ନନ୍ଦିଘୋଷ ବ୍ୟୁରୋ :ଭୁଲ ସାଲାଇନ ନେଲା ଶିକ୍ଷକଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ପାଣ୍ଡିରିପଡା ଗାଁରେ ଘଟିଛି ଅଭାବନୀୟ ଘଟଣା। ସୂଚନାଅନୁସାରେ ପାଣ୍ଡିରିପଡା ଗାଁ ଗୌଡ ସାହିର ଜଣେ ନକଲି ଡାକ୍ତର ଜଣେ ଶିକ୍ଷକ ଅସୁସ୍ଥତା ଥିବା ବେଳେ ଭୁଲ ସାଲାଇନ ଦେବା ଫଳରେ ଶିକ୍ଷକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଶିକ୍ଷକ ଜଣକ ରାଇପଡା ଗାଁର ରମେଶ ପ୍ରଧାନ । ଏନେଇ ପରିବାର ଲୋକେ ମୃତ ଦେହକୁ ନକଲି ଡାକ୍ତରର ଘର ସମ୍ମୁଖରେ ରଖି ପ୍ରତିବାଦ କରିଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଘଟଣାର ତଦନ୍ତ କରୁଥିବା ବେଳେ ନକଲି ଡାକ୍ତରଙ୍କ ପରିବାର ବର୍ଗ ଚମ୍ପଟ ମାରିଥିବାର ଅଭିଯୋଗ ହୋଇଛି ।
ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ASI
ନନ୍ଦିଘୋଷ ବ୍ୟୁରୋ :ପୁଣି ଥରେ ଭିଜିଲାନ୍ସ ଜାଲରେ ଅସାଧୁ ପୋଲିସ ଅଫିସର। ଜେଲ୍ ପଠାଇଦେବାର ଭୟ ଦେଖାଇ ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡରେ ଧରାପଡ଼ିଲେ ଖଲ୍ଲିକୋଟ ଥାନାର ଏଏସଆଇ ସୁଜିତ ପାଣିଗ୍ରାହୀ।ଗୋଟିଏ ମାମଲାରେ ଗିରଫ ନକରିବା ପାଇଁ ଜଣେ ଯୁବକଙ୍କୁ ଗିରଫ କରିବାର ଭୟ ଦେଖାଉଥିଲେ ASI ସୁଜିତ ପାଣିଗ୍ରାହୀ। ଏଥିପାଇଁ ସେ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ ଉପାୟ ନପାଇ ସମ୍ପୃକ୍ତ ଯୁବକ ଜଣକ ସିଧା ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।
ପୂର୍ବ ଯୋଜନା ମୁତାବକ, ଆଜି ଯେତେବେଳେ ଯୁବକଙ୍କ ଠାରୁ ASI ସୁଜିତ ପାଣିଗ୍ରାହୀ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ସେହି ସମୟରେ ପୂର୍ବରୁ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସର ସ୍ୱେଶାଲ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡରେରେ କାବୁ କରିଥିଲା। ବର୍ତ୍ତମାନ ଖଲ୍ଲିକୋଟ ଥାନା ପରିସରରେ ଭିଜିଲାନ୍ସ ଟିମ୍ ପହଞ୍ଚି ଜୋରଦାର ଖୋଳତାଡ଼ ଓ ଛାନ୍ଭିନ୍ ଜାରି ରଖିଛି । ASIଙ୍କ ସରକାରୀ ବାସଭବନ ଏବଂ ଅନ୍ୟାନ୍ୟ କାଗଜ ପତ୍ର ଖୋଲାତାଡ଼ କରାଯାଉଥିବା ଜଣାପଡିଛି…
ସ୍କୁଲରେ ଘାରିଛି ଭୂତ ଭୟ, ଆସୁନାହାନ୍ତି ଛାତ୍ର ଛାତ୍ରୀ
ନନ୍ଦିଘୋଷ ବ୍ୟୁରୋ :ସ୍କୁଲରେ ଘାରିଛି ଭୂତ ଭୟ । ଆସୁନାହାନ୍ତି ଛାତ୍ର ଛାତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଦେଉଳପଡା ପଞ୍ଚାୟତର ଗଜେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା । ଗତ ୪ ଦିନ ହେବ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରୀମାନେ ଅସ୍ବଭାଭିକ ଆଚରଣ ପ୍ରଦର୍ଶନ କରୁଛନ୍ତି । ଏହି ବିଦ୍ୟାଳୟକୁ ନିକଟବର୍ତ୍ତୀ ୭ଟି ଗ୍ରାମର ପ୍ରାୟ ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସିଥାନ୍ତି । ଗତ ୪ ଦିନ ହେବ ବିଦ୍ୟାଳୟରେ ପ୍ରାର୍ଥନା ସମୟରେ ଓ କ୍ଲାସ କରୁଥିବା ସମୟରେ କିଛି ଛାତ୍ରୀ ହଟାତ ତଳେ ପଡ଼ି ଯିବା ସହିତ ମୁଣ୍ଡ ,ଛାତି ,ଗୋଡ ବିନ୍ଧା ହେଉଥିବା ଅଭିଯୋଗ ହୋଇଛି । ପରବର୍ତ୍ତୀ ସମୟରେ ଚିତ୍କାର କରି କହୁଛନ୍ତି ଛାଡ଼ ମୋତେ ମୁଁ ଘରକୁ ଯିବି । ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଅଭିଭାବକ ଙ୍କୁ ଡାକି ତୁରନ୍ତ ମେଡ଼ିକାଲ କି ଚିକିତ୍ସା ପାଇଁ ନେବାକୁ ପରାମର୍ଶ ଦେଇଥିଲେ । ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଛାତ୍ରୀ । ଗୁଣି ଗାରେଡ଼ି ହୋଇଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଆଜି ମେଡ଼ିକାଲ ଟିମ୍ ବିଦ୍ୟାଳୟରେ ପହଁଚି ଛାତ୍ରୀ ମାନଙ୍କର ବ୍ଲଡ଼ ପ୍ରେସର୍, ବ୍ଲଡ଼ ଟେଷ୍ଟ, ହିମୋଗ୍ଲୋବିନ ଟେଷ୍ଟ କରିଛନ୍ତି ଏବଂ ମେଡିକାଲ ଟିମ୍ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବସାଇ ଛାତ୍ରୀମାନେ ଅସ୍ବାଭାବିକ ଆଚରଣ କଲେ କିପରି ପଦକ୍ଷେପ ନେବେ ସେଥିପାଇଁ ସଚେତନ କରିଛନ୍ତି । ପୀଡିତ ଛାତ୍ରୀ ମାନଙ୍କୁ ଭୂତ ପ୍ରେତ ଲାଗିଥିବା ଭୟରେ ଅବିଭାବକ ମାନେ ବିଦ୍ୟାଳୟକୁ ଛାଡୁ ନାହାନ୍ତି । ତେଣୁ ଗୁଣିଆକୁ ଡାକି ଝଡ଼ାଫୁଙ୍କା ଆରମ୍ଭ କରିଛନ୍ତି ଲୋକେ ।..
ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା ।
ନନ୍ଦିଘୋଷ ବ୍ୟୁରୋ :ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା । ଗତ ଦୁଇଦିନ ଧରି ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ଜିଲ୍ଲାର ସମସ୍ତ ତଳୁଆ ପୋଲ ବିପଦସଙ୍କେତକୁ ସ୍ପର୍ଶ କରିଛି । ତେବେ ଜିଲ୍ଲା ଦେଇ ଯାଇଥିବା 326 ନମ୍ବର ଜାତୀୟ ରାଜପଥ ପୋଟେରୁ ନିକଟରେ ଥିବା ତଳୁଆ ପୋଲ ଉପରେ ଗତକାଲି ଗୋଟିଏ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ ମଧ୍ୟରାତ୍ରୀ ସୁଦ୍ଧା ପାଣି କମିବା ଯୋଗୁଁ ଯୋଗାଯୋଗ ସ୍ୱଚ୍ଛଳ ହୋଇଥିଲା ।
ତେବେ ପୁନର୍ବାର ବର୍ତ୍ତମାନ ପୋଟେରୁ ପୋଲ ଉପରେ ପାଣି ଚାଲୁଥିବା ଯୋଗୁଁ ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ମାଲକାନଗିରି ଜିଲ୍ଲାରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ସହ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ କୋରାପୁଟରୁ ୩୬ ଜଣିଆ ଓଡ୍ରାଫ୍ଟ ଟିମ୍ ମାଲକାନଗିରିରେ ପହଞ୍ଚିଛନ୍ତି । ଏଥିରୁ ୧୨ ଜଣଙ୍କୁ ମାଥିଲିରେ ମୁତୟନ କରାଯାଇଥିବା ବେଳେ, ଅନ୍ୟ ଟିମ୍ ସଦସ୍ୟଙ୍କୁ କାଲିମେଳାର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ବନ୍ୟା ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ପ୍ରତ୍ୟେକ ପଞ୍ଚାୟତର ପିଇଓ, ରାଜସ୍ୱ ନିରୀକ୍ଷକ, ବିଡିଓ ଓ ତହସିଲଦାରଙ୍କୁ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଲଗାଣ ବର୍ଷା ଯୋଗୁ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟି ରେ ରଖି ସମସ୍ତ ବ୍ଲକ ର ବିଡ଼ିଓ ଓ ତହସିଲଦାରଙ୍କୁ ନିଜ ନିଜ ଅଂଚଳରେ ପରିସ୍ଥିତି ର ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କାଙ୍ଗୁରୁକୋଣ୍ଡା ପୋଲ ସମେତ ପୋଟେରୁ, ଚେଲାନବୁଡ଼ା, ଏମ୍ଭି-୯୬, ଏମ୍ଭି-୭୨ ଭଳି ଅଞ୍ଚଳର ବ୍ରିଜ୍ ଉପରେ ମଧ୍ୟ ଜଳସ୍ତର ବଢ଼ିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ କରାଯାଇଛି ପ୍ରସ୍ତୁତି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ଶୁଖିଲା ଖାଦ୍ୟ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ବ୍ରିଜ୍ ନିକଟରେ ପୋଲିସ ମୁତୟନ ହୋଇଛନ୍ତି ।….
ଭାଇ ଭଉଣୀ ଭାସିଯାଇ ମୃତ
ନନ୍ଦିଘୋଷ ବ୍ୟୁରୋ :ଭାଇ ଭଉଣୀ ଭାସିଯାଇ ମୃତ । ଭାଇ ପାଣିରେ ବୁଡ଼ିଥିବା ଦେଖି ଉଦ୍ଧାର କରିବାକୁ ଯାଇ ଦିବ୍ୟାଙ୍ଗ ଭଉଣୀର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଖୁଣ୍ଟା ଥାନା ମହ୍ଲାରପଦା ଗାଁରେ । ମହ୍ଲାରପଦା ଗ୍ରାମର ପରମେଶ୍ୱର ନାୟକ ଏବଂ ତାଙ୍କ ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ନାୟକ ଘରେ ରୁହନ୍ତି । ପରମେଶ୍ୱର ଘର ପାଖରେ ପ୍ରବାହିତ ନାଲୁହା ନଦୀର କେନାଲରେ ଅସାବଧାନତା ଯୋଗୁଁ ପଡ଼ି ଯାଇଥିଲେ । ଏହାକୁ ଦେଖି ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ତାଙ୍କୁ ଉଦ୍ଧାର କରିବାକୁ କେନାଲ ଭିତରକୁ ଡେଇଁଥିଲେ ।
ସେ ମଧ୍ୟ ପାଣି ସୁଅରେ ଭାସି ଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ସ୍ଥାନରେ ନଦୀ ଭିତରେ ଦୁଇ ଗୋଟି ମୃତଦେହ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଦୁଇ ମୃତଦେହ ଉଦ୍ଧାର କରିଛି। ଖବର ପାଇ ଖୁଣ୍ଟା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
କାଳିଆ ଦର୍ଶନ ପାଇଁ ହନ୍ତସନ୍ତ ଭକ୍ତ, ପୁରୀବାସୀଙ୍କ ପାଇଁ ନୂଆ ପ୍ରବେଶ ବ୍ୟବସ୍ଥାକୁ ନେଇ ଅସନ୍ତୋଷ
ନନ୍ଦିଘୋଷ ବ୍ୟୁରୋ : କାଳିଆ ଦର୍ଶନ ପାଇଁ ହନ୍ତସନ୍ତ ଶ୍ରଦ୍ଧାଳୁ। ଶ୍ରୀମନ୍ଦିରରେ ବଢ଼ୁଥିବା ଭିଡ଼ ଭିତରେ ନୟାନ୍ତ ହେଉଛନ୍ତି ପୁରୀବାସୀ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବ ସରକାରଙ୍କ ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଇଥିଲା। ଏପରିକି ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶର ଅନୁମତି ମଧ୍ୟ ରହିଥିଲା। ହେଲେ ଏବେ ସେହି ସୁବିଧାରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ଲୋକେ। ଏନେଇ ରାଜ୍ୟସଭା ସାଂସଦ ମଧ୍ୟ ସ୍ୱର ଉଠାଇଛନ୍ତି। ସମସ୍ୟାର ସମାଧାନ ସହ ଭିଡ଼ ନିୟନ୍ତ୍ରଣ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ସରକାର ଘୋଷଣା କରିଛନ୍ତି। ତେବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଆହୁରି ୩ରୁ ୪ ମାସ ସମୟ ଲାଗିବ ବୋଲି ଜଣାପଡ଼ିଛି। ଭୁବନେଶ୍ୱର IITରେ ସ୍ୱତନ୍ତ୍ର ଜ୍ଞାନକୌଶଳରେ ରାମ୍ପ ନିର୍ମାଣ କରାଯାଉଛି। ଏହି ରାମ୍ପକୁ ଖୋଲିବା ଓ ବନ୍ଦ କରିବା ପାଇଁ ପ୍ରାୟ ୫ ମିନିଟ୍ ସମୟ ଲାଗିବ। ଛତିଶା ନିଯୋଗ ଓ ପ୍ରଶାସନିକ ଅଧିକାରୀ ଏହାର ନିରୀକ୍ଷଣ କରି ଅନୁମୋଦନ କରିବା ପରେ ଏହାକୁ ଶ୍ରୀମନ୍ଦିରରେ ଅବସ୍ଥାପିତ କରାଯିବ। ସେହିପରି ପୁରୀବାସୀଙ୍କ ପାଇଁ ଉତ୍ତର ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରିବା ନେଇ ଏକପ୍ରକାର ନିଷ୍ପତ୍ତି ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ବାୟୋମେଟ୍ରିକ୍ ବ୍ୟବସ୍ଥା କରାଯାଇ ଦେଉଳ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।
ତେବେ ଆଇନ ମନ୍ତ୍ରୀଙ୍କ ଏହି ଘୋଷଣାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁ। ବର୍ଷ ବର୍ଷ ଧରି ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ଏହା ଏଯାଏଁ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ସରକାର ଓ ପ୍ରଶାସନ ଭକ୍ତ ଓ ଭଗବାନଙ୍କ ମଝିରେ ବାଡ଼ ସାଜିଛନ୍ତି। ବାରମ୍ବାର ଦାବି ପରେ କ୍ୟାମେରା ସାମ୍ନାରେ ପ୍ରତିଶ୍ରୁତି ଦିଆଯାଉଛି, କିନ୍ତୁ ପରବର୍ତ୍ତୀ ସମୟରେ ତାହା ଭୁଲି ଯାଉଛନ୍ତି ସରକାର। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
କେବେ ସରିବ କଟକ ଚଣ୍ଡୀ ମନ୍ଦିର କାମ? ସାଢ଼େ ୩ ବର୍ଷ ପରେ ବି ଅଧା ନବୀକରଣ
ନନ୍ଦିଘୋଷ ବ୍ୟୁରୋ : କୁତ୍ସିତ ପରମ୍ପରାରୁ କରୁଣ ପରିଣତି। ପାଠ ପଢ଼ିବା ବୟସରେ ଅନେକ ନାବାଳିକା ବନୁଛନ୍ତି ମା’। କେବେ ସରିବ କଟକ ଚଣ୍ଡୀ ମନ୍ଦିରର ନବୀକରଣ କାମ? ସାଢ଼େ ୩ ବର୍ଷ ହେଲାଣି, ହେଲେ ଏଯାଏଁ ସରିବାର ନାଁ ନେଉନି କାମ। ଏପଟେ ପାଖେଇ ଆସିଲାଣି ମାଆଙ୍କ ଷୋଡ଼ଶ ଉପଚାର ପୂଜା। ଆଗକୁ ନବରାତ୍ର ଥିବାରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବ। ହେଲେ ଅଧାଗଢ଼ା କାମକୁ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି ଶ୍ରଦ୍ଧାଳୁ। କଟକର ଆରାଧ୍ୟ ଦେବୀ ମାଆ କଟକ ଚଣ୍ଡୀ। ପୂର୍ବ ସରକାରଙ୍କ ସମୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ନବୀକରଣ ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ। ଏଥିପାଇଁ ପ୍ରାୟ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ହେଲେ ଦୀର୍ଘ ସାଢ଼େ ୩ ବର୍ଷ ପରେ ବି କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଉ ମାସକ ପରେ ମାଆଙ୍କ ଷୋଡ଼ଶ ଉପଚାର ତଥା ନବରାତ୍ର ପୂଜା। ଏହି ସମୟରେ ମାଆଙ୍କ ଦର୍ଶନ ପାଇଁ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। କିନ୍ତୁ ମନ୍ଦିରର ନବୀକରଣ କାମ ଅଧାଗଢ଼ା ହୋଇ ରହିଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ମୁଖ୍ୟ ମନ୍ଦିରର କାମ ପ୍ରାୟ ସରି ଆସିଥିବା ବେଳେ ମଙ୍ଗଳା ମନ୍ଦିର, ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ଓ ପାଚେରୀ କାମ ଏବେ ବି ଜାରି ରହିଛି। ତେଣୁ ପୂଜା ସମୟରେ ଏସବୁ କାମ ଶ୍ରଦ୍ଧାଳୁଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ନେଇ ମଧ୍ୟ ଆଶଙ୍କା ରହିଛି। ସେପଟେ କଟକ ଜିଲ୍ଲାପାଳ କହିଛନ୍ତି, ଠିକାଦାର ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ କାମ ଶୀଘ୍ର ଶେଷ କରିବା ପାଇଁ ବାରମ୍ବାର ତାଗିଦ କରାଯାଇଛି। ବର୍ତ୍ତମାନ କାମ ପ୍ରାୟ ସରି ଆସିଛି। ବେଢ଼ା, ପାଚେରୀ ଓ ଆଉ କିଛି ଘରର କାମ ଆସନ୍ତା ୩ ସପ୍ତାହ ମଧ୍ୟରେ ସରିବ। ଅକ୍ଟୋବର ୧ ତାରିଖ ସୁଦ୍ଧା ସମସ୍ତ କାମ ସମ୍ପୂର୍ଣ୍ଣ କରାଯାଇ ମନ୍ଦିରର ଉଦ୍ଘାଟନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ପାଠ ପଢ଼ିବା ବୟସରେ ମା’! ବାଲ୍ୟ ବିବାହ ରୋକିବାକୁ ଆକ୍ସନ୍ ମୋଡ୍ରେ ଓଡ଼ିଶା ପୋଲିସ୍
ନନ୍ଦିଘୋଷ ବ୍ୟୁରୋ : କୁତ୍ସିତ ପରମ୍ପରାରୁ କରୁଣ ପରିଣତି। ପାଠ ପଢ଼ିବା ବୟସରେ ଅନେକ ନାବାଳିକା ବନୁଛନ୍ତି ମା’। ବାଲ୍ୟ ବିବାହ ଭଳି ସାମାଜିକ ବ୍ୟାଧିକୁ ରୋକିବା ପାଇଁ ଏବେ ଜୋରଦାର ଧରପଗଡ଼ ଆରମ୍ଭ କରିଛି ପ୍ରଶାସନ। ଏହାସହ ଓଡ଼ିଶା ପୋଲିସର ସ୍କାନରରେ ରହିଛି ଚାଇଲ୍ଡ ସ୍ମଗଲିଂ ମାମଲା। ଓଡ଼ିଶାରୁ ଅନେକ ଓଡ଼ିଆ ପଶ୍ଚିମବଙ୍ଗରେ ରହୁଛନ୍ତି। କିନ୍ତୁ ପଶ୍ଚିମବଙ୍ଗର ଏକ ଅଲୋଡ଼ା ରେକର୍ଡ ଏବେ ପୋଲିସ ପ୍ରଶାସନ ଓ ସାମାଜିକ କର୍ମୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଚଳିତବର୍ଷ ଜାନୁଆରୀ ୧ରୁ ଜାନୁଆରୀ ୩୦ ମଧ୍ୟରେ ପ୍ରାୟ ୬୦ ହଜାର ନାବାଳିକା ଗର୍ଭବତୀ ହେବା ଖବର ସମସ୍ତଙ୍କୁ ଚକିତ କରିଛି। ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେର ରିପୋର୍ଟ ଅନୁଯାୟୀ, ସାରା ଦେଶରେ ଅଣ୍ଡରଏଜ୍ ପ୍ରେଗନାନ୍ସି ମାମଲାରେ ତ୍ରିପୁରା ସର୍ବାଗ୍ରେ ରହିଛି। ଏହା ପଛକୁ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଆସାମ, ବିହାର ଓ ଝାଡ଼ଖଣ୍ଡ ରହିଛନ୍ତି। ଦେଶର ୧୧୮ଟି ଜିଲ୍ଲା ଏହି ଅଲୋଡ଼ା ରେକର୍ଡରେ ବିଶେଷ ଭାବେ ଚିହ୍ନଟ ହେବା ପରେ ଏବେ ଏହାକୁ ନେଇ ତତ୍ପର ହୋଇଛି ଓଡ଼ିଶା ପ୍ରଶାସନ। ଓଡ଼ିଶା ପୋଲିସର କ୍ରାଇମ୍ ଏଗେନେଷ୍ଟ ଉଇମେନ୍ ଆଣ୍ଡ ଚିଲ୍ଡ୍ରେନ୍ ଉଇଙ୍ଗ୍ ମଧ୍ୟ ଆକ୍ସନ୍ ମୋଡ୍କୁ ଆସିଛି। ବାଲ୍ୟ ବିବାହ ଓ ଶିଶୁ ଚାଲାଣ ଭଳି ଘଟଣାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାଲ୍ୟ ବିବାହ ରୋକିବା ସହ ଲୋକଙ୍କୁ ସଚେତନ କରାଯାଉଛି। ପ୍ରତିବର୍ଷ ନଭେମ୍ବର ୨୭ ତାରିଖକୁ ଆନ୍ତର୍ଜାତିକ ବାଲ୍ୟ ବିବାହ ନିରୋଧ ଦିବସ ଭାବେ ପାଳନ କରାଯାଏ। ତଥାପି ବାଲ୍ୟ ବିବାହ ଭଳି କୁପ୍ରଥା ଏବେ ବି ସମାଜରୁ ସମ୍ପୂର୍ଣ୍ଣ ଦୂର ହୋଇପାରିନାହିଁ। ଓଡ଼ିଶାରେ ପ୍ରତି ୫ ଜଣ ଝିଅଙ୍କ ମଧ୍ୟରୁ ଜଣେ ବାଲ୍ୟାବସ୍ଥାରେ ବିବାହ କରୁଥିବା ଦାବି ଚିନ୍ତା ବଢ଼ାଇଛି। ବାଲ୍ୟ ବିବାହ ଫଳରେ ନାବାଳିକାଙ୍କ ଶିକ୍ଷା ଅଧାରେ ଅଟକିଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ମାନସିକ ବିକାଶ ଓ ଭବିଷ୍ୟତ ମଧ୍ୟ ପ୍ରଭାବିତ ହେଉଛି। ଆଇନର ଉଲ୍ଲଂଘନ କରି ନାବାଳିକାଙ୍କୁ ବିବାହ କରାଇବା କିମ୍ବା ଏଥିରେ ସହଯୋଗ କରିବା ଘଟଣାରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି।
ସାରା ରାଜ୍ୟରେ ଏଭଳି ଘଟଣାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଜରିଆରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଅଙ୍ଗନବାଡ଼ି କର୍ମୀ ଓ ଏନ୍ଜିଓ ମାଧ୍ୟମରେ ପରିବାର ଲୋକଙ୍କୁ ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ବୁଝାଯାଉଛି। ଏହାସହ ଜାଣିଶୁଣି ନାବାଳିକାଙ୍କ ବିବାହ କରାଉଥିବା ଅଭିଯୁକ୍ତଙ୍କ ବିରୋଧରେ ରହିଥିବା ଆଇନଗତ ଦଣ୍ଡବିଧାନ ବିଷୟରେ ମଧ୍ୟ ଅବଗତ କରାଯାଉଛି। ତଥାପି ଶିକ୍ଷା ଓ ସଚେତନତାର ଅଭାବ ଅନେକ ସମୟରେ କୁନି ପିଲାଙ୍କ ଜୀବନକୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି। ତେଣୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ମୂଳରୁ ଦୂର କରିବା ସହ ଶିଶୁ ଚାଲାଣ ରୋକିବା ଏବେ ପ୍ରଶାସନ ଓ ସମାଜ ପାଇଁ ବଡ଼ ଆହ୍ୱାନ ପାଲଟିଛି।
ଆସୁଛନ୍ତି ଗଜାନନ, ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ
ନନ୍ଦିଘୋଷ ବ୍ୟୁରୋ : ଆସୁଛନ୍ତି ଗଜାନନ। ଗଣେଶ ପୂଜାରୁ ଆରମ୍ଭ ହେବ ପାର୍ବଣ ଋତୁ। ଏଥିପାଇଁ ସାରା ରାଜ୍ୟରେ ଚାଲିଛି ଜୋରସୋର ପ୍ରସ୍ତୁତି। କାରିଗରଙ୍କ ରଙ୍ଗ ଓ ତୂଳୀର ସ୍ପର୍ଶରେ ଏବେ ଶେଷ ରୂପ ପାଉଛନ୍ତି ପ୍ରଭୁ ଗଜାନନ। ମୂର୍ତ୍ତି ନିର୍ମାଣ କାରିଗରଙ୍କ ଗାଁ ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରୀ ଗାଁରେ ଦିନରାତି ଚାଲିଛି ମୂର୍ତ୍ତି ନିର୍ମାଣ କାମ। ଗଣେଶ ପୂଜାକୁ ଆଉ ଅଳ୍ପଦିନ ଥିବାରୁ କାରିଗରମାନେ ଦିନରାତି ଏକ କରି ମୂର୍ତ୍ତି ନିର୍ମାଣରେ ଲାଗିପଡ଼ିଛନ୍ତି। କୁଦିଆରୀରେ ତିଆରି ହେଉଥିବା ଗଣେଶ ମୂର୍ତ୍ତିର ରହିଛି ବେଶ୍ ଚାହିଦା। ମୂର୍ତ୍ତି କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ମଧ୍ୟ ଜମୁଛି। ହେଲେ ଦିନରାତି ପରିଶ୍ରମ କରୁଥିଲେ ମଧ୍ୟ ସେହି ଅନୁପାତରେ ପାଉଣା ମିଳୁନଥିବା କହିଛନ୍ତି କାରିଗର। ସେପଟେ ପାର୍ବଣ ଋତୁ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳ। ମୂର୍ତ୍ତି ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ଏଠାରେ ଦେଖିବାକୁ ମିଳିବ ମୁମ୍ବାଇ ଓ ହାଇଦ୍ରାବାଦ ଶୈଳୀର ଆକର୍ଷଣୀୟ ଗଣେଶ ମୂର୍ତ୍ତି।
ଏଭଳି ଭିନ୍ନ ଭିନ୍ନ ଡିଜାଇନର ମୂର୍ତ୍ତି ନିର୍ମାଣ କରି ଏବେ ଚର୍ଚ୍ଚାରେ ସିଂହପୁର ଅଞ୍ଚଳର ଯୁବ କାରିଗର ପାର୍ଥସାରଥୀ ବେହେରା। ତାଙ୍କ ହାତରେ ରୂପ ନେଇଛି ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ସମେତ ବାଲ ଗଣେଶ, ମୟୂରେଶ୍ୱର ଗଣେଶ, ବକ୍ରତୁଣ୍ଡ ଗଣେଶ, ରାଜା ଗଣେଶ ଓ ସିଦ୍ଧିବିନାୟକଙ୍କ ଭଳି ଅନେକ ଡିଜାଇନର ମୂର୍ତ୍ତି। ପାର୍ଥସାରଥୀ ଏପର୍ଯ୍ୟନ୍ତ ୫୦ରୁ ଊର୍ଦ୍ଧ୍ୱ ଗଣେଶ ମୂର୍ତ୍ତି ନିର୍ମାଣ କରିସାରିଛନ୍ତି। ତେବେ ସେଥିମଧ୍ୟରୁ ଶଙ୍କର ଗଣେଶ ଓ ଦଗଡୁଶେଠ ଗଣେଶ ମୂର୍ତ୍ତି ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରୁଛି। ଏହି ମୂର୍ତ୍ତିଗୁଡ଼ିକୁ ନେବା ପାଇଁ ଗ୍ରାହକଙ୍କ ଭିଡ଼ ଜମିବାରେ ଲାଗିଛି। କାରିଗରଙ୍କ ହାତରେ ଶେଷ ସ୍ପର୍ଶ ପାଉଥିବା ଗଜାନନଙ୍କ ମୂର୍ତ୍ତି ଏବେ ପୂଜାମଣ୍ଡପରେ ବିରାଜିବାକୁ ପ୍ରସ୍ତୁତ। ଗଣେଶ ପୂଜାକୁ ନେଇ ଚାରିଆଡ଼େ ଉତ୍ସାହ ଓ ଉଦ୍ଦୀପନାର ମାହୋଲ।
ଦୁଲୁକିବ ପଶ୍ଚିମ ଓଡ଼ିଶା, ନୂଆଁଖାଇ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
ନନ୍ଦିଘୋଷ ବ୍ୟୁରୋ : ଦିନ କେଇଟା ପରେ ଆସିବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପର୍ବକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡ଼ିଶା। ଘରେ ଘରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଘରଦ୍ୱାର ଲିପାପୋଛାଠାରୁ ଆରମ୍ଭ କରି ଲୁଗାପଟା ଧୁଆଧୋଇ, ପୂଜା ସାମଗ୍ରୀ ସଜାଡ଼ିବାରେ ବ୍ୟସ୍ତ ଅଛନ୍ତି ଲୋକେ। କଳାହାଣ୍ଡିରେ ନୂଆଁଖାଇ ପାଳନର ରହିଛି ସ୍ୱତନ୍ତ୍ର ପରମ୍ପରା। ଏଠାରେ ନୂଆଁଖାଇ ୬ଟି ପର୍ଯ୍ୟାୟରେ ପାଳିତ ହୋଇଥାଏ। ପ୍ରତିପଦାଠାରୁ ଆରମ୍ଭ ହୋଇ ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ ଏହି ପର୍ବ। ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ। ଚାଷୀ ନିଜ ଜମିର ପ୍ରଥମ ଧାନକୁ ଅମଳ କରି ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଥାଏ। ନୂଆ ଧାନରେ ପ୍ରସ୍ତୁତ ଚୁଡ଼ା ଓ ଅନ୍ନ ପ୍ରଥମେ ଇଷ୍ଟଦେବୀଙ୍କ ନିକଟରେ ଭୋଗ ଲାଗିବା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆ ଖାଇଥାନ୍ତି। ନୂଆଁଖାଇ ପାଳନ ପାଇଁ ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟମାନେ ମଧ୍ୟ ନିଜ ଘରକୁ ଫେରିଥାନ୍ତି। ନୂଆଁଖାଇ ଦିନ ନୂଆ ପୋଷାକ ପିନ୍ଧି ପରସ୍ପରକୁ ‘ନୂଆଁଖାଇ ଜୁହାର’ କରିବା ସହ ଆଶୀର୍ବାଦ ନେବାର ପରମ୍ପରା ରହିଛି।
ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଞ୍ଚଳରେ ମଧ୍ୟ ନୂଆଁଖାଇ ପାଇଁ ଘରେ ଘରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଘରଦ୍ୱାର ଲିପାପୋଛା ସହ ମାଣ, ଅଡ଼ା, କୁଲା ଭଳି ପୂଜାରେ ବ୍ୟବହୃତ ସାମଗ୍ରୀକୁ ଧୁଆଧୋଇ କରି ସଜାଡ଼ି ରଖୁଛନ୍ତି ଲୋକେ। ନୂଆଁଖାଇ ପରେ ଆରମ୍ଭ ହୁଏ ଭାଇଚାରା ଓ ସମ୍ପର୍କର ଅନ୍ୟତମ ପର୍ବ ‘ନୂଆଁଖାଇ ଭେଟଘାଟ’। ପରିବାର, ବନ୍ଧୁ ଓ ସମ୍ପର୍କୀୟମାନେ ଏକାଠି ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ନୂଆଁଖାଇର ଖୁସି ବାଣ୍ଟିଥାନ୍ତି। ପରମ୍ପରା, ଭାଇଚାରା ଓ କୃଷିଭିତ୍ତିକ ସଂସ୍କୃତିର ଏହି ମହାନ ପର୍ବକୁ ନେଇ ଏବେ ପଶ୍ଚିମ ଓଡ଼ିଶାରେ ଉତ୍ସାହର ମାହୋଲ।

