spot_img
Home Blog Page 33

ମରଣଯନ୍ତା ପାଲଟିଛି ଏନଏଚ୍-୫୭, ବଢୁଛି ଦୁର୍ଘଟଣା ଭୟ

ନନ୍ଦିଘୋଷ ବ୍ୟୁରୋ : ମରଣଯନ୍ତା ପାଲଟିଛି ରାସ୍ତା। ଦିନକୁ ଦିନ ବଢୁଛି ଦୁର୍ଘଟଣା ଭୟ। ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ଏନଏଚ୍-୫୭ର ଦୁରାବସ୍ଥା ଏବେ ଯାତ୍ରୀଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ରାସ୍ତା ସାରା ବଡ଼ ବଡ଼ ଖାଲ। କେଉଁଠି ମେଟାଲ ବାହାରି ପଡ଼ିଛି ତ ଆଉ କେଉଁଠି ଖାଲରେ ଜମି ରହିଛି ପାଣି। ଫଳରେ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଉଡୁଥିବା ଧୂଳିରେ ଯାତ୍ରୀ ଆକ୍ତାମାକ୍ତା ହେଉଥିବା ବେଳେ ରାସ୍ତାକଡ଼ରେ ବଢ଼ିଥିବା ଗଛଲତା ଦୃଶ୍ୟମାନତାକୁ ମଧ୍ୟ ପ୍ରଭାବିତ କରୁଛି। ଏହାସାଙ୍ଗକୁ ରାଜପଥ ଉପରେ ବେଆଇନ ପାର୍କିଂ ସମସ୍ୟାକୁ ଆହୁରି ଜଟିଳ କରୁଛି। ଫଳରେ ଏହି ରାସ୍ତାରେ ଦୁର୍ଘଟଣାର ଆଶଙ୍କା ବଢ଼ିବାରେ ଲାଗିଛି। ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚେକିଂ ଓ ସଚେତନତା ଅଭିଯାନ କରାଯାଉଛି। ଜିଲ୍ଲାର ୧୧ଟି ସ୍ଥାନକୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ ମଧ୍ୟ କରାଯାଇଛି। ତେବେ ଯେତେବେଳେ ରାସ୍ତା ନିଜେ ବିପଦର କାରଣ ପାଲଟିଛି, ସେତେବେଳେ କେବଳ ଚେକିଂ ଓ ସଚେତନତା ମାଧ୍ୟମରେ କେତେ ଦୁର୍ଘଟଣା ରୋକାଯାଇପାରିବ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଦୁର୍ଘଟଣା ରୋକିବା ପାଇଁ ସଚେତନତା ସହ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ପରିବହନ ବିଭାଗ କହିଛି। ପ୍ରଶାସନ ମଧ୍ୟ ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ପଦକ୍ଷେପ ନେଉଛି। କିନ୍ତୁ ଏନଏଚ୍-୫୭ର ମରାମତି ଓ ରକ୍ଷଣାବେକ୍ଷଣ ଦିଗରେ ଆବଶ୍ୟକ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହେଉଛି। ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନ। ବାରମ୍ବାର ବୈଠକ ହେଉଥିଲେ ମଧ୍ୟ ରାସ୍ତାର ଚିତ୍ର ବଦଳୁନାହିଁ। ଏଭଳି ସ୍ଥିତିରେ ଆଉ କେତେ ଜୀବନ ଗଲେ ଏନଏଚ୍-୫୭ର ଅବସ୍ଥା ସୁଧୁରିବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସେପଟେ ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି। ତେବେ ରାସ୍ତାର ଦୁରାବସ୍ଥା ଦୂର କରିବା ସହ ତୁରନ୍ତ ମରାମତି ଓ ରକ୍ଷଣାବେକ୍ଷଣ କରାଯିବାକୁ ଦାବି ହେଉଛି।

ନିଜେ ଅସୁରକ୍ଷିତ, ଅନ୍ୟଙ୍କୁ ଦେଉଛନ୍ତି ସୁରକ୍ଷା! ବିପଦସଙ୍କୁଳ କୋଠାରେ ପୋଲିସ

ନନ୍ଦିଘୋଷ ବ୍ୟୁରୋ : ବାହାରେ ଚକାଚକ୍‌, ହେଲେ ଭିତରେ ବିପଦ। ବିପଦସଙ୍କୁଳ କୋଠାରେ ଚାଲିଛି ପୋଲିସ ଏଡ୍ ପୋଷ୍ଟ। ଦୀର୍ଘ ଦିନ ଧରି ଏଭଳି ଅସୁରକ୍ଷିତ ପରିବେଶରେ ଡ୍ୟୁଟି କରୁଛନ୍ତି ପୋଲିସ କର୍ମଚାରୀ। ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏହି ଏଡ୍ ପୋଷ୍ଟର ଅବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, କର୍ମଚାରୀ, ରୋଗୀ ଓ ସେମାନଙ୍କ ପରିଜନଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ପୋଲିସ କର୍ମଚାରୀମାନେ ନିଜେ ଏବେ ଅସୁରକ୍ଷିତ ଅବସ୍ଥାରେ ଡ୍ୟୁଟି କରୁଛନ୍ତି। କୋଠାର ବିଭିନ୍ନ ସ୍ଥାନରେ ଦୁର୍ବଳତା ଦେଖାଦେଇଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବା ଆଶଙ୍କା ରହିଛି। ଏହି ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ଚିଠି ଲେଖାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ କୁମାର ଜେନା ମଧ୍ୟ ଏନେଇ ପୂର୍ତ୍ତ ବିଭାଗକୁ ଚିଠି ଦେଇଥିବା କହିଛନ୍ତି। ତେବେ ବାରମ୍ବାର ଚିଠି ସତ୍ତ୍ୱେ ପୂର୍ତ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।

ନିକଟରେ ଦିଲ୍ଲୀରେ ଏକ କୋଠା ଭୁଶୁଡ଼ିବା ପରେ ରାଜ୍ୟର ବିପଦସଙ୍କୁଳ କୋଠାଗୁଡ଼ିକର ସ୍ଥିତି ଯାଞ୍ଚ ଓ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଭଳି ସ୍ଥିତିରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିପଦସଙ୍କୁଳ ପୋଲିସ ଏଡ୍ ପୋଷ୍ଟ ପ୍ରତି ପୂର୍ତ୍ତ ବିଭାଗ କାହିଁକି ଗୁରୁତ୍ୱ ଦେଉନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଅଘଟଣ ଘଟିବା ପୂର୍ବରୁ ଏହି କୋଠାର ମରାମତି କିମ୍ବା ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହେଉଛି।

