spot_img
Home Blog Page 2930

ଅଳ୍ପକେ ବର୍ତ୍ତିଗଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ 

ସହାରନପୁର: ଅଳ୍ପକେ ବର୍ତ୍ତିଗଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ଉତ୍ତରପ୍ରଦେଶ ସହାରନପୁରରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି। ତାଙ୍କୁ ତୁରନ୍ତ ନିକଟରେ ଥିବା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚନ୍ଦ୍ରଶେଖରଙ୍କ ପେଟରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ସେ ଏବେ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି। ଚନ୍ଦ୍ରଶେଖର ଆଜାଦ ନିଜ ସହଯୋଗୀଙ୍କ ସହ କାରରେ ଯାଉଥିବା ବେଳେ ଦେଓବନ୍ଦ ନିକଟରେ ଆଉ ଏକ ଗାଡ଼ିରେ କିଛି ଲୋକ ଆସି ୪ ରାଉଣ୍ଡ ଗୁଳି ମାଡ଼ କରିଥିଲେ।

ସହାରନପୁର ପୋଲିସ ମାମଲାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଖୁବଶୀଘ୍ର ଧରାପଡ଼ିବେ ବୋଲି କହିଛନ୍ତି। ତେବେ ଦୁବୃର୍ତ୍ତ ମାନେ ହରିଆଣାର ନଂ ପ୍ଲେଟ୍ ଥିବା ଗାଡ଼ିରେ ଆସିଥିବା ନେଇ ସୂଚା ମିଳିଛି ।

ରଥଟଣା ବେଳେ ଅଘଟଣା: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୩ ମୃତ

କୋରାପୁଟ/କେନ୍ଦୁଝର: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ରଥଟଣା ବେଳେ କୋରାପୁଟ ଓ କେନ୍ଦୁଝରରେ ଅଘଟଣ । ଉଭୟ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି ।

ଖରବ ଅନୁସାରେ କୋରାପୁଟରେ ରଥ ଟଣା ଯାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଛି । କୋରାପୁଟ ସଦର କୋଲାବ ନଗରରେ ଘଟିଛି ଅଘଟଣ । ମୃତକ ହେଲେ ୨୮ ବର୍ଷୀୟ ବାବୁଲା ନାୟକ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ସେହିପରି କେନ୍ଦୁଝରରେ ରଥଟଣା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।

ଆଦିପୁରୁଷକୁ ନେଇ ହାଇକୋର୍ଟଙ୍କ ଟିପ୍ପଣୀ, ଫିଲ୍ମକୁ ପାସ୍ କରିବା ବିରାଟ ଭୁଲ୍

ଲକ୍ଷ୍ନୌ: ଫିଲ୍ମ ଆଦିପୁରୁଷକୁ କଡ଼ା ସମାଲୋଚନା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଫିଲ୍ମକୁ ବ୍ୟାନ କରିବା ପାଇଁ ଦାଏର ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଏଭଳି ଏକ ଫିଲ୍ମକୁ ପାସ୍ କରିବା ଗୋଟିଏ ବଡ଼ ଭୁଲ। କୋରାନ ଉପରେ ଗୋଟିଏ ଛୋଟିଆ ଡକ୍ୟୁମେଣ୍ଟ୍ରି ତିଆରି କରନ୍ତୁ ତାପରେ ଦେଖନ୍ତୁ କଣ ହେବ।

କ୍ରମାଗତ ଭାବେ ୩ ଦିନ ଧରି ଚାଲିଥିବା ଶୁଣାଣି କାଳରେ ହାଇକୋର୍ଟ ଏଭଳି କଟୁ ଟିପ୍ପଣୀ କରିଛନ୍ତି। ସୂଚନାଯୋଗ୍ୟ ଯେ, ଆଗରୁ ହାଇକୋର୍ଟ ଏହି ମାମଲାରେ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତସିର(ଶୁକ୍ଲା)ଙ୍କୁ ଗୋଟିଏ ପକ୍ଷ କରିବାକୁ ମଧ୍ୟ ଆଦେଶ ଦେଇ ସାରିଛନ୍ତି। ବୁଧବାର ଦିନ ମାମଲାର ଶୁଣାଣି କାଳରେ ହାଇକୋର୍ଟ ବେଞ୍ଚ କହିଥିଲେ ଯେ, ଯେଉଁ ରାମାୟଣର ଚରିତ୍ର ମାନଙ୍କୁ ପୂଜା କରାଯାଏ ସେମାନଙ୍କୁ ଥଟ୍ଟା ଉଡାଯାଇ ଫିଲ୍ମରେ ଦେଖାଯାଇଛି। ଏଭଳି ଫିଲ୍ମକୁ କେମିତି ସେନ୍ସର ବୋର୍ଡ୍ ପାସ୍ କରିପାରିଲା। ଫିଲ୍ମକୁ ସାର୍ଟିଫିକେଟ୍ ମିଳିବା ଏକ ବିରାଟ ଭୁଲ। ଫିଲ୍ମର ପ୍ରଡ୍ୟୁସରମାନଙ୍କ ଲକ୍ଷ୍ୟ କେବଳ ଆୟ କରିବା କାରଣ ଫିଲ୍ମ ହିଟ୍ ହୁଏ।

ଯଦି ଆପଣ କୋରାନା ଉପରେ ଏହିଭଳି ଗୋଟିଏ ଛୋଟିଆ ଡକ୍ୟୁମେଣ୍ଟ୍ରି ମଧ୍ୟ ବନାଇ ଦେବେ, ଯେଉଁଥିରେ ଭୁଲ ଜିନିଷ ଦର୍ଶାଯାଇଥିବ ତେବେ ଆପଣ ଜାଣିଯିବେ ଆପଣଙ୍କ ସହିତ କଣ ହେବ। ଆପଣଙ୍କୁ କୋରାନ,ବାଇବେଲକୁ ମଧ୍ୟ ଛୁଇଁବା କଥା ନୁହେଁ।ମୁଁ ଏଠାରେ ସ୍ପଷ୍ଟ କରିବାକୁ ଚାହେଁ ଯେ, କୌଣସି ଧର୍ମକୁ ଛୁଆଁ ନଯାଉ।

ଏହା ସହିତ ହାଇକୋର୍ଟ ଭାରତ ସରକାରଙ୍କ ଡେପୁଟି ସଲିସେଟର ଜେନରାଲଙ୍କୁ ପଚାରିଥିଲେ ଯେ,ଫିଲ୍ମକୁ ଯେଉଁ ସାର୍ଟିଫିକେଟ୍ ଜାରି କରାଯାଇଛି ତାକୁ କଣ ରଦ୍ଦ କରାଯାଇ ପାରିବ ନାହିଁ।ମାମଲାର ଶୁଣାଣି କାଳରେ ଅମିର ଖାନଙ୍କ ପିକେ ଫିଲ୍ମର ନାମ ନନେଇ ବିଚାରପତି କହିଥିଲେ ଯେ, ମୁଁ ଏଭଳି ଗୋଟିଏ ଫିଲ୍ମ ଦେଖିଛି ଯେଉଁଥିରେ ଭଗବାନ ଶିବଙ୍କ ତ୍ରିଶୂଳ ନେଇ ଦୌଡ଼ୁଛନ୍ତି। ଏବେ କଣ ଏସବୁ ଦେଖିବାକୁ ପଡ଼ିବ ବୋଲି ବିଚାରପତି ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ମାମଲାର ଶୁଣାଣି କାଳରେ ବେଞ୍ଚ ସିନେମା ହଲରେ ଆଦିପୁରୁଷ ବନ୍ଦ କରିବା ପାଇଁ  କିଛି ଲୋକ ଦାବି କରୁଥିବା ଭିଡିଓ ଉପରେ ମଧ୍ୟ ଟିପ୍ପଣୀ କରିଥିଲେ। ବେଞ୍ଚ କହିଥିଲେ ଯେ, ହିନ୍ଦୁଙ୍କ ସହନଶୀଳତାର ପରୀକ୍ଷା କାହିଁକି ନିଆଯାଉଛି। ବେଳା ଭଲ ସେମାନେ(ହିନ୍ଦୁ) ଆଇନକୁ ହାତକୁ ନେଇ ନାହାନ୍ତି। ଆବେଦନକାରୀଙ୍କୁ ଚାପି ଦେବା ଠିକ ହେବ ନାହିଁ। ଏହା ଭଲ ଯେ, ଫିଲ୍ମ ଏଭଳି ଗୋଟିଏ ଧର୍ମ ବାବଦରେ ଯାହାକୁ ମାନୁଥିବା ଲୋକ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିନାହାନ୍ତି। ଆମେ ନ୍ୟୁଜରେ ଦେଖିଛୁ ଯେ, କିଛି ଲୋକ ଗୋଟିଏ ସିନେମା ହଲରେ ପସି ଫିଲ୍ମ ବନ୍ଦ କରିବାକୁ ଦାବି କରୁଛନ୍ତି। ସେମାନେ ଆହୁରି ଅଧିକ କିଛି କରିପାରିଥାନ୍ତି। ଆବେଦନକାରୀ କେବଳ ପବ୍ଲିସିଟି ପାଇଁ ମାମଲା ଦାଏର କରିଛନ୍ତି ବୋଲି ପ୍ରତିପକ୍ଷ ଓକିଲଙ୍କ ଦାବିକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିଲେ। କୋର୍ଟ କହିଥିଲେ ଯେ, ମାମଲାରେ ଦମ ଅଛି। ସେ ପବ୍ଲିସିଟି ପାଇଁ ଜନହିତ ମାମଲା ଦାଏର କରି ନାହାନ୍ତି।

ବଡ଼ଦାଣ୍ଡରେ ଗଡ଼ିଲା ମହାପ୍ରଭୁଙ୍କ ନନ୍ଦିଘୋଷ

ପୁରୀ: ଗୁଣ୍ଡିଚା ଯାତ୍ରାର ଅନ୍ତିମ ପର୍ବ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ୁଛନ୍ତି ତିନି ଠାକୁର । ପ୍ରଥମେ ବଡ଼ ଠାକୁର ବଳଭଦ୍ର ପରେ ଦେବୀ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହୋଇଥିଲା । ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡରେ ତିନି ଠାକୁରଙ୍କ ତିନି ରଥ ଗଡ଼ି ଚାଲିଛି ।

ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛେରାପହଁରା ପରେ ଆରମ୍ଭ ହୋଇଥିଲା ରଥଟଣା । ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ଶରଧାବାଲିରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ପ୍ରଥମେ ଶରଧାବାଲିରେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ତିନିଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି ।

ଆମେରିକା ସହ ଡ୍ରୋନ୍ ଡିଲରେ ଭ୍ରଷ୍ଟାଚାରର ଗନ୍ଧ: କଂଗ୍ରେସର ପ୍ରଶ୍ନ ୪ ଗୁଣା ଅଧିକ ଦାମରେ କିଣିବା କାହା ସ୍ବାର୍ଥରେ ?

ନୂଆଦିଲ୍ଲୀ: ରାଫେଲ ପରେ ପ୍ରତିରକ୍ଷା ଡିଲକୁ ନେଇ ଉଠିଲା ପ୍ରଶ୍ନ । ଆମେରିକା ସହ ପ୍ରିଡେଟର ଡ୍ରୋନ ଡିଲକୁ ନେଇ ଭାରତ ସରକାରଙ୍କୁ ଘେରିଛି କଂଗ୍ରେସ । ଅନ୍ୟ ଦେଶ ୪ ଗୁଣା କମ୍ ଦାମରେ ସମାନ କମ୍ପାନୀର ଡ୍ରୋନ କିଣୁଥିବା ବେଳେ ଡ୍ରୋନ ପିଛା ୧୧୦ ମିଲିୟନ ଡଲାର ବା ୮୮୦ କୋଟି ଟଙ୍କାରେ କିଣିବାକୁ ଚୁକ୍ତି କରିଛନ୍ତି କେନ୍ଦ୍ର ସରକାର । ୩୧ଟି ଡ୍ରୋନ କ୍ରୟ ପାଇଁ ୨୫ ହଜାର କୋଟି ଟଙ୍କାର ଡିଲ ହୋଇଛି । ବ୍ରିଟେନ, ସ୍ପେନ, ତାଇଓ୍ବାନ, ଇଟାଲୀ ଆଦି ରାଷ୍ଟ୍ର ୪ ଗୁଣା କମ୍ ଦାମରେ ଆମେରିକା ସହ ଏହି ଡିଲ କରିଛନ୍ତି । ଆଉଟ ଡେଟେଡ୍‌ ହୋଇସାରିଥିବା ଏହି ଡ୍ରୋନ କିଣିବାକୁ ସରକାର କାହିଁକି ହଜାର ହଜାର କୋଟିର ଡିଲ କରିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଏହାଛଡ଼ା ମେକ ଇନ ଇଣ୍ଡିଆରେ ରୁସ୍ତମ ଏବଂ ଘାତକ ଡ୍ରୋନ ପାଇଁ DRDOକୁ ୧୭୮୬ କୋଟି ଟଙ୍କା ଦେଇଛନ୍ତି କେନ୍ଦ୍ର ସରକାର । ଡିଆରଡିଓକୁ ସରକାର ଅତ୍ୟାଧୁନିକ ଡ୍ରୋନ ନିର୍ମାଣ ପାଇଁ ଟଙ୍କା ଦେଉଥିବା ବେଳେ ଆମେରିକା ସହ ଡ୍ରୋନ ଡିଲ କାହିଁକି କରାଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ପ୍ରିଡେଟର ଡ୍ରୋନ ଆଉଟ ଡେଟେଡ୍‌ ଟେକ୍ନୋଲୋଜୀରେ ନିର୍ମିତ ଓ ଏଥିରେ ଟେକ୍ନୋଲୋଜୀ ଅପଗ୍ରେଡିଂ ସୁବିଧା ମଧ୍ୟ ନାହିଁ । ଏହାସତ୍ତ୍ବେ ଏତେ ଟଙ୍କା ଦେଇ ଡ୍ରୋନ କିଣାଯିବା ପଛରେ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ଡ୍ରୋନ କମ୍ପାନୀ ସିଇଓଙ୍କ ସହ କେନ୍ଦ୍ରର ଭିତିରି ସମ୍ପର୍କ ନେଇ ବି ସରକାରଙ୍କୁ ଘେରିଛି କଂଗ୍ରେସ ।

ଆମେରିକାଠାରୁ ୩୧ଟି ଆସ୍ତ୍ରଶସ୍ତ୍ର ଯୁକ୍ତ ମାନବ ବିହୀନ MQ-9B ରିପର ଡ୍ରୋନ ବା ପ୍ରିଡେଟର-ବି ଡ୍ରୋନ କିଣିବାକୁ ଭାରତ ସରକାର ଆଲୋଚନା କରିଛନ୍ତି । ଆସନ୍ତା ଜୁଲାଇରୁ ଏହାର ଔପଚାରିକ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା

ଏକାମ୍ର ପ୍ରକଳ୍ପକୁ ନେଇ ବିଜେପି ନିମ୍ନସ୍ତରର ରାଜନୀତି କରୁଛି: ବିଜେଡି

ଭୁବନେଶ୍ବର: ଏକାମ୍ର ପ୍ରକଳ୍ପକୁ ନେଇ ବିଜେପି ନେତା ସମୀର ମହାନ୍ତିଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା । ବିଜେପି ନେତାଙ୍କ ବାଚଳାମୀ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ବୋଲି କହି ଟାର୍ଗେଟ କଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ସତ୍ତ୍ବେ ବିଜେପି ନେତା ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବକୁ ନଆସି ହୀନ ମନ୍ତବ୍ୟ ଦେଇ ନକରାତ୍ମକ ରାଜନୀତି କରୁଥିବା ଦଳ ପକ୍ଷରୁ କୁହାଯାଇଛି । ପ୍ରକଳ୍ପ ପରିକଳ୍ପନା ପରଠୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଥିବା ଅଭିଯାେଗ ଆଣି ଦଳ ନନ୍ଦା କରିଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ରାଜ୍ୟ ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ଏକାମ୍ର କ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏପରି ପରିକଳ୍ପନାକୁ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ରୀତିମତ ବିରୋଧ କରି ଚାଲିଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ବାସ୍ତବ ରୂପ ନେଇଥିବାରୁ ରାଜ୍ୟବାସୀ ଆଜି ତାଙ୍କ ପ୍ରଶଂସାରେ ଶତମୁଖ ।’

କେନ୍ଦ୍ରମନ୍ତ୍ରୀ ଏବଂ ଅପରାଜିତାଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘ପ୍ରକଳ୍ପ ପରିକଳ୍ପନାଠାରୁ କେନ୍ଦ୍ରମନ୍ତ୍ରୀ ଏବଂ ଅପରାଜିତା ବିରୋଧ କରି ଆସୁଥିଲେ । ପ୍ରକଳ୍ପ କେମିତି ବନ୍ଦ ହୋଇଯିବ ସେ ନେଇ ଚେଷ୍ଟାରେ ଥିଲେ । ଏମାନେ କାହା ନିର୍ଦ୍ଦେଶରେ ପ୍ରଭୁ ଲିଙ୍ଗରାଜଙ୍କ ବିକାଶ କାମକୁ ବିରୋଧ କରୁଥିଲେ, ତାହା ତାଙ୍କୁ ଜଣାଥିବ ।’

ଶହ ଶହ ବର୍ଷ ହେଲା ଲୋକେ ଯାହାକୁ ଅପେକ୍ଷା କରିଥିଳେ, ଆଜି ତାହା ହୋଇ ପାରିଛି । ଏହାକୁ କିଛି ଲୋକ ହଜମ କରିପାରୁନାହାନ୍ତି ।

ସୂଚନାଯୋଗ୍ୟ, ଏକାମ୍ର ପ୍ରକଳ୍ପ ଭୂମିପୂଜନ ଏବଂ ଶିଳାନ୍ୟାସ ଉତ୍ସବରେ ସାମିଲ ହେବାକୁ ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ । ଏକାମ୍ର କ୍ଷେତ୍ରରେ ଆଧ୍ୟାତ୍ମକ ପରିବେଶ ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ବିଜେପି ନେତା ଏଠାରୁ ନିଜକୁ ଦୂରେଇ ରଖିଥିଲେ । ପ୍ରକଳ୍ପ ସ୍ଥଳକୁ ଆସିବା ଛାଡ଼ନ୍ତୁ, ବିଜେପି ନେତା ସମୀର ମହାନ୍ତି ଯେମିତି ନିମ୍ନସ୍ତରର ମନ୍ତବ୍ୟ ଦେଳେ ତାହା ଗ୍ରହଣୀୟ ନୁହେଁ । ଏକାମ୍ର କ୍ଷେତ୍ରର ପରିବର୍ତ୍ତନ ବିଜେପି ନେତାଙ୍କ ହଜମ ହେଉନି ।’

ସେ କହିଛନ୍ତି, ‘ଗୋଟିଏ ପରେ ଗୋଟିଏ ଦେବପୀଠର ଉନ୍ନତିକରଣ ହେବାରେ ଲାଗିଛି । ଏହାକୁ ଦେଖି ସମୀର ବାବୁ ଡରି ଯାଇଛନ୍ତି । ତାଙ୍କର ଡର, ଭଲ କାମ ହେଲେ ତାଙ୍କୁ କେହି ପଚାରିବେନି । ସେଥିପାଇଁ ଏମିତି ନିମ୍ନସ୍ତରର ମନ୍ତବ୍ୟ ଦେଉଛନ୍ତି । ହେଲେ ଏମିତି ନକରାତ୍ମକ ରାଜନୀତି କେତେଦିନ କରିବ । ନିଜ ଫାଇଦା ପାଇଁ ଆପଣଙ୍କ ଏମିତି ବାଚଳାମୀକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ।’

ମହାପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ଲିଙ୍ଗରାଜ ସମୀର ମହାନ୍ତିଙ୍କୁ ସଦବୁଦ୍ଧି ଦିଅନ୍ତୁ, ସେ ନକରାତ୍ମକ ରାଜନୀତି ଛାଡ଼ନ୍ତୁ ବୋଲି ଲେନିନ କହିଛନ୍ତି ।

ଅନ୍ୟତମ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି କହିଛନ୍ତି, ‘ରାଜ୍ୟ ବିଜେପି ନେତାମାନେ ଏକାମ୍ର ପ୍ରକଳ୍ପକୁ ବିରୋଧ କରିବା ରାଜ୍ୟବାସୀଙ୍କୁ ଗ୍ରହଣୀୟ ନୁହେଁ । ରାଜ୍ୟବାସୀ କ୍ଷମା ଦେବେନି । ବିଜେପି ନକରାତ୍ମକ ରାଜନୀତି ଛାଡ଼ ସକରାତ୍ମକ ରାଜନୀତି କରୁ ।’

ଲଗାଣ ବର୍ଷାରୁ ମିଳିବ ଆଶ୍ବସ୍ତି, ଆଜିଠୁ ରାଜ୍ୟରେ ବଦଳିପାରେ ପାଗ

ଭୁବନେଶ୍ୱର: ଲଗାଣ ବର୍ଷାରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ଆଜିଠୁ ରାଜ୍ୟରେ ବଦଳିପାରେ ପାଗ । ବର୍ଷା ପରିବର୍ତ୍ତେ ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସକ୍ରିୟ ଲଘୁଚାପ କ୍ଷେତ୍ର ଏବଂ ନିମ୍ନ ଚାପରେଖା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଥିଲା । ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ଆଜି ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର,ମୟୂରଭଞ୍ଜ ଓ ବାଲେଶ୍ବରରେ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଏହି ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜଧାନୀ ଭୁବନେଶ୍ବର ସହିତ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିପାରେ । ଦିନର ସର୍ବାଧିକ ତାପମାତ୍ରା ୩୦ ଓ ସର୍ବନିମ୍ନ ୨୬ ଡିଗ୍ରୀ ତାପମାତ୍ରା ରହିବ । କାଲିଠୁ ବିଶେଷ ବର୍ଷା ନଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର ।

କେନ୍ଦୁଝର ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତଙ୍କ ସମ୍ପର୍କୀୟଙ୍କ ପାଇଁ ଘୋଷଣା କଲେ ସହାୟତା ରାଶି

ଭୁବନେଶ୍ୱର: ଗତ ରାତିରେ କେଉଁଝର ଜିଲ୍ଲା ଷଠୀଘରଠାରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ପାଞ୍ଚ ଜଣ ଲୋକ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ  ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଆରମ୍ଭ ହେଲା ରଥଟଣା, ଶରଧାବାଲିରେ ଗଡ଼ିଲା ତାଳଧ୍ୱଜ ରଥ

ପୁରୀ: ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛେରାପହଁରା ପରେ ଆରମ୍ଭ ହୋଇଛି ରଥଟଣା । ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ଶରଧାବାଲିରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ପ୍ରଥମେ ଶରଧାବାଲିରେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହେବ । ତିନିଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି ।

ବାହୁଡ଼ା ଯାତ୍ରା: ସରିଲା ଛେରାପହଁରା ନୀତି, ଆଉ କିଛି ସମୟ ଆରମ୍ଭ ହେବ ରଥଟଣା

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ପହଣ୍ଡି ପରେ ତିନିରଥରେ ରଥାରୂଢ଼ ତିନିଠାକୁର । ପହଣ୍ଡି ସରିବା ପରେ ଚାଲିଛି ନୀତିକାନ୍ତି । ପହଣ୍ଡି ପରେ ତିନିରଥରେ ଛେରାପହଁରା କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗଜପତି ମହାରାଜା ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ । ଏହା ପରେ ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜା । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡ଼ୁରେ ଗଜପତି ଛେରାପହଁରା କରିଥିଲେ । ଏହାପରେ ତିନିରଥରୁ ଚାରମାଳ ଖୋଲାଯାଇ ରଥଟଣା ଆରମ୍ଭ ହେବ ।