ଥମିବାର ନାଁ ନେଉନି ଯୁଦ୍ଧ, ଏୟାର ଷ୍ଟ୍ରାଇକରେ ଥରିଲା ଦକ୍ଷିଣ ଗାଜା

ଗାଜା: ଉତ୍ତର ପରେ ଏବେ ଇସ୍ରାଏଲ ସେନାର ଟାର୍ଗେଟରେ ଦକ୍ଷିଣ ଗାଜା। ଦକ୍ଷିଣ ଗାଜାର ହମାଦ ସହରରେ ଗତକାଲି ଜବରଦସ୍ତ ଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ ସେନା। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଚିକିତ୍ସାଧିନ ଅବସ୍ଥାରେ ଖାନ ୟୁନିସ ସହର ଏକ ହସ୍ପିଟାଲରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି।

ଗତକାଲିର ଏୟାରଷ୍ଟ୍ରାଇକ ପରେ ୨୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ଅଣାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି। ସେହିପରି ପାଲେଷ୍ଟାଇନରେ କିଛି ଦିନ ଧରି ବନ୍ଦ ଥିବା ମୋବାଇଲ ଓ ଇଣ୍ଟରନେଟ ସେବା ପୁଣିଥରେ ଆରମ୍ଭ କରିଛି ପାଲଟେଲ୍। ଯୋଗାଯୋଗ ଲାଗି ଇସ୍ରାଏଲ ପକ୍ଷରୁ ଇନ୍ଧନ ଯୋଗାଇବା ପରେ ଏହି ସେବା ଆରମ୍ଭ ହୋଇଛି।

ଜାତିସଂଘ କାର୍ଯ୍ୟାଳୟ ଏବଂ ମୋବାଇଲ ଯୋଗାଯୋଗ ଲାଗି ଦୈନିକ ୨ ଟି ଇନ୍ଧନ ଟ୍ୟାଙ୍କର ଇସ୍ରାଏଲ ପଠାଉଛି। ଗାଜା ଉପରେ ହେଉଥିବା ଆକ୍ରମଣକୁ  ଇସ୍ରାଏଲର ବିରୋଧୀ ଦଳ ହରଦଶ ପାର୍ଟି ବିରୋଧ କରିଛି। ସେପଟେ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ଆହ୍ବାନ କରିଛି ଜାତିସଂଘ । ଯୁଦ୍ଧରେ ବିରତି ଦେଇ ପୀଡ଼ିତଙ୍କୁ ମାନବୀୟ ସହାୟତା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛି ଜାତିସଂଘ। ଯୁଦ୍ଧରେ ୧୨ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ଶହ ନିଖୋଜ ଅଛନ୍ତି । ଏବେବି ୨୪୦ ପଣବନ୍ଦୀଙ୍କୁ ନିଜ କବଜାରେ ରଖିଛନ୍ତି ହମାସ ଆତଙ୍କବାଦୀ।