spot_img
Home Blog Page 29

ପ୍ରଚଣ୍ଡ ଗରମ,ଲୋ-ଭୋଲ୍ଟେଜ୍ ରେ ଅତିଷ୍ଠ ଦହିବର ଗ୍ରାମବାସୀ, ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ଖରା ଓ ଅସହ୍ୟ ଗୁଳୁଗୁଳି ଭିତରେ ଲୋ-ଭୋଲ୍ଟେଜ୍ ସମସ୍ୟା ଏବେ ଦହିବର ଗ୍ରାମବାସୀଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଜପା ପଞ୍ଚାୟତ ଅନ୍ତର୍ଗତ ଦହିବର ଗାଁରେ ଦୀର୍ଘଦିନ ଧରି ପର୍ଯ୍ୟାପ୍ତ ଭୋଲ୍ଟେଜ୍ ମିଳୁନଥିବାରୁ ଘରେ ଫ୍ୟାନ ଠିକ୍ ଭାବେ ଘୁରୁନାହିଁ। ଫଳରେ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ମଧ୍ୟରେ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ସେହିପରି ଗାଁର ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଜରାଜୀର୍ଣ୍ଣ ଏବଂ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଅଘଟଣ ଆଶଙ୍କା ମଧ୍ୟ ଦେଖାଦେଇଛି।

ବାରମ୍ବାର ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ କ୍ଷୁବ୍ଧ ଗ୍ରାମବାସୀ ଆଜି ଏରସମା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କରିଛନ୍ତି। ତୁରନ୍ତ ଏକ ନୂତନ ଟ୍ରାନ୍ସଫର୍ମର ସ୍ଥାପନ, ଲୋ-ଭୋଲ୍ଟେଜ୍ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ବିପଦସଙ୍କୁଳ ବିଦ୍ୟୁତ ତାର ପରିବର୍ତ୍ତନ ଦାବି କରିଛନ୍ତି ଗ୍ରାମବାସୀ। ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ତେବେ ସମସ୍ୟାର ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି।

ଧାନ କିଣା ଅବ୍ୟବସ୍ଥା: ବଲାଙ୍ଗୀର ଯୋଗାଣ କାର୍ଯ୍ୟାଳୟ ଘେରାଉ

ନନ୍ଦିଘୋଷ ବ୍ୟୁରୋ: ଖରିଫ ଧାନ କିଣା ଭଳି ରବି ଧାନ କିଣାରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ଧାନ କିଣା ପ୍ରକ୍ରିୟା ଆରମ୍ଭରୁ ହିଁ ସରକାରୀ ସ୍ତରରେ ତ୍ରୁଟି ପରିଲକ୍ଷିତ ହେଉଥିବା ବେଳେ କଷ୍ଟ ଅର୍ଜିତ ଧାନ ଅମଳ କରି ଚାଷୀମାନେ ଏବେ ହଇରାଣ ହେଉଛନ୍ତି। ମଣ୍ଡିରେ ଧାନ ପଡ଼ି ରହିଥିଲେ ମଧ୍ୟ ମିଲର୍ସମାନଙ୍କ ମନମାନୀ ଯୋଗୁଁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମିଲର୍ସ ଅଶୋକ ସାହୁ ବିନା କାଟନୀ-ଛଟନୀରେ ଆଗଲପୁର ପ୍ୟାକ୍ସରୁ ଧାନ ଉଠାଇବାକୁ ମନା କରିଦେଇଛନ୍ତି। ଏଥିରେ ଉତ୍ତ୍ୟକ୍ତ ହୋଇ ଶତାଧିକ ଚାଷୀ କୃଷକ ନେତା ଆକାଶ ମିଶ୍ର ଓ ସୌମେନ୍ଦ୍ର ପରିଛାଙ୍କ ନେତୃତ୍ୱରେ ବଲାଙ୍ଗୀର ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀ (CSO) ଦେବବ୍ରତ ମହାପାତ୍ରଙ୍କ ଚ୍ୟାମ୍ବର ଭିତରେ ଦୀର୍ଘ ୩ ଘଣ୍ଟା ଧରି ଧାରଣା ଦେବା ସହ ଜୋରଦାର ହୋହାଲ୍ଲା କରି ପ୍ରତିବାଦ ଜଣାଇଛନ୍ତି।

ଚାଷୀଙ୍କ ଏହି ପ୍ରତିବାଦ ଆଗରେ ଯୋଗାଣ ବିଭାଗ ନତମସ୍ତକ ହୋଇଛି। CSO ଦେବବ୍ରତ ମହାପାତ୍ର ଆସନ୍ତାକାଲି ସୁଦ୍ଧା ଅନ୍ୟ ଜଣେ ମିଲର୍ସଙ୍କୁ ଟେଗିଂ କରି ମଣ୍ଡିରୁ ଧାନ ଉଠାଇବା ପାଇଁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିଶ୍ରୁତି ପାଇବା ପରେ ଚାଷୀମାନେ ଶାନ୍ତ ପଡ଼ିଥିଲେ ଓ ଆନ୍ଦୋଳନରୁ ଓହରିଥିଲେ।

