spot_img
Home Blog Page 37

ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ : ଚାଷୀ ପ୍ରସଙ୍ଗକୁ ନେଇ ହୋଇପାରେ ଗୃହ ହୁଲସ୍ତୁଲ

ଭୁବନେଶ୍ବର : ଆଜି ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ନେଇ ରାଜ୍ୟରେ ଚାଷୀ ହନ୍ତସନ୍ତ ହେଉଥିବାରୁ ଏହାକୁ ନେଇ ସରକାରଙ୍କୁ ଘେରିବେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ଦ୍ୱିତୀୟ ଦିନ ଗୃହ ଆରମ୍ଭରୁ ଚାଷୀ ତାତି ଦେଖିବାକୁ ମିଳିପାରେ । ସେହିଭଳି କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସମବାୟ, ଶକ୍ତି, ବୟନ ଶିଳ୍ପ, msme, ଓ ବିଜ୍ଞାନ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି ।

ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ କଂଗ୍ରେସ ପକ୍ଷରୁ ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦିଆଯିବ।

ପୁଣି ଥରେ ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି ହେଲେ ବିକ୍ରମ କୁମାର ପଣ୍ଡା

ବ୍ରହ୍ମପୁର : ପୁଣି ଥରେ ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି ହେଲେ ବିକ୍ରମ କୁମାର ପଣ୍ଡା । ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଜରୁରୀକାଳୀନ ବିଭାଗରେ ତାଙ୍କୁ ଭର୍ତ୍ତି କରାଯାଇଛି । ବିକ୍ରମଙ୍କ ପେଟ ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ମେଡ଼ିକାଲରେ ଭର୍ତ୍ତି କଲା ପୋଲିସ। ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିଲେ ବିକ୍ରମ ପଣ୍ଡା । ଅସୁସ୍ଥ ହେବାରୁ ଗତ ୧୦ ତାରିଖରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଗଲ୍ ବ୍ଲାଡର ଷ୍ଟୋନ ଅପରେସନ ହେବାର ଥିଲା। କିନ୍ତୁ ଅଚାନକ ତାଙ୍କୁ ଗତକାଲି ତାଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା। ଏହା ପଛରେ ରାଜନୈତିକ ଅଭିସନ୍ଧି ଥିବାର ଅଭିଯୋଗ କରିଥିଲେ ତାଙ୍କ ପରିବାର ଏବଂ ଓକିଲ। ବିକ୍ରମଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ଏବେ କିନ୍ତୁ ପୁଣି ଦେହ ଖରାପ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

୨୪ଘଣ୍ଟା ଭିତରେ ଆମେରିକା ଦେଖାଇଲା ଦମ୍ ; ମୁତୟନ କଲା ୫୦ରୁ ଅଧିକ ଫାଇଟର ଜେଟ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ନିଜର ସାମରିକ କାୟା ବିସ୍ତାର କଲା ଆମେରିକା। ମୁତୟନ କରିଛି ୫୦ରୁ ଅଧିକ ଫାଇଟର ଜେଟ। ଗତ ୨୪ ଘଣ୍ଟା ଭିତରେ ଆମେରିକା ଦେଖାଇଛି ଦମ୍ । ଇରାନର ଆଣବିକ କାର୍ଯ୍ୟକ୍ରମ ପ୍ରସଙ୍ଗରେ କଥାବାର୍ତ୍ତା ଲାଗି ଚାପ ସୃଷ୍ଟି କରିବା ପାଇଁ ଆମେରିକା ଏହି ପଦକ୍ଷେପ ନେଇଛି । ମଧ୍ୟପ୍ରାଚ୍ୟରେ ଆମେରିକା ମୁତୟନ କରିଛି ବାୟୁସେନା ଓ ନୌସେନାର ବହୁ ଯୁଦ୍ଧଜାହାଜ ଓ ବିମାନ । ପଠାଇଥିବା ଯୁଦ୍ଧ ବିମାନରେ ରହିଛି- F-22, F-35 ଓ F-16 ଫାଇଟର ଜେଟ। ଏହା ସହ ଏରିଆଲ ରିଫୁଏଲ ଟ୍ୟାଙ୍କର ବି ପଠାଯାଇଛି ।

