spot_img
Home Blog Page 38

ସରକାର ଖର୍ଚ୍ଚ କରିପାରୁନାହନ୍ତି ବଜେଟ ଅର୍ଥ: ହିସାବ ମାଗିଲେ ବିରୋଧୀ

ସରକାର ଖର୍ଚ୍ଚ କରିପାରୁନାହନ୍ତି ବଜେଟ ଅର୍ଥ। ମୁଖ୍ଯମନ୍ତ୍ରୀ ଅର୍ଥି ବିଭାଗ ଦାୟିତ୍ବରେ। ମୂଳ ବଜେଟରେ ଦିଆଯାଇଥିବା ଅର୍ଥ କେଉଁ ବିଭାଗ କେତେ ପ୍ରତିଶତ ଖର୍ଚ୍ଚ କରିଛନ୍ତି। ଏହାର ହିସାବ ଦିଅନ୍ତୁ। ସରକାର ଯେପରି ଉତ୍ତର ରଖୁଛନ୍ତି ତାହା କେବଳ ଉପରଠାଉରିଆ। ବଜେଟ ଅର୍ଥ ଖର୍ଚ୍ଚ କରିବାରେ ସରକାର ବିଫଳ। ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ମୂଳ ପ୍ରଶ୍ନକର୍ତ୍ତା ବିଜେଡି ବିଧାୟକ ପ୍ରତାପ ଦେବ ସରକାରଙ୍କୁ ପ୍ରଶ୍ନ କରିଥିଲେ। ମୁଖ୍ଯମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖିଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମହାଲେଖାକାରଙ୍କ ହିସାବ ଦେଖାଇ ଗୃହରେ ବିଧାୟକ ପ୍ରତାପ ଦେବ କହିଥିଲେ ଅକ୍ଟୋବର ମାସ ଶେଷ ସୁଦ୍ଧା ୧ ଲକ୍ଷ ୧୪ ହଜାର ୫୧୮ କୋଟି ଟଙ୍କା ବ୍ୟୟ ହୋଇଛି । ଯାହାକି ସମୁଦାୟ ବଜେଟ ଅର୍ଥର ୩୯ ପ୍ରତିଶତ। ଯେଉଁଥିରେ କ୍ରୀଡ଼ା ସମେତ ଯୋଜନା ଓ ସଂଯୋଜନ, MSME ବିଭାଗର ଖର୍ଚ୍ଚ ଅତି ନଗଣ୍ୟ । ଯେଉଁଠି ପ୍ରଶାସନିକ ବ୍ଯୟ ୪୪% ଓ ଦରମା ବାବଦ ୩୬% ଖର୍ଚ୍ଚ ରହିଛି । ମାର୍ଚ୍ଚ ସୁଦ୍ଧା ଆଉ ମାତ୍ର ୧୫% ହିଁ ଖର୍ଚ୍ଚ ହୋଇ ପାରିବା ନେଇ ଆକଳନ ହୋଇଛି । ସେପଟେ କେନ୍ଦ୍ର ଅନୁଦାନ ୪୧୦୦୦ କୋଟି ଆକଳନ କରାଯାଇଥିଲା । ହେଲେ ମିଳିଛି ମାତ୍ର ୭ ହଜାର ୬୧୩ କୋଟି। ଯାହା ମାତ୍ର ୧୮% । ବଡ଼ ବଜେଟ ପରେ ବଜେଟ ହେଉଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ପୁଣି ଥରେ ଆଉ ଦୁଇମାସ ପରେ ବଜେଟ ଆସିବ। ହେଲେ ଲାଭ କଣ। ଲୋକଙ୍କ ବିକାଶ ଚୁଲିକି ଗଲାଣି ବୋଲି ବିରୋଧୀ ଗୃହରେ ଅଭିଯୋଗ କରିଥିଲେ। ବଜେଟ ଖର୍ଚ୍ଚ ନ ହେଲେ ବିକାଶ ହୋଇ ପାରିବ ନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସରକାରଙ୍କୁ ଆକ୍ଷେପ କରିଥିଲେ।

