ନନ୍ଦିଘୋଷ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଏହି ସୂଚନା ଦେଇଛି ଗ୍ଲୋବାଲ ଟାଇମ୍ସ। ଚାଇନା ସର୍ଦର୍ନ ଏୟାର ଲାଇନ୍ସ ସିଧା ବିମାନ ଚଳାଚଳ କରିବ ବୋଲି ଘୋଷଣା କରିଛି। ଆସନ୍ତା ସେପଟେମ୍ଵର ୨୧ରୁ ଏହା ଆରମ୍ଭ ହେବ। ନୂଆଦିଲ୍ଲୀ ଓ ଗୁଆଙ୍ଗଝୋ ମଧ୍ୟରେ ଚାଲିବ ପ୍ରଥମ ବିମାନ। ୬ ବର୍ଷ ହେଲା ଚୀନ ଓ ନୂଆଦିଲ୍ଲୀ ମଧ୍ୟରେ ଏପରି ଡାଇରେକ୍ଟ ଫ୍ଲାଇଟ ବନ୍ଦ ଥିଲା। ଏବେ ତାହା ପୁଣି ଆରମ୍ଭ ହେବ। ଶହେଟି ସାପ୍ତାହିକ ଫ୍ଲାଇଟ ଚାଲିବ ବୋଲି କୁହାଯାଇଛି। ଚୀନ-ଭାରତ ସଂପର୍କରେ ଏହା ନୂଆ ଅଧ୍ୟାୟ ସୃଷ୍ଟି କରିବ। …
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି
ନନ୍ଦିଘୋଷ ବ୍ୟୁରୋ :ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ଗୁଜୁରାଟର ବନତାରାରୁ ନନ୍ଦନକାନନକୁ ଆସିଛନ୍ତି ୪୦ରୁ ଅଧିକ ଜୀବଜନ୍ତୁ। ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛନ୍ତି ଜେବ୍ରା, ୱାଲାବି, କଙ୍ଗାରୁ ଏବଂ କସୁଆରି ଭଳି ବିରଳ ଓ ଆକର୍ଷଣୀୟ ପ୍ରାଣୀ। କେବଳ ଜୀବଜନ୍ତୁ ନୁହନ୍ତି, ବନତାରାରୁ ଆସିଛନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ। ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛି ରେନବୋ ଲରି ଭଳି ରଙ୍ଗବେରଙ୍ଗ ଓ ଆକର୍ଷଣୀୟ ପକ୍ଷୀ। ଏମାନଙ୍କ ଆଗମନ ପରେ ନନ୍ଦନକାନନରେ ଆହୁରି ବଢ଼ିବ ବନ୍ୟଜନ୍ତୁଙ୍କ ବିବିଧତା। ଏହି ନୂଆ ଅତିଥି ପ୍ରାଣୀ ଉଦ୍ୟାନକୁ ଆସିବା ପରେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କ୍ୱାରେଟାଇନ୍ ରେ ଛଡାଯାଇଛି । ପ୍ରାୟ ଏକ ମାସ ଧରି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ଏହି ସମୟ ମଧ୍ୟରେ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟ ଓ ଆଚରଣ ଉପରେ ନଜର ରଖାଯିବ। ନୂଆ ପରିବେଶ ସହ ସେମାନେ କିଭଳି ଖାପ ଖୁଆଉଛନ୍ତି, ତାହା ମଧ୍ୟ ନିରୀକ୍ଷଣ କରାଯିବ।
ରୁପା ବାସନକୁସନରେ ଖାଇବେ ବ୍ରିକ୍ସ ଅତିଥି
ନନ୍ଦିଘୋଷ ବ୍ୟୁରୋ : BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀ ଅତିଥିଙ୍କ ପାଇଁ ଏଠାରେ ଭବ୍ୟ ପ୍ରସ୍ତୁତି। ସମ୍ମିଳନୀର ସଫଳ ଆୟୋଜନ ସହିତ ସେମାନଙ୍କ ରହିବା ଖାଇବାର ସ୍ଵତନ୍ତ୍ର ଆୟୋଜନ କରାଯାଇଛି। ଏହି କ୍ରମରେ ସ୍ଵତନ୍ତ୍ର ରୂପା ପ୍ଲେଟେଡ୍ ବାସନକୁସନ, ଆସବାବପତ୍ରରେ ଖାଦ୍ୟ ପାନୀୟ ଦିଆଯାଉଛି। ଏସବୁ ପ୍ରସ୍ତୁତ କରିଛି ଜୟପୁରର ଏକ କମ୍ପାନୀ। ସେହି କମ୍ପାନର ନାଁ ହେଲା ଅରୁଣ ଗ୍ରୁପ୍ ଅଫ୍ କମ୍ପାନୀଜ୍ । ଅରୁଣ ପାବୁୱାଲଙ୍କ ନେତୃତ୍ୱରେ BRICS ସମ୍ମିଳନୀକୁ ଆସୁଥିବା ବିଶିଷ୍ଟ ଅତିଥି ଓ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ସ୍ୱତନ୍ତ୍ର ଡିଜାଇନର ରୂପା ପ୍ଲେଟେଡ୍ ଟେବୁଲୱେୟାର ଏବଂ କଟଲେରି ପ୍ରସ୍ତୁତ କରିଛି।