ପରସ୍ପରକୁ ଜାବୁଡ଼ି ଧରି ବଞ୍ଚିଛନ୍ତି ୫ ଅନାଥ ଓରାଙ୍ଗଉଟାନ, ନନ୍ଦନକାନନରେ ନୂଆ ମା’କୁ ଅପେକ୍ଷା

ନନ୍ଦିଘୋଷ ବ୍ୟୁରୋ : ନନ୍ଦନକାନନରୁ ଆସିଛି ହୃଦୟସ୍ପର୍ଶୀ ଚିତ୍ର। ପରସ୍ପରକୁ ଜାବୁଡ଼ି ଧରି ବଞ୍ଚିଛନ୍ତି ୫ ଅନାଥ ଓରାଙ୍ଗଉଟାନ। ବାଲେଶ୍ୱରରୁ ଉଦ୍ଧାର ହେବା ଦିନଠାରୁ ପରସ୍ପରର ସାହାରା ପାଲଟିଛନ୍ତି ଏହି ବିରଳ ପ୍ରଜାତିର ପ୍ରାଣୀ। ମା’କୁ ହରାଇଥିବା ଏହି ଛୁଆମାନେ ଏବେ ପରସ୍ପରକୁ ହିଁ ମା’ର ମମତା ଦେଉଛନ୍ତି। ଯତ୍ନକାରୀଙ୍କ କହିବା ଅନୁସାରେ, ରାତିରେ ଯଦି ଜଣେ ଓରାଙ୍ଗଉଟାନ କାନ୍ଦୁଛି, ତେବେ ଅନ୍ୟ ୪ ଜଣ ତାକୁ ଜାବୁଡ଼ି ଧରୁଛନ୍ତି। ଖାଦ୍ୟ ଆସିଲେ ନିଜେ ଖାଇବା ପୂର୍ବରୁ ପରସ୍ପରକୁ ଖୁଆଇ ଦେଉଛନ୍ତି। ପରସ୍ପରର ନିକଟତା ହିଁ ଏବେ ସେମାନଙ୍କ ଜୀବନର ସବୁଠୁ ବଡ଼ ସାହାରା ପାଲଟିଛି।

ଏହି ୫ ଓରାଙ୍ଗଉଟାନ ବର୍ତ୍ତମାନ ଷ୍ଟ୍ରେସ୍‌ରେ ଥିବାରୁ ଡାକ୍ତର ଓ ଯତ୍ନକାରୀମାନେ ମଧ୍ୟ ଚିନ୍ତାରେ ଅଛନ୍ତି। OUAT CWH ଟିମ୍‌ର ପରାମର୍ଶ ଅନୁସାରେ, ଆସନ୍ତା ୧୦ ଦିନ ଯାଏଁ ସେମାନଙ୍କୁ ଏକାଠି ରଖାଯିବ। ସକାଳୁ ଖରା ଦେଖାଇବା ସହ ହାଲୁକା ମ୍ୟୁଜିକ୍‌ ଶୁଣାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ତେବେ ଧୀରେ ଧୀରେ ବଦଳୁଛି ସେମାନଙ୍କ ଆଚରଣ। ଗତକାଲି ପର୍ଯ୍ୟନ୍ତ ଯେଉଁ ଛୁଆମାନେ ଯତ୍ନକାରୀଙ୍କ ହାତ ପାଖକୁ ଆସୁନଥିଲେ, ଏବେ ସେମାନେ ଯତ୍ନକାରୀଙ୍କ ଆଙ୍ଗୁଠି ଧରୁଛନ୍ତି ଏବଂ କୋଳରେ ଶୋଉଛନ୍ତି। ଯାହା ସେମାନଙ୍କ ମନର ଭୟ ଧୀରେ ଧୀରେ କମୁଥିବାର ସଙ୍କେତ ଦେଉଛି।

ଆସନ୍ତା ୧୦ ଦିନ ପରେ ସେମାନଙ୍କର ରକ୍ତ ପରୀକ୍ଷା କରାଯିବ। ରିପୋର୍ଟ ସବୁ ଠିକ୍ ରହିଲେ, ଏହି ୫ ଅନାଥ ଛୁଆ ନନ୍ଦନକାନନରେ ନୂଆ ମା’ ପାଇବେ। ଦୀର୍ଘ ୭ ବର୍ଷରୁ ଅଧିକ ସମୟ ଧରି ନିଃସଙ୍ଗ ଜୀବନ ବିତାଇ ଆଖି ବୁଜିଥିବା ବିନିର ଖୁଆଡ଼ ମଧ୍ୟ ପୁଣିଥରେ ଏହି ୫ ଛୁଆଙ୍କ ଆଗମନରେ ପୂରିଉଠିବ। ମା’କୁ ହରାଇଥିବା ଏହି ୫ ଛୁଆଙ୍କ ପାଇଁ ଏବେ ପରସ୍ପର ହିଁ ପରିବାର। ଆଉ ନନ୍ଦନକାନନରେ ସେମାନଙ୍କ ନୂଆ ଜୀବନ ଆରମ୍ଭ ହେବାକୁ ଅପେକ୍ଷା କରିଛି ଏକ ନୂଆ ଆଶା।

ଅଧା ବାଟରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଅଧା ବାଟରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ। ବହୁ ସମୟ ଧରି ରାସ୍ତାରେ ଅଟକି ରହିବାରୁ ହସ୍ପିଟାଲରେ ପହଞ୍ଚି ପାରିଲେ ନାହିଁ ଗୁରୁତର ରୋଗୀ। ଶେଷରେ ଆମ୍ବୁଲାନ୍ସ ଭିତରେ ହିଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ଗାଁରୁ। ସୂଚନା ଅନୁସାରେ, ତୋରାଣିପଦା ଗାଁର ଭାଗବତ ସାହୁଙ୍କୁ ବିଦ୍ୟୁତ୍ ଝଟକା ଲାଗିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭାଗବତ ସାହୁଙ୍କୁ ଭଦ୍ରକ ମେଡିକାଲ ନିଆଯାଉଥିଲା। ହେଲେ ଜଲଙ୍ଗ ଛକ ନିକଟରେ ହଠାତ୍ ଆମ୍ବୁଲାନ୍ସଟି ଖରାପ ହୋଇଯାଇଥିଲା। ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ରାସ୍ତାରେ ଅଟକି ରହିଥିଲା। ଗାଡ଼ି ଠିକ୍ ନହେବାରୁ ଗୁରୁତର ଅବସ୍ଥାରେ ଥିବା ଭାଗବତଙ୍କୁ ସମୟରେ ହସ୍ପିଟାଲ ନିଆଯାଇ ପାରିନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଶେଷରେ ଜଲଙ୍ଗ ଛକ ନିକଟରେ ଆମ୍ବୁଲାନ୍ସ ଭିତରେ ହିଁ ଭାଗବତ ସାହୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବାର ଲୋକେ ଆମ୍ବୁଲାନ୍ସକୁ ଅଟକ ରଖିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସ ରକ୍ଷଣାବେକ୍ଷଣରେ ଅବହେଳା ଏବଂ ରୋଗୀଙ୍କୁ ସମୟରେ ଚିକିତ୍ସା ମିଳିନଥିବା ଅଭିଯୋଗକୁ ନେଇ ଏବେ ପ୍ରଶ୍ନ ଉଠିଛି।

