spot_img
Home Blog Page 2671

ପୋଲ ତଳେ ପଡ଼ିଛି ଯୁବତୀଙ୍କ ମୃତଦେହ, ଗଳା କାଟି ଫିଙ୍ଗିଦେଲେ

ବରଗଡ଼: ଭଟଲି ବ୍ଲକ ଅନ୍ତର୍ଗତ ଭଡିଗାଁରେ ଯୁବତୀଙ୍କୁ ହତ୍ୟା । ଭଟଲିରୁ ସିର୍ଗିଡା ଯିବା ରାସ୍ତାରେ ଥିବା ପୋଲ ତଳେ ପଡ଼ିଛି ଯୁବତୀଙ୍କ ମୃତଦେହ । ଯୁବତୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ବ୍ରିଜ ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି ।

ବ୍ରିଜ ଉପରେ ରକ୍ତ ପଡ଼ିଥିବା ବେଳେ ମୃତଦେହ ନିକଟରେ ଏକ ପର୍ସ ପଡ଼ିଛି । ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ପରିଚୟ ମିଳିନାହିଁ ।

ଜି-୨୦ ବୈଠକ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ଡ୍ରୋନ ନଜରରେ ନୂଆଦିଲ୍ଲୀ

ନୂଆଦିଲ୍ଲୀ: ଆସନ୍ତା ୯ ଓ ୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବ G-20 ଶିଖର ସମ୍ମିଳନୀ । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ରାଜଧାନୀକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ପ୍ରଗତି ମୈଦାନରେ ନିକଟରେ ଥିବା ଭାରତ ମଣ୍ଡପରେ ଏହି ବୈଠକ ବସିବ । ବୈଠକରେ ଗ୍ରୁପ-୨୦ ରାଷ୍ଟ୍ରର ମୁଖ୍ୟମାନେ ସାମିଲ ହେବେ । ଆନ୍ତର୍ଜାତୀୟ ସମ୍ମିଳନୀ ପାଇଁ ଦିଲ୍ଲୀ ପୋଲିସ ସହ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ଡ୍ରୋନ କ୍ୟାମେରା ଲଗାଯାଇଛି ।

ପୁରା ଦିଲ୍ଲୀରେ ପୋଲିସ ଛାଉଣୀ ହୋଇଛନ୍ତି । ପାରାମିଲିଟାରୀ ଫୋର୍ସ, NSG ଟିମ୍ ଆଲର୍ଟରେ ରହିଛନ୍ତି । ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ, ସ୍ନାଇଫର ଡଗ୍ ଓ କାଉଣ୍ଟର ଡ୍ରୋନ ମୁତୟନ ହୋଇଛନ୍ତି । ଦିଲ୍ଲୀ ଟ୍ରାଫିକ୍ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ବୈଠକରେ ସାମିଲ ପାଇଁ ଆସୁଛନ୍ତି ୧୯ଟି ଦେଶର ରାଷ୍ଟ୍ରମୁଖ୍ୟ । ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆସିବେ ।

ଜି-୨୦ ବୈଠକ ପାଇଁ ଦିଲ୍ଲୀରେ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ତିନିଦିନ ଯାଏଁ ଦିଲ୍ଲୀର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବାଣିଜ୍ୟିକ ପ୍ରତିଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ସହରବାସୀଙ୍କ ଯିବା ଆସିବା ଉପରେ ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଇଛି । ଅନେକ ରାସ୍ତାକୁ ସାଧାରଣ ଲୋକଙ୍କ ଯିବା ଆସିବା ପାଇଁ ବନ୍ଦ କରାଯାଇଛି । ଜି-୨୦ ବୈଠକ ପାଇଁ ଆସନ୍ତାକାଲି ଚୂଡାନ୍ତ ସିକ୍ୟୁରିଟି ରିହର୍ସାଲ କରାଯିବ ।

ଜି ୨୦ ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଶ୍ବନେତା, ୟୁକ୍ରେନକୁ ମିଳିନି ନିମନ୍ତ୍ରଣ

