ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଆଉ ଏକ ଝଟକା । ଜେଲରୁ ଏବେ ବି ବାହାରି ପାରିବେନି ସିସୋଦିଆ । ମନିଷ ସିସୋଦିଆ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ ଦାଖଲ କରିଥିଲେ । ହେଲେ ମନିଷ ସିସୋଦିଆଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । ରାଉଜ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ (ସିବିଆଇ) ଏମକେ ନାଗପିଳ ମନିଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ରାଉଜ ଆଭେନ୍ୟୁ କୋର୍ଟରୁ ଜାମିନ ଆବେଦନ ଖାରଜ ପରେ ଏବେ ମନିଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟ ଯିବେ । ସୂଚନାଥାଉକି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ୨୬ ଫେବ୍ରୁଆରୀରେ ଗିରଫ କରିଥିଲା । ସିବିଆଇ ମନିଷ ସିସୋଦିଆଙ୍କୁ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗିରଫ କରିଥିଲା ।
କୋଟିଏ ଟଙ୍କାର ବଟି ମାଗିବା ଘଟଣାରେ ବନ୍ଧା ହେଲେ ୨ ଲେଡି ଡନ
ଭୁବନେଶ୍ବର: ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ମାଗିବା ଘଟଣାରେ ଭଙ୍ଗାରୁଜା କରିଥିବା ୨ ଜଣ ଲେଡି ଡନଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଦୁଇ ଲେଡି ଡନଙ୍କ ଘର ଲକ୍ଷ୍ମୀସାଗର ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ଏହି ମାମଲାରେ ଗତକାଲି ୭ ଜଣ ଜମି ପୋଜେସନ ମାଫିଆଙ୍କୁ ବାନ୍ଧିଥିଲା ନୟାପଲ୍ଲୀ ପୋଲିସ ।
ପ୍ରେସିଡେନ୍ସି ହୋଟେଲ ପଛରେ ଏକ ବିବାଦୀୟ ଜମିକୁ ଏମାନେ ପୋଜେସନ ନେଉଥିଲେ । ପୋଜେସନ ନେବା ପାଇଁ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ୨୫ ତାରିଖରେ ଏ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବଳିଆର ସିଂ ଓ ଆଶିଷ ରାୟ ।
ନକୁଳ ମହାକୁଡ଼ ନାଁ ରେ ପୂର୍ବରୁ NSA ଲାଗିଥିଲା । ମାଷ୍ଟରମାଇଣ୍ଡ ଝାରପଡାର ରାଘବ ଜେନା ଏବେ ବି ଫେରାର ଅଛି । ରାଘବ ଓ କୋ’ ମହିଳାଙ୍କୁ ଢାଲ କରି ଜମି ପୋଜେସନ ଗ୍ୟାଙ୍ଗ ଚଳାଇଥିଲେ ।
୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ କାଳିଆ କିସ୍ତି, ଝାରସୁଗୁଡାକୁ ବାଦ୍ ଦେଲେ ସରକାର
ଭୁବନେଶ୍ବର: ଉତ୍କଳ ଦିବସରେ ମିଳିବ କାଳିଆ କିସ୍ତି । ଆସନ୍ତାକାଲି ଉତ୍କଳ ଦିବସରେ ଚାଷୀମାନଙ୍କୁ କାଳିଆ କିସ୍ତି ଅର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ । ଭିସି ମାଧ୍ୟମରେ ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରାଯିବ । ତେବେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷିତ ହୋଇନଥିବାରୁ ଏହି ଜିଲ୍ଲାର ହିତାଧିକାରୀଙ୍କୁ କିସ୍ତି ରାଶି ଉପନିର୍ବାଚନ ପରେ ପ୍ରଦାନ କରାଯିବ ।
୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୨ଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି । କାଳିଆ ଯୋଜନାର ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।
ଲଡ଼ୁରୁ ଆୟ ୫ଶହ କୋଟି, ବ୍ୟାଙ୍କରେ ଅଛି ୧୦ ଟନ୍ ସୁନା- ୧୬ ହଜାର କୋଟି ଟଙ୍କା
ନନ୍ଦିଘୋଷ ବ୍ୟୁରୋ: ଲଡୁରୁ କୋଟି କୋଟି ଆୟ। ମନ୍ଦିରକୁ ଧନୀ କରୁଛି ଲଡୁ। ଭାରତରେ ରହିଛି ଅନେକ ପ୍ରସିଦ୍ଧ ମନ୍ଦିର । ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାର ତିରୁମାଳ ପର୍ବତରେ ଅବସ୍ଥିତ ତିରୁପତି ବାଲାଜୀଙ୍କ ମନ୍ଦିର। ଏଠାରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ତିରୁପତି ମନ୍ଦିରକୁ ଭାରତର ସବୁଠାରୁ ଧନୀ ମନ୍ଦିର ବୋଲି କୁହାଯାଏ। ଏଠାରେ ତିରୁପତି ବାଲାଜୀଙ୍କ ମୂର୍ତ୍ତିକୁ ଭେଙ୍କଟେଶ୍ୱର ସ୍ୱାମୀ କୁହାଯାଇଥାଏ। ଏହା ଭାରତର ମୁଖ୍ୟ ତୀର୍ଥ ସ୍ଥଳରୁ ଗୋଟିଏ। ତେବେ ଏହି ମନ୍ଦିରକୁ କାହିଁକି ଧନୀ ମନ୍ଦିର ବୋଲି କୁହାଯାଏ, ତାହା ଆପଣ ଜାଣିଛନ୍ତି କି? ତେବେ ଚାଲନ୍ତୁ ଜାଣିବା ଏହି ମନ୍ଦିର ସମ୍ବନ୍ଧରେ କିଛି ଅଲୌକିକ କାହାଣୀ।

ଭେଙ୍କଟେଶ୍ୱର ସ୍ୱାମୀଙ୍କ ପାଖରେ ଲଡୁ ଭୋଗ ଲାଗି ହୋଇଥାଏ। ଏହି ପ୍ରସାଦ ପାଇବା ପାଇଁ ଲୋକଙ୍କ ଭିତରେ ନାହିଁ ନଥିବା ଭିଡ ଦେଖିବାକୁ ମିଳେ । ସୂଚନା ଅନୁଯାୟୀ, ଚଳିତ ବର୍ଷ ଲଡୁରୁ ବାର୍ଷିକ ଆୟ ୫ଶହ କୋଟି ଟଙ୍କା ମିଳିପାରେ। ଏହାସହ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଶ୍ରଦ୍ଧାଳୁମାନେ ଏଠି ସୁନା, ରୂପା, ହୀରା, ଟଙ୍କା ଆଦି ଦାନ କରିଥାନ୍ତି । ବର୍ତ୍ତମାନ ବ୍ୟାଙ୍କରେ ମନ୍ଦିରର ୧୦ ଟନରୁ ଅଧିକ ସୁନା ଥିବା ବେଳେ ୧୬ ହଜାର କୋଟି ଟଙ୍କା ଅର୍ଥ ରାଶି ଜମା ହୋଇଛି।

କୁହାଯାଏ ଯେ, ତିରୁପତି ମନ୍ଦିରରେ ଭେଙ୍କଟେଶ୍ୱର ସ୍ୱାମୀଙ୍କ ରୂପରେ ସ୍ବୟଂ ବିଷ୍ଣୁ ବିରାଜମାନ ଅଛନ୍ତି । ଧାର୍ମିକ ମାନ୍ୟତା ଅନୁସାରେ, ମାତା ଲକ୍ଷ୍ମୀ ମଧ୍ୟ ଭଗବାନଙ୍କ ଏହି ରୂପରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି କାରଣ ଯୋଗୁଁ ପ୍ରଭୁଙ୍କୁ ଉଭୟ ପୁରୁଷ-ସ୍ତ୍ରୀଙ୍କ ପୋଷାକ ପରିଧାନ କରାଯାଇଥାଏ। ଭକ୍ତ ଏଠି ନିଜ ମନସ୍କାମନା ପୂରଣ ପାଇଁ ମୁଣ୍ଡନ କରିଥାନ୍ତି।

ବାଲିଜୀ ମନ୍ଦିରର ଅନେକ ରୋଚକ ତଥ୍ୟ ରହିଛି । ସେଥି ମଧ୍ୟରୁ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଉପରେ ଯେଉଁ ଚୁଟି ଲାଗିଛି, ତାହା ଅସଲି ଏବଂ ଏହା କେବେବି ଅଡୁଆ ହୁଏ ନାହିଁ ବୋଲି କୁହାଯାଏ । ମାନ୍ୟତା ଅଛି ଯେ, ଭଗବାନଙ୍କ ମୂର୍ତ୍ତିରୁ ଝାଳ ବାହାରିଥାଏ । ଏଥିପାଇଁ ମନ୍ଦିରର ଗର୍ଭଗୃହରେ ତାପମାତ୍ରା କମ୍ ରଖାଯାଇଥାଏ।

