spot_img
Home Blog Page 28

ସାରା ଦେଶରେ ନେତାଜୀ ଜୟନ୍ତୀ ପାଳିତ; ଫିଲାଟେଲି ଗ୍ୟାଲେରୀ ଓ ନୂତନ ସଂସ୍କୃତି ଭବନ ଉଦଘାଟନ

ସାରା ଦେଶରେ ନେତାଜୀ ଜୟନ୍ତୀ ପାଳିତ; ଫିଲାଟେଲି ଗ୍ୟାଲେରୀ ଓ ନୂତନ ସଂସ୍କୃତି ଭବନ ଉଦଘାଟନ

ନନ୍ଦିଘୋଷ ବ୍ୟୁରୋ: ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭାରତ ପ୍ରତି ତାଙ୍କ ଅବଦାନକୁ ମନେ ପକାଇଲେ ଉପରାଷ୍ଟ୍ରପତି । ଆଜି ନେତାଜୀ ଜୟନ୍ତୀରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ କଟକ ଓଡ଼ିଆ ବଜାର ସ୍ଥିତ ସଂଗ୍ରହାଳୟ ବୁଲି ଦେଖିଛନ୍ତି ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ । ସକାଳୁ ସକାଳୁ ବିଜେଡିର ବହୁ ନେତା ଓ କର୍ମୀ ଗୌରିଶଙ୍କର ପାର୍କରୁ ଏକ ଶୋଭାଯାତ୍ରାରେ ନେତାଜୀ ସଂଗ୍ରହାଳୟକୁ ଯାଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ଉପନିବେଶବାଦ ବିରୋଧରେ ନେତାଜୀଙ୍କ ଲଢ଼େଇକୁ ମନେ ରଖିଛି ଦେଶ । ତାଙ୍କ ଦେଶଭକ୍ତି ଓ ବିରତ୍ବ ପାଇଁ ଭାରତ ଆଜି ଗର୍ବିତ । ତାଙ୍କର ଆଦର୍ଶ ଓ ଅବଦାନକୁ ଦେଶବାସୀ ମନେ ରଖିଛନ୍ତି । ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ । ନେତାଜୀଙ୍କ ୧୨୯ ତମ ଜୟନ୍ତୀ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ଜନ୍ମସ୍ଥାନ ସଂଗ୍ରହାଳୟରେ କଡ଼ା ସୁରକ୍ଷା ବଳୟରେ ପହଞ୍ଚିଥିଲେ ଉପରାଷ୍ଟ୍ରପତି । ୨୦ ମିନିଟ ଧରି ସଂଗ୍ରହାଳୟର ୧୨ଟି ଗ୍ୟାଲେରୀ ପରିଦର୍ଶନ କରିବା ସହ ଫିଲାଟେଲି ଗ୍ୟାଲେରୀ ଓ ନୂତନ ନେତାଜୀ ସଂସ୍କୃତି ଭବନ ଉଦଘାଟନ କରିଥିଲେ । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ନେତାଜୀ ସଂଗ୍ରହାଳୟ ବୁଲି ଦେଖିଥିଲେ ।

ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ରୂପେ ପାଳନ କରୁଛି ବିଜେଡି । ଏହି ଅବସରରେ ସକାଳୁ ସକାଳୁ ବିଜେଡିର ବହୁ ବରିଷ୍ଠ ଓ ଯୁବନେତା କଟକ ଗୌରୀଶଙ୍କର ପାର୍କରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ସଂଗ୍ରହାଳୟରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ନେତାଜୀ ଅମର ରହେ ନାରାନେ ପ୍ରକମ୍ପିତ ହୋଇଥିଲା ସଂଗ୍ରହାଳୟ । ଆଜିର ଯୁବପିଢ଼ି ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଦଳୀୟ ନେତା ଆହ୍ବାନ ଦେଇଥିଲେ ।

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ଦିନ ଗୋଟାଏ ପରେ ସଂଗ୍ରହାଳୟରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଦଶାବତାର ମୂର୍ତ୍ତି ସ୍ଥାପନ ବିବାଦ: ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଜଗନ୍ନାଥ ସେନା ଖୋଲା ଚେତାବନୀ