ବାଲି ମାଫିଆଙ୍କ ଦାଦାଗିରି, ତହସିଲଦାରଙ୍କୁ ହାଇୱା ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ବାଲି ବୋଝେଇ ହାଇୱା ଚଢ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ। କଟକ ବାରଙ୍ଗ ଅଞ୍ଚଳରୁ ଆସିଛି ଏଭଳି ସଂଗୀନ ଅଭିଯୋଗ। ବେଆଇନ ବାଲି ଚୋରାଚାଲାଣ ରୋକିବାକୁ ଚଢ଼ାଉ ବେଳେ ତହସିଲଦାରଙ୍କୁ ହାଇୱା ଚଢ଼ାଇ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ବାଲି ବୋଝେଇ ହାଇୱାକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ବିଳମ୍ବିତ ରାତିରେ ବେଆଇନ ବାଲି ଚୋରାଚାଲାଣ ହେଉଥିବା ଖବର ପାଇ ବାରଙ୍ଗ ତହସିଲଦାର ତୁଷାର ଜ୍ୟୋତିରଞ୍ଜନ ରାଜସ୍ୱ ଅଧିକାରୀଙ୍କୁ ସାଙ୍ଗରେ ନେଇ ବେଲଗଛିଆ ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବାଲି ମାଫିଆମାନେ ପ୍ରଥମେ ତହସିଲଦାରଙ୍କ ଗାଡ଼ି ଉପରକୁ ବାଲି ଢାଳି ଦେଇଥିବା ଅଭିଯୋଗ ହୋଇଛି।

ଏହାପରେ ବାଲି ବୋଝେଇ ହାଇୱା ଗାଡ଼ି ତହସିଲଦାରଙ୍କ ଉପରେ ଚଢ଼ାଇ ଦେଇ ହତ୍ୟା ଉଦ୍ୟମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସୌଭାଗ୍ୟବଶତଃ ତହସିଲଦାର ଅଳ୍ପକେ ବର୍ତ୍ତିଯାଇଥିଲେ। ଘଟଣା ସମ୍ପର୍କରେ ତହସିଲଦାର ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରଙ୍ଗ ଥାନା ପୋଲିସ ମାମଲା ରୁଜୁ କରିବା ସହ ବାଲି ବୋଝେଇ ହାଇୱାକୁ ଜବତ କରିଛି। ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ଏବଂ ବାଲି ଚୋରାଚାଲାଣ ପଛରେ କାହାର ହାତ ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ରାଜଧାନୀରେ ଲୁଟେରାଙ୍କ ଆତଙ୍କ, ATMରୁ ଟଙ୍କା ଉଠାଉଥିବା ଯାତ୍ରୀ ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ : ନୂଆ ପର୍ବଣ ଆରମ୍ଭରୁ ରାଜଧାନୀରେ ଲୁଟେରାଙ୍କ ଆତଙ୍କ। ରେଲୱେ ଷ୍ଟେସନ ଅଞ୍ଚଳରେ ସକାଳୁ ସକାଳୁ ଦୁଇ ଯାତ୍ରୀଙ୍କୁ ମାଡ଼ ମାରି ୫୦ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବିଶେଷ କରି ATMରୁ ଟଙ୍କା ଉଠାଉଥିବା ଲୋକଙ୍କୁ ଲୁଟେରାମାନେ ଟାର୍ଗେଟ କରୁଥିବା ଅଭିଯୋଗ ଆସିଛି। ସକାଳୁ ସକାଳୁ ଦୁଇ ଦୁଇଟି ଲୁଟ୍ ଘଟଣା ପରେ ରେଲୱେ ଷ୍ଟେସନ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଅଭିଯୋଗ ଅନୁସାରେ, ପର୍ଶୁରାମ କରଣ ନିଜ ଝିଅକୁ ରେଲୱେ ଷ୍ଟେସନରେ ଛାଡ଼ିବାକୁ ଆସିଥିଲେ। ଏହି ସମୟରେ ସେ ATMରୁ ଟଙ୍କା ଉଠାଉଥିବା ବେଳେ ଲୁଟେରାଙ୍କ ଟାର୍ଗେଟରେ ପଡ଼ିଥିଲେ। ତାଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ସେହିପରି ଗଣେଶ୍ୱର ମହନ୍ତ ମେଡିକାଲ କାମ ପାଇଁ ATMରୁ ଟଙ୍କା ଉଠାଉଥିବା ବେଳେ ଲୁଟେରାଙ୍କ ଶିକାର ହୋଇଥିଲେ। ତାଙ୍କୁ ମଧ୍ୟ ମାଡ଼ ମାରି ଟଙ୍କା ଲୁଟିନେଇଥିବା ଅଭିଯୋଗ ରହିଛି।

