spot_img
Home Blog Page 3326

ତୃତୀୟ ଦିନରେ ବି ପାର୍ଲାମେଣ୍ଟ ଅଚଳ, ଆଦାନୀ ପ୍ରସଙ୍ଗରେ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ବଜେଟ ଅଧିବେଶନ ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ଆଦାନୀ ପ୍ରସଙ୍ଗରେ ଉଭୟ ଗୃହ ହୁଲୁସ୍ତୁଲ । ୫ ମିନିଟ ବି ଚାଲିପାରିଲାନି ଗୃହକାର୍ଯ୍ୟ । ଉଭୟ ଗୃହ ଅପରାହ୍ନ ୨ଟା ଯାଏ ମୁଲତବି । ସେପଟେ ଇଡି, ସିବିଆଇର ଦୂରୁପଯୋଗ ଓ ଆଦାନୀ ପ୍ରସଙ୍ଗ ନେଇ ଆଜି ସଂସଦ ଭବନରୁ ଇଡି କାର୍ଯ୍ୟାଳୟ ଯାଏଁ ମାର୍ଚ୍ଚ କରିବେ ବିରୋଧୀ ସାଂସଦ । ଦେଶରେ ଯେଉଁଭଳି ଭାବେ ବିରୋଧୀଙ୍କୁ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ଟାର୍ଗେଟ କରାଯାଉଛି, ତାହା ଆଦୌ ଗ୍ରହଣୀୟ ନୁହେଁ । ବିଜେପି ନେତାଙ୍କ ବିରୋଧରେ କୌଣସି ଭ୍ରଷ୍ଟାଚାର, ଦୁର୍ନୀତି ମାମଲାର ଯାଞ୍ଚ କରାଯାଉନି । କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗକୁ ବିରୋଧ କରି ବିରୋଧୀ ସଂସଦଙ୍କ ଏହି ମାର୍ଚ୍ଚ କରୁଥିବାବେଳେ ଏହା ନିହାତି ଆବଶ୍ୟକ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ଆଜି ସବୁ ବିରୋଧୀ ନେତା ଇଡିକୁ ପ୍ରଶ୍ନ ପଚାରିବେ ବୋଲି ଆପ୍ ସାଂସଦ ସଞ୍ଜୟ ସିଂ କହିଛନ୍ତି । ଦିନ ୧୨ଟା ସୁଦ୍ଧା ବିରୋଧୀ ସାଂସଦମାନେ ସଂସଦ ଭବନରୁ ମାର୍ଚ୍ଚ ଆରମ୍ଭ ହେବ । ମାର୍ଚ୍ଚ ପୂର୍ବରୁ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବିରୋଧୀ ଦଳ ବୈଠକ ବସିବା ସହ ରଣନୀତି ପ୍ରସ୍ତୁତ କରାଯାଇଛି । ବିରୋଧୀଙ୍କ ମାର୍ଚ୍ଚ ପୂର୍ବରୁ ବିଜୟ ଚୌକ ଓ ଇଡି କାର୍ଯ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ବିଦେଶରୁ ଫେରିଥିବା ବେଳେ ସେ ବିରୋଧୀଙ୍କ ମାର୍ଚ୍ଚରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।

