spot_img
Home Blog Page 44

ଟି-୨୦ ବିଶ୍ବକପ: ସୁପର ସଣ୍ଡେରେ ଭାରତ-ପାକ ମହା ମୁକାବିଲା

ଟି-୨୦ ବିଶ୍ବକପ: ସୁପର ସଣ୍ଡେରେ ଭାରତ-ପାକ ମହା ମୁକାବିଲା

ନନ୍ଦିଘୋଷ ବ୍ୟୁରୋ: ସୁପର ସଣ୍ଡେରେ ସୁପରହିଟ ମୁକାବିଲା । ଟି-ଟ୍ବେଣ୍ଟି ପୁରୁଷ ବିଶ୍ବକପ ୨୦୨୬ର ଆଜି ସବୁଠୁ ହାଇଭୋଲଟେଜ ମ୍ୟାଚ । ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ଆଜି ସନ୍ଧ୍ୟା ୭ରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।

ଟ୍ବେଣ୍ଟି -ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି । ୨୦୦୭ରୁ ଆରମ୍ଭ ହୋଇଥିବା ଟ୍ବେଣ୍ଟି-ଟ୍ବେଣ୍ଟି ବିଶ୍ବକପରେ ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ସମୁଦାୟ ୮ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଭାରତ ୭ ଥର ବାଜିମାତ କରିଥିବା ବେଳେ ପାକିସ୍ତାନ ଥରେ ମାତ୍ର ବାଜିମାତ କରିଛି । ଉଭୟ ଦଳରେ ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ଘାତକ ସାଜିପାରନ୍ତି ।

ଭାରତର ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା, ଇଶାନ କିଷନ, ତିଳକ ବର୍ମା, ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ପାକିସ୍ତାନ ତୀକ୍ଷଣ ନଜର ରଖିବ । ପାକିସ୍ତାନ ବୋଲର ଉସମାନ ତାରିକ ଟ୍ରମ୍ପ କାର୍ଡ ସାଜିପାରନ୍ତି । ତାରିକଙ୍କ ବୋଲିଂ ଶୈଳୀ ଯେକୌଣସି ମୁହୂର୍ତ୍ତରେ ପ୍ରତିପକ୍ଷଙ୍କୁ ଚାପରେ ପାକଇପାରେ ।

ଚଳିତ ବିଶ୍ବକପରେ ଭାରତ ପାକିସ୍ତାନ ଉଭୟ ଗୃପ-‘ଏ’ ରେ ରହିଛନ୍ତି । ଉଭୟ ୨ଟି ଲେଖାଏଁ ମ୍ୟାଚ ଖେଳି ଏଯାବତ ଅପରାଜୟ ରହିଛନ୍ତି । ଉଭୟ ୪ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ତେବେ କାହାର ବିଜୟରେ କିଏ ରୋକ ଲଗାଉଛି ତାହା ଦେଖିବାକୁ ସମସ୍ତ କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଲଘୁଚାପ ପ୍ରଭାବରେ ମ୍ଯାଚ ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଂକା ପ୍ରକାଶ ପାଇଛି ।

କାଲି ମୁଖ୍ୟମନ୍ତ୍ରୀଙ୍କ ରତ୍ନଭଣ୍ଡାର ସମୀକ୍ଷା ପରେ ସ୍ପଷ୍ଟ ହେବ ସ୍ଥିତି

କାଲି ମୁଖ୍ୟମନ୍ତ୍ରୀଙ୍କ ରତ୍ନଭଣ୍ଡାର ସମୀକ୍ଷା ପରେ ସ୍ପଷ୍ଟ ହେବ ସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ସରିଛି । ହେଲେ ରତ୍ନ ମଣତି ଗଣତିକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ରନ୍ତଭଣ୍ଡାର ପ୍ରସଙ୍ଗରେ ସୀକ୍ଷା କରିବାକୁ ଯାଉଛନ୍ତି । ଏହାପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି ।

