spot_img
Home Blog Page 2494

ଘଟଗାଁ ସଡ଼କ ଦୁର୍ଘଟଣା : ୮ ମୃତକଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର : ଘଟଗାଁ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯିବ।

ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଉପଯୁକ୍ତ  ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି  ।

ଭୁବନେଶ୍ବରରୁ କାବୁ ହେଲେ ଦୁଇ ସନ୍ଦିଗ୍ଧ ମହିଳା

ଭୁବନେଶ୍ବର :  ଭୁବନେଶ୍ବର ରସୁଲଗଡ଼ ଶବରସାହିରେ ଧରାହେଲେ ଦୁଇ ସନ୍ଦିଗ୍ଧ ମହିଳା । ଗେଟ ଖୋଲି ଘରେ ପଶୁଥିବା ବେଳେ ଦୁଇ ମହିଳା ଧରାହୋଇଛନ୍ତି  । ସେମାନଙ୍କୁ କାବୁ କରି ପୋଲିସକୁ ଦେଇଛନ୍ତି ଲୋକ । ଭିକ୍ଷା ମାଗିବା ଆଳରେ ଦୁଇ ମହିଳା ଘରେ ପଶୁଥିବା ସୂଚନା ମିଳିଛି ।

ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ମଞ୍ଚେଶ୍ବର ଥାନା ପୋଲିସ । ଦୁଇ ମହିଳା ରାଜ୍ୟ ବାହାରର ହୋଇଥିବା ସୂଚନା ମିଳିଛି ।

ବେଙ୍ଗାଲୁରୁରେ ବୋମା ବିସ୍ଫୋରଣ ନେଇ ଇ-ମେଲରେ ଧମକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବୋମା ଧମକ। ବୋମା ବିସ୍ଫୋରଣ ନେଇ ଇ-ମେଲରେ ଧମକ ପରେ ୧୩ଟି ସ୍କୁଲକୁ ଖାଲି କରିଦିଆଯାଇଛି। ପୋଲିସ ପକ୍ଷରୁ ତନାଘନା କରାଯାଉଛି। ବିଭିନ୍ନ ସ୍କୁଲ ପରିସରରେ ବୋମା ଖଞ୍ଜାଯାଇଛି ବୋଲି ଇ-ମେଲ ଧମକ ଆସିବା ପରେ ସ୍କୁଲଗୁଡିକରେ ସତର୍କ ବ୍ୟବସ୍ଥା ଜାରି କରାଯାଇଛି ।

ବିଭିନ୍ନ ସ୍କୁଲ ପରିସରରେ ଥିବା ସନ୍ଦିଗ୍ଧ ପଦାର୍ଥ ଗୁଡିକର ଯାଞ୍ଚ କରାଯାଉଥିବା ବେଳେ ଇମେଲ ସମ୍ପର୍କରେ ଛାନବିନ କରାଯାଇଛି । ବିଭିନ୍ନ ସ୍କୁଲରେ ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ କରିଛି । ବୋମା ଧମକକୁ ନେଇ ଏକ ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ଉଦ୍ଦେଶ୍ୟରେ ଆଡଭାଇଜରୀ ଜାରି କରାଯାଇଛି ।

ଡିସେମ୍ବରର ପହିଲାରୁ ବଦଳିଲା ଏହି ସବୁ ନିୟମ, ଜାଣନ୍ତୁ କ’ଣ

ବ୍ୟୁରୋ ରିପୋର୍ଟ : ଆଜିଠୁ ଆରମ୍ଭ ହେଉଛି ବର୍ଷର ଶେଷମାସ ଡିସେମ୍ବର। ତା ସହିତ ବଦଳିଯାଉଛି ଅନେକ ନିୟମ। ଯାହାକି ଆପଣଙ୍କ ଜୀବନକୁ ପ୍ରଭାବିତ କରିବ। ଆଜିଠୁ  ସିମ୍ କାର୍ଡ, ୟୁପିଆଇ ଆଇଡି, ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହ ଜଡିତ ନୂଆ ନିୟମ ଲାଗୁ ହେଉଛି । ଦେଶରେ ସିମ୍ କାର୍ଡ କିଣିବା ଓ ବିକିବା ନେଇ ନୂଆ ନିୟମ ଆସିଛି।

