ଆଜି ନୂଆଖାଇ ପାଇଁ ସ୍ଥିର ହେବ ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଗୁରୁବାର ସମ୍ବଲପୁରରେ ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯିବ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ଚଳିତ ରାଶି ନକ୍ଷତ୍ର ଅନୁସାରେ ଲଗ୍ନ ସ୍ଥିରିକୃତ କରାଯିବ । ପଣ୍ଡିତ ମହାସଭା ଦ୍ବାରା ଲଗ୍ନ ସ୍ଥିର କରାଯିବା ପରେ, ସେହି ଲଗ୍ନ ଓ ନିର୍ଦ୍ଧିଷ୍ଟ ସମୟରେ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଏହାପରେ ପଶ୍ଚିମ ଓଡିଶାର ଘରେଘରେ ନୂଆଖାଇ ପାଳନ କରାଯିବ । ମାଆ ସମଲେଶ୍ବରୀଙ୍କ ନିକଟରେ ପ୍ରଥମେ ସରିଆ ଧାନରୁ ପ୍ରସ୍ତୁତ ଚୁଡା,ଖିରୀ ଓ ପିଠା ପ୍ରସ୍ତୁତ କରାଯାଇ ସାରୁ ପତ୍ରରେ ଲାଗି କରାଯିବ ।

ଏହାପରେ, ମନ୍ଦିର ବେଢା ପରିସରରେ ଥିବା ୧୧୭ ଦେବାଦେବୀଙ୍କୁ ମଧ୍ୟ ନବାନ୍ନ ଲାଗି କରାଯିବ । ଅପରାହ୍ନ ୪ଟା ୩୦ରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯିବା ପରେ ପୂରା ପଶ୍ଚିମ ଓଡିଶାରେ ନୂଆଖାଇର ପ୍ରସ୍ତୁତି ଆରମ୍ଭ ହୋଇଯିବ । ଏହି ଦିନକୁ ସାରା ପଶ୍ଚିମଓଡିଶାବାସୀ ଚାହିଁ ବସିଥାନ୍ତି । ପଶ୍ଚିମ ଓଡିଶାର ଯିଏ ଯେତେ ଦୂରରେ ଥିଲେ ମଧ୍ୟ ନୂଆଁଖାଇ ଦିନ ନିଜ ଘରକୁ ଫେରି, ପରିବାର ଲୋକଙ୍କ ସହ ନୂଆଁ ଖାଇ, ଜୁହାର ଭେଟ ହୋଇ ପୁଣି ନିଜ କର୍ମକ୍ଷେତ୍ରକୁ ଫେରି ଯାଇଥାନ୍ତି । ଏପରିକି ଯେତେ ରାଗରୁଷା ଥିଲେ ମଧ୍ୟ ନୂଆଁଖାଇ ଦିନ ଜୁହାର କରିଦେଲେ ସବୁ ରାଗରୁଷା ଶେଷ ହୋଇଯାଇଥାଏ । ନୂଆଖାଇ ପରେ ଜୁହାର ଭେଟ ଓ ପରେ ଭେଟଘାଟ୍ ପର୍ବ ପାଳନ କରାଯାଇଥାଏ ।