spot_img
Home Blog Page 30

ଗଜେଶ୍ୱର ହାଇସ୍କୁଲରେ ଭୂତ ଭୟ! ଛାତ୍ରୀଙ୍କ ଅସ୍ୱାଭାବିକ ଆଚରଣ, ସ୍କୁଲ ଯାଉନାହାନ୍ତି ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ା ପଞ୍ଚାୟତର ଗଜେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେ ଭୂତ ଭୟକୁ ନେଇ ଆତଙ୍କର ପରିବେଶ। ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର କିଛି ଛାତ୍ରୀ ଗତ ୪ ଦିନ ଧରି ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଥିବାରୁ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରାୟ ୭ଟି ଗାଁରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସନ୍ତି। ହେଲେ ଗତ କିଛିଦିନ ଧରି ପ୍ରାର୍ଥନା ସମୟରେ କିମ୍ବା କ୍ଲାସ ଚାଲିଥିବା ବେଳେ କିଛି ଛାତ୍ରୀ ହଠାତ୍ ତଳେ ପଡ଼ିଯିବା ସହ ମୁଣ୍ଡ, ଛାତି ଓ ଗୋଡ଼ ବିନ୍ଧା ହେଉଥିବା ଅଭିଯୋଗ ହୋଇଛି। କେତେକ ଛାତ୍ରୀ ଭୟଭୀତ ହୋଇ ଚିତ୍କାର କରି ମୋତେ ଛାଡ଼, ମୁଁ ଘରକୁ ଯିବି ବୋଲି କହୁଥିବା ଜଣାପଡ଼ିଛି। ଘଟଣା ପରେ ବିଦ୍ୟାଳୟ ପକ୍ଷରୁ ଅଭିଭାବକମାନଙ୍କୁ ଡକାଯାଇ ଛାତ୍ରୀମାନଙ୍କୁ ତୁରନ୍ତ ମେଡିକାଲ ନେଇ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଇଥିଲା। ଚିକିତ୍ସା ପରେ ଅସୁସ୍ଥ ଛାତ୍ରୀମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଅନ୍ୟପଟେ ଘଟଣାକୁ ନେଇ କିଛି ଅଭିଭାବକ ବିଦ୍ୟାଳୟରେ ଗୁଣିଗାରେଡ଼ି କିମ୍ବା ଭୂତପ୍ରେତର ପ୍ରଭାବ ଥିବା ଆଶଙ୍କା କରୁଛନ୍ତି। ଏହି ଭୟରେ ଅନେକ ଅଭିଭାବକ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଉନାହାନ୍ତି। ଏପରିକି କିଛି ସ୍ଥାନରେ ଗୁଣିଆକୁ ଡାକି ଝଡ଼ାଫୁଙ୍କା ମଧ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଆଜି ଏକ ମେଡିକାଲ ଟିମ୍ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀମାନଙ୍କର ବ୍ଲଡ୍ ପ୍ରେସର, ବ୍ଲଡ୍ ଟେଷ୍ଟ ଓ ହିମୋଗ୍ଲୋବିନ ପରୀକ୍ଷା କରିଛି। ଏଥିସହ ଛାତ୍ରୀମାନେ ଏଭଳି ଅସ୍ୱାଭାବିକ ଆଚରଣ କଲେ କିପରି ତୁରନ୍ତ ପଦକ୍ଷେପ ନେବେ, ସେନେଇ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ମେଡିକାଲ ଟିମ୍ ସଚେତନ କରିଛି। ବିଦ୍ୟାଳୟରେ ଚିକିତ୍ସା ଓ ସଚେତନତା ପଦକ୍ଷେପ ଆରମ୍ଭ ହୋଇଥିଲେ ମଧ୍ୟ ଭୂତପ୍ରେତକୁ ନେଇ ଛାତ୍ରୀ ଓ ଅଭିଭାବକଙ୍କ ମନରେ ରହିଥିବା ଭୟ ଏବେ ବି ଦୂର ହୋଇନାହିଁ। ଘଟଣାର ପ୍ରକୃତ କାରଣ ଚିକିତ୍ସା ଓ ବିଶେଷଜ୍ଞ ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ।

