spot_img
Home Blog Page 261

ଦୁର୍ଘଟଣାରେ ଦୁଇ ମୃତ, ତିନି ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପ୍ରଦେଶର ମୁରାଦାବାଦରେ  ସଡ଼କ ଦୁର୍ଘଟଣା ।  ମୁରାଦାବାଦ ଜିଲ୍ଲା ଦିଲାରି ଥାନା ଅନ୍ତର୍ଗତ ପିପଲି ଅମରପୁର ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଇଟା ବୋଝେଇ ଏକ ଟ୍ରାକ୍ଟର-ଟ୍ରଲି ଏକ ମିନି-ମେଟ୍ରୋ ଗାଡ଼ି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ମିନି-ମେଟ୍ରୋ ଗାଡ଼ିଟି ଭାଙ୍ଗିଯିବା ସହ ପାଣି ଭର୍ତ୍ତି ଖାଲରେ ପଡ଼ିଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ମିନି ମେଟ୍ରୋରେ ପାଞ୍ଚ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା, ଯେତେବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା। ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି, ଏବଂ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ପୋଲିସ କହିଛି ।

ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ପୋଲିସ ଟ୍ରାକ୍ଟର-ଟ୍ରେଲରକୁ ଜବତ କରି ଡ୍ରାଇଭରଙ୍କୁ ଖୋଜାଖୋଜି ଆରମ୍ଭ କରିଛି।

SIR ବିରୋଧରେ ସୁପ୍ରିମକୋର୍ଟରେ ଯିବେ ଷ୍ଟାଲିନ୍, ୪୮ ଦଳ କଲେ ସମର୍ଥନ

ନନ୍ଦିଘୋଷ ବ୍ୟୁରୋ : ଦେଶରେ ବିରୋଧୀ ଦଳଗୁଡିକ SIRର ଦ୍ୱିତୀୟ ପର୍ଯ୍ୟାୟକୁ ବିରୋଧ କରୁଛନ୍ତି । ଏହି ପ୍ରତିବାଦ ଏବେ ସୁପ୍ରୀକୋର୍ଟରେ ପହଞ୍ଚିବ । ତମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ, ତାମିଲନାଡୁର ୪୮ଟି ରାଜନୈତିକ ଦଳ SIR ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଉଛନ୍ତି। ଏହି ନିଷ୍ପତ୍ତିକୁ ସର୍ବଦଳୀୟ ବୈଠକରେ ଅନୁମୋଦନ କରାଯାଇଛି। SIRର ଦ୍ୱିତୀୟ ପର୍ଯ୍ୟାୟ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବାର କାର୍ଯ୍ୟକ୍ରମ ରହିଛି।

ସର୍ବଦଳୀୟ ବୈଠକ ପରେ, ଏମକେ ଷ୍ଟାଲିନ X ରେ ଲେଖିଥିଲେ ଯେ SIR ପଛରେ ପ୍ରକୃତ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେବା  । ତେଣୁ ଏହି ପ୍ରକ୍ରିୟା ବିରୋଧରେ ଠିଆ ହେବା ସମସ୍ତ ରାଜନୈତିକ ଦଳର ଦାୟିତ୍ୱ।

ଷ୍ଟାଲିନ୍ ଆହୁରି କହିଛନ୍ତି, “ତାମିଲନାଡୁର ଲୋକଙ୍କ ଭୋଟ ଅଧିକାର ଛଡ଼ାଇ ନେବା ଏବଂ ଗଣତନ୍ତ୍ରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଶୀଘ୍ର କାର୍ଯ୍ୟକାରୀ ହେଉଥିବା SIR ବିରୁଦ୍ଧରେ ଏକତ୍ରିତ ହୋଇ ସ୍ୱର ଉଠାଇବା ସମସ୍ତ ଦଳର କର୍ତ୍ତବ୍ୟ।”