ନୂଆଦିଲ୍ଲୀ: ଆସନ୍ତା ୯ ଓ ୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବ G-20 ଶିଖର ସମ୍ମିଳନୀ । ପ୍ରଗତି ମୈଦାନ ନିକଟରେ ଥିବା ଭାରତ ମଣ୍ଡପରେ ଏହି ବୈଠକ ବସିବ । ବୈଠକରେ ଗ୍ରୁପ-୨୦ ରାଷ୍ଟ୍ରର ମୁଖ୍ୟମାନେ ସାମିଲ ହେବେ । ୪୦ ରୁ ଊର୍ଦ୍ଧ୍ବ ଦେଶର ଟପ୍‌ ନେତା G20ରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିବେ  । ନଜର ପକାନ୍ତୁ କିଏ ଯୋଗ ଦେବେ କିଏ ସାମିଲ ହେବେନି  ।

ଭାରତ ଆସିବେ 

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି ୨୦ରେ ସାମିଲ ହେବା ପାଇଁ ବହୁ ପୂର୍ବରୁ ସୂଚନା ଦେଇସାରିଲେଣି  । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ଥାନରେ ତାଙ୍କ ପ୍ରତିପକ୍ଷ ଲି କିଆଙ୍ଗ ଯୋଗ ଦେବେ  । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ସର୍ଗୀ ଲାଭରୋଭ ଯୋଗ ଦେବେ  ।  ସେହିପରି ୟୁକେ ପ୍ରଧାନମନ୍ତ୍ରୀ ରିଷି ସୁନାକଙ୍କ ସମେତ ଫ୍ରାନ୍ସ, କାନାଡା, ସାଉଥ କୋରିଆ, ଅଷ୍ଟ୍ରେଲିଆ, ତୁର୍କୀ ଓ ବାଂଲାଦେଶ ଆଦି ରାଷ୍ଟ୍ର ଜି ୨୦ ରେ ଭାଗ ନେବା ପାଇଁ ଦିଲ୍ଲୀରେ ପହଞ୍ଚିବେ  ।

ଅତିଥି ରାଷ୍ଟ୍ର ଭାବେ ନେଦରଲ୍ୟାଣ୍ଡ, ସିଙ୍ଗାପୁର, ସ୍ପେନ, ୟୁଏଇ, ଓମାନ, ବାଂଲାଦେଶ, ଇଜିପ୍ଟ, ମରିସିଅସ ଓ ନାଇଜେରିଆ ଭଳି ଦେଶ ଯୋଗ ଦେବାର ସମ୍ଭାବନା ରହିଛି  ।

ଭାରତ ଆସିବେନି

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜି ୨୦ରେ ଯୋଗ ଦେବେନି ।  ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଜି ୨୦ ସମ୍ମିଳନୀରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇନି ଭାରତ  । ସେହିପରି ଏକ ରିପୋର୍ଟ ମୁତାବକ ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ମେକ୍ସିକୋ, ଜାପାନ, ଇଟାଲୀ, ଜର୍ମାନୀ, ଇଣ୍ଡୋନେସିଆ, ବ୍ରାଜିଲ ଓ ଆର୍ଜେଣ୍ଟିନା ଜି ୨୦ରେ ଯୋଗ ଦେବେନାହିଁ  ।

 

ବ୍ଲାକ ଜ୍ୟାକେଟ ପିନ୍ଧି ଆସୁଛନ୍ତି, ଝାମ୍ପି ନେଉଛନ୍ତି ସୁନା ଓ ଭ୍ୟାନିଟି ବ୍ୟାଗ

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ବ୍ଲାକ୍ ଜ୍ୟାକେଟ୍ ଗ୍ୟାଙ୍ଗ । ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି ସୁନା ଓ ଭ୍ୟାନିଟି ବ୍ୟାଗ । ବାଣୀବିହାର, ସହିଦନଗର ଓ ଆଚାର୍ଯ୍ୟ ବିହାର ଛକର ଦୃଶ୍ୟ କ୍ୟାମେରାରେ ହୋଇଛି କଏଦ । ଦେହରେ ବ୍ଲାକ ଜ୍ୟାକେଟ ଓ ନମ୍ବର ପ୍ଲେଟକୁ ଟ୍ୟାମ୍ପର କରିବାକୁ ଲାଗିଛି ବ୍ଲାକଟେପ । ଦାମୀ ବାଇକରେ ଆସି ମହିଳାଙ୍କୁ କରୁଥିଲେ ଟାର୍ଗେଟ୍ ।

