ନୂଆଦିଲ୍ଲୀ: ଇଟାଲୀ ମିଲାନ ସହରରେ ଭୟାବହ ବିସ୍ଫୋରଣ । ପାର୍କିଂରେ ରଖାଯାଇଥିବା ଭ୍ୟାନରେ ବିସ୍ଫୋରଣ ଯୋଗୁ ଅନ୍ୟ କିଛି ଗାଡ଼ିରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ବିସ୍ଫୋରଣରେ ଜଣେ ଆହତ ହୋଇଥିବା ବେଳେ କାହାରି ମୃତ୍ୟୁ ହୋଇ ନଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ ବିସ୍ଫୋରଣ ଯୋଗୁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ପାଖରେ ଥିବା ଏକ ସ୍କୁଲ ଓ ଜନବସତି ଅଞ୍ଚଳକୁ ଖାଲି କରାଯାଇଛି । ପୂରା ଅଞ୍ଚଳକୁ ସିଲ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋସିଆଲ ମିଡିଆରେ ଅଗ୍ନିକାଣ୍ଡ ସମୟର ଭିଜୁଆଲ ଭାଇରାଲ ହୋଇଛି ।
ପାଖେଇ ଆସିଲାଣି ଶୀତଳ ଷଷ୍ଠୀ, ସମ୍ବଲପୁରରେ ଶୃଙ୍ଖଳିତ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ସମ୍ବଲପୁର: ଆଉ ଦିନ କେଇଟା ପରେ ବିଶ୍ବପ୍ରସିଦ୍ଧ ଶୀତଳଷଷ୍ଠୀ । ଦୁଲୁକିବ ସମ୍ବଲପୁର । ଯାତ୍ରାକୁ ସୁରୁଖୁରୁରେ ସମାପନ ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ସିସିଟିଭି ନଜରରେ ରହିବ ପୂରା ସହର । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ହେବ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ । ଭାରପ୍ରାପ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଏସପି ଓ ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟିକୁ ନେଇ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟିର ସଭ୍ୟମାନେ ଉପସ୍ଥିତ ରହି ନିଜ ଅଞ୍ଚଳରେ ଯାତ୍ରା ଯେଉଁ ରାସ୍ତା ଦେଇ ଯିବ ସେହି ସବୁ ରାସ୍ତାର ମରାମତି ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଏହାସହ ଅନ୍ୟାନ୍ୟ ମୌଳିକ ସୁବିଧାକୁ ନେଇ ମଧ୍ୟ ଆଲୋଚନା ହୋଇଛି ।
ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଆସିଥିବା ରାସ୍ତା, ବିଜୁଲି ଓ ପରିମଳ ସମସ୍ୟା ଅଭିଯୋଗ ଉପରେ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଶୀତଳଷଷ୍ଠୀ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ଏଥର ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦେବ ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ସମ୍ବଲପୁର ସହରର ସବୁ ଅଞ୍ଚଳରେ ସିସିଟିଭି କ୍ୟାମେରା ସହ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବ ଜିଲ୍ଲା ପୋଲିସ ।
ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଲେ ହିଞ୍ଜିଳିକାଟୁ ଓ ଶେରଗଡ଼ ବାସିନ୍ଦା
