ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସର ପୁଣି ଏନକାଉଣ୍ଟର l ଝାରସୁଗୁଡା ସ୍ଥିତ ଆମଦର ଜଙ୍ଗଲରେ ଏନକାଉଣ୍ଟର l ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦ ଆହତ l ଆଜି ସକାଳେ ଆମଦର ଜଙ୍ଗଲ ନିକଟରେ ଚାଲିଥିବା ଏକ ସର୍ଚ୍ଚ ଅପରେସନ୍ ବେଳେ ଓରିଏଣ୍ଟ ପୋଲିସ ବଣ୍ଟି ପ୍ରସାଦ ସାମ୍ନାସାମ୍ନି ହୋଇଥିଲେ । ଅପରେସନ୍ ସମୟରେ ବଣ୍ଟି ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲା । ଜବାବରେ ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା । ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ବ୍ରଜରାଜନଗର ସିଏଚ୍ସି ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ହନୁମାନ ନଗରର ବାସିନ୍ଦା ବଣ୍ଟି । ତା ବିରୋଧରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଏବଂ ବେଆଇନ ବନ୍ଧୁକ କାରବାର ଭଳି ୧୭ଟି ସଙ୍ଗୀନ ମାମଲା ରହିଛି । ଘଟଣାସ୍ଥଳରୁ ବେଆଇନ ମାରଣାସ୍ତ୍ର ଜବତ କରାଯାଇଛି । ଏନକାଉଣ୍ଟର ପରେ ପୋଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ ଜାରି ରହିଛି ।….
ଧର୍ମୋପଦେଶ ବେଳେ ପାଦ୍ରୀଙ୍କ ଉପରେ ପଡ଼ିଲା କ୍ରୁଶ
ନନ୍ଦିଘୋଷ ବ୍ୟୁରୋ: ଇକ୍ୱେଡରରେ ଲାଇଭ୍ ମାସ୍ ବେଳେ ଅଘଟଣ । ଧର୍ମୋପଦେଶ ଦେଉଥିବା ସମୟରେ ପାଦ୍ରୀଙ୍କ ଉପରେ ପଡ଼ିଲା ବିଶାଳ କ୍ରୁଶ, ଚାଲିଗଲା ଜୀବନ । ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ଫାଦର ପାଟ୍ରିସିଓ ଆଲଫ୍ରେଡୋ ସାଞ୍ଚେଜ୍ ମୋଲିନାରି ଜୀବନର କ୍ଷଣସ୍ଥାୟୀତା ଉପରେ ଦେଇଥିଲେ ମୂଲ୍ୟବାନ ବାର୍ତ୍ତା ।
ଗୁଆକିଲ୍ର ଚର୍ଚ୍ଚ ଅଫ୍ ଆୱାର୍ ଲେଡି ଅଫ୍ ପର୍ପେଚୁଆଲ୍ ହେଲ୍ପରେ ଲାଇଭ୍ଷ୍ଟ୍ରିମ୍ ମାଧ୍ୟମରେ ଚାଲିଥିବା ପ୍ରାର୍ଥନା ସଭାରେ ଏହି ଅଘଟଣ ଘଟିଥିଲା । ପାଦ୍ରୀ ବେଦୀ ପଛରେ ଠିଆ ହୋଇ ଧର୍ମୋପଦେଶ ଦେଉଥିବା ବେଳେ ତାଙ୍କ ପଛରେ ଲାଗିଥିବା ବଡ଼ କ୍ରୁଶଟି ହଠାତ୍ ତାଙ୍କ ଉପରେ ପଡ଼ିଯାଇଥିଲା । ଘଟଣା ପରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ତାଙ୍କୁ ସହାୟତା କରିବା ସହ ଆମ୍ବୁଲାନ୍ସ ଡାକିଥିଲେ । ତେବେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ସବୁଠାରୁ ଦୁଃଖଦ ବିଷୟ ହେଉଛି, ଦୁର୍ଘଟଣାର କିଛି