ଆସନ୍ତାକାଲି ରତ୍ନଭଣ୍ଡାର ପ୍ରସଙ୍ଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି ରତ୍ନଭଣ୍ଡାର ନେଇ ଦୁଇଟି ବୈଠକ ହେବ । ପ୍ରଥମେ ଦିନ ୧୧ଟାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ବସିବ । ଏହାପରେ ଦିନ ଗୋଟାଏରେ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବେ । ଏହି ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି, ରତ୍ନ ଭଣ୍ଡାର SOP ହସ୍ତଗତ ହୋଇଛି । ଆସନ୍ତାକାଲି ସମୀକ୍ଷା ପରେ ସବୁ ସ୍ପଷ୍ଟ ହେବ ।

ମହାଶିବରାତ୍ରୀ: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସେବାୟତ ଗୋଷ୍ଠୀ ମୁହାଁମୁହିଁ

ମହାଶିବରାତ୍ରୀ: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସେବାୟତ ଗୋଷ୍ଠୀ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ମହାଶିବରାତ୍ରୀ । ଦେଶ ତଥା ରାଜ୍ୟର ବିଭିନ୍ନ ଶୈବପୀଠ ଉତ୍ସବ ମୁଖର । ସକାଳୁ ଶ୍ରଦ୍ଧାଳୁମାନେ ଲମ୍ବା ଲାଇନରେ ଯାଇ ଭୋଳେନାଥଙ୍କ ଦର୍ଶନ କରୁଛନ୍ତି । ହେଲେ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଶିବରାତ୍ରୀରେ ପୁଣି ଥରେ ସେବାୟତଙ୍କ ମଧ୍ୟରେ ଅଶାନ୍ତି ଦେଖିବାକୁ ମିଳିଛି ।

ଆଜି ପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ଚାଲିଥିବା ବେଳେ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏପରିକି ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହେବା ସହ ମାରପିଟ ହୋଇଥିଲା । ଏପରିକି ମନ୍ଦିରରେ ମୁତୟନ ସୁରକ୍ଷାକର୍ମୀ ବି ବର୍ତ୍ତି ନଥିଲେ । ସେବାୟତ ଓ ପୋଲିସ କର୍ମୀଙ୍କ ମଧ୍ୟରେ ବି ଧସ୍ତାଧସ୍ତି ହୋଇଥିଲା ।

ସେବାୟତମାନେ ନିଜ ପରିବାର ଲୋକଙ୍କୂ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରାଇବାକୁ ନେଇ ଏହି ବିବାଦ ଦେଖା ଦେଇଥିବା ଜଣାପଡ଼ିଛି ।

ରାଜ୍ୟସଭା ଚତୁର୍ଥ ଆସନ: ଘୋଡା ବେପାରକୁ ନେଇ ଶାସକ ଦଳ ଓ କଂଗ୍ରେସ ମୁହାଁମୁହିଁ

ରାଜ୍ୟସଭା ଚତୁର୍ଥ ଆସନ: ଘୋଡା ବେପାରକୁ ନେଇ ଶାସକ ଦଳ ଓ କଂଗ୍ରେସ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ବିଜେପି କେମିତି କହୁଛି ରାଜ୍ୟସଭା ଚତୁର୍ଥ ଆସନ ହାତେଇବ ? ରାଜ୍ୟସଭା ନିର୍ବାଚନରେ ବିଜେପି ଘୋଡା ବେପାର କରିବାକୁ ପ୍ରୟାସ ଆରମ୍ଭ କରିଛି । ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ବିଜେପି ବିରୋଧରେ ଏପରି ବଡ଼ ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିଜେପି କହିଛି ପିସିସି ସଭାପତି ନିଜ ଘୋଡା ଉପରେ ନଜର ରଖନ୍ତୁ । ବିଜ୍ଞପ୍ତି ପ୍ରକାଶ ପରେ ନବୀନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ବିଜେଡି କହିଛି ।

