ତାତିରୁ ମିଳିବ ତ୍ରାହି, ଆଜିଠୁ ୫ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ତାତିରୁ ମିଳିବ ତ୍ରାହି । ଦକ୍ଷିଣ ଓ ଉତ୍ତର ଉପକୂଳ ଓଡିଶାକୁ ତାତିରୁ ମିଳିବ ଆଶ୍ବସ୍ତି ତେବେ ଆଭ୍ୟନ୍ତରୀଣ ଓଡିଶାରେ ପାରଦ ବୃଦ୍ଧିହେବ । ଆଜିଠୁ ୫ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ପ୍ରଭାବରେ ସ୍ବାଭାବିକ ଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବଙ୍ଗୋପସାଗରରୁ ଓଡ଼ିଶାକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ପାଗ ବଦଳିଛି । ଅଧିକାଂଶ ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ ତାପମାତ୍ରା କମିଛି । ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ସହ ମୋଟ୍ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାତି କମିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଅନୁଭୁତ ହୋଇଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ କମିଥିଲେ ମଧ୍ୟ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ଲୋକେ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କାଳବୈଶାଖୀ ସମ୍ଭାବନା ଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୪୧ ଡିଗ୍ରୀ ଉପରେ ରହିଥିଲା ୧୦ ସହରର ତାପମାତ୍ରା । ବିଶ୍ବର ୧୫ ଉତ୍ତପ୍ତ ସହର ତାଲିକାରେ ରହିଥିଲା ଓଡ଼ିଶାର ୨ ସହର । ସର୍ବାଧିକ ୪୩ ଡିଗ୍ରୀ ସହ ବିଶ୍ବର ସପ୍ତମ ଉତ୍ତପ୍ତ ସହର ହୋଇଥିଲା ଝାରସୁଗୁଡ଼ା  । ସେହିପରି ୪୨.୫ ଡିଗ୍ରୀ ସହ ବାରିପଦା ବିଶ୍ବର ୧୩ ନମ୍ବର ଉତ୍ତପ୍ତ ସହର ହୋଇଥିଲା ।