ଥମୁନି ଜନନୀ ଯନ୍ତ୍ରଣା, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ନନ୍ଦିଘୋଷ ବ୍ୟୁରୋ : ଥମୁନି ଜନନୀ ଯନ୍ତ୍ରଣା। ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହାହେଲେ ଜଣେ ଗର୍ଭବତୀ। ପ୍ରାୟ ୩.୫ କିଲୋମିଟର କାଦୁଅ ରାସ୍ତାରେ ଖଟିଆରେ ବୋହି ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଲେ ପରିବାର ଲୋକ ଓ ଗ୍ରାମବାସୀ। ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ଶିରିଗୁଡ଼ା ପଞ୍ଚାୟତ ସାଡ଼କଣା ଗାଁରୁ ଆସିଛି ଏଭଳି ବିକଳ ଚିତ୍ର। ସାଡ଼କଣା ଗାଁର ଚାମି ମାମ୍ବାଲାକାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ପହଞ୍ଚି ପାରିନଥିଲା। ଫଳରେ ପରିବାର ଲୋକ ଓ ଗ୍ରାମବାସୀ ଗର୍ଭବତୀଙ୍କୁ ଏକ ଖଟିଆରେ ବୋହି କାଦୁଅ ଭରା ରାସ୍ତା ଦେଇ ପ୍ରାୟ ୩.୫ କିଲୋମିଟର ଦୂର ବଡ଼ପଙ୍କାଳ ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗୁଡ଼ାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ସ୍ୱାସ୍ଥ୍ୟକେନ୍ଦ୍ରରେ ଚାମି ମାମ୍ବାଲାକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଜଣାପଡ଼ିଛି। ମା’ ଓ ନବଜାତ ଶିଶୁ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି। ତେବେ ଗାଁର ରାସ୍ତା ସମସ୍ୟାକୁ ନେଇ ଗ୍ରାମବାସୀ ଦୀର୍ଘଦିନ ଧରି ସରକାର ଓ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିବା କହିଛନ୍ତି। ହେଲେ ଏଯାଏଁ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ରାସ୍ତା ଅଭାବରୁ ଜରୁରୀ ସମୟରେ ରୋଗୀ ଓ ଗର୍ଭବତୀଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଥିବାରୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି।

ଢୋଲ, ନିଶାନରେ ଦୁଲୁକୁଛି ଗାଁ ଦାଣ୍ଡ, କଳାହାଣ୍ଡିରେ ଆରମ୍ଭ ହେଲା ନୂଆଁଖାଇ

ନନ୍ଦିଘୋଷ ବ୍ୟୁରୋ : ଢୋଲ, ନିଶାନ ଓ ଘୁମୁରାର ଘୁମ୍‌ଘୁମ୍‌ ଶବ୍ଦରେ ଦୁଲୁକୁଛି ଗାଁ ଦାଣ୍ଡ। ପିଠାପଣାରେ ମହକୁଛି ପରିବେଶ। ଆରମ୍ଭ ହୋଇଛି କଳାହାଣ୍ଡିର ନୂଆଁଖାଇ ପର୍ବ। ସପ୍ତପୁରୀ ଅମାବାସ୍ୟା ପରଦିନ ପଥର୍ଲା, ବାହାଦୁର ପଦର ଓ ପଲକାପଡ଼ା ଗାଁରେ ଧୁମ୍‌ଧାମରେ ନୂଆଁଖାଇ ପାଳିତ ହୋଇଛି। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ସାଧାରଣତଃ ଗୋଟିଏ ଦିନରେ ନୂଆଁଖାଇ ପାଳନ ହେଉଥିବା ବେଳେ କଳାହାଣ୍ଡିରେ ଏହା ପର୍ଯ୍ୟାୟକ୍ରମେ ପାଳନ କରାଯାଏ। ନୂଆଁଖାଇ ଅବସରରେ ପ୍ରଥମେ ଗାଁର ଇଷ୍ଟଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ନବାନ୍ନ ଲାଗି କରାଯାଇଥିଲା। ଏହାପରେ ସାନମାନେ ନୂଆ ବସ୍ତ୍ର ପିନ୍ଧି ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ। ପରେ ଜମିଥିଲା ନାଚଗୀତର ଆସର।

