spot_img
Home Blog Page 2875

ଓଡ଼ିଶାକୁ ଆସୁଛି ବଡ଼ ବର୍ଷା, ୧୬ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ବର: ଓଡ଼ିଶାକୁ ଆସୁଛି ବଡ଼ ବର୍ଷା । ଆଗକୁ ରହିଛି ବ୍ୟାକ ଟୁ ବ୍ୟାକ ଲଘୁଚାପ । ଆସନ୍ତା ୧୬ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ନେଇପାରେ ଲଘୁଚାପର ରୂପ ।

ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ହୋଇଛି । ପରବର୍ତ୍ତୀ ସମୟରେ ଏହା ଅବପାତରେ ପରିଣତ ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାର । ପରେ ୧୯ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏହା ଜୁଲାଇ ୨୧ରେ ଅବପାତର ରୂପ ନେବ ।

ଜୁଲାଇ ୨୨ରେ ଗଭୀର ଅବପାତର ରୂପ ନେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଏହା ପ୍ରଭାବରେ ଜୁଲାଇ ୧୮ରୁ ୨୭ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବର୍ଷିବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ସେପଟେ ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

୧ ଜୁନରୁ ଏଯାଏ ୨୪୩ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ୩୩୪.୪  ମିଲିମିଟର ତୁଳନାରେ ୨୭ ପ୍ରତିଶତ କମ । ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୭୪.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୪୨% ଅଧିକ । ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୯.୪  ମିମି ସହ ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଗୋଟିଏ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫.୧ ମିମି ବର୍ଷା ରେକର୍ଡ ହୋଇଛି ।

ରକେଟ୍ ୱିମେନ୍ ‘ରିତୁ’: ଚନ୍ଦ୍ରଯାନ-୩ ମିଶନକୁ କରୁଛନ୍ତି ଲିଡ୍

ଶ୍ରୀହରିକୋଟା: ଲକ୍ଷ୍ନୌର ରକେଟ୍ ୱିମେନ୍ ରିତୁ ଶ୍ରୀବାସ୍ତବ । ଚନ୍ଦ୍ରଯାନ-୩ ମିଶନକୁ ଲିଡ୍ କରୁଛନ୍ତି ରିତୁ । ଆଜି ଦେଶ ପାଇଁ ଖୁବ ବଡ଼ ଦିନ । ଶ୍ରୀହରିକୋଟାର ଶତୀଶ ଧୱନ ସ୍ପେଚ୍ ରିସର୍ଚ୍ଚ ସେଣ୍ଟରରୁ ୨ଟା ୩୫ରେ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩ ।

ଏପରି ଏକ ବିରାଟ ମିଶନର ଦାୟିତ୍ବ ମହିଳା ବୈଜ୍ଞାନିକ ଡାକ୍ତର ରିତୁ କରିଧାଲ ଶ୍ରୀବାସ୍ତବ ନେଇଛନ୍ତି । ଲକ୍ଷ୍ନୌର ରିତୁ ଭାରତୀୟ ମହିଳାଙ୍କ ପାଇଁ ଉଦାହରଣ ସାଜିଛନ୍ତି । ମଙ୍ଗଳାୟାନ ମିଶନରେ ରିତୁ ଡେପୁଟି ଡାଇରେକ୍ଟର ରହିସାରିଛନ୍ତି । ଲକ୍ଷ୍ନୌରେ ଜନ୍ମିତ ରିତୁଙ୍କର ବିଜ୍ଞାନ ଓ ଅନ୍ତରୀକ୍ଷରେ ରୁଚି ଥିବାରୁ ବେଙ୍ଗାଳୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନରେ ପ୍ରବେଶ କରିଥିଲେ । ଏହାପରେ ରିତୁ ଇସ୍ରୋରେ ଚାକିରି ଆରମ୍ଭ କରିଥିଲେ । ୨୦୦୭ରେ ରିତୁ ପାଇଥିଲେ ଯୁବ ବୈଜ୍ଞାନିକର ପୁରସ୍କାର । ଭିନ୍ନ ଭିନ୍ନ ମିଶନରେ ତାଙ୍କର ଭୂମିକା ନେଇ ଦେଶର ପ୍ରମୁଖ ଅନ୍ତରୀକ୍ଷ ବୈଜ୍ଞାନିକଙ୍କ ମଧ୍ୟରେ ତାଙ୍କ ନାଁ ସାମିଲ ଅଛି । ରିତୁଙ୍କୁ ରକେଟ୍ ୱିମେନର ଆଖ୍ୟା ମଧ୍ୟ ଦିଆଯାଇଛି । ମାସ୍ ଅରବିଟ୍ ମିଶନ ପାଇଁ ଇସ୍ରୋ ଟିମ୍ ପୁରସ୍କାର ପାଇଛନ୍ତି ଏହି  ରକେଟ୍ ନ ୱିମେନ୍  ।  ଚନ୍ଦ୍ରଯାନ-୨ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ରିତୁ ।