IRCTC ଜବ୍ ସ୍କାମ ମାମଲା, ହ୍ବିଲ ଚେୟାରରେ କୋର୍ଟରେ ପହଞ୍ଚିଲେ ଲାଲୁ ଯାଦବ

ନୂଆଦିଲ୍ଲୀ: ହ୍ୱିଲ ଚେୟାରରେ କୋର୍ଟରେ ପହଞ୍ଚିଲେ ଲାଲୁ ଯାଦବ । ଲ୍ୟାଣ୍ଡ ଫର ଜବ୍ ସ୍କାମ ଅଭିଯୋଗରେ ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପତ୍ନୀ ରାବଡି ଦେବୀ ଓ ଝିଅ ମିସା ଭାରତୀ ମଧ୍ୟ କୋର୍ଟରେ ପହଞ୍ଚିଛନ୍ତି । କିଛି ସମୟ ପରେ କୋର୍ଟରେ ଶୁଣାଣି ଆରମ୍ଭ ହେବ । ରାବଡି ଦେବୀ, ଲାଲୁ ଯାଦବ, ମିଶାଙ୍କ ସମେତ ୧୪ ଜଣଙ୍କୁ ଗତ ୨୭ ଫେବୃଆରୀରେ ସମନ ଜାରି କରିଥିଲେ କୋର୍ଟ ।

କୋର୍ଟରେ ହାଜର ହେବା ପୂର୍ବରୁ ଦିଲ୍ଲୀ ଓ ବିହାରରେ ସିବିଆଇ ଟିମ୍ ରାବଡି ଦେବୀଙ୍କୁ ପଚରାଉଚରା କରିଥିଲା । ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଲାଲୁ ରେଳମନ୍ତ୍ରୀ ଥିବା ବେଳେ IRCTCରେ ଚାକିରି ପାଇଁ ସେ ଜମି ନେଇଥିବା ଅଭିଯୋଗ ହୋଇଛି । ଲାଲୁଙ୍କ ପରିବାରକୁ ଏହି ଜମି କମ୍ ଦାମରେ କିମ୍ବା ଗିଫ୍ଟ ଆକାରରେ ଦିଆଯାଇଥିଲା ବୋଲି ସିବିଆଇ ଅଭିଯୋଗ କରିଛି ।

ରାଜ୍ୟରେ ଅଛନ୍ତି ୯ ଲକ୍ଷ ୫ ହଜାର ୧୮୪ ଭାଗ ଚାଷୀ, ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅଛନ୍ତି ୯ ଲକ୍ଷ ୫ ହଜାର ୧୮୪ ଭାଗ ଚାଷୀ । ଚାଷୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଋଣ ପ୍ରଦାନ ସାଙ୍ଗକୁ ଯନ୍ତ୍ରପାତି କିଣାରେ ରିହାତି ଓ ବିହନ ଯୋଗାଣ ଯୋଗାଉଛନ୍ତି ରାଜ୍ୟ ସରକାର । ସେହିପରି ଧାନ କିଣିବାକୁ ସରଳୀକରଣ ହୋଇଛି ବ୍ୟବସ୍ଥା । ତେବେ ସେମାନଙ୍କୁ ଜମି ଅଧିକାର ଦେବା ତର୍କର ବିଷୟ ବୋଲି କହିଛନ୍ତି କୃଷିମନ୍ତ୍ରୀ । ବିଭିନ୍ନ ସମୟରେ ଏହାର ସଂସ୍କାର ପାଇଁ ପଦକ୍ଷେପ ନିଆଯାଉଥିବା ନେଇ କୃଷି ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହରେ ଉତ୍ତର ରଖିଛନ୍ତି । ଚାଷୀଙ୍କ ଆୟ ନିର୍ଦ୍ଧାରଣ ସର୍ଭେ ପ୍ରତି ୧୦ ବର୍ଷରେ ହେଉଥିଲା । ସର୍ଭେରେ ଅବହେଳା ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କୃଷିମନ୍ତ୍ରୀ । ସେହିପରି ଜାତୀୟ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଚାଷୀଙ୍କ ଆୟ ନିର୍ଦ୍ଧାରଣ କରାଯାଇଥାଏ ।

