spot_img
Home Blog Page 352

ବିହାରରେ ମହାମେଣ୍ଟରେ ସ୍ଥିତି ହେଲାଣି ଜଟିଳ ; ହୋଇପାରୁନି ଆସନ ବୁଝାମଣା

ନନ୍ଦିଘୋଷ ବ୍ୟୁରୋ : ପାଖେଇ ଆସୁଛି ନିର୍ବାଚନ। ସରୁନି ମହାମେଣ୍ଟରେ ଆସନ ବୁଝାମଣା। ଦିନକୁ ଦିନ ଜଟିଳ ହେଉଛି ପ୍ରକ୍ରିୟା। କଂଗ୍ରେସ ଅଧିକ ଆସନ ଦାବି କରୁଥିବାବେଳେ ଆରଜେଡି କଂଗ୍ରେସକୁ ୫୨ ଆସନ ଯାଚିବା ପରେ ସ୍ଥିତି ଅଧିକ ଗୋଳମାଳିଆ ହୋଇଛି। ଏପରିକି ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିବା ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ଆରଜେଡି ୧୪୪ ଆସନ, କଂଗ୍ରେସ ୭୦ ଆସନରେ ଲଢିଥିଲେ ।

ଆରଜେଡି ୭୫ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ମାତ୍ର ୧୯ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏଦୃଷ୍ଟିରୁ କଂଗ୍ରେସକୁ ଅଧିକ ଆସନ ଦେବା ଲାଗି ଆରଜେଡି ଚାହୁଁ ନଥିବା ଚର୍ଚ୍ଚା ହେଉଛି । ସେହିପରି ମହାମେଣ୍ଟରେ ଥିବା ସିପିଆଇଏମଏଲ ୧୯ ଆସନରେ ଲଢି ୧୨ଟିରେ ବିଜୟୀ ହୋଇଥିଲା । ସିପିଆଇ ୬ ଆସନରେ ଲଢି ୨ ଆସନରେ ଏବଂ ସିପିଏମ ୪ ଆସନରେ ଲଢି ୨ ଆସନରେ ବିଜୟୀ ହୋଇଥିଲେ । ଗତ ନିର୍ବାଚନରେ ବିଜେପି ସର୍ବାଧିକ ୭୯ ଆସନ ଲାଭ କରିଥିବାବେଳେ ଆରଜେଡି ଦ୍ବିତୀୟ ସର୍ବାଧିକ ୭୭ ଆସନ ହାସଲ କରିଥିଲା । ଏ ଦୃଷ୍ଟିରୁ ଚଳିତ ଥର କଂଗ୍ରେସକୁ ୫୦ରୁ ୫୫ ଆସନ ଦେବାକୁ ଚାହୁଁଛି ଆରଜେଡି । ସେପଟେ ମହାମେଣ୍ଟକୁ ୧୪ ଯାଏ ଡେଡଲାଇନ ଦେଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା। ଇଣ୍ଡିମେଣ୍ଟ ସହଯୋଗୀ ଭାବେ ଜେଏମଏମ ୧୨ ଆସନରେ ଲଢିବାକୁ ଚାହୁଁଛି। ଝାଡଖଣ୍ଡ ନିର୍ବାଚନରେ ଜେଏମଏମ ଯୋଗୁ କଂଗ୍ରେସ, ଆରଜେଡି, ସିପିଆଇଏମଏଲ ସମ୍ମାନଜନକ ସ୍ଥିତିରେ ଥିଲେ। ତେଣୁ ଏହାର ମୂଲ୍ୟ ବିହାରରେ ପାଇବାକୁ ଚାହୁଁଛି ଜଏମଏମ।

ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲା : ସ୍ପଷ୍ଟୀକରଣ ରଖିଲା ଓପିଆରବି