ଆଗକୁ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଣ୍ଡିରେ ପ୍ରାୟ ୩ ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି। ଅନ୍ୟପଟେ ନିଜକୁ ବିଜେପି ନେତା ବୋଲାଉଥିବା ମିଲର୍ସ ଅଶୋକ ସାହୁ ରାଜନୈତିକ ପ୍ରଭାବ ଖଟାଇ ନିଜର ମନମାନୀ ଚଳାଇଛନ୍ତି ବୋଲି ଚାଷୀମାନେ ଅଭିଯୋଗ ଆଣିଛନ୍ତି।

ଡବଲ ମର୍ଡର: ଗୁଣିଗାରେଡ଼ି ସନ୍ଦେହରେ ମା’-ଝିଅଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରୁ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୁଣିଗାରେଡ଼ି ସନ୍ଦେହରେ ଜଣେ ପଡ଼ୋଶୀ ଦୁଇ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଡବଲ ମର୍ଡର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ସମ୍ବଲପୁର ଗିରିପାଲି ଖଡ଼ିଆ ପଡ଼ାରେ ଏହି ଜଘନ୍ୟ କାଣ୍ଡ ଘଟିଛି। ମୃତକ ଦୁଇଜଣ ହେଉଛନ୍ତି ମା’ ଏବଂ ଝିଅ। ବିଳମ୍ବିତ ରାତିରେ ଦୁହେଁ ଘର ଅଗଣାରେ ଶୋଇଥିବା ସମୟରେ ଅଭିଯୁକ୍ତ ପଡ଼ୋଶୀ ଅଜୟ ପ୍ରଧାନ ସେମାନଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା।

ଘଟଣା ପରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ହତ୍ୟାକାରୀ ଅଜୟ ପ୍ରଧାନ ମା’-ଝିଅଙ୍କୁ ଜୀବନରୁ ମାରିଦେବା ପରେ ନିଜେ ପୋଲିସକୁ ଫୋନ୍ କରି ଏହି ସୂଚନା ଦେଇଥିଲା। ଏ ନେଇ ଅତିରିକ୍ତ ଏସପି ଶ୍ରୀମନ୍ତ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତେବେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଅଭିଯୁକ୍ତ ହତ୍ୟା କରିବା ପରେ ନିଜେ ପୋଲିସକୁ ଖବର ଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ଅଜୟ ପ୍ରଧାନକୁ ଅଟକ ରଖି ପୋଲିସ ପଚରାଉଚରା ଜାରିକରିଛି । ତେବେ ଏହି ଜଘନ୍ୟ କାଣ୍ଡ ପଛରେ କେବଳ ଗୁଣିଗାରେଡ଼ି ସନ୍ଦେହ ରହିଛି ନା ଅନ୍ୟ କିଛି ଶତ୍ରୁତା ରହିଛି, ସେ ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି।

ବିଶ୍ୱାସଘାତକ ଦାଦା: ଚାକିରି ପ୍ରଲୋଭନ ଦେଖାଇ ଓୟୋ ହୋଟେଲରେ ଦୁଷ୍କର୍ମ!

ନନ୍ଦିଘୋଷ ବ୍ୟୁରୋ: ସମ୍ପର୍କୀୟ ଦାଦା ସାଜି ବିଶ୍ୱାସ ଜିତିଲା, ଓୟୋ (OYO) ହୋଟେଲକୁ ଡାକି ଦୁଷ୍କର୍ମ କଲା। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯାଜପୁରରୁ ଅଭିଯୁକ୍ତ ଜିତୁ ସାମଲକୁ ଗିରଫ କରିଛି ପୋଲିସ। ଯୁବତୀଙ୍କ ଅଭିଯୋଗ ପରେ ଧଉଳି ଥାନା ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାମଲା ରୁଜୁ ହେବାର କିଛି ସମୟ ମଧ୍ୟରେ ହିଁ ଅଭିଯୁକ୍ତକୁ ଗିରଫ କରାଯାଇଛି।