ଗତ ସୋମବାର ସନାତନ ନାୟକ, ରଶ୍ମି ରଞ୍ଜନ ନାୟକ, ବୁଲୁ ନାୟକ ଓ ସର୍ବେଶ୍ୱର ଗୋଚ୍ଛାୟତଙ୍କୁ ଗିରଫ କରିଥିଲା ପୋଲିସ । ସ୍ପେଶାଲ ସ୍କ୍ୱାଡ ସହାୟତାରେ ଲୁଟେରାଙ୍କୁ କାବୁ କରିଥିଲା ସହିଦନଗର ଥାନା । ସେମାନଙ୍କ ଠାରୁ ୩୦ଟି ସୁନା ଚେନ, ୩ଟି ବାଇକ ଜବତ କରାଯାଇଥିଲା । ଏହି ଗ୍ୟାଙ୍ଗ ଚୋରି ସୁନାକୁ ବନ୍ଧକ ରଖି ଅୟସ କରୁଥିଲେ । ଅଭିଯୁକ୍ତ ମାନେ ମୁଖ୍ୟତଃ ସପିଂ କମ୍ପ୍ଲେକ୍ସ, ପାର୍କିଂ ପ୍ଲେସକୁ ଟାର୍ଗେଟ କରୁଥିଲେ । ଗତ ୬ ମାସ ଧରି ସେମାନେ ଭୁବନେଶ୍ବରରେ ଲୁଟପାଟ କରୁଥିଲେ । ସୁନା ବନ୍ଧକ ରଖୁଥିବା ସଂସ୍ଥାର କର୍ମଚାରୀଙ୍କୁ ଖୁବଶୀଘ୍ର ତଦନ୍ତ ପରିସରଭୁକ୍ତ କରାଯିବ ।

ପାର୍ବଣ ପୂର୍ବରୁ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ପୂର୍ବରୁ ଇରାନୀ ଗ୍ୟାଙ୍ଗ, ବାଓ୍ବରିଆ ଗ୍ୟାଙ୍ଗ, ଚନ୍ଦନ ଜେନା ଗ୍ୟାଙ୍ଗ, ଅଲ୍ଲୀ ଆଜମ ଗ୍ୟାଙ୍ଗକୁ ଧରିଛି ପୋଲିସ । ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ହାର୍ଟ ବନ୍ଦ ପ୍ରସୂତିଙ୍କ ହେଲା ସଫଳ ଅସ୍ତ୍ରୋପଚାର, ଭେଣ୍ଟିଲେଟରରେ ମା ଓ ଶିଶୁ

କଟକ: ଏସସିବିରେ ହେଲା ଜଟିଳ ପେରିପାର୍ଟମ ସର୍ଜରୀ । ସଙ୍କଟାପନ୍ନ ଅବସ୍ଥାରେ ଥିବା ଜଣେ ଗର୍ଭବତୀଙ୍କ ପ୍ରସବ ହୋଇଛି । ହାର୍ଟ ବନ୍ଦ ହୋଇଯାଇଥିବା ପ୍ରସୂତିଙ୍କ ହେଲା ସର୍ଜରୀ । ହାର୍ଟକୁ ପମ୍ପିଙ୍ଗ କରି ମହିଳାଙ୍କ ସର୍ଜରୀ କରାଯାଇ ଶିଶୁ ଜନ୍ମ ନେଇଛି ।