ଯାତ୍ରୀଙ୍କ ଗହଳି, ରେଲୱେ ଷ୍ଟେସନରେ ଭିଡ଼ ଏବଂ ଏହାରି ଭିତରେ ଲୁଟେରାଙ୍କ ଖେଳ। ATMରୁ ଟଙ୍କା ଉଠାଉଥିବା ଲୋକଙ୍କ ଉପରେ ନଜର ରଖି ଲୁଟେରାମାନେ ଟାର୍ଗେଟ କରୁଥିବାରୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାକୁ ନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ରେଲୱେ ଷ୍ଟେସନ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀକୁ ଭୁଲ ରକ୍ତ ଦେବା ଭଳି ସଂଗୀନ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀକୁ ଭୁଲ ରକ୍ତ ଦେବା ଭଳି ସଂଗୀନ ଅଭିଯୋଗ ଆସିଅଛି।ଲିକୋମିଆ ରୋଗରେ ପୀଡ଼ିତ ଜଣେ ମହିଳା ରୋଗୀଙ୍କୁ A+VE ବ୍ଲଡ ବଦଳରେ  ଦିଆଯାଇଛି B+ VE ବ୍ଲଡ। ଏହି ଭୁଲ ରକ୍ତ ନେବା ପରେ ମହିଳା ରୋଗୀ ଜଣଙ୍କ  ଗୁରୁତର  ହୋଇପଡ଼ିଥିଲେ।ତାଙ୍କର ରକ୍ତ ବାନ୍ତି ହେବାରୁ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପୁରୀ ସଦର ଚନ୍ଦନପୁର ଅଞ୍ଚଳର ବଂଶୀଧର ପ୍ରଧାନଙ୍କ ସ୍ତ୍ରୀ ୫୨ ବର୍ଷୀୟା ପ୍ରଦର୍ଶନୀ ପ୍ରଧାନ ଜଟିଳ ଲିକୋମିଆ ରୋଗରେ ଆକ୍ରାନ୍ତ। ତାଙ୍କ ରକ୍ତ କମିଯିବାରୁ ତାଙ୍କୁ ଗତ ୭ ତାରିଖରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ମହିଳା ଭେଷଜ ବିଭାଗରେ ଭର୍ତ୍ତି କରାଯାଇଥିଲା।ରକ୍ତ ପରୀକ୍ଷା କରାଯାଇ ଡାକ୍ତର ତାଙ୍କର ବ୍ଲଡ ଗ୍ରୁପ୍ A+VE ବୋଲି ଉଲ୍ଲେଖ କରି ତୁରନ୍ତ ତାଙ୍କୁ ବ୍ଲଡ ଦେବା ପାଇଁ ପରାମର୍ଶ ଦେଇଥିଲେ।ସେଦିନ ତାଙ୍କର ହିମୋଗ୍ଲୋବିନ୍ ଥିଲା ମାତ୍ର ୩.୯।

ପରିବାର ଲୋକେ ରକ୍ତ ବିନିମୟରେ ପୁରୀ ବ୍ଲଡ ବ୍ୟାଙ୍କରୁ A+VE ବ୍ଲଡ ଆଣି ଦେଇଥିଲେ। ୮ ତାରିଖ ଦିନ କୌଣସି ବ୍ଲଡ ଦିଆଯାଇ ନଥିଲା। ସେଦିନ ତାଙ୍କର ହିମୋଗ୍ଲୋବିନ୍ ଥିଲା ମାତ୍ର ୪.୯। ୯ ତାରିଖ ଗତକାଲି A+VE ବ୍ଲଡ଼ ଦିଆଗଲା। ପୁନଶ୍ଚ ୧୦ ତାରିଖ ଅର୍ଥାତ୍ ଆଜି ଘଟିଗଲା ଏକ ଅଭାବନୀୟ ଘଟଣା। ମହିଳା ରୋଗୀଙ୍କୁ A+VE ବ୍ଲଡ ବଦଳରେ ଦିଆଯାଇଥିଲା B+ VE ବ୍ଲଡ।

ପରିବାର ଲୋକେ ବ୍ଲଡ଼ ବ୍ୟାଙ୍କ ର ଇନଚାର୍ଜ  ଙ୍କୁ ବାରମ୍ବାର ଫୋନ୍ କରିଥିଲେ ତେବେ ସେ ଫୋନ୍ ଉଠାଇ ନଥିଲେ। ଭୁଲ ପାଇଁ କିଏ ଦାୟୀ ରହିବ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ପ୍ରଶ୍ନ ଉଠୁଛି ବ୍ଲଡ ବ୍ୟାଙ୍କ କର୍ମଚାରୀ କିଭଳି ଭୁଲ୍ ବ୍ଲଡ ଗ୍ରୁପ୍ ରକ୍ତ ଦେଲେ।ୱାର୍ଡରେ ନର୍ସ କିଭଳି ଏହାକୁ ଯାଞ୍ଚ ନ କରି ଭୁଲ୍ ବ୍ଲଡ ଗ୍ରୁପ୍ ରକ୍ତ ଲଗାଇଲେ।ଯଦି ୭ ଓ ୯ ତାରିଖରେ ବ୍ଲଡ ବ୍ୟାଙ୍କ କର୍ମଚାରୀ A+VE ବ୍ଲଡ ଦେଇଥିଲେ ତେବେ ୧୦ ତାରିଖରେ କିଭଳି B+ VE ବ୍ଲଡ ଦେଲେ।

ମହିଳାଙ୍କ କୌଣସି ଅସୁବିଧା ହେଲେ ଏଥିପାଇଁ କିଏ ଦାୟୀ ରହିବ।ଭୁଲ୍ ରକ୍ତ ଦେବା ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଏହାର କୌଣସି ଚିକିତ୍ସା ଉପଲବ୍ଧ ନାହିଁ କାହିଁକି।ପରିବାର ଲୋକେ ଅଭିଯୋଗ କରିବା ପରେ ସିଡିଏମଓ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

ସଙ୍କୁଚିତ ହେଉଛି ସୂର୍ଯ୍ୟଙ୍କ ନିକଟତମ ଗ୍ରହ, ବୈଜ୍ଞାନିକମାନଙ୍କୁ କରୁଛି ଆଶ୍ଚର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ : ଦ୍ରୁତ ଗତିରେ ସଙ୍କୁଚିତ ହେଉଛି ସୂର୍ଯ୍ୟଙ୍କ ନିକଟତମ ଗ୍ରହ । ଯାହା ବୈଜ୍ଞାନିକମାନଙ୍କୁ ଆଚର୍ଯ୍ୟ କରୁଛି । ବୁଧ ହେଉଛି ସୂର୍ଯ୍ୟର ସବୁଠାରୁ ନିକଟତମ ଗ୍ରହ। ବୈଜ୍ଞାନିକଙ୍କ ମତରେ, ଏହି ଗ୍ରହ ପୂର୍ବ ତୁଳନାରେ ସଙ୍କୁଚିତ ହେଉଛି। ବୈଜ୍ଞାନିକମାନେ ମଧ୍ୟ ବୁଧରେ ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଜର୍ମାନୀର ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ଏକ ଅଧ୍ୟୟନରେ ଏହି ସୂଚନା ଦିଆଯାଇଛି। ନାସା ଅନୁଯାୟୀ, ବୁଧ ହେଉଛି ସୌରମଣ୍ଡଳର ସବୁଠାରୁ ଛୋଟ ଗ୍ରହ ଏବଂ ପ୍ରତି 88 ଦିନରେ ଥରେ ସୂର୍ଯ୍ୟ ଚାରିପାଖରେ ଘୂରି ବୁଲୁଛି। ଅତ୍ୟନ୍ତ ଗରମ ସୂର୍ଯ୍ୟଠାରୁ ଏହାର ହାରାହାରି ଦୂରତା 36 ନିୟୁତ ମାଇଲ। ସେମାନଙ୍କ ଅଧ୍ୟୟନରେ, ବୈଜ୍ଞାନିକମାନେ ବୁଧର ସଙ୍କୁଚିତ ହେବାର ବିଭିନ୍ନ କାରଣ ଦେଇଛନ୍ତି।

