spot_img
Home Blog Page 2667

ଭାରସାମ୍ୟ ହରାଇ ୨୦ ଫୁଟ୍‌ ପୋଲ ତଳକୁ ଖସିଲା କାର୍‌

ସୋରୋ: ଭାରସାମ୍ୟ ହରାଇ ୨୦ ଫୁଟ୍‌ ପୋଲ ତଳକୁ ଖସିଲା କାର୍‌ । ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ । ବାଲେଶ୍ୱର ଜିଲ୍ଲା 16ନଂ ଜାତୀୟ ରାଜପଥ ତଳନଗର ନିକଟରେ ପୋଲ ତଳକୁ ଖସିଲା କାର। ପଶ୍ଚିମବଙ୍ଗ ଖଡ଼ଗପୁରରୁ ଏକ କାରରେ ଦମ୍ପତି ଦୁଇ ପିଲାଙ୍କୁ ଧରି ପୁରୀ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି  । ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଅଛି । ସୋର ପୋଲିସ କାର୍‌ଟିକୁ ଥାନାକୁ ଆଣି ତଦନ୍ତ କରୁଛି । ଆହତଙ୍କ ସଠିକ ପରିଚୟ ମିଳିପାରିନାହିଁ ।

ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର

ପୁରୀ: ପୁରୀରେ ଛୁରାମାଡ଼ । ବଳିଆପଣ୍ଡା ନାଲି ପଡିଆରେ ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର, ବଳିଆପଣ୍ଡା ଥାନା ଦ୍ୱାରା ମେଡିକାଲରେ ଭର୍ତ୍ତି l ଗୁରୁତର ଗଞ୍ଜାମର ୨୬ ବର୍ଷୀୟ ଶିବ ବେହେରା l ଶିବ ତାଙ୍କ ପରିବାର ସହ ବଳିଆପଣ୍ଡା ନାଲି ପଡିଆରେ ରହି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି l ଗତକାଲି ରାତିରେ  କୌଣସି କାରଣ ନେଇ ଦାଦା ଶଙ୍କର ବେହେରା ଶିବ ପେଟରେ ଛୁରୀ ଭୂଷି ଦେଇଥିଲା l  ବଳିଆପଣ୍ଡା ଥାନା ପୁଲିସ ଶିବକୁ ମେଡିକାଲରେ ଭର୍ତ୍ତି କରିବା ସହ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।

ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗର ASI

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗର ASI । ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଚଢ଼ାଉ  । ବାଲୁଗାଁ ସର୍କଲ ଅବକାରୀ ASI ସୁଦୀପ୍ତ ଦାସଙ୍କ ବିରୋଧରେ ଥିଲା ଅଭିଯୋଗ । ୪ DSPଙ୍କ ନେତୃତ୍ୱରେ ୬ ଇନ୍ସପେକ୍ଟର କରିଛନ୍ତି ଚଢ଼ାଉ । ଏକାକାଳୀନ ୪ଟି ସ୍ଥାନରେ ଚଢ଼ାଉ ହେଉଥିବା ନେଇ ସୂଚନା ମିଳିଛି । ନୟାଗଡ଼ ସ୍ଥିତ ପୈତୃକ ଘର ଓ ଭଡା ଘରେ ଚଢାଉ କରାଯାଇଛି  । ବାଲୁଗାଁରେ ଥିବା ଘର ଓ ଅଫିସ ପରିସରରେ ଛାପା ମାରୁଛି ଟିମ  । ବାବୁଙ୍କ ବିରୋଧରେ ପଡିଥିଲା ଏକାଧିକ ପିଟିସନ ।

ଆଜି ନୂଆଖାଇ ପାଇଁ ସ୍ଥିର ହେବ ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଗୁରୁବାର ସମ୍ବଲପୁରରେ ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯିବ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ଚଳିତ ରାଶି ନକ୍ଷତ୍ର ଅନୁସାରେ ଲଗ୍ନ ସ୍ଥିରିକୃତ କରାଯିବ । ପଣ୍ଡିତ ମହାସଭା ଦ୍ବାରା ଲଗ୍ନ ସ୍ଥିର କରାଯିବା ପରେ, ସେହି ଲଗ୍ନ ଓ ନିର୍ଦ୍ଧିଷ୍ଟ ସମୟରେ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଏହାପରେ ପଶ୍ଚିମ ଓଡିଶାର ଘରେଘରେ ନୂଆଖାଇ ପାଳନ କରାଯିବ । ମାଆ ସମଲେଶ୍ବରୀଙ୍କ ନିକଟରେ ପ୍ରଥମେ ସରିଆ ଧାନରୁ ପ୍ରସ୍ତୁତ ଚୁଡା,ଖିରୀ ଓ ପିଠା ପ୍ରସ୍ତୁତ କରାଯାଇ ସାରୁ ପତ୍ରରେ ଲାଗି କରାଯିବ ।

ଏହାପରେ, ମନ୍ଦିର ବେଢା ପରିସରରେ ଥିବା ୧୧୭ ଦେବାଦେବୀଙ୍କୁ ମଧ୍ୟ ନବାନ୍ନ ଲାଗି କରାଯିବ । ଅପରାହ୍ନ ୪ଟା ୩୦ରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯିବା ପରେ ପୂରା ପଶ୍ଚିମ ଓଡିଶାରେ ନୂଆଖାଇର ପ୍ରସ୍ତୁତି ଆରମ୍ଭ ହୋଇଯିବ । ଏହି ଦିନକୁ ସାରା ପଶ୍ଚିମଓଡିଶାବାସୀ ଚାହିଁ ବସିଥାନ୍ତି । ପଶ୍ଚିମ ଓଡିଶାର ଯିଏ ଯେତେ ଦୂରରେ ଥିଲେ ମଧ୍ୟ ନୂଆଁଖାଇ ଦିନ ନିଜ ଘରକୁ ଫେରି, ପରିବାର ଲୋକଙ୍କ ସହ ନୂଆଁ ଖାଇ, ଜୁହାର ଭେଟ ହୋଇ ପୁଣି ନିଜ କର୍ମକ୍ଷେତ୍ରକୁ ଫେରି ଯାଇଥାନ୍ତି । ଏପରିକି ଯେତେ ରାଗରୁଷା ଥିଲେ ମଧ୍ୟ ନୂଆଁଖାଇ ଦିନ ଜୁହାର କରିଦେଲେ ସବୁ ରାଗରୁଷା ଶେଷ ହୋଇଯାଇଥାଏ । ନୂଆଖାଇ ପରେ ଜୁହାର ଭେଟ ଓ ପରେ ଭେଟଘାଟ୍ ପର୍ବ ପାଳନ କରାଯାଇଥାଏ ।

ବକୁଳ ପାଠାଗାରରେ ନ୍ୟୁୟର୍କର କୋଣାର୍କ ଚକ୍ରର କାହାଣୀ

ଭୁବନେଶ୍ବର: ରାଜଧାନୀର ବକୁଳ ପାଠାଗାରରେ ନ୍ୟୁୟର୍କର କୋଣାର୍କ ଚକ୍ରର କାହାଣୀ । ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଆନ୍ତର୍ଜାତୀୟ ସେଫ୍ ବିକାଶ ଖାନ୍ନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା କୋଣାର୍କ ଚକ୍ର ପ୍ରତିକୃତି । ଏହି ଯାତ୍ରା କେମିତି ଥିଲା ତାହାକୁ ନେଇ ବକୁଳ ଫାଉଣ୍ଡେସନ ପକ୍ଷରୁ ବକୁଳ ପାଠାଗାରରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଯେଉଁଥିରେ ଆର୍ଟର କ୍ୟୁରେଟର ତଥା ଫିଲ୍ମ ନିର୍ମାତା ଡା. ଜିତେନ୍ଦ୍ର ମିଶ୍ର ଓ ପଥର ଶିଳ୍ପୀ ଅମରେଶ ବିନ୍ଧାଣୀ, ଅଭିନେତା ସବ୍ୟସାଚୀ ମିଶ୍ର ଯୋଗ ଦେଇଥିଲେ ।

ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର ଆନ୍ତର୍ଜାତୀୟ ସେଫ୍ ବିକାଶ ଖାନ୍ନାଙ୍କ ସହିତ ୧୦ ବର୍ଷର ବନ୍ଧୁତା । ବିକାଶ ଖାନ୍ନାଙ୍କ ଉପନ୍ୟାସ ଉପରେ ଆଧାରିତ ଫିଚର ଫିଲ୍ମ “ଦ ଲାଷ୍ଟ କଲର୍” ସମେତ ସେମାନେ ଏକାଠି କରିଥିବା ୬ଟି ଫିଲ୍ମ ବିଷୟରେ କାମ କରିଥିଲେ । କଳା ଓ ସଂସ୍କୃତି ବିଷୟରେ ପ୍ରୋତ୍ସାହନ ଦେବାକୁ ଆଗ୍ରହୀ ଥିଲେ ବିକାଶ ଖାନ୍ନା। ୨୦୨୦ରେ କୋଭିଡ୍ ସମୟରେ ବିକାଶ ନ୍ୟୁୟର୍କରେ ଥିବା ତାଙ୍କ ଫ୍ଲାଗସିପ୍ ରେଷ୍ଟୁରାଣ୍ଟ ପାଇଁ ତାଙ୍କ ବିଚାର ଉପରେ ଆଲୋଚନା ଆରମ୍ଭ କରିଥିଲେ । ଏକ ମ୍ୟୁଜିୟମ ନିର୍ମାଣ କରିବାକୁ ଚାହୁଁଥିଲେ ବିକାଶ। ମ୍ୟୁଜିୟମରେ ସମସ୍ତ ରାଜ୍ୟର ଖାଦ୍ୟ ଓ କଳାକୃତି ସ୍ଥାନ ପାଇଥିଲା । ଓଡ଼ିଶାର ପ୍ରସ୍ତର ଭାସ୍କର୍ଯ୍ୟକୁ ପ୍ରଦର୍ଶିତ କରିବା ସବୁଠାରୁ ଭଲ ହେବ ଏବଂ କୋଣାର୍କ ଚକ୍ର ଉପରେ ଚୂଡ଼ାନ୍ତ ରୂପ ଦେବାକୁ ଜିତେନ୍ଦ୍ର ବିକାଶଙ୍କୁ କହିଥିଲେ ।

ଏହା ପରେ ପଥର ଶିଳ୍ପୀ ଅମରେଶ ବିନ୍ଧାଣୀଙ୍କ ସମେତ ୮ଜଣ ଶିଳ୍ପୀ ମିଶି ଯାଜପୁର ଲଳିତଗିରିରେ ଚକ୍ର ନିର୍ମାଣ କରିଥିଲେ। ସମସ୍ତ ଖର୍ଚ୍ଚ ବିକାଶ ଖାନ୍ନା ବହନ କରିଥିଲେ  । ଚକ୍ରଟି ୧୮ଶହ ୫୦ କେଜି, ୮ ଫୁଟ୍ ଉଚ୍ଚତା ଓ ୧୦ ଫୁଟ୍ ଲମ୍ବର ଏକ ଭାସ୍କର୍ଯ୍ୟକୁ ଆମେରିକା ପଠାଇବାରେ ଅନେକ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ରହିଥିଲା । ଭୁବନେଶ୍ୱରରୁ ଲଜିଷ୍ଟିକ୍ସର ସଂଯୋଜନା କରିଥିବା  ଅନ୍ତର୍ଜାମୀ ମିଶ୍ରଙ୍କ ସହାୟତାରେ ଶେଷରେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ଏହାକୁ ନ୍ୟୁଜର୍ସିର ଏକ ଗୋଦାମକୁ ପଠାଯାଇଥିଲା। ଆଉ ଶେଷରେ ଚଳିତ ବର୍ଷ ଭାରତୀୟ ସ୍ୱାଧୀନତା ଦିବସ ଅବସରରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାର୍ ରେ ଆନ୍ତର୍ଜାତୀୟ ସେଫ୍ ବିକାଶ ଖାନ୍ନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା କୋଣାର୍କ ଚକ୍ର ପ୍ରତିକୃତି । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ୍ର ନିର୍ମାଣ ଓ ସ୍ଥାପନରେ ଉଲ୍ଲେଖନୀୟ ଅବଦାନ ପାଇଁ ବକୁଳ ଫାଉଣ୍ଡେସନ ପକ୍ଷରୁ କ୍ୟୁରେଟର ଜିତେନ୍ଦ୍ର ମିଶ୍ର ଓ ପଥର ଶିଳ୍ପୀ ଅମରେଶ ବିନ୍ଧାଣୀଙ୍କୁ ସୁବାସ ପୂଜାରୀ ଓ ଅନ୍ତଯାର୍ମୀ ମିଶ୍ରଙ୍କୁ ସହ ସମ୍ବର୍ଦ୍ଧିତ କରାଯାଇଥିଲା।

ବାଲୁକା କଳାରେ ବାଇଡେନଙ୍କୁ ସ୍ବାଗତ

ପୁରୀ: ବାଲୁକା କଳା ମାଧ୍ୟମରେ ଜି-20 ସମ୍ବିଳନୀରେ ଯୋଗଦାନ ପାଇଁ ଆସୁଥିବା ଡେଲିଗେଟସମାନଙ୍କୁ ସ୍ବାଗତ । ପୁରୀ ବେଳାଭୁମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଏହି ବାଲୁକା କଳା । 2 ହଜାର ମାଟି ଦୀପ ବ୍ୟବହାର କରି ଏହି ବାଲୁକା କଳାକୁ ନିର୍ମାଣ କରାଯାଇଛି । ବାଲୁକା କଳାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଛି । ଏହାକୁ ନିର୍ମାଣ କରିବା ପାଇଁ ସୁଦର୍ଶନଙ୍କୁ ପ୍ରାୟ 5 ଘଣ୍ଟା ସମୟ ଲାଗିଥିଲା ।

ନନ୍ଦୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ: ନନ୍ଦୋତ୍ସବ ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଉଛି । ମଙ୍ଗଳ ଆଳତୀ ସରିବା ପରେ ମହାଜନ ସେବାୟତ ପ୍ରଭୁ ରାମ, କୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ବିଜେ କରିବେ । ଦକ୍ଷିଣ ଘରୁ ମଦନମୋହନ ଆସି ଦୋଳିରେ ବସିବେ । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ । ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତି ମହାପାତ୍ର ବିଜେ କରାଇବେ । ତେଣୁ ରାମ, କୃଷ୍ଣ ଓ ମଦନମୋହନ ଦୋଳିରୁ ଓହ୍ଲାଇ ଖଟ ଉପରେ ବିଜେ ହେବେ । ଭିତରଛୁ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିଆସି ସ୍ନାନମଣ୍ଡପ ଉପରେ ବସିବେ । ପରେ ଭରତିଆ ଗୌଡ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବେ ।

ଧରାପୃଷ୍ଠରେ ନନ୍ଦନନ୍ଦନ, ପାଳନ ହେଉଛି ନନ୍ଦୋତ୍ସବ

ଭୁବନେଶ୍ବର: ଧରାପୃଷ୍ଠରେ ନନ୍ଦନନ୍ଦନ । ଗୁରୁବାର ପାଳନ ହେଉଛି ନନ୍ଦୋତ୍ସବ । ବୁଧବାର ମଧ୍ୟରାତ୍ରୀରେ କଂସ ବନ୍ଦୀଶାଳାରେ ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ ଅଷ୍ଟମ ସନ୍ତାନ ଶ୍ରୀକୃଷ୍ଣ । ଭଗବାନ ଶ୍ରୀକୃଷ୍ଣ ଜନ୍ମ ହେବା ବେଳେ ସମସ୍ତେ ଚେତାଶୂନ୍ୟ ହୋଇଯାଇଥିଲେ। କିନ୍ତୁ ଭଗବାନ ତାଙ୍କ ରୂପ ମାଆ ଦେବକୀ ଏବଂ ବସୁଦେବଙ୍କୁ ଦେଖାଇଥିଲେ। ଏହାପରେ ଭଗବାନ ବାଳକ ରୂପ ଧାରଣ କରିଥିଲେ । ପରେ ବସୁଦେବଙ୍କୁ ଶୂନ୍ୟରୁ ଆଦେଶ ହେଲା ଯେ ଏହି ବାଳକକୁ ନେଇ ଗୋପପୁରରେ ନନ୍ଦ ରାଜାଙ୍କ ଘରେ ଛାଡ଼ି ଦେଇ ତାଙ୍କ ଘରେ ଜନ୍ମ ନେଇଥିବା କନ୍ୟା ସନ୍ତାନକୁ ନେଇ ଆସିବା ପାଇଁ । ବସୁଦେବ ବନ୍ଦୀଶାଳାରୁ ଶ୍ରୀକୃଷ୍ଣଙ୍କୁ ନେଇ ରାତିରେ ନନ୍ଦ ରାଜାଙ୍କ ଘରେ ଛାଡ଼ିଦେଇ ଆସିଥିଲେ ।ନନ୍ଦଙ୍କ ଘରେ ଦୀର୍ଘ ବର୍ଷ ପରେ ପୁଅ ଜନ୍ମ ହୋଇଥିବାରୁ ଗୋପପୁରରେ ଉତ୍ସବ ଦେଖାଦେଇଛି । ଗୋପବାସୀ ଆନନ୍ଦରେ ନନ୍ଦୋତ୍ସବ ପାଳନ କରୁଛନ୍ତି ।

ରିଲିଜ ହେଲା ବହୁପ୍ରତିକ୍ଷୀତ ସିନେମା ଯବାନ

ନନ୍ଦିଘୋଷ ବ୍ୟୁରୋ: ରିଲିଜ ହେଲା ବହୁପ୍ରତିକ୍ଷୀତ ସିନେମା ଯବାନ । ରାତି ଦୁଇଟାରେ ମୁମ୍ବାଇ, କୋଲକାତା ଓ ଦିଲ୍ଲୀ ସମେତ ହିନ୍ଦୀ ହାର୍ଟଲାଣ୍ଡରେ ସିନେମା ରିଲିଜ୍ ହୋଇଛି  । ସାରା ଦେଶରେ ଯବାନ କ୍ରେଜ ଦେଖାଦେଇଛି । ଶାହାରୁଖ ଖାନଙ୍କ ଯବାନ ନୂଆ ରେକର୍ଡ ସୃଷ୍ଟି କରିବ । ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର । ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋବର, ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି । ରାଜଧାନୀ ଭୁବନେଶ୍ବରରେ ସବୁ ହଲ୍ ହାଉସଫୁଲ୍ । କୌଣସି ସିନେମା ହଲରେ ସିଟ୍ ଖାଲିନାହିଁ । ସାରାଦେଶରେ ଆଡଭାନ୍ସ ବୁକିଂରେ ରେକର୍ଡ କରିଛି ଯବାନ । ରିଲିଜ ପୂର୍ବରୁ ୭ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଥିଲା  । ଆଡଭାନ୍ସ ଭୁକିଂରେ ସିନେମା ପାଖାପାଖି ୧୦ କୋଟି ଟଙ୍କା ରୋଜଗାର କରିଥିଲା  । ଓପନିଂ ଡେରେ ଫିଲ୍ମ ଶହେ କୋଟି ରୋଜଗାର କରିବା ଆଶା ରଖିଛନ୍ତି ମେକର୍ସ ।

ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଦୁର୍ବଳ ହେଲା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଥିବା ଲଘୁଚାପ । ଲଘୁଚାପ ସହ ଜଡିତ ଘୂର୍ଣ୍ଣିବଳୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି । ଏହାସହ ମୌସୁମୀ ନିମ୍ନଚାପରେଖା ତାର ସ୍ବାଭାବିକ ଅବସ୍ଥାନକୁ ଫେରିଛି । ପ୍ରଭାବରେ ଆସନ୍ତା କାଲି ଯାଏ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି  ।  ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୯ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ । ୧୧ ରୁ ୧୩ ତାରିଖ ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବର୍ଷା ହେଲେ ବି ଗରମ ଗୁଳୁଗୁଳି ଜାରି ରହିବ ।