ଏମ୍ କେ ଷ୍ଟାଲିନ୍ ମଧ୍ୟ ପରାମର୍ଶ ଦେଇଥିଲେ ଯେ ଭାରତର ନିର୍ବାଚନ କମିଶନ ୨୦୨୬ ବିଧାନସଭା ନିର୍ବାଚନ ପରେ ସାରା ଦେଶରେ ଭୋଟର ତାଲିକା ସଂଶୋଧନ କରିବା ଉଚିତ, ଯାହା ଯଥେଷ୍ଟ ସମୟ ନେଇପାରିବ। ଷ୍ଟାଲିନ୍ କହିଥିଲେ, “ଭୋଟର ତାଲିକା ସଂଶୋଧନକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଏବଂ ସନ୍ଦେହ ଯୋଗୁଁ, ଆମର ଦାବି ହେଉଛି ଯେ ଏହା ୨୦୨୬ ସାଧାରଣ ନିର୍ବାଚନ ପରେ, ଯଥେଷ୍ଟ ସମୟ ସହିତ ଏବଂ କୌଣସି ସମସ୍ୟା ବିନା କରାଯିବା ଉଚିତ। ଇସିଆଇ ଏହି ଦାବିକୁ ଗ୍ରହଣ କରିନାହିଁ। ତେଣୁ, ଆଜିର ସର୍ବଦଳୀୟ ବୈଠକରେ, ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛୁ।”

ଏମକେ ଷ୍ଟାଲିନ ବୈଠକରେ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ଅଂଶଗ୍ରହଣ କରିନଥିବା ଦଳଗୁଡ଼ିକୁ ସେମାନଙ୍କ ଦଳରେ SIR ଉପରେ ଆଲୋଚନା କରିବାକୁ ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ।

ଏହା ଉଲ୍ଲେଖନୀୟ ଯେ ଯଦିଓ DMK ଦ୍ୱାରା ଡକାଯାଇଥିବା ବୈଠକରେ ୪୮ଟି ଦଳ ଅଂଶଗ୍ରହଣ କରିଥିଲେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ତାମିଲାଗା ଭେଟ୍ରି କାଝାଗମ (TVK) ଏଥିରୁ ଦୂରେଇ ରହିଲା। ଏହି ଅନୁପସ୍ଥିତି DMK ଏବଂ TVK ମଧ୍ୟରେ ବିବାଦ ସୃଷ୍ଟି କରିଥିଲା, ଉଭୟ ଦଳ ପରସ୍ପରକୁ ତୀବ୍ର ଟାର୍ଗେଟ କରିଥିଲେ।

ଆଜି ମହାପ୍ରଭୁଙ୍କର ଆଡକିଆ ବେଶ

ପୁରୀ :ଆଜି ହେଉଛି ପଞ୍ଚକର ଦ୍ଵିତୀୟ ଦିନ। ତେବେ ଦ୍ୱାଦଶୀ ତିଥି କ୍ଷୟ ହୋଇଥିବାରୁ ମହାପ୍ରଭୁଙ୍କର ବାଙ୍କଚୁଡା ବେଶ ଅନୁଷ୍ଠିତ ହେବ ନାହିଁ। ଆଜି ତ୍ରୟୋଦଶୀ ପଡୁଥିବାରୁ ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ ଵା ଆଡକିଆ ବେଶ ଅନୁଷ୍ଠିତ ହେବ। ସେହିପରି ମଙ୍ଗଳବାର ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଵା ଡାଳିକିଆ ବେଶ ଓ ବୁଧବାର ପୂର୍ଣ୍ଣିମାରେ ରାଜରାଜେଶ୍ୱରବେଶ ଵା ସୁନାବେଶ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତକାଲି ପଞ୍ଚକର ପ୍ରଥମ ଦିନରେ ପ୍ରବଳ ଠେଲା ପେଲା ହୋଇଥିଲା। ଏପରିକି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଧୈର୍ଯ୍ୟହରା ହେବା ପରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିରରେ ପ୍ରବେଶ କରିଥିଲେ ଭକ୍ତ। କେତେକ ଭକ୍ତ ତଳେ ପଡ଼ି ଯାଇଥିଲେ। ପଞ୍ଚକର ବାକି ଦିନ ଯେପରି ସୁରୁଖୁରୁରେ ଦର୍ଶନ ହେବ ତାର ବ୍ୟବସ୍ଥା କରିବାକୁ ପୁରୀରେ ପହଞ୍ଚିିଥିଲେ ପୋଲିସ ଡିଜି ୱାଇ ବି ଖୁରାନିଆ। ସ୍ଥିତି ଯାଞ୍ଚ କରିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିଛନ୍ତି।

ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ବିଶ୍ୱକପ୍ ଟାଇଟଲ ହାସଲ କଲା ଭାରତୀୟ ମହିଳା ଟିମ

ନନ୍ଦିଘଷାଷ ବ୍ୟୁରାେ : ଇତିହାସ ରଚିଲା ଭାରତ। ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ବିଶ୍ୱକପ୍ ଟାଇଟଲ ହାସଲ କଲା ଭାରତୀୟ ମହିଳା ଟିମ। ଅଧିନାୟକ ହରମନପ୍ରୀତ କୌରଙ୍କ ଅଧିନାୟକତ୍ଵରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଏହି ଗୌରବ ହାସଲ କରିଛି। ଟାଇଟଲ୍ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ ରେ ପରାସ୍ତ କରି ଭାରତୀୟ କ୍ରିକେଟ୍ ରେ ଏକ ନୂଆ ମୁହୂର୍ତ୍ତ ସୃଷ୍ଟି କରିଛି ଟିମ ଇଣ୍ଡିଆ। ଶେଫାଳି ବର୍ମାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ବିଶ୍ଵବିଜୟୀ ହୋଇଛି। ଦିିନିକିଆ ମହିଳା କ୍ରିକେଟ ବିଶ୍ଵକପରେ ଦକ୍ଷିଣ ଆଫ୍ରିକାକୁ ୨୯୯ ରନର ଟାର୍ଗେଟ ଦେଇଥିଲା ଭାରତ। ତେବେ ଟାର୍ଗେଟର ପିଛା କରି ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୨୪୬ ରନରେ ସମସ୍ତ ୱିକେଟ ହରାଇଥିଲା। ଦିପ୍ତୀ ଶର୍ମାଙ୍କ ବୋଲିଂରେ ଧରାଶାୟୀ ହୋଇଥିଲା ଦକ୍ଷିଣ ଆଫ୍ରିକା ଦଳ। ଦିପ୍ତୀଙ୍କୁ ୫ ୱିକେଟ ମିଳିଥିଲା। ବ୍ୟାଟିଂରେ ଜବରଦସ୍ତ ୮୭ ରନର ପ୍ରଦର୍ଶନ ପରେ ବୋଲିଂରେ ୨ ୱିକେଟ ନେଇଥିଲେ ଶେଫାଳି ବର୍ମା। ଶେଫାଳିଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ଘୋଷଣା କରାଯାଇଥିଲା। ୨୫ ବର୍ଷ ପରେ ବିଶ୍ଵକପରେ କୌଣସି ଏକ ନୂଆ ଦଳ ବିଶ୍ଵବିଜୟୀ ହୋଇଛି।

ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଆଜି ପ୍ରଚାରକୁ ଓହ୍ଲାଇବେ ନବୀନ

ଭୁବନେଶ୍ବର : ଆଜି ନୂଆପଡ଼ାର କୋମନାରେ ନବୀନଙ୍କ ଗ୍ରାଣ୍ଡ ଶୋ। ମଇଦାନ ବି ରେଡି । କର୍ମୀ ବି ପ୍ରସ୍ତୁତ । ବିକାଶ ପୁରୁଷର ଝଲକ ପାଇବାକୁ ଚାତକ ପରି ଚାହିଁ ରହିଛନ୍ତି ଅଗଣିତ ଜନତା। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଆଜି ପ୍ରଚାର ରଣାଙ୍ଗନକୁ ଓହ୍ଲାଇବେ ଦଳ ମୁଖିଆ ନବୀନ ପଟ୍ଟନାୟକ। ବିକାଶକୁ କରିବେ ମୁଦ୍ଦା। ବିଜେଡି ସମୟର ବିକାଶ ଓ ଏବର ବିଜେପି ସରକାର ସମୟରେ ଲୋକେ ଭୋଗୁଥିବା ନାନାଦି ଦୁର୍ଦ୍ଦଶା ବିଷୟରେ ଅବଗତ କରାଇବେ। ନବୀନଙ୍କ ଗସ୍ତକୁ ନେଇ କର୍ମୀ ମହଲରେ ଦେଖିବାକୁ ମିଳିଲାଣି ଉତ୍ସାହ। କୋମନାରେ ବିରାଟ ସଭାର ଆୟୋଜନ ହୋଇଛି। ନୀବନଙ୍କ କଥା ପଦୁଟିଏ ଶୁଣିବାକୁ ଉତ୍କଣ୍ଠାର ସହ ଚାହିଁବସିଛନ୍ତି ସମସ୍ତେ। ନବୀନଙ୍କ ଗସ୍ତକୁ ନେଇ ବିରୋଧୀ ଶିବିରରେ ଭାଳେଣି ପଡ଼ିଛି। ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଥିବା ସୂଚନା ରହିଛି। ହେଲେ ଏହି ଉପନିର୍ବାଚନରେ ବିଜେଡି ତା ଗଡ଼ ବଜାୟ ରଖିବ। ଆଉ ନୂଆପଡ଼ା ଭୋଟର ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ବହୁ ସଂଖ୍ଯାରେ ଭୋଟ ଦେଇ ଆଶୀର୍ବାଦ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡି ନେତା ଓ କର୍ମୀ। ଆସନ୍ତା ୭ ତାରିଖରେ ବି ନୂଆପଡାରେ ନବୀନଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି।

ତୃତୀୟ ଟି-୨୦ରେ ଭାରତର ଦମଦାର ବିଜୟ, ୧-୧ରେ ସିରିଜ ବରାବର

ତୃତୀୟ ଟି୨୦ରେ ଭାରତର ଦମଦାର ବିଜୟ, ୧-୧ରେ ସିରିଜ ବରାବର

ନନ୍ଦିଘୋଷ ବ୍ୟୁରୋ: ତୃତୀୟ ଟି୨୦ ମ୍ୟାଚରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ୫ ଓ୍ବିକେଟ ହରାଇ ୧୮୭ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଭାରତ । ଫଳରେ ୫ ଟିକିଆ ସିରିଜ ଏବେ ୧-୧ରେ ବରାବର ହୋଇଛି । ପ୍ରଥମ ଟି୨୦ ବାତିଲ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଜିତିଥିଲା । ତିଲକ ବର୍ମାଙ୍କ ୨୯, ୖଭିଶେକ ଶର୍ମାଙ୍କ ୨୫, ସୂର୍ଯ୍ୟକୁମାର ଯାଦବଙ୍କ ୨୪ ଏବଂ ଓ୍ବାସିଂଟନ ସୁନ୍ଦରଙ୍କ ଅପରାଜିତ ୪୯ ରନ୍ ବଳରେ ଭାରତ ଏହି ବିଜୟ ହାସଲ କରିଛି ।

ହୋବାର୍ଟରେ ଖେଳା ଯାଇଥିବା ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟି କରି ୧୮୬ ରନ୍ କରିଥିଲା ।