୨୦୧୨ରେ ଚାଷୀଙ୍କ ମାସିକ ଆୟ ୪୯୭୬ ଟଙ୍କା ଥିବା ବେଳେ, ୨୦୧୯ରେ ଏହା ୫୧୧୨ ଟଙ୍କା ରହିଥିଲା । ତେବେ ୨୦୧୨କୁ ୨୦୧୯ ସହ ଚାଷୀଙ୍କ ଆୟ ତୁଳନା ଠିକ ନୁହେଁ । କାରଣ ୨୦୧୮ରେ ତିତଲୀ ଓ ୨୦୧୯ରେ ଫନି ବାତ୍ୟା ଆସିଲା । ସେହିପରି ଖରିଫ ସମୟରେ ମରୁଡ଼ି ଚାଷୀଙ୍କ ଆୟ ବୃଦ୍ଧିକୁ ପ୍ରଭାବିତ କରିଛି । ଏଭଳି ଅସଂଗତି ଦୂର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି କୃଷିମନ୍ତ୍ରୀ । ସମ୍ୱନ୍ୱିତ ଚାଷ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ବିକାଶ ପାଇଁ ୩୯ ଯୋଜନା କରିଛନ୍ତି । ୨୦୧୩-୧୪ରୁ ସ୍ବତନ୍ତ୍ର କୃଷି ବଜେଟ କରାଯିବା ସହ ୬ ଥର କୃଷି କ୍ୟାବିନେଟ ବସି ସାରିଛି । ଏହାସହ ମହିଳା ଚାଷୀଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି କହିଛନ୍ତି କୃଷିମନ୍ତ୍ରୀ ।

ଇମ୍ରାନଙ୍କ ଗିରଫଦାରୀକୁ ନେଇ ହାଇଡ୍ରାମା, ପୋଲିସ-ପିଟିଆଇ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ଇସଲାମାବାଦ: ଇମ୍ରାନଙ୍କ ଗିରଫଦାରୀକୁ ନେଇ ଜଳୁଛି ପାକିସ୍ତାନ । ପୋଲିସ ଇମ୍ରାନ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିବା ବେଳେ ଏକ ଭିଡିଓ ଜାରି କରିଛନ୍ତି ପିଟିଆଇ ଅଧ୍ୟକ୍ଷ । ମୋର ଗିରଫଦାରୀ ଲଣ୍ଡନରୁ ପ୍ଲାନ କରାଯାଇଛି । ପିଟିଆଇକୁ ଭାଙ୍ଗିବା ଓ ମୋତେ ଜେଲରେ ପୁରାଇବା ସେମାନଙ୍କର ଲକ୍ଷ୍ୟ ବୋଲି ଭିଡିଓରେ କହିଛନ୍ତି ଇମ୍ରାନ । ଏହାସହ ଜେଲରେ ମୋର ହତ୍ୟା ଷଡ଼ଯନ୍ତ୍ର ରଚାଯାଇଛି ବୋଲି ଇମ୍ରାନ କହିଛନ୍ତି । ଗତକାଲି ଇମ୍ରାନଙ୍କୁ ଗିରଫ କରିବା ପାଇଁ ତାଙ୍କ ଜମାନ ପାର୍କସ୍ଥିତ ବାସଭବନରେ ପୋଲିସ ପହଞ୍ଚିଥିଲୋ । ଗିରଫଦାରୀକୁ ବିରୋଧ କରି ଇମ୍ରାନଙ୍କ ସମର୍ଥକ ହିଂସା ଭିଆଇଥିଲେ । ଉଭୟ ପୋଲିସ ଓ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ବିକ୍ଷୋଭକାରୀଙ୍କୁ ପୋଲିସ ଲାଠି ଚାର୍ଜ କରିବା ସହ ଓ୍ୱାଟର କ୍ୟାନନ୍ ଓ ଲୁହ ବୁହା ଗ୍ୟାସ ମଧ୍ୟ ମାଡ଼ କରିଥିଲା । ଆଡିସନାଲ ଫୋର୍ସ ସହ ହେଲିକପ୍ଟର ଓ ଡ୍ରୋନ ମଧ୍ୟ ମୁତୟନ କରାଯାଇଥିଲା ।

