spot_img
Home Blog Page 2532

ବିବାଦରେ ଟିମ ଇଣ୍ଡିଆ ଜର୍ସି, ଦିଦି କହିଲେ ଏଠି ସବୁ ଗେରୁଆ ରଙ୍ଗ କରୁଛନ୍ତି କେନ୍ଦ୍ର ସରକାର

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଟିମ୍ ଇଣ୍ଡିଆ ଜର୍ସିକୁ ନେଇ ଏକ ବିବାଦ ଠିଆ କରିଛନ୍ତି । ଦିଦି କହିଛନ୍ତି ଯେ, ସବୁକିଛି ଗେରୁଆ ରଙ୍ଗରେ ରଙ୍ଗୀନ ହେଇ ଯାଉଛି । କହିବାକୁ ଗଲେ ଦିଦି ସିଧା ବିଜେପିକୁ ଟାର୍ଗେଟ କରିଛନ୍ତି । ଏହାକୁ ନେଇ ବିଜେପି ଓଲଟା ନିଶାନା କରିଛି । ବିଜେପି କହିଛି ଯେ, ଦିଦି ତ ପୂରା ପଶ୍ଚିମବଙ୍ଗକୁ ଧଳା ଏବଂ ନୀଳ ରଙ୍ଗ କରିଦେଇଛନ୍ତି ।

କୋଲକାତାର ଏକ ସ୍ଥାନରେ ଜଗଧାତ୍ରୀ ପୂଜା ଉଦଘାଟନ ଅବସରରେ ମମତା କହିଛନ୍ତି ଯେ, କେନ୍ଦ୍ର ସରକାର  ଦେଶର ସବୁଠୁ ଲୋକପ୍ରିୟ ଖେଳକୁ ଗେରୁଆ ରଙ୍ଗରେ ସଜେଇବାକୁ ଚେଷ୍ଟା କରୁଛନ୍ତି । ଭାରତୀୟ ଖେଳାଳୀଙ୍କୁ ନେଇ ମୁଁ ଗର୍ବ କରେ, ସେମାନେ ନିଶ୍ଚୟ ବିଶ୍ବକପରେ ବିଜୟୀ ହେବେ । କିନ୍ତୁ ମ୍ୟାଚ୍ ପ୍ରାକ୍ଟିସ ବେଳେ ଇଣ୍ଡିଆ ଟିମ୍ ନୀଳ ବଦଳରେ ଗେରୁଆ ରଙ୍ଗର ଜର୍ସି ପିନ୍ଧୁଛନ୍ତି । କେବଳ ଏତିକି ନୁହେଁ ମେଟ୍ରୋ ଷ୍ଟେସନକୁ ମଧ୍ୟ ଗେରୁଆ ରଙ୍ଗରେ ରଙ୍ଗୀନ କରାଯାଇଛି ।

ବିଶ୍ବକପ୍ ଫାଇନାଲ ଅଫର: ହେଲିକପ୍ଟରରେ କିଏ ଯିବ ମ୍ୟାଚ୍ ଦେଖି ?