ଜେନେଭାରେ ଆମେରିକା ଓ ଇରାନ ମଧ୍ଯରେ ଦ୍ବିତୀୟ ରାଉଣ୍ଡ ଆଲୋଚନା ପରେ ପରେ ଆମେରିକା ଏହି ପଦକ୍ଷେପ ନେଇଛି । ସେପଟେ ବର୍ତ୍ତମାନ ମଧ୍ୟ-ଆଟଲାଣ୍ଟିକ ମହାସାଗରରେ ମୁତୟନ ରହିଛି ୟୁଏସଏସ ଗେରାଲଡ ଆର. ଫୋର୍ଡ ଯୁଦ୍ଧ ଜାହାଜ । ଗେରାଲଡ ଫୋର୍ଡ ସହ ରହିଛନ୍ତି ୩ଟି ଗାଇଡେଡ ମିସାଇଲ ଡେଷ୍ଟ୍ରୟର- ୟୁଏସଏସ ମହାନ, ୟୁଏସଏସ ବେନବ୍ରିଜ ଓ ୟୁଏସଏସ ଉଇନସନ ଚର୍ଚ୍ଚିଲ । ପୂର୍ବରୁ ମୁତୟନ ରହିଛି ୟୁଏସଏସ ଆବ୍ରାହମ ଲିଙ୍କନ ଯୁଦ୍ଧ ଜାହାଜ । ସେପଟେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି- ଜେନେଭାରେ ଅନୁଷ୍ଠିତ ଆଣବିକ ସଂକ୍ରାନ୍ତ କଥାବାର୍ତ୍ତାରେ ବିଶେଷ ଫଳବତୀ ହୋଇନାହିଁ।

ସରକାରୀ କର୍ମଚାରୀଙ୍କୁ ହୋଲି ପୂର୍ବରୁ ମିଳିବ ବଡ଼ ଉପହାର: ହୋଇପାରେ DA ଘୋଷଣା

ସରକାରୀ କର୍ମଚାରୀଙ୍କୁ ହୋଲି ପୂର୍ବରୁ ମିଳିପାରେ ଏକ ବଡ଼  ଉପହାର । କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରି ପାରନ୍ତି । ଡିଏ ବୃଦ୍ଧି ପାଇ ୬୩ ପ୍ରତିଶତ ହୋଇପାରେ । ଅଖିଳ ଭାରତୀୟ ଏନପିଏସ କର୍ମଚାରୀ ସଂଘ ଅଧ୍ୟକ୍ଷ ମନଜୀତ ସିଂହ ପଟେଲଙ୍କ ଅନୁସାରେ, ହୋଲି ପର୍ବ ସହିତ ମାର୍ଚ୍ଚ ପହିଲାରେ କେନ୍ଦ୍ର ସରକାର ଡିଏ ଘୋଷଣା କରି ପାରନ୍ତି । ଚଳିତ ବର୍ଷ ଜାନୁରୀ ୧ ତାରିଖରୁ ଅଷ୍ଟମ ବେତନ କମିଶନ ଆୟୋଗ (CPC) ଲାଗୁ ହୋଇଯାଇଛି । ମାତ୍ର ଏକ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଧାରୀ ନୂଆ ଫ୍ରେମଓ୍ବାର୍କର ସ୍ବୀକୃତ ଓ ସ୍ବୀକୃତ ହେବା ପର୍ଯ୍ୟନ୍ତ ସପ୍ତମ ପ୍ୟାନେଲ ଫ୍ରେମଓ୍ବାର୍କ ଅଧୀନରେ କାମ ଜାରି ରଖିବେ ।

