍ଚଳ, ସମ୍ବଲପୁର ଜିଲ୍ଲାର କେନ୍ଦୁଖୁଣ୍ଟି ଓ କୁନ୍ତରବାହଲ , ଦେବଗଡ ଜିଲ୍ଲାର ସୁନାକେନି, ନିକିତାମାଲ ଓ ଗାଇଲୋ ଅଞ୍ଚଳରେ ସୁନାପଥର ବିକ୍ଷିପ୍ତ ଭାବରେ ଥିବାର ଅନୁମାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ଥାଇଲାଣ୍ଡରେ ଫସିଛନ୍ତି ୬ ଜଣ ଓଡିଆ ଶ୍ରମିକ: ୫ ଦିନ ହେଲା ଭୋକ ଉପାସରେ କାଟୁଛନ୍ତି ଦିନ
ଥାଇଲାଣ୍ଡରେ ଫସିଛନ୍ତି ୬ ଜଣ ଓଡିଆ ଶ୍ରମିକ । ପେଟପାଟଣା ପାଇଁ ଥାଇଲାଣ୍ଡ ଯାଇଥିବା କେନ୍ଦ୍ରାପଡ଼ା ରାଜକନିଆ ଅଞ୍ଚଳର ୬ ଜଣ ଯୁବକ ଫସି ଯାଇଛନ୍ତି । ଚାରି ମାସ ହେବ ସେମାନଙ୍କୁ ଟଙ୍କା ମିଳୁନି । ୫ ଦିନ ହେଲା ଭୋକ ଉପାସରେ ଦିନ କାଟୁଛନ୍ତି । ଘରକୁ ଫେରିବାକୁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ୬ ଜଣ ଶ୍ରମିକ । ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ କୁଜିପୁରୁ ଗାଁର ଉମାକାନ୍ତ ସାହୁଙ୍କ ପୁଅ ଯଶବନ୍ତ ସାହୁ, ନୂଆଗାଁର ଜୟନ୍ତ ମଲିକ, ଉପୁଳାଇ ଗାଁର ପ୍ରଶାନ୍ତ ରାଉତ, କଟଣା ବଣିଆ ଗାଁର ହେମନ୍ତ କୁମାର ବେହେରା ଓ କୌଡିଆପାଳ ଗାଁର ମନୋରଞ୍ଜନ ସାହୁ ଥାଇଲାଣ୍ଡରେ ଫସିଯାଇଛନ୍ତି । ରୋଜଗାର ପାଇଁ ୨୦୨୫ ଅଗଷ୍ଟ ମାସରେ ୬ ଜଣ ଯୁବକ ଥାଇଲାଣ୍ଡ ଯାଇଥିଲେ । ଥାଇଲାଣ୍ଡ ଚୋନ ବୁରୀ ଅଞ୍ଚଳରେ ଏକ ପ୍ଲାଇ ଉଡ କମ୍ପାନୀରେ କାମ କରୁଥିଲେ । ହେଲେ ଚାରି ମାସ ହେବ କମ୍ପାନୀ ସେମାନଙ୍କୁ ଟଙ୍କା ଦେଉନି । ଛଅ ଦିନ ହେବ ଖାଇବାକୁ ଦେଉ ନାହିଁ । ଭିସା ଗୁଡିକ ଛଡାଇ ନେଇଯାଇଛନ୍ତି କମ୍ପାନୀ ମାଲିକ । ପାଖରେ ଟଙ୍କାଟିଏ ନାହିଁ । ଫଳରେ ଭୋକ ଉପାସରେ ପଡି ରହିଛନ୍ତି ୬ ଜଣ ଓ଼ଡ଼ିଆ ଶ୍ରମିକ l ଘରକୁ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି । ଏପଟେ ଯଶବନ୍ତଙ୍କ ଘରେ କାନ୍ଦ ବୋବାଳିରେ ଫାଟି ପଡୁଛି । ଘରେ ଚୂଲି ଜଳୁନି । ୬ ଜଣ ପୁଅଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ପୁରା ପରିବାର l
ରାଜଧାନୀରେ ରେଭ ପାର୍ଟି: ବାର ଗାର୍ଲଙ୍କ ଉପରେ ଉଡୁଛି ପୁଳା ପୁଳା ଟଙ୍କା
ରାଜଧାନୀରେ ରେଭ ପାର୍ଟି । ବାର ଗାର୍ଲଙ୍କ ଉପରେ ଉଡୁଛି ପୁଳା ପୁଳା ଟଙ୍କା । ରାତି ଅଧ ଯାଏଁ ଖୋଲି ଛାତି ଥରାଇ ଦେଉଛି ବାର । ଗରାଖ ଉଡାଉଛନ୍ତି ଲକ୍ଷାଧିକ ଟଙ୍କା । ରାଜଧାନୀ ଭୁବନେଶ୍ବରର ଏକ ବାରରେ ଗତକାଲି ଦେଖିବାକୁ ମିଳିଛି ଏ ଦୃଶ୍ୟ । ରାତି ସାଢ଼େ ୩ ପର୍ଯ୍ୟନ୍ତ ଖୋଲାଥିଲା ବାର । ଭିତରେ ଚାଲିଥିଲା ରେଭ ପାର୍ଟି । ଖବର ପାଇ ଚଢ଼ାଉ କରିଥିଲା ଅବକାରୀ ବିଭାଗ ।

