spot_img
Home Blog Page 3023

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା, କଟକ ମହିଳା ଥାନା ପୋଲିସର ତଦନ୍ତ ଆରମ୍ଭ

କଟକ: କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ତଦନ୍ତ ଆରମ୍ଭ କରିଛି କଟକ ମହିଳା ଥାନା ପୋଲିସ । ସୌରିନଙ୍କୁ ଠାବ କରିବାକୁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ପ୍ରଥମେ ସୌରିନଙ୍କୁ ଠାବ କରିବା ପରେ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛି କଟକ କମିଶନରେଟ ପୋଲିସ । ଏଥିପାଇଁ ଆସନ୍ତା ଦୁଇ ଦିନ ଭିତରେ ସ୍ବତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯିବ ।

ସୌରିନ ନିଜ ମୋବାଇଲକୁ ସୁଇଚ୍ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରୁନାହିଁ । ପୋଲିସ ପ୍ରଥମେ କୋଲକତା ସ୍ଥିତ ସୌରିନଙ୍କ ବାସଭବନକୁ ଯାଇ ଖୋଜାଖୋଜି କରିବ । ସେପଟେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ଡାକ୍ତରୀ ମଇନା ସହ CRPCର ଧାରା ୧୬୪ ଆଧାରରେ ବୟାନ ରେକର୍ଡ ହୋଇଛି । ଉଭୟ ଭିଡିଓ ଓ ଅଡିଓ ମୋଡରେ ମଧ୍ୟ ଅଭିଯୋଗକାରୀଣିଙ୍କ ବୟାନ ରେକର୍ଡ କରାଯାଇଛି ।

ସହଯୋଗର ହାତ ବଢ଼ାଇଲେ 5T ସଚିବ, ସାକାର ହେବ ଗରିବ ମେଧାବୀ ଛାତ୍ରୀଙ୍କ ଉଚ୍ଚଶିକ୍ଷା ସ୍ୱପ୍ନ

ଭଦ୍ରକ: ସହଯୋଗର ହାତ ବଢ଼ାଇଲେ 5T ସଚିବ ଭି.କେ ପାଣ୍ଡିଆନ । ଦୂର ହେଲା ସମସ୍ୟା । ସାକାର ହେବ ଗରିବ ମେଧାବୀ ଛାତ୍ରୀଙ୍କ ଉଚ୍ଚଶିକ୍ଷା ସ୍ବପ୍ନ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ସାନ ହାଟୁଆରି ଗାଁର ରାଧାରାଣୀ ମହାଳିକ ଚଳିତବର୍ଷ ଯୁକ୍ତଦୁଇ କଳାରେ ବିରଞ୍ଚି ନାରାୟଣ ମାଧବାର୍ଜୁନ କଲେଜର ଟପ୍ପର ହୋଇଛନ୍ତି । ହେଲେ ବାପା ଆରପାରିକୁ ଚାଲି ଯାଇଥିବାରୁ ଅଭାବୀ ପରିବାରର ଦାୟିତ୍ୱ ରାଧାରାଣୀଙ୍କ ମୁଣ୍ଡରେ ପଡ଼ିଥିଲା । ଝୁମ୍ପୁଡି ଘର ଅଗଣାରେ ପିଲାଙ୍କୁ ଟିଉସନ କରି ସାନଭାଇର ପାଠପଢ଼ା, ଜେଜେ, ଜେଜେ ମା’ ଓ ମାଆଙ୍କର ସମସ୍ତ ଖର୍ଚ୍ଚ ତୁଲାଉଥିଲେ ରାଧାରାଣୀ । ଆର୍ଥିକ ସମସ୍ୟା ଯୋଗୁ ସେ ଉଚ୍ଚଶିକ୍ଷାର ସ୍ବପ୍ନକୁ ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ ହେଉଥିଲେ ।