ଅପରପକ୍ଷରେ ଆଇନ ମନ୍ତ୍ରୀ କହିଲେ, ଗତ ବର୍ଷ ଅକ୍ଟୋବର ତୁଳନାରେ ଅଧିକ ଖର୍ଚ୍ଚ ହୋଇଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ବଜେଟ ଭଲ ଭାବେ ଖର୍ଚ୍ଚ ହେବ । ଏଥର ଅଧିକ ମୌସୁମୀ ଯୋଗୁଁ ବ୍ୟୟ ଧିମେଇ ଥିବା ଆଇନ ମନ୍ତ୍ରୀ ସ୍ୱୀକାର କରିଛନ୍ତି । ଯେଉଁ ବିଭାଗରେ ଖର୍ଚ୍ଚ ହୋଇଛି ତାହାର ସମୀକ୍ଷା ହେବ । ଏ ନେଇ ମୁଖ୍ୟ ଶାସନ ସଚିବ ଓ ଅର୍ଥ ବିଭାଗ ବି ସମୀକ୍ଷା କରୁଛନ୍ତି ବୋଲି ଗୃହକୁ ମନ୍ତ୍ରୀ ଜଣାଇଛନ୍ତି । ଅର୍ଥଶାସ୍ତ୍ରୀଙ୍କ ହିସାବରେ, GSDP ସହ ପୁଞ୍ଜି ବ୍ୟୟ ପ୍ରତ୍ୟକ୍ଷ ଅନୁପାତ । ତେଣୁ ପୁଞ୍ଜି ବ୍ୟୟ କେତେ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଯେବେ ବି ପୁଞ୍ଜି ବ୍ୟୟର ଶ୍ୱେତପତ୍ର ମଗାଯାଉଛି, ତାହା ମିଳୁ ନଥିବା ନେଇ ସେ ଅଭିଯୋଗ କରିଛନ୍ତି । ଗତ ବର୍ଷ କେତେ ବଜେଟ ଫେରସ୍ତ ହୋଇଥିଲା ଓ ଚଳିତ ବର୍ଷ କେତେ ଫେରସ୍ତ ହେବ ଏ ନେଇ ବି ନିରଞ୍ଜନ ପୂଜାରୀ ପ୍ରଶ୍ନ କରିଥିଲେ । ହେଲେ ଏହାର ଉତ୍ତର ମିଳି ପାରି ନଥିବାରୁ ନିରଞ୍ଜନ ପୂଜାରୀ ବାଚସ୍ପତିଙ୍କ ଆଗରେ ଆପତ୍ତି ଉଠାଇ ଥିଲେ ।

ଇମ୍ରାନ ଖାନ ଜୀବିତ ଥିବା ନେଇ ତାଙ୍କ ପୁଅମାନେ ମାଗିଲେ ପ୍ରମାଣ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ଏହା ମଧ୍ୟରେ ତାଙ୍କର ପୁଅମାନେ ପିତା ଜୀବିତ ଥିବାର ପ୍ରମାଣ ମାଗିଛନ୍ତି । ସେମାନେ ଦାବି କରିଛନ୍ତି, କୋର୍ଟଙ୍କ ଆଦେଶ ମୁତାବକ ପ୍ରତି ସପ୍ତାହରେ ସାକ୍ଷାତ କରିବାର ଅନୁମତି ରହିଛି । ଏହା ପରେ ବି ତାଙ୍କର ପିତାଙ୍କୁ ସାକ୍ଷାତ କରିବାର କୌଣସି ଅନୁମତି ମିଳିନାହିଁ । ତାଙ୍କ ପିତାଙ୍କ ସହ ଏପରି କିଛି କରାଯାଇଛି, ଯାହା ଠିକ୍ ହୋଇପାରିବନି ବୋଲି ପୁଅମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଇମ୍ରାନଙ୍କୁ ନେଇ ଶହବାଜ ଶରିଫଙ୍କ ନେତୃତ୍ବାଧୀନ ସରକାର ଚିନ୍ତାରେ ରହିଛନ୍ତି ବୋଲି କାସିମ ଖାନ କହିଛନ୍ତି ।

ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କିଛି ମାସ ଧରି ଇମ୍ରାନଙ୍କ ସହ କୌଣସି ଯାଞ୍ଚ ପୂର୍ଣ୍ଣ ସାକ୍ଷାତ ହୋଇନାହିଁ । ୨୦୨୩ ମସିହା ଅଗଷ୍ଟ ମାସରୁ ଇମ୍ରାନ ଜେଲରେ ରହିଛନ୍ତି । ଇମ୍ରାନଙ୍କୁ ନେଇ ଆସୁଥିବା ଗୁଜବକୁ ନେଇ ପରିବାର ଚିନ୍ତାରେ ରହିଛନ୍ତି । ଇମ୍ରାନଙ୍କ ବିରୋଧରେ ଡଜନରୁ ଅଧିକ ମାମଲା ରହିଛି । ଏହି ସବୁ ମାମଲା ରାଜନୀତି ପ୍ରଣୋଧିତ ଓ ଏହା ପଛରେ ପାକିସ୍ତାନର ସେନାର ହାତ ରହିଛି । ଅନିଶ୍ଚିତତା ଓ କଥାବାର୍ତ୍ତା ନ ହୋଇ ପାରିବା ତାଙ୍କ ପରିବାର ପାଇଁ ‘ସାଇକୋଲୋଜିକାଲ ଟର୍ଚର’ର କାରଣ ବୋଲି କାସିମ ଖାନ କହିଛନ୍ତି ।  ପିତା ସୁରକ୍ଷିତ ଓ ଜୀବିତ ଥିବା ପରିବାର ଜାଣିବାକୁ ଚାହୁଁଛନ୍ତି । ଇମ୍ରାନଙ୍କୁ ନେଇ କିଛି ଲୁଚାଯାଉଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା T-ଟ୍ବେଣ୍ଟି ପାଇଁ ବଢୁଛି କ୍ରେଜ

