ନୈରୋବି: କେନିଆରେ ବଡ଼ ଦୁର୍ଘଟଣା । ଭାରସାମ୍ୟ ହରାଇ ବଜାରରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ପ୍ରାୟ ୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏହି ଦୁର୍ଘଟଣାରେ କାର୍, ମୋଟର ବାଇକ୍ ଓ ମିନିବସ୍ ଓ ଟ୍ରକ୍ ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଶୁକ୍ରବାର ସନ୍ଧ୍ୟାରେ ଶିପିଂ କଣ୍ଟେନର ନେଇଯାଉଥିବା ଏକ ବସ୍ ଓଲଟିପଡ଼ି ଏକାଧିକ ଗାଡ଼ିରେ ଧକ୍କା ହେବାରୁ ଏଭଳି ଦୁର୍ଘଟଣା ଘଟିଛି।
ଅଶାନ୍ତ ହେବାରେ ଲାଗିଛି ଫ୍ରାନ୍ସ , ପୋଲିସ ଗୁଳିରେ ୧୭ ବର୍ଷୀୟ ନାବାଳକର ମୃତ୍ୟୁ ପରେ ୪ ଦିନ ହେଲା ଚାଲିଛି ହିଂସା
ପ୍ୟାରିସ: ଅଶାନ୍ତ ହେବାରେ ଲାଗିଛି ଫ୍ରାନ୍ସ । ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟ ନାବାଳକର ମୃତ୍ୟୁ ପରେ ୪ ଦିନ ହେଲା ଫ୍ରାନ୍ସରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଆନ୍ଦୋଳନକାରୀ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି। ବିଭିନ୍ନ ସ୍ଥାନରେ ପୋଲିସ ଏବଂ ଦଙ୍ଗାକାରୀ ମୁହାଁମୁହିଁ ହୋଇଛନ୍ତି । ୮ ଶହରୁ ଅଧିକ ଲୋକ ଗିରଫ ହେଲେଣି। ବଜାରରୁ ଲୁଟ୍ ହେଉଛି ଏବଂ ହଜାର ହଜାର ଗାଡ଼ି ଜାଳି ଦିଆଯାଇଛି । ବିଭିନ୍ନ ସହରରେ କର୍ଫ୍ୟୁ ଜାରି ହୋଇଛି। ସୁରକ୍ଷା ପାଇଁ ୪୫ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । ଆଜି ଏକ ଜରୁରୀ ବୈଠକରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସୂଚନା ଦେଇଛନ୍ତି ଯେ, ଦଙ୍ଗାକାରୀମାନେ ୪୯୨ ସରକାରୀ କୋଠା ନଷ୍ଟ କରିଛନ୍ତି ।
୩ ହଜାର ୮୮୦ ସ୍ଥାନରେ ପୋଡ଼ାଜଳା ହୋଇଛି। ସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ଦେଶରେ ଜରୁରୀ ସ୍ଥିତି ଜାରି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ୧୭ ବର୍ଷୀୟ ନାବାଳକ ନାହେଲ ଏମଙ୍କୁ ଗୋଟିଏ ଟ୍ରାଫିକ ପୋଷ୍ଟ ନିକଟରେ ଜଣେ ପୋଲିସ୍ ଅଧିକାରୀ ଗୁଳି କରି ହତ୍ୟା କରିଥିଲେ। ନାହେଲ ଟ୍ରାଫିକ ପୋଷ୍ଟରେ ଦ୍ରୁତଗତିରେ ଗାଡ଼ି ଚଳାଇ ଯାଉଥିଲେ। କିଛି ବାଟ ଯିବା ପରେ ପୋଲିସ୍ ଅଧିକାରୀ ଜଣଙ୍କ ତାଙ୍କୁ ଅଟକାଇ ଜିରୋ ରେଞ୍ଜରୁ ଗୁଳି କରିଥିଲେ । ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ହିଂସା ଥମିବାର ନାଁ ଧରୁନି।
ଜଣାପଡ଼ିଲା ବାହାନଗା ରେଳ ଦୁର୍ଘଟଣାର କାରଣ
ବାଲେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ବଡ଼ ଖୁଲାସା । ରେଲଓ୍ବେ ସେଫ୍ଟି କମିଶନଙ୍କ ରିପୋର୍ଟରୁ ମିଳିଛି ସାଂଘାତିକ ତଥ୍ୟ । ରିଲେ ରୁମ୍ ଷ୍ଟାଫଙ୍କ ତ୍ରୁଟି ଦୁର୍ଘଟଣାର ବଡ଼ କାରଣ ବୋଲି ରିପୋର୍ଟରୁ ଜଣାପଡିଛି । ସିଗନାଲ ଓ ଟେଲି କମ୍ୟୁନିକେସନ ବିଭାଗର ତ୍ରୁଟି ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଥିବାରୁ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ । କେବଳ ଟେକନିକାଲ ତ୍ରୁଟି ନେଇ ସେଫ୍ଟି କମିଶନର ରିପୋର୍ଟ ଦେଇଥିବା ସୂଚନା ମିଳିଛି । ଦୁର୍ଘଟଣା ପଛରେ ଯଦି କୌଣସି ଷଡ଼ଯନ୍ତ୍ର ହୋଇଥାଏ, ସିବିଆଇ ତଦନ୍ତରୁ ଏହା ସ୍ପଷ୍ଟ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଅନ୍ୟପଟେ ବାହାନଗା ଟ୍ରେନ୍ ଦୁର୍ଘଟଣାର ମାସକ ପରେ ବଦଳିଛନ୍ତି ଦକ୍ଷିଣ ପୂର୍ବ ରେଲଓ୍ବେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦିଆଯାଇଛି । ଅନୀଲ କୁମାର ମିଶ୍ରଙ୍କୁ ନୂଆ ନିଯୁକ୍ତି ଦେଇଛି କ୍ୟାବିନେଟ କମିଟି ।
ଅର୍ଚ୍ଚନା ଯୋଶୀଙ୍କୁ କର୍ଣ୍ଣାଟକର ୟେଲହଙ୍କାରେ ରେଲୱେ ଭେହିକିଲ ଫ୍ୟାକ୍ଟ୍ରିରେ ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ଦିଆଯାଇଛି । ଦକ୍ଷିଣ ପୂର୍ବ ରେଳପଥ ଜେନେରାଲ ମ୍ୟାନେଜର ହେବା ପୂର୍ବରୁ ଅର୍ଚ୍ଚନା ପର୍ଯ୍ୟଟନ, ରେଳ ମନ୍ତ୍ରାଳୟ, ରେଲୱେ ବୋର୍ଡର ସଦସ୍ୟ ଭାବେ କାମ କରିଛନ୍ତି । ଗତ ଜୁନ୍ ୨ ତାରିଖରେ ବାହାନଗାରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏଥିରେ ୨୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ ।
ଖୁବଶୀଘ୍ର ଆସିବ ବିଶ୍ବର ପ୍ରଥମ ଉଡନ୍ତା କାର୍, ଜାଣନ୍ତୁ କେତେ ରହିଛି ଦାମ୍?
ଓ୍ବାସିଂଟନ: ଖୁବଶୀଘ୍ର ଆସିବ ଉଡନ୍ତା କାର୍ । ଆକାଶରେ ଉଡିବା ସହ ରାସ୍ତାରେ ମଧ୍ୟ ଚାଲିବ ବିଶ୍ବର ଏହି ପ୍ରଥମ ଉଡନ୍ତା କାର୍ । ଆମେରିକା ସରକାର ଏହି ଆଲେଫ ମଡେଲ ଏ କାରକୁ ମଞ୍ଜୁରି ଦେଇଛନ୍ତି । କାର୍ଲିଫର୍ଣ୍ଣିଆର ଆଲେଫ ଏରୋନେଟିକ୍ସ କମ୍ପାନୀ ଏହି କାରକୁ ନର୍ମାଣ କରିଛି ।
କାର୍ ଉଡାଣ ପାଇଁ ଅନୁମତି ଦେଇଛନ୍ତି ଆମେରିକା ସରକାର । ୟୁଏସ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ ଉଡାଣ ପାଇଁ ସାର୍ଟିଫିକେଟ ଦେଇଛି । ଏହି କାରକୁ ଥରେ ଚାର୍ଜ କଲେ ୩୭୭ କିଲୋମିଟର ଚାଲିବା ସହ ୧୭୭ କିମି ଆକାଶରେ ଉଡିବ । ଏହି ଉଡନ୍ତା କାରରେ ୨ ଜଣ ବସିପାରିବେ। କାରର୍ ମୂଲ୍ୟ ରହିଛି ୨. ୪୬ କୋଟି । ଗାଡିକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
୨୦ରୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ । ୨୩ ଦିନ ଧରି ଗୃହ ଚାଲିବ । ନୂଆ ସଂସଦ ଭବନରେ ବସିବ ମୌସୁମୀ ଅଧିବେଶନ । ମେ ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟିତ ହୋଇଥିଲା ।
ମୌସୁମୀ ଅଧିବେଶନ ନେଇ କେନ୍ଦ୍ର ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଏଥର ବି ସରଗରମ ରହିବ ସଂସଦ । ବିରୋଧୀ ଆମ ଆଦମୀ ପାର୍ଟି ଜୋରଦାର ବିରୋଧ କରିପାରେ । ଅନ୍ୟ ବିପକ୍ଷ ଦଳ ମଧ୍ୟ ଆମ ଆଦମୀ ପାର୍ଟିକୁ ସହଯୋଗ କରିପାରନ୍ତି ।
ଏଥର ସଂସଦରେ ୟୁସିସି ବିଲ୍ ଉପସ୍ଥାପନ ହୋଇପାରେ । ଅନ୍ୟାନ୍ୟ ବିଲ୍ ହୋଇପାରେ ପାରିତ । ୟୁସିସି ବା ସମାନ ନାଗରିକ ସଂହିତା ବିଲ୍ ଉପରେ ହଙ୍ଗାମା ହେବାର ସମ୍ଭାବନା ଅଛି । ସମାନ ନାଗରିକ ସଂହିତା ବିଲ୍ ନେଇ ଆସନ୍ତା ୩ ତାରିଖରେ ରାୟ ଜାଣିବାକୁ ସଂସଦୀୟ ସ୍ଥାୟୀ ସମିତି ବୈଠକ ଡାକିଛି ।
ବିଜେଡି ନେତା ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ରାମକୃଷ୍ଣ ମିଶ୍ର ଗିରଫ
ଗଂଜାମ: ଗଂଜାମ ଜିଲ୍ଲା ଦିଗପହଣ୍ଡିର ବିଜେଡି ନେତା ଲଳିତମୋହନ ମହାପାତ୍ର ହତ୍ୟା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ରାମକୃଷ୍ଣ ମିଶ୍ର । ସେ ହରିଦ୍ବାର ଖସି ପଳାଇ ଯାଉଥିବା ବେଳେ ତାଙ୍କୁ ବ୍ରଜରାଜନଗର ରେଳଷ୍ଟେସନରୁ ଗିରଫ କରିଛି ପୋଲିସ ।
ଗତ ମାସ ୨୦ ତାରିଖ ସଂଧ୍ୟାରେ ଲଳିତମୋହନ ଓ ରାମକୃଷ୍ଣଙ୍କ ଭିତରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ନିଜ ବୁଲେଟରେ ଲଳିତମୋହନ ଖମାରୀଗାଁ ଫେରୁଥିବା ବେଳେ, ଖୁବ୍ ଜୋରରେ କାରରେ ଆସି ରାମକୃଷ୍ଣ ଲିଳିତଙ୍କ ବୁଲେଟକୁ ଧକ୍କା ଦେଇଥିଲେ । ଫଳରେ ଲଳିତମୋହନ ରାସ୍ତାକଡ଼ରେ ଥିବା ଏକ ନଡ଼ିଆ ଗଛରେ ପିଟି ହେବା ସହ ଗୁରୁତର ହୋଇ ପଡିଥିଲେ ।
ହସପିଟାଲରେ ପହଞ୍ଚିବା ପରେ ଲଳିତମୋହନଙ୍କୁ ମୃତ ଘୋଷଣା କରାଯାଇଥିଲା । ଦୁର୍ଘଟଣା ଘଟାଇ ସେଦିନ ଠାରୁ ଅଭିଯୁକ୍ତ ରାମକୃଷ୍ଣ ଫେରାର ହୋଇଯାଇଥିଲେ । ଗଲା ୨୬ ତାରିଖ ଦିନ ବ୍ରହ୍ମପୁର ଷ୍ଟେସନ ନିକଟରେ କାର ଛାଡ଼ି ସେ ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ସେଦିନ ଠାରୁ ତାଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରଖିଥିଲା ପୋଲିସ୍ । ଦିଗପହଣ୍ଡି ବ୍ଲକ ଖମାରିର ପୂର୍ବତନ ସରପଞ୍ଚ ଲଳିତ ମୋହନ ମହାପାତ୍ର ହତ୍ୟା ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ଓ ହତ୍ୟାକାଣ୍ଡ ସମସ୍ତ ତଥ୍ଯ ପ୍ରଦାନ ଦାବିରେ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟଳୟ ସମ୍ମୁଖରେ ଦିଗପହଣ୍ଡି ବ୍ଲକ ବିଜେଡ଼ିର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ।
ଝାରସୁଗୁଡ଼ାରୁ ବଢ଼ିବ ବିମାନ ସେବା, ଆଉ ୨ ସ୍ଥାନକୁ ଉଡିବ ବିମାନ
ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ବଢ଼ିବ ବିମାନ ସେବା । ଆସନ୍ତା ୧୦ ତାରିଖରୁ ଝାରସୁଗୁଡ଼ାରୁ କୋଲକାତା ଏବଂ ବିଶାଖାପାଟଣାକୁ ବିମାନ ସେବା ଆରମ୍ଭ କରିବ ସ୍ପାଇସ୍ ଜେଟ୍ । ସେହିପରି ସପ୍ତାହରେ ଚାରିଦିନ ଝାରସୁଗୁଡାରୁ ବେଙ୍ଗାଳୁରୁ ଏବଂ ଚେନ୍ନାଇକୁ ବିମାନସେବା ଯୋଗାଇବ ସ୍ପାଇସ୍ ଜେଟ୍ ।
ଏନେଇ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚାରିଟି ସ୍ଥାନକୁ ବିମାନସେବା ଯୋଗାଇବାକୁ ସ୍ପାଇସ୍ ଜେଟ ପ୍ରସ୍ତାବ ଦେଇଥିଲା । ଯାହାକୁ ଗ୍ରହଣ କରିଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷ । ୪ଟି ସହରକୁ ବିମାନ ସେବା ଆରମ୍ଭ ହେଉଥିବାରୁ ଖୁସ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ ।
ଝାରପଡ଼ା ଗୁଳିମାଡ଼ ଘଟଣା, ବିଜେପି ନେତା ପ୍ରଭାତ ମାର୍ଥା ଗିରଫ
ଭୁବନେଶ୍ବର: ଝାରପଡ଼ା କରପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣା । ପୋଲିସ କବଜାରେ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପ୍ରଭାତ ମାର୍ଥା । ପ୍ରଭାତଙ୍କୁ ପଚରାଉଚାରା କରୁଛି ଲଷ୍ମୀସାଗର ଥାନା ପୋଲିସ । ଗତ ବୁଧବାର ରାତିରେ ଗାଡି ସାଇଡ ମରାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିଲା ।