ଭୁବନେଶ୍ବର: ଆସନ୍ତାକାଲି ଅହମ୍ମଦାବାଦରେ ଖେଳାଯିବ ଦିନିକିଆ ବିଶ୍ବକପ୍ ଫାଇନାଲ ମ୍ୟାଚ୍ । ଟକ୍କରା ଟକ୍କରି ହେବେ ଦୁଇ ଶକ୍ତିଶାଳି ଭାରତ ଓ ଅଷ୍ଟ୍ରେଲିଆ । ହୋମ୍ ଗ୍ରାଉଣ୍ଡରେ ଭାରତ ସମସ୍ତ ମ୍ୟାଚ ଜିତି ଫାଇନାଳରେ ପ୍ରବେଶ କରିଛି । ସେପଟେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲକୁ ଆସିଛି ଅଷ୍ଟ୍ରେଲିଆ । ଦୁଇ ବିଶ୍ବ ବିଜେତାଙ୍କ ମଧ୍ୟରେ ଟକ୍କରକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା । କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏତେ ଉତ୍ସାହ ଯେ ଟିକେଟ ଗୋଟିଏ ପାଇଁ କିଛି ବି କରିପାରିବେ । ସୋସିଆଲ ମିଡ଼ିଆରେ ମଧ୍ୟ ବିଶ୍ବକପ୍ ମ୍ୟାଚ ଓ ଟିକେଟ ଅଭାବକୁ ନେଇ ପୋଷ୍ଟ ଦେଖିବାକୁ ମିଳୁଛି । ଏମିତି କି ସାଙ୍ଗରେ ମ୍ୟାଚ୍ ଦେଖିବାକୁ କେହି କେହି ସୋସିଆଲ ମିଡ଼ିଆରେ ଅଫର ମଧ୍ୟ ଦେଉଛନ୍ତି । ଏମିତି ଏକ ମଜାଦାର ଅଫର୍ ଏବେ ସୋସିଆଲ ମିଡ଼ଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆ X ରେ @ayushpranav3 ନାମକ ଏକ ଆଇଡରେ ଏମିତି ଏକ ମଜାଦାର ପୋଷ୍ଟ ହୋଇଛି । ଆୟୁଷ ନାମକ ଯୁବକ ମ୍ୟାଚ୍ ଦେଖିବା ପାଇଁ ହେଲିକପ୍ଟର ଅଫର କରିଛନ୍ତି । ହେଲିକପ୍ଟରରେ ଅହମ୍ମଦାବାଦ ଯାଇ ମ୍ୟାଚ ଦେଖିବାକୁ ସେ ନିମନ୍ତ୍ରଣ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ‘କେହି ହେଲିକପ୍ଟରରେ ଯାଇ ବିଶ୍ବକପ୍ ଫାଇନାଲ ଦେଖିବାକୁ ଚାହୁଁଛନ୍ତି କି ? ଦୁଇ ଜଣଙ୍କ ଆବଶ୍ୟକତା ଅଛି । ଆମେ ଶନିବାର ବେଙ୍ଗାଲୁରୁ ଏୟାରପୋର୍ଟରୁ ବାହାରିବା ଓ ଅହମ୍ମଦାବାଦରେ ଜଳଖିଆ କରି ମ୍ୟାଚ୍ ଦେଖିବା ପରେ ଫେରି ଆସିବା ।’

ତେବେ ଏହାପରେ ସେ ପୋଷ୍ଟରେ ଯାହା ଲେଖିଛନ୍ତି, ତାହା ବେଶ ମଜାଦର । ଯାହାକୁ ପଢ଼ି ଅନ୍ୟ ୟୁଜର୍ସମାନେ ବେଶ ମଜା ନେଉଛନ୍ତି ଓ ସେମାନଙ୍କ ମଜାଦାର କମେଣ୍ଟ ସେୟାର କରୁଛନ୍ତି ।

ଆୟୁଷ ଶେଷକୁ ଲେଖିଛନ୍ତି, ‘ଯଦି ଇଚ୍ଛୁକ ତେବେ ମେସେଜ କରନ୍ତୁ । ହେଲେ ଆପଣଙ୍କ ପାଖରେ ହେଲିକପ୍ଟର ଓ ଟିକେଟ୍ ଥିବା ଆବଶ୍ୟକ । ନହେଲେ ଆମେ ଯାଇ ପାରିବା ନାହିଁ ।’

ଏହା ପଢ଼ିବା ପରେ ଲୋକେ କମେଣ୍ଟ ଦେବା ଆରମ୍ଭ କରିଦେଇଥିଲେ । ଜଣେ ୟୁଜର୍ସ ରିଟୁଇଟ୍ କରି ଲେଖିଛନ୍ତି, ‘ଭାଇ ହେଲିକପ୍ଟର ଓ ଟିକେଟ ମୁଁ ନେଇ ଆସିବି । ତୁମେ କେବଳ ପାର୍କିଂ ବ୍ୟବସ୍ଥା କରିଦେବ ।’ ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ‘ଭାଇ ପୋଷ୍ଟ ଶେଷରେ ତୁମେ ପ୍ରତାରଣ ଦେଇ ଦେଲ ।’

