ସୈନ୍ୟ ପ୍ରତ୍ୟାହାର କରିବାକୁ ଭାରତକୁ ମାଳଦ୍ବୀପର ଆହ୍ବାନ

1 min read

ନୂଆଦିଲ୍ଲୀ: ମାଳଦ୍ବୀପରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେବା ଲାଗି ଭାରତକୁ ଆହ୍ବାନ ଜଣାଇଛନ୍ତି ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଭାରତ ମହାସାଗର ଅନ୍ତର୍ଗତ ତଥା କୌଶଳଗତ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମାଳଦ୍ବୀପର ୮ମ ରାଷ୍ଟ୍ରପତି ମୁଇଜୁ ଭାରତକୁ ଏହି ଆହ୍ବାନ ଜଣାଇଛନ୍ତି । ଭାରତର କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ସହ ସାକ୍ଷାତ ବେଳେ ମାଳଦ୍ବୀପରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାର ଲାଗି ତାଙ୍କ ଦେଶବାସୀ ଚାହାଁନ୍ତି ବୋଲି ସେ କହିଥିଲେ ।

ଏହି ପ୍ରସଙ୍ଗକୁ ବି ସେ ନିର୍ବାଚନ ଇସ୍ୟୁ କରିଥିଲେ । ଗତବର୍ଷ ହୋଇଥିବା ନିର୍ବାଚନରେ ମୁଇଜୁ ୫୪ ପ୍ରତିଶତ ଭୋଟ ପାଇଥିବାବେଳେ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ୪୬ ପ୍ରତିଶତ ଭୋଟ ପାଇଥିଲେ । ମାଳଦ୍ବୀପ ସହ ଦ୍ବିପାକ୍ଷିକ ସମ୍ପର୍କ ନେଇ ଭାରତ ଓ ଚୀନ ମଧ୍ୟରେ ପ୍ରତିଯୋଗିତା ଚାଲିଆସିଛି । ପ୍ରୋଗ୍ରେସିଭ ପାର୍ଟି ଅ ମାଲଡିଭିସ ଓ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ମେଣ୍ଟ ପକ୍ଷରୁ ମୁଇଜୁ ନିର୍ବାଚିତ ହୋଇଛନ୍ତି । ଏହି ମେଣ୍ଟ ଚୀନ ସମର୍ଥକ ।

ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ଭାରତ ସପକ୍ଷବାଦୀ ଥିଲେ । ୨୦୧୩-୨୦୧୮ରେ ଅବଦୁଲ୍ଲା ୟେମେନ ଗାୟୁମ ରାଷ୍ଟ୍ରପତି ଥିବାବେଳେ ଚୀନ ସହ ମାଳଦ୍ବୀପର ସମ୍ପର୍କ ଘନିଷ୍ଠ ହୋଇଥିଲା । ଚୀନର ବେଲଟ୍ ଆଣ୍ଟ ରୋଡ ଇନସିଏଟିଭିରେ ବି ସାମିଲ ହେବା ଲାଗି ୨୦୧୭ରେ ରାଜି ହୋଇଥିଲା ମାଳଦ୍ବୀପ ।

ମାଳଦ୍ବୀପରେ ଭାରତର କେତେ ସଂଖ୍ୟକ ସୈନ୍ୟ ଅଛନ୍ତି ତାହା ଜଣାପଡି ନଥିଲେ ମଧ୍ୟ ନିଜର ସାର୍ବଭୌମତ୍ବ ଦୃଷ୍ଟିରୁ ଭାରତୀୟ ସୈନ୍ୟଙ୍କ ପ୍ରତ୍ୟାହାର କରାଯାଉ ବୋଲି ଦାବି କରୁଛନ୍ତି ରାଷ୍ଟ୍ରପତି । ଭାରତୀୟ ବିମାନକୁ ସହାୟତା କରିବା ଲାଗି ମାଳଦ୍ବୀପରେ ୭୫ ଜଣ ଭାରତୀୟ ସୈନ୍ୟଙ୍କୁ ଅବସ୍ଥାପିତ କରାଯାଇଛି ବୋଲି ୨୦୨୧ରେ କହିଥିଲା ମାଳଦ୍ବୀପ ପ୍ରତିରକ୍ଷା ବାହିନୀ । ଜରୁରୀ ସ୍ଥିତିରେ ମେଡିକାଲ ସେବାଜନିତ ରେସ୍କ୍ୟୁ, ଉପକୂଳ ଅଞ୍ଚଳରେ ସର୍ଭେଲାନ୍ସ ଓ ଡ୍ରଗସ ଚୋରା ଚାଲାଣ ରୋକିବା ଲାଗି ଭାରତ ଏହି ସୈନ୍ୟଙ୍କୁ ମୁତୟନ କରି ରଖିଆସିଛି ।