ବାଂଲାଦେଶରେ ଆମେରିକା ରଚିଥିଲା ଷଡଯନ୍ତ୍ର, ପାକିସ୍ତାନ କରିଥିଲା କାର୍ଯ୍ୟକାରୀ: ଶେଖ ହସିନା

ବାଂଲାଦେଶରେ ଆମେରିକା ରଚିଥିଲା ଷଡଯନ୍ତ୍ର, ପାକିସ୍ତାନ କରିଥିଲା କାର୍ଯ୍ୟକାରୀ: ଶେଖ ହସିନା

ନନ୍ଦିଘୋଷ ବ୍ୟୁରୋ: କ୍ଷମତାରୁ ଯିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଛାତ୍ର ଆନ୍ଦୋଳନ ପରେ ହୋଇଥିବା କ୍ଷମତା ପରିବର୍ତ୍ତନକୁ ନେଇ ଆମେରିକା ଓ ପାକିସ୍ତାନକୁ ଟାର୍ଗେଟ କରିଥିବା ବେଳେ ବାଂଲାଦେଶର ଅନ୍ତରିଣ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନସଙ୍କୁ କାଠଗଢ଼ାରେ ଛିଡ଼ା କରିଛନ୍ତି । ସେ କହିଛନ୍ତି, ମୋ ବିରୋଧରେ ଷଡଯନ୍ତ୍ର ଆମେରିକାର କରାଯାଇଥିଲା । ପାକିସ୍ତାନ ଏହାକୁ କାର୍ଯ୍ୟକାରୀ କରିଥିଲା । ଏପରିକି ଏହାକୁ ହସିନା ଆତଙ୍କବାଦୀ ଆକ୍ରମଣ କହି ଅବିହିତ କରିଛନ୍ତି ।

ଦି ପ୍ରିଣ୍ଟ ସହ ଆଲୋଚନା ବେଳେ ହସିନା କହିଛନ୍ତି, ଗତ ବର୍ଷ ଜୁଲାଇ-ଅଗଷ୍ଟରେ ହୋଇଥିବା ଘଟଣାର ଷଡଯନ୍ତ୍ର ବିଦେଶରୁ କରାଯାଇଥିଲା । ମୋତେ କ୍ଷମତାରୁ ହଟାଇବା ଏହାର ଉଦ୍ଦେଶ୍ୟ ଥିଲା । ଏହାକୁ କେବେ ବି କ୍ରାନ୍ତି କୁହାଯାଇପାରିବ ନାହିଁ । ଏହା ବାଂଲାଦେଶ ଉପରେ ଏକ ଆତଙ୍କବାଦୀ ଆକ୍ରମଣ ଥିଲା । ଏହାକୁ ଆମେରିକା ରଚିଥିବା ବେଳେ ପାକିସ୍ତାନ କାର୍ଯ୍ୟକାରୀ କରିଥିଲା । ଯାହାକୁ ଛାତ୍ର ଆନ୍ଦୋଳନର ରୂପ ଦିଆଯାଇଥିଲା । ଯେଉଁ ହତ୍ୟା ଅଭିଯୋଗ ମୋ ସରକାର ଉପରେ ଲଗାଯାଇଛି ତାହା ପୋଲିସ ନୁହେଁ ଆତଙ୍କବାଦୀ କରିଛନ୍ତି । ବାଂଲାଦେଶର ଲୋକଙ୍କୁ ମୋ ବିରୋଧରେ ଛିଡ଼ା କରିବାକୁ ଏପରି କରାଯାଇଥିଲା ।

ହସିନାଙ୍କ ଟାର୍ଗେଟରେ ୟୁନସ୍

ନୋବେଲ ପୁରସ୍କାର ବିଜେତା ତଥା ବର୍ତ୍ତମାନ ବାଂଲାଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଥିବା ମହମ୍ମଦ ୟୁନସଙ୍କୁ ଶେଖ ହସିନା ସିଧାସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି, ଆମେରିକା କହିବାରେ ସେ ମୋତେ କ୍ଷମତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲେ । ବଙ୍ଗ ଖାଡିରେ ଥିବା ରଣନୈତିକ କ୍ଷେତ୍ର ସେଣ୍ଟ ମାର୍ଟିନ ଦ୍ବୀପ ଉପରେ ଆମେରିକା ନିୟନ୍ତ୍ରଣ ଚାହୁଁଥିଲା । ମୁଁ ମାନି ଯାଇଥିଲେ, ମୋ ସରକାରର କିଛି ହୋଇ ନଥାନ୍ତା । ହେଲେ ମୁଁ ନିଜ ଦେଶ ବିକ୍ରି କରିବାକୁ ମନା କରିଦେଇଥିଲି ।