୮ଘଣ୍ଟାର ପ୍ରୟାସ ପରେ ବି ପୋଲିସ ଇମ୍ରାନଙ୍କୁ ଗିରଫ କରି ନପାରି ଫେରିଥିଲା । ତୋଷଖାନାରୁ ଅନେକ ଦାମୀ ଗିଫ୍ଟ ଇମ୍ରାନ ବିକ୍ରି କରିଦେଇଥିବା ଅଭିଯୋଗ ରହିଛି । ୨୯ ମାର୍ଚ୍ଚ ସୁଦ୍ଧା ଇମ୍ରାନଙ୍କୁ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଇମ୍ରାନ ପ୍ରୋଟେକ୍ଟିଭ ବେଲ୍ ପାଇଥିବା ବେଳେ ପୋଲିସ ଏବେ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଛି । ସେପଟେ ସମର୍ଥକ ଓ ପୋଲିସ ମଧ୍ୟରେ ମାରପିଟରେ ଇସଲାମାବାଦ ଡିଆଇଜିଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି ।

ରାଜ୍ୟ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଡାକରା, ଜାତୀୟ ରାଜପଥରେ ଅଟକାଇଲେ ଟ୍ରକ୍

ଭୁବନେଶ୍ୱର: ଷ୍ଟିୟରିଂଛାଡ଼ ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ଡ୍ରାଇଭର ମହାସଂଘ । ଆନ୍ଦୋଳନକୁ ସବୁଠି ବିରୋଧ କରାଯାଉଛି । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ, ଓଡ଼ିଶା ଟ୍ରକ ମାଲିକ ମହାସଂଘ ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି । ରାଜ୍ୟରେ ପରୀକ୍ଷା ଚାଲିଥିବା ବେଳେ ଏଭଳି ଆନ୍ଦୋଳନ ଉଚିତ ନୁହେଁ ବୋଲି ବସ୍ ମାଲିକ ଓ ଡ୍ରାଇଭର କହିଛନ୍ତି । ଅନ୍ୟପଟେ ଆନ୍ଦୋଳନ ନାଁରେ ଦାଦାଗିରି କରୁଛନ୍ତି ଡ୍ରାଇଭର । ଜାତୀୟ ରାଜପଥରେ ପରିବହନ ସେବାରେ ନିୟୋଜିତ ଟ୍ରକ୍ ଓ ଅନ୍ୟ ଗାଡିକୁ ଅଟକାଇଛନ୍ତି ଡ୍ରାଇଭର । ଫଳରେ ମାଲ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନ ଯୋଗୁ ଅନେକ ଲୋକ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଯେଉଁ ଗାଡି ଗୁଡିକ ଯାତାୟାତ କରୁଛି ସେଗୁଡିକୁ ଜୋର ଜବରଦସ୍ତ ଅଟକାଯାଉଛି ।

ଧର୍ମଘଟ ନାଁରେ ବିଶୃଙ୍ଖଳା କରିବା ଠିକ ନୁହେଁ । ଅନଲାଇନ କ୍ୟାବ୍ ଓ ଅଟୋ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । ସେହିପରି ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମଧ୍ୟ ଆନ୍ଦୋଳନକୁ ମଧ୍ୟ ବିରୋଧ କରିଛି । ଗାଡ଼ି ଚଳାଚଳରେ କେହି ବାଧାଦେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଲୋକମାନେ ଅସୁବିଧାର ସମ୍ମୁଖୀନ ହେଲେ ପୋଲିସକୁ ଅଭିଯୋଗ କରିପାରିବେ । ଭୁବନେଶ୍ବରରେ ଅତିରିକ୍ତ ସୁରକ୍ଷା ଦାୟିତ୍ବରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୪୦ ଅଫିସର ମୁତୟନ ହୋଇଛନ୍ତି ।