ଦଶାବତାର ମୂର୍ତ୍ତି ସ୍ଥାପନ ବିବାଦ: ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଜଗନ୍ନାଥ ସେନା ଖୋଲା ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ତେଜିଲା ଶ୍ରୀମନ୍ଦିର ଦଶାବତାର ମୂର୍ତ୍ତି ବିବାଦ । ୨୦୧୨ରେ ଚୂନ ଛଡ଼ାଯିବା ସମୟରେ ଶ୍ରୀମନ୍ଦିର ଗୁମୁଟରୁ କଢ଼ା ଯାଇଥିଲା ଚୂନରେ ନିର୍ମିତ ଏହି ମୂର୍ତ୍ତି । ନବନ ସ୍ଥାନରେ ବୁଦ୍ଧ ରହିବେ ନା ଶ୍ରୀଜଗନ୍ନାଥ ତାକୁ ନେଇ ବିବାଦ ଦେଖା ଦେବା ପରେ ୬ ବର୍ଷ ହେଲା ସ୍ଥାପନ ହୋଇ ପାରିନାହିଁ । ଆଜି ନୂତନ ଭାବେ ନିର୍ମିତ ପଥର ମୂର୍ତ୍ତିକୁ ଆଣି ରଖିବା ସହ ଏହାକୁ ତୁରନ୍ତ ସ୍ଥାପନ କରିବାକୁ ଦାବି କରିଛି ଶ୍ରୀଜନ୍ନାଥ ସେନା । ଏକ ମାସ ଭିତରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଏହାକୁ ସ୍ଥାପନ ନକଲେ ସେନା ନିଜେ ଏହାକୁ ଲଗାଇବ ବୋଲି ଚେତାବନୀ ଦେଇଛି ।

୬ ବର୍ଷ ହେଲା ସ୍ଥାପନ ହୋଇ ପାରୁ ନାହାନ୍ତି ଦଶାବତାର ମୂର୍ତ୍ତି । ଚୂନ ଛଡ଼ାଯିବା ସମୟରେ ୨୦୧୨ରେ କଢ଼ାଯାଇଥିଲା ଚୂନ ମୂର୍ତ୍ତି । ବୀର ହରେକୃଷ୍ଣପୁରରେ ପଥର ମୂର୍ତ୍ତି ନିର୍ମାଣ ସରିଥିଲେ ବି ହେଉଛି ବିଳମ୍ବ । ସିଂହଦ୍ବାର ଆଗରେ ମୂର୍ତ୍ତି ରଖି ଜଗନ୍ନାଥ ସେନାର ପ୍ରତିବାଦ । ଦଶାବତାର ମୂର୍ତ୍ତିର ନବମ ଅବତାରରେ ବୁଦ୍ଧ ରହିବେ ନା ଜଗନ୍ନାଥ ? ଏହାକୁ ନେଇ ବିବାଦ ପରେ ୬ ବର୍ଷ ହେଲା ପୂର୍ଣ୍ଣାଙ୍ଗ ହେଉନି ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ । ୨୦୧୨ରେ ଏଏସଆଇ ମରାମତି କରିବା ବେଳେ ଚୂନର ମୂର୍ତ୍ତିକୁ କଢ଼ା ଯାଇଥିଲା । ପରିଚାଳନା କମିଟିରେ ଶଙ୍କରାଚାର୍ଯ୍ୟ ବିବାଦର ସମାଧାନ କରିବା ପରେ ଏହାକୁ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ମୂର୍ତ୍ତି ସ୍ଥାପନର ବିଳମ୍ବ ଯୋଗୁଁ ତେଜିଛି ଅସନ୍ତୋଷ । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପ୍ରସ୍ତୁତ ହୋଇ ରହିଥିବା ମୂର୍ତ୍ତିକୁ ସିଂହଦ୍ଵାର ସମ୍ମୁଖରେ ରଖାଯାଇ ଏହାକୁ ତୁରନ୍ତ ସ୍ଥାପନ କରିବାକୁ ଦାବି ହୋଇଛି ।