ପ୍ରଲୋଭନ ଦେଖାଇ ଘଟାଇଥିଲା କାଣ୍ଡ:
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ମାଆଙ୍କ ପରିଚିତ ଜଣେ ବ୍ୟକ୍ତି ଥିଲେ ଜିତୁ ସାମଲ। ସେହି ପରିଚୟକୁ ଆଧାର କରି ସେ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲା। ପରେ ବିଶ୍ୱାସର ସୁଯୋଗ ନେଇ ଏବଂ ଚାକିରି ଦେବାର ପ୍ରଲୋଭନ ଦେଖାଇ ତାଙ୍କୁ ହୋଟେଲକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଗତ ୫ ତାରିଖ ରାତିରେ ପିପିଲି ଥାନା ଅଞ୍ଚଳ ଗୁଡ଼ିଆପୋଖରୀ ନିକଟସ୍ଥ ଏକ ଓୟୋ ହୋଟେଲରେ ଏହି ଘଟଣା ଘଟିଥିବା ନେଇ ଯୁବତୀ ଜଣକ ଗତକାଲି ଅଭିଯୋଗ କରିଥିଲେ। ଘଟଣା ପରେ ସେ ଧଉଳି ଥାନାରେ ଏତଲା ଦେଇଥିଲେ।

ପ୍ରାଥମିକ ତଦନ୍ତରେ ଘଟଣାସ୍ଥଳ ପିପିଲି ଥାନା ଅଞ୍ଚଳରେ ଥିବା ଜଣାପଡ଼ିଥିଲେ ମଧ୍ୟ, ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଧଉଳି ଥାନାରେ ତୁରନ୍ତ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା। ଜିରୋ ଏଫ୍‌ଆଇଆର୍‌ ପ୍ରକ୍ରିୟାକୁ ଅପେକ୍ଷା ନକରି ପୋଲିସ ଏକ ମାନବିକ ଆଭିମୁଖ୍ୟ ଗ୍ରହଣ କରିଥିଲା। ମାମଲା ରୁଜୁ ହେବା ସଙ୍ଗେ ସଙ୍ଗେ ଧଉଳି ପୋଲିସ ଅଭିଯୁକ୍ତର ଖୋଜଖବର ଆରମ୍ଭ କରି ଶେଷରେ ଯାଜପୁରରୁ ଜିତୁ ସାମଲକୁ ଗିରଫ କରିବାରେ ସଫଳ ହୋଇଛି।

ଘଟଣାକୁ ନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ବିରୋଧରେ ଅପହରଣ, ଅଟକ ରଖିବା, ଦୁଷ୍କର୍ମ, ଠକେଇ ଓ ଧମକ ଭଳି ଏକାଧିକ ଗୁରୁତର ଏବଂ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି।

ଭାରତୀୟ ନ୍ୟାୟ ସଂହିତା (BNS) ର 140(3), 127(2), 64(1), 318(4), 351(2) ଓ 3(5) ଧାରାରେ ଏହି ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଧଉଳି ପୋଲିସ ଘଟଣାର ପ୍ରତ୍ୟେକ ଦିଗକୁ ତୀକ୍ଷ୍ଣ ଭାବେ ଛାନବିନ କରୁଛି।

ଚନ୍ଦ୍ରିକା ମୃତ୍ୟୁ ମାମଲା: ଭାଇଙ୍କ ଆସିଲା ସଙ୍ଗୀନ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ସାମ୍ନାକୁ ଆସିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ତଥ୍ୟ। ଭଉଣୀ ଚନ୍ଦ୍ରିକାଙ୍କ ବାବଦରେ ମୁହଁ ଖୋଲିଛନ୍ତି ମାମୁ ପୁଅ ଭାଇ । ତାଙ୍କ ଭଉଣୀକୁ ମାରି କାଠଯୋଡିରେ ଫୋପାଡ଼ି ଦିଆଯାଇଛି ବୋଲି ମାମୁ ପୁଅ ଭାଇ ଭଗବାନ ହାଁସଦା ଅଭିଯୋଗ କରିଛନ୍ତି ।

ଏହାସହ ଭୁବନେଶ୍ୱରରେ ରହୁଥିବା ଭଗବାନ କହିଛନ୍ତି ଭଉଣୀ ମନର କଥା । ସବୁବେଳେ ହସଖୁସିରେ ରହୁଥିବା ଚନ୍ଦ୍ରିକା ଘଟଣା ପୂର୍ବରୁ ଭୁବନେଶ୍ୱର ଯାଇଥିବା ବେଳେ ସେଠାରେ ତାଙ୍କ ଭାଇଙ୍କ ସହିତ ୪ ତାରିଖରେ ମୁଭି ଦେଖିବାକୁ ଯିବେ ବୋଲି ଫାଇନାଲ କରିଥିଲେ, ଏବଂ  ଚନ୍ଦ୍ରିକା ମୁହଁ ଶୁଖାଇ ବସିଥିବା ବେଳେ ଭାଇ କାରଣ ପଚାରିବାରୁ ଜୀବନରେ କାହାକୁ ସହଜରେ ବିଶ୍ୱାସ କରିବୁ ନାହିଁ ବୋଲି ତାଙ୍କ ଭାଇଙ୍କୁ କହିଥିଲେ ଚନ୍ଦ୍ରିକା।