ନନ୍ଦିଘୋଷ ବ୍ୟୁରୋ : ପୋଲିସ ଏସଆଇ ପରୀକ୍ଷା ଜାଲିଆତିକୁ ନେଇ ଓପିଆରବିର ବଡ଼ ବୟାନ। ପରୀକ୍ଷା ଜାଲିଆତି ନେଇ ସ୍ପଷ୍ଟୀକରଣ ରଖିଛି ଓଡିଶା ପୋଲିସ ନିଯୁକ୍ତି ବୋର୍ଡ ବା ଓପିଆରବି। ସରକାରୀ ଚାକିରି ଆଶାୟୀଙ୍କ ବିରୋଧରେ ବିଧିବଦ୍ଧ ଚକ୍ରାନ୍ତ ହୋଇଥିବା ସନ୍ଦେହ ପ୍ରକାଶ କରିଛି ଓପିଆରବି। ରାଜ୍ୟରେ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରିବା କିମ୍ବା ପ୍ରଭାବିତ କରିବା ପାଇଁ ଏକ ବଡ଼ ଷଡଯନ୍ତ୍ର ହୋଇଛି ବୋଲି ସନ୍ଦେହ ପ୍ରକାଶ କରିଛି ଓପିଆରବି।

ଯେତେବେଳେ ବି ପ୍ରଶ୍ନପତ୍ର ଲିକ ହୋଇଛି, ସେହି ପ୍ରଶ୍ନପତ୍ରକୁ ତୁରନ୍ତ ବାତିଲ କରି ପୁଣି ଥରେ ଖୁବ କମ ସମୟ ବ୍ୟବଧାନରେ ପରୀକ୍ଷା କରାଯାଇଥାଏ ବୋଲି କହିଛି ଓପିଆରବି। ଗତ ସେପ୍ଟେମ୍ବର ୨୯ ତାରିଖରେ ଏସଆଇ ପରୀକ୍ଷା ଜାଲିଆତି ଘଟଣା ଓପିଆରବି ନଜରକୁ ଆସିବା ମାତ୍ରେ ତୁରନ୍ତ ଏହାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ଜଡିତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ପ୍ରଶ୍ନ ଲିକର ପୂରା ଲିଙ୍କ ଖୋଲି ବାହାର କରିବା ଏହାର ଉଦ୍ଦେଶ୍ୟ ଥିଲା ବୋଲି ଓପିଆରବି ପକ୍ଷରୁ କୁହାଯାଇଛି। ପରେ ଛାତ୍ରଛାତ୍ରୀ ବ୍ରହ୍ମପୁର ନିକଟରୁ ଗିରଫ ହେବା ପରେ ସ୍ବଚ୍ଛତା ରକ୍ଷା କରିବାକୁ ତୁରନ୍ତ ପରୀକ୍ଷା ବାତିଲ କରାଯାଇଛି।

ଏବେ କ୍ରାଇମବ୍ରାଞ୍ଚ ଏହି ଜାଲିଆତିର ତଦନ୍ତ କରୁଛି। ଓପିଆରବି ଏଥିରେ ସଂପୂର୍ଣ୍ଣ ସହଯୋଗ କରିବା ସହ ସବୁ ତଥ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ତଦନ୍ତ ସରିବା ପରେ ଏବଂ ଦୋଷୀକୁ ଦଣ୍ଡ ମିଳିବା ପରେ ପୁଣି ଥରେ ଏସଆଇ ପରୀକ୍ଷା କରାଯିବ। କିନ୍ତୁ ତାପୂର୍ବରୁ ଏହି ଜାଲିଆତିରେ ଓପିଆରବି ହେଉ କି ଆଇଟିଆଇ, ସିଲିକନ ବା ପଞ୍ଚସଫ୍ଟ ଯିଏ ବି ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏଥିପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି ବୋଲି ଓପିଆରବି ପକ୍ଷରୁ କୁହାଯାଇଛି। ସେହିପରି କିଛି ନ୍ୟସ୍ତସ୍ବାର୍ଥ୍ୟ ବ୍ୟକ୍ତି ଏହି ଜାଲିଆତିରେ ଓପିଆରବିର ସମ୍ପୃକ୍ତିକୁ ନେଇ ଅଯଥା ବଦନାମ କରୁଛନ୍ତି।

