କୋରେଇରେ ଶେଷହେଲା ବିକାଶ ସମୀକ୍ଷା, ଫେବ୍ରୁଆରୀରୁ ବୁଲି ବୁଲି ଲୋକଙ୍କଠାରୁ ଗ୍ରହଣ କରିଥିଲେ ଅଭିଯୋଗ ପତ୍ର

1 min read

କୋରେଇ: କୋରେଇ ମାଟିରେ ଶେଷ ହୋଇଛି ଓଡ଼ିଶା ରୂପାନ୍ତରଣ ପାଇଁ ୬ ମାସର ଯାତ୍ରା । କୋରେଇ ମାଟିରେ ବିକାଶର ସମୀକ୍ଷା କରି 5T ସଚିବ କହିଛନ୍ତି, ବୁଲି ବୁଲି ଲୋକଙ୍କଠୁ ଅଭିଯୋଗ ଗ୍ରହଣ କରିବାକୁ ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫେବ୍ରୁଆରୀରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ କୋରେଇ ମାଟିରେ ଶେଷ ହୋଇଛି । ଆସନ୍ତା ସପ୍ତାହେ ଭିତରେ ମୁଖ୍ୟମନ୍ତ୍ରୀ କୋରେଇ ମାଟିର ବିକାଶ ପାଇଁ ଖୁସି ଖବର ଦେବେ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ଅଭିଯୋଗର ବିଚାର କରାଯାଇ ୮ ତାରିଖ ଭିତରେ ସମାଧାନ କରାଯିବ । ମୁଖ୍ୟମନ୍ତ୍ରୀ ଦେଇଥିବା ଅନୁଦାନର ସଠିକ ବିନିଯୋଗ କରିବାକୁ 5T ସଚିବ ଆହ୍ବାନ ଦେଇଛନ୍ତି ।

କୋରେଇର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ୨୩ଟି ପଞ୍ଚାୟତରେ ୧୪୦ କୋଟି ଖର୍ଚ୍ଚ ହେବ । ତୁଳସୀପୁର ଏବଂ ରାଉତରାପୁର ମେଗାଲିଫ୍ଟ ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାର ନିର୍ମାଣ କାମ ଚଳିତ ବର୍ଷ ଶେଷ ହେବ । ଏହା ମାଧ୍ୟମରେ ୧୦ ହଜାର ଏକର ଜମି ଜଳସେଚିତ ହେବ । ପାଣିକୋଇଲିରେ ଟ୍ରମାକେୟାର ସେଣ୍ଟର କାମ ମୁଖ୍ୟମନ୍ତ୍ରୀ ହାତକୁ ନେଇଛନ୍ତି । ଏଥିପାଇଁ ୧୦୧ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୩ ମାସ ମଧ୍ୟରେ କାମ ସରିବ । କୋରେଇ ସିଏଚସି ପାଇଁ ୨୦ କୋଟି ମଞ୍ଜୁର କରାଯାଇଛି । ନଦୀ ବନ୍ଧ ଉପରେ ରାସ୍ତା ପାଇଁ ୫୦ କୋଟି, ଏନଏଚ ୧୬ରୁ ଅଟଳପୁର ରାସ୍ତା ପାଇଁ ୧୫ କୋଟି ଓ ବୈତରଣୀ ନଦୀବନ୍ଧକୁ ସୁଦୃଢ କରିବାକୁ ୧୦ କୋଟି ଟଙ୍କା ଅନୁମୋଦିତ ହେଇଥିବା 5T ସଚିବ କହିଛନ୍ତି ।