ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ୍ରର ଅବିକଳ ପ୍ରତିକୃତି ସ୍ଥାପନା କରି ସେ ବେଶ୍ ପ୍ରଶଂସା ସାଉଁଟିଥିଲେ । ବିକାଶ ଖାନ୍ନା ସ୍ବାଧୀନତା ଦିବସ ପାଳନ ଅବସରରେ ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାର ଠାରେ ବିଶ୍ବପ୍ରସିଦ୍ଧ କୋଣାର୍କ ଚକ୍ରର ଏକ ପ୍ରତିରୂପ ସ୍ଥାପନ କରିଥିଲେ । କୋଣାର୍କ ଚକ୍ର ବିଶ୍ବ ଏକତାର ପ୍ରତୀକ ବୋଲି ସେ ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ବିକାଶ ଖାନ୍ନାଙ୍କ ସୃଜନଶୀଳତା ଓ ଔଦ୍ୟୋଗୀକ ମନୋଭାବର ପ୍ରଶଂସା କରି ତାଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲେ । ସେପଟେ କୋଣାର୍କ ମନ୍ଦିରରେ ବିକାଶ ଖାନ୍ନାଙ୍କୁ ସମ୍ବର୍ଧିତ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ବିକାଶ ଖାନା ପୁଣି ଥରେ କୋଣାର୍କ ବୁଲିବା ସହ ବିଭିନ୍ନ ତଥ୍ୟ ଏବଂ କାରୁକାର୍ଯ୍ୟ ଉପରେ ଆଲୋଚନା କରିଥିଲେ ।
କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ଟାର୍ଗେଟ୍ କଲେ ସୁଦାମ ମାର୍ଣ୍ଡି
ଭୁବନେଶ୍ବର: ଅମର୍ଦ୍ଦା ଏୟାରଷ୍ଟ୍ରିପ ନେଇ ବିଜେପିକୁ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଜବାବ। କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ଟାର୍ଗେଟ୍ କରିଛନ୍ତି ସୁଦାମ ମାର୍ଣ୍ଡି। ଅମର୍ଦ୍ଦା ଏୟାରଷ୍ଟ୍ରିପ ବିକାଶ ପାଇଁ ୨୦୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଏବାବଦରେ ଏନଓସି ପ୍ରଦାନ କରିବା ପାଇଁ ଡିଆରଡିଓକୁ ନିର୍ଦ୍ଦେଶ ଦେବାକୁ ୨୦୨୨ରେ ପ୍ରତିରକ୍ଷା ସଚିବଙ୍କୁ ଚିଠି ଲେଖାଯାଇଥିଲା। ବିଭାଗର ୧୬୦. ୩୫ ଏକର ଜମିରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ଏହାପରେ ଅନୁମତି ମିଳିଥିଲା। ପ୍ରତିରକ୍ଷା ବିଭାଗ ଜମି ବାବଦକୁ ରାଜ୍ୟ ସରକାରଙ୍କ ଠାରୁ କ୍ଷତିପୂରଣ ଚାହିଁଥିଲା।
ରାଜ୍ୟ ସରକାର ଜମି ବାବଦକୁ ୨୬ କୋଟିରୁ ଅଧିକ ଟଙ୍କା ଗତ ଅଗଷ୍ଟ ମାସରେ ପ୍ରଦାନ କରିଥିଲେ। ଜମି ହସ୍ତାନ୍ତର ସଂକ୍ରାନ୍ତୀୟ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗରୁ ସମ୍ପନ୍ନ ହୋଇଥିବାରୁ ଗତ ୧୦ ଅକ୍ଟୋବରରେ ଜମି ହସ୍ତାନ୍ତର ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆବଶ୍ୟକତା ନଥିବା ରାଜ୍ୟ ସରକାର ଜଣାଇଥିଲେ। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଅନେକ ଜମି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଭାଗକୁ ଦିଆଯାଇଛି। ଏଥିପାଇଁ କୈାଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇନାହିଁ। ପ୍ରକ୍ରିୟା ସରିବା ପରେ ତୁରନ୍ତ ଜମି ହସ୍ତାନ୍ତର କରାଯାଏ।
