ପ୍ରଦୀପ ପୁରୋହିତଙ୍କ ବାସଭବନରେ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା, ଆଜି ହେବ ଧନଞ୍ଜୟଙ୍କ ପୋଷ୍ଟମର୍ଟମ

ଭୁବନେଶ୍ବର: ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବାସଭବନରେ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା । ଡ୍ରାଇଭର ଧନଞ୍ଜୟ ପାଣ୍ଡେଙ୍କ ମୃତଦେହ ଜବତ କରାଯାଇଛି । ଆଜି କ୍ୟାପିଟାଲ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ । ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ସାଇଣ୍ଟଫିକ ଓ ଲକ୍ଷ୍ମୀସାଗର ଥାନା ପୋଲିସ  ତଦନ୍ତ କରିଛି ।

ଘଟଣାରେ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ କରୁଛି । ଗତକାଲି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଟାଓ୍ବାରରେ ମୃତକଙ୍କ ପରିବାର ସଦସ୍ୟ ଏବଂ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଫ୍ଲାଟ ଖୋଲି ଭିତରକୁ ଯାଇଥିଲା ପୋଲିସ । ପ୍ରଦୀପ କହିଛନ୍ତି, ସେ ଦିଲ୍ଲୀରୁ ଫେରିବା ପରେ ଏୟାରପୋର୍ଟରୁ ନେବାପାଇଁ ଧନଞ୍ଜୟ ଆସିବାର ଥିଲା । କିନ୍ତୁ ସେ ଫୋନ ନ ଉଠାଇବାରୁ ନିଜେ ଫ୍ଲାଟକୁ ଆସି ଧନଞ୍ଜୟ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ଗତକାଲି ସକାଳେ ଭଗବାନ ଟାଓ୍ବାରର ୭୦୩ ନମ୍ବର ଫ୍ଳାଟରେ ଧନଞ୍ଜୟଙ୍କର ମୃତଦେହ ଠାବ ହୋଇଥିଲା । ପ୍ରଦୀପଙ୍କ ପାଖ ଫ୍ଲାଟର ସିସିଟିଭିରେ ସତ ଲୁଚିଥିବା ସନ୍ଦେହ କରାଯାଉଛି  ।

ଫ୍ଲାଟକୁ ମୃତ ଧନଞ୍ଜୟଙ୍କ ସହିତ ଅନ୍ୟ ବ୍ୟକ୍ତିଙ୍କ ଯିବା ଆସିବା ସମ୍ପର୍କରେ ସୂଚନା ପାଇଁ ସିସିଟିଭିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ପ୍ରଦୀପଙ୍କ ପାଖରେ ଦୀର୍ଘ ୯ବର୍ଷ ଧରି ଡ୍ରାଇଭର ଭାବେ କାମ କରୁଥିଲେ ଧନଞ୍ଜୟ । ପ୍ରଦୀପଙ୍କ ରାଜନୈତିକ କାମ ବି ବୁଝାସୁଝା କରୁଥିଲେ । ଏବେ ତାଙ୍କ ମୃତ୍ୟୁକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।