ସ୍ତ୍ରୀ ଓ ପ୍ରସୂତି ବିଭାଗ, ନିଶ୍ଚେତକ ବିଭାଗ ସହ ଶିଶୁ ବିଭାଗ ଡାକ୍ତରଙ୍କ ପ୍ରଚେଷ୍ଟାରେ ଏହି ସର୍ଜରୀ କରାଯାଇଛି । ବର୍ତମାନ ଉଭୟ ମା ଓ ଶିଶୁ ଭେଣ୍ଟିଲେଟରରେ ଅଛନ୍ତି । ମା ଓ ଶିଶୁକୁ ସୁରକ୍ଷିତ ରଖିବା ପାଇଁ ଏସସିବିର ଡାକ୍ତର ଓ ପାରାମେଡିକଲ ଷ୍ଟାଫ ନଜର ରଖିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏସସିବି ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ।

ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ, ମଥୁରାନଗରୀ ରୁ ପୁରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ

ନନ୍ଦିଘୋଷ ବ୍ୟୁରୋ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଏଥିପାଇଁ ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀ ଠାରୁ ଆରମ୍ଭ କରି ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ଶ୍ରୀମନ୍ଦିରରେ ବିଶେଷ ଭାବେ ଏହି ଜନ୍ମୋତ୍ସବ ପାଳିତ ହେଉଛି ।

କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂଶର ବନ୍ଦୀଶାଳରେ ଜନ୍ମ ହୋଇଥିଲେ ଶ୍ରୀକୃଷ୍ଣ । ପରେ କଂଶର ଭୟରେ ବାପା ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ମଥୁରାରେ ଛାଡି ଆସିଥିଲେ । ସେଠାରେ ନନ୍ଦ ରାଜାଙ୍କ ପୁଅ ଭାବେ ସେ ପାଳିତ ହୋଇଥିଲେ ।

ହିନ୍ଦୁ ଧର୍ମରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଥାଏ । ବିଶ୍ବର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ । ଗାଁଠୁ ସହର ସବୁଠି ଏହି ଦିନ ଉତ୍ସବମୂଖର ହୋଇଉଠେ । ଏଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି ।

ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ, ୨ ଦିନ ପ୍ରବଳ ବର୍ଷା

ଭୁବନେଶ୍ବର: ଲଘୁଚାପରେ ପରିଣତ ହେଲା ଉତ୍ତର ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ । ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସମୁଦ୍ର ମଧ୍ୟରେ ଲଘୁଚାପ କେନ୍ଦ୍ରୀଭୁତ ହୋଇଛି । ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହା ସହ ପ୍ରବଳ ବର୍ଷା ନେଇ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳହାଣ୍ଡି, ନୂଆପଡା, ବଲାଙ୍ଗିର, ବରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୭ ତାରିଖରେ ୧୩ ଜିଲ୍ଲା, ଏବଂ ୮ ତାରିଖରେ ୭ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ୯ ତାରିଖ ପରେ ରାଜ୍ୟରେ ପାଗ ବଦଳିଲେ ମଧ୍ୟ ଅଧିକାଂଶ ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ୧୧ ରୁ ୧୩ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ନେଇ ଆକଳନ କରାଯାଇଛି । ସେପଟେ ମୌସୁମୀ ସିଜିନ୍ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଲ୍ୟାଣ୍ଡର ବିକ୍ରମ ପଠାଇଲା ଚନ୍ଦ୍ରର ରଙ୍ଗୀନ ଫଟୋ: ଇସ୍ରୋ କହିଲା, ଦେଖିବା ମଜାଦାର

ବେଙ୍ଗାଲୁରୁ: ଚନ୍ଦ୍ରର ରଙ୍ଗୀନ ମାଟି । ଦେଖିଲେ ଆଚମ୍ବିତ ହୋଇଯିବେ । ଇସ୍ରୋ ଜାରି କଲା ଚନ୍ଦ୍ରାୟନ-୩ର ଲ୍ୟାଣ୍ଡର ବିକ୍ରମ ପଠାଇଥିବା ଫଟୋ । ଏହାସହ ଇସ୍ରୋ ପକ୍ଷରୁ କୁହାଯାଇଛି, ଏହାକୁ ଦେଖିବାର ପ୍ରକୃତ ମଜା ଥ୍ରିଡି ଚଷମା ପିନ୍ଧି ଦେଖିବାରେ ଅଛି । ରୋଭର ପ୍ରଜ୍ଞାନ ଏହି ଫଟୋ କିଛିଦିନ ପୂର୍ବେ ଲ୍ୟାଣ୍ଡର ବିକ୍ରମଠାରୁ ୧୫ ମିଟର ଦୂରରୁ ଉଠାଇଥିଲା ।

