spot_img
Home Blog Page 2519

ଆଜିଠୁ ଶକ୍ତିପୀଠରେ ନବରାତ୍ର ପୂଜା

ଭୁବନେଶ୍ବର: ଆଉ ଦିନ କେଇଟାକୁ ଅପେକ୍ଷା । ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ଆଜିଠୁ ଶକ୍ତିପୀଠରେ ଆରମ୍ଭ ହେଉଛି ନବରାତ୍ର ପୂଜା । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ ।

ଶାରଦୀୟ ଦୁର୍ଗାପୂଜା ଅବସରରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା । ଆଜି ନାରାୟଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି । ନବରାତ୍ର ପୂଜା ଦୃଷ୍ଚିରୁ ମାଆଙ୍କ ପୀଠରେ ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ସେପଟେ ମାଆ ସମଲେଇଙ୍କ ପୀଠରେ ମଧ୍ୟ ଆଜିଠୁ ଆରମ୍ଭ ହେଉଛି ନବରାତ୍ର ପୂଜା । ଗତକାଲି ପରି ଆଜି ବି ଧବଳମୁଖି ବେଶରେ ଦର୍ଶନ ଦେଉଛନ୍ତି ମାଆ ସମଲେଶ୍ବରୀ । ଅଢେଇ ଦିନ ପର୍ଯ୍ୟନ୍ତ ମାଆଙ୍କୁ ଧବଳମୁଖି ବେଶ କରିବା ନେଇ ପରମ୍ପରା ରହିଛି ।

ଅନ୍ୟପଟେ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ ଖଡି ଲାଗି ପରେ ଆଜିଠୁ ରଙ୍ଗକାମ କରାଯାଉଛି । ମଣ୍ଡପରେ ସାଜସଜା, ରୁପା ମେଢ ଓ ତୋରଣ କାମ ମଧ୍ୟ ଜୋରସୋରରେ ଚାଲିଛି ।

କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡିର ସମାଲୋଚନା

ଭୁବନେଶ୍ବର: ମିଶନ ଶକ୍ତିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ସମାଲୋଚନା କଲା ବିଜେଡି। କେନ୍ଦ୍ରମନ୍ତ୍ରୀ ଆଠଗଡ଼ରେ ରଖିଥିବା ଏକ ବୟାନକୁ କାଉଣ୍ଟର କରିବା ସହିତ ତାଙ୍କ ଅଭିଭାଷଣକୁ ମିଛ କହିଛି ବିଜେଡି। ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, ମିଶନ ଶକ୍ତି ତାଙ୍କ ସରକାର ସମୟରେ ଆରମ୍ଭ ହେଲା ବୋଲି ଧର୍ମେନ୍ଦ୍ର କହିଥିଲେ । ଯାହାକି ସମ୍ପୂର୍ଣ୍ଣ ମିଛ । ୨୦୦୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମାଆମାନେ ଗଛ ତଳେ ବସି ମୁଠି ଚାଉଳ ଦେଇ ମିଶନ ଶକ୍ତି ଗଢିଥିଲେ । ମାତ୍ର ତାଙ୍କ କାର୍ଯ୍ୟ ବିଷୟରେ ନଜାଣି କେନ୍ଦ୍ରମନ୍ତ୍ରୀ ବକ୍ତବ୍ୟ ଦେବା ମାଆମାନଙ୍କ ପାଇଁ ଅପମାନ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

କେନ୍ଦ୍ରମନ୍ତ୍ରୀ ଯେଉଁ ଜାତୀୟ ରାଜପଥରେ ଆଠଗଡ଼ ଯାଇଥିଲେ ତାହା ଶୋଚନୀୟ ହୋଇପଡ଼ିଛି । ଏନଏଚ ୫୫ ମରଣଯନ୍ତା ହେଲା ପରେ ମଧ୍ୟ ସେ କାହିଁକି ଚୁପ୍ ବୋଲି ଇପ୍ସିତା ପ୍ରଶ୍ନ କରିଛନ୍ତି। ଓଡ଼ିଶାର ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଗରିବ ଆଦିବାସୀଙ୍କୁ ମିଳିବାକୁ ଥିବା ଘର ବନ୍ଦ କରିଦେଲେ। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପଦୁଟିଏ ମଧ୍ୟ କହିଲେ ନାହିଁ । ଆଠଗଡ଼ ଗସ୍ତ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଜବାହାର ନବୋଦୟ ବିଦ୍ୟାଳୟ କିମ୍ବା କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ ଆଠଗଡ଼ବାସୀ ଉପକୃତ ହୋଇଥାନ୍ତେ। ସଭାରେ ବିଭ୍ରାନ୍ତିକରଣ ତଥ୍ୟ ଦେବା ବଦଳରେ ଏସବୁର ହିସାବ ଦେଇଥିଲେ ଭଲ ହୋଇଥାନ୍ତା ବୋଲି ଇପ୍ସିତା କହିଛନ୍ତି ।