ଏହି ଉଦ୍ୟମ ଉଦ୍ଦେଶ୍ୟମୂଳକ ଭାବେ ପରୀକ୍ଷା ପରିଚାଳନା ପ୍ରକ୍ରିୟାକୁ ବିଳମ୍ବିତ କରିବା ବୋଲି ଓପିଆରବି ପକ୍ଷରୁ କୁହାଯାଇଛି। ଓଡିଶା ପୋଲିସ ପକ୍ଷରୁ ପରୀକ୍ଷା ପାଇଁ ହୋଇଥିବା ଟେଣ୍ଡର ଆଇଟିଆଇ ଲିମିଟେଡ଼କୁ ଦିଆଯାଇଥିଲା। ଆଇଟିଆଇ ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଛପେଇ ଓ ଅନ୍ୟାନ୍ୟ କାର୍ଯ୍ୟ କରିବା କଥା। କିନ୍ତୁ ଆଇଟିଆଇ ଯଦି ଏହି କାର୍ଯ୍ୟ ଅନ୍ୟ କାହାକୁ ସବଲେଟ କରିଛି ତେବେ ସେଥିରେ ସ୍ବଚ୍ଛତା ରକ୍ଷା କରାଯିବାର ଉତ୍ତରଦାୟିତ୍ବ ଆଇଟିଆଇର। ଟେଣ୍ଡର ଚୁକ୍ତି ଉଲଂଘନ କରିଥିବାରୁ ଓପିଆରବି ଆଇଟିଆଇ ଲିମିଟେଡକୁ କାରଣ ଦର୍ଶାଅ ନୋଟସ ମଧ୍ୟ ଜାରି କରାଯାଇଛି। ତେଣୁ ଆଶାୟୀମାନେ ହତାସ ନହେବାକୁ ଓପିଆରବି ଆଶ୍ବାସନା ଦେଇଛି। ତଦନ୍ତ ସରିବା ପରେ ପୁଣି ଥରେ ଏସଆଇ ପରୀକ୍ଷା କରାଯିବ। କିନ୍ତୁ ନିଯୁକ୍ତି ପ୍ରକ୍ରିୟାକୁ ଭଣ୍ଡୁର ପଛରେ ଥିବା ଷଡଯନ୍ତ୍ରକାରୀଙ୍କୁ ତୁରନ୍ତ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବା ଉଚିତ ବୋଲି ଓପିଆରବି ପକ୍ଷରୁ କୁହାଯାଇଛି।

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ : ୩ ଜଣଙ୍କୁ ଗିରଫ କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଛାନବିନ। ଲୋକେସନ ଟ୍ରାକ କରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରୁ ୩ ଜଣଙ୍କୁ ଗିରଫ କଲା ପୋଲିସ। ଗିରଫ ୩ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ୨ ଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଡ୍ରୋନ କ୍ୟାମେରା ଜରିଆରେ ଅନ୍ୟ ୨ ଜଣଙ୍କୁ ଖୋଜୁଛି ପୋଲିସ। ଦୁର୍ଗାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହାସହ ଫରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଛାନବିନ କରିଛି। ସ୍ଥାନୀୟ ଅଞ୍ଚଳରେ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି। ଘଟଣାକୁ ନେଇ ଦୁର୍ଗାପୁର ଶିଳ୍ପାଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

କଲେଜ ପରିସରରେ ବିଶାଳ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଘଟଣାରେ ହସ୍ତକ୍ଷେପ ପାଇଁ ପଶ୍ଚିମବଙ୍ଗ ଡାକ୍ତର ସଂଘ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଛନ୍ତି। ସେହିପରି ମମତା ବାନାର୍ଜୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି। ଘଟଣା ସ୍ଥଳ ବୁଲି ଦେଖିଛନ୍ତି ମହିଳା କମିଶନ। ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ସମେତ ବିଜେପି ଓ ବାମପନ୍ଥୀମାନେ ଆନ୍ଦୋଳନ କରିଛନ୍ତି।