କଳାହାଣ୍ଡିରେ ସପ୍ତପୁରୀ ଅମାବାସ୍ୟାଠାରୁ ଆରମ୍ଭ ହେଉଥିବା ନୂଆଁଖାଇ ପର୍ବ ଦଶହରା ଦଶମୀରେ ଶେଷ ହୋଇଥାଏ। ଆସନ୍ତା ୧୫ ତାରିଖରେ ପଶ୍ଚିମ ଓଡ଼ିଶାବାସୀ ନୂଆଁଖାଇ ପାଳନ କରିବେ। ଏଥିପାଇଁ ଏବେଠୁ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ। ଲୋକେ ସଜବାଜ ହେବା ସହ ଘରଦ୍ୱାର ଲିପାପୋଛା କରୁଛନ୍ତି। ଲୁଗା ଦୋକାନଠାରୁ ଆରମ୍ଭ କରି ପରିବା ହାଟ ପର୍ଯ୍ୟନ୍ତ ସବୁଠି ଲାଗିଛି ଲୋକଙ୍କ ଭିଡ଼। ସେପଟେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ଜଶପୁର ଗାଁ ମଧ୍ୟ ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି। ଘରେ ଘରେ ଚାଲିଛି ପ୍ରସ୍ତୁତି। ନୂଆ ଧାନ, ନୂଆ ପୋଷାକ ଓ ପାରମ୍ପରିକ ରୀତିନୀତି ସହ ନୂଆଁଖାଇକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ୍‌ ଉତ୍ସାହ।

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଯାଜପୁର, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ନନ୍ଦିଘୋଷ ବ୍ୟୁରୋ : ଆଉ ଦିନକ ପରେ ଗଣେଶ ପୂଜା। ଧରାପୃଷ୍ଠକୁ ଅବତରଣ କରିବେ ଅଗ୍ରପୂଜ୍ୟ ଗଜାନନ। ଏଥିପାଇଁ ଚାରିଆଡ଼େ ଉତ୍ସବର ମାହୋଲ। ଚିକମିକ ଆଲୋକରେ ଝଲସିବ ରାସ୍ତାଘାଟ। ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି। ଯାଜପୁରରେ ଗଣେଶ ମୂର୍ତ୍ତି ନିର୍ମାଣ ଜୋରଦାର ଚାଲିଥିବା ବେଳେ ଦିନରାତି ଏକ କରି ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। କାରିଗରଙ୍କ ଆଙ୍ଗୁଠିର ପ୍ରତିଟି ସ୍ପର୍ଶରେ ମାଟି ପାଉଛି ଜୀବନ୍ୟାସ। ବିଭିନ୍ନ ଡିଜାଇନର ମୂର୍ତ୍ତି ନେବା ପାଇଁ ପୂଜା କମିଟିଗୁଡ଼ିକ ମଧ୍ୟରେ ଲାଗିଛି ପ୍ରତିଯୋଗିତା। ମୂର୍ତ୍ତି ନେବା ପାଇଁ କାରିଗରଙ୍କ ନିକଟରେ ଜମୁଛି ଗ୍ରାହକଙ୍କ ଭିଡ଼।

ସେପଟେ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ବଡ଼ମ୍ବା-ନରସିଂହପୁର ଅଞ୍ଚଳ। ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି। କିଏ ମଣ୍ଡପ ସଜାଇବାରେ ବ୍ୟସ୍ତ ତ ଆଉ କିଏ ତୋରଣ ନିର୍ମାଣରେ ଲାଗିପଡ଼ିଛନ୍ତି। ପୂଜା ପାଇଁ କାରିଗରଙ୍କୁ ନାହିଁ ଫୁରସତ। ଗଣେଶ ପୂଜାକୁ ନେଇ ପୁରପଲ୍ଲୀରେ ଏବେଠୁ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ଅଗ୍ରପୂଜ୍ୟ ଗଜାନନଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ସମସ୍ତେ।