ବିଜେପି ନେତ୍ରୀଙ୍କୁ ମହଙ୍ଗା ପଡିଲା ଛଦ୍ମବେଶ

କୋଣାର୍କ: ବିଜେପି ନେତ୍ରୀଙ୍କୁ ମହଙ୍ଗା ପଡିଲା ଛଦ୍ମବେଶ । କର୍ମୀ ନହୋଇ ବିଜେଡି କାର୍ଯ୍ୟକ୍ରମକୁ ଧସେଇ ପଶି ଆସିବା ତାଙ୍କୁ ଅପଦସ୍ତ କରିଛି । ଏଭଳି ଏକ ରୋଚକ ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀରେ ।  ଭାରତୀୟ ଜନତା ପାର୍ଟିର ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରାକୁ ଛଦ୍ମବେଶରେ ପଶି ଆସିଥିଲେ । ଏପରିକି ନିଜ ଗାଡିରେ ମଧ୍ୟ ଲଗାଇଥିଲେ ଶଙ୍ଖ ପତାକା । ତେବେ ଜ୍ୟୋସ୍ନାଙ୍କୁ  ଦେଖିବା ପରେ ତାଙ୍କୁ ବିରୋଧ କରିଥିଲେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡିର ଯୁବ କର୍ମୀମାନେ । ଏହାକୁ ନେଇ ଖୁବ୍ ହଟହଟା ହୋଇଥିଲେ ଜ୍ୟୋସ୍ନା । ଏପରିକି ନିଜ ଲଜ୍ଜାକୁ ଲୁଚାଇବାକୁ ଯାଇ ସେ ବିଜେଡି ସଦସ୍ୟଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା ନିମାପଡା ନଗର ସଭାପତି କହିଛନ୍ତି । ସେ କହିଛନ୍ତି ଜ୍ୟୋସ୍ନାରାଣୀ ବିଜେପିର ନେତ୍ରୀ । ନିଜ ଦଳର ସକ୍ରିୟ କର୍ମୀ ବୋଲି ସୋସିଆଲ୍ ମିଡିଆରେ ମଧ୍ୟ ପ୍ରମାଣ ରହିଛି । ତାଙ୍କର ଅନେକ ଫଟୋ ଓ ଭିଡିଓ ମଧ୍ୟ ଘୂରି ବୁଲୁଛି । ଏସବୁ ଫଟୋ ଓ ଭିଡିଓ ହିଁ ବୟାନ କରୁଛି ସେ ପଦ୍ମ ଦଳରେ ରହି ଆସିଛନ୍ତି । କେବେ ବି ସେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ବି ନଥିଲେ । ତେବେ ଜ୍ୟୋସ୍ନା କାହିଁକି ଏମିତି ବିଜେଡି ପଦଯାତ୍ରାକୁ ଆସିଲେ, ତାକୁ ନେଇ ରାଜନୈତିକ ମହଲରେ ଖୁବ୍ ଚର୍ଚ୍ଚା ଚାଲିଛି ।

ଦୃଷ୍ଟିହୀନ ପିଲା ବି ପଢିବେ କାଳଜୟୀ ରଚନା

ନନ୍ଦିଘୋଷ ବ୍ୟୁରୋ: ଦୃଷ୍ଟିହୀନ ପିଲା ବି ପଢିବେ କାଳଜୟୀ ରଚନା । ବଡ଼ ବଡ଼ ଗ୍ରନ୍ଥ ସହ ହେବେ ପରିଚିତ। କାରଣ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏପରି ଅନେକ ରଚନା ଗୁଡ଼ିକର ବ୍ରେଲି ବାହାରିବ । ସେହିପରି ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କ ବ୍ରେଲିରେ ପୁସ୍ତକ ବାହାରିଲାଣି। ଖୁବ୍ ଶୀଘ୍ର ଯୁକ୍ତ ତିନିର ଦୃଷ୍ଟିହୀନ ଛାତ୍ରଛାତ୍ରୀ ବି ବ୍ରେଲି ପଢିବେ।

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ରଚନା ଛଅମାଣ ଆଠଗୁଣ୍ଠ । କବିବର ରାଧାନାଥ ରାୟଙ୍କ ଚିଲିକା । ଏପରି ଅନେକ ମହାନ ରଚନାର ଅଧ୍ୟୟନ କରି ପାରିବେ ଦୃଷ୍ଟିହୀନ ଛାତ୍ରଛାତ୍ରୀ । ଦୃଷ୍ଟିହୀନମାନେ ମାଣବସା ଗୁରୁବାର ବି ପଢିବାର ବି ସୁଯୋଗ ପାଇବେ । ଏସବୁ ଗ୍ରନ୍ଥାବଳୀକୁ ବ୍ରେଲିରେ ପରିଣତ କରାଯିବ। ଏଥିପାଇଁ ବ୍ରହ୍ମପୁରରେ ଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ରେଡକୃସ ପ୍ରେସଠାରେ ନୂତନ ଭାବେ ଜର୍ମାନୀରୁ ତିନୋଟି ମେସିନ ଅଣାଯାଇଛି।

ଯାହା ବଡ଼ ବଡ଼ କଷ୍ଟସାଧ୍ୟ ଗ୍ରନ୍ଥକୁ ବ୍ରେଲିଲିପି କରିବାରେ ସହାୟକ ହେବ। ଏସବୁ ବ୍ରେଲିଲିପିକୁ ଯୁକ୍ତ ଦୁଇରେ ପଢି ପାରିବେ ଛାତ୍ରଛାତ୍ରୀ । ଯେଉଁଥି ପାଇଁ ପ୍ରଥମ ପର୍ଯ୍ୟାୟରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏହାର ସଫଳତା ପରେ ଯୁକ୍ତ ତିନିର ଅନର୍ସ, ପାସ୍ ଓ ଇଲେକ୍ଟିଭ୍ ବହି ବି ବ୍ରେଲିଲିପି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