ଆଗକୁ ସେ କହିଛନ୍ତି, ଆମେରିକା କହିବାରେ ଗତବର୍ଷ ଜୁଲାଇ-ଅଗଷ୍ଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ୟୁନସ ଯୋଜନା କରିବା ସହ ଅର୍ଥ ଯୋଗାଡ କରିଥିଲେ । ସେ ଜଣେ ବିଶ୍ବାସ ଘାତକ ବ୍ୟକ୍ତି, ନିଜ ଆଶା ପୂରଣ କରିବାକୁ ଦେଶକୁ ବର୍ବାଦ କରିଦେଲେ ।

ପାକିସ୍ତାନକୁ ସିଧା ଟାର୍ଗେଟ

ଶେଖ ହସିନା ବାଂଲାଦେଶ ସ୍ଥିତି ପାଇଁ ପାକିସ୍ତାନକୁ ମଧ୍ୟ ଦାୟୀ କରିଛନ୍ତି । ସେ କହିଛନ୍ତି, ପାକିସ୍ତାନ କଟରପନ୍ଥୀ ଦୀର୍ଘବର୍ଷ ହେଲା ବାଂଲଶଦେଶରେ ଉଗ୍ରବାଦୀଙ୍କୁ ସମର୍ଥନ ନେଉଥିଲେ । ୧୯୭୧ରୁ ଉଗ୍ରବାଦୀଙ୍କୁ ସମର୍ଥନ ଦେବା ଭଳି ଏବେ ବି ପାକିସ୍ତାନ ଏହାକୁ ଜାରି ରଖିଛି ।

ବଢ଼ିଲା e-KYC ଅବଧି ; ଆସନ୍ତା ଡିସେମ୍ବର ୩୧ ଯାଏ ଅବଧି ବଢ଼ାଇଲେ ସରକାର

ନନ୍ଦିଘୋଷ ବ୍ୟୁରୋ : ବଢ଼ିଲା e-KYC ଅବଧି। ଆସନ୍ତା ଡିସେମ୍ବର ୩୧ ଯାଏ ଅବଧି ବଢ଼ାଇଲେ ସରକାର। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ସମସ୍ତ ପିଡ଼ିଏସ ହିତାଧିକାରୀ ହେବେ ଉପକୃତ। ବର୍ତ୍ତମାନ  ହିତାଧିକାରୀଙ୍କ ଆଧାରଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି।  ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ବ୍ଲକ ଓ ୬୪ ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି I କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେ.ୱାଈ.ସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ I କୌଣସି କାରଣରୁ ଈ-କେ.ୱାଈ.ସି କରାଇ ନ ପାରିଥିବା ହିତାଧିକାରୀ ଡିସେମ୍ବର ୩୧ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ ଈ-କେ.ୱାଈ.ସି କରାଇ ପାରିବେ ।

ଏସଆଇ ନିଯୁକ୍ତି କେଳେଙ୍କାରୀ: ସରକାରଙ୍କୁ ବିଜେଡିର ଟାର୍ଗେଟ

ଏସଆଇ ନିଯୁକ୍ତି କେଳେଙ୍କାରୀ: ସରକାରଙ୍କୁ ବିଜେଡିର ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ପ୍ରେସମିଟ୍ କରି ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଓପିଆରବି ପରୀକ୍ଷା ପରିଚାଳନା ଲାଗି ନେଇଥିଲା ଦାୟିତ୍ବ । ପରୀକ୍ଷା ପରିଚାଳନା ଲାଗି ଦାୟିତ୍ବ ଦିଆଗଲା ଆଇଟିଆଇକୁ । ସରକାରଙ୍କ ଅଗୋଚର ବିନା ଆଇଟିଆଇକୁ ପରୀକ୍ଷା ପରିଚାଳନା ଲାଗି ଦାୟିତ୍ବ  ଦିଆଯାଇ ନଥିବ ବୋଲି କହିଛି ଦଳ ।