କେନ୍ଦ୍ର ସରକାର ଅକ୍ଟୋବରରେ ଆୟୋଗଙ୍କ କାର୍ଯ୍ୟକ୍ଷେତ୍ର (ଟିଓଆର)କୁ ମଞ୍ଜୁରୀ ଦେଇଥିଲେ ଓ ପ୍ୟାନେଲକୁ ନିଜର ସୁପାରିଶ ପ୍ରସ୍ତୁତ କରିବାକୁ ପାଖାପାଖି ୧୮ ମାସ ସମୟ ଲାଗିବା ଆଶା କରାଯାଉଛି । ଏହା ଅର୍ଥ ହେଉଛି ବେତନ ଓ ଭତ୍ତାରେ ସଂଶୋଧନରେ ଏବେ କିଛି ସମୟ ଲାଗି ପାରେ । ମାର୍ଚ୍ଚରେ ହୋଇପାରେ ଡିଏର ଘୋଷଣା । ହୋଲି ପୂର୍ବରୁ ମାର୍ଚ୍ଚ ପହିଲାରେ କେନ୍ଦ୍ର ସରକାର ଡିଏ ଘୋଷଣା କରିପାରନ୍ତି । କର୍ମଚାରୀଙ୍କୁ ଏପ୍ରିଲରେ ବେତନ ସହ ବର୍ଦ୍ଧିତ ଡିଏ ମିଳିବା ଆଶା କରାଯାଉଛି । ଜାନୁଆରୀରେ ବକେୟା ରାଶି ମଧ୍ୟ କଭର ହୋଇଯିବ । ଅଷ୍ଟମ ବେତନ ଆୟୋଗଙ୍କ କାର୍ଯ୍ୟାଳୟ ଦିଲ୍ଲୀରେ ସ୍ଥାପିତ କରାଯାଇଛି । ପ୍ରମୁଖ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନସନଧାରୀ ସଂଗଠନର ସଦସ୍ୟମାନେ ନୂଆ ବେତନ ଆୟୋଗ ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ଫେବୃଆରୀ ୨୫ରେ ରାଷ୍ଟ୍ରୀୟ ରାଜଧାନୀରେ ଏକାଠି ହେବେ ।

T-20 ବିଶ୍ବକପରୁ ଅଷ୍ଟ୍ରେଲିଆ ଆଉଟ୍‌: ପ୍ରଥମ ଥର ସୁପର-୮ରେ ଜିମ୍ବାଓ୍ବେ

ଟି-୨୦ ବିଶ୍ବକପରୁ ଲଜ୍ଜାଜନକ ଭାବେ ବିଦାୟ ନେଇଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ୍ । ଅଷ୍ଟ୍ରେଲିଆ ସୁପର-୮ରେ ପ୍ରବେଶ କରିବାରେ ବିଫଳ ହୋଇଛି । ଖରାପ ଖେଳ ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିର ସାଥ ଦେଇନଥିଲା ଭାଗ୍ୟ । ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେ ମ୍ୟାଚ ବର୍ଷା କାରଣରୁ ବାତିଲ ହେବାରୁ ଅଷ୍ଟ୍ରେଲିଆ ବିଶ୍ବକପରୁ ବାଦ୍ ପଡ଼ିଛି । ଜିମ୍ବାଓ୍ବେର ଏବେ ୩ଟି ମ୍ୟାଚରୁ ୫ ଅଙ୍କ ହୋଇଯାଇଛି । ଅଷ୍ଟ୍ରେଲିଆ ଟିମ୍ ନିଜର ପରବର୍ତ୍ତୀ ମ୍ୟାଚ ଜିତିଲେ ତା’ର ମୋଟ ଅଙ୍କ ୪ରେ ପହଞ୍ଚିବ ।

୧୭ ବର୍ଷ ପରେ ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ବକପରେ ଏଭଳି ଦୁର୍ଦ୍ଦଶା ଭୋଗିଛି । ଏହା ପୂର୍ବରୁ ୨୦୦୯ରେ ଅଷ୍ଟ୍ରେଲିଆ ଗ୍ରୁପ ଷ୍ଟେଜରୁ ବିଦାୟ ନେଇଥିଲା । ଗତ ୩ଟି ସଂସ୍କରଣରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ବକପରେ ଭଲ ପ୍ରଦର୍ଶନ କରିନଥିଲା । ୨୦୨୨ରେ ଦଳ ସୁପର-୧୨ରୁ ବାହାର ହୋଇଥିଲା । ୨୦୨୪ରେ ସୁପର-୮ରେ ସମାପ୍ତ ହୋଇଥିଲା ଓ ୨୦୨୬ରେ ଗ୍ରୁପ ଷ୍ଟେଜରେ ଅନ୍ତ ଘଟିଛି । ୨୦୨୧ରେ ଦଳ ବିଶ୍ବକପ ଜିତିଥିଲା । ତା’ ପରଠାରୁ ଦଳର ବିଜୟ ଗ୍ରାମ ନିମ୍ନମୁଖୀ ହେବାରେ ଲାଗିଛି ।