କିଛି ଦିନ ତଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ବ୍ରହ୍ମପୁର ଯାଇ ଏହି ପ୍ରେସ ଓ ନୂଆ ମେସିନର ସମୀକ୍ଷା କରିଥିଲେ । ସେହିପରି ୫ଟି ରୂପାନ୍ତରରେ ସ୍କୁଲ ଓ ଯୁକ୍ତ କଲେଜ ସାମିଲ ହୋଇଛନ୍ତି । ଆସନ୍ତା ବର୍ଷ ସୁଦ୍ଧା ଡିଗ୍ରୀ କଲେଜ ବି ୫ଟି ରୂପାନ୍ତରରେ ଝଲସିବ । ଏହି ପରିପ୍ରେକ୍ଷୀରେ ଦୃଷ୍ଟିହୀନ ପିଲାମାନଙ୍କୁ ବି ଏହି ରୂପାନ୍ତର ପ୍ରକ୍ରିୟାରେ ସାମିଲ କରାଯିବ ।

ରାଜ୍ୟରେ ଭିନ୍ନକ୍ଷମମାନଙ୍କ ପାଇଁ ୧୦୪ ସ୍ବତନ୍ତ୍ର ସ୍କୁଲ ରହିଛି । ସେଠାରେ ସେମାନଙ୍କ ଶିକ୍ଷାଦାନ ସହ ଭୌତିକ ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି । ସାଧାରଣ ପିଲାଙ୍କ ପରି ଦୃଷ୍ଟିହୀନ ପିଲାମାନଙ୍କ ଜ୍ଞାନର ପରିସୀମା ବୃଦ୍ଧି ପାଇଁ ନୂତନ ଢାଞ୍ଚାରେ ବ୍ରେଲି କରାଯାଉଛି ।

 

ଆପଣଙ୍କ ପିଲା ଅଧି୍କ ସମୟ ମୋବାଇଲ ଦେଖୁଛନ୍ତି କି? ଜାଣନ୍ତୁ କ’ଣ ହେବ ଅସୁବିଧା

କଟକ: ଅଧିକ ସମୟ ପିଲା ମୋବାଇଲ ଦେଖିଲେ ହରାଉଛନ୍ତି ମାନସିକ ସନ୍ତୁଳନ । ଦୁଇରୁ ୭ ବର୍ଷର ପିଲାଙ୍କ କ୍ଷେତ୍ରରେ ଦେଖାଦେଉଛି ଆଟେନସନ୍ ଡେଫିସିଟ୍ ହାଇପର୍ଆକ୍ଟିଭ୍ ଡିଜଅର୍ଡର୍ । କିନ୍ତୁ ଆମେରିକାର ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ ଷ୍ଚଡି ରିପୋର୍ଟ କହୁଛି କିଛି ଅଲଗା । ଗର୍ଭବତୀ ମା ଦୁର୍ଘଟଣାର ଶିକାର ହେବା, ଅତ୍ୟଧିକ ମଦ୍ୟପାନ, ଟବାକୋ ବ୍ୟବହାର କଲେ ସେମାନଙ୍କ ଛୁଆ ଏହି ରୋଗର ଶିକାର ହେଉଛନ୍ତି । ଏହାସହିତ ଜନ୍ମ ନେଇଥିବା ଶିଶୁ କମ୍ ଓଜନର ଓ କିମ୍ବା ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁଙ୍କ କ୍ଷେତ୍ରରେ ଏହି ରୋଗ ବେଶୀ ଦେଖାଦେଉଛି । ସମୟଥାଇ ଯଦି ଚିକିତ୍ସା ନ କରାଯିବ ତାହେଲେ ସମ୍ପୃକ୍ତ ଶିଶୁ ବଡ଼ ହେଲେ ମାନସିକ ବିକୃତି ରୋଗର ଶିକାର ହୋଇଚାଲିବ ।

ଦିନରେ ସ୍ବପ୍ନ ଦେଖି ଚିତ୍କାର କରିବା, ପାଠରେ ମନ ନ ଲାଗିବା, ଏକକାଳୀନ ଦୀର୍ଘ ସମୟ ଧରି ବସି ନ ପାରିବା, ବାପା ଓ ମାଙ୍କ କଥାକୁ ଖାତିର ନ କରିବା, ଅନ୍ୟମାନଙ୍କ ସହ ମିଳାମିଶା ନ କରିବା । ଏପରି ହେଲେ ଆପଣଙ୍କ ପିଲା ଏଡିଏଚ୍ଡି ରୋଗରେ ପୀଡ଼ିତ । ଆଟେନ୍ସନ୍ ଡେଫିସିଟ୍ ହାଇପରଆକ୍ଟିଭ୍ ଡିଜଅର୍ଡର୍ ମାନସିକ ରୋଗ ବିଶେଷଜ୍ଞଙ୍କ ମତରେ ବର୍ଷକରୁ ୭ ବର୍ଷ ବୟସରେ ପିଲାର ମସ୍ତିଷ୍କର ବିକଶିତ ହୋଇଥାଏ । ଏହି ବୟସ ଭିତରେ ଯଦି ପିଲା ଅଧିକ ସମୟ ଧରି ମୋବାଇଲ ଦେଖେ କିମ୍ବା ଟେଲିଭିଜନ୍ ଦେଖିବାର ଅଭ୍ୟାସ କରେ ତାହେଲେ ତା ମସ୍ତିଷ୍କ ଭିତରେ ଅସନ୍ତୁଳନ ସୃଷ୍ଟି ହୋଇଥାଏ ।