ଇସ୍ରୋ ବିକ୍ରମ ଲ୍ୟାଣ୍ଡରର ଆଖପାଖକୁ ଡାୟମେନସନକୁ ଷ୍ଟେରିଓ ଓ ମଲ୍ଟି ବ୍ଲ୍ୟୁ ଇମେଜ୍ ଆକାରରେ ଜାରି କରିଛି । ଏହାକୁ ଇସ୍ରୋ ଏନଗଲିଫ ବୋଲି କହୁଛି । ଏହି ଫଟୋକୁ ରୋଭର ପ୍ରଜ୍ଞାନରେ ଲାଗିଥିବା ନେଭକେମ୍ କ୍ୟାମେରା ଉଠାଇଥିଲା । ଯାହାକୁ ପରେ ନେଭକେମ୍ ଷ୍ଟେରିଓ ବଦଳାଇ ଦେଇଥିଲା ।

ଏହା ୩ଟି ଚ୍ୟାନେଲର ଫଟୋ । ପ୍ରକୃତରେ ଏହା ଦୁଇଟି ଫଟୋର ମିଶ୍ରଣ । ଗୋଟିଏ ଫଟୋ ରେଡ ଚ୍ୟାନେଲରେ ଉଠାଯାଇଥିବା ବେଳେ ଅନ୍ୟଟି ବ୍ଲୁ୍ୟ ଓ ଗ୍ରୀନ ଚ୍ୟାନେଲରେ ଉଠାଯାଇଥିଲା । ଦୁଇ ଫଟୋକୁ ମିଶାଇବା ପରେ ଏମିତି ଫଟୋ ହୋଇପାରିଛି । ଏହି କାରଣରୁ ବିକ୍ରମ ଲ୍ୟାଣ୍ଡର ଥ୍ରିଡିରେ ଦିଶିବ । ଅର୍ଥାତ ଆପଣଙ୍କୁ ଲାଗିବ ଆପଣ ଚନ୍ଦ୍ର ଉପରେ ଛିଡ଼ା ହୋଇ ବିକ୍ରମକୁ ଦେଖୁଛନ୍ତି ।

ସ୍ମାର୍ଟଓ୍ବାଚ୍ ଆଣିପାରେ ଏହି ବିପଦ

ନନ୍ଦିଘୋଷ ବ୍ୟୁରୋ: ସମୟ କ୍ରମେ ଧୀରେ ଧୀରେ ଆଧୁନିକ ଯୁଗ ସାଙ୍ଗକୁ ନୂଆ ନୂଆ ଜ୍ଞାନକୌଶଳ ସୃଷ୍ଟି ହେଉଛି। ପ୍ରତ୍ୟେକ କାର୍ଯ୍ୟକୁ ଆମେ ଏତେ ଜଲଦି କରିବାକୁ ଚେଷ୍ଟା କରୁଛେ ଯେ ଯାହା ପାଇଁ ଆମକୁ ସମୟକୁ ବି ଜଲଦି ଦେଖିବାକୁ ପଡୁଛି। ସେଥିପାଇଁ ସବୁବେଳେ ହାତରେ ଘଣ୍ଟା ବନ୍ଧା ହୋଇ ରହୁଛି । ଏମିତିରେ କିଛି ଜଣଙ୍କ କୌଣସି କାମ ନଥାଇ ବି ସେମାନେ ସଉକରେ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ହେଲେ ଏବେ ଆଉ ସେହି ପୁରୁଣା କଣ୍ଟା ଥିବା ଘଣ୍ଟାକୁ ପିନ୍ଧିବାକୁ କେହି ପସନ୍ଦ କରୁନାହାନ୍ତି । ବର୍ତମାନ ନୂଆ ନୂଆ ଫିଚର ସହ ସମସ୍ତେ ସ୍ମାର୍ଟ ୱାଚ ପିନ୍ଧିବାକୁ ପସନ୍ଦ କରୁଛନ୍ତି ।