ପୂର୍ବରୁ ଲୋକମାନେ ଗୋଟିଏ ଆଇଡିରେ ଏକ ସଙ୍ଗେ ବହୁ ସିମ୍ କାର୍ଡ କିଣିପାରୁଥିଲେ। କିନ୍ତୁ ଆଜିଠୁ ଆଉ ଏପରି ହେବନି। ସୀମିତ ସଂଖ୍ୟାରେ ସିମ୍ କାର୍ଡ କିଣିବାକୁ ଅନୁମତି ମିଳିପାରିବ। ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ କେବଳ ୯ଟି ସିମ କାର୍ଡ କିଣିପାରିବେ। ସିମ କିଣିବା ପାଇଁ କ୍ୟୁଆର କୋଡ୍ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ । ଯଦି ବ୍ୟବହାର କରୁଥିବା ସିମ କାର୍ଡ ବନ୍ଦ କରିଦେବେ ତେବେ ୯୦ଦିନ ଭିତରେ ଏହି ସିମ ଅନ୍ୟଜଣେ ଗ୍ରାହକଙ୍କୁ ଦିଆଯିବ। ସେହିପରି ସିମ୍ କାର୍ଡ ବିକ୍ରୀ କରୁଥିବା ବ୍ୟକ୍ତିଙ୍କୁ ରେଜିଷ୍ଟ୍ରେସନ ଓ ସିଷ୍ଟମରେ ସାମିଲ ହେବା ପୂର୍ବରୁ କେୱାଇସି ପ୍ରୋସେସ୍ ପୁରା କରିବାକୁ ହେବ। ସେହିପରି ବ୍ୟାଙ୍କରୁ ଲୋନ୍ ନେବା ଲାଗି ଜମା କରିଥିବା ସମ୍ପତ୍ତିର କାଗଜପତ୍ର ଫେରସ୍ତ ନେବାରେ ଗ୍ରାହକଙ୍କୁ ଆଉ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ନୂଆ ନିୟମ ଅନୁସାରେ ଲୋନ୍ ଶୁଝିବାର ଏକ ମାସ ଭିତରେ ବ୍ୟକ୍ତିକୁ ସଂପତ୍ତିର କାଗଜପତ୍ର ଫେରାଇ ଦିଆଯିବ । ଏପରି ନ କଲେ ବ୍ୟାଙ୍କକୁ ପ୍ରତିଦିନ ୫ ହଜାର ଜୋରମାନା ଦେବାକୁ ପଡିବ । HDFC ବ୍ୟାଙ୍କ ଏହାର କ୍ରେଡିଟ୍ କାର୍ଡକୁ ନେଇ କିଛି ପରିବର୍ତ୍ତନ କରିଛି । ଏଥିରେ ଲାଉଞ୍ଜ ଆକ୍ସେସ ଲାଗି ଖର୍ଚ୍ଚର ସୀମା ବୃଦ୍ଧି କରାଯାଇଛି । ସେହିପରେ ଯେଉଁ ୟୁପିଆଇ ଆଇଡିରେ ବର୍ଷେ ଧରି କୌଣସି ଟ୍ରାଞ୍ଜାକ୍ସନ ହୋଇନଥିବ ସେହି ୟୁପିଆଇ ଆଇଡି ବନ୍ଦ ହୋଇଯିବ।

ଭଦ୍ରକରେ ହାଇୱା ପଛକୁ ପିଟିଲା କାର୍, ଜଣେ ମୃତ ୪ ଗୁରୁତର

ଭଦ୍ରକ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାରେ ଠିଆ ହୋଇଥିବା ହାଇୱାକୁ ପଛପଟୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର। ଭଦ୍ରକ ପୁରୁଣାବଜାର ଅଞ୍ଚଳରୁ କେତେକ ଯୁବକ ଦୋବଲ ଅଞ୍ଚଳକୁ ଏକ ପର୍ବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଗେଲପୁର ନିକଟରେ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ପରେ ସମସ୍ତଙ୍କୁ ବିଳମ୍ବିତ ରାତିରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ୨ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମୃତକ ଜଣକ ପୁରୁଣାବଜାର ଅଞ୍ଚଳର ଏସ କେ.ସନୱର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ରାଜ୍ୟର ଆଉ ଦୁଇଟି ସ୍ଥାନରେ ଇକୋ-ରିଟ୍ରିଟର ହେବ ଶୁଭାରମ୍ଭ

ଭୁବନେଶ୍ୱର : ଆଜିଠୁ ରାଜ୍ୟର ଆଉ ଦୁଇଟି ସ୍ଥାନରେ ଆରମ୍ଭ ହେଉଛି ପ୍ରକୃତିର ଉତ୍ସବ ଇକୋ-ରିଟ୍ରିଟ୍। ସୋନପୁର ଓ ଭିତରକନିକାରେ ଇକୋ-ରିଟ୍ରିଟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିତରକନିକାରେ ପର୍ଯ୍ୟଟକମାନେ ରାତି ବିତାଇବା ସହ ପରିଭ୍ରମଣ କରିବାର ମଜାପାଇବେ। ଏହି ସମୟରେ କୁମ୍ଭୀର, ଦେଶୀ ବିଦେଶୀ ପକ୍ଷୀ ଓ ହରିଣ, ବାରାହା ଦେଖିବା ସହ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ବୁଲିବା, ଧଳା କୁମ୍ଭୀରକୁ ଦେଖିବା ସହ ମିୟୁଜିୟମ ଦେଖିବାର ମଜା ନେବେ ପର୍ଯ୍ୟଟକ। କୃତ୍ରିମ ଝରଣା ସହ କଇଁଛ, ହରିଣ, ଦେଶ ବିଦେଶରେ ପକ୍ଷୀ ବଉଳା କୁମ୍ଭୀର ଦେଖିବାକୁ ମିଳିବ।

ସେହିପରି ସୋନପୁରରେ ମଧ୍ୟ ପ୍ରକୃତିର ମଜାନେବେ ପର୍ଯ୍ୟଟକ। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡ଼ି, କୋରାପୁଟର ପୁଟସିଲ ଓ ସାତକୋଶିଆ ସହିତ ୪ଟି ସ୍ଥାନରେ ଇକୋ-ରିଟ୍ରିଟ୍ ଆରମ୍ଭ ହୋଇଥିବାବେଳେ ଆଜି ଦ୍ବିତୀୟ ପର୍ଯ୍ୟାରେ ସୋନପୁର ଓ ଭିତରକନିକାରେ ଆରମ୍ଭ ହେବ। ସେହିପରି ତୃତୀୟ ପର୍ଯ୍ୟାୟ ଅର୍ଥାତ ଆସନ୍ତା ୧୫ତାରିଖରେ କୋଣାର୍କ ଇକୋ-ରିଟ୍ରିଟର ଶୁଭାରମ୍ଭ ହେବ। ଇକୋ ରିଟ୍ରିଟରେ ପର୍ଯ୍ୟଟକମାନଙ୍କୁ ସବୁ ପ୍ରକାରର ସୁବିଧା ମିଳୁଛି  । ସ୍ବତନ୍ତ୍ରଭାବେ ପ୍ରସ୍ତୁତ ହୋଇଥିବା ବିଳାସପୂର୍ଣ୍ଣ କଟେଜରେ ଆରାମଦାୟକ ରହଣୀ ସାଙ୍ଗକୁ ସୁସ୍ବାଦୁ ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରୋମାଞ୍ଚକର କାର୍ଯ୍ୟର ମଜା ନେଉଛନ୍ତି ପର୍ଯ୍ୟଟନ। ଦେଶ ବିଦେଶର ପର୍ଯ୍ୟଟକମାନେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣୁଛନ୍ତି ।