ଚୂନ ମୂର୍ତ୍ତି ଭାଙ୍ଗିରୁଜି ଯାଇଥିବାରୁ ୩୫ ହଜାର ଟଙ୍କା ବ୍ୟୟରେ ବୀର ହରେକୃଷ୍ଣପୁରରେ ମୂର୍ତ୍ତି କାରିଗର ମହେନ୍ଦ୍ର ସାମଲଙ୍କୁ ଅବିକଳ ପଥର ମୂର୍ତ୍ତି ନିର୍ମାଣ କରିବାକୁ କୁହାଯାଇଥିଲା । ତେବେ ବିବାଦ ଯୋଗୁଁ ଶିଳ୍ପୀଙ୍କ ଦିଆଯାଇ ନଥିଲା ପ୍ରାପ୍ୟ । ୨୦୨୩ରେ ଶ୍ରୀଜଗନ୍ନାଥ ସେନା ନିଜସ୍ଵ ଉଦ୍ୟମରେ ଟଙ୍କା ଦେଇ ଏହାକୁ ତିଆରି କରାଇଥିଲା । ତେବେ ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହାକୁ ପ୍ରତିଷ୍ଠା କରାଯାଇ ପାରିନାହିଁ । ତେଣୁ ସିଂହଦ୍ଵାର ସମ୍ମୁଖରେ ମୂର୍ତ୍ତିକୁ ରଖି ପୂଜାର୍ଚ୍ଚନା କରିଛି ଜଗନ୍ନାଥ ସେନା । ସେପଟେ ଖୁବଶୀଘ୍ର ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ ବିହିତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।

ବଲାଙ୍ଗୀରରେ ମଣ୍ଡି ସମସ୍ୟାର ନାହିଁ ଅନ୍ତ, ଏଜେଣ୍ଟ, ଦଲାଲ ନିର୍ଦ୍ଧାରଣ କରୁଛନ୍ତି ଚାଷୀଙ୍କ ଭାଗ୍ୟ

ବଲାଙ୍ଗୀରରେ ମଣ୍ଡି ସମସ୍ୟାର ନାହିଁ ଅନ୍ତ, ଏଜେଣ୍ଟ, ଦଲାଲ ନିର୍ଦ୍ଧାରଣ କରୁଛନ୍ତି ଚାଷୀଙ୍କ ଭାଗ୍ୟ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାରେ ସୁଧୁରୁନି ମଣ୍ଡି ସମସ୍ୟା । ମିଲର୍ସଙ୍କ ମନମାନି ଯୋଗୁଁ ଉଠି ପାରୁନି ଧାନ । ପେକ୍ସରେ ହଜାର ହଜାର ବସ୍ତା ଧାନ ପଡି ରହିଥିବାବେଳେ ଶୀତ କାକରରେ ଜଗି ରହିଛନ୍ତି ଚାଷୀ । ଏଜେଣ୍ଟ ଓ ଦଲାଲ କରୁଛନ୍ତି ଚାଷୀଙ୍କ ଭାଗ୍ୟ ନିର୍ଦ୍ଧାରଣ I ଜିଲ୍ଲାର ପୁଇଁତଳା ପ୍ରାଥମିକ ସମବାୟ ସମିତିରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ।

ଶୀତ କାକରରେ ନିଜ ଧାନକୁ ସୁରକ୍ଷା ଦେଉଛନ୍ତି ଚାଷୀ । କିଏ ଜରି ପାଲ ପକାଇ ରଖିଛି ତ କାହାର ଖୋଲା ଆକାଶ ତଳେ ପଡ଼ିଛି ବସ୍ତା ବସ୍ତା ଧାନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିଲେ ସୁଦ୍ଧା ୧୫ ଦିନ ପରେ ଖୋଲାଯାଇଛି ଏହି ମଣ୍ଡି । କିନ୍ତୁ ମିଲର୍ସଙ୍କ ମନମାନି ଯୋଗୁଁ ବାହାରେ ଗଦା ହୋଇ ରହିଛି ହଜାର ହଜାର ବସ୍ତା ଧାନ । ଜିଲ୍ଲାରେ ଆଜିକୁ ୪୬ ଦିନ ହେଲା ଧାନ କିଣା ପ୍ରକ୍ରିୟା ଚାଲିଥିଲେ ସୁଦ୍ଧା ୫୦ ପ୍ରତିଶତ ଚାଷୀଙ୍କ ଧାନ କିଣା ହୋଇପାରି ନଥିବା ଅଭିଯୋଗ ହୋଇଛି I