କମ୍ପାନୀର CEO ଅରୁଣ ପାବୁୱାଲ କହିଛନ୍ତି, ଏହି ସାମଗ୍ରୀର ସବୁଠାରୁ ବିଶେଷ ଦିଗ ହେଉଛି ଏହାର ଡିଜାଇନ। ଯେଉଁ ଖାଦ୍ୟ ପରିବେଷଣ କରାଯିବ, ସେହି ଖାଦ୍ୟର ପ୍ରକାର ଓ ପରିବେଷଣ ଶୈଳୀକୁ ଦୃଷ୍ଟିରେ ରଖି ଟେବୁଲୱେୟାର ଏବଂ କଟଲେରିର ଡିଜାଇନ କରାଯାଇଛି। ଅରୁଣ ଗ୍ରୁପ ଅଫ୍ କମ୍ପାନୀର କାର୍ଯ୍ୟର ବଡ଼ ଇତିହାସ ରହିଛି। ହାଇଦ୍ରାବାଦ ହାଉସ୍ରୁ କମ୍ପାନୀ ଏହି କ୍ଷେତ୍ରରେ କାମ ଆରମ୍ଭ କରିଥିବା ବେଳେ ପରେ ବିଭିନ୍ନ ଦୂତାବାସକୁ ମଧ୍ୟ କଟଲେରି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଆସୁଛି। G20 ସମ୍ମିଳନୀ ପାଇଁ ମଧ୍ୟ କମ୍ପାନୀ ସାମଗ୍ରୀ ଯୋଗାଇଥିଲା। ବର୍ତ୍ତମାନ BRICS ସମ୍ମିଳନୀ ପାଇଁ ଏହା ବିଶେଷ ସାମଗ୍ରୀ ପ୍ରସ୍ତୁତ କରୁଛି। ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ବିଶିଷ୍ଟ ଅତିଥିଙ୍କ ପାଇଁ ବ୍ୟକ୍ତିଗତ ଅର୍ଡର ମଧ୍ୟ ନିଆଯାଏ। ଏପରିକି ଆମେରିକାର ରାଷ୍ଟ୍ରପତିଙ୍କ ଭଳି VIP ଅତିଥିଙ୍କ ନାମ ଖୋଦିତ ଥିବା ବ୍ୟକ୍ତିଗତ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି କମ୍ପାନୀ ମୁଖ୍ୟତଃ ପିତଳ ଓ ତମ୍ବା ଭଳି ଅଣ-ଲୌହ ଧାତୁ ବ୍ୟବହାର କରେ। ପାରମ୍ପରିକ କାରିଗରୀ କୌଶଳକୁ ଆଧୁନିକ ଡିଜାଇନ ସହ ମିଶାଇବା ଏହାର ବିଶେଷତା। ଆଧୁନିକ ମେସିନ୍ ଓ CNC ପ୍ରଯୁକ୍ତିର ସହାୟତାରେ ଡିଜାଇନ ପ୍ରସ୍ତୁତ ହେଉଥିବା ବେଳେ ପାରମ୍ପରିକ ହସ୍ତଶିଳ୍ପକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। …
ଶ୍ରୀମନ୍ଦିରରେ ଚାଲିଛି କୃଷ୍ଣଲୀଳା
ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିରରେ ଚାଲିଛି କୃଷ୍ଣଲୀଳା । ଜନ୍ମାଷ୍ଟମୀ ଠାରୁ ଚାଲିଛି ନୀତିକାନ୍ତି । ଆଜି ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ପରେ ଏହି ସ୍ୱତନ୍ତ୍ର ଦାବାଗ୍ନି ଲୀଳା ନାଟ ମଣ୍ଡପରେ ଅନୁଷ୍ଠିତ ହେବ । ମହାଜନ ସେବକଙ୍କ ଦ୍ବାରା ରାମକୃଷ୍ଣ ଆଜ୍ଞାମାଳ ପାଇ ଦକ୍ଷିଣି ଘରୁ ରତ୍ନ ସିଂହାସନରୁ ନାଟମଣ୍ଡପରେ ପୂର୍ବରୁ ରଖାଯାଇଥିବା ଖଟ ଓ ସେଜ ଉପରକୁ ବିଜେ କରିବେ । ସେଠାରେ ଧୂପ ଦୀପ ନୈବେଦ୍ୟ ପରେ ମାଟିମଣ୍ଡପ ସାହି ଆଖଡ଼ାରୁ ଦାବାଗ୍ନି ରାକ୍ଷସ ନୀତି ପ୍ରସ୍ତାବ ଅନୁଷ୍ଠିତ ହେବ । ପ୍ରଭୁଙ୍କ ଆଜ୍ଞା ମାଳ ପାଇ ଦାବାଗ୍ନି ରାକ୍ଷସ କୃଷ୍ଣ ବଳରାମଙ୍କ ସହ ଯୁଦ୍ଧ କରିବା ସହ ଯୁଦ୍ଧରେ ଦାବାଗ୍ନି ରାକ୍ଷସ ପରାସ୍ତ ହେବାର ବିଧିକୁ ଶ୍ରୀମନ୍ଦିରରେ ମାଟିମଣ୍ଡପସାହି ଆଖଡ଼ା ପକ୍ଷରୁ ସମ୍ପାଦନ କରାଯିବ । ଗତକାଲି ମହାପ୍ରଭୁଙ୍କର ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ନୀତି ପରେ ବସ୍ତ୍ରହରଣ ନୀତି ଅନୁଷ୍ଠିତ ହୋଇଥିଲା । ଏହା ପରେ ଚନ୍ଦନ ଲାଗି ନୀତି ଶେଷ ପରେ ବଡ଼ସିଂହାର ବେଶ ଓ ଭୋଗ ହେବା ସହ ରାତ୍ର ପହୁଡ଼ ହୋଇଥିଲା ।….
ବାଲେଶ୍ୱର ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର
ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଗସ୍ତରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି । ଏହି ଉଚ୍ଚସ୍ତରୀୟ ବୈଠକରେ ଏଡିଜି (ଆଇନ ଶୃଙ୍ଖଳା) ସଞ୍ଜୟ କୁମାର ଏବଂ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା ୩ଟି ଜିଲ୍ଲା ବାଲେଶ୍ବର , ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ସାମଗ୍ରିକ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଓ ଆଗାମୀ ପାର୍ବଣ ଋତୁକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେଉଥିବା ସୂଚନା ମିଳିଛି । ବିଶେଷ କରି ପାର୍ବଣ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷାରେ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ସମେତ ବାଲେଶ୍ଵର ଏସପି ପ୍ରତ୍ୟୁଷ ଦିବାକର, ଭଦ୍ରକ ଏସପି ମନୋଜ ରାଉତ ଓ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି ଉପସ୍ଥିତ ରହି ନିଜ ନିଜ ଜିଲ୍ଲାର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି । ଏହା ସହିତ ୩ଟି ଜିଲ୍ଲାର ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ବୈଠକରେ ସାମିଲ ହୋଇ ଅପରାଧ ରୋକିବା ଓ ଜନସାଧାରଣଙ୍କ ସୁରକ୍ଷା ବଜାୟ ରଖିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି ।…
ଜଳେଶ୍ଵରରୁ ଓରାଙ୍ଗଉଟାନ ଠାବ ଘଟଣା, ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି
ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ଵର ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ଓରାଙ୍ଗଉଟାନ କେମିତି ଆସିଲେ ତା’ର ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ରାଜ୍ୟର ସୁରକ୍ଷା ନୁହେଁ ଦେଶର ତଟ ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି । ବର୍ତ୍ତମାନ ଚାଲିଥିବା ତଦନ୍ତରେ ବିଶେଷ କିଛି ସୁରାକ ମିଳିନାହିଁ । ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯାଉ । ବିଭାଗୀୟ ମନ୍ତ୍ରୀ କେବଳ ଟିଭିରେ ବୟାନବାଜି ନ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି । ଏହା ସୁଦୂର ଇଣ୍ଡୋନେସିଆରେ ଦେଖା ଯାଉଥିବା ପ୍ରଜାତି ବାଲେଶ୍ଵରର ଭୋଗରାଇକୁ ଆସିଲା କେମିତି ? ଏ ରାକେଟରେ କେଉଁମାନେ ଅଛନ୍ତି, ତାହା ମଧ୍ୟ ଜଣା ନାହିଁ । କିଏ ଏହି ଓରାଙ୍ଗଉଟାନ କିଣିଥାନ୍ତା, ତାହା ମଧ୍ୟ ଜଣା ନାହିଁ । ସରକାର ବର୍ତ୍ତମାନ ସୁଦ୍ଧା ଏହାର ଉତ୍ତର ଦେଇ ନାହାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବନିମ୍ନ ତଥ୍ୟ ମଧ୍ୟ ମିଳିନାହିଁ । ତେଣୁ ଏହାର ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।..
ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା
ନନ୍ଦିଘୋଷ ବ୍ୟୁରୋ :ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା । ଆକ୍ରମଣରେ ୩ରୁ ଉର୍ଦ୍ଧ୍ୱ ଆହତ । ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ ନେଇ ଥାନାରେ ଅଭିଯୋଗ କଲେ ଗ୍ରାମବାସୀ। ସାମାନ୍ୟ ବଚସାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଖଣ୍ଡା ବୁଲାଇବା ସହ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ । ଅତ୍ୟଧିକ ମଦ୍ୟପାନ କରି ଜଣେ ଯୁବକ ହାତରେ ମାରଣାସ୍ତ୍ର ଧରି ଗ୍ରାମରେ ଆତଙ୍କ ସୃଷ୍ଟି କରିବା ସହ ୩ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନିମାପଡ଼ା ଥାନା ଅଧୀନ ସଗଡ଼ା ପଞ୍ଚାୟତର ଆଙ୍କୁଶପୁର ଗ୍ରାମର ଅମୂଲ୍ୟ ପ୍ରଧାନ ହାତରେ ଖଣ୍ଡା ଧରି ଗାଁରେ ଆତଙ୍କ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି ।
ଅଜୟ କୁମାର ସ୍ୱାଇଁଙ୍କ ଦୋକାନକୁ ଯାଇ କିଛି ଜିନିଷ ମାଗିଥିଲେ ଅମୁଲ୍ଯ । ଅଜୟ ଏଥିରେ ମନା କରିବାରୁ ଅମୂଲ୍ୟ ହଠାତ୍ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ।ଘଟଣାସ୍ଥଳରେ ଥିବା ଦୁଇଜଣ ବରିଷ୍ଠ ନାଗରିକ ଗଦାଧର ବେହେରା ଓ ପଦ୍ମନାଭ ପ୍ରଧାନ ବୁଝାସୁଝା କରି ପରିସ୍ଥିତି ଶାନ୍ତ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଯୁବକ ଜଣକ ସେମାନଙ୍କୁ ମଧ୍ୟ ମାରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି ।….
ବିହାରର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି
ନନ୍ଦିଘୋଷ ବ୍ୟୁରୋ :ନଦୀ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିଲେ ମଧ୍ୟ ବିହାରର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଛି । ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ ୧୪ଟି ଜିଲ୍ଲାର ପ୍ରାୟ ୪୪ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଗଙ୍ଗା, ପୁନପୁନ୍, ଶୋନ୍, କୋଶୀ ଏବଂ ଅନ୍ୟାନ୍ୟ ପ୍ରମୁଖ ନଦୀର ଜଳସ୍ତର କ୍ରମଶଃ ହ୍ରାସ ପାଉଛି । ତଥାପି, ଅନେକ ନଦୀ ଏବେ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳ ସମ୍ପଦ ବିଭାଗ ଅନୁଯାୟୀ, ପାଟନାରେ ଗଙ୍ଗା ନଦୀର ଜଳସ୍ତର ହ୍ରାସ ପାଇଛି । ୧୪ଟି ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଛି । ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବର୍ତ୍ତମାନ ୯୬୧ଟି କମ୍ୟୁନିଟି କିଚେନ ଏବଂ ୧୫ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟ କରୁଛି । ଏହି ସମୟରେ, ଭାଗଲପୁର ଜିଲ୍ଲାର ବାଇପାସ୍ ଥାନା ଅନ୍ତର୍ଗତ କୋଇଲି ଖୁଟାହା ଗ୍ରାମରେ ରାସ୍ତା କଡ଼ରେ ଜମି ରହିଥିବା ବନ୍ୟାଜଳରେ ବୁଡ଼ି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଜାତୀୟ ରାଜପଥ ଉପରେ ପାଣି ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । ବିହାର ବିପର୍ଯ୍ୟୟ ପରିଚାଳନା ବିଭାଗର ସର୍ବଶେଷ ତଥ୍ୟ ଅନୁଯାୟୀ, ୧୫ଟି ଜିଲ୍ଲାର ୮୮ଟି ବ୍ଲକ୍ ଏବଂ ୫୬୧ଟି ଗ୍ରାମ ପଞ୍ଚାୟତରେ ପ୍ରାୟ ୪୬.