ଆଜିଠୁ ସପ୍ତାହବ୍ୟାପୀ ଜିରୋ ଫାଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ

ଭୁବନେଶ୍ୱର :  ସାବଧାନ ଅମାନିଆ ଗାଡ଼ି ଚାଳକ । ଆଜିଠୁ ଜୋରଦାର ହେବ ଟ୍ରାଫିକ ଚେକିଂ। ନିୟମ ଭାଙ୍ଗିଲେ ଗଣିବେ ମୋଟାଅଙ୍କର ଫାଇନ୍। ଆଜିଠୁ ସପ୍ତାହେବ୍ୟାପୀ ସାରା ରାଜ୍ୟରେ ପାଳନ ହେଉଛି ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟ ସପ୍ତାହ। ବିଶେଷକରି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍, ନାବାଳକ ଡ୍ରାଇଭିଂ, ବେଆଇନ ପାର୍କିଂ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ନାବାଳକ ଗାଡ଼ିଚଳାକ ଧରାପଡିଲେ ଅଭିଭାବକଙ୍କ ନାଁରେ କଟିବ ଚାଲାଣ। ମଦ୍ୟପାନ, ରଙ୍ଗରୁଟ, ବିନା ହେଲମେଟ, ବିନା ସିଟବେଲ୍ଟରେ ଗାଡ଼ି ଚଳାଇଲେ ଜବତ ହୋଇପାରେ ଗାଡ଼ି । ଗଳିକନ୍ଦିରେ ଚେକିଂ କରି ଅମାନିଆକୁ ସାବାଡ଼ କରିବ ପୋଲିସ। ଗତ ଏପ୍ରିଲ ମାସରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ବେଳେ ବୌଦ୍ଧ, ରାୟଗଡ଼ା, ସୋନପୁର, ଭଦ୍ରକ, ମାଲକାନଗିରି, ନୟାଗଡ଼ ଏବଂ ସମ୍ବଲପୁର ଜିଲ୍ଲା ଗୁଡିକରେ କୌଣସି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇନାହିଁ । ତେବେ ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ୭୦ ଜଣଙ୍କ ଜୀବନହାନୀ ହୋଇଛି। ବେପରୁଆ ଗାଡ଼ି ଚାଳନା ଯୋଗୁ ପ୍ରତିଦିନ ସଡକ ଦୁର୍ଘଟଣା ଘଟୁଥିବାରୁ କେବଳ ସପ୍ତାହେ ନୁହଁ ବରଂ ବର୍ଷବ୍ୟାପୀ ଏଭଳି କାର୍ଯ୍ୟକ୍ରମ କରାଯିବା ଆବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞ ।

ତାରିଣୀ ଦର୍ଶନ ପାଇଁ ଯିବା ବେଳେ ୨ଟି ପରିବାରର ଚାଲିଗଲା ୮ ଜୀବନ

କେନ୍ଦୁଝର : ତାରିଣୀ ଦର୍ଶନ ପାଇଁ ଯିବା ବେଳେ ଚାଲିଗଲା ୮ ଜୀବନ । କେନ୍ଦୁଝର ବାଲିଯୋଡ଼ି ଏନଏଚ ୨୦ରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ସମସ୍ତ ମୃତକ ଗଂଜାମ ଦିଗପହଣ୍ଡି ପୋଡ଼ାମାରି ଗାଁର ବୋଲି ଜଣାପଡିଛି । ଦୁର୍ଘଟଣାରେ ଦୁଇଟି ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବାପା,ପୁଅ ଓ ଝିଅ ଜ୍ବାଇଁ ରହିଥିବାବେଳେ ଅନ୍ୟ ଗୋଟିଏ ପରିବାରର ମାଆ,ପୁଅ ଝିଅ ରହିଛନ୍ତି ।