ବିଷ ବାୟୁରେ ଅଣନିଶ୍ବାସୀ ଦିଲ୍ଲୀବାସୀ, ଥମୁନି ପ୍ରଦୂଷଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ବାୟୁ ପ୍ରଦୂଷଣ । ଆଜିବି ଖରାପ ସ୍ଥିତିରେ ରହିଛି ବାୟୁର ଗୁଣବତ୍ତା ମାନ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩୯୮ ରେକର୍ଡ ହୋଇଛି। ଗତକାଲି ତୁଳନାରେ କିଛି ସ୍ଥାନରେ ବାୟୁରମାନରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଖରାପ ସ୍ଥିତିରେ ରହିଛି । ବିଷ ବାୟୁରେ ଅଣନିଶ୍ବାସୀ ହୋଇ ପଡିଛନ୍ତି ରାଜଧାନୀବାସୀ ।

କେବଳ ଦିଲ୍ଲୀ ନୁହଁ ଆଖପାଖ ରାଜ୍ୟରେ ମଧ୍ୟ ପ୍ରଦୂଷଣର ମାତ୍ରା ବଢିଛି । ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନର ଅନେକ ସ୍ଥାନରେ ପ୍ରଦୂଷଣର ମାତ୍ରା ଅତି ଖରାପ ସ୍ଥିତିରେ ରହିଛି । ବାୟୁର ମାନରେ ସୁଧାର ଆସୁନଥିବାରୁ କେନ୍ଦ୍ରର ସହାୟତା ଲୋଡ଼ିଲେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ । କଟକଣାକୁ ନେଇ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ୍ GRAP ନିୟମକୁ କଡ଼ାକଡ଼ା ଭାବେ ଲାଗୁ କରିବାକୁ ୬ ଜଣିଆ କମିଟି ଗଠନ କରାଯାଇଛି । ପରିବେଶ ବିଭାଗ ସଚିବଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଛି।  ଦିଲ୍ଲୀରେ ପ୍ରଦୂଷଣ ବଢିଥିବାରୁ ମୁଖ୍ୟତଃ ଶିଶୁଙ୍କ ସ୍ବାସ୍ଥ୍ୟ ଉପରେ ଏହାର ଅଧିକ କୁପ୍ରଭାବ ପଡୁଛି । ସେହିପରି ବରିଷ୍ଠ ନାଗରିକ ମଧ୍ୟ ପ୍ରଦୂଷଣକୁ ନେଇ ହନ୍ତସନ୍ତ ହେଉଛନ୍ତି । ଖୋଲା ଆକାଶରେ ବୁଲିବା ସେମାନଙ୍କ ଲାଗି କଷ୍ଟକର ହୋଇପଡିଛି । ପ୍ରଦୂଷଣ ଯୋଗୁଁ ଅନେକ ଶ୍ବାସ ଜନିତ ରୋଗର ଶିକାର ହେଉଛନ୍ତି।

ମିସ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ଶ୍ବେତା, ଆସନ୍ତାକାଲି ହେବ ଫାଇନାଲ

ନନ୍ଦିଘୋଷ ବ୍ୟୁରୋ: ମିସ ୟୁନିଭର୍ସ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରୁଛନ୍ତି ଶ୍ବେତା ଶାରଦା। ଏଲ ସାଲଭଡରରେ ଅନୁଷ୍ଠିତ ହେଉଛି ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା । ଆସନ୍ତାକାଲି ମିସ ୟୁନିଭର୍ସ ଇଭେଣ୍ଟର ଫାଇନାଲ ଅନୁଷ୍ଠିତ ହେବ । ଚଣ୍ଡୀଗଡ଼ର ୨୨ ବର୍ଷୀୟା ମଡେଲ ଶ୍ବେତା ଶାରଦା ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି । ଏହି ଅବସରରେ ଏଲ ସାଲଭଡରରେ ଆୟୋଜିତ ହୋଇଥିଲା ନ୍ୟାସନେଲ କଷ୍ଟ୍ୟୁମ କମ୍ପିଟିସନ ।

