ବିକାଶର ବ୍ରାଣ୍ଡ ପାଲଟିଛନ୍ତି ନବୀନ ; ଷଷ୍ଠ ଥର ସିଂହାସନରେ ବସାଇବାକୁ ବିଜେଡି ବଦ୍ଧ ପରିକର

ଭୁବନେଶ୍ବର : ଆଜି ଭୁବନେଶ୍ବର ଓ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ସାଙ୍ଗଠିକ ଜିଲ୍ଲା ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ, ବିଧାୟକ ଓ ସାଂସଦଙ୍କ ସମେତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି ଖୋର୍ଦ୍ଧା ଜିଲ୍ଲାରୁ ହିଁ ଅଭିଯାନ ଆରମ୍ଭ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଫୋକସରେ ରହିବ ଜିଲ୍ଲାର ଏକ ହଜାର ବୁଥ୍ ।

ଶୃଙ୍ଖଳା, ସେବା ଓ ସମର୍ପଣ ବଳରେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି ନବୀନ ପଟ୍ଟନାୟକ । ତାଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଖୋର୍ଦ୍ଧା ଜିଲ୍ଲାରୁ ଆରମ୍ଭ ହେବ ବିଜେଡିର କସରତ । ଦଳୀୟ ନେତା ଓ କର୍ମୀଙ୍କୁ ଭଲ କାମ କରି ନବୀନଙ୍କ ଛବିକୁ ଆହୁରି ଉଜ୍ଜ୍ବଳ ରଖିବାକୁ ଭୁବନେଶ୍ବର ଓ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ପରାମର୍ଶ ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଖୋର୍ଦ୍ଧା ଜିଲ୍ଲାରେ ୮ଟି ବିଧାନସଭା କ୍ଷେତ୍ର ସମେତ ଭୁବନେଶ୍ବର ଲୋକସଭା କ୍ଷେତ୍ର ରହିଛି । ୨୦୧୯ରେ ଜଟଣୀ ବିଧାନସଭା ସମେତ ଭୁବନେଶ୍ବର ଲୋକସଭାରେ ପରାଜିତ ହୋଇଥିଲା ବିଜେଡି । ହେଲେ ଗତ ଥରର ତ୍ରୁଟିକୁ ସୁଧାରିବା ପାଇଁ ଦଳ କାମ ଆରମ୍ଭ କରିଛି । ୱାର୍ଡରୁ ବୁଥ୍ ସ୍ତର ଯାଏ କାର୍ଯ୍ୟକ୍ରମ କରାଯାଉଛି । ଯେଉଁଥିରେ ଅତି ଭଲ, ଭଲ ଓ ଅଧିକ ପରିଶ୍ରମ ଆବଶ୍ୟକ ବୁଥ୍ ଭାବେ ବିଭାଜନ କରାଯାଇଛି । ଭଲ ଓ ଅଧିକ ପରିଶ୍ରମ ଆବଶ୍ୟକ ଥିବା ଖୋର୍ଦ୍ଧା ଜିଲ୍ଲାର ଏକ ହଜାର ବୁଥକୁ ଫୋକସରେ ରଖି କାମ କରାଯାଉଛି ।