ରାଜ୍ୟସଭାରେ ଖାଲି ପଡିବ ୪ଟି ଆସନ । ବିଜେପି ୩ଟି ଦଖଲ ପାଇଁ ସ୍ବପ୍ନ ଦେଖୁଛି । ସଂଖ୍ୟା ନଥାଇ ବିଜେପି ୩ଟି ଆସନ ହାତେଇବା ନେଇ ଦମ୍ଭୋକ୍ତି ଦେଖାଇବାକୁ ଘୋଡା ବେପାରର ଆଖ୍ୟା ଦେଇଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ ଅଭିଯୋଗ କରିଛନ୍ତି, ରାଜ୍ୟସଭା ପାଇଁ ବିଜେପି ଏବେଠାରୁ ଘୋଡା ବେପାର କରିବା ଆରମ୍ଭ କରି ଦେଇଛି । ଯେଉଁଥିପାଇଁ ରାଜ୍ୟ ନେତାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ନେତା ଯାଏଁ ସମସ୍ତେ କହୁଛନ୍ତି ଦଳ ୩ଟି ଆସନ ହାତେଇବ । ରାଜ୍ୟସଭା ପାଇଁ ୨ଟି ଆସନ ଲାଗି ବିଜେପି ପାଖରେ ସଂଖ୍ୟା ଥିବାରୁ ସେମାନେ ତୃତୀୟ ଆସନ ପାଇଁ ଘୋଡା ବେପାର କରିବାକୁ ପ୍ରୟାସ କରିଛନ୍ତି । କଂଗ୍ରେସର ୧୪ଜଣ ବିଧାୟକଙ୍କୁ ନେଇ ପିସିସି ସଭାପତି ବୈଠକ କରିବେ ଓ ସମସ୍ତ ଭୋଟ କଂଗ୍ରେସ ପାଖରେ ରହିବ ବୋଲି ପିସିସି ସଭାପତି କହିଛନ୍ତି । ବିଜେପି ରାଜ୍ୟସଭାରେ ଘୋଡା ବେପାର କରିବ ବୋଲି ପିସିସି ସଭାପତିଙ୍କ ଅଭିଯୋଗର ଦୃଢ ଜବାବ ଦେଇଛି ବିଜେପି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, କଂଗ୍ରେସ ନିଜ ଦଳର ଘୋଡାଙ୍କୁ ଆଗ ଜଗୁ ।

ରାଜ୍ୟସଭାର ଚତୁର୍ଥ ଆସନ କାହାର ହେବ ? ସସପେନ୍ସ ଜାରି ରହିଥିବା ବେଳେ ୩ ପ୍ରମୁଖ ରାଜନୈତିକ ଦଳ ମିଶାଣ ଫେଡାଣ କରୁଛନ୍ତି । ଏପ୍ରିଲ ମାସରେ ଓଡିଶାର ୪ଟି ଆସନ ଖାଲି ପଡୁଥିବାରୁ ୨ଟି  ଆସନରେ ବିଜେପି ଓ ଗୋଟିଏ ଆସନ ବିଜେଡି ହାତେଇବା ନିଶ୍ଚିତ । ଚତୁର୍ଥ ଆସନ ପାଇଁ ବିଜେଡି କିଙ୍ଗ ମେକର ସାଜିବ । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ସମୟ ଆସିଲେ ଦଳ ନିଷ୍ପତ୍ତି ନେବ ।

୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ୨୦ରେ ଆଗତ କରିବେ ମୁଖ୍ୟମନ୍ତ୍ରୀ, ଅଟକଳ ୩ ଲକ୍ଷ କୋଟି ଟପିବା ଆକଳନ

୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ୨୦ରେ ଆଗତ କରିବେ ମୁଖ୍ୟମନ୍ତ୍ରୀ, ଅଟକଳ ୩ ଲକ୍ଷ କୋଟି ଟପିବା ଆକଳନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଆଗତ କରିବେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ।  ବଜେଟର ଆକାର କେତେ ହେବ ? ଖର୍ଚ୍ଚ ବ୍ୟୟ ଅଟକଳରେ କେଉଁ କ୍ଷେତ୍ରକୁ ମିଳିବ ଅଧିକ ଗୁରୁତ୍ୱ ? କୃଷି ବଜେଟ ପରିମାଣ କେତେ ରହିବ ? ସୁଭଦ୍ରା ଓ ଧାନ ଇନପୁଟ ସବସିଡ଼ି ପାଇଁ କେତେ ଅର୍ଥ ବ୍ୟୟ ବରାଦ କରିବେ ସରକାର ? ରାଜ୍ୟ ବଜେଟକୁ ନେଇ ଆରମ୍ଭ ହୋଇଛି ଆକଳନ ।