ଡିସେମ୍ବର ୫ରେ ଜିଲ୍ଲାରେ ଆରମ୍ଭ ହୋଇଥିଲା ଧାନକିଣା ପ୍ରକ୍ରିୟା । ଜିଲ୍ଲାର ଏକ ଲକ୍ଷ ୫ ହଜାର ୩୧ ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଛନ୍ତି I ୧୮୦ ମଣ୍ଡି ମାଧ୍ୟମରେ ଯୋଗାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ କରାଯାଉଛି I କିନ୍ତୁ ଅବ୍ୟବସ୍ଥା ଯୋଗୁଁ କିଛି ଚାଷୀଙ୍କ ଟୋକନ ଲାପ୍ସ ହୋଇ ଯାଇଥିବାବେଳେ ଅନେକଙ୍କ ଟୋକନ ଆସିନି । ଶୀତ କାକରରେ ପଡ଼ି ଧାନର ଆଦ୍ରତା କମୁଥିବାରୁ ୩ ରୁ ୮ କେଜି ପର୍ଯ୍ୟନ୍ତ କଟନୀ ଛଟନୀ କରାଯାଉଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ଅଖା ବସ୍ତା ହଡପ ସହ ଧାନ ଲୋଡିଂ ଅନଲୋଡିଂ ପାଇଁ ଟଙ୍କା ଦାବି କରାଯାଉଛି । ଏପରି ସ୍ଥିତିରେ ଏଜେଣ୍ଟ ଓ ଦଲାଲ ନିର୍ଦ୍ଧାରଣ କରୁଛନ୍ତି ଚାଷୀଙ୍କ ଭାଗ୍ୟ । ସେପଟେ ପେକ୍ସ ଅଧିକାରୀ କହୁଛନ୍ତି, ସବୁ ଠିକ୍ ଚାଲିଛି ।

ମୋଦିଙ୍କ ପରେ ଜିନପିଙ୍ଗଙ୍କୁ ଲୁଲାଙ୍କ ଫୋନ୍ କଲ୍, ଆମେରିକା ବିରୋଧରେ ଚାଲିଛି କି ବଡ଼ ଯୋଜନା ?

ମୋଦିଙ୍କ ପରେ ଜିନପିଙ୍ଗଙ୍କୁ ଲୁଲାଙ୍କ ଫୋନ୍ କଲ୍, ଆମେରିକା ବିରୋଧରେ ଚାଲିଛି କି ବଡ଼ ଯୋଜନା ?

ନନ୍ଦିଘୋଷ ବ୍ୟୁରୋ: ଆମେରିକାକୁ ତା’ର ଔକାତ ଦେଖାଇବାକୁ ଚାଲିଛି କି ବଡ଼ ଯୋଜନା ? ପରଦା ପଛରେ ଆମେରିକାକୁ ଘେରିବାକୁ ପ୍ରସ୍ତୁତ ହେଉଛି କି ବ୍ଲୁ ପ୍ରିଣ୍ଟ ? ବ୍ରାଜିଲ ରାଷ୍ଟ୍ରପତିଙ୍କ ମନରେ କ’ଣ ଚାଲିଛି ? ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିବା ପରେ କାହିଁକି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଲଗାଇଲେ ଫୋନ୍ ?

ଏମିତି କିଛି ପ୍ରଶ୍ନ ଏବେ ଜିଓ ପଲିଟିକ୍ସରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ମିଳିଥିବା ସୂଚନା ଅନୁସାରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲଭା ଶୁକ୍ରବାର ୧୨ ଘଣ୍ଟା ଅନ୍ତରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଛନ୍ତି । ସାରା ଦୁନିଆ ଡାଭୋସ ଉପରେ ନଜର ରଖିଥିବା ବେଳେ ଲୁଲାଙ୍କ ଫୋନ କଲ୍ ଚର୍ଚ୍ଚାକୁ ଆସିଛି ।

ଶୁକ୍ରବାର ଡାଭୋସରେ ଓ୍ବାଲ୍ଡ ଇକୋନୋମିକ ଫୋରମର ୫ ଦିନିଆ ବୈଠକ ଶୁକ୍ରବାର ସମାପ୍ତ ହୋଇଛି । ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରମ, ନାଟୋ ପ୍ରମୁଖ ମାର୍କ ରୁଟଙ୍କ ପରି ବଡ଼ ନେତା ସାମିଲ ହୋଇଥିଲେ । ଏଥିରେ ଗାଜା ସିପ୍ ବୋର୍ଡର ସ୍ଥାପନା ହୋଇଛି ।

ଭାରତ ଓ ଚୀନକୁ କାହିଁକି ଫୋନ କଲେ ଲୁଲା ?

