ଆଜି ବିଶ୍ବ  ଯକୃତ ଦିବସ : ସଚେତନ ରହନ୍ତୁ, ନିୟମିତ ଯକୃତର ଯାଞ୍ଚ କରାନ୍ତୁ

ନୂଆଦିଲ୍ଲୀ :  ଆଜି ବିଶ୍ବ  ଯକୃତ ଦିବସ ।  ପ୍ରତିବର୍ଷ ଏପ୍ରିଲ୍ ୧୯ ତାରିଖକୁ ବିଶ୍ବ ଯକୃତ ଦିବସ ଭାବେ ପାଳନ କରାଯାଏ। ଯକୃତକୁ ସୁସ୍ଥ ରଖିବା ତଥା ଏହା ସମ୍ବନ୍ଧୀୟ ବିଭିନ୍ନ ରୋଗ ବାବଦରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ।

ଯକୃତ ବିନା ଜୀବନଧାରଣ କରିବା ସମ୍ଭବ ନୁହେଁ। ମସ୍ତିଷ୍କ ପରେ ଏହା ହେଉଛି ଶରୀରର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଓ ଜଟିଳ ଅଙ୍ଗ। ଏହା ପାଚନକ୍ରିୟାରେ ସାହାଯ୍ୟ କରିଥାଏ। ଖାଦ୍ୟକୁ ହଜମ କରାଇବା ସହ ଶରୀରରେ ପିତ୍ତ ସୃଷ୍ଟି ମଧ୍ୟ କରିଥାଏ। ଶରୀରର ବିଷାକ୍ତ ପଦାର୍ଥକୁ ଏହା ବାହାରକୁ ନିଷ୍କାସିତ କରିଥାଏ। ଯକୃତ ଶରୀରରେ ସଂକ୍ରମଣକୁ ରୋକିବା ସହ, ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ, ଶରୀରରେ ଚର୍ବି କମ୍‌ କରିବା ସହ ପ୍ରୋଟିନ ତିଆରି କରିବାରେ ସାହାଯ୍ୟ କରେ।

ଏସବୁ ଦୃଷ୍ଟିରୁ ଯକୃତକୁ ସୁସ୍ଥ ରଖିବା ନିହାତି ଜରୁରି। ତେବେ ଉପଯୁକ୍ତ ଖାଦ୍ୟପାନୀୟ ଉପରେ ଧ୍ୟାନ ନ ଦେବା ଦ୍ବାରା ଯକୃତ ଶୀଘ୍ର ଖରାପ ହୋଇଥାଏ। ଅତ୍ୟଧିକ ମଦ୍ୟପାନ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ଯୋଗୁଁ ମଧ୍ୟ ଯକୃତ ନଷ୍ଟ ହୋଇଯାଇଥାଏ । ଯକୃତ ଖରାପ ହୋଇଗଲେ ପ୍ରତିରୋପଣ ବ୍ୟତୀତ ଅନ୍ୟ ଉପାୟ ନାହିଁ। ଏଣୁ ଏ ଦୃଷ୍ଟିରୁ ଯକୃତକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଆହାର ଖାଇବା ସହ ନିୟମିତ ଯୋଗ, ବ୍ୟାୟାମ ଉପରେ ସମସ୍ତଙ୍କୁ ଗୁରୁତ୍ବ ଦେବା ଦରକାର। ଏହାବାଦ୍‌ ଖାଦ୍ୟରେ ଅଲିଭ୍‌ ତେଲ ସେବନ କରିବା, ନିୟମିତ ହଳଦି ଓ ରସୁଣ ଖାଇବା, ସେଓ, ଅଙ୍ଗୁର, ଅଖୋରାଟ୍‌ ସହ କାକମାଚି,ଆଖୁରସ, ଭୂଇଁଅଁଳା, ଶ୍ବେତ କୁରୁଣୀ ରସ ତଥା ସବୁଜ ପନିପରିବା ଖାଇ ଯକୃତକୁ ସୁସ୍ଥ ରଖିହେବ।