୧୭ରୁ ବିଧାନସଭା ବଜେଟ ଅଧିବେଶନ। ୨୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିବେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ । ଏଥର ବଜେଟ ଅଟକଳ ୩ ଲକ୍ଷ କୋଟି ଟପିବା ନେଇ ଚର୍ଚ୍ଚା ହେଉଛି । ବଜେଟରେ ଭିତ୍ତିଭୂମିକୁ ମିଳିବ ଅଧିକ ଗୁରୁତ୍ୱ । ବିକଶିତ ଓଡ଼ିଶା ୨୦୩୬ର ଝଲକ ଦେଖିବାକୁ ମିଳିପାରେ ଏଥର ବଜେଟରେ । ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ଼ କରିଡରରୁ ଆରମ୍ଭ କରି ନୂଆ ବିଧାନସୌଧ ଓ ଲୋକସେବା ଭବନ ପାଇଁ ବଜେଟରେ ବ୍ୟୟବରାଦ ହେବ । ବଜେଟରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ଉପରକୁ ଉଠାଇବା ପାଇଁ ଏମଏସଏମଇ ସେକ୍ଟରକୁ ଗୁରୁତ୍ୱ ମିଳିପାରେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଭାରତ ଯୋଜନା ଓ ଜି ଭିବି ଜି ରାମ ଯୋଜନା ପାଇଁ ରାଜ୍ୟର ଭାଗ ବଢୁଥିବାରୁ ବଜେଟରେ ଏଥିପାଇଁ ବ୍ୟୟବରାଦ ହେବ । କୃଷି, ଶିଳ୍ପ ସହ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ବଜେଟରେ ବ୍ୟବସ୍ଥା କରିବାର ଆଶା କରିଛନ୍ତି ସମୀକ୍ଷକ ।

ଗତଥର ସରକାର ୨ ଲକ୍ଷ ୬୬ ହଜାର ୮୦୦ କୋଟି ଟଙ୍କାର ବଜେଟ ଆଣିଥିଲେ । ଅତିରିକ୍ତ ବଜେଟରେ ଆଉ ୧୭ ହଜାର ୪୪୦ କୋଟି ଟଙ୍କା ଯୋଡିଥିଲେ । ବଡ ଆକାରର ବଜେଟ ହେଲା, ହେଲେ ଖର୍ଚ୍ଚ କରିବାରେ ପଛୁଆ ରହିଲେ । ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବା ଏକ ଶୁଭ ସଂକେତ, ହେଲେ ଠିକ୍ ସମୟରେ କାର୍ଯ୍ୟକାରୀ ହେବା ଦରକାର। ଓଡିଶା ଏବେ ପୁଞ୍ଜି ନିବେଶ ଆକୃଷ୍ଟ କରିବାରେ ଦେଶରେ ଦ୍ଵିତୀୟ । ଆର୍ଥିକ ଅଭିବୃଦ୍ଧିରେ ଏକ ନମ୍ବର। ପାନୀୟ ଜଳ ଯୋଗାଇବା ପାଇଁ ବୃହତ ପ୍ରକଳ୍ପ ହେଉଛି, ହେଲେ ନିର୍ଦ୍ଧାରିତ ସମୟରେ ସରୁ ନଥିବାରୁ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ମିଳୁନାହିଁ । ଏଥର ବଜେଟରେ ବି ପାନୀୟ ଜଳ ପ୍ରକଳ୍ପ ଉପରେ ସରକାର ଫୋକସ କରିବେ ବୋଲି ଆଶା କରାଯାଉଛି ।