କଟକ ବାରବାଟୀ ଟି-ଟ୍ବେଣ୍ଟି ପାଇଁ ବଢୁଛି କ୍ରେଜ୍ । ସାଇଟ୍ ଖୋଲୁ ଖୋଲୁ ସରିଗଲା ଟିକେଟ୍ । ଟିକେଟ ନପାଇ ନିରାଶ ୩୦ ହଜାରରୁ ଅଧିକ । ଅନଲାଇନରେ ବିକ୍ରିହେଲା ୨ ହଜାର ଟିକେଟ୍ । ୯ ତାରିଖରେ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ସିରିଜର ପ୍ରଥମ ମ୍ଯାଚ କଟକରେ ଖେଳିବ ଟିମ୍ ଇଣ୍ଡିଆ । ଏଥିପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଏଥିପାଇଁ ଆଜିଠାରୁ ଅନଲାନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ଅପରାହ୍ଣ ୨ଟାରେ ସାଇଟ ଖୋଲୁଖୋଲୁ କେଇ ମିନିଟ ଭିତରେ ୨ ହଜାର ଟିକେଟ ସରି ଯାଇଛି । ଫଳରେ ଲାଇନରେ ଥିବା ପ୍ରାୟ ୩୦ ହଜାର ଦର୍ଶକ ଟିକେଟ ନପାଇ ନିରାଶ ହୋଇଛନ୍ତି । ଅନଲାଇନରେ ଟିକେଟ ବିକ୍ରି ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଲୋକେ ।

ଆସନ୍ତା ୩ ଓ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂଗଠନ, ସ୍କୁଲ, କଲେଜ ଓ କ୍ଲବଗୁଡିକୁ ଟିକେଟ ବିକ୍ରି କରାଯିବ । ଓସିଏ କନଫରେନ୍ସ ହଲରେ ୧୧ ହଜାର ଟିକେଟ ବିକ୍ରି ହେବ । ୫ ତାରିଖରେ କାଉଣ୍ଟରରେ ମିଳିବ ୧୦ ହଜାର ଟିକେଟ । ଚଳତବର୍ଷ 1,2,3,4 ନମ୍ବର ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ଯ ୧୧ଶହ ଟଙ୍କା ଥିବା ବେଳେ ୭ ନମ୍ବର ଗ୍ୟାଲେରୀ ଟିକେଟ ୯ ଶହ ଓ ୫ ନମ୍ବର ଗ୍ୟାଲେରୀ ଟିକେଟ ମୂଲ୍ଯ ୧୨ଶହ ଟଙ୍କା ରହିଛି । ସ୍ପେଶାଲ ଏନକ୍ଲୋଜର ଟିକେଟ ୬ହଜାର ଟଙ୍କା, ନ୍ୟୁ ପାଭିଲିୟନ ୮ ହଜାର, ଏସି ବକ୍ସ ୧୦ ହଜାର ଓ କର୍ପୋରେଟ ବକ୍ସ ୨୦ ହଜାର ଟଙ୍କା ରଖାଯାଇଛି । ଏହାଛଡ଼ା ୧୮ ହଜାର ପାସ ଓସିଏ ବିଭିନ୍ନ ବର୍ଗର ଅତିଥି ଓ ଦର୍ଶକଙ୍କୁ ପ୍ରଦାନ କରିବ ।

ଏକଦିବସୀୟ ଶୃଙ୍ଖଳା ଶେଷ ହେବା ପରେ ଆସନ୍ତା ୭ ତାରିଖରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ଭୁବନେଶ୍ୱରରେ ପହଞ୍ଚିବେ । ୮ ତାରିଖରେ ଉଭୟ ଦଳ ଅଭ୍ୟାସ ପାଇଁ କଟକ ଆସିବେ । ପ୍ରଥମେ ଭାରତ ଏବଂ ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକା ଟିମ୍ ଅଭ୍ୟାସ କରିବେ । ଏହାକୁ ଦେଖିବା ଲାଗି ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯିବ । ଆବଶ୍ୟକସ୍ଥଳେ ଗ୍ୟାଲେରି ନମ୍ବର ୧ ଓ ୨ ମଧ୍ୟ ଖୋଲାଯିବାକୁ ଯୋଜନା ରଖାଯାଇଛି । ମ୍ୟାଚ୍ ପାଇଁ ମୋଟ ୫୦ କୋଟି ଟଙ୍କାର ବୀମା ହୋଇଛି ।

ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି: ନିଉ ଇୟର ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ

ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି । ମତୁଆଲା ହୁଅ କିନ୍ତୁ ନିୟମ ଭାଙ୍ଗନି । ନିଉ ଇୟର ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ବାର, ପବ, ହୋଟେଲରେ ସରପ୍ରାଇଜ ଚେକିଂ । ଧୁମଧାମରେ କଟିବ ବଡ଼ଦିନ ଓ ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନ ପାଇଁ ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ, ଡ୍ୟାନ୍ସ ବାର ପ୍ରସ୍ତୁତ ହୋଇରହିଥିବା ବେଳେ ସେମାନଙ୍କ ଉପରେ ଆଖି ରଖିଛି ଅବକାରୀ ବିଭାଗ । ୧୨ ଟା ରାତି ପର୍ଯ୍ୟନ୍ତ କ୍ଲବ, ପବ ଚଳାଇବା ପାଇଁ ଏବେ ନିୟମ ରହିଛି । ଆବେଦନ ମୁତାବକ ଏହାକୁ ଦେଢ଼ ଘଣ୍ଟା ବଢ଼ାଯିବ । ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ ନେଇ କୌଣସି ଇଭେଣ୍ଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ମିଳିନାହିଁ । ଖିଲାପକାରୀଙ୍କୁ ଜଗିବା ପାଇଁ ଏକାଧିକ ଫ୍ଲାଇଁ ସ୍କ୍ବାଡ ଗଠନ ହୋଇଥିବା କହିଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ।

ସହିଦନଗର ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଥିବା ଡ୍ୟାନ୍ସ ପବ ଉପରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସ । ଡିଜେ ସିଜ୍ ସହ ସାମୟିକ ଭାବେ ପବକୁ ବନ୍ଦ କରାଯାଇଥିଲା । ସେହିପରି କିଛିଦିନ ତଳେ କଳିଙ୍ଗବିହାର ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ମଦ ବେପାର ଚାଲୁଥିବା ବେଳେ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଅବକାରୀ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସ୍ପେସାଲ ଡ୍ରାଇଭ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଏହା ବଳବତ୍ତର ରହିବ । ସେହିପରି କେବଳ ମଦ ନୁହେଁ, ବରଂ ବ୍ରାଉନସୁଗର, କୋକେନ୍, କଫ ସିରପ ମାଫିଆଙ୍କ ମଧ୍ୟ ଅବକାରୀ ବିଭାଗର କଡ଼ା ନଜର ଥିବା କହିଛନ୍ତି ସୁପରିନଟେଣ୍ଡେଣ୍ଟ । ନୂତନ ବର୍ଷ ସଭିଙ୍କ ପାଇଁ ସୁଖ ଶାନ୍ତି ଆଣୁ । କିନ୍ତୁ ସେଲିବ୍ରେସନ ଆଳରେ କେହି ଆଇନକୁ ହାତକୁ ନିଅନ୍ତୁ ନାହିଁ କିମ୍ବା କୌଣସି ଅଘଟଣ ନଘଟୁ ବୋଲି ଆଶା ରଖିଛି ଅବକାରୀ ବିଭାଗ ।

ରାଜରାସ୍ତାରେ ଅନ୍ନଦାତା: ସୁଧୁରୁନି ମଣ୍ଡି ସମସ୍ୟା

ରାଜରାସ୍ତାରେ ଅନ୍ନଦାତା । ସୁଧୁରୁନି ମଣ୍ଡି ସମସ୍ୟା । ବଢୁଛି ମିଲରଙ୍କ ଦାଦାଗିରି । ପ୍ରତିବାଦରେ ରାସ୍ତା ଅବରୋଧ କଲା ସଂଗଠନ । ସମ୍ବଲପୁରରେ ରାସ୍ତାକୁ ଓହ୍ଲାଇଲେ ଚାଷୀ l ମଣ୍ଡି ସମସ୍ଯା ସମାଧାନ ଦାବିରେ ସିନ୍ଦୁରପଙ୍କ ବାଇପାସ ଛକରେ ରାସ୍ତାରୋକ । ଜିଲ୍ଲାରେ ମଣ୍ଡି ଖୋଲିବା ସତ୍ତ୍ବେ ଧାନ କିଣା ନହେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ଚାଷୀ ସଂଗଠନ । ଗତ ୨୮ ତାରିଖରୁ ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ ହୋଇଛି । ତେଣୁ ସୋମବାର ସକାଳୁ ଚାଷୀମାନେ ନିଜ ନିଜ ଧାନ ନେଇ ମିଲକୁ ପହଞ୍ଚିଥିଲେ l ହେଲେ ମିଲ ମାଲିକ ଧାନ ନେବାକୁ ମନା କରିଦେଲେ l ଗତ ୨୮ ତାରିଖରେ ମଧ୍ଯ ସମାନ ସ୍ଥିତି ଉପୁଜିଥିଲା । ପ୍ରଶାସନର ମିଲ ମାଲିକଙ୍କୁ ବୁଝାସୁଝା କରିଥିଲେ ବି ସେମାନେ ଶୁଣିବାକୁ ନାରାଜ । ୪୦ କିଲୋମିଟର ଉପରକୁ ଗଲେ କିଲୋମିଟରକୁ ୪୨ ପଇସା ଗାଡି଼ଭଡା ଥିବାବେଳେ ତାହା ହ୍ରାସ କରି ୨୮ ପଇସା କରାଯାଇଥିବା ଯୋଗୁଁ ମିଲର୍ସ ସଂଘ ଧାନ ଉଠାଉ ନଥିବା ଅଭିଯୋଗ ହୋଇଛି ।

ସେପଟେ ଧାନ ଉଠିବ ଆରମ୍ଭ ହୋଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ମିଲରଙ୍କ ସହ ଆଲୋଚନା ଚାଲିଛି । ସେମାନଙ୍କ ୪ ଟି ଦାବି ପୂରଣ କରାଯାଇଛି । ତେବେ ଗୋଟି ଦାବି ନେଇ ସେମାନେ ଜିଦରେ ଅଛନ୍ତି । ମିଲିଙ୍ଗ ଚାର୍ଜ ବଢ଼ାଇବାକୁ ଜିଦ କରୁଛନ୍ତି ମିଲ୍ ମାଲିକ । ଏନେଇ ମନ୍ତ୍ରୀସ୍ତରୀୟ କମିଟିରେ ଆଲୋଚନା ହୋଇ ନିଷ୍କର୍ଷ ବାହାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମିଲର୍ସ ଓ ମଣ୍ଡି କର୍ମକର୍ତ୍ତାଙ୍କ ମଧୂଚନ୍ଦ୍ରିକାରେ ହନ୍ତସନ୍ତ ହେଉଛନ୍ତି ଚାଷୀକୂଳ । ବର୍ଷସାରା କଷ୍ଟକରି ଫସଲ ଆଦାୟ କରିଥିଲେ ସୁଦ୍ଧା ବିକ୍ରି କରି ପାରୁନାହାନ୍ତି ।

ଏଲଇଡି ଟିଭି କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ

ଶୋ’ ପିସ ପାଲଟିଛି ଏଲଇଡି ଟିଭି । କେଉଁଠି କାନ୍ଥରେ ଟଙ୍ଗାଯାଇଛି ତ କେଉଁଠି ଗୋଦାମ ଘରେ ରହିଛି । ହେଲେ ଲାଗୁନି ପିଲାଙ୍କ ହିତରେ । ରାୟଗଡା ଜିଲ୍ଲାର ୫୦୪ଟି ଅଙ୍ଗନବାଡି କେନ୍ଦ୍ରକୁ ଦୁଇଟି ପର୍ଯ୍ୟାୟରେ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏଲଇଡି ଟିଭି ଯୋଗାଇ ଦିଆଯାଇଛି । ହେଲେ ଅଧିକାଂଶ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇନି ।… ରାୟଗଡା ସଦର ବ୍ଲକ ସିକାବାଡି ଓ ଜାଙ୍ଗିଲି ସକ୍ଷମ ଅଙ୍ଗନବାଡି କେନ୍ଦ୍ର ଉପରେ ଟିକେ ନଜର ପକାନ୍ତୁ । ଏହି କେନ୍ଦ୍ରକୁ ଟିଭି ଯୋଗାଣ ହୋଇଥିଲେ ସୁଦ୍ଧା ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇନାହିଁ । ଫଳରେ କୋମଳମତି ଶିଶୁ ମାନେ ଏଲଇଡି ଟିଭିର ସୁଫଳ ପାଇପାରୁନାହାନ୍ତି ।