ସୂଚନା ଅନୁସାରେ, ଶୁକ୍ରାବାର ରାତି ପ୍ରାୟ ୮ଟା ବେଳେ କ୍ୟାମ୍ପସ ସାମ୍ନାରୁ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଟାଣି ନେଇ ଗଣଦୁଷ୍କର୍ମ କରା ଯାଇଥିଲା। ପୀଡ଼ିତା ଜଣକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଘର ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରେ। ପରିବାର ଲୋକେ ପ୍ରଶାସନ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଉଦାସୀନତା ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ବାପାଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମବେଦନା ଜଣାଇବା ସହିତ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏହାସହ ବାଲେଶ୍ବର ଏସ.ପି ଦୁର୍ଗାପୁର ପୋଲିସ ସହିତ ଯୋଗାଯୋଗରେ ରହି ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ପଶ୍ଚିମବଂଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଂଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ବାଲେଶ୍ଵର ଜଳେଶ୍ଵର ଅଚଳର ଜଣେ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରର ଶୋଭାପୁରରେ ଘଟିଛି ଏ ଲଜ୍ଜାଜଣକ ଘଟଣା। ଏକ ଘରୋଇ ମେଡିକାଲ କଲେଜରେ ଦ୍ଵିତୀୟ ବର୍ଷରେ ପଢୁଥିଲେ ସମ୍ପୃକ୍ତ ଛାତ୍ରୀ। ଡାକ୍ତରୀ ଛାତ୍ରୀଙ୍କୁ ହସ୍ପିଟାଲ ପରିସରରେ ଟାଣି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଂଗର ସବୁଠାରୁ ବଡ଼ ଶିଳ୍ପକ୍ଷେତ୍ର କୁହାଯାଉଥିବା ଦୁର୍ଗାପୁରରେ ଘଟିଛି ଘଟଣା। ଛାତ୍ରୀ ଜଣକ ଗତକାଲି ରାତିରେ  ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଆସିଥିଲେ। ସେ ଫେରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ପଛପଟେ ଥିବା ଏକ ନିର୍ଜନ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ମହିଳାଙ୍କ ସହିତ ଆସିଥିବା ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି। ଖବର ପାଇଁ ଛାତ୍ରୀଙ୍କ ପରିବାର ଆସି ମେଡିକାଲରେ ପହଞ୍ଚିଛନ୍ତି। ଝିଅ ଆଇସିୟୁରେ ରହିଛି, କୌଣସି ଚିକିତ୍ସା ସୁବିଧା ଦିଆଯାଉନି ବୋଲି କହିଛନ୍ତି ଛାତ୍ରୀଙ୍କ ବାପା।

 

ଆଫଗାନ ବୈଦେଶିକ ମନ୍ତ୍ରୀ ମୁତାକିଙ୍କ ପ୍ରେସ କନଫରେନ୍ସ ପ୍ରସଙ୍ଗ : ପ୍ରେସ କନଫରେନ୍ସରେ ସାମ୍ବାଦିକାଙ୍କୁ ମିଳିଲାନି ଅନୁମତି