ଫଳରେ ଧୀରେ ଧୀରେ ସେହି ପିଲା ଅଧୈର୍ଯ୍ୟ ଓ ପାଠ ପଢିବାରେ ଅମନୋଯୋଗୀ ହୋଇଥାଏ । ଆଦୌ ପିଲା ପାଠ ପଢ଼େନାହିଁ । ଏକ ସର୍ଭେରୁ ଜଣାପଡ଼ିଛି, ଆଜିକାଲି ସ୍ମାର୍ଟ୍ ମୋବାଇଲ ଯୁଗରେ ଏଭଳି ପିଲାଙ୍କ ସଂଖ୍ୟା ୧ ଲକ୍ଷରେ ୪୫ ପ୍ରତିଶତ । ଯାହାକି ଏବେ ଚିନ୍ତାର କାରଣ ହୋଇଛି । ଏଡିଏଚ୍ଡି ରୋଗରେ ପୀଡ଼ିତ ପିଲାକୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସା କରିବାକୁ ପଡ଼ିବ । ତା ନ ହେଲେ ବଡ଼ ବେଳକୁ ସେ ମାନସିକ ବିକାରଗ୍ରସ୍ତ ହୋଇ ନିଜ ଓ ପରିବାର ଜୀବନକୁ ଦୁର୍ବିସହ କରିଦେବ ।

ଏଡିଏଚ୍ଡି ରୋଗ ଏକ ପ୍ରକାର ନ୍ୟୁରୋଲୋଜି ଡିଜଅର୍ଡର । କେବଳ ଅଧିକ ସମୟ ମୋବାଇଲ ଦେଖିଲେ ଯେ, ପିଲାଙ୍କୁ ଏହି ରୋଗ ହୋଇଥାଏ । ଏପରି କିଛି ନିର୍ଦ୍ଦିଷ୍ଟ କାରଣ ନାହିଁ । ଆମେରିକା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଷ୍ଟଡି ଅନୁଯାୟୀ ଯଦି ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁ, ଗର୍ଭସ୍ଥ ଶିଶୁର ମା ଲିଡ୍ ମିଶ୍ରିତ ପ୍ରଦୂଷିତ ବାୟୁମଣ୍ଡଳରେ ରହିବା, ମଦ୍ୟପାନ, ଟବାକୋ ସେବନ ଓ କମ୍ ଓଜନ ବିଶିଷ୍ଟ ଶିଶୁ ଜନ୍ମ ନେବା ପରେ ଏହି ରୋଗରେ ପୀଡ଼ିତ ହୋଇଥାନ୍ତି ।

ଏହା ବିଶେଷକରି ମସ୍ତିଷ୍କର କର୍ଟେକ୍ସ୍ ଅସନ୍ତୁଳନ କାରଣରୁ ହୋଇଥାଏ । ଅଧିକ ସମୟ ଟେଲିଭିଜନ୍, ମୋବାଇଲ ଦେଖିବା, କିମ୍ବା ଅଧିକ ମିଠା ଖାଇବା ଦ୍ବାରା ପିଲାଙ୍କୁ ଏଡିଏଚ୍ଡି ହେଉଥିବା ଦାବିକୁ ଆମେରିକା ସିଡିସି ଗ୍ରହଣ କରୁନାହିଁ । ପିଲାର ମାନସିକ ସ୍ତରରେ ଅସ୍ବାଭାବିକତା ଦେଖାଦେଲେ ତୁରନ୍ତ ନ୍ୟୁରୋଲୋଜି କିମ୍ବା ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଦରକାର ।

ରୋଗର ଚିକିତ୍ସା ଉପଯୁକ୍ତ ସମୟରେ ନ ହେଲେ ଏଡିଏଚ୍ଡି ରୋଗୀ ନିଜର ଦୈନଦିନ କାମ କରିବା ଭୁଲିଯାଏ । ଗୁରୁତର ହେଲେ ରୋଗୀ ଗପୁଥିଲେ ଗପୁଥିବ, ଦୌଡୁଥିଲେ ଦୈାଡୁଥିବ ଏପରିକି ଗଛ ଚଢ଼ି କେତେବେଳେ ତଳକୁ ଅସୁରକ୍ଷିତ ଭାବେ ଡେଇଁପଡ଼ିବ ସେ ନେଇ ତାର ଜ୍ଞାନଗୋଚର ରହେ ନାହିଁ । କିନ୍ତୁ ଡାକ୍ତରଙ୍କ ଉପଯୁକ୍ତ ଚିକିତ୍ସା ଦ୍ବାରା ରୋଗୀ ଆରୋଗ୍ୟ ଲାଭ କରିପାରିବ ।

ପୂର୍ବ ଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ପାଲଟିଛି ଏମ୍‌ସ ଭୁବନେଶ୍ୱର