୫୦୪ଟି ଏଲଇଡି ପାଇଁ ୧ କୋଟି ୧୦ ଲକ୍ଷ ୬୨ ହଜାର ୫ ଶହ ଟଙ୍କା ବ୍ୟୟ କରାଯାଇଛି । ଆଉ ଯେଉଁ ସବୁ ଅଙ୍ଗନବାଡି କେନ୍ଦ୍ରକୁ ଟିଭି ଯୋଗାଇ ଦିଆଯାଇଛି ଅଧିକାଂଶ କେନ୍ଦ୍ରରେ କରେଣ୍ଟ ନାହିଁ । ଅଧିକାଂଶ କେନ୍ଦ୍ରରେ ଏଯାଏଁ ଟିଭି ଲାଗି ନାହିଁ । ଯେଉଁଠି ଟିଭି ଦିଆଯାଇଛି ସେଠାକୁ ଟିଭି ଷ୍ଟାଣ୍ଡ ଯୋଗା ହୋଇନି । ଆସନ୍ତା ଏପ୍ରିଲ୍ ମାସରେ ସମସ୍ତ ଟିଭିର ୱାରେଣ୍ଟି ଶେଷ ହୋଇଯିବ । ତେବେ ୱାରେଣ୍ଟି ପୂର୍ବରୁ ଟିଭି ଲାଗିବ ନା ନାହିଁ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ପିଲାଙ୍କ ଶିକ୍ଷା ପାଇଁ ଟିଭି କିଣା ଯାଇଥିଲା ନା କାହା ସ୍ବାର୍ଥ ପାଇଁ ୫୦୪ଟି ଟିଭି କିଣା ଯାଇଥିଲା ? ଘଟଣାରେ କୌଣସି ପ୍ରଶାସନିକ ଅଧିକାରୀ ମୁହଁ ଖୋଲୁନଥିବା ବେଳେ କୋରାପୁଟ ସାଂସଦ ଘଟଣାର ତଦନ୍ତ ହେବା ଜରୁରୀ ବୋଲି କହିଛନ୍ତି । ଏଲଇଡି ଟିଭି କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

ସମ୍ବଲପୁରୀ ଶାଢ଼ୀରେ ଭାଗବତ ଗୀତାର ଶ୍ଲୋକ

ଗୀତା ଜୟନ୍ତୀରେ ଚାଲିଛି ଗୀତାପାଠ । ବ୍ରାହ୍ମଣଙ୍କ ଉଚ୍ଚାରଣରେ କମ୍ପୁଛି ଚଉଦିଗ । ଗୀତା ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧ ଶିଳ୍ପୀ ପ୍ରଫୁଲ୍ଲ ମେହେର ଏକ ୱାଲ ହ୍ୟାଙ୍ଗିଙ୍ଗରେ ଗୀତାର ଶ୍ଲୋକ ନିଖୁଣ ଭାବେ ବୁଣିଛନ୍ତି । ୧୪.୩ ମିଟର ଲମ୍ବର ଏକ ୱାଲ ହ୍ୟାଙ୍ଗିଙ୍ଗରେ ସରୁ ସୂଚାରେ ଭାଗବତର ୧୮ ଅଧ୍ୟାୟକୁ ସଂସ୍କୃତ ଭାଷାରେ ପରିସ୍ଫୁଟନ କରିଛନ୍ତି ।

ଗୀତାର ୧୮ ଅଧ୍ୟାୟର ୭୦୦ ଶ୍ଲୋକକୁ ପ୍ରଫୁଲ୍ଲ ଓ ୨୭ ଜଣ କାରିଗର ୪ ବର୍ଷ ୬ ମାସ ଧରି ବୁଣିଛନ୍ତି । ପ୍ରଫୁଲ୍ଲ ବୀରମହାରାଜପୁର ଅଞ୍ଚଳର ଏକ ବୁଣାକାର ପରିବାରରେ ଜନ୍ମିତ । ପିଲାବେଳୁ ତାଙ୍କର ନିଜର କୌଳିକ ବୃତ୍ତି ବାନ୍ଧକଳା ପ୍ରତି ବେଶ ଆଗ୍ରହ ଥିଲା । ପାଠପଢା ସରିବା ପରେ ସେ ରାଜ୍ୟ ବୟନ ଓ ହସ୍ତତନ୍ତ ବିଭାଗରେ ଚାକିରି କରିଥିଲେ । ସେ ୧୯୯୨ ରେ ନ୍ୟାସନାଲ ମେରିଟ ପୁରସ୍କାର ପାଇଥିଲେ । ଅବସର ପରେ ଏବେ ଏହି ୱାଲ ହ୍ୟାଙ୍ଗିଙ୍ଗରେ ଗୀତାର ଶ୍ଲୋକ ଗୁଡିକ ବୁଣି ପୁଣି ଚର୍ଚ୍ଚାରେ । ଏହି ହ୍ୟାଙ୍ଗିଙ୍ଗଟିକୁ ସ୍ଥାନୀୟ ଜିଲ୍ଲାପାଳ ଲୋକାର୍ପିତ କରିଛନ୍ତି । ବିଭିନ୍ନ ସମୟରେ ଚର୍ଚ୍ଚାରେ ରହେ ଜିଲ୍ଳାର ବାନ୍ଧ ଶିଳ୍ପୀଙ୍କ କଳା କାରିଗରି । ଏବେ ମଧ୍ୟ ଏହି ୱାଲ ହ୍ୟାଙ୍ଗିଙ୍ଗ ବେଶ୍ ଆଦୃତ ହେବ ବୋଲି ଆଶା କରାଯାଉଛି ।