କେବଳ ସେତିକି ନୁହେଁ ନିଜ ବାହାଘରକୁ ନେଇ ବେଶ ଖୁସି ରହିବା ସହିତ କିଭଳି ବାହାଘର ହେବ ସେ ନେଇ ମଧ୍ୟ ତାଙ୍କ ସହିତ ଆଲୋଚନା କରୁଥିଲେ । ଏପରିକି ଅନେକ ଥର ଚନ୍ଦ୍ରିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଭୁବନେଶ୍ୱର ବୁଲିବାକୁ ଯାଇଥିବା କଥା କହିବା ସହ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭଗବାନ ।

ସେପଟେ କଟକ ଡିସିପି ମଧ୍ୟ ନୂଆ ସୂଚନା ଦେଇ କହିଛନ୍ତି, ଚନ୍ଦ୍ରିକା ସେ ଦିନ ଓଲା ଗାଡିରେ ଆସି ତ୍ରିଶୂଳିଆରେ ଓହ୍ଲାଇଥିଲେ। ପରେ ସେ ବ୍ରିଜ ଉପରକୁ ଆସିଥିବା ସନ୍ଦେହ କରାଯାଉଛି । ତ୍ରିଶୂଳିଆ ବଜାରରୁ ସିସିଟିଭି ଫୁଟେଜ୍ ମିଳିଥିବା ବେଳେ ଯୁବତୀଙ୍କ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଛି।

ମୋବାଇଲରୁ କିଛି ତଥ୍ୟ ମିଳୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିବାରର ଅଭିଯୋଗ ଉପରେ ପୁରୁଷ ବନ୍ଧୁଙ୍କୁ ଖୋଜା ଚାଲିଛି । ମିଳିଥିବା କାଗଜପତ୍ର ଯାଞ୍ଚ ଚାଲିଛି। ସ୍ୱତନ୍ତ୍ର ଟିମ ତଦନ୍ତ କରୁଛନ୍ତି ଓ ତଦନ୍ତରେ ଭଲ ଅଗ୍ରଗତି ହେଉଛି ବୋଲି କଟକ ଡିସିପି କହିଛନ୍ତି।

ଜୀବିତ ଯୁବତୀ ସୁଭଦ୍ରା ପୋର୍ଟାଲରେ ‘ମୃତ’: ଅଚଳ ହେଲା ଆଧାର ଓ ରାସନ କାର୍ଡ

ମାଲକାନଗିରି: ଜୀବିତ ଯୁବତୀ ସୁଭଦ୍ରା ପୋର୍ଟାଲରେ ମୃତ। ମିଳିଥିଲା ସୁଭଦ୍ରାର ପ୍ରଥମ କିସ୍ତି । ଦ୍ୱିତୀୟ କିସ୍ତି ପାଇଁ ଗଲାବେଳେ ଯୁବତୀ ସୁଭଦ୍ରା ପୋର୍ଟାଲରେ ମୃତ୍ୟୁ । ନା ଚଳୁଛି ଆଧାର କାର୍ଡ ନା କାମରେ ଲାଗୁଛି ସ୍ୱାସ୍ଥ୍ୟ ବିମା କାର୍ଡ । ଦୀର୍ଘ ଦିନରୁ ଜୀବିତ ହୋଇ ବି ସରକାରୀ କାଗଜପତ୍ରରେ ମୃତ ହୋଇଯାଇଛନ୍ତି ଆଦିବାସୀ ଯୁବତୀ ସନମତି କଟପାଡିଆ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ପଞ୍ଚାୟତ ଅଧିନ ସର୍ଗୀଗୁଡାରେ ଏଭଳି ଘଟଣା ଦେଖିବାକୁ ମିଳୁଛି।

ଏନେଇ ଆଜି କିଆଙ୍ଗ ଠାରେ ବିଡିଓଙ୍କ ଅଭିଯୋଗ ଶୁଣାଣିରେ ଆସି ଏଭଳି ଅଭିଯୋଗ କରିଛନ୍ତି ଯୁବତୀ। ଏହାର ପ୍ରଭାବରେ ତାଙ୍କ ଆଧାର କାର୍ଡ ସମେତ, ସ୍ୱାସ୍ଥ୍ୟ ବିମା, ରାସନ କାର୍ଡ ମଧ୍ୟ କାମରେ ଲାଗୁନାହିଁ । ଗରିବ ଯୁବତୀ ଜଣକ ସ୍ୱାସ୍ଥ୍ୟକ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିଡିଓ ଏହାକୁ ଗୁରୁତ୍ୱ ସହ ନେଇ ପଦକ୍ଷେପ ନେବେ, କାହିଁକି ଏପରି ହୋଇଛି ଏବଂ ଜୀବିତ ସମନତିଙ୍କୁ କିପରି ନ୍ୟାୟ ମିଳିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମାଥିଲି ବିଡିଓ ପ୍ରମୋଦ କୁମାର ବେହେରା ।