ମୁହୂର୍ତ୍ତ ପୂର୍ବରୁ ପାଦ୍ରୀ ଜୀବନର ମୂଲ୍ୟ ଓ ମୃତ୍ୟୁର ଅନିଶ୍ଚିତତା ବିଷୟରେ କହୁଥିଲେ । ସେ ଶ୍ରଦ୍ଧାଳୁମାନଙ୍କୁ ମୋବାଇଲ୍ରେ ଅଧିକ ସମୟ ନଷ୍ଟ ନକରି ଈଶ୍ୱର ଓ ନିଜ ପରିବାର ସହ ଅଧିକ ସମୟ ବିତାଇବାକୁ ଆହ୍ୱାନ ଦେଇଥିଲେ । ତାଙ୍କର ଏହି ଶେଷ ବାର୍ତ୍ତା ଏବେ ଘଟଣାଟିକୁ ଆହୁରି ମର୍ମସ୍ପର୍ଶୀ କରିଛି ।
ଚାଲିଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ନବରାତ୍ର ପୂଜା
ଗଞ୍ଜାମ : ଚାଲିଛି ଗଞ୍ଜାମ ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ନବରାତ୍ର ପୂଜା । ଆଜି ନବମୀ ତିଥିରେ ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା। ଗତକାଲି ମହାଷ୍ଟମୀରେ ୨ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା। ରବିବାର ଭୋରରୁ ମାଁଙ୍କ ଦ୍ବାରଫିଟା ନୀତି ପରେ ମାଁଙ୍କୁ ମହାଗୌରୀ ବେଶରେ ସଜ୍ଜିତ କରାଯାଇଥିଲା । ମଙ୍ଗଳ ଆଳତୀ, ମଇଲମଲାଗି, ପଞ୍ଚସୂତ୍ର ଅଭିଶେକ ପରେ ମାଁ ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସୂର୍ଯ୍ୟାସ୍ତ ସମୟରେ ମାଁଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥିଲା । ପରେ ମଧ୍ୟରାତ୍ରୀରେ ମାଁଙ୍କ ମହାଦୀପ ଉଠିଥିଲା । ସାରା ବିଶ୍ବର କଲ୍ୟାଣ ନିମନ୍ତେ ଓ ସମସ୍ତଙ୍କୁ ନିରୋଗ ରଖିବା ପାଇଁ ମହାଦୀପ ଉଠିଥିଲା।
ସେପଟେ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମାଁଙ୍କ ମହାଗୌରୀ ଓ ମହାକାଳୀ ବେଶ ଦର୍ଶନ କରି କୃତ୍ୟକୃତ୍ୟ ହୋଇଥିଲେ ଭକ୍ତ । ମଧ୍ୟରାତ୍ରରେ ମନ୍ଦିରରେ ମହାଦୀପ ଉଠିବାର ଅପୂର୍ବ ଦୃଶ୍ୟ ଦେଖିବାକୁ ଜମିଥିଲା ପ୍ରବଳ ଭିଡ଼ । ନବରାତ୍ର ପୂଜା ଚାଲୁଥିବା ବେଳେ ମାଁଙ୍କୁ ଦର୍ଶନ କଲେ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ମନ୍ଦିରକୁ କାହିଁ କେଉଁ ଆଡୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।
ସେପଟେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସରିଲା ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା
ଭବାନୀପାଟଣା : ଆସ୍ଥା ଓ ପରମ୍ପରାର ମହାପର୍ବ। ଶାକ୍ତ ଉପାସନାର ପ୍ରମୁଖ ପୀଠ କଳାହାଣ୍ଡି। ଘଣ୍ଟ, ଶଙ୍ଖ, ଢୋଲ ଓ ନିଶାନର ଗର୍ଜନ ଭିତରେ ଭକ୍ତଙ୍କୁ ଦର୍ଶନ ଦେଲେ କଳାହାଣ୍ଡିର ଅଧିଷ୍ଠାତ୍ରୀ ମାଁ ମାଣିକେଶ୍ୱରୀ। ସମ୍ପନ୍ନ ହେଲା ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା। ଭବାନୀପାଟଣାରେ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର। ଘୁମୁରାର ତାଳେ ତାଳେ ମାଙ୍କ ଆଗମନ । ଭୋରରୁ ଭକ୍ତିମୟ ହୋଇଥିଲା ପରିବେଶ। ପରମ୍ପରା ଅନୁଯାୟୀ, ମହାଷ୍ଟମୀର ରୀତିନୀତି ପରେ ମାଁଙ୍କ ବିଜୟ ପ୍ରତିମା ଛତରଙ୍କୁ ଫାଶୀଡଙ୍ଗରରେ ଥିବା ଜେନାଖାଲକୁ ନିଆଯାଇଥିଲା। ସେଠାରେ ଗୁପ୍ତ ରୀତିନୀତି ତନ୍ତ୍ର ବିଧି ପରେ ଆଜି ନବମୀ ତିଥିର ପ୍ରତ୍ୟୁଷରୁ ମାଙ୍କ ମନ୍ଦିର ବାହୁଡ଼ା ଯାତ୍ରା ହୋଇଥିଲା।
ଜେନାଖାଲରୁ ଭୋର୍ ୫ଟାରେ ମନ୍ଦିର ଅଭିମୁଖେ ବାହାରିଥିଲା ମାଁ ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତର। ଜେନା ବାଦ୍ୟ ଓ ବୀରବାଦ୍ୟ ଘୁମୁରା ତାଳେ ତାଳେ ମାଆଙ୍କୁ ପାଛୋଟି ନେଇଥିଲେ ଶ୍ରଦ୍ଧାଳୁ । ମାଙ୍କ ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ମାଙ୍କୁ ସ୍ୱାଗତ କରିଥିଲେ। ମାନସିକଧାରୀଙ୍କ ପଶୁ ବଳିରେ ରକ୍ତରଞ୍ଚିତ ହେଲା ଜେନାଖାଲ। ବୋଦା, ଛେଳି ଓ କୁକୁଡ଼ା ବଳିରେ ରକ୍ତରଞ୍ଜିତ ହେଲା ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତା। ନିର୍ଦ୍ଧାରିତ ସମୟର ପ୍ରାୟ ୪ଘଣ୍ଟା ପୂର୍ବରୁ ଛତର ମନ୍ଦିର ଭିତରକୁ ପ୍ରବେଶ କରିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨୫ଟି ସିସିଟିଭି କ୍ୟାମେରା ଓ ଡ୍ରୋନ୍ ମାଧ୍ୟମରେ ନଜର ରଖାଯାଇଥିଲା । ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ସମ୍ପନ୍ନ ହୋଇଛି ମାଁ ମାଣିକେଶ୍ୱରୀଙ୍କ ଏହି ପ୍ରସିଦ୍ଧ ଛତର ଯାତ୍ରା।
ଏହି ମହାପର୍ବରେ ପଶୁବଳିକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପରମ୍ପରାର ସୁରକ୍ଷା ଓ ସମୟ ସହ ପରିବର୍ତ୍ତନ ଭିତରେ ସମନ୍ୱୟ କେବେ ହେବ, ତାହା ଉପରେ ନଜର।
ନିଶା ଦ୍ରବ୍ୟ ଚାଲାଣର କରିଡର୍ ସାଜିଛି NH-୫୫
ଢେଙ୍କାନାଳ : ନିଶା ଦ୍ରବ୍ୟ ଚାଲାଣର କରିଡର୍ ସାଜିଛି ଏନଏଚ-୫୫। ଦାମୀ ଗାଡ଼ିରେ ହେଉଛି ଗଞ୍ଜେଇ ଚାଲାଣ। ବିପଦରେ ଯୁବପିଢ଼ିଙ୍କ ଭବିଷ୍ୟତ। କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ରେ ନୀଳ ଜହରର ଚୋରାଚାଲାଣ ହେଉଥିବା ଅଭିଯୋଗ । ଯାହା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଛି। ଫୁଲବାଣୀ, ସମ୍ବଲପୁର, କୋରାପୁଟ ଓ ବୌଦ୍ଧରୁ ଦାମୀ ଗାଡ଼ିରେ ନୀଳ ଜହର ଚାଲାଣ ହେଉଥିବା ବେଳେ ଏନଏଚ-୫୫ ଦେଇ ବାଲେଶ୍ୱର, ଭଦ୍ରକ ସହ ପଶ୍ଚିମବଙ୍ଗ ଯାଉଥିବା ସୂଚନା। ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବାରୁ ଏହାକୁ ଜବତ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି…।
ସେପଟେ ଢେଙ୍କାନାଳ ସହର ଭିତରେ ମଧ୍ୟ ନିଶାଦ୍ରବ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ସ୍କୁଲ ନିକଟ ଦୋକାନରେ ନିଶାଯୁକ୍ତ ଗୋଗୋ ସିଗାରେଟ୍ ବିକ୍ରି ହେଉଛି । ଯାହା ଅବକାରୀ ବିଭାଗର ନିୟମିତ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୋଗକୁ ନେଇ ତଦନ୍ତ ହେବ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଢେଙ୍କାନାଳ ଏସପି କହିଛନ୍ତି। ଏହାସହ ନୀଳ ଜହରର ଚୋରାଚାଲାଣ ରୋକିବାକୁ ପୋଲିସ ପକ୍ଷରୁ ଜାତୀୟ ରାଜପଥରେ ରାତି ତମାମ ଯାଞ୍ଚ ସହ ହାଇୱେ ପାଟ୍ରୋଲିଂ କରାଯାଉଛି। ରାଜପଥରେ ଲାଗିଥିବା ସିସିଟିଭି କ୍ୟାମେରା ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଉଛି ବୋଲି ଏସପି କହିଛନ୍ତି।
କେବେ ନୀଳ ଜହରର ଚୋରାଚାଲାଣ ଉପରେ ଲାଗିବ ବ୍ରେକ ? ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କି ପୋଲିସ ଓ ଅବକାରୀ ବିଭାଗ। ତା ଉପରେ ନଜର।
ପ୍ରଥମ ଓଡ଼ିଆ ଭାବେ ପ୍ରଜ୍ଞାନ ଓଝାଙ୍କୁ ଟିମ୍ ଇଣ୍ତିଆର ମୂଖ୍ୟ ଚୟନକର୍ତ୍ତା ଦାୟିତ୍ବ
ନନ୍ଦିଘୋଷ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାର ଅନ୍ତ । ଟିମ୍ ଇଣ୍ତିଆକୁ ମିଳିଲା ନୂଆ ମୂଖ୍ୟ ଚୟନକର୍ତ୍ତା । ସୋମବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼ (BCCI) ନୂଆ ମୂଖ୍ୟ ଚୟନକର୍ତ୍ତା ଭାବେ ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝାଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଭାରତୀୟ ବରିଷ୍ଠ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଓଝା ବର୍ତ୍ତମାନ ଅଜିତ ଅଗରକରଙ୍କ ସ୍ଥାନ ନେବେ। ସବୁଠୁ ବଡ଼ କଥା ପ୍ରଥମ ଓଡ଼ିଆ ଭାବେ ଓଝା ଭାରତୀୟ କ୍ରିକେଟ୍ ଦଳରେ ଏହି ବଡ଼ ଦାୟିତ୍ଵ ସମ୍ଭାଳିବେ। ବୋର୍ଡ଼ ପକ୍ଷରୁ ପୂର୍ବତନ ମୂଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରାଯାଇଛି । ଅଜିତ ଅଗରକରଙ୍କ ନେତୃତ୍ୱରେ ଭାରତୀୟ ଦଳ ତିନୋଟି ICC ଟ୍ରଫି, ଦୁଇଟି ଏସିଆ କପ୍ ଓ ଏସୀୟ ଗେମ୍ସରେ ସୂର୍ଣ୍ଣ ପଦକ ହାତେଇଥିଲା ।