ଭୂମିହୀନଙ୍କୁ ମିଳୁନି ପଟ୍ଟା, ୨ ବର୍ଷ ହେଲା କାର୍ଯ୍ୟାଳୟ ଧାଇଁ ନୟାନ୍ତ ବସ୍ତିବାସିନ୍ଦା

ନନ୍ଦିଘୋଷ ବ୍ୟୁରୋ : ଭୂମିହୀନଙ୍କୁ ମିଳୁନି ଘରବାରି ପଟ୍ଟା। ପଟ୍ଟା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ଲୋକେ। ହେଲେ ଏଯାଏଁ ମିଳୁନି ସ୍ଥାୟୀ ସମାଧାନ। ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବସ୍ତିବାସିନ୍ଦା। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନଦୀପଦର ବସ୍ତିରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ନଦୀପଦର ବସ୍ତିରେ ପ୍ରାୟ ୩୦୦ ପରିବାର ବସବାସ କରୁଛନ୍ତି। ପୂର୍ବ ସରକାର ସମୟରେ ଜାଗା ମିଶନ ଯୋଜନାରେ ପ୍ରାୟ ୧୫୦ ପରିବାରକୁ ପଟ୍ଟା ପ୍ରଦାନ କରାଯାଇଥିଲା। କିନ୍ତୁ ସରକାର ପରିବର୍ତ୍ତନ ପରେ ବାକି ଥିବା ପ୍ରାୟ ୧୫୦ ପରିବାରଙ୍କୁ ଏଯାଏଁ ପଟ୍ଟା ମିଳିନଥିବା ଅଭିଯୋଗ ହୋଇଛି। ଏହାର ପ୍ରଭାବରେ ବିଧବା, ସ୍ୱାମୀ ପରିତ୍ୟକ୍ତା, ଅସହାୟ ଓ ଭୂମିହୀନ ପରିବାରଗୁଡ଼ିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଘରର ଜମିର ମାଲିକାନା ନଥିବାରୁ ପରିବାରଗୁଡ଼ିକ ଅନିଶ୍ଚିତତା ମଧ୍ୟରେ ରହୁଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମଧ୍ୟ ସମସ୍ୟା ଉପୁଜୁଥିବା ବସ୍ତିବାସିନ୍ଦାମାନେ କହିଛନ୍ତି। ପୂର୍ବ ସରକାରଙ୍କ ଜାଗା ମିଶନ ଯୋଜନା ଭଳି ବର୍ତ୍ତମାନ ସରକାର ମଧ୍ୟ ସମସ୍ତ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିଥିବା ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି।

ପଟ୍ଟା ପାଇଁ ଗତ ଦୁଇ ବର୍ଷ ଧରି ବସ୍ତିବାସିନ୍ଦାମାନେ ତହସିଲଦାର ଓ ଏନ୍‌ଏସି କାର୍ଯ୍ୟାଳୟକୁ ବାରମ୍ବାର ଧାଇଁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି, ପଟ୍ଟା ମିଳୁନାହିଁ ବୋଲି ସେମାନେ କହିଛନ୍ତି। ତୁରନ୍ତ ସର୍ଭେ କରି ଯୋଗ୍ୟ ଭୂମିହୀନ ପରିବାର ଗୁଡ଼ିକୁ ପଟ୍ଟା ପ୍ରଦାନ କରାଯାଉ ବୋଲି ବସ୍ତିବାସିନ୍ଦାମାନେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ସମସ୍ତ ବସ୍ତିବାସିନ୍ଦା ଏକତ୍ରିତ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

କୋରାପୁଟ ପୋଲିସକୁ ବଡ଼ ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ହରିଜନ ଗିରଫ

ନନ୍ଦିଘୋଷ ବ୍ୟୁରୋ :  କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୋଲିସକୁ ମିଳିଛି ବଡ଼ ସଫଳତା। ଆନ୍ତଃରାଜ୍ୟ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ହରିଜନକୁ ଗିରଫ କରିଛି ବୋରିଗୁମ୍ମା ପୋଲିସ। ତା’ ନିକଟରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଓ ନଗଦ ଟଙ୍କା ଜବତ କରାଯାଇଛି। ପୋଲିସ ତା’ ନିକଟରୁ ଅନେକ ସୁନା ଓ ରୁପାର ଅଳଙ୍କାର, ଗୋଟିଏ ଦେଶୀ ବନ୍ଧୁକ, ୧୮ଟି ଅଫୁଟା ଗୁଳି ଏବଂ ନଗଦ ୫୦ ହଜାର ଟଙ୍କା ଜବତ କରିଛି। ଜବତ ହୋଇଥିବା ସୁନା ଓ ରୁପା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ଟୁନାର ୩ ଜଣ ସହଯୋଗୀଙ୍କ ସମେତ ଚୋରି ସାମଗ୍ରୀ ନେଇଥିବା ଅନ୍ୟ ୬ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଟୁନା ହରିଜନ ନାମରେ କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ୪୦ରୁ ଅଧିକ ମାମଲା ରହିଥିବା ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କ ସହ ଚୋରି ଘଟଣାର ଆହୁରି କିଛି ତଥ୍ୟ ସାମ୍ନାକୁ ଆସିବା ନେଇ ପୋଲିସ ତଦନ୍ତ ଚଳାଇଛି।

ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ନବନିର୍ମାଣ ସଂଗଠନକୁ ସିଜେପିର ସମର୍ଥନ

ନନ୍ଦିଘୋଷ ବ୍ୟୁରୋ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଗାମୀ ସେପ୍ଟେମ୍ବର ୨୨ରେ ଆନ୍ଦୋଳନକୁ ଓହ୍ଲାଇବ କକ୍ରୋଚ ଜନତା ପାର୍ଟି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅନଶନ କରୁଥିବା ନବନିର୍ମାଣ ଯୁବଛାତ୍ର ସଂଗଠନକୁ ସମର୍ଥନ ଜଣାଇ ଘୋଷଣା କରିଛି ସିଜେପି ।  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ଜୋରଦାର ହୋଇଛି। ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅନଶନ କରୁଥିବା ନବନିର୍ମାଣ ଯୁବଛାତ୍ର ସଂଗଠନକୁ ସମର୍ଥନ ଜଣାଇଛି କକ୍ରୋଚ୍ ଜନତା ପାର୍ଟି (ସିଜେପି)। ଆଜି ଭୁବନେଶ୍ୱର ଲୋୟର ପିଏମ୍‌ଜି ଠାରେ ସିଜେପି ଓଡ଼ିଶାର ସମର୍ଥକମାନେ ଏକତ୍ରିତ ହୋଇ ନବନିର୍ମାଣ ସଂଗଠନର ନେତା ଅକ୍ଷୟ କୁମାର ଓ ମନୱର ଅଲ୍ଲୀଙ୍କ ଅନଶନକୁ ସମର୍ଥନ ଜଣାଇଛନ୍ତି।

ସିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ପାଠ୍ୟପୁସ୍ତକଗୁଡ଼ିକରେ ରହିଥିବା ଗୁରୁତର ତ୍ରୁଟି ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭିତ୍ତିଭୂମି ଓ ବୌଦ୍ଧିକ ବିକାଶକୁ ପ୍ରଭାବିତ କରୁଛି। ଏହି ଘଟଣା ପାଇଁ ପୂର୍ଣ୍ଣ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ସହ ଗଣଶିକ୍ଷା ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ହିଁ ଶିକ୍ଷା ବ୍ୟବସ୍ଥାରେ ସୁଧାରର ପ୍ରଥମ ସର୍ତ୍ତ ବୋଲି ସଂଗଠନ ଦାବି କରିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ସିଜେପି ନବନିର୍ମାଣ ସଂଗଠନ ସହ ମିଳିତ ଭାବେ ଆନ୍ଦୋଳନରେ ସାମିଲ ହେବ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସିଜେପି ପକ୍ଷରୁ ଘୋଷଣା କରାଯାଇଛି।