ଚିନ୍ତା ବଢ଼ାଇଲା ସରକାରଙ୍କ ବୟାନ: ଆଗକୁ ଆହୁରି ମହଙ୍ଗା ହୋଇପାରେ ଗ୍ୟାସ୍ ସିଲିଣ୍ଡର

ନନ୍ଦିଘୋଷ ବ୍ୟୁରା: ସିଲିଣ୍ଡର ମୂଲ୍ୟରେ କ୍ରମାଗତ ବୃଦ୍ଧି ସାଧାରଣ ଜନତାଙ୍କ ଚିନ୍ତା ବଢ଼ାଇ ଦେଇଛି।  ପଶ୍ଚିମ ଏସିଆ ରାଜନୈତିକ ସଙ୍କଟ ଯୋଗୁଁ ଭାରତରେ ପେଟ୍ରୋଲ, ଡିଜେଲ ସମେତ ଘରୋଇ ଓ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ମୁଦ୍ରାସ୍ଫୀତି ର ପ୍ରଭାବ ଆଗାମୀ ଦିନରେ ମଧ୍ୟ ଜାରି ରହିପାରେ ବୋଲି ଆଶଙ୍କା କରାଯାଉଛି। ଏହି ପରିସ୍ଥିତି ଉପରେ କେନ୍ଦ୍ର ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି।

ବିଶ୍ୱ ସଙ୍କଟ ଉପରେ ସରକାରଙ୍କ ବିବୃତ୍ତି

ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସରକାରଙ୍କ ପକ୍ଷ ରଖି କହିଛନ୍ତି ଯେ, ବିଶ୍ୱବ୍ୟାପୀ ଚାଲିଥିବା ଅସ୍ଥିରତା ଯୋଗୁଁ ନିକଟ ଭବିଷ୍ୟତରେ ଇନ୍ଧନ ମୂଲ୍ୟ ଆହୁରି ପ୍ରଭାବିତ ହୋଇପାରେ।

କେନ୍ଦ୍ର ମନ୍ତ୍ରୀଙ୍କ ପ୍ରମୁଖ ବକ୍ତବ୍ୟ: “ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଯୋଗୁଁ ଆମେ ମଧ୍ୟ ସମାନ ଭାବେ ଦୁଃଖିତ। କିନ୍ତୁ ଏହାର ସମାଲୋଚନା କରିବା ପୂର୍ବରୁ ବର୍ତ୍ତମାନର ବିଶ୍ୱ ପରିସ୍ଥିତିକୁ ବୁଝିବାକୁ ହେବ। ସମଗ୍ର ବିଶ୍ୱ ଏବେ ଏକ ଗମ୍ଭୀର ସଙ୍କଟ ଦେଇ ଗତି କରୁଛି, ଯାହାଦ୍ୱାରା ଆନ୍ତର୍ଜାତୀୟ ସ୍ତରରେ ସାମଗ୍ରୀ ପରିବହନ ଏବଂ ଯୋଗାଣ ଶୃଙ୍ଖଳା (Supply Chain) ବାଧାପ୍ରାପ୍ତ ହୋଇଛି।”

ମୂଲ୍ୟ ବୃଦ୍ଧି ପଛର ପ୍ରମୁଖ କାରଣ

କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗ୍ୟାସର ମୂଲ୍ୟ ବୃଦ୍ଧି ପଛରେ ନିମ୍ନଲିଖିତ ଆନ୍ତର୍ଜାତୀୟ କାରଣଗୁଡ଼ିକ ରହିଛି:

  • ଯୋଗାଣରେ ହ୍ରାସ: ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଏଲପିଜି ବହୁତ ସୀମିତ ଉତ୍ସରୁ ଉପଲବ୍ଧ ହେଉଛି, ଯାହା ଚାହିଦା ଏବଂ ମୂଲ୍ୟ ଉପରେ ଚାପ ସୃଷ୍ଟି କରିଛି।
  • ପରିବହନ ଖର୍ଚ୍ଚ ବୃଦ୍ଧି: ବିଶ୍ୱସ୍ତରୀୟ ସମସ୍ୟା ଯୋଗୁଁ ମାଲବାହୀ ଜାହାଜ ଚଳାଚଳରେ ଅଧିକ ସମୟ (ପ୍ରାୟ ୪୦ ରୁ ୪୫ ଦିନ) ଲାଗୁଛି। ଏହାଫଳରେ ପରିବହନ ଖର୍ଚ୍ଚ ସହ ବୀମା ମୂଲ୍ୟ (Insurance Cost) ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି।
  • ମୂଳ ମୂଲ୍ୟରେ ବୃଦ୍ଧି: ଆନ୍ତର୍ଜାତୀୟ ବଜାରରେ ଗ୍ୟାସର ମୂଳ ମୂଲ୍ୟ (Base Price) ବଢ଼ିବା କାରଣରୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି।

Sରକାର ସାଧାରଣ ଲୋକଙ୍କ ସମସ୍ୟା ବିଷୟରେ ଚିନ୍ତିତ ଥିଲେ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ ଏହି ମୂଲ୍ୟ ସଂଶୋଧନ ଏକ ବାଧ୍ୟତାମୂଳକ ପଦକ୍ଷେପ ପାଲଟିଛି ବୋଲି ସେ ପ୍ରକାଶ କରିଛନ୍ତି।

ବଜାରରେ ସାମ୍ପ୍ରତିକ ସ୍ଥିତି

ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ନିକଟରେ (ଜୁନ୍ ୭ ତାରିଖରେ) ସଂଶୋଧନ କରାଯାଇଛି।

  • ପ୍ରତି ସିଲିଣ୍ଡର ପିଛା ₹୨୯ ବୃଦ୍ଧି ହେବା ପରେ, ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ₹୯୪୨ ରେ ପହଞ୍ଚିଛି।
  • ପୂର୍ବରୁ ବାଣିଜ୍ୟିକ (Commercial) ଗ୍ୟାସ ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିଲା, ଯାହା ବ୍ୟବସାୟୀ ଏବଂ ରେଷ୍ଟୁରାଣ୍ଟ କ୍ଷେତ୍ର ସହିତ ଜଡ଼ିତ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।

ସୂଚନାଯୋଗ୍ୟ ଯେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ସମ୍ପ୍ରତି ଜୁନ୍ ୭ ତାରିଖ ରବିବାର ଦିନ ବୃଦ୍ଧି ପାଇଛି। ପ୍ରତି ସିଲିଣ୍ଡର ପିଛା ₹୨୯ ବୃଦ୍ଧି ପରେ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ଏବେ ₹୯୪୨। ପୂର୍ବରୁ, ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିଲା, ଯାହା ବ୍ୟବସାୟୀ ଏବଂ ଖାଦ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ସୃଷ୍ଟି କରିଥିଲା।

ଫାଇଲ ହଜିବା ଘଟଣା: ପୁଣି ସରକାରଙ୍କୁ ଟାର୍ଗେଟ କଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଫାଇଲ ହଜିବା ଘଟଣାରେ ପୁଣି ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ପ୍ରେସ ମିଟ କରି ବିଜେଡି କହିଛି, ଗତକାଲି ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ସାହୁ ପ୍ରଶ୍ନ କରିଥିଲେ ଯେ, ଫାଇଲ ହଜିଛି ନା ହଜାଇ ଦିଆଯାଇଛି ? ଏପରି ନାଟକ ବିଜେପିର ନୂଆ ନୁହେଁ । ଏମିତି ଡାହା ମିଛ ତଳରୁ ଶୀର୍ଷ ନେତୃତ୍ୱ କହିଥିଲେ ଯେ ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳେଇଲା । ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥ ସତ ପ୍ରକାଶ କରିବାରୁ ଲୋକେ ସତ ଜାଣିଲେ ।

ଏବେ ଆଉ ଏକ ମିଛ କହିବାକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଚେଷ୍ଟା କରିଛନ୍ତି । ଏବେ ସେ ଜାଣିଲେ ଯେ, ଆଉ ରତ୍ନଭଣ୍ଡାର ପ୍ରସଙ୍ଗ କାମ କରୁନି । ତେଣୁ ଫାଇଲ ହଜିବା ପ୍ରସଙ୍ଗକୁ ଆଣିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଯଦି ଫାଇଲ ହଜିଛି ତାହାଲେ ସେ ଦାୟୀ । CCTV ଦେଖି ତଦନ୍ତ କରନ୍ତୁ । ଯଦି CMO ନାକ ତଳୁ ଫାଇଲ ପଳେଇଲା ତେବେ ତାହେଲେ ଏହା ଏକ ହାସ୍ୟାସ୍ପଦ କଥା ।

ତେବେ ବିଜେଡି ଆହୁରି ମଧ୍ୟ କହିଛି ଯେ, ଆଇନଶୃଙ୍ଖଳା ବିଗିଡ଼ିଗଲାଣି । ରାଜ୍ୟ ସରକାର ଓ ବିଜେପିର ସବୁଠି ମୁଖା ଖୋଲିଛି । ତେଣୁ ଆଉ ମିଛ କୁହନି ଲୋକହସା ହିଁ ହେବ ବୋଲି ବିଜେଡି କହିଛି ।