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ, ଯୁବକଙ୍କୁ ପିଟିପିଟି ହତ୍ୟା

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ରେଙ୍ଗାଲି ଥାନା କତରବଗାରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ମଚିଦା ଗାଁର ଗଣେଶ ସିଂ । ସେ ଜଣେ ପୂର୍ବତନ ପୋଲିସ କର୍ମଚାରୀ ହୋଇଥିବା ବେଳେ ମାନସିକ ଅସୁସ୍ଥ ହୋଇପଡ଼ିଥିଲେ । ଗତକାଲି ସନ୍ଧ୍ଯାରେ କତରବଗା ପେଟ୍ରୋଲ ପମ୍ପରେ କିଛି ଯୁବକଙ୍କ ସହିତ ଗଣେଶଙ୍କର ବଚସା ହୋଇଥିଲା । ଯୁବକମାନେ ଉତ୍ତ୍ୟକ୍ତ ହୋଇ ଗଣେଶଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗଣେଶଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା  । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲା ଡାକ୍ତର  । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଛାନଭିନ ଚଳାଇଛି  ।

ଆଜି ଇତିହାସ ରଚିବ ଭାରତ, ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩

ଅମରାବତୀ: ଆଉ କେଇ ଘଣ୍ଟାର ଅପେକ୍ଷା । ମହାକାଶ ବିଜ୍ଞାନରେ କୀର୍ତ୍ତିମାନ ରଚିବ ଇସ୍ରୋ । ତିନି ବର୍ଷ ପରେ ପୁଣି ଥରେ କରିବ ଚନ୍ଦ୍ରକୁ ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀହରିକୋଟା । ଦିନ ୨ଟା ୩୫ରେ ସତୀଶ ଧାଓ୍ବନ ଲଞ୍ଚ ପ୍ୟାଡ୍ରୁ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩ । ବାହୁବଳୀ GSLV ରେ ଚନ୍ଦ୍ରଯାନ ଲଞ୍ଚ କରାଯିବ ।

ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତାର କକ୍ଷ ପଥରେ ଅବସ୍ଥାପିତ ହେବ । ଅଗଷ୍ଟ ୨୩ କିମ୍ବା ୨୪ରେ ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ବିକ୍ରମ । ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ସହ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରିଛି ଭାରତୀୟ ମହାକାଶ ଅନୁସନ୍ଧାନକାରୀ ସଂସ୍ଥା ।

ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ସହ ରୋଭିଂକୁ ଅଧିକ ସୁଗମ କରିବା  ଚନ୍ଦ୍ରୟାନ-୩ର ଲକ୍ଷ୍ୟ  । ଏହା ସହ ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଦିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ୨୦୦୮-୦୯ରେ ହୋଇଥିବା  ଚନ୍ଦ୍ରୟାନ-୧ ମିଶନ ଦ୍ବାରା ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା । ମାତ୍ର ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା ।

କିନ୍ତୁ ଚନ୍ଦ୍ରୟାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି । ତେବେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରୟାନ-୩ ସୁରକ୍ଷିତ ଲ୍ୟାଣ୍ଡିଂ କଲେ ଏଭଳି କରିବାରେ ଆମେରିକା, ରୁଷ, ଚୀନ ପରେ ଚତୁର୍ଥ ଦେଶ ହେବ ଭାରତ ।

ବସକୁ ପଛପଟୁ ଧକ୍କାଦେଲା ଟ୍ରକ୍, ଓଲଟିପଡ଼ିଲା ବସ୍

ବାଲେଶ୍ବର: ବସକୁ ପଛପଟୁ ଧକ୍କାଦେଲା ଟ୍ରକ୍ । ଭାରସାମ୍ୟ ହରାଇ ଓଲଟିପଡ଼ିଲା ବସ୍  । ଅଳ୍ପକେ ବର୍ତ୍ତିଲେ ୪୦ରୁ ଅଧିକ ଯାତ୍ରୀ  । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶାନ୍ତିଆ ବାଇପାସ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ବସଟି ଭୁବନେଶ୍ବରରୁ କୋଲିକାତା ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଛି  । ଗୁରୁତରଙ୍କୁ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି  । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ନକଲି ସାର୍ଟିଫିକେଟ ଦେଇ ୧୮ ବର୍ଷ ଶିକ୍ଷକ ଚାକିରି