ମୋବାଇଲ ଭଳି ବର୍ତମାନ ସ୍ମାର୍ଟ ୱାଚରେ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହୁଛି । ଘଣ୍ଟାରେ କେବଳ ସମୟ ଦେଖିବା ନୁହେ ବରଂ ଏଥିରେ ଅନେକ କାମ କରିହେଉଛି । ଫୋନ ଠାରୁ ଆରମ୍ଭ କରି ମନରଞ୍ଜନ ଯାଏଁ ସମସ୍ତ ସୁବିଧା ଏଥିରେ ମିଳିପାରୁଛି । ତେଣୁ ଏହି କାରଣରୁ ବର୍ତମାନ ସମସ୍ତେ ସ୍ମାର୍ଟ ୱାଚ ପିନ୍ଧିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହି ସ୍ମାର୍ଟ ୱାଚ ପିନ୍ଧିବା ଦ୍ୱାରା ଆପଣଙ୍କ ଠାରେ କେଉଁ ସମସ୍ୟା ଦେଖା ଦେଉଛି ଏହା ଉପରେ କେବେ ଧ୍ୟାନ ଦେଇଛନ୍ତି କି? ଏହି ସ୍ମାର୍ଟ ୱାଚକୁ ଘଣ୍ଟା ଘଣ୍ଟା ଧରି ପିନ୍ଧିବା ଦ୍ୱାରା ଆପଣଙ୍କ ପାଖରେ ଅନେକ ସମସ୍ୟା ଦେଖାଦେଇପାରେ । ତେବେ ଏହି ସମସ୍ୟାକୁ ଏଡ଼ାଇବା ପାଇଁ ସଚେତନ ରହିବା ଆବଶ୍ୟକ ।

ସ୍ମାର୍ଟ ୱାଚ୍ ବ୍ୟବହାର ଆପଣଙ୍କର ଶୋଇବା, ଧ୍ୟାନ, ଏବଂ ସ୍ମୃତି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ । ଦୀର୍ଘ ଅବଧିରେ, ତାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ । ଦୀର୍ଘ ସମୟ ଧରି ଏହି ଗ୍ୟାଜେଟଗୁଡ଼ିକର ବ୍ୟବହାର ସ୍ମୃତି ଶକ୍ତି ହ୍ରାସ ଏବଂ ଖରାପ ଧ୍ୟାନ ଆଣିଥାଏ । କିଛି ଲୋକ ଦୀର୍ଘ ସମୟ ଧରି ସ୍ମାର୍ଟ ୱାଚ୍ ପିନ୍ଧିବା ପରେ ପ୍ରବଳ ମୁଣ୍ଡବିନ୍ଧା ଏବଂ ବାନ୍ତି ହେବାର ନଜର ରହିଛି ।

ସ୍ମାର୍ଟ ଓ୍ବାଚ୍ ଦ୍ବରା ଜୀବାଣୁ ଜନିତ ସମସ୍ୟା । ଫ୍ଲୋରିଡା ଆଟଲାଂଟିକ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣାରେ ସ୍ପଷ୍ଟ ହୋଇଛି ଯେ, ଏହି ବ୍ରେସଲେଟଗୁଡିକରେ ଜୀବାଣୁ ସଂଖ୍ୟା ମାତ୍ରାଧିକ ରହୁଛି । ଏପରିକି ଏକ ପାଇଖାନା ପ୍ୟାନ ତୁଳନାରେ ଏଥିରେ ଅଧିକ ଜୀବାଣୁ ରହୁଛନ୍ତି । ପ୍ଲାଷ୍ଟିକ, ରବର, କନା, ଚମଡା, ସୁନା ଓ ରୂପା ସ୍ମାର୍ଟୱାଚ ଷ୍ଟ୍ରିପରେ ତଳେ ଝାଳ ଏବଂ ମଇଳା ଯୋଗୁ ଜୀବାଣୁ ସଂଖ୍ୟା ବୃଦ୍ଧି ପାଉଛି । ଏହା ଉପରକୁ ବିଶେଷ ନଜର ଦିଆ ଯାଉ ନ ଥିବାରୁ ସେଠାରେ ସେମାନେ ତାଙ୍କ ସଂଖ୍ୟା ସହଜରେ ବିସ୍ତାର କରିପାରୁଛନ୍ତି । ଫଳରେ ସେପସିସ ଓ ନିମୋନିଆ ପରି ରୋଗକୁ ଏହି ଜୀବାଣୁ ସହଜରେ ଶରୀର ମଧ୍ୟରେ ପ୍ରବେଶ କରାଇଥାନ୍ତି ।