ଭୁବନେଶ୍ବର: ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ପାଲଟିଛି ଏମ୍‌ସ ଭୁବନେଶ୍ୱର। ମେଡିକାଲ୍‌ ଶିକ୍ଷା ହେଉ ଅବା ଗବେଷଣା କିମ୍ବା ସ୍ୱଚ୍ଛତା, ସମସ୍ତ କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରୁଛି ଏହି ଜାତୀୟ ପ୍ରତିଷ୍ଠାନ। ଚିକିତ୍ସା ସେବା ପାଇବା ନିମନ୍ତେ ଏଠାରେ ହେଉଥିବା ଭିଡ଼ ହିଁ ଏମ୍‌ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଥିବା ଆସ୍ଥାକୁ ପ୍ରମାଣିତ କରୁଥିବା ମତପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ (ଆଇଏଏସ୍)। ଏମ୍‌ସକୁ ତାଙ୍କର ଦୁଇ ଦିନିଆ ଗସ୍ତ ଅବସରରେ ଶ୍ରୀମତୀ ପଟ୍ଟନାୟକ ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହିତ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବାର୍ତ୍ତାଳପ କରିଥିଲେ।

କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବଙ୍କୁ ଏମ୍‌ସକୁ ସ୍ବାଗତ କରିବା ସହିତ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ବିଶ୍ବାସ ଏମ୍‌ସରେ ଜାରିରହିଥିବା ବିଭିନ୍ନ ଅତ୍ୟାଧୁନିକ ପ୍ରକଳ୍ପ ଏବଂ ଭବିଷ୍ୟତ ଯୋଜନା ଉପରେ ଆଲୋକପାତ କରିଥିଲେ। ଏମ୍‌ସରେ ଯକୃତ(ଲିଭର) ପ୍ରତିରୋପଣ ସେବା ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ। ସମସ୍ତଙ୍କ ମିଳିତ ସହଯୋଗ ଏବଂ ଦଳଗତ କାର୍ଯ୍ୟ କାରଣରୁ ଏମ୍‌ସ ଭୁବନେଶ୍ୱର ରୋଗୀସେବା, ଗବେଷଣା ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ଗୌରବମୟ ଦଶନ୍ଧି ଯାତ୍ରା କାଳରେ ସର୍ବସାଧାରଣଙ୍କ ଆସ୍ଥା ଜିଣିପାରିଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏହି ଅବସରରେ ଯୁଗ୍ମ ସଚିବ ଶ୍ରୀମତୀ ପଟ୍ଟନାୟକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର, ସିଏସ୍‌ଏସ୍‌ଡି, ଏମ୍‌ଆରଡି, ପେଟ୍‌-ସିଟି, ରେଡିଏସନ୍ ଅଙ୍କୋଲୋଜି ସହିତ ଅନ୍ୟାନ୍ୟ ବିଭିନ୍ନ ସେବା ପରିଦର୍ଶନ କରିଥିଲେ। ଏମ୍‌ସରେ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ନିମନ୍ତେ ଥିବା ପ୍ରତିବଦ୍ଧତା ନିମନ୍ତେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ପ୍ରଶଂସା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ। ସେହିପରି କ୍ରମାଗତ ଭାବେ ସମ୍ମାନଜନକ ଏନ୍‌ଆଇଆରଏଫ୍‌ ଏବଂ ଇଣ୍ଡିଆ ଟୁଡେ ତାଲିକାରେ ଉଚ୍ଚସ୍ଥାନ ଅଧିକାର କରିଚାଲିଥିବାରୁ ଅନୁଷ୍ଠାନକୁ ଶ୍ରୀମତୀ ପଟ୍ଟନାୟକ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ଯୁଗ୍ମ ସଚିବଙ୍କ ସହ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଡିନ୍ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ୍ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ମୁଖ୍ୟ ଏବଂ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ସହିତ ବିଶେଷ ବୈଠକ କରିଥିଲେ ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ। ସେହିପରି ସିସିଏଚ୍‌ବି, ନୂତନ ଟ୍ରମା ଏବଂ ଜରୁରୀକାଳୀନ କୋଠା, ପ୍ରାଶାସନିକ ଭବନ ଏବଂ ଧର୍ମଶାଳା ପରି ଏକାଧିକ ଚିକିତ୍ସା ସୁବିଧାଗୁଡ଼ିକର ଅଗ୍ରଗତିନେଇ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଶ୍ରୀମତୀ ପଟ୍ଟନାୟକ ଓପିଡି କାଉଣ୍ଟରରୁ ତାଙ୍କର ଆଭା ନମ୍ବର କରିବା ସହିତ ଡିଜିଟାଲ ଇଣ୍ଡିଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ରହିଥିବା ଭିଜନ୍‌କୁ ଏମ୍‌ସ ସଫଳତାର ସହିତ ଅନୁପାଳନ କରୁଥିବା ପ୍ରଶଂସା କରିଥିଲେ।

ଗସ୍ତ ଅବସରରେ ଶ୍ରୀମତୀ ପଟ୍ଟନାୟକ ଏମ୍‌ସ ଭୁବନେଶ୍ୱରର ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ମେଡିକାଲ୍‌, ପାରାମେଡିକାଲ୍‌, ନର୍ସିଂ ଆଦି ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଥିବା ସେମାନଙ୍କର ଦୂରଦୃଷ୍ଟି ଏବଂ ଭଲପାଇବାକୁ ନେଇ ବିଶେଷ ପ୍ରଭାବିତ ହୋଇଥିଲେ। ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ଶବ ପରିଚାଳନାରେ ଏମ୍‌ସ ଭୁବନେଶ୍ୱରର ସଫଳ ପରିଚାଳନା ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ ଶ୍ରୀମତୀ ପଟ୍ଟନାୟକ।