କଟକ :  ନକଲି ସାର୍ଟିଫିକେଟ ଦେଇ ଶିକ୍ଷକଙ୍କ ଚାକିରି । ଶିକ୍ଷକଙ୍କ ବିରୋଧରେ ଏତଲା ଦେଲେ ବ୍ଲକ ଶିକ୍ଷାଧିକାରୀ । ଜାଲି ସାର୍ଟିଫିକେଟ ଦେଇ ଦୀର୍ଘ ୧୮ ବର୍ଷଧରି ସହକାରୀ ଶିକ୍ଷକ ଭାବେ କାର୍ଯ୍ୟକରୁଥିଲେ । କଟକ ଜିଲ୍ଲାର ବାଙ୍କୀ ଏନ.ଏ.ସିର ଶିଶୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଢଂସର ଗ୍ରାମର ବଳରାମ ପାଇକରାୟଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ବ୍ଲକ ଶିକ୍ଷାଧିକାରୀ । ଯାଞ୍ଚବେଳେ ତାଙ୍କ ମାର୍କସିଟ ନକଲି ଥିବା ଜଣାପଡିଥିଲା । ଏତଲା ଆଧାରରେ ବାଙ୍କୀ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଏନେଇ ଶିକ୍ଷକ ବଳରାମ ପାଇକରାୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଏସିଆନ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ୱର୍ଣ୍ଣ ଜିତିଲେ ରିଲାଏନ୍ସ ଫାଉଣ୍ଡେସନର ଜ୍ୟୋତି ୟାରାଜୀ

ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲା ଓଡ଼ିଶା ରିଲିଆନ୍ସ ଫାଉଣ୍ଡେସନ ହାଇ ପରଫରମାନ୍ସ ସେଣ୍ଟର। ଏସିଆନ ଅଥଲେଟିକ୍ସ ଚାମ୍ପିୟାନସିପରେ ସ୍ବର୍ଣ୍ଣ ପଦକ ହାସଲକରିଛନ୍ତି ଆଥଲେଟ୍ ଜ୍ୟୋତି ୟାରାଜୀ  । ୧୦୦ ମିଟର ହଡ଼ଲସରେ ଜ୍ୟୋତି ୟାରଜିଙ୍କୁ ମିଳିଛି ସ୍ବର୍ଣ୍ଣ ପଦକ ।

୨୩ ବର୍ଷୀୟ ଜ୍ୟୋତି ଫାଇନାଲରେ ୧୩.୦୯ସେକେଣ୍ଡରେ ଏହି ସଫଳତା ପାଇଛନ୍ତି । ତାଙ୍କ ସହ ଥିବା  ଦୁଇ ଜାପାନୀ ରନର୍ସ ଟେରଡା ଆସୁକା (୧୩.୧୩ ସେକେଣ୍ଡ) ଏବଂ ଆକି ମାସୁମୀ (୧୩.୨୬ ସେକେଣ୍ଡ)ଙ୍କୁ ସେ ପଛରେ ପକାଇଦେଇଥିଲେ  ।

ପୂର୍ବରୁ କେବଳ ଅନୁରୋଧ ବିଶ୍ୱାଳ ଓ ଜୟପାଲ ହେମଶ୍ରୀ ଭାରତରୁ ଏହି ଇଭେନ୍ତରେ ଯଥାକ୍ରମେ ୨୦୦୨ ଓ ୨୦୧୩ରେ ବ୍ରୋଞ୍ଜ ପଦକ ଜିତିଥିଲେ  । ଏସିଆନ ଅଥଲେଟିକ୍ସ ଚାମ୍ପିୟାନସିପରେ ପ୍ରଥମ ଭାରତୀୟ ମହିଳା ଆଥଲେଟ ଭାବେ ସେ ଏହି ଗୌରବ ଅର୍ଜନ କରିଛନ୍ତି ।  ଏହା ପୂର୍ବରୁ କୌଣସି ଭାରତୀୟ ମହିଳା ଆଥଲେଟ ଏସିଆନ ଆଥଲେଟିକ ଚାମ୍ପିୟାନସିପ ୧୦୦ ମିଟର ହଡ଼ଲସରେ ସ୍ବର୍ଣ୍ଣ ପଦକ ଜିତିନଥିଲେ । ଜ୍ୟୋତି ୟାରଜି କଳିଙ୍ଗ ଷ୍ଟାଡିଅମରେ ଥିବା ଓଡ଼ିଶା ରିଲିଆନ୍ସ ଫାଉଣ୍ଡେସନ ହାଇ ପରଫରମାନ୍ସ ସେଣ୍ଟରରେ ରହି ଅତ୍ୟାଧୁନିକ ଟ୍ରେନିଂ ନେଇଆସୁଥିଲେ ।