ନନ୍ଦିଘୋଷ ବ୍ୟୁରୋ : ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ପ୍ରେସ କନଫରେନ୍ସରେ ମହିଳା ସାମ୍ବାଦିକଙ୍କୁ ଅନୁମତି ନଦେବା ପ୍ରସଙ୍ଗ। ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଆଫଗାନିସ୍ଥାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସାମ୍ବାଦିକ ସମ୍ମିଳନୀ ଆୟୋଜନରେ କୌଣସି ଭୂମିକା ନାହିଁ ବୋଲି କହିଛି ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ। ଗତକାଲି ଆୟୋଜନ ହୋଇଥିଲା ଏ ସାମ୍ବାଦିକ ସମ୍ମିଳନୀ। ଏଥିରେ କୌଣସି ମହିଳା ସାମ୍ବାଦିକଙ୍କୁ ବସିବାକୁ ଅନୁମତି ଦିଆଯାଇନଥିଲା। ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି। ମୁତାକିଙ୍କ ଦ୍ୱାରା ସମ୍ବୋଧିତ ସାମ୍ବାଦିକ ସମ୍ମିଳନୀରେ କୌଣସି ମହିଳା ସାମ୍ବାଦିକ ଉପସ୍ଥିତ ନଥିଲେ। ଫଳରେ ଭାରତ ମାଟିରେ ତାଲିବାନର ଲିଙ୍ଗଗତ ପକ୍ଷପାତକୁ ନେଇ ବ୍ୟାପକ ସମାଲୋଚନା କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ମଧ୍ୟ ଘଟଣା ନେଇ କଡ଼ା ସମାଲୋଚନା କରିଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭାରତରେ ମହିଳା ସାମ୍ବାଦିକଙ୍କ ଉପରେ ତାଲିବାନି ଶାସନ ଆଶ୍ଚର୍ଯ୍ୟଜନକ ଏବଂ ଅସ୍ୱୀକାର୍ଯ୍ୟ ବୋଲି କହିଛନ୍ତି ଜୟରାମ ରମେଶ। କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ କହିଛନ୍ତି ଭାରତ ମାଟିରେ ଭାରତକୁ ଏହି ନିର୍ଦ୍ଦେଶ ଦେବାକୁ ସେମାନେ କିଏ? ମହିଳା ବିଦ୍ବେଷୀ ଚିନ୍ତାଧାରାକୁ ଭାରତରେ କାର୍ଯ୍ଯକାରୀ କାହିଁକି କରାଗଲା ? ଏହି କାର୍ଯ୍ୟକ୍ରମରେ ତାଲିବାନ ନେତାମାନେ କେବଳ ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସାମ୍ବାଦିକ ସମ୍ମିଳନୀକୁ  ସମ୍ବୋଧିତ କରୁଥିବା ଦେଖାଯାଇଥିଲା। ମୁତାକି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ପରେ ପରେ ଏହି ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ସାମ୍ବାଦିକାଙ୍କୁ ଅନୁମତି ନ ମିଳିବା ପ୍ରସଙ୍ଗରେ ତାତିଛନ୍ତି ସାମ୍ବାଦିକ ଓ ସୋସିଆଲ ମିଡିଆ ୟୁଜର। ମୁତାକିଙ୍କ ଏହି ନିଷ୍ପତ୍ତି ମହିଳା ବିଦ୍ବେଷୀ ଚିନ୍ତାଧାରା ପ୍ରତିଫଳନ ବୋଲି ମତ ପ୍ରକାଶ ପାଇଛି। ପ୍ରାୟ ଏକ ସପ୍ତାହ ଲାଗି ଭାରତ ଗସ୍ତରେ ଆସିଥିବା ମୁତାକିଙ୍କୁ ସ୍ବାଗତ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସୱାଲ। ଭାରତ ଓ ଆଫଗାନିସ୍ତାନ ମଧ୍ଯରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହୋଇଛି। ଜୁଲାଇ ୨୦୨୧ରେ ତାଲିବାନ କ୍ଷମତାସୀନ ହେବା ପରେ ପ୍ରଥମ ଥର ଲାଗି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏହା ହେଉଛି ଶୀର୍ଷସ୍ତରୀୟ ବୈଠକ।