ଉଲ୍ଲେଖଯୋଗ୍ୟଯେ ଏମ୍‌ସ ଭୁବନେଶ୍ୱର ଅନୁସନ୍ଧାନ ଏବଂ ରୋଗୀ ସେବା ଉପରେ ଧ୍ୟାନ ଦେଇ ଅନେକ ଜାତୀୟ ପ୍ରତିଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ସେହିଭଳି, ଏହି ଜାତୀୟ ଅନୁଷ୍ଠାନ ସଫଳତାର ସହିତ ବାହାନଗା ରେଳ ଦୁର୍ଘଟଣାର ୧୬୨ ପାର୍ଥିବ ଶରୀରକୁ ସଂରକ୍ଷଣ କରିବା ଏବଂ ପରିଚାଳନା କରିବାର ସଫଳତା ବହନ କରୁଛି।

ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଭାରତର ଦମଦାର ବିଜୟ । ବିଶ୍ବକପର ହାଇପ୍ରୋଫାଇଲ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ରୋହିତ ବାହିନୀ । ଅଧିନାୟକ ରୋହିତ ଶର୍ମା ଏବଂ ଶ୍ରେୟସ ଆୟାରଙ୍କ ଅର୍ଦ୍ଧଶତକୀୟ ପାଳି । ଭାରତ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ ଥିବାବେଳେ ଭାରତ ଏହାକୁ ୩୦ ଓଭର ୩ଟି ବଲରେ ସଂଗ୍ରହ କରିବାକୁ ସକ୍ଷମ ହୋଇଛି । ଦିନିକିଆ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୮ ଥର ମୁକାବିଲା ହୋଇଥିବାବେଳେ ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି ।

ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତିକୁ ଅନେକ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ ବି ଭାରତୀୟ ବୋଲରମାନେ ତାହାକୁ ଠିକ ବୋଲି ପ୍ରମାଣିତ କରି ଗୋଟିକ ପରେ ଗୋଟିଏ ଓ୍ବିକେଟ ନେଇଚାଲିଥିଲେ । ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ବିଶେଷକରି ବାବର ଆଜମ୍ ଓ ମହମ୍ମଦ ରିଜଓ୍ବାନ ଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ କରି ଭାରତୀୟ ଶିବିରରେ ଚିନ୍ତା ଉଦ୍ରେକ କରାଇଥିଲେ । ବାବର ୫୦ ରନ କରିଥିବାବେଳେ ରିଜଓ୍ବାନ ୪୯ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ସ୍ଥିତି ବଦଳିଯାଇଥିଲା । ଭାରତୀୟ ବୋଲରମାନେ ଘାତକ ବୋଲିଂ ଫଳରେ ପାକିସ୍ତାନର ମଧ୍ୟକ୍ରମ ଓ ନିମ୍ନକ୍ରମ ଭୁସୁଡ଼ି ପଡ଼ିଥିଲା ଓ ପାକିସ୍ତାନ ୧୯୧ରନରେ ଅଲଆଉଟ ହୋଇଯାଇଥିଲା ।

ବଢୁଛି ଯୁବ କଂଗ୍ରେସ କଳି

ଭୁବନେଶ୍ବର: ବଢୁଛି ଯୁବ କଂଗ୍ରେସ କଳି । କାହା ଇସାରାରେ ଯୁବ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି, ତାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଯୁବ କଂଗ୍ରେସର ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିଜେପି ଦ୍ବାରା ପରିଚାଳିତ ହୋଇ କାମ କରୁଥିବା ଅଭିଯୋଗ ରାଜ୍ୟ କଂଗ୍ରେସରେ ଗୋଷ୍ଠୀ ବିବାଦକୁ ଉଗ୍ର କରିଛି । ନିର୍ବାଚନ ସମୟରେ ଛାମୁଆ ସଂଗଠନ ବିଗିଡ଼ିଯିବା ନେଇ ଚିନ୍ତାରେ ପଡ଼ିଛି ଦଳ । ଯାହାକୁ ନେଇ ଉଷ୍ମ ହୋଇଛି କଂଗ୍ରେସ ଶିବିର ।

ପଦ୍ମ ନଚାଉଛି ହାତକୁ ! ମୁଖ୍ୟ ସେନାପତି ସାଜିଛନ୍ତି ଯୁବ ନେତା । ଏପରି ଆକ୍ଷେପ ଓ ପ୍ରତି ଆକ୍ଷେପ ନେଇ ମୁହାଁମୁହିଁ ହୋଇଛନ୍ତି ଯୁବ କଂଗ୍ରେସର ଦୁଇ ଗୋଷ୍ଠୀ । ବେଶ୍‌ କିଛି ଦିନ ପରେ ଯୁବ କଂଗ୍ରେସ କିଛି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା । ତାହା ଏବେ ଦଳ ପାଇଁ ବୁମେରାଂ ସାଜିଛି  । ବିଜେପି କଥାରେ ପରିଚାଳିତ ହୋଇ କିଛି ଯୁବ କଂଗ୍ରେସ ନେତା ରାଲି ଆୟୋଜନ କରିଥିଲେ ବୋଲି ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଗୋପନ ମାର୍ଥା ସାଂଘାତିକ ଅଭିଯୋଗ କରିବା ପରେ ଏହାର ଦୃଢ଼ ଜବାବ ଦେଇଛନ୍ତି ବିରୋଧୀ ଗୋଷ୍ଠୀ  । ଯେଉଁମାନେ ଏପରି ଅଭିଯୋଗ କରୁଛନ୍ତି, ସେମାନେ ବିଜେପି କି ଅନ୍ୟଦଳ ସହ ମିଶି କାମ କରୁଥିବେ ବୋଲି ଯୁବ କଂଗ୍ରେସର ଅନ୍ୟତମ ସାଧାରଣ ସମ୍ପାଦକ ନଳିନୀକାନ୍ତ ନାୟକ କହିଛନ୍ତି । ଏବେ ଯୁବ କଂଗ୍ରେସର କେହି ସଭାପତି ନାହାନ୍ତି । ଏଥିପାଇଁ କ’ଣ କୌଣସି କାର୍ଯ୍ୟକ୍ରମ ହେବ ନାହିଁ କି ବୋଲି ପ୍ରଶ୍ନ ସେ କରିଛନ୍ତି  ।