ମଦ ନିଶାରେ ସୈତାନ ସାଜିଲା ପୁଅ: ବାପାକୁ ଶାବଳରେ ପିଟି ପିଟି ହତ୍ୟା

କେନ୍ଦୁଝର: କେନ୍ଦୁଝର ପାଟଣା ଥାନା ଦିଗିପଶି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୁଅର ଶାବଳ ମାଡରେ ବାପାର ମୃତ୍ୟୁ ହୋଇଛି। ମୃତକ ହେଲେ ଧୃବ ନାୟକ।
ସୂଚନା ଅନୁସାରେ, ମଦ ନିଶାରେ ପୁଅ ଉଦ୍ଧବ ନାଏକ ବାପ ସହ ଝଗଡା କରିଥିଲା। ପରେ ରାଗରେ ବଶବର୍ତ୍ତୀ ହୋଇ ଶାବଳରେ ବାପାକୁ ବାଡେଇ ଥିଲା। ଫଳରେ ଘଟଣାସ୍ଥଳରେ ବାପା ଧୃବ ନାୟକଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅ ଉଦ୍ଧବକୁ ଅଟକ ରଖି ପଚରା ଉଚରା କରୁଛି। ବର୍ତମାନ ଏହି ଘଟଣାକୁ ନେଇ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି।

ପ୍ରବଳ ଖରାରୁ ବଞ୍ଚିବା ପାଇଁ 🌡️ ନଜର ପକାନ୍ତୁ ଗ୍ରୀଷ୍ମକାଳୀନ ସ୍ମାର୍ଟ ଟିପ୍ସ ଉପରେ!

ନନ୍ଦିଘୋଷ ବ୍ୟୁରୋ:  ଦାଉ ସାଧୁଛି ଅସହ୍ୟ ତାତି  ।  ଦୈନିକ ତାପମାତ୍ରା ରେକର୍ଡ ଭାଙ୍ଗି ୪୨ ରୁ ୪୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚୁଛି। ଏଭଳି ପରିସ୍ଥିତିରେ ବିଶେଷ କରି ଯେଉଁମାନେ ସାରା ଦିନ ବାହାରେ ରହି କାମ କରନ୍ତି—ଯେପରିକି ଶ୍ରମିକ, ଡେଲିଭରି ବୟ, ଟ୍ରାଫିକ୍ ପୋଲିସ ଏବଂ ଚାଷୀ, ସେମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି।

ଅନେକ ସମୟରେ କାମ ବ୍ୟସ୍ତତା ଯୋଗୁଁ ଲୋକେ ଶରୀରର ଆବଶ୍ୟକତାକୁ ଅଣଦେଖା କରନ୍ତି, ଯାହାଦ୍ୱାରା ଡିହାଇଡ୍ରେସନ୍, ମୁଣ୍ଡ ବୁଲାଇବା, ପ୍ରବଳ ଥକ୍କାପଣ ଏବଂ ହିଟ୍ ଷ୍ଟ୍ରୋକ୍ (ଅଂଶୁଘାତ) ଭଳି ଜୀବନହନ୍ତା ସମସ୍ୟା ଦେଖାଦେଇଥାଏ। ତେଣୁ କାମ ସହିତ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ।

୧. ଶରୀରକୁ ହାଇଡ୍ରେଟେଡ୍ ଏବଂ ଥଣ୍ଡା ରଖିବାର ଉପାୟ

ଯଦି ଆପଣଙ୍କୁ ଦୀର୍ଘ ସମୟ ଧରି ଖରାରେ ରହିବାକୁ ପଡ଼ୁଛି, ତେବେ ଶରୀରରେ ଜଳୀୟ ଅଂଶ କମିବାକୁ ଦିଅନ୍ତୁ ନାହିଁ:

  • ନିୟମିତ ଜଳପାନ: ଘରୁ ବାହାରିବା ପୂର୍ବରୁ ପ୍ରଚୁର ପାଣି ପିଅନ୍ତୁ ଏବଂ ସାଙ୍ଗରେ ସବୁବେଳେ ପାଣି ବୋତଲ ରଖନ୍ତୁ। ଶୋଷ ଲାଗିବା ଯାଏଁ ଅପେକ୍ଷା ନକରି ବାରମ୍ବାର ପାଣି ପିଅନ୍ତୁ।

  • ଦେଶୀ ପାନୀୟର ବ୍ୟବହାର: କେବଳ ସାଧାରଣ ପାଣି ବଦଳରେ ଲେମ୍ବୁ ପାଣି, ନଡ଼ିଆ ପାଣି, ତୋରାଣି, ଦହି ସରବତ କିମ୍ବା ବେଲ ପଣା ପିଅନ୍ତୁ। ଏହା ଶରୀରକୁ ଭିତରୁ ଥଣ୍ଡା ରଖିବାରେ ସାହାଯ୍ୟ କରେ।