ତେବେ ଜଣେ ସମାଜସେବୀଙ୍କ ଟୁଇଟ୍ ପରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ସହାୟତାର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଧାରାଣୀଙ୍କ ସବୁ ସମସ୍ୟା ଦୂର ପାଇଁ ପଦକ୍ଷେପ ନେବାକୁ ଭଦ୍ରକ ଜିଲାପାଳଙ୍କୁ ଚିଠି ଲେଖଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ତାଙ୍କ ଉଚ୍ଚଶିକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ରାଧାରାଣୀଙ୍କ ମୁହଁରେ ହସ ଫୁଟିଛି । ଝିଅର ସ୍ବପ୍ନ ପୂରଣ ପାଇଁ ବାଟ ଫିଟିଥିବାରୁ ପରିବାରର ସମସ୍ତେ ଉତ୍ସାହିତ ଅଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଧାରାଣୀ ଓ ତାଙ୍କ ପରିବାର ।

ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ବିଭତ୍ସ ହତ୍ୟା, ସ୍ୱାମୀ, ଦେଢ଼ଶୁର ଓ ସମ୍ପର୍କୀୟ ଗିରଫ

ବଲାଙ୍ଗୀର: ସ୍ତ୍ରୀକୁ ବୀଭତ୍ସ ହତ୍ୟା । ସ୍ଵାମୀ, ଦେଢ଼ଶୁର ଓ ସମ୍ପର୍କୀୟ ଗିରଫ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁରେ ପାରିବାରିକ କଳହକୁ କେନ୍ଦ୍ରକରି ବୀଭତ୍ସ ଭାବେ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ ସ୍ଵାମୀ, ଦେଢ଼ଶୁର ଓ ସମ୍ପର୍କୀୟ ମିଶି ମୃତଦେହ ପୋଡ଼ି ଦେଇଛନ୍ତି । ଗତ ୧୬ ତାରିଖରେ ହତ୍ୟାକାଣ୍ଡ ଘଟିଥିଲା । ମୃତ ମହିଳାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ସ୍ଵାମୀକୁ ଗିରଫ କରି ପଚରାଉଚରା କରିଥିଲା । ପରେ ମୃତ ମହିଳାଙ୍କ ସ୍ବାମୀ ତେଜରାଜ ସାହୁ, ଦେଢ଼ଶୁର ଓ ଜଣେ ସମ୍ପର୍କୀୟଙ୍କୁ ପୋଲିସ ଗିରଫ କରିଛି ।

ମଣିପୁରରେ ଥମୁନି ହିଂସା, ଉପଦ୍ରବୀଙ୍କ ଗୁଳିରେ ଜଣେ ଯବାନ ଆହତ

ଇମ୍ଫାଲ: ମଣିପୁରରେ ପୁଣି ଉତ୍ତେଜନା । ଚିଙ୍ଗମାଙ୍ଗ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଆତଙ୍କରାଜ । ଲୋକଙ୍କ ଗୁଳିମାଡରେ ଆହତ ହୋଇଛନ୍ତି ଜଣେ ଯବାନ । କାନ୍ତୋ ସାବଲ ଅଞ୍ଚଳରୁ ଉତ୍ତ୍ୟକ୍ତ ଲୋକମାନେ ଚିଙ୍ଗମାଙ୍ଗ ଅଭିମୁଖେ ଯାଇ ଏହି ଗୁଳିକାଣ୍ଡ ଘଟାଇଛନ୍ତି । ଆହତ ଯବାନଙ୍କୁ ଏକ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ମଣିପୁରର ଖାମେନଲୋକ ଅଞ୍ଚଳର ଏକ ଗ୍ରାମରେ ଆତଙ୍କବାଦୀଙ୍କ ଗୁଳିମାଡରେ ପ୍ରାଣ ହରାଇଛନ୍ତି ୯ ଜଣ । ଆହତ ହୋଇଛନ୍ତି ୧୦ ଜଣ । ଇମ୍ଫାଲ ଇଷ୍ଟରେ ଘଟିଥିବା ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି । ସେପଟେ ଖୁନସାଖୁଲ ଅଞ୍ଚଳରେ ସମ୍ଭାବ୍ୟ ହିଂସା ଆଶଙ୍କାରେ ନିରାପତ୍ତା କଡ଼ାକଡ଼ି କରାଯାଇଛି ।

ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପ୍ରସ୍ତୁତ TPCODL

ପୁରୀ: ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପ୍ରସ୍ତୁତ ଟିପିସିଓଡିଏଲ୍। ବିଦ୍ୟୁତ ଭିତ୍ତିଭୂମିରେ ଉନ୍ନତି ପାଇଁ କାମ କରାଯାଇଛି । ସମସ୍ତ ଭୂତଳ ୩୩ କେଭି ତାର ଠିକ୍ ଥିବା ସୁନିଶ୍ଚିତ କରାଯାଇଛି। ଗ୍ରାଣ୍ଡ ରୋଡ୍, ବେଳାଭୂମି ରାସ୍ତା, ଭିଆଇପି ରୋଡ୍ ଓ ଅନ୍ୟ ପ୍ରମୁଖ ସ୍ଥାନରେ ଫିଡର ପିଲାର ବକ୍ସର ପ୍ରତିଶେଧମୂଳକ ରକ୍ଷଣାବେକ୍ଷଣ କରାଯାଇଛି ।

ରଥଯାତ୍ରା ସମୟରେ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ୫ଶହ ଟିପିସିଓଡିଏଲ୍ କର୍ମଚାରୀ ଓ ବିଜନେସ୍ ଆସୋସିଏଟସଙ୍କୁ ମୁତୟନ କରାଯାଇଛି। ଉତ୍ତମ ନିରୀକ୍ଷଣ ଓ ସମନ୍ବୟ ପାଇଁ ପୁରୀ ଡିଭିଜନରେ କାମ କରିବାର ଅଭିଜ୍ଞତା ଥିବା ଟିପିସିଓଡିଏଲ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ପୁରୀ ଡିଭିଜନର ମୋଟ୍ ୩୫ଜଣ ଟିପିସିଓଡିଏଲ୍ ଅଧିକାରୀଙ୍କ ସହ ବିଜନେସ ଆସୋସିଏଟସର ୧୫ଜଣ ସୁପରଭାଇଜରଙ୍କୁ ରଥଯାତ୍ରା ସମୟରେ ନିୟୋଜିତ କରାଯାଇଛି ।

ଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର, ଗ୍ରାଣ୍ଡ ରୋଡ୍, ବେଳାଭୂମି ରାସ୍ତା, ସିଟି ରାସ୍ତା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରାଯିବ । ସେହିପରି ସୁରକ୍ଷା ଦୃଷ୍ଟିରୁ ପୁରୀ ସହରର ବିଭିନ୍ନ ବିପଦପୂର୍ଣ୍ଣ ଅଞ୍ଚଳରେ ୨୪ ଏଫଆରପି ବାଡ଼ ଦିଆଯାଇଛି ।

ଡାକୁ ହସିନାକୁ ଧରାପକେଇ ଦେଲା ୧୦ଟଙ୍କିଆ ମୃଦୁ ପାନୀୟ, ଲୁଟିଥିଲେ ୮ କୋଟି

ଡେରାଡୁନ: ଧରାପକେଇ ଦେଲା ୧୦ଟଙ୍କିଆ ମୃଦୁ ପାନୀୟ। ଉତ୍ତରାଖଣ୍ଡ ଚମୌଲୀର ହେମକୁଣ୍ଡ ସାହିବରୁ ମନଦୀପ କୌର ଓରଫ ଡାକୁ ହସିନାକୁ ଗିରଫ କରିଛି ପଞ୍ଜାବ ପୋଲିସ। ଜୁନ୍ ୧୦ ତାରିଖରେ ଲୁଧିଆନାର ଏକ କ୍ୟାସ ମ୍ୟାନେଜମେଣ୍ଟ ଫାର୍ମରୁ ୮କୋଟି ୪୯ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଲୁଟର ମାଷ୍ଟରମାଇଣ୍ଡ ଥିଲେ ମନଦୀପ କୌର ଓ ତାଙ୍କ ସ୍ବାମୀ ଯଶବିନ୍ଦର କୌର। ଲୁଟ୍ ସଫଳ ହେବା ପରେ ଭଗବାନଙ୍କୁ ଧନ୍ୟବାଦ ଜଣାଇବାକୁ ହେମକୁଣ୍ଡ ସାହିବ ଯାଇଥିଲେ ମନଦୀପ ଓ ଯଶବିନ୍ଦର।