ଭୁବନ ଢେଙ୍କାନାଳ ମୁଖ୍ୟ ରାସ୍ତା ଉପରେ ହବିଷ ପାଳିଲେ ମହିଳା

ନନ୍ଦିଘୋଷ ବ୍ୟୁରୋ : ଭୁବନ ଢେଙ୍କାନାଳ ମୁଖ୍ୟ ରାସ୍ତା ଉପରେ ହବିଷ ପାଳିଲେ ମହିଳା। ରାସ୍ତା ଉପରେ ବାଲୁକା ପୂଜା କରି ହବିଷ କଲେ ମଣିପୁର ଗ୍ରାମର ଶତାଧିକ ମହିଳା  ଫଳରେ ଭୁବନ ଢେଙ୍କାନାଳ ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ଦୀର୍ଘ ସମୟ ବନ୍ଦ ରହିଥିଲା। ଢେଙ୍କନାଳ ଜିଲ୍ଲାର ଭୁବନ ବ୍ଲକ ଏକତାଳି ପଞ୍ଚାୟତ ମଣିପୁର ଗ୍ରାମରେ ଘଟିଛି ଘଟଣା। ମଣିପୁର ଗ୍ରାମରେ ୨୭ କୋଟି ଟଙ୍କାର ନିର୍ମାଣାଧୀନ ସ୍ୱଚ୍ଛ ଜଳ ପ୍ରକଳ୍ପ ମେଘା ପ୍ରୋଜେକ୍ଟ କର୍ତ୍ତୃପକ୍ଷଙ୍କ ମନମାନି କାରଣରୁ ମଣିପୁର ଗ୍ରାମବାସୀ ନଦୀପଠାକୁ ଯିବା ପାଇଁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ବହୁବାର ରାସ୍ତା ପାଇଁ ଅଭିଯୋଗ କରିଛନ୍ତି । କିନ୍ତୁ ମେଘା ପ୍ରୋଜେକ୍ଟ ଏହାକୁ ଖାତିର ନକରି ନଦୀପଠାକୁ ସଂଯୋଗ କରୁଥିବା ରାସ୍ତାରେ ଭାରିଯାନ ଚଳାଇ ରାସ୍ତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଫଳରେ ହବିଷ ମହିଳାମାନେ ବାଧ୍ୟହୋଇ ରାସ୍ତାରୋକ କରିଥିଲେ। ରାସ୍ତାର ଉଭୟ ପଟୁ ଶହଶହ ଗାଡି ଅଟକି ରହିବା କାରଣରୁ  କାମାକ୍ଷାନଗର ବିଧାୟକ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ସହ ମହିଳା ମାନଙ୍କୁ ବୁଝାସୁଝା କରିଛନ୍ତି ।

 

ବିଗ ବି’ଙ୍କ ୮୩ତମ ଜନ୍ମଦିନ ; ବଲିଉଡ ବାଦଶାଙ୍କ ଲାଗି ଛୁଟିଛି ଶୁଭେଚ୍ଛାର ସୁଅ

ନନ୍ଦିଘୋଷ ବ୍ୟୁରୋ : ଆଜି ବିଗ ବି’ଙ୍କ ୮୩ତମ ଜନ୍ମଦିନ। ବଲିଉଡ ବାଦଶାଙ୍କ ଲାଗି ଛୁଟିଛି ଶୁଭେଚ୍ଛାର ସୁଅ। ୧୧ ଅକ୍ଟୋବର ୧୯୪୨ରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଅମିତାଭ। ଭାରତୀୟ ସିନେମା ଇତିହାସରେ ସବୁଠାରୁ ସଫଳ ଅଭିନେତା ଭାବେ ପରିଗଣିତ ଅମିତାଭ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଶତାବ୍ଦୀର ସୁପରଷ୍ଟାର ହେଉ ବା ବଲିଉଡର ଶହେନଶାହ, ଷ୍ଟାର ଅଫ ଦି ମିଲେନିୟମ ହେଉ ବା ବିଗ ଗି- ସବୁନାମର ମହତ୍ତ୍ବକୁ ସଫଳ ପ୍ରତିପାଦନ କରିଛନ୍ତି ବଚ୍ଚନ। ଜୀବନ ବ୍ୟାପୀ ସାଧନାରେ ସେ ଲାଭ କରିଛନ୍ତି ୬ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ୧୬ଟି ଫିଲ୍ମଫେୟାର ପୁରସ୍କାର। ବଚ୍ଚନଙ୍କ ଜନ୍ମ ଆହ୍ଲାବାଦରେ ହୋଇଇଥିଲା ଏବଂ ସେ ଉତ୍ତରାଖଣ୍ଡର ନୈନିତାଲର ଶେରଉଡ୍ କଲେଜ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରି ମାଲ କଲେଜରେ ଶିକ୍ଷା ଗ୍ରହଣ କରିଥିଲେ । ତାଙ୍କର ଚଳଚ୍ଚିତ୍ର ଜୀବନ ୧୯୬୯ ମସିହାରେ ମୃଣାଳ ସେନଙ୍କ ଚଳଚ୍ଚିତ୍ର ଭୁବନ ଶୋମରେ ଏକ କଣ୍ଠସ୍ୱର କାହାଣୀକାର ଭାବରେ ଆରମ୍ଭ ହୋଇଥିଲା । ସେ ପ୍ରଥମେ ୧୯୭୦ ଦଶକର ପ୍ରାରମ୍ଭରେ ଆନନ୍ଦ , ଜଞ୍ଜିର ଏବଂ ରୋଟି କପଡା ଔର ମକାନ ଭଳି ଚଳଚ୍ଚିତ୍ର ପାଇଁ ଲୋକପ୍ରିୟତା ହାସଲ କରିଥିଲେ। ନମକ ହରାମ , ଅଭିମାନ , ମଜବୁର , ମିଲି , ଚୁପକେ ଚୁପକେ , ଶାନ୍ , ସିଲସିଲା , ୟାରାନା , କାଲିୟା, ଶହେନଶାହା, ବାଗବାନ୍ , ଖାକି ଭଳି ଅନେକ ସଫଳ ତଥା ପ୍ରଶଂସିତ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କଳା କ୍ଷେତ୍ରରେ ଅବଦାନ ପାଇଁ ୧୯୮୪ରେ ପଦ୍ମଶ୍ରୀ , ୨୦୦୧ରେ ପଦ୍ମଭୂଷଣ , ୨୦୧୫ରେ ପଦ୍ମ ବିଭୂଷଣ ଏବଂ ୨୦୧୮ରେ  ସିନେମା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଥିଲେ।