୮୮ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଲା ପାଟନା, ଭୋଜପୁର, ସାରଣ, ବୈଶାଳୀ, ଭାଗଲପୁର, ବେଗୁସରାଇ, ବକ୍ସର, ସମସ୍ତିପୁର, ମୁଙ୍ଗେର, କଟିହାର, ଲଖିସରାଇ, ଖଗଡ଼ିଆ, ପୂର୍ଣ୍ଣିଆ, ମାଧେପୁରା ଏବଂ ଆରାରିଆ । ଭାଗଲପୁର, ପାଟନା, ସାରଣ, ବୈଶାଳୀ, ବେଗୁସରାଇ, କଟିହାର, ପୂର୍ଣ୍ଣିଆ ଏବଂ ବକ୍ସର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ରହିଛି । ଗଙ୍ଗା, କୋଶୀ, ଗଣ୍ଡକ ଏବଂ ଅନ୍ୟାନ୍ୟ ନଦୀ ବିପଦ ସଙ୍କେତ ଉପରେ ରହିଛି । ଜଳସ୍ତର କ୍ରମାଗତ ଭାବେ ଅଧିକ ରହିଥିବାରୁ ନିମ୍ନ ଅଞ୍ଚଳ ଏବଂ ନଦୀକୂଳବର୍ତ୍ତୀ ଅନେକ ଅଞ୍ଚଳ ପୁନର୍ବାର ବନ୍ୟା ଆଶଙ୍କା ମଧ୍ୟରେ ରହିଛି ।….
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ନନ୍ଦିଘୋଷ ବ୍ୟୁରୋ :ଉତ୍ତର ପଶ୍ଚିମ ତଥା ପଶ୍ଚିମ କେନ୍ଦ୍ରୀୟ ବଙ୍ଗପସାଗର ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ସୃଷ୍ଟି ହୋଇ ଥିବା ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି ଓ ଏହା ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି । ଏହି ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆହୁରି ଦୁଇଦିନ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ବିଜୁଳି ଓ ୩୦ ରୁ ୪୦ କିଲୋମିଟରେ ବେଗରେ ପବନ ବହିବା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ହେଉଛି ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକନଗିରି । ଏହି ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ପର୍ୟ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ ସର୍ବାଧିକ ୧୫୯ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ।….
ଭିଜିଲାନ୍ସ କବଜାରେ ରାଉରକେଲା ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ
ନନ୍ଦିଘୋଷ ବ୍ୟୁରୋ :ଭିଜିଲାନ୍ସ କବଜାରେ ରାଉରକେଲା ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ । ମଦ ଲାଇସେନ୍ସଧାରୀମାନଙ୍କ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଚଢ଼ଉ । ୫ ଲକ୍ଷ ଟଙ୍କା ଜଵତ କଲା ଭିଜିଲାନ୍ସ ଟିମ୍ । ରାଉରକେଲା ଭିଜିଲାନ୍ସ ଅଫିସରେ ଅଟକ ରଖି ତାଙ୍କୁ ପଚରା ଉଚରା କରାଯାଉଛି । ରାଉରକେଲା ବାସଭବନ ଓ ଭୁବନେଶ୍ବର ବାସଭବନରେ ଏକ ସମୟରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଥିବା ବେଳେ ଯାଞ୍ଚ ପରେ ସବିଶେଷ ତଥ୍ୟ ଜଣାପଡିଵ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମଦ ଦୋକାନର ବିକ୍ରେତାଙ୍କ ମାଧ୍ୟମରେ ଏକ ସ୍କର୍ପିଓରେ ୫ ଲକ୍ଷ ଟଙ୍କା ପଠାଉଥିବା ବେଳେ ଅଟକାଇ ଟଙ୍କା ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୁଚନା ଦିଆଯାଇଛି । ଜବତ ହୋଇଥିବା ୫ ଲକ୍ଷ ଟଙ୍କା କିଏ ଦେଇଥିଲେ ସେ ସମ୍ପର୍କରେ ଅବକାରୀ ଅଧିକ୍ଷକଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ପଚରା ଉଚରା କରାଯାଉଛି ।….