ଭାରତ-ଚୀନ ଡାଇରେକ୍ଟ ଫ୍ଲାଇଟ୍

ନନ୍ଦିଘୋଷ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଏହି ସୂଚନା ଦେଇଛି ଗ୍ଲୋବାଲ ଟାଇମ୍ସ। ଚାଇନା ସର୍ଦର୍ନ ଏୟାର ଲାଇନ୍ସ ସିଧା ବିମାନ ଚଳାଚଳ କରିବ ବୋଲି ଘୋଷଣା କରିଛି। ଆସନ୍ତା ସେପଟେମ୍ଵର ୨୧ରୁ ଏହା ଆରମ୍ଭ ହେବ। ନୂଆଦିଲ୍ଲୀ ଓ ଗୁଆଙ୍ଗଝୋ ମଧ୍ୟରେ ଚାଲିବ ପ୍ରଥମ ବିମାନ। ୬ ବର୍ଷ ହେଲା ଚୀନ ଓ ନୂଆଦିଲ୍ଲୀ ମଧ୍ୟରେ ଏପରି ଡାଇରେକ୍ଟ ଫ୍ଲାଇଟ ବନ୍ଦ ଥିଲା। ଏବେ ତାହା ପୁଣି ଆରମ୍ଭ ହେବ। ଶହେଟି ସାପ୍ତାହିକ ଫ୍ଲାଇଟ ଚାଲିବ ବୋଲି କୁହାଯାଇଛି। ଚୀନ-ଭାରତ ସଂପର୍କରେ ଏହା ନୂଆ ଅଧ୍ୟାୟ ସୃଷ୍ଟି କରିବ।  …

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି

ନନ୍ଦିଘୋଷ ବ୍ୟୁରୋ :ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ଗୁଜୁରାଟର ବନତାରାରୁ ନନ୍ଦନକାନନକୁ ଆସିଛନ୍ତି ୪୦ରୁ ଅଧିକ ଜୀବଜନ୍ତୁ। ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛନ୍ତି ଜେବ୍ରା, ୱାଲାବି, କଙ୍ଗାରୁ ଏବଂ କସୁଆରି ଭଳି ବିରଳ ଓ ଆକର୍ଷଣୀୟ ପ୍ରାଣୀ। କେବଳ ଜୀବଜନ୍ତୁ ନୁହନ୍ତି, ବନତାରାରୁ ଆସିଛନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ। ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛି ରେନବୋ ଲରି ଭଳି ରଙ୍ଗବେରଙ୍ଗ ଓ ଆକର୍ଷଣୀୟ ପକ୍ଷୀ। ଏମାନଙ୍କ ଆଗମନ ପରେ ନନ୍ଦନକାନନରେ ଆହୁରି ବଢ଼ିବ ବନ୍ୟଜନ୍ତୁଙ୍କ ବିବିଧତା। ଏହି ନୂଆ ଅତିଥି ପ୍ରାଣୀ ଉଦ୍ୟାନକୁ ଆସିବା ପରେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ  କ୍ୱାରେଟାଇନ୍ ରେ ଛଡାଯାଇଛି । ପ୍ରାୟ ଏକ ମାସ ଧରି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ଏହି ସମୟ ମଧ୍ୟରେ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟ ଓ ଆଚରଣ ଉପରେ ନଜର ରଖାଯିବ। ନୂଆ ପରିବେଶ ସହ ସେମାନେ କିଭଳି ଖାପ ଖୁଆଉଛନ୍ତି, ତାହା ମଧ୍ୟ ନିରୀକ୍ଷଣ କରାଯିବ।