କ୍ରାଇମ କ୍ୟାପିଟାଲ ଭୁବନେଶ୍ୱର ; ଭୁଶୁଡ଼ି ପଡିଛି ରାଜଧାନୀର ଆଇନଶୃଙ୍ଖଳା

ନନ୍ଦିଘୋଷ ବ୍ୟୁରୋ : କ୍ରାଇମ କ୍ୟାପିଟାଲ ଭୁବନେଶ୍ୱର । ଭୁଶୁଡ଼ି ପଡିଛି ରାଜଧାନୀ ର ଆଇନଶୃଙ୍ଖଳା । ବିଧାନସଭା ସୁରକ୍ଷାରେ ପୋଲିସ ବ୍ୟସ୍ତ ଥିବା ବେଳେ ଘଟିଛି ଏକାଧିକ ଘଟଣା। କେଉଁଠି ଦୁର୍ବୁର୍ତ୍ତଙ୍କ ଆତଙ୍କରାଜ ତ ଆଉ ଯେଉଁଠି ଲୁଟେରାଙ୍କ ହଲ୍ଲାବୋଲ। ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଅପରାଧୀ ।

ବୁଲିଲା ଖଣ୍ଡା, ପଡିଲା ଚୋଟ ପରେ ଚୋଟ । ରଣକ୍ଷେତ୍ର ପାଲଟିଲା ଭଗବାନପୁର ଅଞ୍ଚଳ । କଳିଙ୍ଗବିହାର ଜୁଏଲାରୀରେ ସ୍ପ୍ରେ ମାରି ଲୁଟିଲେ । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଠାରୁ  ଝାମ୍ପିଲେ ସୁନା ଚେନ । ଅସୁରକ୍ଷିତ ରାଜଧାନୀ । କେଉଁଠି ହାଣିଲେଣି ତ ଆଉ କେଉଁଠି ଝାମ୍ପି ନେଇଗଲେ ସୁନାଚେନ । ତମାଣ୍ଡୋ ଥାନା ଭଗବାନପୁରରେ ଥିବା ଏକ କ୍ୟାଫେ ସମ୍ମୁଖର ଏ ଦୃଶ୍ୟ ଉପରେ ନଜର ପକାନ୍ତୁ । ରାତି ପ୍ରାୟ ପାଖାପାଖି ୧୨ ଟା ସମୟରେ ୩ ଟି ବାଇକରେ ୬ ଜଣ ଆସୁଛନ୍ତି । କିଛି ବୁଝିବା ପୂର୍ବରୁ ଚକଚକ କରୁଥିବା ଖଣ୍ଡା, ଫାର୍ସାରେ ହାଣି ପକାଉଛନ୍ତି । ପୂର୍ବ ଶତ୍ରୁତାର ରାଗ ଏ କାର ଉପରେ ସୁଝାଇ ଚାଲିଛନ୍ତି । ଖଣ୍ଡା ଚୋଟରେ ରକ୍ତାକ୍ତ କରିଦେବା ପରେ ସେଠାରୁ ଚମ୍ପଟ ମାରୁଛନ୍ତି । ଆଉ ଏ ଘଟଣା ହେଉଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାରର । ମର୍ନିଂ ୱାକ୍ କରିବା ବେଳେ ସୁନା ଚେନ ଝାମ୍ପିନେଇଛନ୍ତି ଲୁଟେରା । ସିସିଟିଭିରେ କଏଦ ହୋଇଛି ଲୁଟେରାଙ୍କ କାରନାମା ।