ଏଥିରେ ଏକ ସୁନ୍ଦର ପାରମ୍ପରିକ ପୋଷାକ ପିନ୍ଧି ଆସିଥିଲେ ଶ୍ବେତା । ଗର୍ଜିଅସ୍ ଲୁକରେ ନଜର ଆସିଥିଲେ ଶ୍ବେତା । ଷ୍ଟେଜକୁ ଶ୍ବେତା ଆସିବା ପରେ ଦର୍ଶକ ତାଳିରେ ଫାଟି ପଡିଥିଲା ପୁରା ପରିବେଶ ।ଶ୍ବେଚା ପିନ୍ଧିଥିବା ବସ୍ତ୍ରକୁ ବେଶ ପ୍ରଶଂସା କରିଥିଲେ ଦର୍ଶକ । ଆସନ୍ତାକାଲି ହେବ ଫାଇନାଲ । ୨ ହଜାର ମସିହାରେ ଶ୍ବେତା ଜନ୍ମଗ୍ରହଣ କରିଥଲେ । ମାଆ ପାଖରେ ବଢ଼ି ଆସିଥିବା ଶ୍ବେତା ୧୬ ବର୍ଷରେ ମୁମ୍ବାଇକୁ ଚାଲିଆସିଥିଲେ । ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ମଡେଲିଂ କ୍ୟାରିଅର । ଟିଭିର ଅନେକ କାର୍ଯ୍ୟକ୍ରମରେ ପୂର୍ବରୁ ନଜର ଆସିଛନ୍ତି ଶ୍ବେଚା ।

ଏକାଧିକ ଡାନ୍ସ କମ୍ପିଟିସନରେ ନଜର ଜଲୱା ଦେଖାଇଛନ୍ତି ଶ୍ବେତା ଶାରଦା । ଏକ ଡାନ୍ସ, ରିଅଲିଟି ସୋରେ ସେ ଜଣେ କୋରିଓଗ୍ରାଫର ଭାବେ ମଧ୍ୟ ନିଜର ଦାୟିତ୍ବ ତୁଲାଇଛନ୍ତି  । ମୋଟ ୮୫ ଦେଶର ସୁନ୍ଦରୀ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି ।

ଶୀତ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ, ଶେଷ ଦିନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଡେରାଡୁନ: ଆଜିଠୁ ବନ୍ଦ ବଦ୍ରିନାଥ ଧାମ । ଶୀତ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ ଦ୍ୱାର । ଏଥି ସହିତ ଲୋକଙ୍କ ଚାରିଧାମ ଯାତ୍ରାରେ ପଡିବ ପୂର୍ଣ୍ଣଚ୍ଛେଦ । ଦର୍ଶନ ପାଇଁ ୧୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ଼ । ଏନେଇ ବଦ୍ରିନାଥ ଧାମକୁ ୧୫ କ୍ୱିଣ୍ଟାଲ ଗେଣ୍ଡୁଫୁଲରେ ସୁସଜ୍ଜିତ କରାଯାଇଛି  । ଶେଷ ଦିନରେ ମାତା ଲକ୍ଷ୍ମୀଙ୍କ ପାଖରେ କଢେଇ ଭୋଗ ସମର୍ପିତ କରାଯାଇଛି । ଧାମରେ ପଞ୍ଚ ପୂଜା ୧୪ ନଭେମ୍ବରରେ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ଧାମରେ ଗଣେଷ ମନ୍ଦିର,ଏବଂ ଦ୍ୱିତୀୟ ଦିନ କେଦାରନାଥ ମନ୍ଦିର ଏବଂ ଆଦି ଶଙ୍କରାଚାର୍ଯ୍ୟ ମନ୍ଦିର ଦ୍ୱାର ବନ୍ଦ କରାଯାଇଥିଲା । ତୃତୀୟ ଦିନ ଖଡକ ପୁସ୍ତକ ପୂଜା କରାଯାଇଥିଲା । ସେପଟେ କେରଳ ସବରିମାଳା ମନ୍ଦିର ଆଜିଠୁ ଭକ୍ତଙ୍କ ନିମନ୍ତେ ଖୋଲି ଦିଆଯାଇଛି । ମନ୍ଦିର ଦ୍ୱାର ଖୋଲିବା କ୍ଷଣିହିଁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ସୁଡ଼ଙ୍ଗ ମୁହଁରେ ଅସ୍ଥାୟୀ ମନ୍ଦିର,ବିଜ୍ଞାନ ସହିତ ଭଗବାନ ଭରସା