ଆସିକା: ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଶେରଗଡ଼ ଅଞ୍ଚଳର ଲୋକ । ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ଆଠଟି କଲେଜର ରୂପାନ୍ତରଣ ପାଇଁ ଛଅ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଥିବାରୁ ଲୋକମାନେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଗତ ୭ ତାରିଖରେ 5T ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଗସ୍ତରେ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ବିକାଶ କାମ ଅନୁଧ୍ୟାନ କରିଥିଲେ 5T ସଚିବ । ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ ସହ ମନ୍ଦିରର ଉନ୍ନତି, ସ୍ମାର୍ଟକ୍ଲାସ୍ ଓ ବିଭିନ୍ନ କଲେଜକୁ ଯାଇ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ।
ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ 5T ସଚିବ। ଶୀଘ୍ର ସବୁ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗସ୍ତ ପରେ ସମସ୍ତ ସମସ୍ୟାର ସାମଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ଆଠଟି କଲେଜର ରୂପାନ୍ତରଣ ପାଇଁ ଛଅ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ପ୍ରବଳ ତାତିରେ ସନ୍ତୁଳି ହେଉଛି ଓଡ଼ିଶା, ୧୩ ତାରିଖରୁ ପୁଣି ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ଗୋଟେପଟେ ବାତ୍ୟା । ଏପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ପ୍ରବଳ ତାତିରେ ସନ୍ତୁଳି ହେଉଛି ଓଡ଼ିଶା । ପୁଣି ୧୩ ତାରିଖରୁ ରାଜ୍ୟରେ ବଢ଼ିବ ତାପମାତ୍ରା । ୧୫ରୁ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବଢ଼ିବ । ଆଜି ଦିନ ୨.୩୦ ସୁଦ୍ଧା ୩ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ ହୋଇଛି । ସମ୍ବଲପୁରରେ ସର୍ବାଧିକ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ଝାରସୁଗୁଡାରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୩୭.୮ ଡିଗ୍ରୀ, ଭୁବନେଶ୍ୱରରେ ୩୭.୦ ଡିଗ୍ରୀ, ଚାନ୍ଦବାଲିରେ ୩୬.୮ ଡିଗ୍ରୀ, ବାଲେଶ୍ୱରରେ ୩୩.୪, ଗୋପାଳପୁରରେ ୩୩.୦ ଡ଼ିଗ୍ରୀ, ପାରାଦ୍ୱୀପରେ ୩୩ ଡିଗ୍ରୀ ଓ ପୁରୀରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ ଅବୈଧ: ପାକିସ୍ତାନ ସୁପ୍ରିମକୋର୍ଟ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ ଅବୈଧ ବୋଲି କହିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଏକ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସେପଟେ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଗୃହଯୁଦ୍ଧ ସ୍ଥିତି । ସୁଧୁରୁନି ପାକିସ୍ତାନ ସ୍ଥିତି । ବିଭିନ୍ନ ସ୍ଥାନରେ ସ୍ଥିତି ନିୟନ୍ତ୍ରଣରୁ ବାହାରେ । ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପ୍ରାଣ ହରାଇଲେଣି ୮ ଜଣ । ବର୍ତ୍ତମାନ ସୁଦ୍ଧା ୧୯୦୦ ଗିରଫ ହୋଇସାରିଲେଣି । ପୂରା ଦେଶରେ ହିଂସା ଉଗ୍ର ରୂପ ଧାରଣ କରିଥିବା ବେଳେ ସରକାରୀ ସମ୍ପତ୍ତି ପୋଡ଼ାଜଳା କରିଛନ୍ତି ଇମ୍ରାନଙ୍କ ସମର୍ଥକ ।
ଦୁବାଇ ଯିବେ ବାଲିଆପାଳର ମିଶନ ଶକ୍ତି ସଦସ୍ୟା ସୁଷମା ଦତ୍ତ
ଜଳେଶ୍ୱର: ଦୁବାଇ ଯିବେ ବାଲିଆପାଳର ମିଶନ ଶକ୍ତି ସଦସ୍ୟା ସୁଷମା ଦତ୍ତ । ଆସନ୍ତା ୧୫ ତାରିଖରୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଯାତ୍ରା କରିବ । ଏଥିରେ ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି ସୁଷମା । ମିଶନ ଶକ୍ତି ମାଧ୍ୟମରେ ସ୍ବାବଲମ୍ବୀ ହୋଇଛନ୍ତି ସୁଷମା । ଦୁବାଇ ଯାଇ ସେଠାରେ ବିଭିନ୍ନ ଗୁଣାତ୍ମକ କାର୍ଯ୍ୟର ଉପଲବ୍ଧି ଅନୁଧ୍ୟାନ କରିବେ ସୁଷମା ଦତ୍ତ । ଏଥିପାଇଁ ତାଙ୍କୁ ମନୋନୀତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।
କମ୍ ନିବେଶରେ ଅଧିକ ଲାଭର ଲୋଭ, ଫ୍ରଡ୍ ଆପ୍ ଜଏନ ଟ୍ରେଡ୍-ଫିନାନସିଆଲ ଗ୍ରୋଥର ସମ୍ପତ୍ତି ଜବତ
ଭୁବନେଶ୍ୱର: ଫ୍ରଡ୍ ଆପ୍ ଜଏନ ଟ୍ରେଡ୍- ଫିନାନସିଆଲ ଗ୍ରୋଥର ୧ କୋଟି ୨୨ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଜବତ କରିଛି ଇଓଡବ୍ଲୁ । କମ୍ ନିବେଶରେ ଅଧିକ ଲାଭର ଲୋଭ ଦେଖାଇବା ସହ ବିଭନ୍ନ ବଲିଉଡ୍ ତାରକାଙ୍କ ଫଟୋକୁ ଜାଲ ଉପାୟରେ ବ୍ୟବହାର କରି ଲୋକଙ୍କୁ ଆକର୍ଷିତ କରୁଥିଲା କମ୍ପାନୀ । ଏହି ଆପକୁ ଗୁଗଲ ପ୍ଲେ-ଷ୍ଟୋରରୁ ବି ଡାଉନଲୋଡ୍ କରିବା ଲାଗି କମ୍ପାନୀ ଲୋକଙ୍କୁ ପ୍ରବର୍ତ୍ତାଇଥିଲା । ଏହି ଆପକୁ ତିଆରି କରିଥିଲା ପରଫେକ୍ଟ ଟ୍ରେଡ୍ । ଏପରିକି ୧୦୦ରୁ ୨୦ ହଜାର ଟଙ୍କା ଯାଏ ଜମା କଲେ ଲାଭ ବହୁ ଅଧିକ ହେବ ବୋଲି କମ୍ପାନୀ ପ୍ରବର୍ତ୍ତାଇଥିଲା ।
ଟଙ୍କା ଜମା ଲାଗି UPI ID ବି ଦିଆଯାଇଥିଲା । ସଂଗୃହୀତ ଅର୍ଥକୁ ବିଭିନ୍ନ ଜାଲ କମ୍ପାନୀରେ ନିୟୋଜିତ କରାଯାଇଥିଲା । ଏନେଇ ଅଭିଯୋଗ ହେବା ପରେ ୫ଟି ଆକାଉଣ୍ଟକୁ ଯାଞ୍ଚ କରାଯିବା ସହ ୧୮ କୋଟି ୬୭ ଲକ୍ଷ ଟଙ୍କାର କାରବାର ଠାବ ହୋଇଥିଲା । ବିଭିନ୍ନ ବ୍ୟାଙ୍କରେ ଏହି ଟଙ୍କା ଜମା କରାଯାଇଥିଲା । ଅଧିକ ତଦନ୍ତ ପରେ କମ୍ପାନୀର ୧ କୋଟି ୨୨ ଲକ୍ଷ ଟଙ୍କାକୁ ଇଓଡବ୍ଲୁ ଜବତ କରିଥିଲା ।
ରାଜ୍ୟରେ ପ୍ରଥମ ଥର ଆରମ୍ଭ ହୋଇଛି ସମର କୋର୍ସ, ଆଗ୍ରହୀ ଅଛନ୍ତି ଛାତ୍ରଛାତ୍ରୀ
ଭୁବନେଶ୍ୱର: ଅବକାଶକାଳୀନ ଶିକ୍ଷା ବା ସମର କୋର୍ସ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି । ଗତକାଲି ଏରଞ୍ଚ ଯାଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସମୀକ୍ଷା କରିଥିଲେ । ସେଠାରେ ପିଲାମାନେ ସମର କୋର୍ସ ନେଇ ଆଗ୍ରହୀ ଅଛନ୍ତି । ଭଲ ଫିଡବାକ୍ ଆସୁଛି । ଯେଉଁ ଛାତ୍ରଛାତ୍ରୀ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରୁଛନ୍ତି, ସେମାନଙ୍କ ଡାଉଟ୍ କ୍ଲିୟର ହୋଇପାରୁଛି । ଛାତ୍ରଛାତ୍ରୀଙ୍କ ଡାଉଟ୍ କ୍ଲିୟର ଓ କୋର୍ସ ଆଗକୁ ନେବାକୁ ଶିକ୍ଷକ ପିଲାମାନଙ୍କ ପାଖରେ ପ୍ରସ୍ତୁତ ରହିଛନ୍ତି ।