ଏହା ସହ ଓ୍ଵେଷ୍ଟ ଜୋନରୁ ଖାଲି ପଡ଼ିଥିବା ଚୟନକର୍ତ୍ତା ଟିମରେ ରମେଶ ପାଓ୍ଵାରଙ୍କୁ ସାମିଲ୍ କରାଯାଇଛି। ରମେଶ ପୱାର ଭାରତ ପାଇଁ ଦୁଇଟି ଟେଷ୍ଟ ଓ ୩୧ଟି ଦିନିକିଆ ଖେଳିଥିଲେ। ଖେଳରୁ ସନ୍ୟାସ ନେବା ପରେ ସେ ପ୍ରଶିକ୍ଷକ ଜଗତରେ ଏଣ୍ଟ୍ରି ମାରିଥିଲେ । ସେ ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ମୁମ୍ବାଇ ଓ ଗୁଜରାଟ ଦଳ ପାଇଁ ମଧ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସେ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ବୋଲିଂ ପ୍ରଶିକ୍ଷକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ମହିଳା ଦଳର ପ୍ରଶିକ୍ଷକ ଥିବା ସମୟରେ, ଭାରତ ଏସିଆ କପ୍ ସହ କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲା।
ରାଜାବଗିଚା ହତ୍ୟା ଘଟଣା
କଟକ : କଟକ ରାଜାବଗିଚା ଅଞ୍ଚଳରେ ନାବାଳକ ସୁମନ୍ତ ସାହୁଙ୍କୁ ହତ୍ୟା ଘଟଣା । ସାମ୍ନାକୁ ଆସିଲା ଭିଡିଓ ଫୁଟେଜ । ସ୍କୁଟିରେ ସୁମନ୍ତଙ୍କୁ ନେଇ ଯିବା ବେଳର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ରବିବାର ସକାଳ ୭ ଟା ୪୨ ସମୟରେ ଦୁଇଜଣ ଯୁବକ ତାଙ୍କୁ ସ୍କୁଟି ରେ ବସାଇ ନେଇଥିବା ବେଳେ ସକାଳ ୯ ଟା ରୁ ୯.୩୦ ବେଳେ ଛୁରୀ ଭୁସି ସୁମନ୍ତଙ୍କୁ ହତ୍ୟା କରାଯାଇଥିଲା । ସେପଟେ ଘଟଣାରେ ଜଣକୁ ଅଟକ ରଖାଯାଇଥିବା ବେଳେ ଆଉ ଜଣେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିବା ସୂଚନା ଦେଇଛନ୍ତି ଡିସିପି । ସମସ୍ତେ ନାବାଳକ। ସକାଳ ସାତଟାରୁ ନଅଟା ମଧ୍ଯରେ ହତ୍ୟାକାଣ୍ଡ ଘଟିଛି । ଏକାଧିକ ସିସିଟିଭି ଫୁଟେଜ ତର୍ଜମା କରାଯାଇଛି । ମୃତକ ଓ ଅଭିଯୁକ୍ତ ପରସ୍ପର ପରିଚିତ ଥିବା ବେଳେ ସମସ୍ତେ ଗାଡିରେ ସାଙ୍ଗ ହୋଇ ଆସିବା, ଚାହା ପିଇବା ଘଟଣା ଭିଡିଓ ରୁ ନଜର ଆସିଛି । ସେମାନଙ୍କ ମଧ୍ଯରେ ପୂର୍ବ ଶତୃତା ଥିବା ଜଣା ପଡିଛି । ଗୋଟିଏ ମୋବାଇଲ ଜବତ ହୋଇଛି । ତାର ତର୍ଜମା କରାଯାଉଛି । ସାମାଜିକ ଗଣମାଧ୍ୟମରେ ତ୍ରିକୋଣୀୟ ପ୍ରେମ ଓ ଚାଟିଂକୁ ନେଇ ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୁରାକ ପାଇଛି ।….