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀର ନିର୍ମାଣରତ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଏବେ ଯାଏ ବି ଉଦ୍ଧାର କରାଯାଇପାରିନାହିଁ । ବିଗତ ୭ ଦିନ ଧରି ଚାଲିଥିବା ଏହି ରେସ୍କ୍ୟୁ ଅପରେସନରେ ବହୁ ଯନ୍ତ୍ରପାତି ଲଗାଯାଉଥିଲେ ବି ଆଜି ଯାଏ ଉଦ୍ଧାର ବିଫଳ ହେଉଛି । ଏତିକି ବେଳେ ଟନେଲ ଆଗରେ ଏକ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ମନକୁ ଆହୁରି ଆଶଙ୍କା ଆଡ଼କୁ ଟାଣି ନେଉଛି ।

ଶ୍ରମିକଙ୍କୁ ଉଦ୍ଧାର ପାଇଁ ବିଜ୍ଞାନ ତ ଲାଗିଛି ତା ସହ ଏବେ ଭଗବାନଙ୍କ ଭରସାରେ ସମସ୍ତେ ଅଛନ୍ତି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏବେ ଭଗବାନଙ୍କ ସାହାରା ଲୋଡାଯାଉଛି । ସୁଡ଼ଙ୍ଗ ମୁହଁରେ ପତାକା ଲଗାଯାଇ ସେଠାରେ ଏକ ମନ୍ଦିର ସ୍ଥାପନା କରାଯାଇଛି । ପୂଜକ ଆସି ସେଠାରେ ନଡିଆ ଭାଙ୍ଗିଛନ୍ତି ।

ଗୋଟିଏ ପଟେ ଭାରି ମେସିନ ସୁଡଙ୍ଗ ଭିତରକୁ ଯାଉଥିଲା ବେଳେ ଅନ୍ୟପଟେ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି । ସୁଡ଼ଙ୍ଗ ଧସିବା ପଛରେ ସ୍ଥାନୀୟ ଦେବତାଙ୍କ ପ୍ରକୋପ ଥିବା ଲୋକେ କହୁଛନ୍ତି । ଲୋକଙ୍କ କହିବା କଥା ହେଲା ସୁଡ଼ଙ୍ଗ ତିଆରି କରିବା ପୂର୍ବରୁ ସେଠାରେ ଥିବା ମନ୍ଦିରକୁ ଧ୍ବଂସ କରିଦିଆଯାଇଥିଲା । ଏଥିପାଇଁ ଏବେ ଦୁର୍ଘଟଣା ଘଟିଛି ।

