spot_img
Home Blog Page 3469

ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର : ଆଜି ସାରା ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୫୦ ଟି କଣ୍ଟିଜେଣ୍ଟ ମଧ୍ୟରେ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଏକ ପୋଲିସ ଟ୍ରୁପ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ଏହାସହ ଓଡିଶା ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ଼, ସ୍କେଟିଂ ଏକାଡେମୀ ପକ୍ଷରୁ ପିଲାଙ୍କ ସ୍କେଟିଂ ଖେଳର କୌଶଳ ପ୍ରଦର୍ଶିତ ହେବ । ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ, ପଶୁ ନୃତ୍ୟକୁ ନେଇ 4ଟି ଦଳକୁ ଏଥର ସାମିଲ କରାଯାଇଛି । ପରେଡର ନେତୃତ୍ବ ନେବେ କେସିଙ୍ଗା SDPO ୟସ୍ ପ୍ରତାପ ଶ୍ରୀମାଲ ।

ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨୦୦ବଛା ବଛା ପୋଲିସ ଅଧିକାରୀଙ୍କୁ ସାଦା ପୋଷାକରେ ନିୟୋଜିତ କରାଯାଇଛି । ଗାନ୍ଧିମାର୍ଗକୁ ତ୍ରୀସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯିବ ସହ ସିସିଟିଭିରେ ନଜର ରଖାଯାଇଛି ।

ଆଜି ସରସ୍ବତୀ ପୂଜା : ଶିକ୍ଷାନୁଷ୍ଠାନରେ ଚାଲିଛି ମା’ ବାଗଦେବୀଙ୍କ ପୂଜା

ଭୁବନେଶ୍ବର : ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ । ସ୍ବେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ଦୁଇବର୍ଷର କରୋନା କଟକଣା ପରେ ଏବର୍ଷ ସବୁଠି ଧୁମଧାମରେ ମାଆଙ୍କର ପୂଜାର୍ଚ୍ଚନା କରାଯାଉଛି ।

ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ, ପ୍ରଥମ ଥର କର୍ତ୍ତବ୍ୟ ପଥରେ ହେବ ଭବ୍ୟ ପରେଡ୍

ନୂଆଦିଲ୍ଲୀ : ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ରର ମହାପର୍ବ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏହାସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଯାହାକୁ ଭାରତବର୍ଷ ସାଧାରଣତନ୍ତ୍ର ଦିବସ ରୂପେ ଏହି ଦିନକୁ ପାଳନ କରିଆସୁଛି ।

ଆଜି ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେଉଛି ଗଣତନ୍ତ୍ର ଦିବସ ଭବ୍ୟ ପରେଡ୍ । ଅତିଥି ଭାବେ ମଞ୍ଚ ମଣ୍ଡନ କରିବେ ଇଜିପଟ ରାଷ୍ଟ୍ରପତି ଅବଦେଲ ଫତହ ଏଲ୍-ସିସି । ଇଜିପଟର ସମ୍ମାନାର୍ଥେ ଦେଶର ଏକ କଣ୍ଟିଜେଣ୍ଟ ପରେଡରେ ସାମିଲ ହେବ ।

ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ନାରୀ ଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହେବେ ମହିଳା ଯବାନ। ନାଭାଲ କଣ୍ଟିଜେଣ୍ଟର ଲିଡ୍ ନେବେ ମହିଳା ଅଫିସର। ଆତ୍ମନିର୍ଭର ଭାରତକୁ ଫୋକସ କରାଯାଇଛି। ସ୍ବଦେଶ ଜ୍ଞାନ କୌଶଳରେ ପ୍ରସ୍ତୁତ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯିବ ।

ବାଣପୁରରେ ଚାଞ୍ଚଲ୍ୟ, କଲେଜ ଛାତ୍ରଙ୍କୁ କିଡନାପ କରି ମର୍ଡର

ବାଣପୁର: ବାଣପୁରରେ ଚାଞ୍ଚଲ୍ୟ । କଲେଜ ଛାତ୍ରଙ୍କୁ କିଡନାପ କରି ମର୍ଡର । ବାଣପୁର ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟା । ଛାତ୍ରଙ୍କୁ ମାରି ପରିତ୍ୟକ୍ତ କୂଅରେ ଫୋପାଡ଼ିଦେଲେ ଅଭିଯୁକ୍ତ । ମୃତକ ହେଲେ ବଡ଼ହନ୍ତୁଆଡ଼ ଗାଁ ଖମାର ସାହିର ଆଶୁତୋଷ ମହାପାତ୍ର । ସେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପାଠ ପଢୁଥିଲେ । ଗତ ସୋମବାରଠୁ ନିଖୋଜ ଥିଲେ ଆଶୁତୋଷ ।

