spot_img
Home Blog Page 28

ଅସ୍ତରଙ୍ଗ ରାସ୍ତାକଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପାଖରେ ସାଇକେଲ ଓ ଚପଲ

ନନ୍ଦିଘୋଷ ବ୍ୟୁରୋ :  ପୁରୀ ଜିଲ୍ଲା ଅସ୍ତରଙ୍ଗ-କାକଟପୁର ମୁଖ୍ୟ ରାସ୍ତା ଉକୁଳେଇ ଛକ ଜେନା ବିଲଡିଂ ସାମ୍ନାରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବ୍ୟକ୍ତି ଜଣକ ଶରୀରରେ କେବଳ ଗୋଟିଏ ଗାମୁଛା ବ୍ୟତୀତ ଆଉ କିଛି ପିନ୍ଧି ନଥିଲେ । ତାଙ୍କ ନିକଟରେ ଗୋଟିଏ ସାଇକେଲ ଓ ଗୋଟିଏ ଚପଲ ପଡିଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ । ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି କହିଛି ପୋଲିସ ।

ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

ନନ୍ଦିଘୋଷ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି । ମଦୁରାଇରୁ ସେନକୋଟ୍ଟାଇ ଯାଉଥିବା ଏକ ଘରୋଇ ବସ୍ ଏବଂ ତେନକାସୀରୁ କୋଭିଲପଟ୍ଟି ଅଭିମୁଖେ ଯାଉଥିବା ଅନ୍ୟ ଏକ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମଦୁରାଇରୁ ସେନକୋଟ୍ଟାଇ ଯାଉଥିବା କେସାର୍ ବସ୍ ଚାଳକଙ୍କ ଦ୍ରୁତ ଗତି ଏବଂ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଆହତ ସମସ୍ତ ୨୮ ଜଣ ଯାତ୍ରୀ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଏହି ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକ ହିଟ୍ ଆଣ୍ଡ ରନ୍ ମାମଲାର ପର୍ଦ୍ଦାଫାଶ, ଟିପର୍ ଚାଳକ ଗିରଫ

ନନ୍ଦିଘୋଷ ବ୍ୟୁରୋ :  କଟକ ନିକଟରେ ଘଟିଥିବା ଏକ ହିଟ୍ ଆଣ୍ଡ ରନ୍ ମାମଲାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଏ ସଂକ୍ରାନ୍ତରେ ଚାଉଳିଆଗଞ୍ଜ ଥାନାରେ କେସ୍ ରୁଜୁ ହୋଇଥିଲା । ଗତ ୮ ତାରିଖ ରାତିରେ ଦୁଇଜଣ ଯୁବକ ଏକ ବାଇକରେ କଲେଜ ଛକ ଅଭିମୁଖେ ଯାଉଥିବା ବେଳେ OMP ଅଞ୍ଚଳ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ SCB ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ମାମଲାର ତଦନ୍ତ ସମୟରେ ପୋଲିସ ବିଭିନ୍ନ ସ୍ଥାନର CCTV ଫୁଟେଜ୍, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ RTO ତଥ୍ୟର ବିଶ୍ଳେଷଣ କରି ଦୁର୍ଘଟଣା ଘଟାଇଥିବା ଟିପରକୁ ଚିହ୍ନଟ କରିଥିଲା । ଟିପର୍ ଚାଳକ କାଳିଆ ଓରଫ୍ ପିପିନା ନାୟକକୁ ଗାଡି ସହ ଧରିଛି ପୋଲିସ ।