ଏହି ଗ୍ରହଟି ପଥରମୟ। ଏହା ପ୍ରାୟ ୪.୫ ବିଲିୟନ ବର୍ଷ ପୂର୍ବେ ଗଠିତ ହୋଇଥିଲା। ଏହା ମୁଖ୍ୟତଃ ଘୂର୍ଣ୍ଣନଶୀଳ ଗ୍ୟାସ ଏବଂ ଧୂଳିକଣାରେ ଗଠିତ। ସୌରଜଗତର ପ୍ରାରମ୍ଭିକ ଦିନଗୁଡ଼ିକ ବହୁତ ଅଶାନ୍ତ ଥିଲା। ସେହି ସମୟରେ, ସୂର୍ଯ୍ୟ ଚାରିପାଖରେ ପରିକ୍ରମା କରୁଥିବା ଅନେକ ମହାକାଶ ପଥର ପରସ୍ପର ସହିତ ଧକ୍କା ଖାଇଥିଲେ। ଏହା ସେତେବେଳେ ଏକ ସାଧାରଣ ଘଟଣା ଥିଲା। ନୂତନ ଅଧ୍ୟୟନ ଅନୁସାରେ, ବୁଧ ଗ୍ରହର ବ୍ୟାସାର୍ଦ୍ଧ ୭.୨ ମାଇଲ୍ (୧୧.୬ କିଲୋମିଟର) ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇପାରେ। ପୂର୍ବ ଅଧ୍ୟୟନଗୁଡ଼ିକ ଏହାକୁ କେବଳ ୦.୬ ରୁ ୪.୩ ମାଇଲ୍ ବୋଲି ଆକଳନ କରିଥିଲେ।

ବୈଜ୍ଞାନିକଙ୍କ ମତରେ, ନବଗଠିତ ଗ୍ରହଗୁଡ଼ିକ ପୂର୍ବରୁ ବହୁତ ଗରମ। ଏହା ବିଭିନ୍ନ ପ୍ରକ୍ରିୟା ଯୋଗୁଁ ହୋଇଛି, ଯେପରିକି ଆଗ୍ନେୟଗିରି ଲାଭା ପ୍ରବାହ। ତଥାପି, ଏହି ବୃଦ୍ଧି ଉତ୍ତାପର ଅନ୍ୟାନ୍ୟ କାରଣ ମଧ୍ୟ ଅଛି। ଧକ୍କା ଦ୍ୱାରା ନିର୍ଗତ ଶକ୍ତି ଆହୁରି ଅଧିକ ଉତ୍ତାପ ସୃଷ୍ଟି କରେ। ସମୟ ସହିତ ଏହି ଉତ୍ତାପ ମୁକ୍ତ ହେବା ସହିତ, ବୁଧ ଗ୍ରହର ଆଭ୍ୟନ୍ତରୀଣ ଅଂଶ ସଙ୍କୁଚିତ ହୋଇଯାଏ।

 

ସଂକୋଚନର କାରଣ କ’ଣ?

ବୁଧ ଗ୍ରହର ଫାଟିଯାଇଥିବା ପୃଷ୍ଠରେ ଏପରି ଅନେକ କ୍ଷତ ଚିହ୍ନ ଅଛି। ବୈଜ୍ଞାନିକମାନେ ଏହି ଫୁଲା ଏବଂ ପଥୁରିଆ ଧାରଗୁଡ଼ିକୁ “କ୍ଷୁଦ୍ର ଗଠନ” ବୋଲି କୁହନ୍ତି। ଏହି ପଥୁରିଆ ଧାରଗୁଡ଼ିକ ମଧ୍ୟରୁ କିଛି ୧ ମାଇଲ (୧.୬ କିଲୋମିଟର) ପର୍ଯ୍ୟନ୍ତ ଉଚ୍ଚ ହୋଇପାରେ ଏବଂ ଶହ ଶହ ମାଇଲ ପର୍ଯ୍ୟନ୍ତ ବିସ୍ତାରିତ ହୋଇପାରେ। କିନ୍ତୁ ଗ୍ରହାଣୁ ଏବଂ ଧୂମକେତୁ ମଧ୍ୟ ବୁଧ ଗ୍ରହ ଉପରେ ବୋମା ମାଡ଼ କରିଛନ୍ତି, ଯାହା ପୃଥିବୀର ଚନ୍ଦ୍ରର ପୃଷ୍ଠରେ ଥିବା କ୍ରାଟର ପରି ଏହାର ପୃଷ୍ଠରେ ପ୍ରଭାବ କ୍ରାଟର ସୃଷ୍ଟି କରିଛି।

 

କଣ ପରିବର୍ତ୍ତନ ହେବ?

ଯଦି ବୁଧ ଗ୍ରହ ଅଧିକ ସଙ୍କୁଚିତ ହୋଇଛି, ତେବେ ଏହା ସୂଚାଇବ ଯେ ଏହାର ଧାତବ କେନ୍ଦ୍ର ପୂର୍ବ ଚିନ୍ତାଧାରା ଅପେକ୍ଷା ବଡ଼ ହୋଇପାରେ। କେନ୍ଦ୍ରରେ କମ୍ ହାଲୁକା ଉପାଦାନ (ଯେପରିକି ସିଲିକନ୍) ଥାଇପାରେ। ଏହି ପରିବର୍ତ୍ତନ ସୂଚାଇବ ଯେ ଗ୍ରହର ପ୍ରାରମ୍ଭିକ ତାପମାତ୍ରା ଅଧିକ ଥାଇପାରେ। ଏହା ଆମକୁ ବୁଧର ଚୁମ୍ବକୀୟ କ୍ଷେତ୍ର, ଜ୍ୱାଳାମୁଖୀ ଇତିହାସ ଏବଂ ଆଭ୍ୟନ୍ତରୀଣ ଗଠନକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିପାରିବ।