ଉଭୟ ନେପାଳ ପଳାଇବାକୁ ଯୋଜନା କରିଥିଲେ । ତେବେ ଏହାପୂର୍ବରୁ ହରିଦ୍ବାର, କେଦାରନାଥ ଓ ହେମକୁଣ୍ଡ ସାହିବରେ ଦର୍ଶନ କରିବା ପ୍ଲାନ୍ ଥିଲା। ଉଭୟ ହେମକୁଣ୍ଡ ସାହିବରେ ଥିବା ନେଇ ପୋଲିସକୁ ଖବର ମିଳିଥିଲେ ବି ଶ୍ରଦ୍ଧାଳୁଙ୍କ ଭିଡ଼ରେ ଚିହ୍ନଟ କରିବା କଷ୍ଟକର ଥିଲା। ତେଣୁ ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ମାଗଣା ମୃଦୁ ପାନୀୟ ବଣ୍ଟନ କରିଥିଲା ପୋଲିସ।

ଚିହ୍ନା ନପଡ଼ିବା ପାଇଁ ଦମ୍ପତି ମୁହଁରେ କପଡ଼ା ବାନ୍ଧିଥିଲେ । ତେବେ ମୃଦୁ ପାନୀୟ ପିଇବା ପାଇଁ ମୁହଁରୁ କପଡ଼ା ହଟାଇବା ପରେ ପୋଲିସ ସେମାନଙ୍କୁ ଚିହ୍ନଟ କରିଥିଲା । ତେବେ ସଙ୍ଗେ ସଙ୍ଗେ ଗିରଫ ନକରି କିଛି ବାଟ ଗୋଡ଼ାଇବା ପରେ ଧରିଥିଲା। ମନଦୀପଙ୍କ ଗାଡ଼ିରୁ ୧୨ଲକ୍ଷ ଓ ଯଶବିନ୍ଦରଙ୍କ ବରନାଲା ଘରୁ ୯ଲକ୍ଷ ଟଙ୍କା ଜବତ କରାଯାଇଛି । ଘଟଣାରେ ମୋଟ୍ ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣଙ୍କୁ ଗରିଫ କରାଯାଇଛି।

ତିନୋଟି ବିଭାଗର ୨୬୯ ଜଣ ଅଧିକାରୀଙ୍କୁ ନିଯୁକ୍ତିପତ୍ର ଦେବେ ନବୀନ

ଭୁବନେଶ୍ବର: ଆଜି ଅପରାହ୍ନ ୫ଟା ୩୦ରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ନିଯୁକ୍ତି ପର୍ବ ଆୟୋଜନ କରାଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ମନୋନୀତ ୨୬୯ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ।

ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୧୬୦ ଜଣ ପ୍ରଧାନଶିକ୍ଷକ ଓ ବ୍ଲକ୍ ଶିକ୍ଷା ଅଧିକାରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ୯୦ ଜଣ ବ୍ଲକ୍ ସାମଜିକ ସୁରକ୍ଷା ଅଧିକାରୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗରେ ୧୯ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି ।

ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ଦିଗଦର୍ଶନ ଦେବେ । ରାଜ୍ୟରେ ଦିନକୁ ଦିନ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବା ବେଳେ ଯୁବକ ଯୁବତୀମାନେ ଅଧିକରୁ ଅଧିକ ସଂଖ୍ୟାରେ ନିଯୁକ୍ତି ପାଉଛନ୍ତି ।

ତାତି କମିଥିଲେ ବି ସାଢେ ୧୧ ସୁଦ୍ଧା ଝାରସୁଗୁଡା ଉତ୍ତପ୍ତ ସହର

ଭୁବନେଶ୍ବର: ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ବର୍ଷା ପରେ ପାଗରେ ପରିବର୍ତ୍ତନ ଆସିଛି । କିଛି ସ୍ଥାନରେ ବର୍ଷା ପରେ ସାମାନ୍ୟ ହ୍ରାସ ପାଇଛି ତାପମାତ୍ରା । ସେହିପରି ରାଜଧାନୀ ଭୁବନେଶ୍ବରରେ କୋହଲା ପାଗ ହୋଇଛି । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ରହିଛି ।