ମନ୍ଦିର ଠାରୁ କିଛି ଦୂରରେ ଏକ ଗାଁ ରହିଛି । ସେହି ଗାଁର ଲୋକେ ଶୃଙ୍ଖଳିତ ଏବଂ ଅନୁଶାସିତ ଜୀବନଯାପନ କରିଥାନ୍ତି । ଏହି ଗାଁକୁ ବାହାର ଲୋକ ପ୍ରବେଶ କରିପାରିବେ ନାହିଁ । ଏହା ଉପରେ ନିଷେଦ୍ଧାଦେଶ ରହିଛି । ପ୍ରଭୁଙ୍କ ପାଖରେ ଲାଗି କରାଯାଉଥିବା କଦଳୀ, କ୍ଷୀର, ଦହି, ସର ଆଦି ଏହି ଗାଁରୁ ଆସିଥାଏ । କୁହାଯାଏ ଯେ, ମନ୍ଦିରରେ ସବୁବେଳେ ଗୋଟିଏ ଦୀପ ଜଳି ରହିଥାଏ । ଏଥିରେ କେହି କେବେ ତେଲ କିମ୍ବା ଘିଅ ଢାଳି ନଥାନ୍ତି, ଦୀପ ମନକୁ ଜଳିରହୁଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏକଥା କେହି ଜାଣି ନହାନ୍ତି ଏହି ଦୀପ କେବେଠୁ ଜଳୁଛି ଓ କିଏ ଲଗାଇଛି ।
ମାଗଣା ଅଟା ବଣ୍ଟା ବେଳେ ଦଳାଚକଟାରେ ୧୧ ମୃତ
ଇସଲାମାବାଦ: ପାକିସ୍ତାନରେ ଅଟା ପାଇଁ ଏମର୍ଜେନ୍ସି । ଦେଶରେ ଭୟଙ୍କର ଆର୍ଥିକ ସଙ୍କଟ ଭିତରେ ଆକାଶ ଛୁଆଁ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ଗରିବ ଲୋକଙ୍କୁ ସରକାର ମାଗଣାରେ ଅଟା ବାଣ୍ଟୁଥିବା ବେଳେ ଦଳାଚକଟାରେ ୧୧ଜଣଙ୍କ ମୃତ୍ୟୁହୋଇଛି । ସାହିବାଲ, ବହାବଲପୁର, ମୁଜାଫରଗଡ଼ରେ ଦୁଇ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି ।
ଟ୍ରକରେ ଅଟା ପ୍ୟାକେଟ ଭର୍ତ୍ତି କରାଯାଇ ବାଣ୍ଟିବାକୁ ନେଉଥିବା ବେଳେ ଲୁଟ ହେବା ଆଶଙ୍କାରେ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି । ପଞ୍ଜାବରେ ଅଟା କିଲୋଗ୍ରାମ ୧୪୫ରୁ ୧୬୦ ଟଙ୍କା ଛୁଇଁଛି । ହେଲେ ଖେବର, ବାଲୁଚିସ୍ତାନ ପ୍ରାନ୍ତରେ ଦର ଆହୁରି ଅଧିକ ରହିଛି । ଦେଶରେ ଅଟା ସଙ୍କଟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ଦାୟୀ କରୁଥିବା ବେଳେ ଋଷ-ୟୁକ୍ରେନ ଯୁଦ୍ଧ ଓ ୨୦୨୨ରେ ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଏବଂ ଆଫଗାନିସ୍ତାନରେ ଗହମ ଚୋରାଚାଲାଣ ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ବିଶେଷଜ୍ଞ କହିଛନ୍ତି ।
ବିଦେଶର ଋଣ ବୋଝରେ ବୁଡିଥିବା ପାକିସ୍ତାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ୧୨୦ ଆରବ ଡଲାରର ଋଷ ବୋଝ ପାକିସ୍ତାନ ଉପରେ ରହିଥିବା ବେଳେ ମାତ୍ର ୩ ଆରବ ଡଲାର ବିଦେଶୀ ମୁଦ୍ରା ରାଜକୋଷରେ ରହିଛି । ସାଧାରଣ ଲୋକ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶ ଛୁଆଁ ଦରରେ କିଣୁଥିବା ବେଳେ ନେତା, ମନ୍ତ୍ରୀମାନେ ଆର୍ଥିକ ସହାୟତା ବିଦେଶ ଗସ୍ତ ଜାରି ରଖିଛନ୍ତି ।
ବିଏସକେୱାଇ କାର୍ଡ ଅନିୟମିତତା ପ୍ରସଙ୍ଗ : ୨ ଅଧିକାରୀ ଗିରଫ
ଭୁବନେଶ୍ବର : ବିଏସକେୱାଇ କାର୍ଡ ଅନିୟମିତତା ପ୍ରସଙ୍ଗ । ସାଲେପୁର ଘରୋଇ ହସ୍ପିଟାଲର ୨ଜଣ ଅଧିକାରୀଙ୍କୁ ଗିରଫ କଲା ମଧୁପାଟଣା ପୋଲିସ । ଘଟଣାରେ ସମ୍ପୃକ୍ତ ଜେମ କେୟାର ହସ୍ପିଟାଲ ମାଲିକ ଡାକ୍ତର ଚିନ୍ମୟ ସାହୁ ସମେତ ୩ଜଣ ଫେରାର ।
ଡାକ୍ତର ଚିନ୍ମୟ ସାଲେପୁର ଶୋଭା ନର୍ସିହୋମରେ କୁନି ପାତ୍ରଙ୍କ କାର୍ଡ ସ୍ୱାବ କରି ଜେମ କେୟାରରେ ଷ୍ଟୋନ ଅପରେସନ କରାଇଥିଲେ । ଡିସଚାର୍ଜ ପରେ ରୋଗୀ ଅସହ୍ୟ ଯନ୍ତ୍ରଣା ପାଇଁ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ୬ ମାର୍ଚ୍ଚ ରାତିରେ କୁନିଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମଧୁପାଟଣା ଥାନାରେ ଏତଲା ହୋଇଥଲା ।