ପୋଲିସକୁ ଆକ୍ରମଣ, ଦୁଇଜଣଙ୍କୁ ଅଟକ

ନନ୍ଦିଘୋଷ ବ୍ୟୁରୋ : ରାତି ଡ୍ୟୁଟି ସାରି ଫେରୁଥିବାବେଳେ ଜଗତସିଂହପୁର କଲେଜ ଛକ ଠାରେ ବାଇକ୍ ସହିତ ଏକ କାର ଧକ୍କା ହୋଇଥିଲା । କାର ଭିତରୁ କିଛି ଯୁବକ ବାହାରି ଆସି ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ l ଖବର ପାଇ ଜଗତସିଂହପୁର ପୋଲିସ ପହଞ୍ଚି ଆହତ ପୋଲିସ କର୍ମଚାରୀ ନିତ୍ୟାନନ୍ଦ ସେନାପତିଙ୍କୁ ମେଡିକାଲ ନେଇଥିଲେ l ଆହତ ପୋଲିସ ଅଧିକାରୀଙ୍କ ଅଭିଯୋଗକୁ ଭିତ୍ତିକରି  ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ଘଟଣା ସ୍ଥଳରୁ ଅନ୍ୟମାନେ ଖସି ପଳାଇଥିଲେ l ଆକ୍ରମଣକାରୀଙ୍କ ହାତରେ ହକିଷ୍ଟିକ ଥିବା ସୂଚନା ମିଳିଥିଲା l ଜଗତସିଂହପୁର ଏସ୍ ପି ଅଙ୍କିତ କୁମାର ବର୍ମା ଥାନାରେ ପହଁଚି ଆକ୍ରମଣ ହୋଇଥିବା ପୋଲିସ ଅଧିକାରୀଙ୍କ ସହିତ ଘଟଣା ସମ୍ପର୍କରେ ବୁଝିଥିଲେ l ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଧରିବା ପାଇଁ ଜଗତସିଂହପୁର ପୋଲିସକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ l

 

ଭରା ନଈରେ ବାଜି ଲାଗିଛି ଜୀବନ, ଦଉଡ଼ି ସାଜିଛି ଗ୍ରାମବାସୀଙ୍କ ନିତିଦିନିଆ ରାସ୍ତା

ନନ୍ଦିଘୋଷ ବ୍ୟୁରୋ : ଭରା ନଈରେ ବାଜି ଲାଗିଛି ଜୀବନ । ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ନଦୀର ଦୁଇ ପାର୍ଶ୍ବରେ ଗଛରେ ଦଉଡ଼ି ବାନ୍ଧି ଦୈନନ୍ଦିନ ସେହି ନଈ ପାର ହେଉଛନ୍ତି ଅଞ୍ଚଳବାସୀ । ବଜାର ସଉଦା, ପିଲାଙ୍କ ସ୍କୁଲ୍ ଯିବା ହେଉ ବା ଡାକ୍ତରଖାନା ଯିବା ସବୁ କାମ ପାଇଁ ଦଉଡ଼ି ହିଁ ପାଲଟିଛି ନିତିଦିନିଆ ରାସ୍ତା । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ପାଜିମାହା ବୁଢ଼ା ନଦୀ ଘାଟରେ । ବୁଢ଼ା ନଦୀ ଆର ପାରିରେ ରହିଛି ପରମପାଙ୍ଗା ପଞ୍ଚାୟତର ତିନି ନମ୍ବର ୱାର୍ଡ଼ର ୫ଟି ଗାଁ କାଡ଼ାମାହା, ଟକପଦର, କାମେରି, ଡୁବଲାମାହା ଓ ବାଲିମାହା । ଏହି ସବୁ ଗାଁରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ଶିକ୍ଷା, ସ୍ବାସ୍ଥ୍ୟ ଆଦି ସମସ୍ତ ଜରୁରୀକାଳୀନ ସେବା ପାଇଁ ଅଞ୍ଚଳବାସୀ ପରମପାଙ୍ଗା ପଞ୍ଚାୟତ ଉପରେ ନିର୍ଭର କରନ୍ତି । କିନ୍ତୁ ବର୍ଷା ଦିନେ ପଞ୍ଚାୟତକୁ ଯିବାକୁ ହେଲେ ନଦୀ ପାର ହେଇ ବିପଦ ସଙ୍କୁଳ ଅବସ୍ଥାରେ ଯିବାକୁ ପଡ଼ିଥାଏ । ବର୍ଷା ଦିନ ଆସିଲେ ଏହି ଅଞ୍ଚଳର ଅନେକ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ବନ୍ଦ ହୋଇଯାଏ । ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହି ଅଞ୍ଚଳ ପ୍ରତି ପ୍ରଶାସନର ଦୃଷ୍ଟି ପଡୁ ନଥିବା ଅଭିଯୋଗ ହୋଇଛି ।