ଦୁର୍ବୃତ୍ତ ଅପରହଣ କରିନେଇ ଆଶୁତୋଷଙ୍କ ବାପାଙ୍କୁ ଫୋନ ଯୋଗେ ଟଙ୍କା ମାଗିଥିଲେ । ମୁଣ୍ଡ ଜାମିନ ରଖି ୫ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ । ଏନେଇ ଥାନାରେ ଅଭିଯୋଗ କରିଥିଲେ ଆଶୁତୋଷଙ୍କ ମାଆ । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରିଥିଲା । ଏହି ସମୟରେ ଆଶୁତୋଷଙ୍କୁ ହତ୍ୟା କରି କୂଅରେ ଫୋପାଡ଼ି ଦେଇଥିବା ସ୍ବୀକାର କରିଥିଲା ଅଭିଯୁକ୍ତ । ଦଉଡିରେ ବେକକୁ ଚିପି ହତ୍ୟା କରି କୂଅରେ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ ।

ରାଜ୍ୟସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ, ଗଣତାନ୍ତ୍ରିକ ମର୍ଯ୍ୟାଦା ବଜାୟ ରଖିବାକୁ ଶପଥ କରାଇଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ତ୍ରୟୋଦଶ ଜାତୀୟ ମତଦାତା ଦିବସ ଆଜି ପୂର୍ବାହ୍ନରେ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହକୁ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଜାତୀୟ ମତଦାତା ଦିବସ ପାଳନ ପରିପ୍ରେକ୍ଷୀରେ ଆମେ ଭାରତର ନାଗରିକବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା, ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସୀ ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ରାଜ୍ୟପାଳ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ନାଗରିକଙ୍କୁ ଶପଥ ପାଠ କରାଇଥିଲେ ।

ଆୟୋଜିତ ସାଧାରଣ ସଭାରେ ରାଜ୍ୟପାଳ କହିଥିଲେ ଯେ, ଭୋଟରମାନେ ହେଉଛନ୍ତି ଭାରତର ସମ୍ମାନ । ସେମାନେ ଗଣତନ୍ତ୍ରର ଶକ୍ତ ଓ ସାମର୍ଥ୍ୟ । ସେମାନଙ୍କ ମତଦାନର ମୂଲ୍ୟରେ ଗଣତାନ୍ତ୍ରିକ ଶାସନ ଠିକ୍ ଭାବେ ପରିଚାଳିତ ହୋଇଥାଏ ବୋଲି ପ୍ରକାଶ କରିବା ସହିତ ଭାରତର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଭୋଟରମାନଙ୍କର ଯୋଗଦାନ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ।

ମହଙ୍ଗା ପଡିଲା ଆକ୍ରମଣ, ୟୁପି ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ନନ୍ଦୀଙ୍କୁ ୧ ବର୍ଷ ଜେଲ ଦଣ୍ଡ

ଲକ୍ଷ୍ନୌ: ମହଙ୍ଗା ପଡିଲା ଆକ୍ରମଣ । ଉତ୍ତର ପ୍ରଦେଶର ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ନନ୍ଦୀଙ୍କୁ ୧ ବର୍ଷ ଜେଲଦଣ୍ଡ । ଦଣ୍ଡାଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ଜିଲ୍ଲା କୋର୍ଟ । ୨୦୧୪ରେ ନିର୍ବାଚନ ରାଲିରେ ସମାଜବାଦୀ ପାର୍ଟିର ଜଣେ କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ସେତେବେଳେ ନନ୍ଦ ଗୋପାଳ କଂଗ୍ରେସରେ ଥିଲେ । ମାମଲାର ବିଚାର କରି ସ୍ବତନ୍ତ୍ର ଏମପି-ଏମଏଲଏ କୋର୍ଟ ଆଇପିସିର ଧାର ୧୪୭ ଓ ଧାରା ୩୨୩ ଅନୁସାରେ ନନ୍ଦ ଗୋପାଳଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି ।

ଜେଲ ଦଣ୍ଡାଦେଶ ପାଇବା ପରେ ନନ୍ଦଗୋପାଳଙ୍କୁ ଜାମିନ ମିଳିଛି । ଫଳରେ ସେ ଉପର କୋର୍ଟରେ ଏନେଇ ଆବେଦନ କରିପାରିବେ । ତତକାଳୀନ ସମାଜବାଦୀ ପାର୍ଟି ସରକାର ତାଙ୍କ ବିରୋଧରେ ମିଛ ମାମଲା ରୁଜୁ କରିଥିଲା ବୋଲି କହିଥିଲେ ନନ୍ଦ ଗୋପାଳ ।

ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର, ଓଡ଼ିଶାର ୪ ଜଣଙ୍କୁ ମିଳିବ ପ୍ରଦ୍ମଶ୍ରୀ ସମ୍ମାନ  

ନୂଆଦିଲ୍ଲୀ: ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । କଳା କ୍ଷେତ୍ରରେ ମାଗୁଣି ଚରଣ କୁଅଁରଙ୍କୁ ସମ୍ମାନ ମିଳିବ  । କେନ୍ଦୁଝରରେ ୧୯୩୭ ମସିହା ଫେବୃଆରୀ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମାଗୁଣି ଚରଣ କୁଅଁର । ଏକାଧାରରେ ଜଣେ କଣ୍ଢେଇ ନୃତ୍ୟଗୁରୁ, କାଠ, ମାଟି ଓ ପ୍ରସ୍ତରର ନିଖୁଣ କାରିଗର ହେଉଛନ୍ତି ମାଗୁଣି । ତାଙ୍କୁ ସମସ୍ତେ ନୁନ୍ଦୁ କଣ୍ଢେଇ ଭାବେ ଜାଣନ୍ତି । ସେ ଭଞ୍ଜ ସମ୍ମାନ, ବୁଦ୍ଧ ସମ୍ମାନ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ସେହିପରି ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଓଡ଼ିଆ ସାହିତ୍ୟ,ସଂସ୍କୃତି, ଇତିହାସ , ଭାଷାତତ୍ତ୍ବ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି । ତାଙ୍କର ୩୦ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି  । ୨୦୧୯ ରେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ବଲପୁରର କ୍ରିଷ୍ଣା ପଟେଲ ସମ୍ମାନ ପାଇବେ । କୃଷି କ୍ଷେତ୍ରରେ ଅବଦାନ ପାଇଁ କଳାହାଣ୍ଡିର ପଟ୍ଟାୟତ ସାହୁଙ୍କୁ ସମ୍ମାନ ପ୍ରଦାନ କରାଯିବ । ବିଲୁପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସେ ସଂରକ୍ଷଣ କରନ୍ତି । ୬୫ ଡିସିମିଲ ଜାଗାରେ ୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରି ଲୋକଙ୍କୁ ସେବା ଯୋଗାଇଥାନ୍ତି ।

ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ନନ୍ଦିଘୋଷ ଟିଭି କର୍ମଚାରୀ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗରେ ଶୋକପ୍ରକାଶ କରିଛି ନନ୍ଦିଘୋଷ ଟିଭି । ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ନନ୍ଦିଘୋଷ ଟିଭିର କର୍ମଚାରୀ । ଚିରଞ୍ଜିତଙ୍କ ସହିତ ବିତାଇଥିବା ସମୟକୁ ମନେ ପକାଇଥିଲେ ତାଙ୍କ ସହକର୍ମୀ ଓ ପରିଚିତ ବ୍ୟକ୍ତି । ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର, ସିଓଓ ଜବର ସିଂ ପନଓ୍ବାରଙ୍କ ସମେତ ସମସ୍ତ କର୍ମଚାରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ନିରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ଗତକାଲି ରାତିରେ ଜନ୍ତ୍ରଣା ଅନୁଭବ କରି ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି ହୋଇଥିଲେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ । ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ସକାଳେ ତାଙ୍କର ପରଲୋକ ହୋଇଥିଲା । ଚିରଞ୍ଜିତଙ୍କ ଅକାଳ ମୃତ୍ୟୁ ସମସ୍ତ ସାମ୍ବାଦିକ ଓ ଓକିଲମାନଙ୍କୁ ମର୍ମାହତ କରିଛି । ଶେଷ ଦର୍ଶନ ପରେ ତାଙ୍କ ମର ଶରୀରକୁ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇ ଅନ୍ତିମ ସଂସ୍କାର କରାଯାଇଛି ।

ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ସଂଗ୍ରାମୀ ଓ ସହିଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଦାସ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ମା ରମାଦେବୀ, ସହିଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ନବୀନ ପଟ୍ଟନାୟକ ।

ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦମାନଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ । ଆମ ଗଣତନ୍ତ୍ରର ଆତ୍ମା । ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ । ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇ ଚାଲିଛି ।