ଅନ୍ୟପଟେ ଆମେରିକାରୁ ଆସିଥିବା ମେସିନ ଖରାପ କାରଣରୁ ରେସ୍କ୍ୟୁ ଅପରେସନ ବନ୍ଦ ରହିଥିଲା ।

ବିଜେଡିରେ ମିଶିଲେ ବିଜେପି ନେତା ଭବାନୀ ଶଙ୍କର ନାଏକ

ଭୁବନେଶ୍ୱର: ଶଙ୍ଖ ଭବନରେ ମିଶ୍ରଣପର୍ବ। ବିଜେଡିରେ ମିଶିଲେ କେନ୍ଦୁଝର ପାଟଣା ବିଜେପି ନେତା ଭବାନୀ ଶଙ୍କର ନାଏକ। ଭବାନୀଙ୍କ ସହ ଶଙ୍ଖ ଫୁଙ୍କିଛନ୍ତି ଶତାଧିକ ବିଜେପି କର୍ମୀ ଓ ସମର୍ଥକ। ସମସ୍ତଙ୍କୁ ଦଳକୁ ସ୍ବାଗତ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ୨୦୧୪ ଓ ୨୦୧୯ରେ ବିଧାୟକ ପ୍ରାର୍ଥୀ ଥିବା ଭବାନୀଙ୍କ ଯୋଗଦାନ ଦ୍ବାରା ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡି ଆହୁରି ସୁଦୃଢ଼ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ସାଂସଦ ମାନସ ମଙ୍ଗରାଜ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ପ୍ରଭାବିତ ହୋଇ ସେ ବିଜେଡିକୁ ଆସିଲେ ବୋଲି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ଦଳର ତୁଙ୍ଗ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବିଚାରଧାରାରୁ ଓହରିଯାଇଥିବାରୁ ସେ ବିଜେପି ଛାଡିଲେ ବୋଲି କହିଛନ୍ତି। ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଗଲା।

ଗୋଷ୍ଠୀବାଦ ଅଧିକ ହେବାରୁ ସେ ୨୦୨୨ ଜାନୁଆରୀରେ ବିଜେପି ତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ ଯେଉଁ ବିକାଶଧାରା ଚାଲିଛି ଦିନେ ଓଡ଼ିଶା ନମ୍ବର ୱାନ ହେବ ବୋଲି ସେ ଆଶା କରିଛନ୍ତି।

କାଲି ବିଶ୍ବକପ ଫାଇନାଲ୍; ମ୍ୟାଚ୍ ପୂର୍ବରୁ ଜଲୱା ଦେଖାଇବ ଭାରତୀୟ ବାୟୁସେନା

ଅହମ୍ମଦାବାଦ: ଆସନ୍ତାକାଲି ବିଶ୍ବକପ କ୍ରିକେଟର ଫାଇନାଲ। ରୋମାଞ୍ଚକର ହେବ ବିଶ୍ବକପ କ୍ରିକେଟର ଏହି ଫାଇନାଲ ମ୍ୟାଚ୍ । ଖେଳ ସାଙ୍ଗକୁ ଜମିବ ରଂଗାରଂଗ କାର୍ଯ୍ୟକ୍ରମ । ଖେଳ ଆରମ୍ଭରୁ ହେବ ବାୟୁସେନାର ଏୟାର ସୋ । ଏହାସହ ଲେଜର ଓ ଡ୍ରୋନ ଶୋ’ର ଆୟୋଜନ ମଧ୍ୟ କରାଯାଇଛି । ଦିନ ସାଢେ ଗୋଟାଏରେ ହେବ ଏୟାର ସୋ। ୨୦ମିନିର ହେବ ବାୟୁସେନାର ଏହି ଏୟାର ସୋ।

ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ ଏହି ଏୟାର ସୋ କରିବେ। ଏଥିରେ ସୂର୍ଯ୍ୟକିରଣ ବିମାନ ଟିମ ସହ ସାମିଲ ଅଛି ଏମକେ ୧୩୨ ବିମାନ । ବିଶ୍ବକପରେ ଏହି ମ୍ୟାଚରେ ଭାରତର ବିଶ୍ବକପ କ୍ରିକେଟ ଜିତିଥିବା ଦୁଇ ପୂର୍ବତନ କ୍ରିକେଟ ଅଧିନାୟକ କପିଳ ଦେବ ଏବଂ ମହେନ୍ଦ୍ର ସିଂ ଧୋନି ଉପସ୍ଥିତ ରହିବେ।