ବାୟାଘନ ଗୌଡ଼ ଓ ତାଙ୍କର ପୁଅ ମଦନ ଗୌଡ଼ଙ୍କର ମୃତ୍ୟୁ ହୋଇଥିବାବେଳେ ବାୟାଘନଙ୍କ ଝିଅ କାମିନି ଗୌଡ଼ ଓ ଜ୍ବାଇଁ ବାବୁଲା ଗୌଡ଼ଙ୍କର ମୃତ୍ୟୁ ହୋଇଛି  । ସେହିପରି ମାଆ ମିତା ପ୍ରଧାନ ଓ ତାଙ୍କ ପୁଅ ଆକାଶ ପ୍ରଧାନ ଏବଂ ବୋହୂ ଲିଜା ପ୍ରଧାନଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମୃତକ ପ୍ରଧାନ ପରିବାରର ସଦସ୍ୟ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ଯାଆ, ପୁତୁରା ଓ ପୁତୁରା ବୋହୂ ହୋଇଥିବା ସୂଚନା ମିଳିଛି।

ଆଜି ଓଡ଼ିଶା ଫେରିବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର :  ଆଜି ଓଡ଼ିଶା ଫେରିବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡ଼ିଆ ଶ୍ରମିକ। ଗତକାଲି ସମସ୍ତ ୫ ଓଡ଼ିଆ ଶ୍ରମିକ ଋଷିକେଶ ଏମ୍ସରୁ ଡିସଚାର୍ଜ ହେବା ପରେ ଦିଲ୍ଲୀ ଆସି ଓଡ଼ିଶା ଭବନରେ ରହିଥିଲେ। ଆଜି ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଣି ଭୁବନେଶ୍ବର ଆସିବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ସହ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ରହି ଶ୍ରମିକଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି ।

ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେବା ପରେ ଚିକିତ୍ସାଧୀନ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ହସ୍ପିଟାଲରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଶ୍ରମିକଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ। ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରି ବୁଝିଥିଲେ। ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  ଫାଇଭ-ଟି  ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଜଣାଇଛନ୍ତି ଶ୍ରମିକ ଓ ସେମାନଙ୍କ ପରିବାର ।

ଅଧୁରା ରହିଲା ମା’ ତାରିଣୀଙ୍କ ଦର୍ଶନ, ଦୁର୍ଘଟଣାରେ ୭ ମୃତ

କେନ୍ଦୁଝର : ଅଧୁରା ରହିଲା ତାରିଣୀ ଦର୍ଶନ। କେନ୍ଦୁଝର ଜିଲ୍ଲା ଘଟଗାଁ ବାଲିଯୋଡି ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଥୁଆ ହୋଇଥିବା ଟ୍ରକକୁ ପଛପଟୁ ପିଟିଲା ଟୁରିଷ୍ଟ ଗାଡ଼ି। ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଏକାଧିକ ଶିଶୁ ରହିଥିବା ସୂଚନା ମିଳିଛି ।

ସମସ୍ତ ମୃତକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପୋଡ଼ାମାରି ଗାଁର ଜଣାପଡିଛି। ୩ଟି ପରିବାରର ୧୯ ଜଣ ସଦସ୍ୟ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଯାଉଥିଲେ। ତାରିଣୀ ମନ୍ଦିରରୁ ୩ କିଲୋମିଟର ଦୂରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଥୁଆ ହୋଇଥିବା ଏକ ଟ୍ରକକୁ ଟୁରିଷ୍ଟ ଭ୍ୟାନଟି ଧକ୍କା ଦେଇଥିଲା। ଦୁର୍ଘଟଣାରେ ଭ୍ୟାନଟି ସମ୍ପୂର୍ଣ୍ଣ ଚୂରମାର ହୋଯାଇଛି। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ।