ଶରଦ ପୱାରଙ୍କୁ ଚ୍ୟାଲେଞ୍ଜ, ଅଜିତ କହିଲେ ଏନସିପି ସିମ୍ବଲରେ ହିଁ ନିର୍ବାଚନ ଲଢ଼ିବୁ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଏନସିପି ନେତା ଅଜିତ ପୱାର ନିଜ ସମର୍ଥକଙ୍କ ସହ ସିନ୍ଦେ ସରକାରକୁ ସମର୍ଥନ ଦେଇଛନ୍ତି । ଏଥିସହିତ ସେ ରାଜ୍ୟର ନୂଆ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ୮ ଏନସିପି ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଦଳ ସହ ବିଦ୍ରୋହ କରିବା ପରେ ଏବେ ଦଳ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି ଅଜିତ ପୱାର । ଶପଥ ନେବା ପରେ ଅଜିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ମନ୍ତ୍ରିମଣ୍ଡଳର ବିସ୍ତାର ଖୁବଶୀଘ୍ର ହେବ ଏବଂ ଏଥିରେ ଆଉ କିଛି ମନ୍ତ୍ରୀ ସାମିଲ ହେବେ । ଏଥିସହିତ ଅଜିତ ପୱାର ଏହା ମଧ୍ୟ କହିଛନ୍ତି ଯେ ଏନସିପିର ନିର୍ବାଚନୀ ଚିହ୍ନରେ ନିର୍ବାଚନ ଲଢ଼ିବେ ।

ସେ କହିଛନ୍ତି ଦଳର ନାଁ ମଧ୍ୟ ମୋ ସହିତ ରହିବ । ଏହିଭଳି ଅଜିତ ପୱାର ଦାଦା ଶରଦ ପୱାରଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି । ଅଜିତ ପୱାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଦଳର ସମସ୍ତ ବିଧାୟକ ଏବଂ ନେତା ତାଙ୍କ ସହିତ ଅଛନ୍ତି । ଅଜିତ ଆଗକୁ କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ଦେଶର ବିକାଶ ପାଇଁ କାମ କରୁଛନ୍ତି । ଏଥିପାଇଁ ମୋତେ ଲାଗିଲା ଯେ ଆମେ ବି ଏଥିରେ ସାମିଲ ହେବା ଜରୁରୀ । ଅଜିତଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ଯେ ସେ ଆଗକୁ ଏନସିପି ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ରାଜନୀତିର ଚାଣକ୍ୟ ଭାବେ ଜଣାଯାଉଥିବା ଶରଦ ପୱାର ଦଳ ନିଜ ପାଖରେ ରଖିବା ପାଇଁ କି ପ୍ରକାର ରଣନୀତି ପ୍ରସ୍ତୁତ କରୁଛନ୍ତି ତାହା ଦେଖିବା ବାକି ରହିଲା ।