ଦୁଇ ଦୁଇଟି ଘଟଣା ପୋଲିସ ପାଇଁ ଚ୍ୟଲେଞ୍ଜ ସୃଷ୍ଟି କରିଥିବା ବେଳେ ଆଉ ଏକ ସଙ୍ଗିନ ଘଟଣା ଦେଖିବାକୁ ମିଳିଛି ତମାଣ୍ଡୋ ଥାନା ଅଞ୍ଚଳରେ । କଳିଙ୍ଗ ନଗର କେ-4 ଠାରେ ଥିବା ଏ ସୁନା ଅଳଙ୍କାର ଦୋକାନରୁ ପେପର ସ୍ପ୍ରେ ମାରି ଗରାଖ ବେଶରେ ଲୁଟେରା ଲୁଟି ନେଇଛନ୍ତି ୬ ଲକ୍ଷ ଟଙ୍କାର ସୁନା ଗହଣା । ଏ ହେଉଛି ଲୁଟ ବେଳର ସିସିଟିଭି । ଭଉଣୀ ବାହାଘର କଥା କହି ବ୍ରେସଲେଟ ଓ ସୁନା ଚେନ ଦେଖିବା ପରେ ସେଲସମ୍ୟାନଙ୍କ ମୁହଁକୁ ସ୍ପ୍ରେ ମାରିଥିଲେ ଲୁଟେରା । ଆଉ ତା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୂର୍ବରୁ ଏ ଲୁଟେରା ଜଣଙ୍କ କିଛି ମାସ ତଳେ ଆସି ସୁନା କିଣିଥିବା କହିଛନ୍ତି ଜୁଏଲାରୀ ମାଲକାଣି । ସେପଟେ ତମାଣ୍ଡୋ ଥାନା ପୋଲିସ ସିସିଟିଭି ଜବତ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି ।

 

ଦୁଇ ଦିନ ପରେ ମାଟ୍ରିକ ପରୀକ୍ଷା ;ଏଯାଏଁ ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ସ୍ଥିର ହୋଇନି ବିକଳ୍ପ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ରହିଲା ମାତ୍ର ଦୁଇ ଦିନ । ହେଲେ କିଭଳି ପରୀକ୍ଷା ଦେବେ ଦିବ୍ୟାଙ୍ଗ ଛାତ୍ର ? ତାଙ୍କ ପାଇଁ ପରୀକ୍ଷା ଖାତାରେ କିଏ ଲେଖିବେ ଉତ୍ତର ? ତାହା ଏଯାଏଁ ସ୍ପଷ୍ଟ କରିନାହାନ୍ତି ବୋର୍ଡ କର୍ତ୍ତୃପକ୍ଷ । ଯାହାକୁ ନେଇ ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଖଲିଙ୍ଗିରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଦୁଇ ଦିନ ପରେ ମାଟ୍ରିକ ପରୀକ୍ଷା । ହେଲେ ଏଯାଏଁ ସ୍ଥିର ହୋଇନାହିଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲେଖିବା ପାଇଁ ବିକଳ୍ପ ବ୍ୟବସ୍ଥା । ନିଘୋଡ଼ ନିଦ୍ରାରେ ଶିକ୍ଷା ବିଭାଗ । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଖଲିଙ୍ଗିରୁ ଆସିଛି ସଙ୍ଗୀନ ଅଭିଯୋଗ । ଇଏ ହେଉଛନ୍ତି ଖଲିଙ୍ଗି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତି । ଯିଏ କି ଜନ୍ମରୁ ଦିବ୍ୟାଙ୍ଗ । ନା ସେ ଠିକ ସେ ଖାଇ ପାରୁଛନ୍ତି ନା ଲେଖି ପାରୁଛନ୍ତି । ଏପରିକି ସାର୍ଟ ପ୍ୟାଣ୍ଟ ବି ନିଜେ ପିନ୍ଧି ପାରୁନାହାନ୍ତି । ସେ ଯାହାବି ଲେଖନ୍ତି କେବଳ ସେ ହିଁ ବୁଝିପାରିବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୌତମଙ୍କୁ ୫୦ ପ୍ରତିଶତ ଭିନ୍ନକ୍ଷମ ସାର୍ଟିଫିକେଟ ମିଳିଛି । ହେଲେ ଏଯାଏଁ ଗୌତମଙ୍କ ପାଇଁ ପରୀକ୍ଷାରେ କିଏ ଲେଖିବେ ତାହା ସ୍ପଷ୍ଟ ହୋଇନାହିଁ । ଯାହାକୁ ନେଇ ଚିନ୍ତାରେ ପରିବାର ।

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ମାଟ୍ରିକ ବୋର୍ଡ ପରୀକ୍ଷା ପୂର୍ବରୁ ଯେଉଁ ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଥିବେ ବିଦ୍ୟାଳୟ କର୍ତ୍ତୃପକ୍ଷ ସେହି ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ନବମ ଶ୍ରେଣୀ ଛାତ୍ର ସ୍ଥିର କରି ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇଥାନ୍ତି । ବୋର୍ଡ କର୍ତ୍ତୃପକ୍ଷ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ କରି ନବମ ଶ୍ରେଣୀ ଛାତ୍ରଙ୍କୁ ସ୍ଵୀକୃତି ଦିଅନ୍ତି । କିନ୍ତୁ ୧୯ ତାରିଖରେ ମାଟ୍ରିକ ପରୀକ୍ଷା ଥିଲେ ସୁଦ୍ଧା ଗୌତମଙ୍କ ପାଇଁ କିଏ ଉତ୍ତର ଲେଖିବେ ତାହା ବିଦ୍ୟାଳୟ ତରଫରୁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ବୋର୍ଡକୁ ଲେଖି ଦେଇଛୁ ବୋଲି କହିଛନ୍ତି ଖଲିଙ୍ଗି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ।

୧୨ ଦିନ ପରେ ତିହାର ଜେଲରୁ ବାହାରିଲେ ରାଜପାଲ ଯାଦବ

ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ଋଣ ବିମାଦ ସହ ଜଡ଼ିତ ମାମଲାରେ ଅଦାଲତରୁ ଜାମିନ୍ ମିଳିଛି । ଆଇନଗତ ପ୍ରକ୍ରିୟା ମଧ୍ୟରେ ଜେଲରୁ ବାହାରିଥିବା ଅଭିନେତାଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ୧୨ ଦିନ ଜେଲରେ ରହିବା ପରେ ରାଜପାଲ ମୁକୁଳିଛନ୍ତି । ଫେବୃଆରୀ ୧୬ ତାରିଖ ଦିନ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଆଜି ସେ ଜେଲରୁ ମୁକୁଳିଛନ୍ତି । ୯ କୋଟି ଋଣ କେସରେ ଦୀର୍ଘ ସମୟ ଧରି ଚାଲିଆସିଥିବା ଆଇନଗତ ବିବାଦ ପରେ ତାଙ୍କୁ ଆଶ୍ବସ୍ତି ମିଳିଛି ।

ଜେଲରୁ ବାହାରକୁ ଆସିବା ପରେ ରାଜପାଲ କହିଛନ୍ତି, ମୁଁ ବଲିଉଡରେ ୩୦ ବର୍ଷ ପୂରଣ କରିଛି । ସାରା ଦେଶବାସୀ ମୋ ସହିତ ରହିଥିବାରୁ ମୁଁ ୨୫୦ ଫିଲ୍ମରେ ଅଭିନୟ କରିପାରିଛି । ପୂରା ବଲିଉଡ ମୋ ସହିତ ଛିଡ଼ା ହୋଇଛନ୍ତି । ଭାରତୀୟ ସିନେମାର ଯୁବକ, ବୃଦ୍ଧ ଓ ଶିଶୁ ମୋର କଲିଜାର ଅଂଶ । ସମସ୍ତେ ମୋ ସହ ରହିଥିଲେ ଓ ଅଛନ୍ତି । ଗତ ୧୦ ବର୍ଷରେ ହାଇକୋର୍ଟ ଯେଉଁ ଆଦେଶ ଦେଇଛନ୍ତି, ତାହାକୁ ମୁଁ ମାନି ଆସିଛି । ଆଗକୁ ଯେଉଁଠି ବି କହିବେ ସେଠି ମୁଁ ହାଜର ହୋଇଯିବି । ସମସ୍ତଙ୍କ ସହ ମୋର ମନୋରଞ୍ଜନର ସମ୍ପର୍କ । ବଲିଉଡ ଯେଉଁପରି ଭାବେ ମୋ ସହ ରହିଛି, ସେଥିପାଇଁ ମୁଁ ବହୁତ କୃତଜ୍ଞ । ଆପଣ ମୋ ଗୁହାରି ଶୁଣିଥିବାରୁ ଓ ମୋତେ ସୁଯୋଗ ଦେଇଥିବାରୁ ମୁଁ ହାଇକୋର୍ଟଙ୍କୁ ଧନ୍ୟବାଦ ଦେଉଛି ।

ଏପଷ୍ଟୀନ ନେଟଓ୍ବାର୍କରେ ଥିବା ଭାରତୀୟ ଯୁବତୀ କିଏ ?