“ଏହି ଉପକରଣଗୁଡ଼ିକ ଗୁରୁତ୍ୱାକର୍ଷଣ ଅସଙ୍ଗତି ଚିହ୍ନଟ କରିବ, ଭୂପୃଷ୍ଠର ଘନତା ଏବଂ ଆଭ୍ୟନ୍ତରୀଣ ଗଠନର ଆକଳନକୁ ଉନ୍ନତ କରିବ ଏବଂ ପୃଷ୍ଠରେ ଉପସ୍ଥିତ ଉପାଦାନ ଏବଂ ଖଣିଜ ପଦାର୍ଥ ନିର୍ଣ୍ଣୟ କରିବ। ଏହି ସମସ୍ତ ତଥ୍ୟ ପରସ୍ପରର ପରିପୂରକ, ବୈଜ୍ଞାନିକମାନଙ୍କୁ ଗ୍ରହର ବିବର୍ତ୍ତନର ସମ୍ପୂର୍ଣ୍ଣ କାହାଣୀ ବୁଝିବାରେ ସାହାଯ୍ୟ କରିବ ଏବଂ ଭବିଷ୍ୟତ ମିଶନ ପାଇଁ ନୂତନ ପ୍ରଶ୍ନ ଉଠାଇବ,” ଦକ୍ଷିଣ କାରୋଲିନାର ଚାର୍ଲଷ୍ଟନରେ ଥିବା ସେରେସ୍ ଇଞ୍ଜିନିୟରିଂ ଏବଂ ସର୍ଭିସେସର ଭୂତତ୍ତ୍ୱବିତ୍ ଡକ୍ଟର କେଲସି କ୍ରେନ୍ କହିଛନ୍ତି।

 

 

ସଚିବାଳୟରେ ନକଲି ଅଧିକାରୀ ! ଭିଣୋଇ ସେକ୍ସନ ଅଫିସର, ଶଳା ପୋଲିସ…

ନନ୍ଦିଘୋଷ ବ୍ୟୁରୋ : ନକଲି ନିଯୁକ୍ତି ଠକେଇ ନେଇ ଏକ ମାମଲା ସାମ୍ନାକୁ ଆସିଛି । ବିହାର ପାଟନା ସଚିବାଳୟର ସମାଜ କଲ୍ୟାଣ ବିଭାଗର କ୍ୟାମ୍ପସରେ ଏକ ଠକେଇ କାର୍ଯ୍ୟକଳାପର ପର୍ଦ୍ଦାଫାସ ହୋଇଛି । ଯାହା ଅଧିକାରୀମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଜଣେ ଅଧିକାରୀ ଭିଡିଓ କଲ୍ ମାଧ୍ୟମରେ କିଛି ଲୋକଙ୍କ ସହ କଥା ହେଉଥିଲେ, ଯେତେବେଳେ ତାଙ୍କ ଅଙ୍ଗରକ୍ଷୀ ତାଙ୍କ ପାଖରେ ଠିଆ ହୋଇଥିଲେ। ଫୋନ୍ ସାକ୍ଷାତକାର ଏବଂ ଏକ ଅଜଣା ପୋଷ୍ଟର ଦେଖିବା ପରେ, ବିଭାଗର କର୍ମଚାରୀମାନେ ସନ୍ଦେହ କଲେ ଏବଂ ଅଧିକାରୀଙ୍କୁ ଧରି ପଚରାଉଚରା କଲେ।
ପରେ ଯାହା ଜଣାପଡିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଚାକିରି ନାମରେ ଲୋକଙ୍କୁ ଠକିଥିବା ଅଭିଯୁକ୍ତ ଅଧିକାରୀ ଜଣେ ନକଲି ସରକାରୀ ଅଧିକାରୀ ବୋଲି ଜଣାପଡ଼ିଲା । ଖାଲି ସେତିକି ନୂହେଁ, ତାଙ୍କ ଅଙ୍ଗରକ୍ଷୀ ମଧ୍ୟ ପ୍ରକୃତ ପୋଲିସ ଅଧିକାରୀ ନଥିଲେ। ତଦନ୍ତରୁ ଜଣାପଡ଼ିଲା, ସେ ଦୁଇଜଣ ଶଳା-ଭିଣୋଇ ଥିଲେ  ।
ସେ ନିଜକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ବୋଲି ବାହାନା କରୁଥିଲେ ଏବଂ ଚାକିରି ଯୋଗାଇ ଦେବାକୁ ଦାବି କରୁଥିଲେ।
ପାଟନା କେନ୍ଦ୍ରୀୟ ପୋଲିସ ଅଧୀକ୍ଷକ ମମତା କଲ୍ୟାଣୀଙ୍କ ଅନୁଯାୟୀ, ଗିରଫ ଅଭିଯୁକ୍ତ ଅଜୟ ନିଜକୁ ସ୍ୱାସ୍ଥ୍ୟ ବିଭାଗର ସେକ୍ସନ ଅଫିସର ଭାବରେ ପରିଚୟ ଦେଇଥିଲେ। ସେ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇ ଲୋକମାନଙ୍କୁ ପ୍ରଲୋଭିତ କରିଥିଲେ । ଏହି ପରିପ୍ରେକ୍ଷୀରେ, ସମାଜ କଲ୍ୟାଣ ବିଭାଗ କ୍ୟାମ୍ପସରେ ବସି ଭିଡିଓ କଲ୍ ମାଧ୍ୟମରେ ସେମାନଙ୍କର ସାକ୍ଷାତକାର ନେଉଥିଲେ। ଅଜୟଙ୍କ ଶଳା ରାଜ କୁମାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ପୋଲିସର କହିବା ଅନୁଯାୟୀ, ଉପସ୍ଥିତ ଲୋକଙ୍କୁ ପ୍ରକୃତ ସରକାରୀ ପ୍ରକ୍ରିୟା ଭାବରେ ଦେଖାଯିବା ପାଇଁ ରାଜ କୁମାରଙ୍କୁ ପୋଲିସ କନଷ୍ଟେବଳଙ୍କ ପୋଷାକ ପିନ୍ଧିଥିଲେ।
ସମାଜ କଲ୍ୟାଣ ବିଭାଗର ସହାୟକ ଶାଖା ଅଧିକାରୀ ରାଜନାଥ ସିଂହ କ୍ୟାମ୍ପସ ବାରଣ୍ଡାରେ ଲଗାଯାଇଥିବା ଏକ ବ୍ୟାନର ଦେଖିଲେ, ଯାହା ପରେ ଘଟଣାଟି ସାମ୍ନାକୁ ଆସିଲା। ବ୍ୟାନରରେ ସିଡିପିଓ ନିଯୁକ୍ତି ସମ୍ପର୍କରେ ସୂଚନା ଥିଲା। ଏହି ସମୟରେ, ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍ ଫୋନରେ  ଭିଡିଓ କଲ୍ ମାଧ୍ୟମରେ ଲୋକଙ୍କ ସହିତ ସାକ୍ଷାତକାର କରୁଥିଲେ। ତାଙ୍କର କାର୍ଯ୍ୟକଳାପ ସନ୍ଦେହଜନକ ମନେ ହେଉଥିଲା ଏବଂ ବିଭାଗ ପୋଲିସକୁ ସୂଚନା ଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ପଚରାଉଚରା ଆରମ୍ଭ କରିଥିଲା।
ପଚରାଉଚରା ସମୟରେ, ଅଭିଯୁକ୍ତ ନିଜକୁ ସ୍ୱାସ୍ଥ୍ୟ ବିଭାଗର ଜଣେ ଶାଖା ଅଧିକାରୀ ବୋଲି ପରିଚୟ ଦେଇଥିଲା। ତା’ପରେ ତାଙ୍କର ପରିଚୟପତ୍ର ଏବଂ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ଏବଂ ଯାଞ୍ଚ କରାଯାଇଥିଲା। ତଦନ୍ତରେ ତାଙ୍କର ପରିଚୟ ଏବଂ କାଗଜପତ୍ର ନକଲି ବୋଲି ଜଣାପଡ଼ିଥିଲା। ତା’ପରେ ପୋଲିସ ତାଙ୍କ ସହିତ ଥିବା ଯୁବକଙ୍କୁ ପଚରାଉଚରା କରି ଗିରଫ କରିଥିଲା। ପୋଲିସର କହିବା ଅନୁଯାୟୀ, ସେ ଅଭିଯୁକ୍ତଙ୍କ ଶଳା ରାଜ କୁମାର, ଯିଏ ଜଣେ ପୋଲିସ କନଷ୍ଟେବଳଙ୍କ ପୋଷାକ ପିନ୍ଧି ତାଙ୍କର କଥିତ ପରିଚୟକୁ ପ୍ରକୃତ ଦେଖାଇବାରେ ତାଙ୍କ ଭିଣୋଇଙ୍କୁ ସହାୟତା କରୁଥିଲେ।