ରୁପା ବାସନକୁସନରେ ଖାଇବେ ବ୍ରିକ୍ସ ଅତିଥି

ନନ୍ଦିଘୋଷ ବ୍ୟୁରୋ : BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀ ଅତିଥିଙ୍କ ପାଇଁ ଏଠାରେ ଭବ୍ୟ ପ୍ରସ୍ତୁତି। ସମ୍ମିଳନୀର ସଫଳ ଆୟୋଜନ ସହିତ ସେମାନଙ୍କ ରହିବା ଖାଇବାର ସ୍ଵତନ୍ତ୍ର ଆୟୋଜନ କରାଯାଇଛି। ଏହି କ୍ରମରେ ସ୍ଵତନ୍ତ୍ର ରୂପା ପ୍ଲେଟେଡ୍ ବାସନକୁସନ, ଆସବାବପତ୍ରରେ ଖାଦ୍ୟ ପାନୀୟ ଦିଆଯାଉଛି। ଏସବୁ ପ୍ରସ୍ତୁତ କରିଛି ଜୟପୁରର ଏକ କମ୍ପାନୀ। ସେହି କମ୍ପାନର ନାଁ ହେଲା ଅରୁଣ ଗ୍ରୁପ୍ ଅଫ୍ କମ୍ପାନୀଜ୍ । ଅରୁଣ ପାବୁୱାଲଙ୍କ ନେତୃତ୍ୱରେ BRICS ସମ୍ମିଳନୀକୁ ଆସୁଥିବା ବିଶିଷ୍ଟ ଅତିଥି ଓ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ସ୍ୱତନ୍ତ୍ର ଡିଜାଇନର ରୂପା ପ୍ଲେଟେଡ୍ ଟେବୁଲୱେୟାର ଏବଂ କଟଲେରି ପ୍ରସ୍ତୁତ କରିଛି।

କମ୍ପାନୀର CEO ଅରୁଣ ପାବୁୱାଲ କହିଛନ୍ତି, ଏହି ସାମଗ୍ରୀର ସବୁଠାରୁ ବିଶେଷ ଦିଗ ହେଉଛି ଏହାର ଡିଜାଇନ। ଯେଉଁ ଖାଦ୍ୟ ପରିବେଷଣ କରାଯିବ, ସେହି ଖାଦ୍ୟର ପ୍ରକାର ଓ ପରିବେଷଣ ଶୈଳୀକୁ ଦୃଷ୍ଟିରେ ରଖି ଟେବୁଲୱେୟାର ଏବଂ କଟଲେରିର ଡିଜାଇନ କରାଯାଇଛି। ଅରୁଣ ଗ୍ରୁପ ଅଫ୍ କମ୍ପାନୀର କାର୍ଯ୍ୟର ବଡ଼ ଇତିହାସ ରହିଛି। ହାଇଦ୍ରାବାଦ ହାଉସ୍‌ରୁ କମ୍ପାନୀ ଏହି କ୍ଷେତ୍ରରେ କାମ ଆରମ୍ଭ କରିଥିବା ବେଳେ ପରେ ବିଭିନ୍ନ ଦୂତାବାସକୁ ମଧ୍ୟ କଟଲେରି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଆସୁଛି। G20 ସମ୍ମିଳନୀ ପାଇଁ ମଧ୍ୟ କମ୍ପାନୀ ସାମଗ୍ରୀ ଯୋଗାଇଥିଲା। ବର୍ତ୍ତମାନ BRICS ସମ୍ମିଳନୀ ପାଇଁ ଏହା ବିଶେଷ ସାମଗ୍ରୀ ପ୍ରସ୍ତୁତ କରୁଛି। ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ବିଶିଷ୍ଟ ଅତିଥିଙ୍କ ପାଇଁ ବ୍ୟକ୍ତିଗତ ଅର୍ଡର ମଧ୍ୟ ନିଆଯାଏ। ଏପରିକି ଆମେରିକାର ରାଷ୍ଟ୍ରପତିଙ୍କ ଭଳି VIP ଅତିଥିଙ୍କ ନାମ ଖୋଦିତ ଥିବା ବ୍ୟକ୍ତିଗତ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି କମ୍ପାନୀ ମୁଖ୍ୟତଃ ପିତଳ ଓ ତମ୍ବା ଭଳି ଅଣ-ଲୌହ ଧାତୁ ବ୍ୟବହାର କରେ। ପାରମ୍ପରିକ କାରିଗରୀ କୌଶଳକୁ ଆଧୁନିକ ଡିଜାଇନ ସହ ମିଶାଇବା ଏହାର ବିଶେଷତା। ଆଧୁନିକ ମେସିନ୍ ଓ CNC ପ୍ରଯୁକ୍ତିର ସହାୟତାରେ ଡିଜାଇନ ପ୍ରସ୍ତୁତ ହେଉଥିବା ବେଳେ ପାରମ୍ପରିକ ହସ୍ତଶିଳ୍ପକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। …