ଆମେରିକାର ନ୍ୟାୟ ବିଭାଗ ଦ୍ବାରା ଜାରି କରାଯାଇଥିବା  ଏପଷ୍ଟୀନ ଫାଇଲରେ ଏକ ସମ୍ବେଦନଶୀଳ ଖୁଲାସା ହୋଇଛି । ସେଥିରେ ଜଣେ ଭାରତୀୟ ଯୁବତୀ ପୀଡ଼ିତ ଥିବା ନେଇ ମାମଲା ସାମ୍ନାକୁ ଆସିଛି । ୬ ବର୍ଷ ପୂର୍ବରୁ ଲେଖାଯାଇଥିବା ଏକ ଇ-ମେଲରୁ ଏହା ଜଣାପଡ଼ିଛି ଯେ, ଯୌନ ଅପରାଧୀ ଏପଷ୍ଟୀନଙ୍କ ଦ୍ବାରା ଜଣେ ଭାରତୀୟ ଯୁବତୀ ମଧ୍ୟ ଫସିଥିଲେ । କ୍ଷତିପୂରଣ ଦେବା ପାଇଁ ଆମେରିକୀୟ ନ୍ୟାୟ ବିଭାଗର ଅଧିକାରୀ ଉକ୍ତ ଯୁବତୀଙ୍କୁ ଖୋଜୁଥିଲେ ।

ଏପଷ୍ଟୀନ ଫାଇଲର ଖୁଲାସା ଦ୍ବାରା ଆମେରିକା ଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ହଡ଼କମ୍ପ ମଚିଯାଇଛି । ଆମେରିକୀୟ ବିଜିନେସମ୍ୟାନ ଓ ଅପରାଧୀ ଜେଫ୍ରୀ ଏପଷ୍ଟୀନର ଫାଇଲନ୍ସରେ ପ୍ରଥମ ଥର ଜଣେ ଭାରତୀୟ ଯୁବତୀଙ୍କୁ ପୀଡ଼ିତ ଭାବେ ଉଲ୍ଲେଖ କରାଯାଇଛି । ଭାରତୀୟ ଯୁବତୀଙ୍କୁ ନେଇ ଏହି ଖୁଲାସା ଇ-ମେଲର ଫର୍ମାଟରେ ରହିଛି । ୨୦୨୦ ମସିହା ଜାନୁଆରୀ ୧୩ରେ ଏହା ଲେଖାଯାଇଥିଲେ । ଉକ୍ତ ଇ-ମେଲରେ ପୀଡ଼ିତଙ୍କର କେସ ଲଢ଼ୁଥିବା ଲ’ ଫାର୍ମ EDWARDS POTTINGER LLC ର ଓକିଲ ବ୍ରିଟନୀ ହେଣ୍ଡରସନ ଆମେରିକୀୟ ଅଧିକାରଙ୍କୁ ଏକ ଇ-ମେଲ କରିଥିଲେ । ଉକ୍ତ ଇ-ମେଲରେ ସେ କହିଛନ୍ତି ଯେ, କିଛି ପୀଡ଼ିତା ଯୁବତୀ ଥେରାପି ନେବାକୁ ଚାହୁଁଛନ୍ତି । ସେ ଫ୍ଲୋରିଡ଼ା ଓ ନ୍ୟୁୟର୍କର କିଛି ପୀଡ଼ିତାଙ୍କ ନାମ ମଧ୍ୟ ଆମେରିକୀୟ ଅଧିକାରୀଙ୍କୁ ଦେଇଥିଲେ ।