ଶ୍ରୀମନ୍ଦିରରେ ଆଜି ନିକୁଞ୍ଜ ଲୀଳା, କୃଷ୍ଣଲୀଳାରେ ଆଧ୍ୟାତ୍ମିକ ହେବ ପରିବେଶ

ନନ୍ଦିଘୋଷ ବ୍ୟୁରୋ : ଜନ୍ମାଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଚାଲିଛି କୃଷ୍ଣଲୀଳା । ଆଜି ଭାଦ୍ରବ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହେବ ନିକୁଞ୍ଜ ଲୀଳା । ସନ୍ଧ୍ୟା ଧୂପ ପରେ ଏହି ସ୍ୱତନ୍ତ୍ର ନିକୁଞ୍ଜ ଲୀଳା ବିଧି ପାଳନ କରାଯିବ । ରାମକୃଷ୍ଣ ନାଟ ମଣ୍ଡପରେ ବିଜେ ହେବା ପରେ ହରଚଣ୍ଡୀ ସାହି ଲୋକେ ଏହି ସ୍ୱତନ୍ତ୍ର ନିକୁଞ୍ଜ ଲୀଳା ପ୍ରସ୍ତାବ ଆସିବ । ପୌରାଣିକ କଥାବସ୍ତୁ ଅନୁଯାୟୀ ଶ୍ରୀକୃଷ୍ଣ କିଶୋର ଅବସ୍ଥାରେ ଗୋପଲୀଳା କରୁଥିବା ବେଳେ ଗୋପୀଙ୍କ ଭିତରେ କଂସ ଦ୍ୱାରା ପ୍ରେରିତ ଜଣେ ରାକ୍ଷସୀ ମାୟା କରି ଶ୍ରୀକୃଷ୍ଣଙ୍କୁ ମୋହିତ କରି ହରଣ ପାଇଁ ଚେଷ୍ଟା କରିଥିଲେ । ତେବେ ଶ୍ରୀକୃଷ୍ଣ ଏହା ଜାଣିପାରି ଗୋପୀରୂପୀ ରାକ୍ଷସୀଙ୍କୁ ବଶୀଭୂତ କରି ବିଦା କରିଦେଇଥିଲେ । ଯାହାକୁ ଶ୍ରୀକୃଷ୍ଣଙ୍କ ନିକୁଞ୍ଜ ଲୀଳା ରୂପେ ବିବେଚନା କରାଯାଏ । ଗତକାଲି ଶ୍ରୀମନ୍ଦିରରେ ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଥିଲା ।

ୟୁକ୍ରେନ ଉପରେ ରୁଷର ଆକ୍ରମଣ, ୯ ମୃତ

ନନ୍ଦିଘୋଷ ବ୍ୟୁରୋ; ୟୁକ୍ରେନ ଉପରେ ରୁଷର ଜୋରଦାର ହମଲା । ରୁଷୀୟ ସେନା ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି । ଯେଉଁଥିରେ ୯ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୧୨ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣ ଯୋଗୁଁ ଆବାସିକ କୋଠା ଏବଂ ଭିତ୍ତିଭୂମିକୁ ବହୁତ କ୍ଷତି ପହଞ୍ଚାଇଛି । ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ପ୍ରାରମ୍ଭରୁ ରୁଷ ୟୁକ୍ରେନୀୟ ଲକ୍ଷ୍ୟସ୍ଥଳ ଉପରେ ପ୍ରାୟ ୫ଶହ ଡ୍ରୋନ୍ ମାଡ଼ କରିଛି । ରୁଷ ଯୁଦ୍ଧ ସମ୍ମୁଖ ଧ୍ୟାନ ହଟାଇ ଅର୍ଥନୀତି ଉପରେ ଆକ୍ରମଣ କରୁଛି । ଯୁଦ୍ଧ ସମୟରେ ସହାୟତା ପ୍ରଦାନ କରୁଥିବା ଯେକୌଣସି ସୁବିଧାକୁ ନଷ୍ଟ କରିବାକୁ ଲକ୍ଷ୍ୟ ରଖିଛି । ୟୁକ୍ରେନର ଏକ ପ୍ରମୁଖ ଆଗଧାଡ଼ିର ସହର କ୍ରାମାଟୋର୍ସ୍କର ନଗର ପରିଷଦ ରିପୋର୍ଟ କରିଛି ଯେ, ରୁଷୀୟ ସେନା ସାଧାରଣ ନାଗରିକଙ୍କ ବ୍ୟକ୍ତିଗତ କାରଗୁଡ଼ିକୁ ଟାର୍ଗେଟ କରିଛି । ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ରାତିସାରା ଜାରି ରହିଥିବା ଆକ୍ରମଣରେ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି । ସୀମା ନିକଟରେ ଡ୍ରୋନ୍ ଦେଖାଯିବା ପରେ ମାଲଡୋଭା ପ୍ରାୟ ଏକ ଘଣ୍ଟା ପାଇଁ ଏହାର ଆକାଶପଥ ଏବଂ ସାତୋଟି ସୀମା ଯାଞ୍ଚ କେନ୍ଦ୍ର ବନ୍ଦ କରିଦେଇଛି । ସେପଟେ ୟୁକ୍ରେନୀୟ ସୈନ୍ୟମାନେ ସମାରା ଅଞ୍ଚଳର ଟୋଗଲିଆଟିରେ ଥିବା ରୁଷର ସର୍ବବୃହତ ସିନ୍ଥେଟିକ୍ ରବର ଉତ୍ପାଦକ ଟୋଗଲିଆଟି ପ୍ଲାଣ୍ଟ ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି । ସ୍ଥାନୀୟ ମେୟର ଇଲିଆ ସୁଖିଖ କହିଛନ୍ତି ଯେ, ଟୋଗଲିଆଟିରେ ଅନେକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି ଏବଂ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି  ।

