ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା । ଓଜେଇଇ ଓ୍ବେବସାଇଟରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେବ ନାମଲେଖା ପାଇଁ ଆବେଦନ । ବିଟେକ, ବିଆର୍କ, ବିପ୍ଲାନ୍, ବିକ୍ୟାଟ, ଇଣ୍ଟିଗ୍ରେଟେଡ ଏମସିଏ ପଢିବାକୁ ଆଗ୍ରହ ଛାତ୍ରଛାତ୍ରୀମାନେ କରିବେ ଆବେଦନ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚଏସ ଫିଲିଂ କରି ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ । ୧୪ ତାରିଖରେ ଚଏସ ଲକିଂ କରିବେ । ୧୫ ତାରିଖ ସୁଦ୍ଧା ଶେଷ ହେବ ପଞ୍ଜିକରଣ ପ୍ରକ୍ରିୟା । ୧୯ ତାରିଖରେ ପ୍ରକାଶ ପାଇବ ପ୍ରଥମ ସିଟ୍ ଆଲର୍ଟମେଣ୍ଟ ତାଲିକା । ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବ ଡକ୍ୟୁମେଣ୍ଟ ଭେରିଫିକେସନ । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ ସିଟରେ ନାମଲେଖାଇବା ପାଇଁ ଓଜେଇଇ କାଉନସେଲିଂ କରିଥାଏ ।
ଆଜି ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ, ଉପସ୍ଥାପନ ହେବ ରିପୋର୍ଟ କାର୍ଡ
ଭୁବନେଶ୍ୱର: ଆଜି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ । ଏଥିରେ ଦଳର ରାଜନୈତିକ, ସାଂଗଠନିକ ପ୍ରସ୍ତାବ ସହ ସଙ୍କଳ୍ପ ପାରିତ ହେବ । ଆଗାମୀ ୨୦୨୪ ନିର୍ବାଚନରେ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ସେମାନଙ୍କ ଦାୟିତ୍ବ ନେଇ ଅବଗତ କରିବେ ଦଳର ହେଭିଓ୍ବେଟ୍ ନେତା। ଯୁବ ବିଜେଡି କର୍ମୀଙ୍କୁ ପ୍ରଗତିଶୀଳ ଓଡ଼ିଶାରେ ସାମିଲ କରିବାକୁ କାର୍ଯ୍ୟକାରିଣୀରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଯୁବ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯୋଗ ଦେବେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସଂଗଠନ ମଜବୁତ କରିବାରେ ଯୁବ ବିଜେଡି ନେଇଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ରାଜନୈତିକରୁ ସାମାଜିକ କାର୍ଯ୍ୟକ୍ରମରେ ଛାମୁଆ ସଂଗଠନର ରହିଛି ଯୋଗଦାନ। ବର୍ଷ ତମାମ ସେମାନଙ୍କ କାର୍ଯ୍ୟ ଖସଡ଼ାର କାର୍ଯ୍ୟକାରିତା ଉପରେ ଆଜି ରିପୋର୍ଟ କାର୍ଡ ଉପସ୍ଥାପନ କରାଯିବ। ଏଥିସହ ଯୁବ ବିଜେଡିକୁ ଆହୁରି ଆଗକୁ ନେବା ପାଇଁ କିଛି କାର୍ଯ୍ୟ ଖସଡ଼ାର ପ୍ରସ୍ତାବ ବି ରଖିବେ ଦଳୀୟ ନେତା ।
କେନ୍ଦ୍ର ଅବହେଳା ବିରୋଧରେ ଯୁବକଙ୍କ ଶାଣିତ ସ୍ବର ନେଇ ରାଜନୈତିକ ପ୍ରସ୍ତାବ ଆସିପାରେ। ସାଂଗଠନିକ ପ୍ରସ୍ତାବରେ ଅଧିକରୁ ଅଧିକ ସଦସ୍ୟଙ୍କୁ ବିଜେଡିରେ ମିଶାଇ ୨୦୨୪ ପୂର୍ବରୁ ଶକ୍ତି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯିବ। ସେହିପରି ୨୦୨୪ରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସଙ୍କଳ୍ପ ନେବା ସହ ବ୍ୟାପକ ଭାବେ ରକ୍ତଦାନ କାର୍ଯ୍ୟକ୍ରମ ଜାରି ରଖିବାକୁ ସଙ୍କଳ୍ପ ପ୍ରସ୍ତାବ ଆଣିବାକୁ ଲକ୍ଷ୍ୟ ରଖିଛି ଯୁବ ବିଜେଡି। ଆଞ୍ଚଳିକ ଦଳ ଭାବେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜେଡି ଶାସନ କରୁଛି। ତୃଣମୂଳସ୍ତରରୁ ଲୋକଙ୍କ ସମସ୍ୟା ବୁଝି କାମ କରିବା ହିଁ ଦଳର ସଫଳତାର ମୂଳମନ୍ତ୍ର ପାଲଟିଛି। ଆଗକୁ ଆହୁରି ଭଲ କାମ କରିବାକୁ କାର୍ଯ୍ୟକ୍ରମରେ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଅନାଥଙ୍କୁ ମିଳିଲା ମା’ଙ୍କ ପରିଚୟ, ଶିଶୁକନ୍ୟାକୁ ଆପଣାଇ ନେଲେ ଫିନଲାଣ୍ଡ ମହିଳା
ସମ୍ବଲପୁର: ଅନାଥଙ୍କୁ ମିଳିଲା ମା’ଙ୍କ ପରିଚୟ । ଖୁସି ମୁହଁରେ ହସ ଫୁଟାଇବେ ଫିନଲାଣ୍ଡ ମହିଳା । ସମ୍ବଲପୁର ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ କନ୍ୟା ଖୁସିକୁ ଆପଣାଇଛନ୍ତି ଫିନଲାଣ୍ଡ ମହିଳା ଲୌରା ଏଲେନା | ଅନ୍ତର୍ଦେଶୀୟ ପୋଷ୍ୟ ନିୟମ ଅନୁସାରେ ଆଜି ଖୁସିକୁ ତାର ନୂତନ ମା’ଙ୍କୁ ହସ୍ତାନ୍ତର କରାଯାଇଛି | ଶିଶୁକୁ କୋଳେଇ ନେଇ ଫିନଲାଣ୍ଡ ମହିଳା ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି | ଆରଡିସି ଡ଼. ସୁରେଶ ଚନ୍ଦ୍ର ଦଳେଇ ଏବଂ ଜିଲ୍ଲାପାଳ ଅନନ୍ୟା ଦାସ ଶିଶୁର ନୂତନ ମା ସହିତ ଆଲୋଚନା କରି ଶିଶୁ କନ୍ୟାର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି | ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଡେପୁଟି କଲେକ୍ଟର ମିତାଲି ମଧୁସ୍ମିତା ଦଳେଇ, ଲୋପାମୁଦ୍ରା କାଲୋ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ, କ୍ୟାନ୍ସର ରୋଗୀଙ୍କୁ ୧ କିଲୋମିଟର ଷ୍ଟ୍ରେଚରରେ ବୋହିଲେ
ବାଲେଶ୍ୱର: କ୍ୟାନ୍ସର ରୋଗୀଙ୍କ ପାଇଁ ପୁଣି ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । କ୍ୟାନ୍ସର ରୋଗୀଙ୍କୁ ୧ କିଲୋମିଟର ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ଗାଁର ବରେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ପରିବାର ଲୋକେ ନିକଟସ୍ଥ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇବା ପରେ ନିକଟସ୍ଥ ଡାକ୍ତରଖାନାରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଇଶ୍ୱରପୁର ଗାଁ ଅଭିମୁଖେ ବାହାରିଯାଇଥିଲା ।
ମାତ୍ର ଗାଁ ଭିତରକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଅଟକି ରହିଥିଲା । ପରେ ୧୦୮ ଆମ୍ବୁଲାନ୍ସ ଇଏମଟି ବିଜୟୀ କିସନ ସେନ୍ଦ୍, ଡ୍ରାଇଭର ଗୟାଧର ଦାସ ଏବଂ ଆଟେଡାଣ୍ଟ ପ୍ରଶାନ୍ତ କୁମାର ବେହେରା ଏକ ଷ୍ଟ୍ରେଚର ଧରି ଯାଇ ରୋଗୀଙ୍କ ନୀକଟରେ ପହଂଚିଥିଲେ । ଏହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ ପରିବାର ଲୋକଙ୍କ ସହାୟତାରେ ରୋଗୀଙ୍କୁ ଷ୍ଟ୍ରେଚରରେ ୧ କିଲୋମିଟର ରାସ୍ତା ଚାଲି ଚାଲି ଆଣି ଆମ୍ବୁଲାନ୍ସ ନୀକଟରେ ପହଞ୍ଚାଇଥିଲେ । ପରେ ସେଠାରୁ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏପରି କାର୍ଯ୍ୟକୁ ସଭିଏଁ ପ୍ରଶଂସା କରିଛନ୍ତି ।