ରାଲିକୁ ନେଇ ରାଜ୍ୟ ଯୁବ କଂଗ୍ରେସରେ ଗୋଷ୍ଠୀ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ପରେ ରାଜ୍ୟ ନେତୃତ୍ବଙ୍କ ଚିନ୍ତା ବଢ଼ିଛି । ତେବେ ଖୁବଶୀଘ୍ର ଦୁଇ ଗୋଷ୍ଠୀଙ୍କୁ ଏକାଠି କରି ପିସିସି ସଭାପତିଙ୍କ ସହିତ ବୈଠକ ବସି ସମାଧାନର ବାଟ ବାହାର କରାଯିବ ବୋଲି ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ରାଜ୍ୟ କଂଗ୍ରେସରେ ଛାମୁଆ ଯୁବ ସଂଗଠନ ଭାଗଭାଗ ହୋଇଯାଇଛି । ଦଳର ମଙ୍ଗୁଆଳ କିନ୍ତୁ ଏ କଥାରେ ବିଶେଷ ମୁଣ୍ଡ ନପୂରାଇ ଭିନ୍ନ ମତ ରଖୁଥିବାରୁ ଦଳରେ ବଢୁଛି ଅନ୍ତଃ କନ୍ଦଳ ।

ପୂଜା ମଣ୍ଡପ ନିକଟରେ ବିକ୍ରି ହେବନି ଆମିଷ, ଆଖପାଖ ଫାଷ୍ଟଫୁଡ୍ ଦୋକାନ ଉପରେ ଲାଗିବ କଟକଣା

ଭୁବନେଶ୍ବର: ଆସୁଛନ୍ତି ମାଆ ଜଗତଜନନୀ । ସବୁଠି ପାର୍ବଣର ମାହୋଲ । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଶାନ୍ତି କମିଟି ବୈଠକରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ବିଭିନ୍ନ ପୂଜା କମିଟିର ସଦସ୍ୟମାନଙ୍କ ସହ ବିଧାୟକ ଏବଂ ମେୟର ଯୋଗ ଦେଇଥିଲେ । ନବରାତ୍ର ଠାରୁ ଭସାଣି ପର୍ଯ୍ୟନ୍ତ କିଭଳି ପୂଜା ଶୃଙ୍ଖଳିତ ଭାବରେ ଶେଷ ହେବ ସେ ନେଇ ହୋଇଛି ବିସ୍ତୃତ ଆଲୋଚନା ।

ପୂଜା ମଣ୍ଡପ ନିକଟରେ ବିକ୍ରି ହେବନି ଆମିଷ । ଆଖପାଖ ଫାଷ୍ଟଫୁଡ୍ ଦୋକାନ ଉପରେ ଲାଗିବ କଟକଣା । ମୂର୍ତ୍ତିରେ ବ୍ୟବହାର ହେବନି କେମିକାଲ ରଙ୍ଗ । ପ୍ଳାଷ୍ଟର ପ୍ୟାରିସରେ ନିର୍ମାଣ ହେବନି ମୂର୍ତ୍ତି । ପଲିଥିନରେ ଭୋଗ ଆଣିଲେ ପୂଜା କରିବେନି ପୂଜାରୀ । ରାବଣ ପୋଡ଼ିରେ ଫୁଟିବନି ଶଦ୍ଦ ପ୍ରଦୂଷଣ କରୁଥିବା ବାଣ । ଭସାଣରେ ବାଜିବନି ଡିଜେ । ପାରମ୍ପରିକ ବାଦ୍ୟରେ ବିଦାୟନେବେ ମାଆ ।

ଦଶହରା ଏବଂ ଭସାଣି ନେଇ ଭୁବନେଶ୍ବରରେ ବସିଥିବା ଶାନ୍ତି କମିଟି ବୈଠକରେ ଏଭଳି ବଡ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଏମସିକୁ କଡା କଟକଣା କରିବା ପାଇଁ ଶାନ୍ତି କମିଟି ଅନୁରୋଧ କରିଛି । ଏସବୁର ତଦାରଖ କରିବା ପାଇଁ ଶାନ୍ତି କମିଟି ପକ୍ଷରୁ ଏକ ଟିମ୍ ଗଠନ କରାଯିବ । ମେଲୋଡି ସମୟରେ କମ୍ ସାଉଣ୍ଡ ବ୍ୟବହାର କରିବା ସହ ମଦ ଉପରେ କଟକଣା ଜାରି କରାଯାଇଛି ।