ପ୍ରଦୂଷଣ ବଳୟରେ ବିଶ୍ବ, ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାର ଅଷ୍ଟମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ପ୍ରଦୂଷଣ ବଳୟରେ ଭାରତ । ଦିନକୁ ଦିନ ସ୍ବଚ୍ଛତାର ମାନ ହେଉଛି ହ୍ରାସ । ବିଶ୍ବର ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାରେ ଅଷ୍ଟମ ସ୍ଥାନ ହାସଲ କରିଛି ଭାରତ । ବିଶ୍ବର ପ୍ରାୟ ୭ ହଜାର ୩୦୦ ସହର ମଧ୍ୟରୁ ଭାରତର ସହରଗୁଡିକ ଅଧିକ ପ୍ରଦୂଷିତ ଥିବା ଜଣାଯାଇଛି । ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାରେ ପ୍ରଥମରେ ରହିଛି ଚାଦ୍ । ଦ୍ବିତୀୟରେ ଇରାକ, ତୃତୀୟରେ ପାକିସ୍ତାନ, ଚତୁର୍ଥରେ ବାହାରିନ, ପଞ୍ଚମରେ ବାଂଲାଦେଶ, ଅଷ୍ଟମରେ ଭାରତ ଓ ଦଶମରେ ତାଜିକସ୍ତାନ ରହିଛି । ସହର ମଧ୍ୟରେ ପାକିସ୍ତାନର ଲାହୋର ପ୍ରଥମ ସ୍ଥାନରେ ଥିବାବେଳେ ଚୀନର ହୋତାନ ସହର ଦ୍ବିତୀୟ ସ୍ଥାନରେ ରହିଛି । ରାଜସ୍ଥାନର ଭିଓ୍ବାଣ୍ଡି ତୃତୀୟ ସ୍ଥାନରେ ଓ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ପାକିସ୍ତାନର ପେଶଓ୍ବାର ପଞ୍ଚମ, ବିହାରର ଦରଭଙ୍ଗା ଷଷ୍ଠ, ବିହାରର ପାଟନା ଦଶମ, ଉତ୍ତରପ୍ରଦେଶର ଗାଜିଆବାଦ ଏକାଦଶ ସ୍ଥାନରେ ରହିଛି ।

ବଡ଼କଥା ହେଉଛି ବିଶ୍ବର ସର୍ବାଧିକ ୧୦ଟି ପ୍ରଦୂଷିତ ସହର ମଧ୍ୟରୁ କେବଳ ଭାରତର ରହିଛି ୬ଟି ସହର । ପ୍ରଥମ ୨୦ଟି ସହର ତାଲିକାରେ ଭାରତର ରହିଛି ୧୪ଟି ସହର । କୋଲକାତାର ସ୍ଥାନ ୯୯ରେ ଥିବାବେଳେ ମୁମ୍ବାଇର ସ୍ଥାନ ୧୩୭, ହାଇଦ୍ରାବାଦର ସ୍ଥାନ ୧୯୯ ରହିଛି । ବେଙ୍ଗାଳୁରୁର ସ୍ଥାନ ୪୪୦ ହୋଇଥିବାବେଳେ ଚେନ୍ନାଇର ସ୍ଥାନ ୬୮୨ ରହିଛି । ସୁଇସ ଫାର୍ମ ଆଇକ୍ୟୁଏୟାର ପକ୍ଷରୁ କରାଯାଇଥିବା ସର୍ଭେରେ ବିଶ୍ବର ୧୩୧ଟି ଦେଶକୁ ବିଚାରକୁ ନିଆଯାଇଥିଲା । ସରକାରୀ ଓ ବେସରକାରୀସ୍ତରରେ ପ୍ରାୟ ୩୦ ହଜାର ଗ୍ରାଉଣ୍ଡବେସଡ ମନିଟରିଂ କରାଯାଇଥିଲା । ବାୟୁ ପ୍ରଦୂଷଣ କାରଣରୁ ଭାରତରେ କ୍ଷତି ପରିମାଣ ୧୫୦ ବିଲିୟନ ଡଲାର ହୋଇଥିବାବେଳେ କେବଳ ପରିବହନ କ୍ଷେତ୍ରର ପ୍ରଦୂଷଣ ୨୦ରୁ ୩୫ ପ୍ରତିଶତ ବୋଲି କୁହାଯାଇଛି । ଶିଳ୍ପ, କୋଇଲା ପ୍ଲାଣ୍ଟ, ଜୈବ ଜାଳେଣି କାରଣରୁ ଭାରତରେ  ପ୍ରଦୂଷଣ ବଢ଼ୁଥିବା କୁହାଯାଉଛି ।