ଏହି ଘଟଣାରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ଗୁଳି ଜବତ କରାଯାଇଛି । ଜବତ ବନ୍ଧୁକକୁ ଫୋରେନସିକ ଲ୍ୟାବକୁ ପଠାଯାଇଛି । ଉଭୟ ପକ୍ଷର ୮ ଜଣଙ୍କ ବୟାନ ରେକର୍ଡ କରାଯାଇଛି ପ୍ରଭାତଙ୍କ ଅନ୍ୟତମ ସହଯୋଗୀ ଅମିତ ମାର୍ଥାଙ୍କୁ ମଧ୍ୟ ଉଠାଇନେଇଛି ପୋଲିସ । ପ୍ରଭାତଙ୍କୁ ଧରିବା ପାଇଁ ଗଠନ ହୋଇଥିଲା ସ୍ପେଶାଲ ଟିମ ।
ପ୍ରବଳ ବର୍ଷାରେ ବେହାଲ ଗୁଜରାଟ, ଗଲାଣି ୧୨ ଜଣଙ୍କ ଜୀବନ
ଗାନ୍ଧିନଗର: ଗୁଜରାଟରେ ବର୍ଷା ବିତ୍ପାତ । ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ଗଲାଣି ୧୨ ଜଣଙ୍କ ଜୀବନ । ପ୍ରବଳ ବର୍ଷାରେ ବେହାଲ ହୋଇଛି ଗୁଜରାଟ । ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ, ପ୍ରବଳ ବର୍ଷା ପରେ ଜଳାର୍ଣ୍ଣବ ହୋଇଛି ଜୁନାଗଡ଼ ସହର । ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ସଡ଼କ ପାଲଟିଛି ସମୁଦ୍ର ।
ଅହମ୍ମଦାବାଦ, ସୌରାଷ୍ଟ୍ର ଓ ନର୍ଥ ଗୁଜରାଟର ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଛି । ଆହୁରି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଓ୍ବାଟର ଲଗିଂ ଯୋଗୁ ଅନେକ ଗାଡ଼ିମୋଟର ପାଣିରେ ବୁଡ଼ି ରହିଛି । ସେପଟେ ମହାରାଷ୍ଟ୍ରରେ ବି ମୂଷଳଧାରାରେ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଅଧିକାଂଶ ସ୍ଥାନରେ ବର୍ଷାଜଳ ନିଷ୍କାସନ ହୋଇ ନପାରିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଛି ।
ସାଉଥ ମହାରାଷ୍ଟ୍ରରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ସତର୍କ କରିଛି । ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।
୬୬ ଗେଟ ଖୋଲିଦେଲା ଛତିଶଗଡ଼, ବଢି ଚାଲିଛି ହୀରାକୁଦ ଜଳସ୍ଥର
ଭୁବନେଶ୍ବର: ଛତିଶଗଡ଼ କଲମlର ସମସ୍ତ ୬୬ ଗେଟ୍ ଖୋଲିଦେଲା ପରେ ଦୃତ ଗତିରେ ବଢିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର l ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ୧ଲକ୍ଷ ୧୩ହଜାର ୬୭୮ ଘନଫୁଟ ପାଣି ପ୍ରବେଶ କରୁଛି l ବିଭିନ୍ନ କେନାଲ ଦେଇ ୩୦,୫୫୫ ଘନଫୁଟ ଜଳ ନିଷ୍କାସିତ ହେଉଛି l ହୀରାକୁଦର ବର୍ତମାନ ଜଳସ୍ତର ୬୦୫.୧୫ ଫୁଟରେ ପହଞ୍ଚିଛି ।