ଆଉ ୨ ଜଜଙ୍କ ନିଯୁକ୍ତି ପାଇଁ କେନ୍ଦ୍ରକୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ
ବଢ଼ିବ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା । ଆଉ ୨ଜଜଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ । ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ ଓ ଜଷ୍ଟିସ ଏସ ଭି ଭଟ୍ଟିଙ୍କ ନାମ ସୁପାରିଶ । ତେଲେଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ । କେରଳ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିଲ ଏସ୍ ଭେଙ୍କଟନାରାୟଣ ଭଟ୍ଟି । କଲେଜିୟମ ବୁଧବାର କେନ୍ଦ୍ର ସରକାରଙ୍କୁ ସୁପାରିଶ ପଠାଇଛି । ବର୍ତ୍ତମାନ ସୁପ୍ରିମକୋର୍ଟରେ ମୋଟ ୩୧ ଜଣ ଜଜ୍ ରହିଛନ୍ତି । ବର୍ତ୍ତମାନ ୩ ଜଜଙ୍କ ପଦ ଖାଲି ରହିଛି । କେନ୍ଦ୍ରକୁ ଉଜ୍ଜ୍ୱଳ ଭୂୟାଁ ଏବଂ ଏସ୍ ଭି ଭଟିଙ୍କ ନାଁ ସୁପାରିଶ କରିଥିବା କଲେଜିୟମରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜ କିଶନ କୌଲ, ଜଷ୍ଟିସ ରାଜୀବ ଖନ୍ନା, ଜଷ୍ଟିସ ବିଆର ଗଭଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ରହିଛନ୍ତି । ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ଗତ ମାସରେ ତିନି ଜଜ ଅବସରଗ୍ରହଣ କରିଥିଲେ ।
DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବଡ଼ଧରଣର ଆୟକର ଚଢ଼ାଉ
ଭୁବନେଶ୍ୱର: ଭୁବନେଶ୍ବରରେ ବଡ଼ଧରଣର ଆୟକର ଚଢ଼ାଉ । DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍ । ରିୟଲ ଇଷ୍ଟେଟ୍ କମ୍ପାନୀର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ୩୦ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଚନ୍ଦ୍ରଶେଖର ଏକ ସରକାରୀ ଘରେ ଭଡା ନେଇ ରହୁଥିଲେ । ଉକ୍ତ ଭଡ଼ା ଘରୁ ୩୦ କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି । ଏହି ଟଙ୍କା ସବୁ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ ବାହାରିଛି ।
୧୦ରୁ ୧୨ ଜଣ ଆଇଟି ଅଧିକାରୀ ଏହି ଚଢ଼ାଉରେ ସାମିଲ୍ ଅଛନ୍ତି । ଆୟକର ଅଧିକାରୀମାନେ ଭୋର୍ ୩ଟାରୁ ରେଡ୍ କରୁଛନ୍ତି । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଉଥିବା ସୂଚନା ମିଳିଛି । ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ୨୨ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ଆଜି ସକାଳୁ ଭୁବନେଶ୍ୱର ୪ ନମ୍ବରରେ ଏହି ଚଢ଼ାଉ ହୋଇଥିଲା । ଆଇଆରସି ଭିଲେଜସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ବି ଚଢ଼ାଉ କରିଥିଲା ଆୟକର ବିଭାଗ।