ମଝି ଆକାଶରେ ଫାଇଟର ଜେଟ ଓ ଡ୍ରୋନ କ୍ରାସ୍, କୃଷ୍ଣ ସାଗର ଉପରେ ଋଷର Su-୨୭ ଓ ଆମେରିକାର MQ-୯ ମଧ୍ୟରେ କ୍ରାସ

ନୂଆଦିଲ୍ଲୀ: ମଝି ଆକାଶରେ ଫାଇଟର ଜେଟ୍ ଓ ଡ୍ରୋନ୍ କ୍ରାସ । କୃଷ୍ଣ ସାଗର ଉପରେ ଋଷର Su-୨୭ ଓ ଆମେରିକାର MQ-୯ ମଧ୍ୟରେ ହୋଇଛି କ୍ରାସ । ଏହି ଘଟଣାକୁ ନେଇ ଦୁଇ ସୁପରପାଓ୍ବାର ମଧ୍ୟରେ ଘଟିପାରେ ଉତ୍ତେଜନା । ଏହି କ୍ରାସ ସମ୍ପର୍କରେ ଆମେରିକୀୟ ମିଲିଟାରୀର ୟୁରୋପିଆନ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । କ୍ରାସରେ MQ-୯ ଡ୍ରେନ ସମ୍ପୂର୍ଣ୍ଣ ଧ୍ଂସ ହୋଇଥିବା କହିଛି ଆମେରିକା ।

ଆମେରିକା ଏୟାରଫୋର୍ସ ଜେନେରାଲ ଜେମସ ହେକେର ରହିଛନ୍ତି- କୃଷ୍ଣ ସାଗର ଉପରେ ଏମକ୍ୟୁ-୯ ନିୟମିତ ଅଭ୍ୟାସ କରୁଥିବା ବେଳେ ଋଷର ଏକ ଜେଟ୍ ଏହାକୁ ଇଣ୍ଟରସେପ୍ଟ କରିଥିଲା । ଋଷ ନିଜ ଆଡ଼ୁ ସଂଯମତା ରକ୍ଷା କରୁ ବୋଲି କହିଛନ୍ତି ହେକେର । ଏହି ଆକ୍ରମଣାତ୍ମକ ମନୋଭାବ କିଛି ବିବାଦ ସୃଷ୍ଟି ହେବାର କାରଣ ସାଜିପାରେ ବୋଲି ସେ କହିଛନ୍ତି ।