ଲୁଲା ଡି ସେଲଭା ମୋଦିଙ୍କ ସହ ଫୋନରେ କଥା ହୋଇଚନ୍ତି । ୬ ମାସ ମଧ୍ୟରେ ମୋଦିଙ୍କ ସହ ଏହା ତାଙ୍କର ତୃତୀୟ ଆଲୋଚନା । ଉଭୟ ନେତା ଭାରତ-ବ୍ରାଜିଲ ରଣନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବାକୁ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଦୁଇ ନେତା ବ୍ୟବସାୟ ଓ ନିବେଶ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଶକ୍ତି, ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ହୋଇଥିବା ପ୍ରଜତିକୁ ନେଇ ଆଲୋଚନା କରିଥିଲେ ।

କେବଳ ମୋଦି ନୁହଁନ୍ତି, ଲୁଲା ଡି ସିଲଭା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବି ଫୋନ କରି କଥା ହୋଇଛନ୍ତି । ଉଭୟ ନେତା ଏକାଧିକ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ଚୀନ ବୈଦେଶିକ ମନ୍ତ୍ରାଳୟ ଅନୁସାରେ ଜଟିଳ ସ୍ଥିତିରେ ବି ସମର୍ଥନ ଦେବାକୁ ଜିନିପଙ୍ଗ ଲୁଲାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଲୁଲାଙ୍କ ମନରେ କ’ଣ ଚାଲିଛି ?

ମୋଦି ଓ ଜିନପିଙ୍ଗଙ୍କ ସହ ଲୁଲାଙ୍କ ଅଧିକାରିକ ବୟାନ ଯାହା ବି ହୋଇ ଥାଉନା କାହିଁକି, ଆଲୋଚନର ସମୟକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ଆମେରିକା ଏହି ଏବେ ବ୍ରିକ୍ସ ଦେଶଙ୍କ ଉପରେ ନଜର ରଖିଛି । ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ନିଜ ବୟାନରେ ବ୍ରିକ୍ସ ଦେଶଙ୍କୁ ଟାର୍ଗେଟ କରୁଛନ୍ତି ।

ଲୁଲା ଡି ସିଲଭା ଜିନପିଙ୍ଗଙ୍କ ସହ ଆଲୋଚନା ବେଳେ ବୈଶ୍ବିକ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ବିଶ୍ବରେ ଶାନ୍ତି ଆଣିବା ଓ ସୂଚାରୁ ରୂପେ ପରିଚାଳନା ନେଇ ଦୁଇ ନେତା ଆଲୋଚନା କରିଛନ୍ତି । ଏହାକୁ ଆଧାର କରି ଗୋଟିଏ ଦିନ ପୂର୍ବରୁ ଚୀନ ଗାଜା ପିସ ବୋର୍ଡରେ ସାମିଲ ହେବାକୁ ମନା କରିଥିଲା । କୁହାଯାଉଛି, ଏହି ତଥ୍ୟକୁ ଆଧାର କରି ବ୍ରାଜିଲ ଆମେରିକାକୁ ବ୍ୟାକଫୁଟକୁ ନେବାକୁ ଚେଷ୍ଟା କରୁଛି ।

ବ୍ରିକ୍ସକୁ ଦୃଢ଼ କରିବାକୁ ପୂରା ଦମ୍ ଲଗାଇ ଦେଇଛନ୍ତି ଲୁଲା । ବ୍ରିକ୍ସର ସ୍ଥାପନାରେ ବ୍ରରଜିଲର ପ୍ରମୁଖ ଭୂମିକା ରହିଛି । ଏହି କାରଣରୁ ବ୍ରାଜିଲ ସବୁବେଳେ ଆମେରିକାର ଟାର୍ଗେଟରେ ରହି ଆସିଛି । ନିକଟରେ ଭାରତ ଏକ ପ୍ରସ୍ତାବ ଦେଇଥିଲା ଯେଉଁଥିରେ ସବୁ ଦେଶଙ୍କ ଡିଜିଟାଲ କରେନ୍ସିକୁ ଯୋଡ଼ିବାକୁ କୁହାଯାଇଥିଲା ।