ବିଶ୍ବକପ୍‌ ହକିର ମାହୋଲ ଏବେ ସାରା ରାଜ୍ୟକୁ ଉତ୍ସବ ମୁଖର କରିଛି । ଏହାରି ଭିତରେ ଆମେ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ସାରା ବିଶ୍ବର ନଜର ଏବେ ଓଡ଼ିଶା ଉପରେ ରହିଛି । ଦୁଇ ଦୁଇ ଥର ଆମେ ବିଶ୍ବକପ୍‌ ହକି ସଫଳତାର ସହ ଆୟୋଜନ କରିଛୁ । ଏହା ସାରା ଦେଶ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର କଥା ।

କେବଳ କ୍ରୀଡା ନୁହେଁ, ଆମର ଶିଳ୍ପ ବିକାଶର ଯାତ୍ରା – ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓ ୧୦ ଲକ୍ଷ ନିଯୁକ୍ତି ସୁଯୋଗ । ଆମର ମା’ ମାନଙ୍କ ସଫଳତାର କାହାଣୀ – self help groupରୁ small & medium entrepreneur ହେବାର ସୁଯୋଗ । ସେହିପରି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆମର ପ୍ରତିବଦ୍ଧତା- 5T ସ୍କୁଲ ଟ୍ରାନ୍ସଫରମେସନ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କରାଯାଇଛି ।

ସେହିପରି ଚାଷୀଭାଇଙ୍କ କଲ୍ୟାଣ ଓ ସଶକ୍ତିକରଣ- କାଳିଆ, ବଳରାମ ଯୋଜନା ଓ ମିଲେଟ୍‌ ମିଶନ କରାଯାଇଛି । ଏସବୁ ଆମ ପାଇଁ ନୂଆ ପରିଚୟ ସୃଷ୍ଟି କରିଛି । ଜନମାନସରେ ଏବେ ପରିବର୍ତ୍ତନ ଆସିଛି । ଓଡ଼ିଶାର ବିକାଶ ଧାରା ଦ୍ରୁତ ଭାବରେ ଆଗକୁ ବଢୁଛି । ରାଜନୀତି ନୁହେଁ, ବିକାଶର ବିଭିନ୍ନ ଦିଗ ଉପରେ ଏବେ ଲୋକମାନେ ଗୁରୁତ୍ବ ଦେଉଛନ୍ତି ।

ସବୁ ବର୍ଗ ମଧ୍ୟରେ ନୂଆ ଉତ୍ସାହ ଆସିଛି । ନିଜ ପାଇଁ, ସମାଜ ପାଇଁ କିଛି କରିବାର ଇଛା ବୃଦ୍ଧି ପାଇଛି । ଆମର ସାମର୍ଥ୍ୟ ଉପରେ ଭରସା ବଢିଛି । ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଓଡ଼ିଶା ଉଦ୍ୟମ ଜାରି ରଖିଛି, ଏହା ହିଁ ରୂପାନ୍ତର । ସାଢେ ଚାରି କୋଟି ଓଡ଼ିଶାବାସୀ, ସମସ୍ତେ ଜଣେ ଜଣେ ହେଉଛନ୍ତି ଏ ରୂପାନ୍ତରର ସାରଥୀ । ଏହି ଉତ୍ସାହ ନେଇ ଆମେ ଆଗକୁ ବଢିଲେ ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଶହେ ବର୍ଷ ପୂର୍ତ୍ତି ବେଳକୁ ଏକ ସଶକ୍ତ ଓଡ଼ିଶାର ସ୍ବପ୍ନ ନିଶ୍ଚୟ ସାକାର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର, ୧୦୬ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ୬ ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ, ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କ୍ରୀଷ୍ଣାଙ୍କୁ ମିଳିବ ପଦ୍ମ ବିଭୂଷଣ ପୁରସ୍କାର । ସେହିପରି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ମରୋଣତ୍ତର ଭାବେ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ । ସେହିପରି ୯ ଜଣ ପାଇବେ ପଦ୍ମଭୂଷଣ ପୁରସ୍କାର । ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସୁଧାମୂର୍ତ୍ତିଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ସୁଧାମୂର୍ତ୍ତି ହେଉଛନ୍ତି ଇନଫୋସିସର ସହ ପ୍ରତିଷ୍ଠାତା । ଶିଳ୍ପ କ୍ଷେତ୍ରରେ ଅବଦାନ ପାଇଁ କୁମାର ମଙ୍ଗଳମ ବିର୍ଲାଙ୍କୁ ମିଳିବ ପଦ୍ମ ଭୂଷଣ ସମ୍ମାନ । ସେହିପରି ୯୧ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ । ଅଭିନେତ୍ରୀ ରବିନା ଟଣ୍ଡନ ପାଇବେ ପଦ୍ମଶ୍ରୀ ପୁରସ୍କାର  ।