ଭାରତକୁ ପୁଣି ଚକମା ଦେଖାଇପାରେ ଚୀନ୍, ସୀମାରେ ସାମରିକ କ୍ଷମତା ବଢ଼ାଇବା ଲାଗି ଡ୍ରାଗନର ଉଦ୍ୟମ

ନୂଆଦିଲ୍ଲୀ: ଭାରତକୁ ପୁଣି ଚକମା ଦେଖାଇପାରେ ଚୀନ । ସୀମାରେ ନିଜର ସାମରିକ କ୍ଷମତା ବଢାଇବା ଲାଗି ଡ୍ରାଗନ କରୁଛି ଯୋଜନା । ଗଲଓ୍ବାନ ସଂଘର୍ଷ ପରି ଅନ୍ୟ ଏକ ଘଟଣା ଘଟିବାର ଆଶଙ୍କା ଏବେ ଘନୀଭୂତ ହେଉଛି । ଗଲଓ୍ବାନ ସଂଘର୍ଷରେ ଚୀନ ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା, ଠିକ୍ ସେହି ଧରଣରୁ ଉନ୍ନତ ଅସ୍ତ୍ରଶସ୍ତ୍ର ଚୀନ କ୍ରୟ କରୁଥିବା ସୂଚନା ମିଳିଛି । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସମ୍ଭାବ୍ୟ ସଂଘର୍ଷ ଘଟିଲେ ଏହି ଅସ୍ତ୍ରଗୁଡିକୁ ବ୍ୟବହାର କରିବାକୁ ଚୀନ ଲକ୍ଷ୍ୟ ରଖିଛି । ଚୀନର ପିପୁଲସ୍ ଲିବରେସନ ଆର୍ମି ବା ପିଏଲଏ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଭିନ୍ନ ଧରଣର ଅସ୍ତ୍ର କ୍ରୟ କରାଯାଇଛି । ଏହି ଆଧୁନିକ ଅସ୍ତ୍ର ଗୁଡିକରେ ଧାରଯୁକ୍ତ କଣ୍ଟା ରହିଛି ।

ଦୁଇ ଦେଶ ମଧ୍ୟରେ ସ୍ଥିରତା ବଜାୟ ରଖିବା ଲାଗି ଉଦ୍ୟମ ଚାଲିଥିଲେ ମଧ୍ୟ ଚୀନ ପକ୍ଷରୁ ଦଗା ଦେବା ଲାଗି ଯୋଜନା କରାଯାଉଥିବା ସୂଚନା ମିଳିଛି । ଏହି ସ୍ବତନ୍ତ୍ର ଧରଣର ଅସ୍ତ୍ର କ୍ରୟ ପ୍ରକ୍ରିୟା ଗତ ଜାନୁଆରୀରୁ ଆରମ୍ଭ ହେବା ପରେ ଏବେ ତାହା କିଣାଯାଇଥିବା ସୂଚନା ମିଳିଛି । ଏହି ସ୍ବତନ୍ତ୍ର ଅସ୍ତ୍ରଗୁଡିକୁ ଚୀନର ତିଆନଜିନରେ ବି ପୋଲିସ ପକ୍ଷରୁ ବ୍ୟବହୃତ ହୋଇଥିବା ଜଣାଯାଇଛି । ଏହି ସ୍ବତନ୍ତ୍ର ଧରଣର ଅସ୍ତ୍ରର ଲମ୍ବା ୧.୮ ମିଟର ହୋଇଥିବା ବେଳେ ତିନି ଭାଗରେ ଏହା ବିଭକ୍ତ । ଏହାର ରଡଟି ଜିଙ୍କ ଷ୍ଟିଲ ପାଇପରେ ନିର୍ମିତ ।

ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା: ଆଜି ଇଡିରେ ହାଜର ହେବେ ବିଆରଏସ ନେତ୍ରୀ କବିତାଙ୍କ ପୂର୍ବତନ ଅଡିଟର ବୁଚିବାବୁ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା । ବିଆରଏସ ନେତ୍ରୀ କେ. କବିତାଙ୍କ ପୂର୍ବତନ ଅଡିଟର ବୁଚିବାବୁ ଗୋରାନ୍ତଲା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହେବେ ହାଜର । ଏହି ମାମଲାରେ ଗିରଫ ଅନ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର ମୁହାଁମୁହିଁ ଜେରା ହେବ । ଆସନ୍ତା ୧୬ ତାରିଖରେ କବିତାଙ୍କୁ ଜେରା ଲାଗି ଇଡି ସମୟ ଧାର୍ଯ୍ୟ କରିଥିବାବେଳେ ତା ପୂର୍ବରୁ ବୁଚିବାବୁଙ୍କୁ ଜେରା କରିବ ଇଡି । ପୂର୍ବରୁ ଏହି ମାମଲାରେ ଗତ ମାର୍ଚ୍ଚ ୬ରେ ଗିରଫ ହୋଇସାରିଛନ୍ତି ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ ପିଲାଇ । ପୂର୍ବରୁ ମାର୍ଚ୍ଚ ୯ରେ ହାଜର ହେବା ଲାଗି ବୁଚିବାବୁଙ୍କ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ସେ ହାଜର ହୋଇପାରି ନଥିଲେ ।