ଏଥର ଓଡିଶାକୁ କେନ୍ଦ୍ରୀୟ ଅନୁଦାନ କମିଛି । ଖଣି କ୍ଷେତ୍ରରେ ରାଜସ୍ବ ବି ଟାର୍ଗେଟ ପଛରେ । ତଥାପି ବିକଶିତ ଓଡିଶା ୨୦୩୬କୁ ଆଖି ଆଗରେ ରଖି ଏଥର ବଜେଟରେ ବ୍ୟୟବରାଦ କରାଯିବ ବୋଲି ଆଶା ରହିଛି ।

ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ, ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ

ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ, ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନ ପାଇଁ ଉଭୟ ବିରୋଧୀ ଓ ଶାସକ ଦଳ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଆସନ୍ତା ୧୬ ତାରିଖରେ ମୁଖ୍ୟ ବିରୋଧୀ ଦଳ ବିଜେଡି କରିବ ବିଧାୟକ ଦଳ ବୈଠକ । ଯେଉଁଥିଲେ ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିବ ଦଳ । ଚାଷୀ, ଧାନମଣ୍ଡି, ପ୍ରଦୂଷଣ, ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ନାରୀ ନିର୍ଯାତନା ପରି ମାଳମାଳ ପ୍ରସଙ୍ଗ ଗୃହରେ ଉଠାଇବ ଦଳ । କଂଗ୍ରେସ ମଧ୍ୟ ଚାଷୀରୁ ବିଜୁଳି ଯାଏଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବ ମାଗିବ । ସେପଟେ ଶାସକ ଦଳ କହିଛି, ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଆମେ ଉତ୍ତର ଦେବାକୁ ପ୍ରସ୍ତୁତ ଅଛୁ ।

୧୯ ମାସର ବିଜେପି ସରକାର ଚାଲୁଛି କମ, ଝୁଣ୍ଟୁଛି ଅଧିକ । ନିଷ୍ପତ୍ତି ନେବାରେ ବି ବିଫଳ ସରକାର । ଗାଁ ଗାଁରେ ବିକାଶ କାମ ଠପ । ନିର୍ବାଚନୀ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ପ୍ରଦୂଷଣ ସାର୍ଟିଫିକେଟ କଟକଣା, ଧାନ ମଣ୍ଡିରୁ ଧାନ ନ ଉଠିବା ଓ ଚାଷୀ ନିର୍ଯାତନାର ଶିକାର ହେବା, ମହାନଦୀ ନେଇ ସରକାରଙ୍କ ଉଦାସୀନତା, ନାରୀ ନିର୍ଯାତନା, ଦଳିତ ଆଦିବାସୀ ରାଜ୍ୟରେ ଅସୁରକ୍ଷିତ, ୪ ମାସ ହେବ ଭତ୍ତା ନମିଳିବା ପରି ମାଳମାଳ ପ୍ରସଙ୍ଗ ବିଜେପି ବିରୋଧରେ ଅଛି । ଲୋକଙ୍କ ସ୍ୱର ସାଜି ବିଧାନସଭାରେ ଏସବୁ ସମସ୍ୟାକୁ ନେଇ ପ୍ରଶ୍ନ କରିବ ବିଜେଡି । ଏହାସହ ଲମ୍ବା ସମୟର ବଜେଟ ଅଧିବେଶନରେ ଦଳ କେଉଁ ସବୁ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଉଠାଇବ ତାହା ବିଜେଡି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି । ଆସନ୍ତା ୧୬ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯିବ ।

କଂଗ୍ରେସ ମଧ୍ୟ ବିଜେପି ସରକାରକୁ ଘେରିବାକୁ ସଜବାଜ ଆରମ୍ଭ କରିଛି । ୧୬ ତାରିଖରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଓଡିଶା ଜନମାନସର ଯେଉଁ ସମସ୍ୟା ରହିଛି , ତାହାକୁ ସରକାର ଅଣଦେଖା କରୁଛନ୍ତି ।  ସେହି ସବୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି । ଚାଷୀମାନଙ୍କ ସମସ୍ୟାକୁ ନେଇ ଆଗାମୀ ଦିନରେ ଜୋରଦାର ଲଢେଇ କରିବ କଂଗ୍ରେସ । ବିଜେପି କହିଛି, ବିଧାନସଭାରେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଦଳ ସେ ସବୁର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି ।