ଯାଞ୍ଚ ପାଇଁ ବିଭିନ୍ନ ପୁଜା ମଣ୍ଡପ କଡ଼ ଦୋକାନରେ ଅଚାନକ ରେଡ
ଭୁବନେଶ୍ବର: ପୂଜା ବଜାରରେ ବିକ୍ରି ହେଉଛି କି ଅସ୍ବାସ୍ଥ୍ୟକର ଖାଦ୍ୟ ? ଯାଞ୍ଚ ପାଇଁ ବିଭିନ୍ନ ପୁଜା ମଣ୍ଡପ କଡ଼ରେ ଅଚାନକ ରେଡ । ଫୁଡ୍ ସେଫଟି ଟିମ୍ ବିଭିନ୍ନ ପୁଜା ମଣ୍ଡପ କଡ଼ ଦୋକାନରେ ଛାପା ମାରିଛି । ବିକ୍ରି ହେଉଥିବା ଖାଦ୍ୟ ଅପମିଶ୍ରିତ କିମ୍ବା ନିମ୍ନମାନର ଥିଲେ ସେସବୁକୁ ଜବତ କରୁଛନ୍ତି ଫୁଡ୍ ସେଫଟି ଅଧିକାରୀ । ନୟାପଲ୍ଲୀ, ବରମୁଣ୍ଡାରେ ମଣ୍ଡପ କଡ଼ରେ ଥିବା ହୋଟେଲ ଓ ଫାଷ୍ଟଫୁଡ଼ ଦୋକାନରେ ବ୍ୟାପକ ଯାଞ୍ଚ ହୋଇଛି । FSSAI ତରଫରୁ ରଙ୍ଗ ମିଶା ଖାଦ୍ୟ ପୂଜା ପାଇଁ ଟାର୍ଗେଟ ଥିଲା । ସେହି ଆଧାରରେ ସରପ୍ରାଇଜ ଚେକ୍ କରାଯାଉଛି । ବିଭିନ୍ନ ପୁଜା ମଣ୍ଡପରେ ଚଢାଉ ହେଉଥିବା କହିଛନ୍ତି ଅଧିକାରୀ । ଅନେକ ଜାଗାରୁ ବାସୀ ଖାଦ୍ୟ ନଷ୍ଟ କରାଯାଇଛି । ପ୍ରଥମେ ଦୋକାନୀମାନଙ୍କୁ ସଚେତନ କରାଯାଉଛି । ଆଗାମୀ ସମୟରେ ପୁଣି ନିମ୍ନମାନର ଖାଦ୍ୟ ବିକ୍ରି କଲେ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି ଚେତାବନୀ ଦେଇଛନ୍ତି ଫୁଡ୍ ସେଫଟି ଅଧିକାରୀ ।…
ଯାହା ପାଇଁ ସବୁ ବିକିଲେ ସେ ମଣିଷ ନୁହେଁ AI ଥିଲା….
