ସିଧା ଭୁବନେଶ୍ବର ଆସନ୍ତୁ ମୃତକଙ୍କ ସମ୍ପର୍କୀୟ : ପୂର୍ବତଟ ରେଳବାଇ

ଭୁବନେଶ୍ବର: ଅନ୍ୟ କୌଣସି ହସପିଟାଲକୁ ନଯାଇ ଭୁବନେଶ୍ବର ଆସନ୍ତୁ ମୃତକଙ୍କ ସମ୍ପର୍କୀୟ । ମୃତଦେହ ଚିହ୍ନଟ ପାଇଁ ଅନ୍ୟ ହସପିଟାଲକୁ ନଯାଇ ଏମସକୁ ଆସିବାକୁ କହିଛି ପୂର୍ବତଟ ରେଳବାଇ । ଯାହାଦ୍ବାରା ମୃତକଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ।

ଟ୍ରେନ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୨୮୮ ରହିଛି । ବାଲେଶ୍ୱରରୁ ଭୁବନେଶ୍ୱରକୁ ୧୯୩ ମୃତଦେହ ଆସିଥିଲା । ଭୁବନେଶ୍ବରରୁ ଏବେ ସୁଦ୍ଧା ୧୧୦ ମୃତଦେହ ଚିହ୍ନଟ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବାଲେଶ୍ୱରରେ ୯୪ଟି ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ସମୁଦାୟ ୨୦୫ ମୃତଦେହ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଆଉ ୮୩ଟି ମୃତଦେହ ଏଯାଏ ଚିହ୍ନଟ ହୋଇପାରିନାହିଁ । ଚିକିତ୍ସାଧୀନ ଥିବା ଆହତଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପଟେ ବାହାନଗା ଟ୍ରେନ ଦୁର୍ଘଟଣାରେ ପରିଚୟ ମିଳୁନଥିବା ମୃତଦେହର ଦିଲ୍ଲୀରେ ହେବ ଡିଏନଏ ଟେଷ୍ଟ । ଅଚିହ୍ନା ଏବଂ ଦ୍ବନ୍ଦ୍ବ ସୃଷ୍ଟି କରୁଥିବା ମୃତଦେହର ଡିଏନଏ ଟେଷ୍ଟ କରାଯିବ । ରିପୋର୍ଟ ଆସିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି ।

ଏମସରେ ଚିହ୍ନଟ ହୋଇନଥିବା ୫୨ଟି ମୃତଦେହର ଡିଏନଏ ସାମ୍ପଲ ନିଆଯାଇଛି । ସେଗୁଡ଼ିକ ଆଜି ଦିଲ୍ଲୀ ଏମସକୁ ଟେଷ୍ଟ ପାଇଁ ପଠାଯିବ । ଡିଏନଏ ଟେଷ୍ଟ ମାଧ୍ୟମରେ ଆଇଡେଣ୍ଟିଫିକେସନ ମାର୍କକୁ ଦେଖି ମୃତଦେହ ହସ୍ତାନ୍ତର ବ୍ୟବସ୍ଥା କରାଯାଉଛି ।