ଆଜିଠୁ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍

ନନ୍ଦିଘୋଷ ବ୍ୟୁରୋ : ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆଜିଠୁ ଆରମ୍ଭ ହେଉଛି। ସିରିଜ୍ ର ସମସ୍ତ ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଭାରତରେ ଖେଳାଯାଉଥିବା ସତ୍ତ୍ୱେ, ଏହି ଦ୍ୱିପାକ୍ଷିକ ସିରିଜ୍ ପାଇଁ ଆଫଗାନିସ୍ତାନ ହେଉଛି ଆନୁଷ୍ଠାନିକ ଆୟୋଜକ। ମ୍ୟାଚ୍ ଫ୍ଲଡ ଲାଇଟରେ ରାତି ୭ଟାରେ ଖେଳାଯିବ। ଏହି ସିରିଜ୍ ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ବପୂର୍ଣ୍ଣ ।୨୦୨୬ ଏସୀୟ କ୍ରୀଡ଼ା ପାଇଁ ଦଳର ଆଗାମୀ ଅଭିଯାନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ହେବ। ଶ୍ରେୟଶ୍ ଆୟରଙ୍କ ନେତତ୍ବରେ ଭାରତୀୟ ଦଳରେ ସଞ୍ଜୁ ସାମସନ, ଇଶାନ କିଶନ, ଅଭିଷେକ ଶର୍ମା, ଆକ୍ସର ପଟେଲ ଏବଂ ୧୫ ବର୍ଷୀୟ ୟଙ୍ଗ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଇବ୍ରାହିମ ଜାଦ୍ରାନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଆଫଗାନ।ରସିଦ ଖାନ, ରହମାନୁଲ୍ଲା ଗୁରୁବାଜ, ମହମ୍ମଦ ନବୀ, ମୁଜିବ ଉର ରହମାନ, ଏବଂ ନବୀନ-ଉଲ-ହକଙ୍କ ପରି ଅଭିଜ୍ଞ ଖେଳାଳି ଅଛନ୍ତି । ଦିଲ୍ଲୀର ସ୍ପିନିଙ୍ଗ ଟ୍ରାକରେ ଆଫଗାନିସ୍ତାନ ଭାରତକୁ ଜବରଦସ୍ତ ଟକ୍କର ଦେବ।

ବଡ଼ଗଡ଼ ଥାନା ଅଞ୍ଚଳରେ ଯୁବକଙ୍କୁ ଗୁଳିମାଡ଼, MKCGରେ ଭର୍ତ୍ତି…

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଯୋଡାବନ୍ଧ ନିକଟରେ ଯୁବକଙ୍କୁ ଗୁଳିମାଡ଼ । ଯୁବକ ଜଣଙ୍କ ହେଲେ ସରାବାଡି ଗ୍ରାମର ଜୟସେନ ପ୍ରଧାନ । କୌଣସି କାମରେ ଯୋଡବନ୍ଧ ନିକଟରେ ରହିଥିବା ବେଳେ ୩ ଜଣ ଯୁବକ ବାଇକରେ ଆସି ଗୁଳିକାଣ୍ଡ କରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ମେଡିକାଲ ଓ ପରେ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି । ଜୟସେନଙ୍କ ପେଟରେ ଓ ଗୋଡ଼ରେ ଦୁଇଟି ଗୁଳି ବାଜିଛି । ବଡ଼ଗଡ଼ ପୋଲିସ ପହଂଚି ଘଟଣାର ତଦନ୍ତ ଚଲାଇଛି । ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l

