spot_img
Home Blog Page 2690

ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ

ସିଙ୍ଗାପୁର: ସିଙ୍ଗାପୁରର ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନରେ ​​ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ ବିଜୟୀ ହୋଇଛନ୍ତି । ଥର୍ମନ ଶନମୁଗରତ୍ନମ ୭୦.୪ ପ୍ରତିଶତ ଭୋଟ ସହ ବିଜୟୀ ହୋଇଛନ୍ତି । ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର (୧ ସେପ୍ଟେମ୍ବର) ମତଦାନ ହୋଇଥିଲା । ଯେଉଁଥିରେ ଲୋକମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ସିଙ୍ଗାପୁରରେ ୨୭ ଲକ୍ଷରୁ ଅଧିକ ଲୋକ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିଲେ ଏବଂ ରାତି ୮ ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ର ଖୋଲା ରହିଥିଲା । ଏହାପରେ ଭୋଟ୍ ଗଣତି ହୋଇଥିଲା ।

ରାଷ୍ଟ୍ରପତି ପଦ ପାଇଁ ୬୬ ବର୍ଷିୟ ଥର୍ମନ ଶନମୁଗରତ୍ନମଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ପ୍ରାର୍ଥୀ ଥିଲେ – ଏକ ରାଷ୍ଟ୍ରାୟତ୍ତ କମ୍ପାନୀର ପୂର୍ବତନ ପୁଞ୍ଜି ବିନିଯୋଗ ମୁଖ୍ୟ ନାଗ କୋକ ଗୀତ ଏବଂ ଏକ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀର ପୂର୍ବତନ ମୁଖିଆ ଟ୍ୟାନ କିନ ଲିୟାନ ସାମିଲ ଥିଲେ । ଥର୍ମନ ଶନମୁଗରତ୍ନମ ବର୍ତ୍ତମାନ ସିଙ୍ଗାପୁରର ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ସେ ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସିଙ୍ଗାପୁରର ବିଦାୟୀ ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ୧୩ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି । ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ । 

ରାଜଧାନୀ ରାସ୍ତାରେ ହାଇଡ୍ରାମା, ସ୍ୱାମୀ ପାଇଁ ଦୁଇ ମହିଳାଙ୍କ ଟଣା ଓଟରା

ଭୁବନେଶ୍ୱର: ସ୍ବାମୀ ପାଇଁ ଦୁଇ ମହିଳାଙ୍କ ଟଣା ଓଟରା । ସ୍ବାମୀ କାହାର ? ପତ୍ନୀର ନାଁ ପ୍ରେମିକାର । ଏଭଳି ପ୍ରଶ୍ନକୁ ନେଇ ରାଜଧାନୀ ରାସ୍ତାରେ ହାଇଡ୍ରାମା । କଳିଙ୍ଗ ବିହାର K4 ଅଞ୍ଚଳରେ ଦେଖିବାକୁ ମହିଳିଥିଲା ପତ୍ନୀ ଓ ପ୍ରେମିକାଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ । ବିଧବା ମହିଳାଙ୍କୁ ମାଟ୍ରିମୋନି ସାଇଟରେ ପାଇ ସମ୍ପର୍କ ସ୍ଥାପନ କରିଥିଲେ କଟକର ସ୍ବାଗତ ମହାରଣା । ହେଲେ ସ୍ବାଗତ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଗୋଟିଏ 5 ବର୍ଷର ପୁଅ ଅଛି । କିନ୍ତୁ ବିଧବା ପ୍ରେମିକାଙ୍କ ସହ ତାଙ୍କର ନିବିଡ଼ ହୋଇଥିଲା ପ୍ରେମ ସମ୍ପର୍କ । ଲୁଚାଛୁପାରେ ଉଭୟ ଦେଖା ହେଉଥିବାବେଳେ ଶେଷରେ ପତ୍ନୀଙ୍କ ନଜରରେ ପଡିଯାଇଥିଲେ ।