ପୋଷାକ ଉତ୍ପାଦନ କାରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପୋଷାକ ଉତ୍ପାଦନ କାରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝରରେ ପୋଷାକ ଉତ୍ପାଦନ କାରଖାନା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହିଣ୍ଡାଲ୍‌କୋ ଏହାର ସିଏସ୍‌ଆର ପ୍ରୟାସ ଅଧୀନରେ ୧୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ଏହି ପ୍ରକଳ୍ପ ନିର୍ମାଣ ହେବ । ପ୍ରକଳ୍ପ ଦ୍ବାରା ପ୍ରାୟ ୧୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ କେନ୍ଦୁଝରର ବଳଭଦ୍ରପୁରଠାରେ ଏହି ଆଧୁନିକ ପୋଷାକ ଉତ୍ପାଦନ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଛାମୁଆ ଧାତୁ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସିଏସଆର ପାଣ୍ଠିରେ ଏହି ପ୍ରକଳ୍ପ ହେବ । ରାଜ୍ୟ ସରକାର ଏହି ପ୍ରକଳ୍ପ ନିମନ୍ତେ ଜମି ଯୋଗାଇ ଦେଇଛନ୍ତି । ଏହି କାରଖାନା ଆଧୁନିକ ଭିତ୍ତିଭୂମି ଏବଂ ଉନ୍ନତ ଉତ୍ପାଦନ ବ୍ୟବସ୍ଥାରେ ସମ୍ପନ୍ନ ହେବ । ଓଡ଼ିଶାର ବିକାଶ ଦିଗରେ ହିଣ୍ଡାଲ୍‌କୋର ନିରନ୍ତର ଅବଦାନକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।  ଲୁଇ ଫିଲିପ, ଭାନ ହୁ୍ୟସେନ୍‌, ଅଲେନ ସୋଲି ଏବଂ ପିଟର ଇଂଲଣ୍ଡ ଭଳି ବ୍ରାଣ୍ଡ୍‌ଗୁଡିକର ପୋଷାକ ଏଠାରେ ଉତ୍ପାଦିତ ହେବ ଏବଂ ବିଶ୍ୱ ବଜାରକୁ ବିକ୍ରି ନିମନ୍ତେ ପଠାଯିବ ।

ସାରଦୋଳ ଗାଁରେ ଅଭାବନୀୟ ଘଟଣା ; ଚୋରି ସନ୍ଦେହରେ ଜଣକୁ ପିଟି ପିଟି ହତ୍ଯା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସାରଦୋଳ ଗାଁରେ ଅଭାବନୀୟ ଘଟଣା । ଚୋରି ସନ୍ଦେହରେ ଜଣକୁ ପିଟି ପିଟି ହତ୍ଯା ଅଭିଯୋଗ । ମୃତକ କନ୍ଧମାଳ ଜିଲ୍ଲା କୁରୁମୁଙ୍ଗିଆ ଗାଁର ବାନଧର ପ୍ରଧାନ ବୋଲି ଜଣାପଡିଛି l ଗତରାତିରେ ଅଭିଯୁକ୍ତ ଜଣଙ୍କ ସାରଦୋଳ ଗାଁରେ ଜଣଙ୍କ ଘରେ ପଶିଥିବା ବେଳେ ଅନ୍ୟ ଜଣେ ବାହାରେ ଅପେକ୍ଷା କରିଥିଲେ । କୌଣସି କାରଣରୁ ଲୋକ ଚୋର ପଶିଥିବା ଜାଣି ପାରିଥିଲେ । ଏବଂ ଦୁହିଁଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ଜଣେ ଲୋକଙ୍କ ହାବୁଡ଼ରେ ପଡିଥିବା ବେଳେ ଅନ୍ୟ ଜଣଙ୍କ ଖସି ପଳାଇଥିଲେ । ସ୍ଥାନୀୟ ଲୋକ କାବୁ କରିଥିବା ଅଭିଯୁକ୍ତକୁ ନିର୍ଧୁମ ପିଟିଥିଲେ । ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଘଟଣାର ପୋଲିସ ଅଧିକ ତଦନ୍ତ କରୁଛି ।