ନନ୍ଦିଘୋଷ ବ୍ୟୁରୋ: ଥରେ କଳ୍ପନା କରନ୍ତୁ, ଆପଣ ଭଲ ପାଉଥିବା ମଣିଷଟି ପ୍ରକୃତରେ ରକ୍ତ ଓ ମାଂସରେ ଗଢା ମଣିଷ ନୁହେଁ କିମ୍ବା ସେଭଳି କୌଣସି ମଣିଷ ଦୁନିଆରେ ହିଁ ନାହାନ୍ତି । ଏଭଳି ପରିସ୍ଥିତିରେ ଆପଣ କ’ଣ କରିବେ? ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବ୍ରାଜିଲର ଜଣେ ୪୯ ବର୍ଷିୀୟ ବ୍ୟକ୍ତିଙ୍କ ସହ ।
ବ୍ରାଜିଲ ମରାନହାଓ ବାସିନ୍ଦା ଏଡ଼ିମାର ମାର୍ଟିନ୍ସ ପେଶାରେ ଜଣେ ରାଜମିସ୍ତ୍ରୀ । ଏକ ଗଣମାଧ୍ୟମ ସୂଚନା ଦେଇ ସେ କହିଛନ୍ତି, ୨୦୨୦ ମସିହାରେ ଜେସିକା ଅଲିଭେରା ନାମକ ଜଣେ ମହିଳାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ ପାଇଥିଲେ। ପରେ ସେ ମହିଳାଙ୍କ ପ୍ରେମରେ ପଡ଼ିଥିଲେ । ତାଙ୍କୁ ଭେଟିବା ନେଇ ମାର୍ଟିନ୍ସ ବେଲ୍ଲୋ ହୋରିଜୋଣ୍ଟ ଯିବାକୁ ସ୍ଥିର କରିଥିଲେ । ଏନେଇ ସେ ନିଜ ପାଖରେ ଥିବା ସବୁ ଜିନିଷକୁ ବିକ୍ରି ଟଙ୍କା ଯୋଗାଡ଼ କରିଥିଲେ। ମହିଳାଙ୍କୁ ଭେଟିବା ନେଇ ସେ ବସ ଯୋଗେ ବେଲ୍ଲୋ ହୋରିଜୋଣ୍ଟରେ ପହଞ୍ଚିଥିଲେ। ସେଠାରେ ସେ ଉକ୍ତ ମହିଳାଙ୍କୁ ପାଇନଥିଲେ । ବହୁ ଖୋଜାଖୋଜି ପରେ ହତାଶ ହୋଇ ମାର୍ଟିନ୍ସ ସାହାଯ୍ୟ ପାଇଁ ଏକ ରେଡିଓ ଷ୍ଟେସନ୍ ସହ ଯୋଗାଯୋଗ କରିଥିଲେ । ସେଠାରେ ମାର୍ଟିନ୍ସଙ୍କୁ କୁହାଯାଇଥିଲା ଯେ, ଆପଣ ଯାହାଙ୍କୁ ଖୋଜୁଛନ୍ତି ସେଭଳି ପ୍ରକୃତରେ କୌଣସି ମହିଳା ନାହାନ୍ତି । ଏହା ଶୁଣି ମାର୍ଟିନ୍ସଙ୍କ ପାଦ ତଳୁ ମାଟି ଖସାଇ ଯାଇଥିଲା ।
ମାର୍ଟିନ୍ସ ୩୦୦,୦୦୦ ଫଲୋଅର୍ସ ଥିବା ଏକ ଟିକ୍ ଟକ ଆକାଉଣ୍ଟରେ ଉକ୍ତ ମହିଳାଙ୍କ ଭିଡ଼ିଓ ଦେଖିଥିଲେ । ଜେସିକା @JessicaFazendeira ନାମକ ଆକାଉଣ୍ଟର ଏକ AI-ଜେନେରେଟେଡ୍ କ୍ୟାରେକ୍ଟର ଥିଲା । ଯେଉଁଥିରେ ଜେସିକା କ୍ୟାରେକ୍ଟରକୁ ଫାର୍ମରେ ରହିବା ପାଇଁ ସାଥୀ ଖୋଜୁଥିବା ଜଣେ ମହିଳା ଭାବେ ଉପସ୍ଥାପନ କରାଯାଇଥିଲା। ଆକାଉଣ୍ଟରେ ଥିବା ଭିଡିଓରେ, ସେ ଜଣେ ପୁରୁଷ ସାଥୀ ଖୋଜୁଥିବା ଓ ତାଙ୍କ ସହ ଫାର୍ମରେ ରହିବାକୁ ଚାହୁଁଥିବା ନେଇ କୁହାଯାଇଥିଲା । ଖାଲି ସେତିକି ନୁହେଁ, ସେ ତାଙ୍କୁ ଆର୍ଥିକ ସହାୟତା କରିବା ସହ ତାଙ୍କୁ ଜୀବନ ସାରା କାମ କରିବାକୁ ପଡ଼ିବ ନାହିଁ ବୋଲି କୁହାଯାଇଥିଲା । ଯାହା ଦ୍ବାରା ଆକାଉଣ୍ଟଟି ଅସଲି ବୋଲି ମନେ ହେବ ।
