spot_img
Home Blog Page 3232

ଟ୍ରେନ୍ ଦୁର୍ଘଟଣା, ଶୋକ ପ୍ରକାଶ କଲେ ବିଶ୍ୱନେତାଙ୍କଠାରୁ ଆରମ୍ଭ କରି କ୍ରୀଡାବିତ୍

ବାଲେଶ୍ୱର: ବାଲେଶ୍ବର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ବିଭିନ୍ନ ମହଲରେ ଶୋକ । ବିଶ୍ବନେତାଙ୍କ ଠାରୁ ଆରମ୍ଭ କରି କ୍ରୀଡାବିତ ଓ ଅଭିନେତା ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ ନିଜ ସମବେଦନା ନେଇ ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି । ୟୁରୋପିଆନ ୟୁନିଅନ ଅଧ୍ୟକ୍ଷ ଚାର୍ଲସ ମିସେଲ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ୍ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

ସେହିପରି ଅଭିନେତା ସଲମାନ ଖାନ୍, ବିବେକ ଅଗ୍ନିହୋତ୍ରୀ, ଜୁନିଅର ଏନଟିଆର, କ୍ରୀଡାବିତ୍ ବିରାଟ କୋହଲି ମଧ୍ୟ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

ଟ୍ରେନ୍ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାହାନଗୀ ଟ୍ରେନ୍ ଦୁର୍ଘଟଣା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ଟେଲିଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ କରମଣ୍ଡଳ ଦୁର୍ଘଟଣା ସଂପର୍କରେ ଆଲୋଚନା କରିଥିଲେ । ଦୁର୍ଘଟଣାରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତ ଲୋକଙ୍କ ଉଦ୍ଧାର, ଚିକିତ୍ସା ଆଦି ଯେକୌଣସି କାମ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏହି ସଦିଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ୍ ଦେଲେ ନବୀନ ।

ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ନେଇ ମମତା-ଅଶ୍ୱିନୀ କଥା କଟାକଟି

ବାଲେଶ୍ୱର: ବାହାନଗାରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ମମତା ବାନାର୍ଜୀ ଓ ଅଶ୍ୱିନୀ ବୈଷ୍ଣବ ମଧ୍ୟରେ କଥା କଟାକଟି । ମୃତ୍ୟୁ ସଂଖ୍ୟାକୁ ନେଇ ମମତା ବାନାର୍ଜୀ-ଅଶ୍ବିନୀ ବୈଷ୍ଣବଙ୍କ କଥା କଟାକଟି । ମୃତ୍ୟୁ ସଂଖ୍ୟା ୫୦୦ରୁ ଅଧିକ ହେବ କହିଥିଲେ ମମତା । କିନ୍ତୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଦୁର୍ଘଟଣାରେ ୨୩୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରେଳମନ୍ତ୍ରୀଙ୍କ ତଥ୍ୟ ଆଜିର ନୁହେଁ, ବରଂ ଗତକାଲିର କହିଛନ୍ତି ମମତା । ଉଦ୍ଧାରକାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି କହିଛନ୍ତି ମମତା । ଆଣ୍ଟି କଲ୍ୟୁସନ୍ ଡିଭାଇସ୍ ଲାଗିଥିଲେ ଦୁର୍ଘଟଣା ହୋଇନଥାନ୍ତା ବୋଲି କହିଛନ୍ତି ମମତା ବାନାର୍ଜୀ ।

ସେଦିନ ଭାସିଯାଇଥିଲା ଟ୍ରେନ୍, ବୁଡ଼ି ମରିଥିଲେ ୮ ଶହ

ଭୁବନେଶ୍ୱର: ବାହାନଗାରୁ ଆସୁଛି ବେଦନା ଭରା ଚିତ୍ର । ଲୁହା, ଲୁହ ଓ ଲହୁ ହୋଇଯାଇଛି ଏକାକାର । ଦଶନ୍ଧିର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ନେଇଛି ଅନେକ ଜୀବନ । ଅନେକ ପରିବାର ଏବେ ଆଶା ଓ ଆଶଙ୍କା ଭିତରେ । ଭାରତରେ ରେଳ ଦୁର୍ଘଟଣା ଇତିହାସ ଯେତିକି ଲମ୍ବା,ସେତିକି ବିଭତ୍ସ । ବାହାନଗା ଭଳି ଆଉ ଗୋଟିଏ ଦୁର୍ଘଟଣା ୪୨ ବର୍ଷ ତଳେ ଦେଶକୁ ଥରାଇ ଦେଇଥିଲା । ସେତେବେଳେ ଗୋଟିଏ ଟ୍ରେନ୍ ନଦୀରେ ଭାସିଯାଇଥିଲା । ବୁଡ଼ି ମରିଥିଲେ ୮ ଶହ ଯାତ୍ରୀ ।

