ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦରେ ବଢିବାରେ ଲାଗିଛି ହୋଟେଲ୍ ଦାମ୍

1 min read

ଅହମ୍ମଦାବାଦ: ଆସନ୍ତା ରବିବାର ଅହମ୍ମଦାବାଦରେ ଖେଳାଯିବ ବିଶ୍ବକପ ଫାଇନାଲ। ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଭାରତ ବିଶ୍ବକପ ଫାଇନାଲ ଖେଳିବାକୁ ଯାଉଛି। ୨୦ ବର୍ଷ ପରେ ପୁଣିଥରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଯାହା ଉପରେ ପୂରା ବିଶ୍ବର ନଜର ରହିବ। ତେବେ ଏହି ମ୍ୟାଚକୁ ଷ୍ଟାଡିୟମରେ ବସି ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ।

ଲୋକେ ଏବେଠୁ ଯାଇ ଅହମ୍ମଦାବାଦରେ ମ୍ୟାଚ ଦେଖିବାକୁ ହୋଟେଲ ବୁକ କରି ରହିଲେଣି। ହୋଟେଲର ଚାହିଦା ଦେଖି ଦର ବୃଦ୍ଧି ମଧ୍ୟ ରାତାରାତି ଆକାଶ ଛୁଆଁ ହୋଇଛି। ପଞ୍ଚ ତାରକା ହୋଟେଲରେ ଗୋଟିଏ ରାତି ରହଣି ପାଇଁ ଦୁଇ ଲକ୍ଷ ଟଙ୍କା ଭଡ଼ା ରହିଛି। ପାଞ୍ଚରୁ ସାତ ଗୁଣା ପର୍ଯ୍ୟନ୍ତ ଦରବୃଦ୍ଧି କରିଛନ୍ତି ବିଭିନ୍ନ ହୋଟେଲ। ଦେଶର ବାହାରୁ ମଧ୍ୟ ଲୋକ ଆସୁଛନ୍ତି ମ୍ୟାଚ ଦେଖିବାକୁ ଦୁବାଇ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକାରୁ ଲୋକେ ଆସି ମ୍ୟାଚ ଦେଖିବାକୁ ପହଞ୍ଚିଲେଣି। ଲୋକଙ୍କ ଚାହିଦା ଦେଖି ଦର ବୃଦ୍ଧି କରାଯାଇଛି ବୋଲି ହୋଟେଲ ଆସୋସିଏସନ ପକ୍ଷରୁ କୁହାଯାଇଛି ।

କେବଳ ଅହମ୍ମଦାବାଦରେ ତିନି ତାରକା ଓ ପଞ୍ଚ ତାରକା ହୋଟେଲରେ ୫ ହଜାର ରୁମ୍ ରହିଛି। ପୂରା ଗୁଜରାଟରେ ୧୦ ହଜାର ରୁମ୍ ରହିଛି। ଏକ ଲକ୍ଷ ୨୦ ହଜାର ଲୋକ ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ। ୩୦ରୁ ୪୦ ହଜାର ଲୋକ ଦେଶ ବାହାରୁ ଆସିଛନ୍ତି ଖେଳ ଦେଖିବାକୁ। ତେବେ ପଞ୍ଚତାରକାକୁ ଛାଡି ଅନ୍ୟ ହୋଟେଲରେ ୫୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଗୋଟିଏ ରାତି ପାଇଁ ଭଡା ରହିଛି।

ଫ୍ଲାଇଟ ଟିକେଟ ବୁକ କରିବା ପୂର୍ବରୁ ଲୋକେ ହୋଟେଲ ବୁକ କରୁଛନ୍ତି । ଖାଲି ହୋଟେଲ ନୁହେଁ ଅହମ୍ମଦାବାଦକୁ ଯାଉଥିବା ବିମାନ ଭଡ଼ା ମଧ୍ୟ ବଢିଛି । ଅନ୍ୟ ସମୟରେ ଚେନ୍ନାଇରୁ ଅହମ୍ମଦାବାଦକୁ ୫ ହଜାର ଟଙ୍କା ଦର ଥିବା ବେଳେ ଏବେ ୧୬ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।