ଶଙ୍କର ନୁହେଁ ମାଷ୍ଟରମାଇଣ୍ଡ

ସେହିପରି ଏସଆଇ କେଳେଙ୍କାରୀର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଗିରଫ ହୋଇଛି । ହେଲେ ଶଙ୍କର ମାଷ୍ଟରମାଇଣ୍ଡ ନୁହେଁ ବୋଲି ବିଜେଡି କହିଛି । ଏହି ଜାଲିଆତିର ମାଷ୍ଟରମାଇଣ୍ଡ ଗୃହ ବିଭାଗ ଓ ଶଙ୍କରକୁ କାଣିଶୁଣି ସରକାର ଲୁଚାଇ ରଖିଥିଲେ ବୋଲି ବିଜେଡି ଅଭିଯୋଗ କରିଛି ।  ନୂଆପଡ଼ା ନିର୍ବାଚନକୁ ଦୃଷ୍ଟିରେ ରଖି ଶଙ୍କର ଏପିସୋଡର ଆରମ୍ଭ ହେଲା । ଲୋକଙ୍କୁ ଭୂଆଁ ବୁଲାଇବା ଲାଗି ସିବିଆଇକୁ ତଦନ୍ତ ଦାୟିତ୍ଵ ଦିଆଯାଇଛି । ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସରକାର ବାଧ୍ୟ । ପୂର୍ବତନ ଡିଜି ପ୍ରକାଶ ମିଶ୍ର ବି ଉତ୍ତର ଦେବାକୁ ବାଧ୍ୟ । ବିଜେପିର ୪୧ ନମ୍ବର ତାରକା ପ୍ରଚାରକ ହେଉଛନ୍ତି ଶଙ୍କର ପୃଷ୍ଟି ବୋଲି କହିଛି ବିଜେଡି ।

Anant Singh News | ଜେଡିୟୁର ବିବାଦୀୟ ପୂର୍ବତନ ବିଧାୟକ ଅନନ୍ତ ସିଂ ଗିରଫ

ବିହାର: ଜେଡିୟୁର ବିବାଦୀୟ ପୂର୍ବତନ ବିଧାୟକ ଅନନ୍ତ ସିଂ ଗିରଫ। ମୋକମା ବିଧାନସଭା କ୍ଷେତ୍ରରୁ ଜେଡିୟୁ ପ୍ରାର୍ଥୀ ଭାବେ ସେ ଲଢୁଥିଲେ ନିର୍ବାଚନ। ଜନ ସୂରାଜ ପାର୍ଟି କର୍ମୀ ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ମାମଲାରେ ତାଙ୍କୁ ଗିରଫ କରିଛି ପୋଲିସ। ପାଟନା ଏସଏସପିଙ୍କ ନେତୃତ୍ବରେ ଏକ ଟିମ ଅନନ୍ତଙ୍କୁ ବାଢ଼ସ୍ଥିତ ଘରୁ ଗିରଫ କରିଥିଲା। ପରେ ତାଙ୍କୁ ହେପାଜତକୁ ନେଇଥିଲା। ଅନନ୍ତଙ୍କୁ ପାଟନାରେ ଜେରା କରାଯାଉଛି। ଏହି ଘଟଣାରେ ପୋଲିସ ଅନ୍ୟ ୨ ବ୍ୟକ୍ତି ମଣିକାନ୍ତ ଠାକୁର ଓ ରଞ୍ଜିତ ରାମଙ୍କୁ ବି ଗିରଫ କରିଛି। ହତ୍ୟା ଘଟଣାବେଳେ ସେମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ପାଟନା ନିକଟସ୍ଥ ମୋକାମାରେ ନିର୍ବାଚନ ପ୍ରଚାର ବେଳେ ହୋଇଥିବା ଗଣ୍ଡଗୋଳରେ ଆହତ ହୋଇଥିଲେ ଅନନ୍ତ। ଜନସୂରାଜ ପାର୍ଟି ପ୍ରାର୍ଥୀ ପୀୟୂଷ ପ୍ରିୟଦର୍ଶୀଙ୍କ ଲାଗି ସେ ପ୍ରଚାର କରୁଥିଲେ। ଏହି ଘଟଣାକୁ ନେଇ ବିହାର ରାଜନୀତି ସରଗରମ ହୋଇଛି। ଏହି ଘଟଣାରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ କମିଶନ