ପୋଲିସ ପୋଷାକ ବ୍ୟତୀତ, ପୋଲିସ ଦୁଇ ଅଭିଯୁକ୍ତଙ୍କଠାରୁ ଅନେକ ନକଲି କାଗଜପତ୍ର ଏବଂ ପ୍ରମାଣପତ୍ର ମଧ୍ୟ ଜବତ କରିଛି। ପୋଲିସର ସୂଚନା ଅନୁଯାୟୀ, କାଗଜପତ୍ରରେ ଆଇଏଏସ୍ ଅଧିକାରୀ ଏସ. ସିଦ୍ଧାର୍ଥ ଏବଂ ଆନନ୍ଦ କିଶୋରଙ୍କ ନକଲି ଦସ୍ତଖତ ଥିଲା। ନକଲି କାଗଜପତ୍ର ବ୍ୟବହାର କରି ଏବଂ ସରକାରୀ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଅଭିଯୁକ୍ତମାନେ ଲୋକଙ୍କୁ ସରକାରୀ ଚାକିରି ପ୍ରତିଶ୍ରୁତି ଦେଉଥିଲେ। ସଚିବାଳୟ ପରିସରରେ ସାକ୍ଷାତକାର ନେବା ଏହି କଥିତ ଜାଲିଆତି ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସତ୍ୟ ଦେଖାଇବାର ଏକ ପ୍ରୟାସ ଥିଲା।
ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ, ପୋଲିସ ଏବେ ସମଗ୍ର ନେଟୱାର୍କର ତଦନ୍ତ ଆରମ୍ଭ କରିଛି। ସେମାନେ ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛନ୍ତି ଯେ ଅଭିଯୁକ୍ତମାନେ ଚାକିରି ଦେବା ନାଁରେ କେତେ ଲୋକଙ୍କଠାରୁ ଟଙ୍କା ନେଇଥିଲେ ଏବଂ ଏପର୍ଯ୍ୟନ୍ତ କେତେ ଲୋକଙ୍କୁ ଠକିଛନ୍ତି। ସେମାନେ ଏହି ଠକେଇରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଭୂମିକା ବିଷୟରେ ମଧ୍ୟ ତଦନ୍ତ କରୁଛନ୍ତି। ଗିରଫ ହୋଇଥିବା ଶଳା ଭିଣୋଇଙ୍କୁ ପଚରାଉଚରା କରାଯାଉଛି।

ନିଷ୍କ୍ରିୟ ଧୂମପାନ କ’ଣ? ଧୂମପାନ ନ କରୁଥିବା ଲୋକମାନେ ମଧ୍ୟ ବିପଦରେ ଥାଆନ୍ତି

ନନ୍ଦିଘୋଷ ବ୍ୟୁରୋ : ‘ଦ ଲାନସେଟ୍‌’ରେ ପ୍ରକାଶିତ ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡ଼ିଛି ଯେ ନିଷ୍କ୍ରିୟ ଧୂମପାନ ଯୋଗୁଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଏହା ବିଶେଷକରି ଶିଶୁ, ମହିଳା ଏବଂ ହୃଦ୍‌ରୋଗୀଙ୍କ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି। ରିପୋର୍ଟ ଅନୁଯାୟୀ, ଭାରତରେ ମଧ୍ୟ ନିଷ୍କ୍ରିୟ ଧୂମପାନ ଏକ ଗୁରୁତର ସମସ୍ୟା ଭାବେ ଉଭା ହେଉଛି। ୨୦୨୩ ସୁଦ୍ଧା ଭାରତରେ ୩ ଲକ୍ଷରୁ ଅଧିକ ମୃତ୍ୟୁ ନିଷ୍କ୍ରିୟ ଧୂମପାନ ସହ ଜଡ଼ିତ ଥିଲା। ଏହି ସଂଖ୍ୟା ୧୯୯୦ ତୁଳନାରେ ପ୍ରାୟ ୫୦ ପ୍ରତିଶତ ବଢ଼ିଛି। ଚୀନ୍ ପରେ ଭାରତ ଏହି ସମସ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ନିଷ୍କ୍ରିୟ ଧୂମପାନ ଏବେ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି।

ନିଷ୍କ୍ରିୟ ଧୂମପାନ କ’ଣ?

ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। କିନ୍ତୁ ଏହା କେବଳ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ନୁହେଁ, ଧୂମପାନ ନ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରେ। ଧୂମପାନକାରୀ ମାନେ କେବଳ ନିଜ ଜୀବନକୁ ବିପଦରେ ପକାନ୍ତି ନାହିଁ, ବରଂ ନିଜ ଚାରିପାଖରେ ଥିବା ଲୋକଙ୍କୁ ମଧ୍ୟ ଧୂଆଁର ପ୍ରଭାବରେ ଆଣନ୍ତି। ନିଷ୍କ୍ରିୟ ଧୂମପାନର ଅର୍ଥ ହେଉଛି, ଜଣେ ବ୍ୟକ୍ତି ନିଜେ ଧୂମପାନ ନ କରି ମଧ୍ୟ ପାଖରେ ଥିବା ଧୂମପାନକାରୀଙ୍କ ଧୂଆଁକୁ ନିଶ୍ୱାସରେ ଗ୍ରହଣ କରିବା। ଏହାକୁ ଦ୍ୱିତୀୟ ଧୂମପାନ ମଧ୍ୟ କୁହାଯାଏ। ଜଣେ ବ୍ୟକ୍ତି ଧୂମପାନ କରିବା ସମୟରେ ବାୟୁରେ ଦୁଇ ପ୍ରକାରର ଧୂଆଁ ଛାଡ଼ିଥାନ୍ତି।

କିଏ ବିପଦରେ ଅଛି?

ରିପୋର୍ଟରେ କୁହାଯାଇଛି ଯେ, ୨୦୨୩ ମସିହାରେ ସାରା ବିଶ୍ୱରେ ୮ ନିୟୁତରୁ ଅଧିକ ଲୋକ ଧୂମପାନ ଓ ତମାଖୁ ସମ୍ବନ୍ଧୀୟ ସମସ୍ୟା କାରଣରୁ ପ୍ରାଣ ହରାଇଥିଲେ। ଏମାନଙ୍କ ମଧ୍ୟରେ ଏପରି ଅନେକ ଲୋକ ଥିଲେ, ଯେଉଁମାନେ ଜୀବନରେ କେବେ ସିଗାରେଟ୍‌ ମଧ୍ୟ ଛୁଇଁନଥିଲେ। ଏହାରୁ ନିଷ୍କ୍ରିୟ ଧୂମପାନର ଭୟାବହ ପ୍ରଭାବ ସ୍ପଷ୍ଟ ହେଉଛି। ଅନ୍ୟମାନେ ଧୂମପାନ କରୁଥିବା ବେଳେ ବାହାରୁଥିବା ବିଷାକ୍ତ ଧୂଆଁ ଶ୍ୱାସ ମାଧ୍ୟମରେ ଶରୀରରେ ପ୍ରବେଶ କରି ସ୍ୱାସ୍ଥ୍ୟକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ। ଅଧ୍ୟୟନ ଅନୁଯାୟୀ, ଶିଶୁ, ମହିଳା ଏବଂ ହୃଦ୍‌ରୋଗୀମାନେ ନିଷ୍କ୍ରିୟ ଧୂମପାନର ପ୍ରଭାବରେ ଅଧିକ ବିପଦରେ ରହିଥାନ୍ତି।ଅର୍ଥାତ୍‌, ନିଜେ ଧୂମପାନ ନ କରିଲେ ମଧ୍ୟ ଅନ୍ୟର ଧୂଆଁ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେଣୁ ଧୂମପାନ କରୁଥିବା ବ୍ୟକ୍ତିଙ୍କ ସହ ଦୀର୍ଘ ସମୟ ଧରି ଧୂଆଁ ଭରା ପରିବେଶରେ ରହିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ।

ନିଷ୍କ୍ରିୟ ଧୂମପାନ ଯୋଗୁଁ ହେଉଥିବା ରୋଗ:

ଯଦି କେହି ଆପଣଙ୍କ ପାଖରେ ଧୂମପାନ କରୁଛନ୍ତି, ତେବେ ଆପଣଙ୍କୁ କିଛି ସମୟ ପାଇଁ ଶ୍ୱାସ ନେବାରେ ସମସ୍ୟା ହୋଇପାରେ। କେତେକ ଲୋକଙ୍କ ଆଖିରେ ଜ୍ୱଳନ ମଧ୍ୟ ହୋଇପାରେ। ଯଦି ଆପଣ ନିୟମିତ ଭାବେ ଧୂମପାନ କରୁଥିବା ଲୋକଙ୍କ ଧୂଆଁର ସଂସ୍ପର୍ଶରେ ଆସନ୍ତି, ତେବେ ଗୁରୁତର ଶ୍ୱାସକ୍ରିୟା ରୋଗ ଓ ବିଭିନ୍ନ ସଂକ୍ରମଣ ହେବାର ଆଶଙ୍କା ବଢ଼ିଥାଏ। ନିଷ୍କ୍ରିୟ ଧୂମପାନ ଯୋଗୁଁ ହୃଦଘାତ ଓ ଫୁସଫୁସ କର୍କଟ ଭଳି ଗୁରୁତର ରୋଗ ହୋଇପାରେ, ଯାହା ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇଥାଏ।

ଆପଣଙ୍କ ଘରକୁ ଧୂମପାନ ମୁକ୍ତ ଅଞ୍ଚଳ କରନ୍ତୁ 

ନିଷ୍କ୍ରିୟ ଧୂମପାନ ଏଡାଇବା ପାଇଁ, ଆପଣଙ୍କ ଘରକୁ ଧୂମପାନ ମୁକ୍ତ ଅଞ୍ଚଳ କରନ୍ତୁ। ମଲ୍, ଅଫିସ୍ ଏବଂ ଅନ୍ୟାନ୍ୟ ସ୍ଥାନ ଭଳି ସାର୍ବଜନୀନ ସ୍ଥାନରେ ଧୂମପାନ ଏଡନ୍ତୁ। ଧୂମପାନ ସହିତ ଜଡିତ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆପଣଙ୍କ ପ୍ରିୟଜନଙ୍କୁ ଶିକ୍ଷା ଦିଅନ୍ତୁ। ଆପଣଙ୍କ ପିଲାମାନଙ୍କର ବିଶେଷ ଯତ୍ନ ନିଅନ୍ତୁ। ସନ୍ତୁଳିତ ଖାଦ୍ୟ ସହିତ ଶାରୀରିକ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେଇ ଏକ ସକ୍ରିୟ ଜୀବନଶୈଳୀ ଗ୍ରହଣ କରନ୍ତୁ।