ଏନେଇ ପ୍ରେମିକାଙ୍କ ଘରେ ପହଁଚିଥିଲେ ସ୍ବାଗତଙ୍କ ପତ୍ନୀ । ସେଠାରେ ଉଭୟ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପ୍ରେମିକାଙ୍କୁ ଗାଳିଗୁଲଜ କରିଥିଲେ ସ୍ବାଗତଙ୍କ ପତ୍ନୀ । ହେଲେ ସ୍ବାଗତଙ୍କୁ ୧୭ ଲକ୍ଷ ଟଙ୍କା ଦେଇଥିବା କହି ପାଲଟା ଗାଳିଗୁଲଜ କରିଥିଲେ ପ୍ରେମିକା । ପରିସ୍ଥିତି ଅଣାୟତ୍ତ ହେବାରୁ ସତ୍ୟ ନଗର ଲେଡ଼ିଜ୍ ଫୋରମ୍ ଏବଂ ଶତାକ୍ଷି ଲେଡିଜ ଆସୋସିଏସନ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ଉଭୟ ମହିଳାଙ୍କୁ ବୁଝା ସୁଝା କରିଥିଲେ । ପ୍ରେମିକା ଠାରୁ ଏକ ହାତ ଲେଖା କପି ରଖିଛନ୍ତି ଲେଡିସ ଫୋରମ । ଉଭୟ ମହିଳା ତମାଣ୍ଡୋ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

କୋଚିଂ ସେଣ୍ଟରରେ ବଜ୍ରପାତ, ୧୦ ଛାତ୍ରଛାତ୍ରୀ ଆହତ

ଖୋର୍ଦ୍ଧା: କୋଚିଂ ସେଣ୍ଟରରେ ବଜ୍ରପାତ, ୧୦ଜଣ ଆହତ, ୫ ଜଣ ଗୁରୁତର । ଖୋର୍ଦ୍ଧା ନିରାକରପୁର କଲେଜ୍ ଛକ ନିକଟରେ ଏକ ଘରୋଇ କୋଚିଂ ସେଣ୍ଟରରେ ପିଲା ପଢୁଥିବା ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ଛାତ୍ର ଛାତ୍ରୀ, ଶିକ୍ଷକ, ସମସ୍ତେ ଆହତ ହୋଇଛନ୍ତି । ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ।

ଜିଆଇ ଜର୍ଣ୍ଣାଲରେ ସ୍ଥାନ ପାଇଲା ଓଡ଼ିଶାର ୭ଉତ୍ପାଦ, ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ GI ଟ୍ୟାଗ୍

ନନ୍ଦିଘୋଷ ବ୍ୟୁରୋ: GI ଜର୍ଣ୍ଣାଲରେ ସ୍ଥାନ ପାଇଲା ରାଜ୍ୟର ୭ଉତ୍ପାଦ । ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ GI ଟ୍ୟାଗ୍ । ସେହିଭଳି ଢେଙ୍କାନାଳ ମଗଜି, ଶିମିଳିପାଳ କାଈ ଚଟଣୀକୁ GI ଟ୍ୟାଗ ପ୍ରଦାନ କରାଯିବ । ଖଜୁରୀ ଗୁଡ଼, କୋରାପୁଟର କଳାଜିରା ଚାଉଳ, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରି ଚାଦର-କପଡ଼ାଗଣ୍ଡାକୁ ମଧ୍ୟ GI ଟ୍ୟାଗ ମିଳିବ । ତେବେ ନୟାଗଡ କଣ୍ଟିଲୋ ଅଂଚଳରେ ଉତ୍ପାଦିତ ଏହି କୃଷିଜାତ ଦ୍ରବ୍ୟ କଣ୍ଟେଇମୁଣ୍ଡି ବାଇଗଣ GI ଜର୍ଣ୍ଣାଲରେ ସ୍ଥାନ ପାଇବା ପରେ ଏହାର ସ୍ୱତନ୍ତ୍ରତା ବୃଦ୍ଧି ପାଇଛି । ପୋଷାକ ତତ୍ତ୍ୱରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ୱାଦ ମଧ୍ୟ ଭାରୀ ନିଆରା । ଏ ନେଇ ନୟାଗଡ଼ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କିଛି ମାସ ପୂର୍ବରୁ ନୟାଗଡ଼ ଜିଲ୍ଲା ପ୍ରଶାସନ ସହାୟତାରେ କଣ୍ଟିଲୋ ସ୍ଥିତ ନୀଳମାଧବ କୃଷି ସଂଗଠନ ଏହି କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିଲ ।

ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ

ଭୁବନେଶ୍ୱର: ରାଜ୍ୟରେ ପୁଞ୍ଜିନିବେଶ କରୁଥିବା କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ଷ୍ଟକ ଏକ୍ସଚେଂଜରେ ତାଲିକାଭୁକ୍ତ ହେବେ। ଏଥିପାଇଁ ଆବଶ୍ୟକ ପୁଂଜି ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ଓ ବମ୍ବେ ଷ୍ଟକ ଏକ୍ସଚେଂଜରେ ସ୍ଥାନ ପାଇବାକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇଦେବେ ରାଜ୍ୟ ସରକାର। ଏମଏସଏମଇ ଶିଳ୍ପଗୁଡିକ ମୁଖ୍ୟତଃ ପୁଞ୍ଜି ପାଇଁ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ, ବନ୍ଧୁ ଓ ସମ୍ପର୍କୀୟଙ୍କ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ପାରମ୍ପରିକ ଉତ୍ସରୁ ଅବଶ୍ୟକ ପୁଂଜି ସଂଗ୍ରହ ହୋଇପାରେନି । ଏହି ସମସ୍ୟାର ସମାଧନ ପାଇଁ ଏମଏମଏସଇ ଶିଳ୍ପଗୁଡିକ ଷ୍ଟକ ଏକ୍ସଚେଂଜରେ ତାଲିକାଭୁକ୍ତ ହେବା ଜରୁରୀ ।

ଏନଏସଇ ଓ ବିଏସଇ ଭଳି ଜାତୀୟସ୍ତରର ଷ୍ଟକ ଏକ୍ସଚେଂଜରେ ଏମଏସଏମଇ ଶିଳ୍ପ ପାଇଁ ସରଳ ପ୍ରକ୍ରିୟା ରହିଛି । ତେଣୁ ଏମଏସଏମଇ କ୍ଷେତ୍ରରେ ପୁଂଜିନିବେଶ କରୁଥିବା ନିବେଶକ ଷ୍ଟକ ଏକ୍ସଚେଂଜରେ ସ୍ଥାନିତ ହେବା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହିତ କରିବାକୁ ଆର୍ଥିକ ସହାୟତା ଯୋଗାଇଦେବେ । ଏନେଇ ଏମଏସଏମଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନଏସଇ କିମ୍ବା ବିଏସଇରେ ଲିଷ୍ଟେଡ୍ ହେବା ପରେ କମ୍ପାନୀ ପକ୍ଷରୁ ଏମଏସଏମଇ ବିଭାଗକୁ ଆବଶ୍ୟକ ଦସ୍ତାବିଜ୍ ସହ ଆବେଦନ କଲେ ଏ ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥ ରାଜ୍ୟ ସରକାର ଯୋଗାଇଦେବେ । ୩୦ ଦିନ ମଧ୍ୟରେ ସହାୟତା ରାଶି କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ।

ବିଦେଶୀଙ୍କୁ ପସନ୍ଦ ଆସୁଛି ଓଡ଼ିଶା ପର୍ଯ୍ୟଟନ, ଆମେରିକା, ଜାପାନରୁ ଆସୁଛନ୍ତି ଅଧିକ ପର୍ଯ୍ୟଟକ

ଭୁବନେଶ୍ବର: ବିଦେଶରେ ଓଡ଼ିଶା ପର୍ଯ୍ୟଟନର ଆକର୍ଷଣ। ରାଜ୍ୟ ସରକାରଙ୍କ ବୁଷ୍ଟର ଡୋଜରେ ଚମକିଛି ପର୍ଯ୍ୟଟନ ଶିଳ୍ପ । ମହାମାରୀ ପରେ ଓଡ଼ିଶାରେ ବଢିଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା । ୨୦୨୧ ତୁଳନାରେ ୨୦୨୨ରେ ୮୭୫ ପ୍ରତିଶତ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆଗମନ କରିଛନ୍ତି । ସେହିପରି ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ୧୧୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ରିପୋର୍ଟ ଦେଇଛି ଓଡ଼ିଶା ପର୍ଯ୍ୟଟନ ବିଭାଗ ।

୨୦୨୧ରେ ୩୭ଲକ୍ଷ ୪୨ ହଜାର ୨୨୧ ଭାରତୀୟ ପର୍ଯ୍ୟଟକ ଓଡ଼ିଶା ଆସିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୭୮ଲକ୍ଷ ୬୭ହଜାର ୯୦୯ ଛୁଇଁଥିଲା । ସେହିପରି ୨୦୨୧ରେ ମାତ୍ର ୨୨ଶହ ୬୯ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୨୨ହଜାର ୧୨୧ ଛୁଇଁଥିଲା ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗ ରିପୋର୍ଟ ଦେଇଛି । ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଆମେରିକା, ଜାପାନ ଓ ଜର୍ମାନୀର ଅଧିକ ପର୍ଯ୍ୟଟକ ରହିଛନ୍ତି ।