ବାଟ ହୁଡ଼ିଛି ବିକାଶ: ୪ ରାଜସ୍ଵ ଗ୍ରାମକୁ ନାହିଁ ପକ୍କା ରାସ୍ତା

ବାଟ ହୁଡ଼ିଛି ବିକାଶ । ୪ ରାଜସ୍ଵ ଗ୍ରାମକୁ ନାହିଁ ପକ୍କା ରାସ୍ତା । ଯାତାୟତରେ ବାଧକ ସାଜୁଛି ବାଉରୀ ନାଳ । ଦୁର୍ଦ୍ଦଶା ଭୋଗୁଛନ୍ତି ୧୫ ଶହରୁ ଉର୍ଦ୍ଧ୍ଵ ଗ୍ରାମବାସୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜେରଙ୍ଗ ଦେହୁରୀସାହି ପଞ୍ଚାୟତର ଜେରଙ୍ଗ, ସଉରିଆ, ଗୋପୀନାଥପୁର, ମଣ୍ଡପ ସାହିକୁ ରାସ୍ତା ଖଣ୍ଡେ ନାହିଁ । ଆବଡା ଖାବଡା ରାସ୍ତା ଦେଇ ଲୋକେ ଯାଆସ କରୁଥିବା ବେଳେ ବାଉରୀ ନାଳ ଲୋକଙ୍କ ସମସ୍ୟାକୁ ଦ୍ଵିଗୁଣିତ କରିଦେଉଛି । ଛାତ୍ରଛାତ୍ରୀଙ୍କ ମାନେ ପାଣିରେ ପଶି ବିଦ୍ୟାଳୟକୁ ଯାଉଛନ୍ତି । ଗାଁକୁ ଆମ୍ବୁଲାନ୍ସ ଆସିପାରୁନି । ଫଳରେ ଜରୁରୀ କାର୍ଯ୍ୟ ପାଇଁ ଲୋକେ ବହୁ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ।

ପୂର୍ବ ସରକାର ସମୟରେ ବାଉରୀ ନାଳ ଉପରେ ପୋଲ ଓ ରାସ୍ତା ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନେ ଆସି ମାଟି ପରୀକ୍ଷା କରିଥିଲେ । ଯାହାକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ନୂତନ ସରକାରରେ କାମ ଆରମ୍ଭ ହେଉନାହିଁ । ଏନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ । ଯାହାକୁ ନେଇ ଆନ୍ଦୋଳନ ମୁହାଁ ଲୋକେ । କେବେ ଅଞ୍ଚଳବାସୀଙ୍କ ଦୁଃଖ ଦୂର ହେବ ? ଲୋକେ କେବେ ସୁବିଧାରେ ଯାଆସ କରିବେ ?

ବାରବାଟୀ ଷ୍ଟାଡିୟମର କେଉଁ ଜାଗାରେ ଭଲରେ ଖେଳ ଦେଖିପାରିବେ ଦର୍ଶକ, ଆସନ୍ତୁ ଜାଣିବା……..

ବାରବାଟୀ ଟି-ଟ୍ବେଣ୍ଟି ପାଇଁ ଟିକେଟ ପାଇବା ପାଇଁ ଦର୍ଶକଙ୍କ ମଧ୍ୟରେ ଏବେ ଉତ୍ସାହ ବଢିଛି। ଦର୍ଶକ ଚାହିଁଛନ୍ତି ଯେଉଁ ଦଶ ହଜାର ଟିକେଟ କାଉଣ୍ଟର ରେ ବିକ୍ରୀ ହେବ ସେଥିରୁ ଦୁଇଟି ଟିକେଟ କିଣି 9 ତାରିଖରେ ମ୍ୟାଚ ଦେଖିବେ। ବାକି ଅନୁବନ୍ଧିତ ସଂଗଠନ, ସ୍କୁଲ ଓ କଲେଜ ପାଇଁ 11 ହଜାର ଟିକେଟ ରହିଛି। ତେବେ ଟିକେଟ କିଣିବାକୁ ଲକ୍ଷ୍ୟ ରଖିଥିବା ଦର୍ଶକ ପୁରା ଷ୍ଟାଡିୟମର କେଉଁ ଜାଗା ଖେଳ ଦେଖିବାର ପାଇଁ ଭଲ ତାହା ଜାଣିବା ଉଚିତ ହେବ।

ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବାକୁ ଭୁବନେଶ୍ୱର ଏମ୍‌ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ପ୍ରଦାନ କରିବେ ପ୍ରଫେସର ଲକ୍ଷ୍ମୀ ବାଇ

ଏଥର ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବେ ଶତାୟୁ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଫେସର ଲକ୍ଷ୍ମୀ ବାଇ। ଶହେ ବର୍ଷରେ ସେ ପଦାର୍ପଣ କରିବେ। ଆସନ୍ତା ୫ ତାରିଖରେ ପ୍ରଫେସର ଲକ୍ଷ୍ମୀ ବାଇଙ୍କୁ ଛୁଇଁବ ଶହେ ବର୍ଷ। ଶହେତମ ଜନ୍ମ ଦିନକୁ ସ୍ମରଣୀୟ କରିବାକୁ ଜୀବନ ବ୍ୟାପି ସଞ୍ଚିତ ପୁଞ୍ଜି ସ୍ବାସ୍ଥ୍ୟ ସେବା ବିକାଶରେ ବିନିଯୋଗ କରିଛନ୍ତି । ଶତବାର୍ଷିକୀ ପାଳନ ଅବସରେ ଭୁବନେଶ୍ୱର ଏମ୍‌ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ଏଥିପାଇଁ ହସ୍‌ପିଟାଲ୍ ସହ ତାଙ୍କର ସମସ୍ତ ଆଲୋଚନା ସରିବା ପରେ କାଗଜପତ୍ର ମଧ୍ୟ ହୋଇସାରିଛି। ପ୍ରଫେସର ଲକ୍ଷ୍ମୀ ବାଇ କଟକ ମେଡିକାଲ କଲେଜ ଓ ହସ୍‌ପିଟାଲର ପ୍ରଥମ ବ୍ୟାଚ୍ MBBS ଛାତ୍ରୀ । ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରୁ ଅବସର ପରେ ବ୍ରହ୍ମପୁର ଭାବାନଗର ସ୍ଥିତ ଘରେ ରହୁଛନ୍ତି।

ତାଙ୍କ ଦ୍ବାରା ପ୍ରଦତ୍ତ ଅର୍ଥରେ ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କ୍ଷେତ୍ରରେ ବିନିଯୋଗ ହେବ ବୋଲି ସେ ଅତ୍ଯନ୍ତ ଖୁସି ଅଛନ୍ତି। ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବାକୁ ଏହି ଟଙ୍କା ସେ ଭୁବନେଶ୍ୱର ଏମ୍‌ସକୁ ଦାନ କରିଥିବା କହିଛନ୍ତି। ବହୁ ପୁରୁଣା ଛାତ୍ରୀ ତଥା ଜଣାଶୁଣା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ପ୍ରଫେସର ପି. ଭାରତୀ ଓ ଡାକ୍ତର ଭାରତୀ ମିଶ୍ର ଏହି ଅର୍ଥ କିପରି ରୋଗୀ ଚିକିତ୍ସାରେ ଲାଗିବ ସେ ନେଇ ତଦାରଖ କରୁଛନ୍ତି। ୧୯୨୬ ଡିସେମ୍ବର ୫ ତାରିଖରେ ପ୍ରଫେସର ଲକ୍ଷ୍ମୀ ବାଈଙ୍କ ଜନ୍ମ। ୧୯୪୫ରୁ ୧୯୫୦ରେ କଟକ ଏସ୍‌ସିବି ମେଡିକାଲ କଲେଜ‌ରେ MBBS ପାଠପଢ଼ା ସରିବା ପରେ ୧୯୫୮ରେ ମାଡ୍ରାସ୍‌ ମେଡିକାଲ କଲେଜ ‘ଓ ଏଣ୍ଡ୍ ଜି’ ବିଶେଷଜ୍ଞ ଭାବେ ପୋଷ୍ଟ ଗ୍ରାଜୁଏଟ କରିଥିଲେ। ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସ୍‌ପିଟାଲରୁ ଚାକରି ଜୀବନ ଆରମ୍ଭ କରି ୧୯୮୬ରେ ଏମ୍‌କେସିଜିରେ ଅବସର ନେଇଥିଲେ। ସ୍ବାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତ ଜ୍ୟୋତି ଆଓ୍ବାର୍ଡ, ଇଣ୍ଟରନ୍ୟାସ୍‌ନାଲ ଫ୍ରେଣ୍ଡସିପ୍ ସୋସାଇଟି ଆୱାର୍ଡ ଏବଂ ବେଷ୍ଟ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଆଓ୍ବାର୍ଡ ପାଇଛନ୍ତି।