ବ୍ଲୁ ଲାଇଟ ଇଫେକ୍ଟ । ଅଧ୍ୟୟନରୁ ଜଣାପଡିଛି ଯେ ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରିବା ଦ୍ୱାରା ନିଦ ଭାଙ୍ଗିଥାଏ । ଦିନସାରା ଏବଂ ରାତିରେ ମଧ୍ୟ ଏକ ସ୍ମାର୍ଟ ୱାଚ୍ ବ୍ୟବହାର କରିବା ଆପଣଙ୍କ ଶୋଇବାର କ୍ଷମତା ଉପରେ ପ୍ରଭାବ ପକାଇପାରେ କାରଣ ଆପଣ ଆଖିକୁ ଇନଫ୍ରାଡ୍ ଆଲୋକର ପ୍ରଭାବରୁ ରକ୍ଷା କରିପାରିବେ ନାହିଁ ।

ମାନସିକ ପ୍ରଭାବ । ସ୍ମାର୍ଟ ୱାଚର ଏକ ପ୍ରମୁଖ ପ୍ରଭାବ ହେଉଛି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଡିଏସନ ସଂସ୍ପର୍ଶରେ ଆସିବା ପରେ ଆପଣଙ୍କ ସ୍ନାୟୁ ଆଉ କ୍ଳାନ୍ତ ଅନୁଭବ କରେ ନାହିଁ । ଏହି କାରଣରୁ, ଆପଣଙ୍କ ମାନସିକ ଚାପ ଏବଂ ଅସନ୍ତୋଷ ଧୀରେ ଧୀରେ ବୃଦ୍ଧି ପାଏ । ତେଣୁ କ୍ରୋଧିତ ଆଚରଣ କରିବା ସ୍ୱାଭାବିକ ହୋଇଥାଏ ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ୍ବେବ ପୋର୍ଟାଲ ଉଦଘାଟିତ

ଭୁବନେଶ୍ବର: ଗୁଣାତ୍ମକ ଶିକ୍ଷା ପାଇଁ ଓଡ଼ିଶା ସାଜିବ ରୋଲ ମଡେଲ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ 542 ଜଣ ଶିକ୍ଷକ ଓ ଅଧ୍ୟକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିଭଳି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାୟ ପାଇଁ ୩୦ ଶିକ୍ଷକ ଓ ଅଧ୍ୟକ୍ଷ ମିଳିଛି ନିଯୁକ୍ତି । ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂତନ ହଷ୍ଟେଲ ଓ ଏକାଡେମିକ୍ ବିଲଡିଂର ଶୁଭ ଉଦଘାଟନ ମଧ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ୍ବେବ ପୋର୍ଟାଲ ମଧ୍ୟ ଉଦଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାକୁ ଚେଷ୍ଟା କରିବାକୁ ଶିକ୍ଷକ ଓ ଅଧ୍ୟକ୍ଷ ମାନଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ନିଯୁକ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉନ୍ନତ୍ତିରେ ସାହାଯ୍ୟ କରିବ । ଶିକ୍ଷକ ଓ ଅଧ୍ୟାପକ ମାନେ

ଶୈଖିକ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରୟାଶ କରିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।  5T କାର୍ଯ୍ୟଧାରା  ଛାତ୍ରଛାତ୍ରୀ ମାନଙ୍କୁ ଅନୁସରଣ କରାଇବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସମସ୍ତ ନବ ନିଯୁକ୍ତ ଶିକ୍ଷକ ଓ ଅଧ୍ୟାପକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ହିରୋ ବୋଲି କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।