ବୈତରଣୀ ନଦୀ ଟାପୁରେ ଫସିଛନ୍ତି ୩୦ଟିକିଆ ହାତୀପଲ

ନନ୍ଦିଘୋଷ ବ୍ୟୁରୋ : କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀ ଟାପୁରେ ଅଟକି ରହିଛନ୍ତି ୩୦ଟିକିଆ ହାତୀପଲ I ନଦୀ ପାର୍ ହେଉଥିବା ସମୟରେ ଟାପୁରେ ଅଟକି ରହିଛନ୍ତି ହାତୀ । ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ୍ ୩ ଧାରିଆ ନିକଟରେ ଅଟକି ରହିଛନ୍ତି ଏହି ହାତୀପଲ । ପାଟଣା ରେଞ୍ଜ ଅଞ୍ଚଳରୁ କରଞ୍ଜିଆ ରେଞ୍ଜକୁ ନଦୀ ପାର୍ ହେଉଥିବାବେଳେ ଫସିଯାଇଥିଲେ ହାତୀ। ସମ୍ଭବତଃ ଉଭୟ ପାର୍ଶ୍ଵରେ ଲୋକଙ୍କ ଭିଡ଼ ଯୋଗୁଁ ନଦୀ ପାର୍ ହୋଇ ପାରୁନାହାନ୍ତି ହାତୀପଲ। ହାତୀପଲଙ୍କ ଉପରେ ବନ ବିଭାଗ କଡା ନଜର ରଖିଛି।

ପୁରୀ ପୋଲିସର ‘ଅପରେସନ ଚକ୍ର’ ଅଭିଯାନ ; ୬ ଜୁଆଡି ଗିରଫ

ନନ୍ଦିଘୋଷ ବ୍ୟୁରୋ :  ପୁରୀ ପୋଲିସର ‘ଅପରେସନ ଚକ୍ର’ ଅଭିଯାନରେ ଜୁଆଡିଙ୍କ ଉପରେ ଚଢ଼ାଉ l ହୋଟେଲ ଶୁଭମ ବିଚରେ ଚଢ଼ାଉ କରି ୬ ଜଣ ଜୁଆଡିଙ୍କୁ ଗିରଫ କରିଛି ସମୁଦ୍ରକୂଳ ଥାନା ପୋଲିସ । ପ୍ରାୟ୯୦ ହଜାର ନଗଦ ଟଙ୍କା ସହ ଖେଳ ସାମଗ୍ରୀ ଜବତ ହୋଇଛି । ନିଜ ଅଞ୍ଚଳରେ ଏଭଳି ଜୁଆ ଖେଳ ଚାଲିଥିବା ଦେଖିଲେ ତୁରନ୍ତ ୧୧୨କୁ କଲ କରନ୍ତୁ ଓ ନିକଟସ୍ଥ ଥାନାରେ ଜଣାଇବାକୁ ପୁରୀ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l ଅପରେସନ ଚକ୍ର ଅଭିଯାନରେ ଏଯାଏଁ ପ୍ରାୟ ୮୦ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ୫ ଲକ୍ଷ ୯୧ ହଜାର ଟଙ୍କା ଜବତ କରାଯାଇଛି। ପୁରୀ ଏସ୍ପିଙ୍କ ନିର୍ଦେଶ କ୍ରମେ ଏହି ଅଭିଯାନରେ ଜୁଆ ଖେଳ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଜାରି ରହିଛି।