୧୯୮୧ ମସିହା ଜୁନ୍ ୬ ତାରିଖ । ବିହାରର ମାନସୀ-ସହରସା ମଧ୍ୟରେ ବାଗମିତ ନଦୀ ଉପରେ ଘଟିଥିଲା ସେହି ଭୟାବହ ଦୁର୍ଘଟଣା । ବାଗମତି ନଦୀ ଉପରେ ଥିବା ୫୧ ନମ୍ବର ପୋଲ ଉପରେ ସତେ ଯେମିତି ସେଦିନ ଯମଦୂତ ଜଗିଥିଲେ । ମାନସୀରୁ ସହରସା ଯାଉଥିବା ସେହି ଟ୍ରେନରେ ଥିଲା ମୋଟ ୯ ବଗି । ୫୧ ନମ୍ବର ବ୍ରିଜ୍ ଉପରେ ଟ୍ରେନ୍ ପହଂଚିଲା ବେଳକୁ ଆସିଥିଲା ମୃତ୍ୟୁର ତୋପାନ । ଅଚାନକ ଆସିଥିବା ଝଡ଼ ଓ ବର୍ଷା ଭିତରେ ଫସିଥିଲା ଟ୍ରେନ୍ । ବ୍ରିଜ୍ ଉପରେ ଅଚାନକ ଡ୍ରାଇଭର ବ୍ରେକ୍ ମାରିଥିଲେ । ଡ୍ରାଇଭର କାହିଁକି ବ୍ରେକ୍ ମାରିଥିଲେ ତାହା ଆଜି ପର୍ଯ୍ୟନ୍ତ ଏକ ଅବୁଝା ରହସ୍ୟ । ଡ୍ରାଇଭର ବ୍ରେକ୍ ମାରିବା ସହିତ ଟ୍ରେନର ୯ ବଗି ନଦୀ ମଧ୍ୟକୁ ଖସି ପଡିଥିଲେ। ଆଉ ଏହା ସହିତ ଜଳ ସମାଧୀ ନେଇଥିଲେ ୮ ଶହ ଯାତ୍ରୀ । ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟ ୩ ଶହ ଥିଲା । କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ମୃତ୍ୟୁ ସଂଖ୍ୟା ୮୦୦ରୁ ଅଧିକ ଥିଲା ।

ଡ୍ରାଇଭର କ’ଣ ପାଇଁ ବ୍ରେକ୍ ମାରିଥିଲେ ତାହା ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ । କୁହାଯାଏ ଯେ, ବ୍ରିଜ ଉପରେ ଟ୍ରେନ୍ ସାମ୍ନାକୁ ଅଚାନକ ଗାଇ ଗୋଠ ଆସିଯାଇଥିଲେ । ଗାଇମାନଙ୍କୁ ବଂଚାଇବାକୁ ଯାଇ ଡ୍ରାଇଭର ବ୍ରେକ୍ ମାରିଥିଲେ । ଅନ୍ୟପକ୍ଷରେ ଆଉ ଏକ ମତ ଅନୁସାରେ ଭୀଷଣ ତୋଫାନ ଭିତରେ ଟ୍ରେନ୍ ନିଜ ଗତିରେ ଯାଉଥିଲା । ବର୍ଷା ପାଣି ଯେମିତି ଭିତରକୁ ନଆସିବ ସେଥିପାଇଁ ବଗି ଭିତରୁ ସବୁ ଝରକାକୁ ଯାତ୍ରୀ ବନ୍ଦ କରିଦେଇଥିଲେ । ଫଳରେ ପବନର ପ୍ରଭାବ ଟ୍ରେନ୍ ଉପରେ ପଡ଼ିଥିଲା ଓ  ଟ୍ରେନ ନଦୀକୁ ଖସି ପଡିଥିଲା ।