ଓଡିଆ କଳା, ସଂସ୍କୃତି ଓ ପରମ୍ପରାକୁ ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ଦେବାକୁ ରାଜ୍ୟ ସରକାର ସ୍ବତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ଯାହାଫଳରେ କରୋନା ମହାମାରୀ ପରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ବିକାଶରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଜଗଦ୍ଦେବ କହିଛନ୍ତି । ଓଡ଼ିଶା ପର୍ଯ୍ୟଟନସ୍ଥଳୀକୁ ଏକ୍ସପ୍ଲୋର କରିବାକୁ ପର୍ଯ୍ୟଟକ ବିଭାଗ ପକ୍ଷରୁ କରାଯାଇଥିବା ଓଡ଼ିଶା ବାଇ ରୋଡ କ୍ୟାମ୍ପେନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି ।

ଏହାସହ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବାକୁ ସରକାର ବିଭିନ୍ନ ସ୍ଥାନରେ ଇକୋ-ରିଟ୍ରିଟ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ଏହାସହ ଆଉଟଡୋର ବ୍ରାଣ୍ଡିଂ ଓ ଡିଜିଟାଲ ମାର୍କେଟିଂ ମଧ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି । ଚଳିତବର୍ଷ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକକକୁ ସିଧାସଳଖ ବିମାନସେବା ଲଞ୍ଚ ହୋଇଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆହୁରି ବଢ଼ିପାରେ ବୋଲି ପର୍ଯ୍ୟଟକ ବିଭାଗ ଆଶାବାଦୀ ରହିଛଇ । ନିକଟରେ ସିଙ୍ଗାପୁର, ବ୍ୟାଙ୍ଗକକ, ହାନୋଇରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରୋଡଶୋ’ର ଆୟୋଜନ କରାଯାଇଥିଲା । ଏହାସହ ସିଲିକନ ଭ୍ୟାଲି, USA, ସିଙ୍ଗାପୁର ଏବଂ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଶା ସହ ଡାଇରେକ୍ଟ ବିମାନ ସେବା ଥିବା ଦେଶର ଦୂତାବାସ ସହ ପର୍ଯ୍ୟଟନ ବିଭାଗ ଯୋଗାଯୋଗରେ ରହିଛି । ଏହାସହ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି । ପଖାଳ ଦିବସ, ଛେନା ପୋଡ଼ ଦିବସ, ପଣା ସଂକ୍ରାନ୍ତି ଭଳି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗ ପ୍ରୋତ୍ସାହିତ କରୁଛି ।.

ଗୁଳୁଗୁଳିରୁ ମିଳିବ ତ୍ରାହି, ୪୮ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ସେପ୍ଟେମ୍ବର ୩ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଫଳରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବଢିଛି ତାପମାତ୍ରା ।

ସ୍ବାଭାବିକଠୁ ୩ରୁ ୪ ଡିଗ୍ରୀ ଉପରେ ପାରଦ। ଫଳରେ ଖରା ସହିତ ଅସହ୍ୟ ଗୁଳୁଗୁଳିରେ ଘଣ୍ଟା ହେଉଛନ୍ତି ଲୋକ । ସେପଟେ ଆଜିଠୁ ପାଗ ବଦଳିବା ସମ୍ଭାବନା ରହିଛି । ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।  ଏନେଇ ୨୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ଼,ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେପଟେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପୁଟିନଙ୍କ ପରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ବି ଆସିବେନି ଭାରତ

ନୂଆଦିଲ୍ଲୀ:  ଭାରତରେ ଆଗାମୀ ମାସରେ ହେବାକୁ ଥିବା ଜି ୨୦ ଶିଖର ସମ୍ମିଳନୀରୁ ଦୂରତା ରଖିବାକୁ ଚାହୁଁଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ  । ମିଡିଆ ରିପୋର୍ଟ ମୁତାବକ ଚୀନର ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସେପ୍ଟେମ୍ବର ୯ ରୁ ୧୦ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ଜି ୨୦ ଶିଖର ସମ୍ମିଳନୀରେ ଚୀନ ପକ୍ଷରୁ ପ୍ରତିନିଧିତ୍ବ କରିପାରନ୍ତି  । ଚୀନ କି ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ  ।

ଦିଲ୍ଲୀ ଜି ୨୦ ଶିଖର ସମ୍ମିଳନୀରେ ସି ଜିନପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ସମ୍ଭବତଃ ଏକ ସୌଜନ୍ୟମୂଳକ ସାକ୍ଷାତ ହୋଇ ପାରିଥାନ୍ତା  । ଗତବର୍ଷ ନଭେମ୍ବରରେ ହୋଇଥିବା ଜି ୨୦ ଶିଖର ସମ୍ମିଳନୀରେ ଜିନପିଙ୍ଗ ଓ ବାଇଡେନଙ୍କ ମଧ୍ୟରେ ଶେଷଥର ପାଇଁ ସାକ୍ଷାତ ହୋଇଥିଲା  ।

ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜି ୨୦ ଶିଖର ସମ୍ମିଳନୀରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଥିଲେ  । ପୁଟିନଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭରୋଭ ଦିଲ୍ଲୀ ଆସିବେ  । ସେପଟେ ପୁଟିନ ଭାରତ ନ ଆସି ଚୀନ ଯାଇପାରନ୍ତି  । ଚୀନରେ ଜିନପିଙ୍ଗଙ୍କ ସହ ସାକ୍ଷାତ କରିବେ ପୁଟିନ

କୋରେଇରେ ଶେଷହେଲା ବିକାଶ ସମୀକ୍ଷା, ଫେବ୍ରୁଆରୀରୁ ବୁଲି ବୁଲି ଲୋକଙ୍କଠାରୁ ଗ୍ରହଣ କରିଥିଲେ ଅଭିଯୋଗ ପତ୍ର

କୋରେଇ: କୋରେଇ ମାଟିରେ ଶେଷ ହୋଇଛି ଓଡ଼ିଶା ରୂପାନ୍ତରଣ ପାଇଁ ୬ ମାସର ଯାତ୍ରା । କୋରେଇ ମାଟିରେ ବିକାଶର ସମୀକ୍ଷା କରି 5T ସଚିବ କହିଛନ୍ତି, ବୁଲି ବୁଲି ଲୋକଙ୍କଠୁ ଅଭିଯୋଗ ଗ୍ରହଣ କରିବାକୁ ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫେବ୍ରୁଆରୀରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ କୋରେଇ ମାଟିରେ ଶେଷ ହୋଇଛି । ଆସନ୍ତା ସପ୍ତାହେ ଭିତରେ ମୁଖ୍ୟମନ୍ତ୍ରୀ କୋରେଇ ମାଟିର ବିକାଶ ପାଇଁ ଖୁସି ଖବର ଦେବେ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ଅଭିଯୋଗର ବିଚାର କରାଯାଇ ୮ ତାରିଖ ଭିତରେ ସମାଧାନ କରାଯିବ । ମୁଖ୍ୟମନ୍ତ୍ରୀ ଦେଇଥିବା ଅନୁଦାନର ସଠିକ ବିନିଯୋଗ କରିବାକୁ 5T ସଚିବ ଆହ୍ବାନ ଦେଇଛନ୍ତି ।

କୋରେଇର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ୨୩ଟି ପଞ୍ଚାୟତରେ ୧୪୦ କୋଟି ଖର୍ଚ୍ଚ ହେବ । ତୁଳସୀପୁର ଏବଂ ରାଉତରାପୁର ମେଗାଲିଫ୍ଟ ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାର ନିର୍ମାଣ କାମ ଚଳିତ ବର୍ଷ ଶେଷ ହେବ । ଏହା ମାଧ୍ୟମରେ ୧୦ ହଜାର ଏକର ଜମି ଜଳସେଚିତ ହେବ । ପାଣିକୋଇଲିରେ ଟ୍ରମାକେୟାର ସେଣ୍ଟର କାମ ମୁଖ୍ୟମନ୍ତ୍ରୀ ହାତକୁ ନେଇଛନ୍ତି । ଏଥିପାଇଁ ୧୦୧ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୩ ମାସ ମଧ୍ୟରେ କାମ ସରିବ । କୋରେଇ ସିଏଚସି ପାଇଁ ୨୦ କୋଟି ମଞ୍ଜୁର କରାଯାଇଛି । ନଦୀ ବନ୍ଧ ଉପରେ ରାସ୍ତା ପାଇଁ ୫୦ କୋଟି, ଏନଏଚ ୧୬ରୁ ଅଟଳପୁର ରାସ୍ତା ପାଇଁ ୧୫ କୋଟି ଓ ବୈତରଣୀ ନଦୀବନ୍ଧକୁ ସୁଦୃଢ କରିବାକୁ ୧୦ କୋଟି ଟଙ୍କା ଅନୁମୋଦିତ ହେଇଥିବା 5T ସଚିବ କହିଛନ୍ତି ।