କାଲି ବିଶ୍ବକପ ଫାଇନାଲ୍; ମ୍ୟାଚ୍ ପୂର୍ବରୁ ଜଲୱା ଦେଖାଇବ ଭାରତୀୟ ବାୟୁସେନା

ଅହମ୍ମଦାବାଦ: ଆସନ୍ତାକାଲି ବିଶ୍ବକପ କ୍ରିକେଟର ଫାଇନାଲ। ରୋମାଞ୍ଚକର ହେବ ବିଶ୍ବକପ କ୍ରିକେଟର ଏହି ଫାଇନାଲ ମ୍ୟାଚ୍ । ଖେଳ ସାଙ୍ଗକୁ ଜମିବ ରଂଗାରଂଗ କାର୍ଯ୍ୟକ୍ରମ । ଖେଳ ଆରମ୍ଭରୁ ହେବ ବାୟୁସେନାର ଏୟାର ସୋ । ଏହାସହ ଲେଜର ଓ ଡ୍ରୋନ ଶୋ’ର ଆୟୋଜନ ମଧ୍ୟ କରାଯାଇଛି । ଦିନ ସାଢେ ଗୋଟାଏରେ ହେବ ଏୟାର ସୋ। ୨୦ମିନିର ହେବ ବାୟୁସେନାର ଏହି ଏୟାର ସୋ।

ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ ଏହି ଏୟାର ସୋ କରିବେ। ଏଥିରେ ସୂର୍ଯ୍ୟକିରଣ ବିମାନ ଟିମ ସହ ସାମିଲ ଅଛି ଏମକେ ୧୩୨ ବିମାନ । ବିଶ୍ବକପରେ ଏହି ମ୍ୟାଚରେ ଭାରତର ବିଶ୍ବକପ କ୍ରିକେଟ ଜିତିଥିବା ଦୁଇ ପୂର୍ବତନ କ୍ରିକେଟ ଅଧିନାୟକ କପିଳ ଦେବ ଏବଂ ମହେନ୍ଦ୍ର ସିଂ ଧୋନି ଉପସ୍ଥିତ ରହିବେ।

ପ୍ରଥମ ଇନିଂସ ଡ୍ରିକ୍ ବିରତିରେ ଗୁଜରାଟି କଣ୍ଠଶିଳ୍ପୀ ଆଦିତ୍ୟ ଗଡ଼଼ୱି ସଂଗୀତ ପରିବେଷଣ କରିବେ। ଇନିଂସ ବିରତି ସମୟରେ ସଂଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧି, ନକାଶ ଅଜିଜ, ଅକାଶା ଯୋଶୀ, ତୁଷାର ଯୋଶୀ ଏବଂ ଅମିତ ମିଶ୍ର ସଂଗୀତ ପରିବେଷଣ କରିବେ । ପ୍ରାୟ ୧ ଲକ୍ଷ ୩୦ ହଜାର ଦର୍ଶକ ଏହି କାର୍ଯ୍ୟକ୍ରମକୁ ଷ୍ଟାଡିୟମରେ ଦେଖିବେ। ରଂଗାରଂଗ କାର୍ଯ୍ୟକ୍ରମରେ ମୁ୍ମ୍ବାଇର ୫ଶହରୁ ଅଧିକ ନୃତ୍ୟଶିଳ୍ପୀ ପ୍ରଦର୍ଶନ କରିବେ।

ଏହି ଅବସରରେ ବିସିସିଆଇ ପକ୍ଷରୁ ବିଶ୍ବକପ ବିଜୟୀ ଅଧିନାୟକଙ୍କୁ ସ୍ବତନ୍ତ୍ର ବ୍ଲେଜର ପ୍ରଦାନ କରାଯିବ। ୧୯୭୫ ବିଶ୍ବକପ ଠାରୁ ଆରମ୍ଭ କରି ୨୦୧୯ ବିଶ୍ବକପ ବିଜୟୀ ଅଧିନାୟକଙ୍କୁ ଆମନ୍ତ୍ରିତ କରାଯାଇଛି । ଏଥିରେ ୱେଷ୍ଟଇଣ୍ଡିଜ କ୍ୟାପଟେନ କ୍ଲାଇଭ ଲଏଡ, ଅଷ୍ଟ୍ରେଲିଆର ଆଲାନ ବର୍ଡର, ରିକି ପଣ୍ଟିଂ, ଷ୍ଟିଭ ୱ, ଭାରତର ମହେନ୍ଦ୍ର ସିଂ ଧୋନି, ଅଷ୍ଟ୍ରେଲିଆର ମାଇକେଲ କ୍ଲାର୍କ ଓ ଇଂଲଣ୍ଡର ଇଅନ୍ ମର୍ଗାନଙ୍କୁ ଯୋଗ ଦେବାକୁ ନିମନ୍ତ୍ରିତ କରାଯାଇଛି ।