ଆକାଉଣ୍ଟ ଚଲାଉଥିବା ବ୍ୟକ୍ତି ସ୍ୱୀକାର କରିଛନ୍ତି, ‘ଜେସିକା ଏକ AI-ଜେନେରେଟେଡ୍ କ୍ୟାରେକ୍ଟର ଥିଲା । ମାର୍ଟିନ୍ସଙ୍କ ସହ କୌଣସି ସିଧାସଳଖ ସମ୍ପର୍କ ନଥିଲା’ । ସେ ଆଉ ମଧ୍ୟ କହିଛନ୍ତି, “ମୁଁ କେବେ ବି କାହା ସହ ସିଧାସଳଖ କଥା ହୋଇନାହିଁ, କିମ୍ବା କାହାକୁ ଭେଟିବା ଲାଗି ଡ଼ାକିନାହିଁ । ଯାହା ଘଟୁଛି ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଛି।”
ସୁସ୍ଥ ହେଉଛନ୍ତି ଲାଲକୃଷ୍ଣ ଆଡ଼ଭାନୀ! ହସ୍ପିଟାଲରୁ ହେଲେ ଡ଼ିସଚାର୍ଜ
ସୁସ୍ଥ ହେଉଛନ୍ତି ଲାଲକୃଷ୍ଣ ଆଡ଼ଭାନୀ! ହସ୍ପିଟାଲରୁ ହେଲେ ଡ଼ିସଚାର୍ଜ
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ହସ୍ପିଟାଲରୁ ଡ଼ିସଚାର୍ଜ କରାଯାଇଛି । ଛାତି ସଂକ୍ରମଣ ଯୋଗୁଁ ତାଙ୍କୁ ଅକ୍ଟୋବର ୧୬ ତାରିଖରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନ୍ୟୁରୋଲୋଜିର ବରିଷ୍ଠ ଡ଼ାକ୍ତରଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା । ବର୍ତ୍ତମାନ ଆଡ଼ଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ବିଜେପିର ସବୁଠାରୁ ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଆଡଭାନୀ ବହୁ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଡ଼ଭାନୀ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବାସଭବନରେ ସାକ୍ଷାତ କରିଥିଲେ । ମୋଦୀ ସରକାର ପ୍ରମୁଖ ଭାବେ ୨୫ବର୍ଷ ପୂର୍ତ୍ତି ଅବସରରେ ଆଡଭାନୀଙ୍କଠାରୁ ଆଶୀର୍ବାଦ ନେଇଥିଲେ । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ଫଟୋ ପୋଷ୍ଟ କରିଥିଲେ ।
ପ୍ରକାଶ ଥାଉ କି, ଲାଲକୃଷ୍ଣ ଆଡ଼ଭାନୀ ତିନି ଥର ଦଳର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି । ସେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଓ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଉପ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଆଡ଼ଭାନୀ ରାମ ମନ୍ଦିର ଆନ୍ଦୋଳନର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ । ସେ ୨୫ ସେପ୍ଟେମ୍ବର ୧୯୯୦ରେ ଗୁଜୁରାଟର ସୋମନାଥ ମନ୍ଦିରରୁ ଆରମ୍ଭ ହୋଇଥିବା ମନ୍ଦିର ଯାତ୍ରାର ନେତୃତ୍ୱ ନେଇଥିଲେ । ସମ୍ପ୍ରତି, ୨୦୨୪ ରେ ଭାରତ ସରକାର ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିଥିଲେ । ତାଙ୍କ ସାର୍ବଜନୀନ ଜୀବନର ସ୍ୱୀକୃତି ସ୍ୱରୂପ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