ପ୍ରତି ପୂଜା ମଣ୍ଡପରେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ମଣ୍ଡପରେ ପର୍ଯ୍ୟାପ୍ତ ପରିମାଣର ପାଣି ରଖିବା ସହ ସ୍ବେଚ୍ଛାସେବୀ ନିଯୁକ୍ତ ରହିବେ । ଚଳିତବର୍ଷ ଭୁବନେଶ୍ବରରେ ପାଖାପାଖି ୧୯୦ ପୂଜାମଣ୍ଡପରେ ପୂଜା ପାଇବେ ମାଆ । ଏହା ପୂର୍ବରୁ ରାସ୍ତା କାମ, ଅବରୋଧ କରିଥିବା ଗଛକୁ କାଟିବା, ଆଲୋକୀକରଣ, ମୋବାଇଲ ଟଇଲେଟ ବ୍ୟବସ୍ଥା ନେଇ ବିଏମସି ପ୍ରତିଶୃତି ଦେଇଛି ।

ଦୁଇଦିନ ମଧ୍ୟରେ ଏସବୁ କାମ ସାରିବା ସହ ଟ୍ରାଫିକ୍ ମ୍ୟାନେଜମେଣ୍ଟ କରିବା ଦିଗରେ କମିଶନରେଟ ପୋଲିସ ସହ ପୂଜା କମିଟି ସଦସ୍ୟମାନେ ସମନ୍ବୟ ରଖି କାମ କରିବାକୁ ମେୟର ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ଅଷ୍ଟମୀ ଠାରୁ ଭସାଣି ପର୍ଯ୍ୟନ୍ତ ସବୁ ଶାନ୍ତି ଶୃଙ୍ଖଳାର ସହ ସାରିବା ପାଇଁ ଶାନ୍ତି କମିଟି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ବିଶେଷ କରି ଭସାଣି ସମୟରେ ନଦୀରେ ନ ବୁଡି ଅସ୍ଥାୟୀ ପୋଖରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମିଶନ ଶକ୍ତି ମହିଳାଙ୍କୁ ଆତ୍ମନିର୍ଭର କରିଛି ଛତୁଆ

କଳାହାଣ୍ଡି: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଗ୍ରାମାଞ୍ଚଳ ମହିଳାଙ୍କୁ ଯୋଗାଇଛି ରୋଜଗାର l ଉନ୍ନତ ମାନର ଛତୁଆ ପ୍ରସ୍ତୁତ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ବି ଯୋଗାଇପାରିଛନ୍ତି  ନିଯୁକ୍ତି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କୁଲିହାରି ଗାଁର ମିଶନ ଶକ୍ତି ମହିଳାଙ୍କୁ ସ୍ବାବଲମ୍ବୀ କରିଛି ଛତୁଆ ତିଆାରି ।

ଶସକ୍ତ ମହିଳା, ପ୍ରଗତିଶୀଳ ଓଡ଼ିଶା । ମା’ଙ୍କୁ ଏବେ ସ୍ବାବଲମ୍ବୀ କରିଛନ୍ତି ରାଜ୍ୟସରକାର । ମିଶନ ଶକ୍ତି ସହାୟତାରେ ଏବେ ରୋଜଗାରକ୍ଷମ ହୋଇଛନ୍ତି ମହିଳା । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଉପାନ୍ତ ଗାଁ କୁଲିହରି l ଏହି ଗାଁରେ ରହିଛି ମା ସର୍ବ ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ l 10ଜଣ ମହିଳାକୁ ନେଇ 2010 ମସିହାରେ ଗଠିତ ହୋଇଥିଲା ଏହି ଏସଏଚଜି । ଏହି ଏସଏଚଜି ମହିଳା ମାନେ ଛତୁଆ ପ୍ରସ୍ତୁତ ପ୍ଲାଣ୍ଟ ବସାଇ ଭଲ ରୋଜଗାର କରୁଛନ୍ତି । ଏହି ପ୍ଲାଣ୍ଟ ପାଇଁ ରାଜ୍ୟ ସରକାର ଦୁଇ ଲକ୍ଷ ଟଙ୍କା ଋଣ ମଧ୍ୟ ଯୋଗାଇ ଦେଇଛନ୍ତି । ଏବେ ଏସଏଚଜି ମହିଳା ଛତୁଆ ପ୍ରସ୍ତୁତ କରି ନିଜେ ସ୍ବାବଲମ୍ବୀ ହେବା ସହ 10ରୁ ଅଧିକ ଲୋକଙ୍କୁ ଦେଇଛନ୍ତି ନିଯୁକ୍ତି ।

ଦିନ ଥିଲା ଏହି ଗାଁର ମହିଳା ମାନେ ଘରେ ବସି ରହୁଥିଲେ l ଏବେ ଏହି ମହିଳା ମାନେ ମିଶନ ଶକ୍ତିରେ ସାମିଲ ହୋଇ ଉନ୍ନତ ମାନର ଛତୁଆ ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଜୁନାଗଡ଼ ବ୍ଲକର 7ଟି ସେକ୍ଟରର 182 ଅଙ୍ଗନବାଡି କେନ୍ଦ୍ରକୁ ଛତୁଆ ଯୋଗାଉଛନ୍ତି । ଉନ୍ନତ ମାନର ଛତୁଆ ପ୍ରସ୍ତୁତ କରୁଥିବା ଯୋଗୁଁ ରାଜ୍ୟ ସରକାରଙ୍କ ଠାରୁ ଏହି ଏସଏଚଜି ପୁରସ୍କାର ମଧ୍ୟ ପାଇଛି ।