 

କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ନୋଟିସ୍ ; ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ପରେ ନୋଟିସ୍

ନନ୍ଦିଘୋଷ ବ୍ୟୁରୋ : କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସିନ୍ଦେଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ନୋଟିସ୍। ରାଜ୍ୟସଭା ସଚିବାଳୟ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। ଏହି ଅଭିଯୋଗ ଆଣିଥିଲେ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଗତ ଜାନୁଆରି ୨୩ ତାରିଖରେ  ନେତାଜୀଙ୍କ ଜନ୍ମସ୍ଥାନ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ବାସଭବନରେ ନେତାଜୀ ଜୟନ୍ତୀ ପାଳନ କରାଯାଇଥିଲା। ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ଖୋଦ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସମସ୍ତ ସ୍ଥାନୀୟ ଜନପ୍ରତିନିଧି ଓ ଲୋକସଭା ସାଂସଦଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। କିନ୍ତୁ ଦେବାଶିଷ ସାମନ୍ତରାୟ ସ୍ଥାନୀୟ ବାସିନ୍ଦା ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତାଙ୍କୁ ନିମନ୍ତ୍ରଣ କରିନଥିଲା। ଏହା ଦ୍ଵାରା ତାଙ୍କର ସ୍ଵାଧିକାର ଉଲ୍ଲଂଘନ ହୋଇଛି ବୋଲି ଗତ ୩ ତାରିଖରେ ରାଜ୍ୟସଭାରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ରାଜ୍ୟସଭା ସେକ୍ରେଟାରିଏଟ୍ ପକ୍ଷରୁ ଆକ୍ସନ ନେବାକୁ ଡିପାର୍ଟମେଣ୍ଟ ଅଫ୍ ପର୍ସନେଲ ଆଣ୍ଡ ଟ୍ରେନିଂ ବିଭାଗକୁ ୧୧ ତାରିଖରେ ନିର୍ଦ୍ଦେଶ ଦିଆଯାଇଛି।

ପୋଲିସ ଘରୁ ଚୋରି ; ପୋଲିସ କର୍ମଚାରୀଙ୍କ ଘରେ ପଶି ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ : ପୋଲିସ ଘରୁ ଚୋରି । ପୋଲିସ କର୍ମଚାରୀଙ୍କ ଘରେ ପଶି ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ଦିନ ଦ୍ଵିପହରରେ ଘରେ ପଶି ବୁଲାଇଲେ କଳାକନା । ଯାଜପୁର ଧର୍ମଶାଳା ଥାନା ଅଧୀନ ଜାରକା ଝାଲସୁଖା ମୌଜାରେ ରହୁଥିବା ଜଣେ ପୋଲିସ କର୍ମଚାରୀଙ୍କ ଘରୁ କଳାକନା ବୁଲାଇଛନ୍ତି ଦୃର୍ବୁତ୍ତ । ଯାଜପୁର ରୋଡ ଥାନାରେ ଚାକିରୀ କରିଥିବା ହାବିଲଦାର ବିଦ୍ୟାଧର ସେଠୀଙ୍କ ଘରୁ ଲୁଟ ହୋଇଛି । ବିଦ୍ୟାଧରଙ୍କ ସ୍ତ୍ରୀ ବି ଜଣେ ଶିକ୍ଷୟିତ୍ରୀ । ଦୁହେଁ ନିଜ କର୍ମ କ୍ଷେତ୍ରକୁ ଯାଇଥିବା ବେଳେ ଦୁବୃର୍ତ୍ତ ମାନେ ତାଲା ଭାଙ୍ଗି ଘରେ ପଶି ୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଓ ସୁନା ରୂପା ଅଳଙ୍କାର ଲୁଟି ନେଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି । ଦିନକୁ ଦିନ ଧର୍ମଶାଳା ଅଞ୍ଚଳରେ ଚୋରି ଡକାୟତି ଓ ରାହାଜାନୀ ବଢ଼ି ବଢ଼ି ଚାଲିଛି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।