ଆଜି ବ୍ରିକ୍ସ ସମ୍ମିଳନୀରେ ଶେଷ ଦିନ, ହେଇପାରେ ବଡ ନିଷ୍ପତ୍ତି…

ନନ୍ଦିଘୋଷ ବ୍ୟୁରୋ :  ଆଜି ବ୍ରିକ୍ସ ସମ୍ମିଳନୀରେ ଶେଷ ଦିନ। ଅନ୍ତର୍ଭୁକ୍ତିମୂଳକ ବିଶ୍ବ ଅଭିବୃଦ୍ଧିର ଭବିଷ୍ୟତ, ସାମର୍ଥ୍ୟର ବିକାଶ, ଉଦ୍ଭାବନ, ସହଯୋଗ ଉପରେ ହେବ ଆଲୋଚନା। ଖାଦ୍ୟ ଓ ଶକ୍ତି ନିରାପତ୍ତା, ସାଧାରଣ ସ୍ବାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, ଯୋଗାଣ ଶୃଙ୍ଖଳ ଆଦି ପ୍ରସଙ୍ଗରେ ହେବ ଆଲୋଚନା। ଆଜି ଘୋଷଣା ହେବ ମିଳିତ ଘୋଷଣାନାମା। ଗତକାଲି ବ୍ରିକ୍ସ ସମ୍ମିଳନୀରେ ଉଠିଥିଲା ପହଲଗାମ ଆତଙ୍କୀ ହମଲା ପ୍ରସଙ୍ଗ। କଥାବାର୍ତ୍ତା ଜରିଆରେ ସହମତି, ଏକପାଖିଆ ଟାରିଫ, ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ଆଦି ପ୍ରସଙ୍ଗ ବି ଏଥିରେ ସ୍ଥାନ ପାଇଛି। ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଓ କୂଟନୈତିକ ଆଲୋଚନା ଜରିଆରେ ଅନ୍ତରାଷ୍ଟ୍ରୀୟ ବିବାଦଗୁଡିକର ସମାଧାନ ଲାଗି ସହମତି ହୋଇଥିଲା। ଅଷ୍ଟାଦଶତମ ବ୍ରିକ୍ସ ସମ୍ମିଳନୀରେ ପ୍ରତିନିଧିତ୍ବମୂଳକ, ଗଣତାନ୍ତ୍ରିକ ଓ ବହୁମୁଖୀ ବିଶ୍ବ ବ୍ୟବସ୍ଥା ଉପରେ ଫୋକସ କରାଯାଇଥିଲା। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅର୍ଥନୈତିକ ସହଭାଗିତାକୁ ବି ଗୁରୁତ୍ବ ଦିଆଯାଇଛି। ସେହିପରି ଜାତିସଂଘ ଘୋଷଣାନାମାରେ ରହିଥିବା ବିଭିନ୍ନ ନୀତିକୁ ବି ଗୁରୁତ୍ବ ଦେଇଛନ୍ତି ସଦସ୍ୟ ରାଷ୍ଟ୍ର। ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଲାଗି ବ୍ରିକ୍ସ ଦାବି କରିବା ସହ ନିରାପତ୍ତା ପରିଷଦରେ ଭାରତ ଓ ବ୍ରାଜିଲର ଅଧିକ ଭୂମିକା ପ୍ରସ୍ତାବକୁ ଚୀନ ଓ ରୁଷିଆର ସମର୍ଥନକୁ ପ୍ରଶଂସା କରିଥିଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ସେହିପରି ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି, ବିଶ୍ବବ୍ୟାଙ୍କର ସଂସ୍କାର ଲାଗି ଦାବି କରିଥିଲେ ରାଷ୍ଟ୍ରସଙ୍ଘ। ପରୋକ୍ଷରେ ଆମେରିକାକୁ ସମାଲୋଚନା କରି ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀ କିଛି ରାଷ୍ଟ୍ର ବିରୋଧରେ ଜାରି ହେଉଥିବା ଅର୍ଥନୈତିକ କଟକଣାକୁ ବିରୋଧ କରିଥିଲେ। ସେହିପରି ଆତଙ୍କବାଦକୁ ଶୂନ୍ୟ ସହନଶୀଳତା ଲାଗି ଘୋଷଣାନାମାରେ ସ୍ଥାନୀତ ହୋଇଛି।

ବ୍ରିକ୍ସ ସମ୍ମିଳନୀ ଅବସରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗକୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ନେତାଙ୍କ ମଧ୍ୟରେ ବହୁ ପ୍ରସଙ୍ଗରେ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ଆଲୋଚନା। ୨୦୨୦ ଗଲୱାନ ସଂଘର୍ଷ ପରେ ଦୁଇ ନେତା ପରସ୍ପରକୁ ହାତ ମିଳାଇଥିଲେ। ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ପ୍ରତିଷ୍ଠା ଲାଗି ଦୁଇ ନେତା ସହମତି ପ୍ରକାଶ କରିଥିଲେ।