  • ପୋଷାକର ଚୟନ: ବାହାରେ କାମ କରିବା ସମୟରେ ସର୍ବଦା ହାଲୁକା ରଙ୍ଗର ଏବଂ ଢିଲା ସୂତା (Cotton) ପୋଷାକ ପିନ୍ଧନ୍ତୁ, ଯଦ୍ୱାରା ଶରୀରକୁ ପବନ ମିଳିଥାଏ ଏବଂ ଗରମ କମ୍ ଲାଗେ।

୨. ଖରାରୁ ଫେରିବା ପରେ କେବେବି ଏହି ଭୁଲ୍ କରନ୍ତୁ ନାହିଁ

ଅଧିକାଂଶ ଲୋକ ବାହାରୁ ପ୍ରଚଣ୍ଡ ଗରମରୁ ଆସି ତୁରନ୍ତ ଏହି ସବୁ ଭୁଲ୍ କରନ୍ତି, ଯାହା ଶରୀର ପାଇଁ ବିପଦପୂର୍ଣ୍ଣ:

  • ତୁରନ୍ତ ଫ୍ୟାନ୍ ବା ଏସି ସାମ୍ନାକୁ ଯାଆନ୍ତୁ ନାହିଁ: ଖରାରୁ ଆସିବା ପରେ କିଛି ମିନିଟ୍ ସାଧାରଣ ପରିବେଶରେ ବସି ବିଶ୍ରାମ ନିଅନ୍ତୁ ଏବଂ ଶରୀରର ତାପମାତ୍ରାକୁ ସ୍ୱାଭାବିକ ହେବାକୁ ଦିଅନ୍ତୁ।

  • ଥଣ୍ଡା ପାଣି ପିଅନ୍ତୁ ନାହିଁ: ବାହାରୁ ଆସି ତୁରନ୍ତ ଫ୍ରିଜ୍‌ର ଅତ୍ୟଧିକ ଥଣ୍ଡା ପାଣି ପିଅନ୍ତୁ ନାହିଁ। ଏହା ବଦଳରେ କୋଠରୀ ତାପମାତ୍ରାରେ ଥିବା ବା ମାଠିଆ ପାଣି ପିଅନ୍ତୁ।

  • ହାତ, ମୁହଁ ଧୋଇବା: ଶରୀର ସାଧାରଣ ତାପମାତ୍ରାକୁ ଆସିବା ପରେ ହିଁ ଥଣ୍ଡା ପାଣିରେ ମୁହଁ, ହାତ ଓ ପାଦ ଧୋଇ ହୁଅନ୍ତୁ କିମ୍ବା ଗାଧାନ୍ତୁ। ଏହା ଦ୍ୱାରା ଶରୀରକୁ ଆରାମ ମିଳିଥାଏ।

  • ତାଜା ଫଳ ଖାଆନ୍ତୁ: ଗ୍ରୀଷ୍ମ ଋତୁରେ ଅଧିକ ଜଳୀୟ ଅଂଶ ଥିବା ଫଳ ଯେପରିକି—ତରଭୁଜ, କାକୁଡ଼ି, ଖରଭୁଜା (Muskmelon) ଏବଂ କମଳା ଖାଆନ୍ତୁ। ଏହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ।

     

    ଏହି ଲକ୍ଷଣଗୁଡ଼ିକୁ ସାଧାରଣ ଭାବି ଅଣଦେଖା କରନ୍ତୁ ନାହିଁ

    ଡାକ୍ତରଙ୍କ ଅନୁଯାୟୀ, ଖରାରେ କାମ କରୁଥିବା ସମୟରେ ଯଦି ନିମ୍ନଲିଖିତ ସମସ୍ୟା ଦେଖାଦିଏ, ତେବେ ତାହା ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ:

    • ପ୍ରବଳ ମୁଣ୍ଡବିନ୍ଧା ଓ ମୁଣ୍ଡ ବୁଲାଇବା।
    • ଶରୀରରୁ ଅତ୍ୟଧିକ ଝାଳ ବାହାରିବା କିମ୍ବା ଝାଳ ବାହାରିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା।
    • ଅତ୍ୟଧିକ ଦୁର୍ବଳତା ଏବଂ ଦ୍ୱନ୍ଦ୍ୱ (Confusion) ଅନୁଭବ ହେବା
    • ତୁରନ୍ତ କଣ କରିବେ? ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ କାମ ବନ୍ଦ କରି କୌଣସି ଛାଇ ଥିବା ସ୍ଥାନକୁ ଚାଲିଯାଆନ୍ତୁ, ପାଣି ପିଅନ୍ତୁ ଏବଂ ଶରୀରକୁ ଓଦା କପଡ଼ାରେ ପୋଛି ଦିଅନ୍ତୁ। ଅବସ୍ଥା ଗୁରୁତର ହେଲେ ବିଳମ୍ବ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକିଏ ସାବଧାନତା ଆପଣଙ୍କୁ ବଡ଼ ବିପଦରୁ ରକ୍ଷା କରିପାରିବ।