ବିହାର ରେଳ ଦୁର୍ଘଟଣାକୁ ଦେଶର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି କୁହାଯାଏ । ଏହା ମଧ୍ୟ ଦୁନିଆର ସବୁଠାରୁ ବଡ଼ ରେଳ ଦୁର୍ଘଟଣା । ତେବେ ବିଶ୍ୱର ସବୁଠାରୁ ବଡ଼ ଦୁର୍ଘଟଣା ଶ୍ରୀଲଙ୍କାରେ ଘଟିଥିଲା । ଶ୍ରୀଲଙ୍କାରେ ୨୦୦୪ ସୁନାମୀ କାଳରେ ଓସିଆନ୍ ଏକ୍ସପ୍ରେସ ସମୁଦ୍ରରେ ଭାସି ଯାଇଥିଲା । ଯେଉଁଥିରେ ୧୭ ଶହ ଯାତ୍ରୀ ପ୍ରାଣ ହରାଇଥିଲେ ।

ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣା, ବାତିଲା ହେଲା ୧୧ଟି ଟ୍ରେନ୍

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଲାଇନଚ୍ୟୁତ ଘଟଣା । ବାତିଲ ହେଲା ୧୧ଟି ଟ୍ରେନ୍ । ଭୁବନେଶ୍ବର-ହାୱଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ, ହାୱଡା-ଭୁବନେଶ୍ବର ଜନ ଶତାବ୍ଦୀ ଏକ୍ସପ୍ରେସ୍, ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ୍, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ୍, ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ୍, ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ୍, ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍, ପୁରୀ-ସାନ୍ତ୍ରାଗାଛି ସ୍ପେଶାଲ, ଚେନ୍ନାଇ-ଶାଲିମାର କରମଣ୍ଡଳ ଏକ୍ସପ୍ରେସ୍, ଏସଏମଭିଟି ବେଙ୍ଗାଲୁରୁ-ଗୌହ୍ବାଟି ଟ୍ରେନ୍ ବାତିଲ ହୋଇଛି ।

ସେହିପରି ଟ୍ରେନ୍ ଦୁର୍ଘଟଣା ପାଇଁ ୬ଟି ରୁଟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଖୋର୍ଦ୍ଧା ରୋଡରୁ ଖଡ଼ଗପୁର ଓ ଖଡ଼ଗପୁରରୁ ଖୋର୍ଦ୍ଧା ରୋଡ୍ ରୁଟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଭୁବନେଶ୍ବର-ବାଙ୍ଗିରିପୋଷି, ବାଙ୍ଗିରିପୋଷିରୁ ଭୁବନେଶ୍ବର ରୁଟରେ ଟ୍ରେନ୍ ଚଳାଚଳ ବାତିଲ୍ ହୋଇଛି । ସେହିପରି ଭୁବନେଶ୍ବର-ବାଲେଶ୍ବର ମେମୁ ଓ ବାଲେଶ୍ବରରୁ ଭୁବନେଶ୍ବର ମେମୁ ଟ୍ରେନ୍ ରୁଟରେ ବନ୍ଦ ହୋଇଛି ।

ଆହୁରି ୨ଟି ବଗିରୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ, ଘଣ୍ଟେ ଦୁଇ ଘଣ୍ଟା ମଧ୍ୟରେ ଜଣାପଡ଼ିବ ପ୍ରକୃତ ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ଟ୍ରେନ୍ ଦୁର୍ଘଟଣା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା । ବର୍ତ୍ତମାନ ଆଉ କୌଣସି ଆହତ ମେଡିକାଲକୁ ଆସୁ ନାହାନ୍ତି । ଆହତଙ୍କ ସଂଖ୍ୟା ସେହି ୯୦୦ରେ ରହିଛି । ଏବେ ବି ୨ଟି ବଗି ରହିଛି । ତାହା ଭିତରେ ଯାହା ଲୋକ ଥିବେ । ଏହି ୨ ବଗିକୁ କାଟି କି ବାହାର କରାଯାଉଛି । ଏହି ୨ଟି ବଗିରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆହୁରି ୨ ରୁ ୩ ଘଣ୍ଟା ଲାଗିବ । ମୃତ୍ୟୁ ସଂଖ୍ୟାକୁ ନେଇ ଅନେକ ଆଲୋଚନା ଚାଲିଛି । କିନ୍ତୁ ଆମ ପାଖରେ ୨୩୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ସଂଖ୍ୟା ପରେ ମଧ୍ୟ ଟ୍ରେନ୍ ଲାଇନରୁ ଆହୁରି ଶବ ଉଦ୍ଧାର କରାଯାଉଛି । ଘଣ୍ଟେ ଦୁଇ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ସ୍ଥିତି ଜଣା ପଡ଼ିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ସେହିପରି ବର୍ତ୍ତମାନ କିଛି ଲୋକେ ମୃତଦେହକୁ ଚିହ୍ନଟ କରି ନେଉଛନ୍ତି । ଯଦି କିଛି ମୃତଦେହକୁ କେହି ଚିହ୍ନଟ ନ କରି ପାରୁନାହାନ୍ତି ତେବେ ନିୟମ ଅନୁଯାୟୀ କାମ ହେବ । ଆମେ ଆହୁରି ୫୦୦ ଡେଡ୍ ବଡି କଭର ପଠେଇଛୁ । ଟିମ୍ ପୁରା କାମରେ ଲାଗିଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ସେଥିପାଇଁ ସ୍ଥାନୀୟବାସୀଙ୍କୁ ଧନ୍ୟବାଦ: ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଉଦ୍ଧାର କାର୍ଯ୍ୟ ନେଇ ଆଲୋଚନା କରିଛନ୍ତି । ଏହାପରେ ବାଲେଶ୍ବର ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା କିପରି ଚାଲିଛି ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ଚିକିତ୍ସାରେ ଯେମିତି କୌଣସି ଅଭାବ ନହୁଏ ସେନେଇ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଡାକ୍ତରୀ ଟିମ୍ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣା ବିଷୟରେ ଜାଣି ମୁଁ ମର୍ମାହତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସ୍ଥାନୀୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଯାତ୍ରୀମାନଙ୍କୁ ଉଦ୍ଧାର ସହ ହସ୍ପିଟାଲରେ ପହଞ୍ଚାଇଥିଲେ ସ୍ଥାନୀୟ ଲୋକ ।  ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଅଛନ୍ତି ।

ରେଳ ଦୁର୍ଘଟଣା ପରେ ତାମିଲନାଡ଼ୁରେ ଦିନିକିଆ ଶୋକ ଦିବସ ଘୋଷଣା

ଚେନ୍ନାଇ: ବାଲେଶ୍ୱର ବାହାନଗା ଭୀଷଣ ରେଳ ଦୁର୍ଘଟଣା ପରେ ତାମିଲନାଡ଼ୁରେ ଦିନିକିଆ ଶୋକ ଦିବସ ପାଳନ ହେଉଛି । ରାଜ୍ୟବ୍ୟାପି ଶୋକ ଦିବସ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଘୋଷଣା କରିଛନ୍ତି । ସୂଚନାଯୋଗ୍ଯ ଯେ ଏହି ଦୁର୍ଘଟଣାରେ ଶେଷ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ଯା ୨୮୮ରେ ପହଞ୍ଚିଛି । ତେବେ ଆଗକୁ ଏହି ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଭିଡିଓ କନଫରେନ୍ସିଂ ଜରିଆରେ ଦୁର୍ଘଟଣା ବିଷୟରେ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ସହିତ କଥା ହୋଇଛନ୍ତି ।

ଶୁକ୍ରବାର ଦିନ ହୋଇଥିବା ଏହି ଦୁର୍ଘଟଣାକୁ ଚଳିତ ଦଶକର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି । ଏହି ଟ୍ରେନ୍ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ଅନ୍ୟପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାଉଣ୍ଡ୍ ଜିରୋରେ ପହଂଚି ଉଦ୍ଧାର ଅଭିଯାନର ତଦାରଖ କରିଛନ୍ତି । ଘଟଣାସ୍ଥଳରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ କଥା ହୋଇ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଆଗରୁ ରାଜ୍ୟ ସରକାର ଦିନିକିଆ ଶୋକଦିବସ ପାଳନ କଥା ଘୋଷଣା କରିଛନ୍ତି ।

ଭୟଙ୍କର ରେଳ ଦୁର୍ଘଟଣା, ୨୮୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବାଲେଶ୍ୱର: ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୮୮ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ତେବେ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି । ଏବେ ବି ବଗି ତଳେ କିଛି ଯାତ୍ରୀ ଚାପି ହୋଇରହିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ । ସେହିପରି ୯୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ – ବେଙ୍ଗଲୁରୁ ହାୱଡା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ମୋଟ୍ ୧୭ଟି ବଗି ଲାଇନଚ୍ୟୁତ ହୋଇଥିଲା ।

ଆଜି ସାରା ରାଜ୍ୟରେ ପାଳନ ହେବ ଦିନିକିଆ ଶୋକ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟ୍ରେନ୍ ଦୁଘର୍ଟଣା ନେଇ ରାଜ୍ୟରେ ଦିନିକିଆ ଶୋକ ପାଳନ । ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ହେବ । ଶୋକ ପାଳନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ବାହାନଗାରେ ହୋଇଥିବା ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୩୩ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ୯୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ତେବେ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି ।