ବ୍ରହ୍ମପୁର ଏସପିଙ୍କ ଦ୍ୱାରସ୍ଥ ହେଲେ ବିଜେପି କର୍ପୋରେଟର, ସପକ୍ଷରେ ବାହାରିଲେ ବିଜେଡି କର୍ପୋରେଟର ଓ ମେୟର

ବ୍ରହ୍ମପୁର: ବ୍ରହ୍ମପୁରରେ ବିଜେପିରେ ବିବାଦ ବଢ଼ିବାରେ ଲାଗିଛି । ବ୍ରହ୍ମପୁର ମହାନଗର ନିଗମର ୨୭ ନମ୍ବର ୱାର୍ଡ କର୍ପୋରେଟର ତଥା ବିଜେପି ନେତା ନୀଳକଣ୍ଠ ସାହୁଙ୍କୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ବହୁ ନେତା ମାଡ଼ ମାରିବା ଅଭିଯୋଗ ନେଇ ଆଜି କର୍ପୋରେଟର ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେବେ କର୍ପୋରେଟର ନୀଳକଣ୍ଠ ସାହୁ ବିଜେପି ନେତା ହୋଇଥିଲେ ମଧ୍ୟ ତାଙ୍କ ସହ କୌଣସି ବିଜେପି କର୍ପୋରେଟର ଏସପିଙ୍କ ଅଫିସକୁ ଯାଇନଥିଲେ । ଗତ ରବିବାର ରାତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଗଣ୍ଡଗୋଳ ହୋଇଥିଲା । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଜେନାଙ୍କ ଉପରେ କାଳିମାଡ଼ ହୋଇଥିବା ବେଳେ ନିଜ ଦଳର କିଛି ନେତା ଓ କର୍ମୀ ବିଜେପି କର୍ପୋରେଟର ନୀଳକଣ୍ଠ ସାହୁଙ୍କୁ ଆକ୍ରମଣ କରିଥିବା ଥାନାରେ ଏତଲା ଦିଆଯାଇଛି ।

ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଏସପିଙ୍କ ନିକଟରେ ନୀଳକଣ୍ଠ ଓ ଅନ୍ୟ କର୍ପୋରେଟର ଦାବି କରିଛନ୍ତି । ବ୍ରହ୍ମପୁର ଏସପି ଡକ୍ଟର ଶ୍ରବଣ ବିବେକ ଏମ୍‌. କହିଛନ୍ତି, ଦୁଇଟି ମାମଲା ରୁଜୁ ହୋଇଛି । ଅତି ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ମହାନଗର ନିଗମର ଜଣେ କର୍ପୋରେଟର ଆକ୍ରମଣର ଶିକାର ହୋଇଥିବାରୁ ସେ ବିଜେପିର ହୋଇଥିଲେ ମଧ୍ୟ ତାଙ୍କୁ ବିଜେଡି କର୍ପୋରେଟରମାନେ ସହଯୋଗ କରିଥିଲେ । କିନ୍ତୁ ବିଜେପି କର୍ପୋରେଟର ନୀଳକଣ୍ଠଙ୍କ ସହ କୌଣସି ବିଜେପି କର୍ପୋରେଟର ଏସପିଙ୍କ ଅଫିସକୁ ଯାଇନଥିଲେ । ଏହି ଘଟଣା ପୁଣି ଥରେ ବିଜେପି କନ୍ଦଳକୁ ପଦାରେ ପକାଇଛି ।