ପ୍ରଥମ ଇନିଂସ ଡ୍ରିକ୍ ବିରତିରେ ଗୁଜରାଟି କଣ୍ଠଶିଳ୍ପୀ ଆଦିତ୍ୟ ଗଡ଼଼ୱି ସଂଗୀତ ପରିବେଷଣ କରିବେ। ଇନିଂସ ବିରତି ସମୟରେ ସଂଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧି, ନକାଶ ଅଜିଜ, ଅକାଶା ଯୋଶୀ, ତୁଷାର ଯୋଶୀ ଏବଂ ଅମିତ ମିଶ୍ର ସଂଗୀତ ପରିବେଷଣ କରିବେ । ପ୍ରାୟ ୧ ଲକ୍ଷ ୩୦ ହଜାର ଦର୍ଶକ ଏହି କାର୍ଯ୍ୟକ୍ରମକୁ ଷ୍ଟାଡିୟମରେ ଦେଖିବେ। ରଂଗାରଂଗ କାର୍ଯ୍ୟକ୍ରମରେ ମୁ୍ମ୍ବାଇର ୫ଶହରୁ ଅଧିକ ନୃତ୍ୟଶିଳ୍ପୀ ପ୍ରଦର୍ଶନ କରିବେ।

ଏହି ଅବସରରେ ବିସିସିଆଇ ପକ୍ଷରୁ ବିଶ୍ବକପ ବିଜୟୀ ଅଧିନାୟକଙ୍କୁ ସ୍ବତନ୍ତ୍ର ବ୍ଲେଜର ପ୍ରଦାନ କରାଯିବ। ୧୯୭୫ ବିଶ୍ବକପ ଠାରୁ ଆରମ୍ଭ କରି ୨୦୧୯ ବିଶ୍ବକପ ବିଜୟୀ ଅଧିନାୟକଙ୍କୁ ଆମନ୍ତ୍ରିତ କରାଯାଇଛି । ଏଥିରେ ୱେଷ୍ଟଇଣ୍ଡିଜ କ୍ୟାପଟେନ କ୍ଲାଇଭ ଲଏଡ, ଅଷ୍ଟ୍ରେଲିଆର ଆଲାନ ବର୍ଡର, ରିକି ପଣ୍ଟିଂ, ଷ୍ଟିଭ ୱ, ଭାରତର ମହେନ୍ଦ୍ର ସିଂ ଧୋନି, ଅଷ୍ଟ୍ରେଲିଆର ମାଇକେଲ କ୍ଲାର୍କ ଓ ଇଂଲଣ୍ଡର ଇଅନ୍ ମର୍ଗାନଙ୍କୁ ଯୋଗ ଦେବାକୁ ନିମନ୍ତ୍ରିତ କରାଯାଇଛି ।

ଥମିବାର ନାଁ ନେଉନି ଯୁଦ୍ଧ, ଏୟାର ଷ୍ଟ୍ରାଇକରେ ଥରିଲା ଦକ୍ଷିଣ ଗାଜା

ଗାଜା: ଉତ୍ତର ପରେ ଏବେ ଇସ୍ରାଏଲ ସେନାର ଟାର୍ଗେଟରେ ଦକ୍ଷିଣ ଗାଜା। ଦକ୍ଷିଣ ଗାଜାର ହମାଦ ସହରରେ ଗତକାଲି ଜବରଦସ୍ତ ଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ ସେନା। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଚିକିତ୍ସାଧିନ ଅବସ୍ଥାରେ ଖାନ ୟୁନିସ ସହର ଏକ ହସ୍ପିଟାଲରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି।

ଗତକାଲିର ଏୟାରଷ୍ଟ୍ରାଇକ ପରେ ୨୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ଅଣାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି। ସେହିପରି ପାଲେଷ୍ଟାଇନରେ କିଛି ଦିନ ଧରି ବନ୍ଦ ଥିବା ମୋବାଇଲ ଓ ଇଣ୍ଟରନେଟ ସେବା ପୁଣିଥରେ ଆରମ୍ଭ କରିଛି ପାଲଟେଲ୍। ଯୋଗାଯୋଗ ଲାଗି ଇସ୍ରାଏଲ ପକ୍ଷରୁ ଇନ୍ଧନ ଯୋଗାଇବା ପରେ ଏହି ସେବା ଆରମ୍ଭ ହୋଇଛି।