ଲାଟିନ ଆମେରିକା ନିକୋଲସ ମାଦୁରୋଙ୍କ ମାମଲାକୁ ନେଇ ଲୁଲାଙ୍କ ଉପରେ ଚାପ ବଢ଼ାଇବାରେ ଲାଗିଛନ୍ତି । ଭେନେଜୁଆଲା ଉପରେ ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପରେ ବ୍ରାଜିଲ ସୀମା ବିପଦକୁ ଆସିଯାଇଛି । ଆଉ ଏହି କାରଣରୁ ଲୁଲା ଏବେଠାରୁ ନିଜକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ।

ଝିଅ ହେବାରୁ ବୋହୂକୁ ପୋଡି ମାରିଦେବାକୁ ଉଦ୍ୟମ ; ଅଳ୍ପକେ ବର୍ତ୍ତିଲେ ବୋହୂ ଓ ନାତୁଣୀ

ନନ୍ଦିଘୋଷ ବ୍ୟୁରୋ : ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଅଭାବନୀୟ ଘଟଣା l ଝିଅ ହେବାରୁ ବୋହୂକୁ ପୋଡି ମାରିଦେବାକୁ ଉଦ୍ୟମ l ଅଳ୍ପକେ ବର୍ତ୍ତିଲେ ବୋହୂ ଓ ନାତୁଣୀ l ଗତକାଲି ବିଳମ୍ବିତ ରାତ୍ରି ରେ ବୋହୂ ଶୋଇଥିବା ସମୟରେ ଶ୍ଵଶୁର ଗାଁ ଛକରୁ ଏକ ଲିଟର ପେଟ୍ରୋଲ କିଣି ଆଣି ବିଛଣାରେ ଢାଳି ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି। l ଘର ଭିତରେ ଥିବା ସମସ୍ତ ଆସବାପତ୍ର ପୋଡି ଯାଇଥିବା ବେଳେ ବୋହୂ ଖସି ଆସି ରାତିଯାକ ବାହାରେ ସମୟ କାଟିଥିବା ଜଣାଯାଇଛି l ୮ ବର୍ଷ ତଳେ ନିଶ୍ଚିନ୍ତକୋଇଲି ବାଲିପଡ଼ା ଗ୍ରାମର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗ୍ରାମର ଶୁଶାନ୍ତ ରାୟଙ୍କୁ ବିବାହ କରିଥିଲେ l ଶୁଶାନ୍ତଙ୍କର ପ୍ରଥମ ପତ୍ନୀ ଦୁଇଟି ଝିଅ ଥିଲା l ଦ୍ଵିତୀୟ ପତ୍ନୀର ଗୋଟିଏ ଝିଅ ହେବାରୁ ତାକୁ ବାରମ୍ବାର ଶାଶୂ, ଶ୍ଵଶୁର, ସ୍ୱାମୀ ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ l

ଭୁବନେଶ୍ବର ମଞ୍ଚେଶ୍ବରରେ ଥର ଆତଙ୍କ ; ଭଡା ଗାଡ଼ିରେ ଭାଇଗିରି ଦେଖାଇଲେ ଯୁବକ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବର ମଞ୍ଚେଶ୍ବରରେ ଥର ଆତଙ୍କ । ଭଡା ଗାଡ଼ିରେ ଭାଇଗିରି ଦେଖାଇଲେ ଯୁବକ । ଥର ଉପରେ ଚଢ଼ିଲେ, ନାଚିଲେ ଆଉ ଶୋଇପଡିଲେ । ନିଶାସକ୍ତ ଅବସ୍ଥାରେ ରାଜରାସ୍ତାରେ ଘଟାଇଲେ ନାରକୀୟ କାଣ୍ଡ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏକ୍ସକ୍ଲୁସିଭ ଭିଜୁଆଲ । ଆଶିଷ ମିଶ୍ର ନାମକ ଜଣେ ଯୁବକ ଭାଇରାଲ ଭିଡିଓକୁ ‘X ‘ ଆକାଉଣ୍ଟରେ ପକାଇବା ପରେ ପୋଲିସ ଗାଡିକୁ ସିଜ କରିଛି । ତେବେ ଭାଇରାଲ ଭିଡିଓରେ ନମ୍ବର ଟ୍ୟାମ୍ପର କରି ଯୁବକ ମାନେ ଉନ୍ମତ୍ତ କାଣ୍ଡ ଭିଆଉଥିବା ଦେଖାଯାଇଛି । ନମ୍ବର ପ୍ଲେଟ ଉପରେ ଷ୍ଟିକର ଲଗାଇ ପୋଲିସକୁ ଚକମା ଦେବାପାଇଁ ଭରପୁର ଉଦ୍ୟମ କରାଯାଇଥିବା ଦେଖାଦେଇଛି । ଥର ଗାଡ଼ିରେ ବାରମ୍ବାର ଏଭଳି ଘଟଣା ଏବେ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