ସେ ପୂର୍ବରୁ ଜାତୀୟ ସ୍ତରରେ ଶ୍ରେଷ୍ଠ ମହିଳା ଆଥଲେଟ୍ ଭାବରେ ସମ୍ମାନିତ ହୋଇଥିଲେ ।  ଏଥିସହିତ ଅନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପରେ ସେ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୋପ୍ୟ ଜିତିଥିଲେ  । ସେ ପରବର୍ତ୍ତୀ ସମୟରେ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ୨୦୦ ମିଟର ଇଭେଣ୍ଟରେ ଭାଗ ନେବେ ବୋଲି ଜଣାପଡିଛି ।

ରିଲିଜ ହେବ ଓଡିଶାର ଖଣି ଖାଦାନର ପୃଷ୍ଠଭୂମିରେ ନିର୍ମିତ ନୂଆ ହିନ୍ଦୀ ଓ୍ବେବ ସିରିଜ

ଭୁବନେଶ୍ୱର : ଓଡିଶାର ଖଣି ଖାଦନର ପୃଷ୍ଠଭୂମିରେ ନିର୍ମିତ ନୂଆ ହିନ୍ଦୀ ଓ୍ବେବ ସିରିଜ ଜେଙ୍ଗାବୁରୁ କର୍ସ ଅଗଷ୍ଟ ୯ ତାରିଖରେ ରିଲିଜ ହେବ। ଓଟିଟି ପ୍ଳାଟଫର୍ମ ସୋନି ଲିଭରେ ପ୍ରସାରିତ ହେବ ଏହି ବ୍ୟୟବହୁଳ ୱେବସିରିଜ୍ । ମୟଙ୍କ ତିଓ୍ବାରୀଙ୍କ କାହାଣୀକୁ ଚିତ୍ରନାଟ୍ୟର ରୂପ ଦେଇଛନ୍ତି ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ।

ଜେଙ୍ଗାବୁରୁ କର୍ସର ଅଧିକାଂଶ ସିନ୍ ଓଡ଼ିଶାର ଏକ ଖଣିଖାଦାନ ଅଞ୍ଚଳରେ ସୁଟିଂ ହୋଇଛି । କ୍ରାଇମଥ୍ରୀଲରର କାହାଣୀ ମୂଳତଃ ଓଡ଼ିଶାର ଖଣି ଇଲାକାର ଏକ ରହସ୍ୟମୟ ମୂଲ୍ୟବାନ ପଥରକୁ ନେଇ ଗତିଶୀଳ । ଫିଲ୍ମରେ ଦର୍ଶାଯାଇଛି ଯେ, ଲଣ୍ଡନରେ ରହୁଥିବା ଆର୍ଥିକ ବିଶ୍ଳେଷକ ପ୍ରିୟା ଦାଶଙ୍କ ପ୍ରଫେସର ବାପା ନିଖୋଜ ହୋଇଯିବା ପରେ ନିଜ ରାଜ୍ୟକୁ ଫେରିବାକୁ ବାଧ୍ୟ ହେଉଛନ୍ତି ।

ବାପାଙ୍କୁ ଖୋଜିବା ଅଭିଯାନ ଭିତରେ ସେ ଆବିଷ୍କାର କରୁଛନ୍ତି ଏକ ଅଜବ ଆତଙ୍କିତ କାହାଣୀକୁ । ଗତବର୍ଷ ଡିସେମ୍ବର ମାସରେ ଜେଙ୍ଗାବୁରୁ କର୍ସର ଟିମ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସୈଜନ୍ୟମୂଳକ ସାକ୍ଷାତ କରିଥିଲେ । ନିର୍ଦ୍ଦେଶକ ନୀଳମାଧବ ପଣ୍ଡା କହିଛନ୍ତି ଏହା ଦେଶର ପ୍ରଥମ କ୍ଳାଇଫାଇ ସିରିଜ୍ ଅର୍ଥାତ୍ କ୍ଳାଇମେଟ୍ ଚେଞ୍ଜ ଉପରେ ପର୍ଯ୍ୟବେଶିତ କାହାଣୀ ।