ଉକ୍ତ ଇ-ମେଲରେ ସେ ଏକ ପୀଡ଼ିତା ଭାରତୀୟ ଯୁବତୀଙ୍କ ବିଷୟରେ ଲେଖିଥିଲେ ଯେ, ସେ ଏବେ ବିଭ ଭାରତରେ ଅଛନ୍ତି । ଆମେରିକା ପ୍ରଶାସନ ତରଫରୁ ତାଙ୍କୁ କ’ଣ କୌଣସି ସାହାଯ୍ୟ କରାଯାଇ ପାରିବ ? ସେ ଏହା ମଧ୍ୟ ପଚାରିଛନ୍ତି ଯେ, ତାଙ୍କୁ ବି କ’ଣ ଥେରାପିର ୬ ଫ୍ରି ସେସନ ମିଳି ପାରିବ ? ସେ ଜାଣିବାକୁ ଚାହୁଁଛନ୍ତି, କ’ଣ ସେହି ସେବାଗୁଡ଼ିକ ତାଙ୍କୁ ଭାରତରେ ଉପଲବ୍ଧ ହୋଇପାରବ ? ଅଧିକାରୀଙ୍କ ତରଫରୁ ଆସିଥିବା ଜବାବରେ ପୀଡ଼ିତା ଯୁବତୀଙ୍କୁ କ୍ଷତିପୂରଣ ଦେବା କଥା କୁହାଯାଇଛି ।

ରାଜନୀତିର ପଶାପାଲିରେ ନିର୍ମାଣାଧୀନ ବ୍ରିଜ ; ନୂଆ ସରକାରରେ ଆଗେଇ ପାରୁନି ବିଜୁ ସେତୁ କାମ

ନନ୍ଦିଘୋଷ ବ୍ୟୁରୋ : ରାଜନୀତିର ପଶାପାଲିରେ ନିର୍ମାଣାଧୀନ ବ୍ରିଜ । ନୂଆ ସରକାରରେ ଆଗେଇ ପାରୁନି ବିଜୁ ସେତୁ କାମ । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମନମାନିରୁ ଧୀମେଇ ଯାଇଛି ବ୍ରିଜ କାମ । ଅବଧି ସରିଥିଲେ ସୁଦ୍ଧା ଭୂଇଁରୁ ଉଠିପାରିନାହିଁ ଚମ୍ପୁଆ ବ୍ଲକ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ ସେତୁ । ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକେ ।

ସରିଲାଣି ଡେଡଲାଇନ । ମାତ୍ର ଭୂଇଁରୁ ଉଠିପାରୁନି ବିଜୁ ସେତୁ । ଠିକାଦାରଙ୍କ ମନମାନିରୁ ସମସ୍ୟା ଭୋଗୁଛନ୍ତି ଲୋକେ ।… କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଯୋଗାଯୋଗ ସୁଗମ ପାଇଁ ଚମ୍ପୁଆ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀ ଉପରେ ବିଜୁ ସେତୁ ନିର୍ମାଣ ପାଇଁ ପୂର୍ବ ସରକାର ଅନୁଦାନ ଯୋଗାଇ ଦେଇଥିଲେ । ୧୪ କୋଟି ୧୬ ଲକ୍ଷ ୭୫ ହଜାର ବ୍ୟୟ ବରାଦରେ ଆରମ୍ଭ ହୋଇଥିବା ବ୍ରିଜ କାମ ୨୦୨୫ ଶେଷ ସୁଦ୍ଧା ସରିବା କଥା । ମାତ୍ର ଠିକାଦାରଙ୍କ ମନମାନି ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଅବଧି ଶେଷ ହୋଇଥିଲେ ସୁଦ୍ଧା ବ୍ରିଜଟି ଭୂଇଁରୁ ଉଠିପାରି ନାହିଁ ।

କେନ୍ଦୁଝରର ଚମ୍ପୁଆ ଓ ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକର ଲୋକଙ୍କ ସୁବିଧା ପାଇଁ ପୂର୍ବ ସରକାର ଯୋଗାଇ ଦେଇଥିବା ସେତୁ କାମ ସରକାର ବଦଳିବା ପରେ ଅଟକି ଯାଇଛି । ଅବଧି ସରିଥିଲେ ସୁଦ୍ଧା ପୋଲଟି ଭୂଇଁରୁ ମୁଣ୍ଡ ଟେକିପାରୁନାହିଁ । ନଦୀ ପଠାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ବାଲିକୁ ଅନ୍ୟ କାମରେ ସଂପୃକ୍ତ ଠିକାଦାର ଲଗାଉଥିବା ଅଭିଯୋଗ ହୋଇଛି । ବାଲି ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବା ସହ ଶୀଘ୍ର ପୋଲ କାମ ସାରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ଏନେଇ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିନାହାନ୍ତି ନିର୍ବାହୀ ଯନ୍ତ୍ରୀ ।