ତାତି କମିଥିଲେ ବି ଝାରସୁଗୁଡାରେ ତାପମାତ୍ରା ୩୮.୮ ଡିଗ୍ରୀ ରହିଛି । ସେହିପରି ସମ୍ବଲପୁରରେ ୩୭.୬, ହୀରାକୁଦରେ ୩୭.୪, ଚାନ୍ଦବାଲି ୩୬, ପୁରୀ ୩୩.୮, ପାରାଦୀପ ୩୩.୨, ଭୁବନେଶ୍ୱର ୩୩.୨, କେନ୍ଦୁଝର ୩୧, ବାଲେଶ୍ୱର ୩୦ ଓ ଗୋପାଳପୁରର ତାପମାତ୍ରା ୨୮.୬ ଡିଗ୍ରୀ ରହିଛି ।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ରହିବ । ୨୩ ତାରିଖ ପରେ ଘୂର୍ଣ୍ଣବଳୟ ସୃଷ୍ଟି ସମ୍ଭାବନା ଥିବା ବେଳେ ଏହାରି ପ୍ରଭାବରେ ବର୍ଷା ହେବାର ଅନୁମାନ କରାଯାଉଛି ।

ଶତାୟୁ ବୃଦ୍ଧାଙ୍କୁ ଦିଅଁ ଦର୍ଶନ କରାଇଲେ ପୋଲିସ କର୍ମଚାରୀ

ପୁରୀ: ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ବେଳେ ପୁରୀରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଶତାୟୁ ବୃଦ୍ଧାଙ୍କୁ ହାତରେ ଟେକି ଟେକି ନେଇ ଦିଅଁ ଦର୍ଶନ କରାଇଥିଲେ ଜଣେ ପୋଲିସ କର୍ମଚାରୀ । ବୃଦ୍ଧା ଜଣକ ଚାଲି ପାରୁନଥିଲେ । ତେଣୁ ଶ୍ରୀମନ୍ଦିର ଭିତରକୁ ବୃଦ୍ଧାଙ୍କୁ ହାତରେ ଟେକି ଟେକି ନେଇ ଦିଅଁ ଦର୍ଶନ କରାଇଥିଲେ ପୋଲିସ କର୍ମଚାରୀ । ପ୍ରବଳ ଭିଡ଼ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିବାରୁ ବେଶ୍‌ ସନ୍ତୋଷ ପ୍ରକାଶ କରିଥିଲେ ବୃଦ୍ଧା ।

ଦର୍ଶନ କରି ଆତ୍ମାଶାନ୍ତି ହୋଇଛି ବୋଲି ସେ କହିଛନ୍ତି । ଜଗତ କଲ୍ୟାଣ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପୁଅ ଭଳି ପୋଲିସ କର୍ମଚାରୀ ଜଣକ ତାଙ୍କୁ ସାହାଯ୍ୟ କରିଥିବାରୁ କଲ୍ୟାଣ ଅଜାଡ଼ି ଦେଇଥିଲେ ବୃଦ୍ଧା । ପୋଲିସ କର୍ମଚାରୀଙ୍କ ଏଭଳି ସେବା ମନୋବୃତ୍ତିକୁ ସବୁ ଆଡୁ ପ୍ରଶଂସା କରାଯାଉଛି ।

ଠିପି ଖୋଲା ବିଦେଶୀ ମଦ ଦୋକାନରେ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ

ଭୁବନେଶ୍ବର: ଠିପି ଖୋଲା ବିଦେଶୀ ମଦ ଦୋକାନରେ ଅଗ୍ନିକାଣ୍ଡ । ସହିଦନଗର ଭବାନୀ ମଲ ନିକଟରେ ଥିବା ମଦ ଦୋକାନରେ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ମଦ ଦୋକାନ ପାଖ ବିଲ୍ଡିଂକୁ ନିଆଁ ବ୍ୟାପିଛି । ବିଲ୍ଡିଂ ପଛ ପଟେ ଥିବା ଓଡିଶା ବିଲ୍ଡିଂକୁ ନିଆଁ ବ୍ୟାପିଛି ।

ଦୁଇଟି ଅଗ୍ନିଶମ ବାହିନୀ କର୍ମକର୍ତ୍ତା ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପାଖରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।