ରାଜ୍ୟ ସରକାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ପାଇଁ ସମସ୍ତ ପ୍ରକ୍ରିୟା ସାରିଥିବାରୁ ଏଥିରେ ଆଉ କୈାଣସି ସମସ୍ୟା ଉପୁଜିବା କଥା ନୁହେଁ ବୋଲି ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି। ନିର୍ବାଚନ ମଣ୍ଡଳୀ ଲୋକଙ୍କ ସ୍ୱାର୍ଥକୁ କେବେ ଗୁରୁତ୍ୱ ଦେଇନାହାନ୍ତି ବିଶ୍ୱେଶ୍ୱର ଟୁଡୁ। ବାଙ୍ଗିରିପୋଷିରୁ ବିଶୋଇ ଘାଟି ରାସ୍ତାର ଅବସ୍ଥା ସଭିଏଁ ଦେଖୁଛନ୍ତି। ସଂକୀର୍ଣ୍ଣ ଓ ଖରାପ ରାସ୍ତା ପାଇଁ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି। ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କେବେ ମଧ୍ୟ ମୁହଁ ଖୋଲିନାହାନ୍ତି। ମୟୂରଭଞ୍ଜବାସୀ ସବୁ ଦେଖୁଛନ୍ତି ଓ ଜାଣୁଛନ୍ତି ବୋଲି ସୁଦାମ ମାର୍ଣ୍ଡି କହିଛନ୍ତି।
ଦଶମୀରେ ସିନ୍ଦୂରୁ ଖେଳି ମାଙ୍କୁ ଆରାଧନା
କଟକ: କଟକ ଦୁର୍ଗା ପୂଜାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି, ବାଙ୍ଗୀୟ ମଣ୍ଡପରେ ସଧବା ମହିଳା ମାନଙ୍କ ଦଶମୀ ସିନ୍ଦୁର ଖେଳ । ସହରର ପୁରାତନ ତଥା ହାତ ଗଣତି ପୂଜା ମଣ୍ଡପରେ କାହିଁ କେଉଁ କାଳରୁ ଦେଖିବାକୁ ମିଳେ ଏହି ଦୁର୍ଲଭ ଦୃଶ୍ୟ । ମଣ୍ଡପ ରୂପକ ବାପ ଘରେ ମା ଦୁର୍ଗାଙ୍କ ପାଞ୍ଚ ଦିନ ରହଣି ପରେ ସଧବା ବେଶରେ ବିଦାୟ ଦିଆଯାଏ । ଏହି ସମୟରେ ନିଜ ଶଙ୍ଖା ସିନ୍ଦୁରର ସୁରକ୍ଷା ଭିକ୍ଷା କରି ସାଧବା ମହିଳା ମାନେ ପରସ୍ପରକୁ ସିନ୍ଦୁର ଲଗାଇ ନାଚିଥାନ୍ତି। ଚଳିତ ବର୍ଷ ମଧ୍ୟ ଏହି ପର୍ବକୁ ବେଶ ଉତ୍ସାହରେ ପାଳିବା ପାଇଁ ଉତ୍କଣ୍ଠା ସହିତ ସମସ୍ତେ ଅପେକ୍ଷା କରିଛନ୍ତି ।
ଭାଇଚାରାର ସହରରେ ମା ଦୁର୍ଗାଙ୍କ ହେବ ବଙ୍ଗୀୟ ରୀତିନୀତୀରେ ପୂଜାର୍ଚ୍ଚନା । ଦଶମୀରେ ସିନ୍ଦୂରୁ ଖେଳି ମାଙ୍କୁ ଭକ୍ତ କରିବେ ଆରାଧନା । ଏନେଇ ବିଭିନ୍ନ ମଣ୍ଡପରେ ଆରମ୍ଭ ହୋଇଯାଇଛି ପୂଜା ପ୍ରସ୍ତୁତି। କଟକ ସହରରେ ଚୈତନ୍ୟ ମହାପ୍ରଭୁଙ୍କ ସହିତ ନଦିଆ ନବ ଦୀପରୁ ଆସିଥିବା ବଙ୍ଗୀୟ ବ୍ରାହ୍ମଣ ମାନେ ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ସେବେ ଠାରୁ ସହର ଏକାଧିକ ପୁରାତନ ମଣ୍ଡପରେ ଚାଲିଛି ବଙ୍ଗୀୟ ମାନଙ୍କ ଦ୍ଵାରା ମା’ ଦୁର୍ଗାଙ୍କ ପୂଜା ସାଙ୍ଗକୁ ଦଶମୀରେ ସିନ୍ଦୂର ଖେଳ। ସହରର ସେଲଟର ଛକ ଅଞ୍ଚଳରେ ଥିବା ନେତାଜୀ ନଗରରେ ଆଜକୁ 75 ବର୍ଷରୁ ଅଧିକ ସମୟ ହେବ ପୂଜା ଅନୁଷ୍ଠିତ ହେଉଛି । ଏଠାକାର ବଙ୍ଗୀୟ ସାଧବା ମହିଳା ମାନେ ଦଶମୀରେ ମାଆଙ୍କୁ ସିନ୍ଦୂର ଲଗାଇ ସ୍ବତନ୍ତ୍ର ପୂଜା କରନ୍ତି । ସାଙ୍ଗ ହୋଇ ପରସ୍ପରକୁ ସିନ୍ଦୂର ଲଗାଇ ସଦା ସଧବା ରହିବା ପାଇଁ ମାଆଙ୍କ ନିକଟରେ ପାର୍ଥନା କରନ୍ତି ।
କଟକ ସହରର ଅନ୍ୟତମ ପୁରାତନ ମଣ୍ଡପ କାଜି ବଜ଼ାର ଅଞ୍ଚଳର ଆଦିପୀଠ ଓ ଆଲମଚାନ୍ଦ ବଜ଼ାର ଅଞ୍ଚଳର ଦୁର୍ଗାବାଡ଼ି ପୂଜା ମଣ୍ଡପରେ ମଧ୍ୟ ଦେଖିବାକୁ ମିଳେ ଏହି ଅପୂର୍ବ ଦୃଶ୍ୟ । ଏଠାରେ ଆରମ୍ଭରୁ ବଙ୍ଗୀୟ ପରିବାର ପୂଜାକରି ଆସୁଛନ୍ତି । ବାପ ଘରକୁ ଝିଅକୁ ନିମନ୍ତ୍ରଣ କରିବା ପରି ଏଠାରେ 5ଦିନ ମାଆଙ୍କୁ ମଣ୍ଡପରେ ପୂଜା କରାଯାଏ । ଦଶମୀରେ ମାଆ ମେଲାଣି ନେବା ସମୟ ଆସିଲେ ସଧବା ମାନେ ଏକାଠି ହୋଇ ପାନ ପତ୍ର ସାଙ୍ଗକୁ ନୈବେଦ୍ୟ ଓ ସିନ୍ଦୂର ଲଗାଇ ମାଆଙ୍କୁ ସଜେଇ ଦିୟନ୍ତି। ସେହି ସିନ୍ଦୁର ମୁଣ୍ଡରେ ଲଗାଇ ନାଚନ୍ତି ।