ବିକାଶର ବ୍ରାଣ୍ଡ ପାଲଟିଛନ୍ତି ନବୀନ ; ଷଷ୍ଠ ଥର ସିଂହାସନରେ ବସାଇବାକୁ ବିଜେଡି ବଦ୍ଧ ପରିକର

ଭୁବନେଶ୍ବର : ଆଜି ଭୁବନେଶ୍ବର ଓ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ସାଙ୍ଗଠିକ ଜିଲ୍ଲା ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ, ବିଧାୟକ ଓ ସାଂସଦଙ୍କ ସମେତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି ଖୋର୍ଦ୍ଧା ଜିଲ୍ଲାରୁ ହିଁ ଅଭିଯାନ ଆରମ୍ଭ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଫୋକସରେ ରହିବ ଜିଲ୍ଲାର ଏକ ହଜାର ବୁଥ୍ ।

ଶୃଙ୍ଖଳା, ସେବା ଓ ସମର୍ପଣ ବଳରେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି ନବୀନ ପଟ୍ଟନାୟକ । ତାଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଖୋର୍ଦ୍ଧା ଜିଲ୍ଲାରୁ ଆରମ୍ଭ ହେବ ବିଜେଡିର କସରତ । ଦଳୀୟ ନେତା ଓ କର୍ମୀଙ୍କୁ ଭଲ କାମ କରି ନବୀନଙ୍କ ଛବିକୁ ଆହୁରି ଉଜ୍ଜ୍ବଳ ରଖିବାକୁ ଭୁବନେଶ୍ବର ଓ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ପରାମର୍ଶ ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଖୋର୍ଦ୍ଧା ଜିଲ୍ଲାରେ ୮ଟି ବିଧାନସଭା କ୍ଷେତ୍ର ସମେତ ଭୁବନେଶ୍ବର ଲୋକସଭା କ୍ଷେତ୍ର ରହିଛି । ୨୦୧୯ରେ ଜଟଣୀ ବିଧାନସଭା ସମେତ ଭୁବନେଶ୍ବର ଲୋକସଭାରେ ପରାଜିତ ହୋଇଥିଲା ବିଜେଡି । ହେଲେ ଗତ ଥରର ତ୍ରୁଟିକୁ ସୁଧାରିବା ପାଇଁ ଦଳ କାମ ଆରମ୍ଭ କରିଛି । ୱାର୍ଡରୁ ବୁଥ୍ ସ୍ତର ଯାଏ କାର୍ଯ୍ୟକ୍ରମ କରାଯାଉଛି । ଯେଉଁଥିରେ ଅତି ଭଲ, ଭଲ ଓ ଅଧିକ ପରିଶ୍ରମ ଆବଶ୍ୟକ ବୁଥ୍ ଭାବେ ବିଭାଜନ କରାଯାଇଛି । ଭଲ ଓ ଅଧିକ ପରିଶ୍ରମ ଆବଶ୍ୟକ ଥିବା ଖୋର୍ଦ୍ଧା ଜିଲ୍ଲାର ଏକ ହଜାର ବୁଥକୁ ଫୋକସରେ ରଖି କାମ କରାଯାଉଛି ।

ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ; ଉପରମୁଣ୍ଡରେ ବଢୁଛି ନଦୀର ଜଳସ୍ତର

ହିମାଚଳପ୍ରଦେଶ : ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ବର୍ଷା । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ସବୁ ନଦୀର ଜଳସ୍ଥର । ମାଡିଆସୁଛି ଗୋଳିଆ ପାଣି । ଏପରିକି କିଛି ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାହାଡି ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ଭୂସ୍ଖଳନ ହେଉଛି ।

ବର୍ଷା ଓ ଭୂସ୍ଖଳନରେ ହିମାଚଳ ପ୍ରଦେଶରେ ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ମାତ୍ର ଚାରିଦିନ ମଧ୍ୟରେ ୩୯ ଲୋକଙ୍କ ମୃତ୍ୟୁ ହୋଇଛି । ଏବେ ବି ଅନେକ ଲୋକ ପାଣି ଘେରରେ ଫସି ରହିଛନ୍ତି । ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ଫସିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଉଛି । ଭୟଙ୍କର ବିପର୍ଯ୍ୟୟରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସବୁ ବିଭାଗକୁ ଆଲର୍ଟ କରିଛନ୍ତି ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଛୁଟି ବାତିଲ କରାଯିବା ସହ ୨୪ ଘଣ୍ଟା କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।