ଦୁଇ ଅଭିଯୁକ୍ତ ପିଲାଇ ଓ ବୁଚିବାବୁ ଏକତ୍ର ହାଇଦ୍ରାବାଦରେ ଏକ ପଞ୍ଚତାରକା ହୋଟେଲରେ ରହୁଥିବା ଦର୍ଶାଇଥିଲା ଇଡି । ସେହି ପଞ୍ଚତାରକା ହୋଟେଲରେ ମଦନୀତି ମାମଲା ସହ ଜଡିତ ବିଭିନ୍ନ ଅଭିଯୁକ୍ତମାନେ ରହୁଥିବାରୁ ଏହାର ସବିଶେଷ ବିବରଣୀ ହୋଟେଲ କର୍ତ୍ତୃପକ୍ଷଙ୍କଠାରୁ ମଗାଯାଇଛି । ପିଲାଇ, ବୁଚିବାବୁ, ଅନ୍ୟତମ ଗିରଫ ଅଭିଯୁକ୍ତ ଅଭିଷେକ ବୋଇନପାଲି ଓ ବିଜୟ ନାୟାରଙ୍କ ମଧ୍ୟରେ ପ୍ରକୃତ ସମ୍ପର୍କ କ’ଣ ଥିଲା, ହୋଟେଲରେ କି କି କାର୍ଯ୍ୟ ଚାଲିଥିଲା- ଏସବୁ ପ୍ରସଙ୍ଗରେ ମୁହାଁମୁହିଁ ଜେରା କରିପାରେ ଇଡି । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିଲେ ଆପର କମ୍ୟୁନିକେସନ ଇନ ଚାର୍ଜ ବିଜୟ ନାୟାର । ଏହି ମାମଲାରେ ଗତ ୧୧ ତାରିଖରେ କବିତାଙ୍କୁ ଇଡି ଜେରା କରିଥିବାବେଳେ ଆସନ୍ତା ୧୬ରେ ପୁଣି ଥରେ ଜେରା କରାଯିବ ।

 

ସ୍ବାଭାବିକ ଚାଲିଛି ବିଧାନସଭା, ଆଜି ସମବାୟ ଓ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି ହେବ ଆଗତ

ଭୁବନେଶ୍ୱର: ଦୁଇଦିନ ଧରି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା । ବିରୋଧୀଙ୍କ ସହଯୋଗ ଯୋଗୁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି ଆଲୋଚନା ଓ ୩ଟି ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି । ଆଜି ସମବାୟ ଓ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଗତ କରିବେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଖାଦ୍ୟ ଯୋଗାଣ ବିଭାଗର ୩ ହଜାର ୨୨୯ କୋଟି ୯୫ ଲକ୍ଷ ୩୬ ହଜାର ଟଙ୍କା ଆଗତ କରାଯିବ । ସେହିପରି ସମବାୟ ବିଭାଗର ୨ ହଜାର ୩୬ କୋଟି ୭୩ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହରେ ଆଗତ କରିବେ ମନ୍ତ୍ରୀ ।

ଏହା ସହିତ ରେରା ସଂଶୋଧନ ଆଇନ ୨୦୨୧ର ଗେଜେଟ ବିଜ୍ଞପ୍ତି, ଗତବର୍ଷ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବା ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ବିଜ୍ଞପ୍ତିକୁ ବିଭାଗୀୟ ମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ । ସେହିଭଳି ଓୟୁଏଟିର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପ୍ରଶ୍ନ କାଳରେ କୃଷି, ଖାଦ୍ୟ ଯୋଗାଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, ଶ୍ରମ ଓ ନିୟୋଜନ, ସମବାୟ ଏବଂ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।