 

ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ନନ୍ଦିଘୋଷ ବ୍ୟୁରୋ:  ଆଜି ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ  ଜୟନ୍ତୀ । ନେତାଜୀ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମହାନ ସ୍ବାଧୀନତା ସଂଗ୍ରାମୀ, ଓଡ଼ିଶାର ବରପୁତ୍ର ନେତାଜୀ ସୁୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ । ନେତାଜୀଙ୍କ ସ୍ବାଧୀନତାର ମୂଲ୍ୟବୋଧ ଓ କ୍ରାନ୍ତିକାରୀ ସଂଗ୍ରାମ ପ୍ରତିଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ । ଅଦମ୍ୟ ସାହସ ଓ ମାଟି ମା’ର ସେବାରେ ଉତ୍ସର୍ଗୀକୃତ ତ୍ୟାଗ ପାଇଁ ସେ ଚିରନମସ୍ୟ ବୋଲି ନବୀନ କହିଛନ୍ତି ।

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ ; ଦୀର୍ଘ ୧୨ ଘଣ୍ଟା ପରେ ଉଦ୍ଧାର କଲା ବନ ବିଭାଗ

ନନ୍ଦିଘୋଷ ବ୍ୟୁରୋ : ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ । ଦୀର୍ଘ ୧୨ ଘଣ୍ଟା ପରେ ଉଦ୍ଧାର କଲା ବନ ବିଭାଗ  I ଅନୁଗୁଳ ଜିଲ୍ଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନଖଣ୍ଡ ହରିପୁର ଗ୍ରାମ ନିକଟରେ ବିଛାଯାଇଥିଲା ମାଛ ଜାଲ । ଏହି ଜାଲରେ ଛନ୍ଦି ହୋଇ ପାଣି ଭିତରେ ଫସି ରହିଥିଲା ହାତୀ ଛୁଆ । ଦୀର୍ଘ ୧୨ ଘଣ୍ଟାର କସରତ ପରେ ଛୁଆ ହାତୀକୁ ସୁରକ୍ଷିତ ପାଣିରୁ ଉଦ୍ଧାର କରିଛି ବନ ବିଭାଗ ।କିଛିଦିନ ହେବ ୧୧ ଟିକିଆ ହାତୀ ପଲ ଚସାଗୁରୁଜାଙ୍ଗ ଓ ପବିତ୍ରପୁର ପଞ୍ଚାୟତର ବିଭିନ୍ନ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ । ଗତକାଲି ସନ୍ଧ୍ୟା ସମୟରେ ପବିତ୍ରପୁର ପଞ୍ଚାୟତ ପଟୁ ନଦୀ ପାର ହୋଇ ଯାଉଥିବା ବେଳେ ଛୁଆ ହାତୀଟି ପାଣିରେ ବିଛା ଯାଇଥିବା ମାଛ ଜାଲରେ ଛନ୍ଦି ହୋଇ ଫସି ଯାଇଥିଲା।  ସ୍ଥାନୀୟ ଲୋକେ ଦେଖି ତୁରନ୍ତ ପାଳଲହଡା ବନ ବିଭାଗକୁ ସୂଚନା ଦେଇଥିଲେ । ଆଜି ସକାଳୁ ବନବିଭାଗ ଘଟଣାସ୍ଥଳରେ ପହଂଚି ହାତୀ ଛୁଆକୁ ଉଦ୍ଧାର କରି ମା ହାତୀ ପାଖରେ ଛାଡିଛି ।