ବିହାର ବିଧାନସଭା ନିର୍ବାଚନ ; ଆଜି ଏନଡିଏରେ ସିଟ ଭାଗବଣ୍ଟା ନେଇ ବିଧିବଦ୍ଧ ଘୋଷଣା

ନନ୍ଦିଘୋଷ ବ୍ୟୁରୋ :  ବିହାର ବିଧାନସଭା ନିର୍ବାଚନ। ଏନଡିଏ ଓ ଜେଡିୟୁ ମଧ୍ୟରେ ସିଟ ଭାଗବଣ୍ଟା ପ୍ରାୟ ଚୂଡାନ୍ତ ହୋଇଛି। ଆଜି ଏନଡିଏରେ ସିଟ ଭାଗବଣ୍ଟା ନେଇ ବିଧିବଦ୍ଧ ଘୋଷଣା ହେବ। ମୋଟ ୨୪୩ ଆସନ ମଧ୍ୟରୁ ଜେଡିୟୁକୁ ସର୍ବାଧିକ ୧୦୨ ଆସନ ମିଳିଥିବା ଚର୍ଚା ହେଉଛି। ଦ୍ଵିତୀୟରେ ରହିଛି ବିଜେପି। ବିଜେପିକୁ ଜେଡିୟୁରୁ ଗୋଟିଏ କମ ୧୦୧ ଆସନରେ ଲଢିବ । ଚିରାଗ ପାଶୱାନଙ୍କ ଏଲଜେପିକୁ ୨୫ ଆସନ ଦିଆଯାଇଛି। ସେହିପରି ଜିତନ ରାମ ମାଂଝୀଙ୍କ ହାମକୁ ୮ ଆସନରେ ଲଢିବ। ଉପେନ୍ଦ୍ର କୁଶୱାହଙ୍କ ଦଳ ଆରଏଲଏମକୁ ୭ ଆସନ ଦିଆଯାଇଛି। ଗତକାଲିଠାରୁ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ଏନଡିଏ ପକ୍ଷରୁ ହୋଇପାରେ ବିଧିବଦ୍ଧ ଘୋଷଣା। ଜେଡିୟୁ ସର୍ବାଧିକ ସଂଖ୍ୟକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୦ ରହିଛି। ବିଜ୍ଞପ୍ତି ଅନୁଯାୟୀ, ପ୍ରାର୍ଥୀମାନେ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏବଂ ପରଦିନ ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୦ ତାରିଖ ରହିଛି। ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୬ରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୧୨୧ଟି ନିର୍ବାଚନମଣ୍ଡଳୀରେ ମତଦାନ ହେବ। ନିର୍ବାଚନ କମିଶନ ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରୁଛନ୍ତି। ଏହି ପ୍ରଥମ ପର୍ଯ୍ୟାୟରେ ଯେଉଁ ଜିଲ୍ଲାଗୁଡ଼ିକରେ ମତଦାନ ହେବ ସେଗୁଡ଼ିକ ମଧ୍ୟରେ ପାଟନା, ମୁଜାଫରପୁର, ଦରଭଙ୍ଗା, ସହରସା, ମାଧେପୁରା, ଗୋପାଳଗଞ୍ଜ, ସିୱାନ, ସାରଣ, ବୈଶାଳୀ, ସମସ୍ତିପୁର, ବେଗୁସରାଇ, ଲଖିସରାଇ, ମୁଙ୍ଗେର, ଶେଖପୁରା, ନାଳନ୍ଦା, ବକ୍ସର ଏବଂ ଭୋଜପୁର ଅନ୍ତର୍ଭୁକ୍ତ।  ବିହାରରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ଏହି ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ଟି ବିଧାନସଭା ଆସନରେ ମତଦାନ ହେବ। ଭୋଟ୍ ଗଣତି ନଭେମ୍ବର ୧୪ ତାରିଖରେ ହେବ।