ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ ; ଗୁରୁଜଙ୍ଗରେ ଉଦଘାଟିତ ହେବ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର

ଖୋର୍ଦ୍ଧା :  ରାଜ୍ୟର ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ । ଖୋର୍ଦ୍ଧା ଗୁରୁଜଙ୍ଗରେ ଉଦଘାଟିତ ହେବ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର । ଆଜି ଖୋର୍ଦ୍ଧା ଗସ୍ତରେ ଯାଇ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗୁରୁଜଙ୍ଗରେ ୧୯୪୧ ମସିହାରେ ପ୍ରତିଷ୍ଠିତ ପ୍ରାଥମିକ ଶିକ୍ଷା କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ସେଠାରେ ଗଢିଉଠିଛି  ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର । ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏଠାରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରସ୍ତୁତ ହେବ । ସେ ସଂପର୍କରେ ଗବେଷଣା ତାଲିମ କେନ୍ଦ୍ର ମଧ୍ୟ ଚାଲିବ ।

ରାଜ୍ୟ ସରକାରଙ୍କ ସହଯୋଗରେ ଏହାର ପ୍ରତିଷ୍ଠା ହୋଇଥିବାବେଳେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ପରେ ଏକ ସାଧାରଣ ସଭାରେ ଯୋଗଦେବେ ନବୀନ । ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ୍, ଓ୍ବିଲଚେୟାର ଆଦି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି  । ନବୀନଙ୍କ ଗସ୍ତକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଖୋର୍ଦ୍ଧାବାସୀ  । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ  ।