ଜାତିସଂଘ କାର୍ଯ୍ୟାଳୟ ଏବଂ ମୋବାଇଲ ଯୋଗାଯୋଗ ଲାଗି ଦୈନିକ ୨ ଟି ଇନ୍ଧନ ଟ୍ୟାଙ୍କର ଇସ୍ରାଏଲ ପଠାଉଛି। ଗାଜା ଉପରେ ହେଉଥିବା ଆକ୍ରମଣକୁ  ଇସ୍ରାଏଲର ବିରୋଧୀ ଦଳ ହରଦଶ ପାର୍ଟି ବିରୋଧ କରିଛି। ସେପଟେ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ଆହ୍ବାନ କରିଛି ଜାତିସଂଘ । ଯୁଦ୍ଧରେ ବିରତି ଦେଇ ପୀଡ଼ିତଙ୍କୁ ମାନବୀୟ ସହାୟତା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛି ଜାତିସଂଘ। ଯୁଦ୍ଧରେ ୧୨ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ଶହ ନିଖୋଜ ଅଛନ୍ତି । ଏବେବି ୨୪୦ ପଣବନ୍ଦୀଙ୍କୁ ନିଜ କବଜାରେ ରଖିଛନ୍ତି ହମାସ ଆତଙ୍କବାଦୀ।

କାଲି ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ; ବିଜୟ ପାଇଁ କିନ୍ନରଙ୍କ ପୂଜାର୍ଚ୍ଚନା

ଅହମ୍ମଦାବାଦ: କିନ୍ନରଙ୍କ ମଧ୍ୟରେ ଓ୍ବାର୍ଲଡ କପ୍ କ୍ରେଜ । କୋଟି କୋଟି ଭାରତୀୟଙ୍କ ମଧ୍ୟରେ ଆସନ୍ତାକାଲିର ମ୍ୟାଚକୁ ନେଇ ଉତ୍ସାହ ରହିଥିବା ବେଳେ ପୂଜାର୍ଚ୍ଚନା କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର କିନ୍ନର । କେବେଳ ଏତିକି ନୁହେଁ ଘଣ୍ଟ ବଜାଇବା ସହ ଶଙ୍ଖ ଫୁଙ୍କି ଧୂପ ଦେଇ ପ୍ରାର୍ଥନା କରିଛନ୍ତି । କେତେକେ କିନ୍ନର ବି ମହାଆନନ୍ଦରେ ନାଚିବା ଦେଖାଯାଉଛି।

ସେମାନେ ଭାରତୀୟ ଖେଳାଳିଙ୍କ ଫଟୋ ଧରି ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି। ଭାରତ ମାତା କୀ ଜୟ କହିବା ସହ ସମସ୍ତଙ୍କ ମନରେ ଭରିଦେଇଛନ୍ତି ଉତ୍ସାହ। ପ୍ରୟାଗରାଜର ମହାମଣ୍ଡେଳେଶ୍ୱର କୌଶଲ୍ୟା ନନ୍ଦଗିରିରେ କିନ୍ନର ୱେଲ ଫେୟାର ବୋର୍ଡ ପକ୍ଷରୁ ଧୂମଧାମରେ ଚାଲିଛି ପୂଜାର୍ଚ୍ଚନା। ସେପଟେ ଅହମ୍ମଦାବାଦ ବିମାନ ବନ୍ଦରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ପାରମ୍ପରିକ ପୋଷାକ ପିନ୍ଧି ସମର୍ଥକମାନେ ସେଠାରେ ପହଞ୍ଚିଛନ୍ତି।

ଆସନ୍ତାକାଲିର ହାଇଭୋଲଟେଜ ମ୍ୟାଚରେ ନିଜେ ନିଜେ ଅଂଶୀଦାର ହେବାକୁ ଆଜିଠୁ ନିଜକୁ କରିଛନ୍ତି ପ୍ରସ୍ତୁତି । ବହୁପ୍ରତୀକ୍ଷିତ ୱାଲର୍ଡ କପ ୨୦୨୩ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ। ଭାରତ ବିଜୟୀ ହେବ ବୋଲି ସାରା ଭାରତବାସୀ ଆଶା ରଖିଛନ୍ତି।