ରାଜ୍ୟସଭାରେ ପ୍ରାର୍ଥୀ ଦେବ କଂଗ୍ରେସ ; ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟସଭାରେ ପ୍ରାର୍ଥୀ ଦେବ କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ରାଜ୍ୟସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଦେବ l ଏନେଇ ହାଇକମାଣ୍ଡଙ୍କ ସହ ଆଲୋଚନା କରାଯିବ l ଦଳ ଭିତରେ ଯଦି ନହୁଏ ତେବେ ଜଣେ ଦଳ ସମର୍ଥିତ ପ୍ରାର୍ଥୀ ଦିଆଯିବ ବୋଲି ସେ କହିଛନ୍ତି।

ଓଡିଶା – ଝାଡ଼ଖଣ୍ଡ ସୀମାରେ ସୁରକ୍ଷା କର୍ମୀ-ମାଓବାଦୀ ଗୁଳି ବିନିମୟ ; ଟଳିଲେ ୨ହାର୍ଡକୋର ମାଓବାଦୀ

ଓଡିଶା – ଝାଡ଼ଖଣ୍ଡ ସୀମାରେ ସୁରକ୍ଷା କର୍ମୀ-ମାଓବାଦୀ ଗୁଳି ବିନିମୟ। ୨୦ ବର୍ଷରୁ ଅଧିକ ସମୟ ଧରି ଆତଙ୍କ ଖେଳାଇଥିବା ଦୁଇ ପ୍ରମୂଖ ମାଓ ନେତା ଟଳିଛନ୍ତି l ଗତକାଲି ଝାଡ଼ଖଣ୍ଡର ସାମଠା ଓ କିରିବୁରୁ ମଝିରେ ଥିବା କୁମୁଟି ଜଙ୍ଗଲରେ ପ୍ରତ୍ୟୁଷରେ ହୋଇଥିଲା ଗୁଳି ବିନିମୟ l ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଝାଡ଼ଖଣ୍ଡରେ ମୁତୟନ ସଂଯୁକ୍ତ ବଳ କୋବ୍ରା ୨୦୯ ନମ୍ବର ବାଟାଲିୟନ ସହ ଝାଡ଼ଖଣ୍ଡ ଜାଗୁଆର ଟିମ, ସିଆରପିଏଫର ମିଳିତ ଅପରେସ ରେ ସମୁଦାୟ ୧୫ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ମୃତ ନକ୍ସଲଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ଼ ମାଓବାଦୀ ଅନଲ ଓରଫ ପତିରାମ ମାଞ୍ଜିର ମୁଣ୍ଡ ପାଇଁ ୨ କୋଟି ୩୫ ଲକ୍ଷ , ଅନମୋଲ ଓରଫ ସୁଶାନ୍ତ ଓରଫ ସମର ଜିର ମୁଣ୍ଡ ପାଇଁ ୯୦ ଲକ୍ଷ ଟଙ୍କା ଘୋଷଣା ହୋଇଥିଲା। ସେହିପରି ଏରିଆ କମାଣ୍ଡର ଅମିତ ମୁଣ୍ଡା ମୁଣ୍ଡ ପାଇଁ ୬୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷିତ ହୋଇଥିଲା l ଏହି ତିନିଜଣ ହାର୍ଡକୋର ମାଓନେତା ଙ୍କ ନାଁ ରେ ଉଭୟ ଓଡିଶା ଓ ଝାଡ଼ଖଣ୍ଡ ରାଜ୍ଯ ସରକାର ୩ କୋଟି ୮୭ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ l ବଣାଇଁ କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖାଦାନ ରୁ ୫ ଟନ ବିଷ୍ପୋରକ ଲୁଟ ଘଟଣା ରେ ଏନ୍ ଆଇ ଏ ପକ୍ଷରୁ ଏମାନଙ୍କୁ ଧରିଲେ ୧୯ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ l ଅନ୍ୟ ମୃତକଙ୍କ ମଧ୍ୟରେ ପିଣ୍ଟୁ ଲୋହରା, ଲାଲଜିତ ଓରଫ ଲାଲୁ, ବୁଲବୁଲ ଆଲଦା, ବବିତା, ପୂର୍ଣ୍ଣିମା ପ୍ରମୁଖ ଅଛନ୍ତି।